ହିନ୍ଦୁ ଧର୍ମରେ ଯେମିତି ‘ଭକ୍ତିବାଦ’, ଇସଲାମରେ ସେମିତି ସୁଫିବାଦ। ଉଭୟର ପ୍ରସାର ମଧ୍ୟକାଳରେ; ଉଭୟ ମଧ୍ୟରେ ପ୍ରମୁଖ ସାମଞ୍ଜସ୍ୟ ହେଲା- ପରମାତ୍ମାଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପଣ ହିଁ ଏକମାତ୍ର ଧ୍ୟେୟ। ତାହା ହିଁ ବ୍ୟକ୍ତି ପାଇଁ ଅନ୍ତିମ ଆଶ୍ରୟ ସ୍ଥଳୀ। ଏଥି ପାଇଁ ବିଷୟ-ପ୍ରାଚୁର୍ଯ୍ୟ ଅଲୋଡ଼ା, ପ୍ରଗାଢ଼ ତାତ୍ତ୍ବିକ ଜ୍ଞାନ ଅଲୋଡ଼ା ଏବଂ ଧାର୍ମିକ ରୁଢ଼ିବାଦ କିମ୍ବା ଜଟିଳ ଖର୍ଚ୍ଚବହୁଳ କର୍ମକାଣ୍ଡ ମଧ୍ୟ ଅନାବଶ୍ୟକ! ସୁଫୀବାଦର ମୂଳ ଯଦିଓ ପାରସ୍ୟରେ (ଇରାନ), ଦ୍ୱାଦଶ-ତ୍ରୟୋଦଶ ଶତାବ୍ଦୀରୁ ଏହାର ପ୍ରସାର ଭାରତରେ ଦେଖିବାକୁ ମିଳେ। ରାଜସ୍ଥାନର ଆଜମେର ହେଲା ସୁଫି ସନ୍ଥ ଖ୍ୱାଜା ମୈନୁଦ୍ଦିନ ଚିସ୍ତିଙ୍କର (ଖ୍ରୀ. ୧୧୪୩-୧୨୩୬) ପୀଠ ସ୍ଥଳୀ। ଅନ୍ତତଃ ମଧ୍ୟକାଳରୁ ସମଗ୍ର ଭାରତ ଉପମହାଦେଶରେ ଆଜମେରର ପ୍ରସିଦ୍ଧି ପୁଷ୍କର ସ୍ଥିତ ବ୍ରହ୍ମାମନ୍ଦିର ପାଇଁ ଯେତିକି, ଖ୍ୱାଜାଙ୍କ ‘ଦରଗାହ’ ପାଇଁ ମଧ୍ୟ ସେତିକି। ସୁଫି-ବିଚାରରେ ‘ଉର୍ସ’ (ସନ୍ଥଙ୍କର ମହାପ୍ରୟାଣ) ହେଉଛି ଏକ ପବିତ୍ର ମହୋତ୍ସବ, କାରଣ ସେହି ଦିନ ପରମାତ୍ମାଙ୍କ ସହିତ ସନ୍ଥଙ୍କର ‘ମହାମିଳନ’ ଘଟିଲା। ତାହା ପରମାନନ୍ଦର କ୍ଷଣ; ଦୁଃଖ-ରୋଦନର ତହିଁରେ ସ୍ଥାନ କାହିଁ! ଛ’ ଦିନ ବ୍ୟାପି ମହାଉତ୍ସାହରେ ପାଳିତ ହେଉଥିବା ‘ଉର୍ସ’ ବେଳେ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ସମଗ୍ର ଉପମହାଦେଶରୁ ଆଜମେର ଦରଗାହକୁ ଦର୍ଶନ ପାଇଁ ଆସନ୍ତି। ଭାରତର ରାଜନୈତିକ ମାନଚିତ୍ରରେ ରାଷ୍ଟ୍ର-ରାଷ୍ଟ୍ର ନାଁରେ ଆଜି ଅନେକ କଟା-ବଛା, ନାହିଁ ନ ଥିବା ବାଛ-ବିଚାର। ହେଲେ, ଆଜମେର ଦରଗାହରେ ସମଗ୍ର ଉପମହାଦେଶର ଲୋକଙ୍କ ମହାମିଳନ ଘଟେ; ଆମ ସାଂସ୍କୃତିକ ଐତିହ୍ୟ ସର୍ବଦା ଅଖଣ୍ଡ ବୋଲି ସିଦ୍ଧ ହୁଏ।
ଖ୍ୱାଜା ମୈନୁଦ୍ଦିନ ଚିସ୍ତି ଦିଲ୍ଲୀ ସୁଲତାନ ଇଲତୁତମିସଙ୍କ ରାଜୁତି (୧୨୧୦-୧୨୩୬) କାଳରେ ବା ତା’ର ଅଳ୍ପ ଆଗରୁ ପାରସ୍ୟରୁ ଆସି ଆଜମେର ଠାରେ ଆସ୍ଥାନ କରି ରହିଗଲେ। ଆଜମେରର ରହଣି କାଳରେ ତାଙ୍କ ଅଧ୍ୟୟନ ଓ ଦର୍ଶନ-ଜ୍ଞାନ ଚରମୋତ୍କର୍ଷ ଲାଭ କଲା; ତାଙ୍କ ଖ୍ୟାତି ବଢ଼ିଲା; ସାଧାରଣ ଜନଙ୍କ ପ୍ରତି ତାଙ୍କ ସ୍ନେହ-ଆଦର ଯୋଗୁଁ ସେ ‘ଗରିବ-ନୱାଜ’ ନାମ ଅର୍ଜନ କଲେ; ସେ ଅଲୌକିକତାର ଅଧିକାରୀ ବୋଲି ମନେ କରାଗଲା। ତେଣିକି, ତାଙ୍କ ଝାଟି-ମାଟିର ଆସ୍ଥାନକୁ ଦର୍ଶନ ନିମନ୍ତେ ଦିଲ୍ଲୀରୁ ସୁଲତାନ ଇଲତୁତମିସଙ୍କ (ଖ୍ରୀ. ୧୨୩୨ରେ) ପର୍ଯ୍ୟନ୍ତ ଆସିଲେ। ତାଙ୍କ ମହାପ୍ରୟାଣ (୧୨୩୬) ଉତ୍ତାରୁ ସେହି ସ୍ଥାନରେ ‘ଦରଗାହ’ ନିର୍ମିତ ହେଲା। ଲୌକିକ ସ୍ତରରେ ତାକୁ ଖ୍ୱାଜାଙ୍କ ‘ଦରବାର’ ବୋଲି କୁହାଗଲା। ଖ୍ୱାଜା ମୈନୁଦ୍ଦିନଙ୍କ ଜୀବିତାବସ୍ଥାରେ ଝାଟି-ମାଟିର ଦରବାରରେ (ଆସ୍ଥାନରେ) ଯେତେ ମାତ୍ରାରେ ଲୋକ ସମାଗମ ହେଉଥିଲା, ତାଙ୍କ ପ୍ରୟାଣ ପରେ ଧର୍ମ ନିର୍ବିଶେଷରେ ‘ଦରଗାହ’ରେ ତହିଁରୁ ଅଧିକ ସଂଖ୍ୟକ ଲୋକ ଠୁଳ ହେଲେ; ସମସ୍ତଙ୍କ ଦୃଢ଼ ବିଶ୍ୱାସ, ଖ୍ୱାଜା, ଗରିବ ନୱାଜ କାହାକୁ ନିରାଶ କରନ୍ତି ନାହିଁ। ସଭିଙ୍କ ମନୋବାଞ୍ଛା ପୂରଣ କରନ୍ତି। ଯେଉଁ ଆସ୍ଥାରେ ଲୋକେ ଦରଗାହର କାନ୍ଥ-ବାଡ଼କୁ ଧରି କାନ୍ଦିକାନ୍ଦି ଦିନରାତି ନିଜ ନିଜ ଦୁଃଖ ବଖାଣୁଥାନ୍ତି, ତାହା ଆଖିରେ ନ ଦେଖିବା ଯାଏ ବିଶ୍ୱାସ କରି ହେବ ନାହିଁ। ସତେ ଯେମିତି, ପରଲୋକଗତ ଖ୍ୱାଜାଙ୍କ ଠାରୁ ଅଧିକ ଅନ୍ତରଙ୍ଗ ସଂସାରରେ କେହି ନାହିଁ। ପ୍ରବାଦ ଅଛି ଯେ ଖ୍ୱାଜାଙ୍କ ଡକରାରେ ଲୋକ ଆଜମେର ଆସନ୍ତି।
୧୫୨୬ ଖ୍ରୀଷ୍ଟାବ୍ଦରେ ସୁଲତାନୀ ଶାସନର ପତନ ପରେ ମୋଗଲ ସମ୍ରାଜ୍ୟର ଆରମ୍ଭ ହେଲା। ଦରଗାହର ଖ୍ୟାତି ଆହୁରି ବଢ଼ିଲା। ମୋଗଲ ବାଦଶାହ ଆକବର ରାଜଧାନୀ ଆଗ୍ରାରୁ ଅନ୍ୟୂନ ୧୪ଥର ଖ୍ୱାଜାଙ୍କ ‘ଦରବାର’କୁ ଆସିଥିଲେ। ୧୫୬୬ ଖ୍ରୀଷ୍ଟାବ୍ଦରେ ଆକବର ଥରେ ଖାଲି ପାଦରେ ନିଜ ପାଟରାଣୀ ଯୋଧାବାଈଙ୍କୁ ସାଙ୍ଗରେ ଘେନି ଆସିଥିଲେ। ୧୫୬୮ରେ ସେ ଦରଗାହକୁ ‘ଲଙ୍ଗର’ ପ୍ରସ୍ତୁତି ପାଇଁ ଯେଉଁ ବିଶାଳ ହଣ୍ଡା ପ୍ରଦାନ କରିଥିଲେ, ତାକୁ ତିନିଟି ଭାଗରେ ବୋହିବା ପାଇଁ ତିନିଟି ହାତୀର ଲୋଡ଼ା ପଡ଼ିଥିଲା। କୁହାଯାଏ, ୨୦ ଫୁଟ ବ୍ୟାସାର୍ଦ୍ଧ ବିଶିଷ୍ଟ ଏହି ହଣ୍ଡା ହେଉଛି ବିଶ୍ୱରେ ସର୍ବବୃହତ୍‌। ଏହାର ପର ବର୍ଷ ଯୋଧାବାଈଙ୍କ ଗର୍ଭରୁ ଏକ ପୁତ୍ର ସନ୍ତାନ ଜାତ ହେଲା, ଯିଏ ସଲିମ (ଜାହାଙ୍ଗୀର) ନାମରେ ପରିଚିତ। ନିରକ୍ଷର ହେବା ସତ୍ତ୍ବେ ଆକବର ଧାର୍ମିକ ସମନ୍ବୟ ଓ ସମାବେଶୀ ଚରିତ୍ରକୁ ନିଜ ରାଜଧର୍ମର ଧ୍ୟେୟ କରିଥିଲେ। ଏହା ପଛରେ ପ୍ରମୁଖ କାରଣ ଥିଲା ଉଦାର ସୁଫି-ବିଚାର ଓ ଶାନ୍ତ-ସୌମ୍ୟ ପାଟରାଣୀ ଯୋଧାବାଈଙ୍କ ବ୍ୟକ୍ତିତ୍ୱର ପ୍ରଭାବ। ଆକବରଙ୍କ ଅଣନାତି ଦାରା ସିକୋହ (ମୁମତାଜ ଓ ଶାହାଜାହାନଙ୍କ ଜ୍ୟେଷ୍ଠ ପୁତ୍ର) ଆଜମେର ଠାରେ ଜନ୍ମ ଲାଭ କରିଥିଲେ; ପିଲା ଦିନରୁ ସୁଫି-ବିଚାରକୁ ସେ ଏତେ ମାତ୍ରାରେ ଅନ୍ତରସ୍ଥ କରି ନେଇଥିଲେ ଯେ ପାର୍ସୀରେ ‘ମଜମା-ଉଲ-ବାହାରେନ’ (ଓଡ଼ିଆରେ ଅର୍ଥ ହେବ- ଦୁଇ-ସମୁଦ୍ରର ସଙ୍ଗମ) ନାମରେ ଏକ ଗ୍ରନ୍ଥ ରଚନା କରିଥିଲେ, ଯାହା ସମାଜର ବିକାଶ ପାଇଁ ଧାର୍ମିକ ଉଦାରତା ଓ ସାଂସ୍କୃତିକ ସମନ୍ବୟର ମହତ୍ତ୍ବକୁ ଦର୍ଶାଏ। ଦାରା ଥିଲେ ଆକବରଙ୍କ ପ୍ରକୃତ ବୌଦ୍ଧିକ ଉତ୍ତରାଧିକାରୀ। ଆଉରଙ୍ଗଜେବଙ୍କ ବଦଳରେ ସେ ଯଦି ଶାହାଜାହାନଙ୍କ ପରେ ମୋଗଲ ବାଦଶାହ ହୋଇଥାନ୍ତେ, ସମ୍ଭବତଃ ହିନ୍ଦୁ-ମୁସଲିମ ମଧ୍ୟରେ ବିଦ୍ବେଷ ବଳ ପାଇ ନଥାନ୍ତ‌ା।
ଆଜମେର ରହଣି ଅବସରରେ ଅନେକ ଥର ଦରଗାହ ଯାଇଛି; କଥାବାର୍ତ୍ତା ବେଳେ ଶ୍ରଦ୍ଧାଳୁ କହନ୍ତି, ଏହା ଭାରତର ‘ମକ୍କା’; ଅନ୍ତତଃ ବର୍ଷକୁ ଥରଟିଏ ଆସିବାକୁ ପ୍ରତ୍ୟେକେ କାମନା ରଖନ୍ତି। ପୁଣି, ଦୃଶ୍ୟାନ୍ତରରେ ଦେଖିଲେ, ଲୋକଗହଳି ଯୋଗୁଁ ଧନ-ଲୋଲୁପ, ଠକ ଓ ଶଠଙ୍କର ମଧ୍ୟ ଏଠି ରାଜୁତି; ଦରଗାହ ଭିତରେ ‘ଖାଦିମ’ (ଖ୍ୱାଜାଙ୍କ ପୁରୁଷାନୁକ୍ରମିକ ଉତ୍ତରାଧିକାରୀ) ଓ ଦରଗାହ ବାହାରେ ଭିଖାରିଙ୍କ ନାହିଁ ନ ଥିବା ପ୍ରାଦୁର୍ଭାବ; ଲାଗେ, ଏମାନଙ୍କୁ ଦେଖି ଖ୍ବାଜାଙ୍କ ମୁଣ୍ଡ ଗ୍ଳାନିରେ ତଳକୁ ହେଇଯାଉଥିବ! ହେଲେ, ପ୍ରାୟ ସମସ୍ତ ଧର୍ମପୀଠରେ ଏହି ସମସ୍ୟା। ମୂର୍ତ୍ତିପୂଜାର ବିରୋଧ କରୁଥିବା ଗୌତମ ବୁଦ୍ଧ ପର ସମୟରେ ନିଜେ ଏକ ମୂର୍ତ୍ତିରେ ରୂପାନ୍ତରିତ ହେବାର ସମସ୍ୟା! ଧର୍ମକୁ ନେଇ ରାଜନୀତି କରୁଥିବା ଲୋକେ ଧାର୍ମିକ-ସ୍ଥଳୀଗୁଡ଼ିକରେ ସଂସ୍କାର ପାଇଁ ସାମାନ୍ୟ ମୁଖର ହେଲେ କ’ଣ ସମସ୍ୟା ଆୟତ୍ତାଧୀନ ହୁଅନ୍ତା ନାହିଁ?
[email protected]