ପ୍ରୀତୀଶ ଆଚାର୍ଯ୍ୟ
ମହାତ୍ମା ଗାନ୍ଧୀଙ୍କ ସମ୍ବନ୍ଧରେ ଯେତେ ସଂଖ୍ୟକ ଓ ଯେତେ କିସମର ବହି ବିଭିନ୍ନ ଭାଷାରେ ଅନେକାନେକ ଲେଖକ-ଚିନ୍ତକଙ୍କ ଦ୍ୱାରା ଲିଖିତ, ତା’ ତୁଳନାରେ କସ୍ତୁରବା’ ସମ୍ପର୍କରେ ରଚିତ ପୁସ୍ତକର ସଂଖ୍ୟା ଅତି ନଗଣ୍ୟ। ବାପୁଙ୍କ ତୁଳନାରେ ଆଲୋଚନା ବେଳେ ବା’ ସର୍ବଦା ଉପେକ୍ଷିତ। ଏହାର କାରଣ ଖୋଜିବା କଷ୍ଟ ନୁହେଁ- ଗାନ୍ଧୀ ଜଣେ ଶୀର୍ଷସ୍ତରୀୟ ରାଜନେତା ଥିଲେ; ବା’ ଥିଲେ ତାଙ୍କ ସହଯୋଗୀ; ବା’ଙ୍କ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ପ୍ରାୟତଃ ଅନାବିଷ୍କୃତ। ସାଧାରଣ ଗୃହିଣୀରୁ ସେ ପତିଙ୍କ ପଦାଙ୍କରେ ତାଲିମ ପାଇ ରାଜନୀତିକ କର୍ମୀ ହେଲେ। ତା’ଠାରୁ ବଡ଼ କାରଣ ହେଲା, ଆମ ସମାଜର ପୁରୁଷତାନ୍ତ୍ରିକତା; ପତି ତୁଳନାରେ ପତ୍ନୀର କାମକୁ ସର୍ବଦା ଗୌଣ ମନେ କରିବାର ମାନସିକତା। ଅବଶ୍ୟ ବା’ଙ୍କୁ କେନ୍ଦ୍ରକରି ମଧ୍ୟ କିଛି ଜୀବନୀ ଲେଖାଯାଇଛି। ତହିଁରେ ରହିଛି- ‘ଦି ଲଷ୍ଟ ଡାଏରି ଅଫ୍ କସ୍ତୁର’ (ତୁଷାର ଗାନ୍ଧୀ), ସୋନାଲ ପାରିଖଙ୍କ ‘କସ୍ତୁରବା’ସ୍ ବାୟୋଗ୍ରାଫି’, ସିବି କେ. ଜୋସେଫଙ୍କ ‘କସ୍ତୁରବା ଗାନ୍ଧୀ: ଏନ୍ ଏମ୍ବୋଡିମେଣ୍ଟ ଅଫ୍ ଏମ୍ପାୱାରମେଣ୍ଟ’ ଆଦି। ହେଲେ ବାପୁଙ୍କ ତୁଳନାରେ ବା’ଙ୍କୁ ଅଧିକ ମହତ୍ତ୍ବ ଦେବା ମଧ୍ୟ ତର୍କସଂଗତ ଲାଗେ ନାହିଁ। ଏହି କଥାକୁ ମନରେ ରଖି ଅରବିନ୍ଦ ମୋହନ ହିନ୍ଦୀରେ ‘ବା-ବାପୁ ୧୫୦’ ଶୀର୍ଷକରେ ଏକ ପୁସ୍ତକ ସମ୍ପାଦନା କରିଛନ୍ତି (ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ, ୨୦୧୮)। ଏଥିରେ ଉଭୟଙ୍କ ଜୀବନରୁ ୭୫ଟି ଲେଖାଏଁ ମୋଟ ୧୫୦ଟି ବୃତ୍ତାନ୍ତ ରହିଛି। ଉପାଖ୍ୟାନଗୁଡ଼ିକ ବସ୍ତୁନିଷ୍ଠ, ତଥ୍ୟାଶ୍ରିତ; ଆଦୌ ମନଗଢ଼ା ନୁହେଁ। ବା’ କିମ୍ବା ବାପୁ ପୁସ୍ତକରେ ଜଣେ ଜଣେ ହାଡ଼-ମାଂସର ସାଧାରଣ ମଣିଷରୁ ଅଧିକ ନୁହନ୍ତି। ନିଜେ ପାରମ୍ପରିକ ହେବା କାରଣରୁ ବା’ ଗାନ୍ଧୀଙ୍କ ପ୍ରୟୋଗଗୁଡ଼ିକୁ ଆପଣାଇବାରେ ଅସୁବିଧା ପାଉଥିଲେ। ସେତେବେଳେ ଗାନ୍ଧୀ ଜଣେ କଠୋର ପତି ଭାବରେ ପ୍ରୟୋଗଗୁଡ଼ିକୁ ଆପଣାଇବାକୁ ଜୋର କରୁଥିଲେ। ଏନେଇ ପତି-ପତ୍ନୀ ମଧ୍ୟରେ ମତଭେଦ ରହୁଥିଲା; ସଂଘାତ ବି ଘଟୁଥିଲା। ଏହା ସତ୍ତ୍ବେ, ବା’ ସର୍ବଦା ଥିଲେ ବାପୁଙ୍କର ବଡ଼ ପକ୍ଷଧର ଓ ଅନ୍ୟପକ୍ଷରେ ବା’ଙ୍କ ଅପମାନ ବାପୁଙ୍କ ପାଇଁ ଅସହ୍ୟ ହେଉଥିଲା; ସେତେବେଳେ ସେ ବା’ଙ୍କ ସମର୍ଥନରେ ଖୁବ୍ ଆକ୍ରାମକ ହୋଇ ଉଠୁଥିଲେ।
ଅନେକ ନାରୀବାଦୀ ଗାନ୍ଧୀଙ୍କୁ ଜଣେ ପତ୍ନୀ-ପ୍ରତାରକ ବୋଲି କହୁଥିଲେ। ଗାନ୍ଧୀଙ୍କର ଜଣେ ଶିଷ୍ୟା ସରୋଜିନୀ ନାଇଡୁ ମଧ୍ୟ କଥାରେ କଥାରେ ‘ଜାଲିମ-ପତି’ କହୁଥିଲେ। ଥରେ ଜଣେ ମହିଳା ବା’ଙ୍କୁ ଏକ ଅତି ସହାନୁଭୂତିପୂର୍ଣ୍ଣ ଦୀର୍ଘ ପତ୍ର ଲେଖିଲେ ଓ ପତ୍ନୀ ଭାବରେ ବା’ ସହ୍ୟ କରୁଥିବା ଯାତନାର ଉଲ୍ଲେଖ କଲେ। ଏହାର ପ୍ରତ୍ୟୁତ୍ତରରେ ଅତ୍ୟଳ୍ପ ଶିକ୍ଷିତ ବା’ ଅତି ସାଧାରଣ ଓ ସରଳ ଭାଷାରେ ଲେଖିଥିଲେ, ‘ତୁମେ କେମିତି ଜାଣିଲ ଯେ ବାପୁ ମତେ ବହୁତ କଷ୍ଟ ଦିଅନ୍ତି; ତୁମେ ନିଜ ଆଖିରେ କେବେ ଆସି ଦେଖିଲ କି?… ମତେ ଯିଏ ସ୍ୱାମୀ ରୂପରେ ମିଳିଛନ୍ତି, ସେଭଳି ମହତ ମଣିଷ ସଂସାରରେ ଆଉ କୌଣସି ସ୍ତ୍ରୀକୁ ମିଳି ନ ଥିବେ... ମୋର ବିନା ଦୋଷରେ ସେ କେବେ ଦୋଷ ବାଛି ନାହାନ୍ତି। ହଁ, ଯଦି ମୋର ବିଚାର ଅନୁଦାର, ଦୃଷ୍ଟି ପକ୍ଷପାତପୂର୍ଣ୍ଣ, ସେ ନିଶ୍ଚୟ ସତର୍କ କରାନ୍ତି। ଲୋକ ପାରିବାରିକ କଳହକୁ ଘର ଭିତରେ ଢାଙ୍କି ରଖନ୍ତି, ହେଲେ ବାପୁ ତାକୁ ସମ୍ବାଦପତ୍ରରେ ଲେଖନ୍ତି।’ ଅର୍ଥାତ୍, ବା’ଙ୍କ ମତରେ ପତି-ପତ୍ନୀ କଥା ଅନେକ ଲୋକ ବ୍ୟକ୍ତିଗତ ବୋଲି ଢାଙ୍କି ରଖୁଥିବା ବେଳେ ବାପୁ ତାକୁ ନିଜଆଡୁ ସାର୍ବଜନୀନ କରନ୍ତି। ଏଥିରୁ ଅଧିକ ବ୍ୟାବହାରିକ ଓ ସଠିକ୍ ଉତ୍ତର ବୋଧହୁଏ ଆଉ କିଛି ହୋଇନଥାନ୍ତା। କସ୍ତୁରବା’ ରାଜନୀତି କିଛି ଜାଣି ନ ଥିଲେ; ତା’ ସତ୍ତ୍ବେ ୧୯୧୩ରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଜେଲ୍ ଗଲେ; ୧୯୧୭ରେ ବିହାରର ଚମ୍ପାରଣରେ ମହିଳାମାନଙ୍କୁ ନେଇ ଗଠନମୂଳକ କାର୍ଯ୍ୟରେ ସଂଶ୍ଳିଷ୍ଟ ରହିଲେ ଓ ସାମୂହିକ ରୋଷେଇର ଭାର ନେଲେ; ଏହା କାର୍ଯ୍ୟକର୍ତ୍ତାଙ୍କ ମନରୁ ଜାତି-ବିଭେଦକୁ ଭାଙ୍ଗିବା ଲାଗି ଖୁବ୍ ଉପଯୋଗୀ ସିଦ୍ଧ ହେଲା। ବିହାରର ତତ୍କାଳୀନ ଗ୍ରାମୀଣ ସମାଜରେ ଜଣେ ମହିଳା (ବା’)ଙ୍କ ବିନା ସହଯୋଗରେ ବାପୁ କେବେ ଏସବୁ କାମ କରିପାରି ନଥାନ୍ତେ। ୧୯୪୪ରେ ଉଭୟେ ଜେଲ୍ ଭୋଗୁଥିବାବେଳେ ଗାନ୍ଧୀଙ୍କ ଆଗରେ ବା’ଙ୍କର ଦେହାନ୍ତ ହେଲା।
ପ୍ରାୟତଃ କର୍ମଶାଳାମାନଙ୍କରେ ସାମୂହିକ ରୋଷେଇରେ ବ୍ୟବହୃତ ବଡ଼ ବଡ଼ ବାସନକୁସନକୁ ପାଳି କରି ଅନ୍ତେବାସୀ ସଫା କରିବେ ବୋଲି ବାପୁ କଠୋର ନିୟମ ରଖିଥାନ୍ତି। ସେହି କ୍ରମରେ, ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ଜେ. ସି. କୁମାରପ୍ପା ଓ ବାପୁ ଦିନେ ୱାର୍ଦ୍ଧାରେ ରୋଷେଇ ପରେ ବଡ଼ ବଡ଼ ବାସନସବୁ ସଫା କରୁଥାନ୍ତି। ସେଠାରେ ବା’ ଅଚାନକ ପହଞ୍ଚି ବାପୁଙ୍କ ଜାଗାରେ ସେ ବାସନ ସଫା କରିବେ ବୋଲି ଜିଦ୍ କଲେ। ବାପୁଙ୍କର କୌଣସି ତର୍କକୁ ସେ ମାନିଲେ ନାହିଁ। ଶେଷରେ ଗାନ୍ଧୀ ପତ୍ନୀଙ୍କ ଆଗରେ ପରାସ୍ତ ହୋଇ କହିଲେ, ‘କୁମାରପ୍ପା, ତୁମେ ଭାଗ୍ୟବାନ; ତୁମ ଉପରେ ଆକଟ କରିବା ପାଇଁ ଓ ଏକ ଦୃଢ଼ ବିଚାରକୁ ଦଳିଚକଟି ଦେବା ପାଇଁ ପାଖରେ ତୁମ ପତ୍ନୀ ନାହାନ୍ତି। ପରିବାରରେ ଶାନ୍ତି ରଖିବା ଲାଗି ଅନେକ ସମୟରେ ଏଭଳି ଅଯୌକ୍ତିକ ଆଦେଶକୁ ବି ମାନିବାକୁ ପଡ଼େ।’ ଏହିଭଳି ପ୍ରତ୍ୟେକ ବୃତ୍ତାନ୍ତ ବା’ ଓ ବାପୁଙ୍କ ପରସ୍ପର ପ୍ରତି ସମ୍ମାନ ଓ ନିବିଡ଼ ପ୍ରେମକୁ ଦର୍ଶାଏ। ଯେଉଁ ଅଙ୍ଗୀକାରବଦ୍ଧତା ଗାନ୍ଧୀଙ୍କର ସମାଜ ପ୍ରତି, ସେହି ପ୍ରତିବଦ୍ଧତା ବା’ଙ୍କ ପାଇଁ ବି। ବା’ ମଧ୍ୟ ଏହି ତାଲିମ ପାଇଥିଲେ ଗାନ୍ଧୀଙ୍କ ସଂସ୍ପର୍ଶରେ ଆସି। ପତି-ପତ୍ନୀ ସେମାନଙ୍କ ବ୍ୟକ୍ତିଗତ ପ୍ରେମକୁ ସାମାଜିକ ପ୍ରେମରେ ରୂପାନ୍ତରିତ କରିବାର ଗୁରୁମନ୍ତ୍ର ଲାଭ କରିଥିଲେ। ଏହି କାରଣରୁ, ଜ୍ୟେଷ୍ଠ ପୁତ୍ର ହରିଲାଲ ବିପଥଗାମୀ ହୋଇ ମଦ୍ୟପ, ଧର୍ମାନ୍ତରୀ ହେବାରେ ମଧ୍ୟ ବା’-ବାପୁ ଭାଙ୍ଗି ପଡ଼ି ନ ଥିଲେ, ଦେଶ କାମ ଛାଡ଼ି ବିଷାଦମୟ ହୋଇ ନ ଥିଲେ। ବରଂ ହରିଲାଲ୍ଙ୍କୁ ଅବାଟ ଆଡ଼କୁ ଯିବା ଲାଗି ଉସ୍କାଉଥିବା ଲୋକଙ୍କୁ କସ୍ତୁରବା’ ଏକ ସାର୍ବଜନୀନ ଚିଠି ଲେଖି ସେମାନଙ୍କୁ ତହିଁରୁ ନିବୃତ୍ତ ହେବାକୁ ବିନମ୍ର ଅନୁରୋଧ କରିଥିଲେ।
‘ବା-ବାପୁ ୧୫୦’ ପୁସ୍ତକଟି ମତେ ପଢ଼ିବା ଲାଗି ମିଳିଥିଲା ୨୦୨୨ରେ; ଭଲ ଲାଗିଲା ବୋଲି ଚାହିଲି ତାହା ଓଡ଼ିଆରେ ଅନୁବାଦ ହେଉ। ‘ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ’ ତା’ ପାଇଁ ଅନୁମତି ମଧ୍ୟ ଦେଲେ। ଠିକ୍ ସେହି ବେଳାରେ ମୋର ଓଡ଼ିଶାରୁ ଅକସ୍ମାତ ବଦଳି ହେଲା। ଏହି ସ୍ଥାନାନ୍ତରଣ ମୋତେ ବ୍ୟତିବ୍ୟସ୍ତ କଲା; ବିଷାଦଗ୍ରସ୍ତ କଲା। ମାନସିକ ଚାପ ଯୋଗୁଁ ବଦଳିକୁ ସ୍ୱାଭାବିକ ମନେ କରିପାରିଲି ନାହିଁ। କିଛିଦିନ ଛୁଟି ନେଇ ଘରେ ବସିଲି। ହେଲେ, ତୁଚ୍ଛାଟାରେ ବସି ରହିବା ଆହୁରି ପୀଡ଼ାଦାୟୀ। ସେହି ‘ଦୁର୍ଦ୍ଦିନ’ରେ ପୁସ୍ତକଟିର ଅନୁବାଦ କାମ ମୋ’ ଲାଗି ଏକ ବିଭୁଦତ୍ତ ଉପଶମତୁଲ୍ୟ ହେଲା। ମାସକ ମଧ୍ୟରେ ପାଣ୍ଡୁଲିପିର ଓଡ଼ିଆ ଅନୁବାଦ ସରିଲା; ଏହି ଅଳ୍ପଦିନ ତଳେ (ମାର୍ଚ୍ଚ ୨୦୨୫) ପୁସ୍ତକଟି ମୁଦ୍ରିତ ଓ ପ୍ରକାଶିତ ହୋଇ ଆସିଲା। ବା’ ଓ ବାପୁଙ୍କ ଜୀବନରେ କାର୍ଯ୍ୟ ବ୍ୟସ୍ତତା ମାନସିକ ଯନ୍ତ୍ରଣାରୁ ନିବୃତ୍ତି ଲାଗି ଏକ ଉପଯୋଗୀ ମାଧ୍ୟମ ହୁଏ ବୋଲି ଯାହା ଅନୁବାଦ ବେଳେ ଜାଣିଥିଲି, ତା’ର ଆଭାସକୁ ଏବେ ନିଜେ ପରଖିଲି।
(ମତାମତ ଲେଖକଙ୍କ ନିଜସ୍ବ)
[email protected]