ପ୍ରୀତୀଶ ଆଚାର୍ଯ୍ୟ
ପ୍ରାଚୀନତା ଓ ସଂବୃଦ୍ଧ ସାହିତ୍ୟିକ ପରମ୍ପରା ଆଧାରରେ ଭାରତରେ ଏ ଯାବତ୍ ୧୧ଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି। ସଂସ୍କୃତର ଶାସ୍ତ୍ରୀୟତାକୁ ନେଇ ଆରମ୍ଭରୁ କେବେ ଦ୍ବିମତ ନ ଥିଲା। ୨୦୦୪ରେ ପ୍ରଥମ କରି ତାମିଲକୁ ସରକାରୀ ଭାବେ ଶାସ୍ତ୍ରୀୟ ଘୋଷଣା କରାଗଲା। ଓଡ଼ିଆ ମାନ୍ୟତା ପାଇଲା ୨୦୧୪ରେ। ଶେଷ ଥର ପାଇଁ ୨୦୨୪ରେ ଅହମୀୟା ଓ ବଙ୍ଗାଳୀ ସାଙ୍ଗରେ ମରାଠୀ, ପାଲି ଓ ପ୍ରାକୃତକୁ ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ହେଲା। ଏହି ସମସ୍ତଙ୍କ ମଧ୍ୟରେ ଅତି ପ୍ରାଚୀନ ପାଲି ଓ ପ୍ରାକୃତକୁ ମାନ୍ୟତା ମିଳିବାରେ ବିଳମ୍ବର କାରଣ ଜଣା ପଡ଼େନାହିଁ। ମନେ ହୁଏ, ଶାସ୍ତ୍ରୀୟ ମାନ୍ୟତା ମିଳିବା ଲାଗି ନିର୍ଦ୍ଦିଷ୍ଟ ଭାଷା-ସାହିତ୍ୟର ପ୍ରାଚୀନତା ସାଙ୍ଗରେ ପ୍ରବଳ ପକ୍ଷଧରମାନଙ୍କ ଉପସ୍ଥିତିର ମଧ୍ୟ ଲୋଡ଼ା ପଡ଼ିଥାଏ।
ଆଜି ଓଡ଼ିଶା ନାମ ପାଇଥିବା ଭୌଗୋଳିକ କ୍ଷେତ୍ରରେ ଜନବସତିର ପ୍ରମାଣ ଅନ୍ତତଃ ନବ ପାଷାଣ କାଳରୁ; ପାଖାପାଖି ୬୦୦୦ ଖ୍ରୀଷ୍ଟପୂର୍ବରୁ। ସେହି ଦିନ ଠାରୁ ଏହି ଜନସମାଜର କଥିତ ଭାଷା ହେବ ଆଜିର ଓଡ଼ିଆର ଆଦି-ରୂପ ବା ପ୍ରାକ୍-ରୂପ। ତେଣୁ, ଓଡ଼ିଆ ଭାଷାର ପ୍ରାଚୀନତାକୁ ନେଇ କୌଣସି ସନ୍ଦେହ ରହି ନ ପାରେ, ଯଦିଓ ତହିଁରେ ବିକଶିତ ସାହିତ୍ୟ ଓ ଲିପି ଭାଷା ତୁଳନାରେ କମ୍ ପ୍ରାଚୀନ। ଓଡ଼ିଆରେ ପ୍ରଥମ କରି ସପ୍ତମ ଶତାବ୍ଦୀରେ ସାହିତ୍ୟର ଆଭାସ ମିଳେ। ପଞ୍ଚଦଶ ଶତାବ୍ଦୀରେ ଲିଖିତ ସାରଳା ମହାଭାରତର ରଚୟିତା ସାରଳା ଦାସଙ୍କୁ ‘ଆଦିକବି’ ବୋଲି କୁହାଯାଏ। ମାତ୍ର ସେତେବେଳକୁ ନିଶ୍ଚିତ ରୂପେ ଓଡ଼ିଆ ସାହିତ୍ୟର କିଛି କିଛି ବିକାଶ ଘଟି ସାରିଥିଲା। ଅନ୍ୟଥା ସଂସ୍କୃତ ମହାଭାରତ ଠାରୁ ମଧ୍ୟ ଅଧିକ ପୃଥୁଳ ଓଡ଼ିଆ ମହାଭରତଟିଏ ସାରଳା ଦାସ ଓଡ଼ିଆରେ ହଠାତ ଶୂନ୍ୟରୁ ଗଢ଼ି ପାରି ନଥାନ୍ତେ। ପୁଣି, ସାରଳା ମହାଭାରତ ବ୍ୟତୀତ ବିଲଙ୍କା ରାମାୟଣ ଓ ଚଣ୍ଡୀପୁରାଣର ମଧ୍ୟ ସେ ରଚୟିତା। ଏ କଥା ମଧ୍ୟ ସତ ଯେ ତାଙ୍କ ଆବିର୍ଭାବ ବେଳକୁ ଓଡ଼ିଆ ଲିପିର ପୂର୍ଣ୍ଣ ବିକାଶ ଘଟି ସାରିଥିଲା।
ସାରଳା ଦାସଙ୍କ ପରେ, ଷୋଡ଼ଶ ଶତାବ୍ଦୀରେ ପଞ୍ଚସଖା ଓ ଭକ୍ତି ସାହିତ୍ୟ ଓଡ଼ିଆ ସାହିତ୍ୟକୁ ସଂବୃଦ୍ଧ କଲା। ଅବୋଧ୍ୟ ସଂସ୍କୃତ ସ୍ଥାନରେ ସହଜ, ସୁବୋଧ୍ୟ ଓଡ଼ିଆରେ ପୁରାଣ ଗ୍ରନ୍ଥମାନ ପାଠ କରିବାର ଲକ୍ଷ୍ୟରେ ସାଧାରଣ ଲୋକ ମଧ୍ୟ ଅକ୍ଷର ଶିକ୍ଷା କଲେ। ‘ସାରଳା ମହାଭାରତ’, ବଳରାମ ଦାସଙ୍କ ‘ଦାଣ୍ଡି ରାମାୟଣ’, ଜଗନ୍ନାଥ ଦାସଙ୍କ ‘ଭାଗବତ’ ଓ ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ ଚାଟଶାଳୀରେ ଓଡ଼ିଆ ଶିକ୍ଷା ଲାଗି ‘ପାଠ ବହି’ ହେଲା। ପଞ୍ଚସଖା ସାହିତ୍ୟର ସୃଷ୍ଟି ଏବଂ ପ୍ରସାର ମୂଳରେ ସରଳ ଓଡ଼ିଆ ଓ ପୌରାଣିକ ପ୍ରସଙ୍ଗଗୁଡ଼ିକର ଯେତିକି ଯୋଗଦାନ ଅଛି, ପୁରାଣ ମାଧ୍ୟମରେ ସାମାଜିକ ନ୍ୟାୟ ବିଷୟ ଚୟନର ସେତିକି ମହତ୍ତ୍ବ ରହିଛି। ଅସ୍ପୃଶ୍ୟତା, ଲୈଙ୍ଗିକ ଅସମତା, ଜାତିଭେଦ ଓ ଉଚ୍ଚ ବର୍ଗର ସଂପତ୍ତି ଏକାଧିକାର ଆଦିର ପ୍ରଚ୍ଛନ୍ନ ପ୍ରତିରୋଧ ବା ବିରୋଧ ଏହି ସବୁରେ ଦେଖିବାକୁ ମିଳିଥାଏ। ସମ୍ଭବତଃ ଏହି ସାମାଜିକ ପ୍ରସଙ୍ଗଗୁଡ଼ିକୁ ସ୍ପର୍ଶ କରିବା କାରଣରୁ ପଞ୍ଚସଖା ସାହିତ୍ୟ ଓଡ଼ିଆ ଭାଷାକୁ ଅଭିଜାତ ବର୍ଗରୁ ସାଧାରଣ ସ୍ତରକୁ ଆଣିଛି। ଓଡ଼ିଶା କ୍ଷେତ୍ରକୁ ସାଂସ୍କୃତିକ ଏକତା ଦେବାରେ ତା’ର ଅବଦାନ ଅନନ୍ୟ। ପରବର୍ତ୍ତୀ ସମୟରେ ଉପେନ୍ଦ୍ର ଭଞ୍ଜ ଆଦିଙ୍କ ରୀତିଯୁଗୀୟ କାବ୍ୟକବିତା ଓଡ଼ିଆ ସାହିତ୍ୟକୁ ଅଧିକ ଆତ୍ମସମ୍ମାନ ଦେଲା; କ୍ରମେ ସଂସ୍କୃତ ସ୍ଥାନରେ ଓଡ଼ିଆ ସ୍ଥାନୀୟ ବୌଦ୍ଧିକ ବର୍ଗର ଭାଷା ହେଲା। ସମଗ୍ର ଭୌଗୋଳିକ କ୍ଷେତ୍ରରେ ବ୍ୟାପି ଯିବାରେ ଏହା ସାହାଯ୍ୟ କଲା। ଏ ସବୁ ସତ୍ତ୍ବେ, ଯଦି ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଓଡ଼ିଆ ସାହିତ୍ୟ ଫକୀରମୋହନ, ଗୌରୀଶଙ୍କର ରାୟ, ମଧୁସୂଦନ ରାଓ ଆଦିଙ୍କର ବଳିଷ୍ଠ ନେତୃତ୍ବ ପାଇ ନଥାନ୍ତା, ପଡ଼ୋଶୀ ଭାଷାର ଆକ୍ରମଣରେ ସହଜରେ ହୁଏତ ବିଲୁପ୍ତି ଲାଭ କରିଥାନ୍ତା- ଏହା ଅନୁମାନ କରିହୁଏ।
ଓଡ଼ିଆ ସାହିତ୍ୟର ଇତିହାସ ଯେତିକି ସଂବୃଦ୍ଧ, ସେତିକି ସୁଦୀର୍ଘ। ଶାସ୍ତ୍ରୀୟ ମାନ୍ୟତା ହେଉଛି ଏହାର ଏକ ସ୍ବୀକୃତି ବା ଅନୁମୋଦନ। ଏହା ସତ୍ତ୍ବେ, ଓଡ଼ିଆ ସାହିତ୍ୟ ସମ୍ମୁଖରେ ଆହ୍ବାନର ମାତ୍ରା କିଛି ଊଣା ନୁହେଁ। ପ୍ରଥମ, ଏହାକୁ କେବଳ କାବ୍ୟ-ଉପନ୍ୟାସର ଭାଷାରେ ସୀମିତ ନ ରହି ଜ୍ଞନ ବିଷୟ (ନଲେଜ ଟେଷ୍ଟ)ର ପ୍ରସ୍ତୁତି ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଅନ୍ୟଥା, ଉଚ୍ଚତର ଶିକ୍ଷା ଓ ଅଧ୍ୟୟନ ନିମନ୍ତେ ଓଡ଼ିଆର ଉପଯୋଗିତା ରହିବ ନାହିଁ। ଦ୍ବିତୀୟ, ଓଡ଼ିଆ ହେଲା ଓଡ଼ିଶା ଭୂଖଣ୍ଡର ସମସ୍ତ ଅଧିବାସୀଙ୍କ ଭାଷା। ଓଡ଼ିଶାରେ ଓଡ଼ିଆ ସମେତ ଅନ୍ୟୂନ ୨୧ଟି ଆଦିବାସୀ ଭାଷା ରହିଛି। କୋଶଲୀ-ସମ୍ବଲପୁରୀ ମଧ୍ୟ ସଂବିଧାନର ଅଷ୍ଟମ ସୂଚୀରେ ସ୍ଥାନ ପାଇଁ ଦାବି କରୁଛି। ଦକ୍ଷିଣ ଓଡ଼ିଶାର କଥିତ ଭାଷାର ସ୍ବାତନ୍ତ୍ର୍ୟ ରହିଛି। ଏହିସବୁ ଭାଷାର ସ୍ବାତନ୍ତ୍ର୍ୟକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅନୁମୋଦନ ମିଳିବା କଥା। ତାହା ଓଡ଼ିଆକୁ ନା କ୍ଷୁଣ୍ଣ କରିବ, ନା ରୁଗ୍ଣ କରିବ! ବରଂ ଓଡ଼ିଆର ଆଦର ମିଳିଲେ ଉକ୍ତ ଭାଷା ଜଗତରେ ଓଡ଼ିଆ ପ୍ରତି ଜାତ ହେଉଥିବା ବିରୋଧ ଅହେତୁକ ସିଦ୍ଧ ହେବ। ଉକ୍ତ ଭାଷାଗୁଡ଼ିକରୁ ଶବ୍ଦ, ଉପମା, ଅଳଙ୍କାର ଆହରଣ ହେଲେ ଓଡ଼ିଆ ଭାଷା-ସାହିତ୍ୟ ଅଧିକ ସଂବୃଦ୍ଧି ଓ ରୁଦ୍ଧିମନ୍ତ ହେବାର ସମ୍ଭାବନା ବଢ଼ିବ। ଭୀମଭୋଇଙ୍କ ପରେ ଓଡ଼ିଆରେ କେତେ ଜଣ ଆଦିବାସୀ ଓଡ଼ିଆରେ କବି-ଲେଖକ ହେଇଛନ୍ତି? ନିଜ ନିଜ ଆଦିବାସୀ ଭାଷାରେ ସେମାନେ ସାହିତ୍ୟ-ସର୍ଜନା କରିଛନ୍ତି କି? ଏହାର ଉତ୍ତର ନାସ୍ତିବାଚକ। ସୁତରାଂ, ଓଡ଼ିଆକୁ କେତେ ଅଧିକ ମାତ୍ରାରେ ସମାବେଶୀ ହେବାର ଆବଶ୍ୟକତା ରହିଛି, ତାହା ଅନୁମାନ କରିହୁଏ।
ଏସବୁକୁ ଦେଖିଲେ ଲାଗେ, ଆଗାମୀ ଦିନରେ ଓଡ଼ିଆ ଭାଷା-ସାହିତ୍ୟ ପାଇଁ ଆହ୍ବାନ କିଛି କମ୍ ନାହିଁ। ଖୁସିର କଥା ଯେ ସମାଧାନର ପନ୍ଥା ମଧ୍ୟ ସୁଦୃଶ୍ୟ। କେବଳ ରାଜ ପୃଷ୍ଠପୋଷକତା ବଳରେ କୌଣସି ଭାଷା-ସାହିତ୍ୟ ହୃଷ୍ଟପୁଷ୍ଟ ହୋଇପାରେନା। ଏହି ସତ୍ୟ ହୃଦ୍ବୋଧ କରିବା ହିଁ ସମାଧାନ ଦିଗରେ ଯେ ପ୍ରଥମ ପଦକ୍ଷେପ- ଏହା ମଧ୍ୟ ଅନୁମାନ କରିହୁଏ।
(ମତାମତ ଲେଖକଙ୍କ ନିଜସ୍ବ)
[email protected]