ଭାରତର ସର୍ବପ୍ରାଚୀନ ମସଜିଦ ଭାବରେ କେରଳର ତ୍ରିଚୁର ଜିଲ୍ଲାସ୍ଥିତ କୋଡୁଂଗାଲୁର ‘ଚେରାମନ ଜୁମା ମସଜିଦ’କୁ ଗଣାଯାଏ। ଖ୍ରୀଷ୍ଟାବ୍ଦ ୬୨୯ରେ ପୈଗମ୍ବର ମହମ୍ମଦଙ୍କ ଜୀବିତାବସ୍ଥାରେ ଏହାର ସ୍ଥାପନା ବୋଲି ବିଶ୍ୱାସ ରହିଛି‌। ମସଜିଦର ନିର୍ମାଣ ପଛରେ କୌଣସି ବିଜେତା ଯବନ ଶାସକଙ୍କ ହାତ ନଥିଲା। ଭାରତର ଦକ୍ଷିଣ ତଟରେ ଉଭୟ ଭାରତ ଓ ଆରବ ବଣିକମାନଙ୍କ ମଧ୍ୟରେ ବ୍ୟାବସାୟିକ ଓ ଗମନାଗମନ ସଂପର୍କ ଗଢ଼ି ଉଠିଥିଲା। ଆରବର ମୁସଲିମ ବଣିକ ମାଲିକ ବିନ ଦିନାର ସ୍ଥାନୀୟ ‘ଚେର’ ରାଜବଂଶର ସଂପୂର୍ଣ୍ଣ ସହଯୋଗରେ ଓ ସେହି ବଂଶର ନାମରେ ‘ଚେରାମନ’ ମସଜିଦର ନିର୍ମାଣ କରିଥିଲେ।
ଏହାର ପ୍ରାୟ ସାଢ଼େ ପାଞ୍ଚ ଶହ ବର୍ଷ ପରେ ୧୧୯୧ ମସିହାରେ ଉତ୍ତର-ପଶ୍ଚିମ ପଟରୁ ଆଫଗାନିସ୍ତାନର ଘୁର ରାଜ୍ୟର ମହମ୍ମଦ ଘୋରୀ ନିଜ ମୁସଲିମ ସେନା ଘେନି ଭାରତ ଆକ୍ରମଣ କରିଥିଲେ; ମାତ୍ର ରାଜା ପୃଥ୍ୱୀରାଜ ଚୌହାନଙ୍କ ହାତରେ ତରାଇ ଠାରେ ଶୋଚନୀୟ ଭାବେ ପରାଜିତ ହେଲେ। ସେହି ସମୟରେ ଚୌହାନମାନଙ୍କ ଗଡ଼ ଥିଲା ଆଜମେର। ଏହା ଏକ ସଂସ୍କୃତି ସଂପନ୍ନ ନଗରୀ ଭାବରେ ବିଖ୍ୟାତ ଥିଲା। ଏଠାରେ ଥିଲା ବିଶାଳ ‘ଆନା ସାଗର ହ୍ରଦ’, ଅନେକ ଭବ୍ୟ ଜୈନ ମନ୍ଦିର ଏବଂ ଶିକ୍ଷାର ପ୍ରସାର ପାଇଁ ଏକାଧିକ ସଂସ୍କୃତ ଟୋଲ। ଏଣେ ଆଜମେର ହୋଇଯାଇଥିଲା ଆଫଗାନର ଘୁର ଆକ୍ରମଣକାରୀଙ୍କ ଗଳାର କଣ୍ଟା। ପ୍ରଥମ ପରାଜୟର ପ୍ରତିଶୋଧ ନେବା ଲାଗି ବର୍ଷକ ପରେ ଘୋରୀ ପୁନର୍ବାର ଆକ୍ରମଣ କଲେ। ଏହି ଦ୍ୱିତୀୟ ତରାଇ ଯୁଦ୍ଧରେ ଶଠତା ବଳରେ ସେ ପୃଥ୍ୱୀରାଜଙ୍କୁ ପରାସ୍ତ ଓ ହତ୍ୟା କଲେ। ଏହା ପରେ ସେ ଆଜମେରର ଧ୍ୱଂସ ସାଧନ କଲେ। ସ୍ଥାପତ୍ୟପୂର୍ଣ୍ଣ ସୁରମ୍ୟ ଜୈନ ମନ୍ଦିର ଓ ସଂସ୍କୃତ ଶିକ୍ଷାକେନ୍ଦ୍ରଗୁଡ଼ିକ ବିଧ୍ବସ୍ତ ହେଲେ। ମନ୍ଦିରର ଧ୍ୱଂସାବଶେଷରୁ ସାମଗ୍ରୀ ନେଇ ଏକ ମସଜିଦ ନିର୍ମାଣ କରିବା ପାଇଁ ମଧ୍ୟ ଘୋରୀ ସେନପତି କୁତବୁଦ୍ଦିନ ଆଇବାକଙ୍କୁ ଆଦେଶ ଦେଲେ। ହେରାଟ (ଆଫଗାନିସ୍ତାନ)ର ପ୍ରସିଦ୍ଧ ସ୍ଥପତି ଆବୁ ବକରଙ୍କ ନକ୍‌ସା ଏବଂ ଭାରତର ଶହ ଶହ ଶ୍ରମିକଙ୍କ ପରିଶ୍ରମରେ ଇଣ୍ଡୋ-ଇସଲାମିକ ଶୈଳୀରେ ନିର୍ମିତ ହେଲା ଏକ ବିଶାଳ ମସଜିଦ, ଯାହା ଆଫଗାନଙ୍କ ବିଜୟଜନିତ ଅହମିକାର ଚିହ୍ନ ହେଲା। ତେବେ ମହମ୍ମଦ ଘୋରୀଙ୍କ ବିଜୟ ଗର୍ବ ଅଧିକ ଦିନ ସ୍ଥାୟୀ ହୋଇ ରହିପାରିଲା ନାହିଁ; ୧୨୦୬ ମସିହାରେ ଏକ ମସଜିଦରେ ନମାଜ ପଢ଼ିବା ସମୟରେ ସେ ଶତ୍ରୁ ହାତରେ ନିହତ ହେଲେ। ତେଣିକି ଆଫଗାନିସ୍ତାନ ଓ ଉତ୍ତର ଭାରତରେ ବ୍ୟାପ୍ତ ତାଙ୍କ ବିଶାଳ ଘୁର ସାମ୍ରାଜ୍ୟ ଦ୍ରୁତ ପତନର ଶିକାର ହେଲା।
ସେହି ସମୟ ବେଳକୁ ସୁଫିବାଦ ପାରସ୍ୟ (ଇରାନ୍)ରେ ଆରମ୍ଭ ହୋଇ ଭାରତକୁ ବ୍ୟାପିଲା। ଖ୍ୱାଜା ମୈନୁଦ୍ଦିନ ଚିସ୍ତି (୧୧୪୩-୧୨୩୬) ନାମଧାରୀ ଜଣେ ସୁଫି ସନ୍ଥ ପାରସ୍ୟର ସିସ୍ତାନରୁ ଆସି ଆଜମେର ମସଜିଦର ଅନତି ଦୂରରେ ନିଜର ଝାଟିମାଟିର ଆସ୍ଥାନ ତିଆରି କରି ରହିଲେ। ଆଧିଭୌତିକତା ସଂପର୍କିତ ତାଙ୍କ ଗଭୀର ପ୍ରବେଶ ହେତୁ ଖ୍ୟାତି ଚାରିଆଡ଼େ ବ୍ୟାପିଲା। ଧର୍ମ ନିର୍ବିଶେଷରେ ଲୋକେ ଖ୍ୱାଜାଙ୍କ ଆସ୍ଥାନରେ ରୁଣ୍ଡ ହେଲେ, ସେମାନଙ୍କ ମଧ୍ୟରେ ଥିଲେ ସୁଲତାନ, ନବାବ ଓ ଅମୀରମାନେ। ଭିଡ଼ ବଢ଼ିବାରୁ ଖ୍ୱାଜାଙ୍କ ଆସ୍ଥାନ ପାଖରେ ଜାଗା ନିଅଣ୍ଟ ହେଲା, ତେଣୁ ଖ୍ବାଜା ମସଜିଦ ପରିସରକୁ ନିଜର ସାମୟିକ ରହଣି ସ୍ଥଳରେ ପରିଣତ କଲେ। ଏହି ମସଜିଦର ନାମ ରହିଲା ‘ଢାଇ ଦିନକା ଝୋଁପଡ଼ା’; ଯାହାର ମର୍ମାର୍ଥ ହେଲା ଅଢ଼େଇ ଦିନିଆ ଆଶ୍ରା। ଏହି ନାମରେ ହିଁ ଥିଲା ସୁଫି ଦର୍ଶନର ମଞ୍ଜି। ଏଥିରେ ଗର୍ବ, ଅହଙ୍କାର, ରାଗ-ଦ୍ୱେଷ, ଧନ, ସମ୍ପତ୍ତି ଓ ଦୁଃଖ-ସୁଖର ବିଭ୍ରାନ୍ତି, କ୍ଷଣ ଭଙ୍ଗୁରତା ଓ ନିରର୍ଥକତା ପ୍ରାଂଜଳ ହୋଇଥାଏ। ମହମ୍ମଦ ଘୋରୀଙ୍କ ପ୍ରତିଶୋଧର ଅଗ୍ନି ଓ ତା’ର ଧ୍ବଂସକାରୀ ପ୍ରଭାବର ବିପରୀତଟି ହେଲା ‘ଢାଇ ଦିନକା ଝୋଁପଡ଼ା’ ପଛରେ ଥିବା ମହତ୍ତର ଓ କମନୀୟ ବିଚାର। ଏହା ସୁବିଦିତ ଯେ ଆଜମେରର ଖ୍ୱାଜାଙ୍କ ଦରଘାକୁ ଜାତି ଧର୍ମ ନିର୍ବିଶେଷରେ ସମଗ୍ର ଭାରତ ଉପମହାଦେଶରୁ ଲକ୍ଷ-ଲକ୍ଷ ଲୋକ ଦର୍ଶନ ପାଇଁ ଆସନ୍ତି। ମହମ୍ମଦ ଘୋରୀଙ୍କ କ୍ରୂର ଆକ୍ରମକତା ଓ ତା’ ନିଆଁକୁ ସୁଫିବାଦର ଶୀତଳତା ଲିଭାଇ ଦିଏ।
ସେ ଦିନ ଇତିହାସ କ୍ଲାସରେ ‘ଢାଇ ଦିନକା ଝୋଁପଡ଼ା’କୁ ନେଇ ଚର୍ଚ୍ଚା କଲାବେଳେ ପିଲାମାନଙ୍କୁ ପଚାରିଲି, ଜୈନ ମନ୍ଦିର ଓ ସଂସ୍କୃତ ଟୋଲଗୁଡ଼ିକୁ ଧ୍ୱଂସ କରି ମହମ୍ମଦ ଘୋରୀଙ୍କ ମସଜିଦ ନିର୍ମାଣର ନିଷ୍ପତ୍ତି କ’ଣ ଠିକ୍‌ ଥିଲା? ‘ଚେରାମନ ଜୁମା ମସଜିଦ’ ପରି ସେ କ’ଣ ସମନ୍ବୟର ପ୍ରତୀକଟିଏ ତିଆରି କରି ପାରି ନ ଥାଆନ୍ତେ? ଏହାର ହଜାରେ ବର୍ଷ ପରେ ଆଜି ଘୋରୀଙ୍କ କୁକାର୍ଯ୍ୟର ପ୍ରତିଶୋଧ ନେବା ଲାଗି ସେହି ଘୋରୀଙ୍କ କାର୍ଯ୍ୟର ପୁନରାବୃତ୍ତି କରିବା କ’ଣ ଯଥୋଚିତ? ଏହି ପ୍ରଶ୍ନଗୁଡ଼ିକୁ ଇତିହାସ ଶ୍ରେଣୀଗୃହ ବାହାରେ ମଧ୍ୟ ପଚାରିବାର ଲୋଡ଼ା ନାହିଁ କି?
[email protected]