ଆସନ୍ତୁ ସଂକଳ୍ପ ନେବା

ଆଜି ‘ସାହିତ୍ୟ ଘର’ର ପଞ୍ଚମ ରାଜ୍ୟସ୍ତରୀୟ ସମାବେଶ ଅନୁଷ୍ଠିତ ହେଉଛି। ସମାବେଶରେ ଯୋଗ ଦେଉଥିବା ସମସ୍ତ ପ୍ରତିନିଧି ଭାଇଭଉଣୀମାନଙ୍କୁ ସ୍ୱାଗତ ଜଣାଉଛି। ସାତବର୍ଷ ତଳେ ‘ସମ୍ବାଦ’ ପରିବାର ତରଫରୁ ‘ସାହିତ୍ୟ ଘର’ ଗଠନର ଯୋଜନା କରାଯାଇଥିଲା। ଆଜି ଆମେ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ ଯେ ଆମର ଏହି ଛୋଟିଆ ଉଦ୍ୟମକୁ ଓଡ଼ିଶାର ସବୁ ଅଞ୍ଚଳରୁ ସମର୍ଥନ ଓ ସହଯୋଗ ମିଳିଛି। ଓଡ଼ିଶା ବାହାରେ ମଧ୍ୟ ବିଚ୍ଛିନ୍ନାଞ୍ଚଳର ଭାଉଭଉଣୀମାନେ ‘ସାହିତ୍ୟ ଘର’ ଗଠନ କରି ଓଡ଼ିଶାରେ ଥିବା ଆମ ସମସ୍ତଙ୍କୁ ପ୍ରେରିତ କରିବା ସହିତ ଚେତେଇ ଦେଇଛନ୍ତି। ଏପର୍ଯ୍ୟନ୍ତ ଆମେ ୩୧୬ଟି ଶାଖା ଗଠନ କରିବା ସହିତ ୧୧ ହଜାରରୁ ଅଧିକ ସଭ୍ୟସଭ୍ୟାଙ୍କୁ ପଞ୍ଜିକୃତ କରିଛୁ। ଏଭଳି ସଫଳତା ପାଇଁ ମୁଁ ସବୁ ସଭ୍ୟସଭ୍ୟାଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି।

ପ୍ରତିବର୍ଷ ଏଇ ସମାବେଶ ଅବସରରେ ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗକୁ ନେଇ ଆମେ ଆଲୋଚନା କରୁ। ଗତବର୍ଷର ପ୍ରସଙ୍ଗ ଥିଲା ‘ପ୍ରତି ଘର ସାହିତ୍ୟ ଘର ହେଉ’। ଓଡ଼ିଶାର ପ୍ରତିଟି ଘର ଆମ ଭାଷା ସାହିତ୍ୟ ଅନୁରାଗୀ ହୋଇଗଲେ ଆମ ଭାଷାକୁ  ମାରିକ କିଏ? ତେଣୁ ବ୍ଲକ୍‌ ବା ପୌରାଞ୍ଚଳରେ ସାଙ୍କେତିକ ଭାବେ ଗୋଟିଏ ‘ସାହିତ୍ୟ ଘର’ରେ ସନ୍ତୁଷ୍ଟ ନ ହୋଇ ଓଡ଼ିଶାର ପ୍ରତି ଘରକୁ ‘ସାହିତ୍ୟ ଘର’ରେ ପରିଣତ କରିବା ପାଇଁ ସଂକଳ୍ପ ନିଆଯାଇଥିଲା। ଭାଷା ବ୍ୟବହାର ହେଲେ ସମୃଦ୍ଧ ହୁଏ। ପ୍ରତି ଘରେ ଓଡ଼ିଆ ଭାଷା ବ୍ୟବହାର ହେଲେ ତାହା ଆପେ ଆପେ ସମୃଦ୍ଧ ହେବ। ଏ ବର୍ଷର ପ୍ରସଙ୍ଗ ରଖାଯାଇଛି, ‘ଶିଶୁ ସାହିତ୍ୟ’। କୌଣସି ଭାଷାକୁ ସୁରକ୍ଷିତ ରଖିବାକୁ ହେଲେ ତା’ର ଉତ୍ତର ପିଢ଼ିକୁ ସେ ଭାଷା ଅନୁରାଗୀ କରିବାକୁ ହେବ। ପିଢ଼ି ପରେ ପିଢ଼ି ଭାଷାକୁ ବ୍ୟବହାର କଲେ ତାହା କେବଳ ସୁରକ୍ଷିତ ରହିବ ନାହିଁ, ସମୃଦ୍ଧ ମଧ୍ୟ ହେବ। କିନ୍ତୁ ବର୍ତ୍ତମାନ ଲକ୍ଷ୍ୟ କରାଯାଉଛି ଯେ, ଆମ ପିଲାମାନେ ଆମ ଭାଷା ପ୍ରତି ସେତିକି ଆଗ୍ରହ ପ୍ରକାଶ କରୁନାହାନ୍ତି। ସେମାନେ ଆମ ସାହିତ୍ୟ ଅନୁରାଗୀ ହେବେ କିପରି? ବିଶେଷକରି ଆମ ଓଡ଼ିଶାର ବିଶିଷ୍ଟ ବର୍ଗ ଆମ ଭାଷା ପ୍ରତି ଉଦାସୀନ ଥିବାର ଲକ୍ଷ୍ୟ କରାଯାଉଛି। ସେମାନଙ୍କୁ ମଧ୍ୟ ଦୋଷ ଦେଇ ହଉନାହିଁ। କାରଣ, ସେମାନଙ୍କ ବିଚାରରେ ଓଡ଼ିଆ ଭାଷା ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସମ୍ଭାବନା ପାଇଁ ଆଦୌ ସହାୟକ ହେଉନାହିଁ। ଥରେ ବିଶିଷ୍ଟ ବର୍ଗ ଯେଉଁ କଥାରୁ ମୁହଁ ମୋଡ଼ିନିଅନ୍ତି ତାକୁ ସାଧାରଣରେ ଗ୍ରହଣୀୟ କରିବା କଷ୍ଟକର ହୋଇପଡ଼େ।

ଏ ସମ୍ପର୍କରେ ଓଡ଼ିଆ ଭାଷାକୁ ଓ ଓଡ଼ିଶାକୁ ଭଲ ପାଉଥିବା ଆମ ସମସ୍ତଙ୍କୁ ଗମ୍ଭୀରତାର ସହ ଚିନ୍ତା କରିବାକୁ ପଡ଼ିବ। ଏଥିରେ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କର ସମାଜ ଦାୟିତ୍ୱ ରହିଛି। ମଣିଷ ସାଧାରଣ ଦୁଇଗୋଟି କାରଣରୁ କିଛି କରିବା ପାଇଁ ଚାହିଁଥାଏ ବା ବାଧ୍ୟ ହୋଇଥାଏ। ଲୋଭ ଏବଂ ଭୟ। ଓଡ଼ିଆ ଭାଷା ଆଜି ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି। ଏହାର ସାହିତ୍ୟ କେବଳ ପୁରୁଣା ନୁହେଁ, ସମୃଦ୍ଧ ମଧ୍ୟ। କିନ୍ତୁ ଆଜିକାଲିକା ପିଲାଙ୍କ ପାଇଁ ଏହା ଯେ ଏକ ଲୋଭନୀୟ ଭାଷା ତାହା କହିହେବ ନାହିଁ। ଓଡ଼ିଆ ଭାଷାରେ ସମର୍ଥ ହେଲେ ରୋଜଗାର ବଜାରରେ ଆମର ଚାହିଦା ବଢୁନାହିଁ। ଭୁଲ୍‌ ଇଂରାଜି ଜାଣିଥିବା ବ୍ୟକ୍ତି ଅଧିକ ଗ୍ରହଣୀୟ ହେଉଛି। ଓଡ଼ିଆ ଭାଷାକୁ ରୋଜଗାରର ଭାଷା କରିବାକୁ ପଡ଼ିବ। ଅନ୍ୟପକ୍ଷରେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଯେଉଁ ଭାଷାରେ ଶାସନ କରିବେ, ତାହା ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ। ଦୀର୍ଘଦିନ ଧରି ଓଡ଼ିଶାର ଶାସନ ଓଡ଼ିଆରେ ହେଉ ବୋଲି ଦାବି ହୋଇ ଆସୁଥିଲା। ନିକଟ ଅତୀତରେ ବିଭିନ୍ନ ବର୍ଗର ଓଡ଼ିଆ ବନ୍ଧୁମାନେ ଏହାକୁ ନେଇ ଅଭିଯାନ ଓ ଆନ୍ଦୋଳନ ଚଲାଇ ରଖିଛନ୍ତି। ସୁଖର କଥା, ସରକାର ପ୍ରଥମ ଥର ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର କ୍ୟାବିନେଟ୍‌ ବୈଠକ କରି ଜଗନ୍ନାଥଙ୍କୁ ସାକ୍ଷୀ ରଖି କେବଳ ଓଡ଼ିଆ ଭାଷା ପ୍ରସଙ୍ଗରେ କେତେଗୁଡ଼ିଏ ମୌଳିକ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ୍‌ ୧ ଠାରୁ ଏଗୁଡ଼ିକ କାର୍ଯ୍ୟକାରୀ ହେବ ବୋଲି ସଂକଳ୍ପ କରାଯାଇଥିଲା। ଏଥିରେ ଅବହେଳା ହେଲେ ଦଣ୍ଡବିଧାନ ହେବ ବୋଲି କୁହାଯାଇଛି। ଦଣ୍ଡବିଧାନ କଥାଟି ଭୟ ସହିତ ଯୋଡ଼ିହୋଇଛି।

ଆମର ବିଶ୍ୱାସ, ଆଗାମୀ ଦିନଗୁଡ଼ିକରେ ଉଭୟ ଲୋଭ ଏବଂ ଭୟ ଆମକୁ ଓଡ଼ିଆ ଭାଷା ବ୍ୟବହାର କରିବା ପାଇଁ ପ୍ରେରିତ ଓ ବାଧ୍ୟ କରିବ। ତେବେ ଆମ ପିଲାମାନଙ୍କୁ ଓଡ଼ିଆ ଭାଷା ପ୍ରତି ଆଗ୍ରହୀ କରିବାକୁ ହେଲେ ଓ ତାଙ୍କୁ ସାହିତ୍ୟ ଅନୁରାଗୀ କରି ଗଢ଼ି ତୋଳିବାକୁ ହେଲେ ଏ ସରକାରୀ ନିଷ୍ପତ୍ତି ଯଥେଷ୍ଟ ନୁହେଁ। ଆମମାନଙ୍କର ମଧ୍ୟ ଗୁରୁଦାୟିତ୍ୱ ରହିଛି। ପିଲାମାନଙ୍କୁ ତାଙ୍କରି ବାଟରେ ଓଡ଼ିଆ ଭାଷା ପ୍ରତି ଆକର୍ଷିତ କରିବାକୁ ହେବ। ଆମ ପିଲାମାନେ ଯେତେ ସହଜରେ ଆଧୁନିକ କାରିଗରୀ କୌଶଳକୁ ଆଦରି ନେଇପାରୁଛନ୍ତି, ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଆମ ଭାଷାକୁ ଆଧୁନିକ କାରିଗରୀ କୌଶଳ ଅନୁକୂଳ କରିବାକୁ ପଡ଼ିବ। କାଗଜରେ ମୁଦ୍ରିତ ବହି ଓ ପତ୍ରିକା ଅପେକ୍ଷା ଅନ୍‌ଲାଇନ୍‌ ଓ ଡିଜିଟାଲ୍‌ ମାଧ୍ୟମକୁ ଆମ ପିଲାମାନେ ଅଧିକ ଗ୍ରହଣ କରୁଛନ୍ତି। ଏଣୁ ପିଲାଙ୍କ ସାହିତ୍ୟକୁ ଅଧିକରୁ ଅଧିକ ଡିଜିଟାଲ୍‌ ମାଧ୍ୟମକୁ ରୂପାନ୍ତରିତ କରିପାରିଲେ ଏହା ସହଜ ଓ ସୁଲଭ ମୂଲ୍ୟରେ ଆମ ପିଲାଙ୍କ ପାଖରେ ପହଞ୍ଚିପାରିବ। ଓଡ଼ିଶା ସରକାର ଆମ ସାହିତ୍ୟର ଯାହାସବୁ ମୁଦ୍ରିତ ମାଧ୍ୟମରେ ବନ୍ଦୀ ହୋଇ ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ଦୂରତାକୁ ଚାଲିଯାଇଛି, ତାହାକୁ ନିକଟତର କରି ହାତପାଆନ୍ତାରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି, ଏହାକୁ ‘ଭର୍ଚୁଆଲ୍‌ ଏକାଡେମି’ କୁହାଯାଉଛି। ଓଡ଼ିଆ ଭାଷାରେ ଥିବା ଆମ ଜ୍ଞାନର ଗନ୍ତାଘରର ଏହା ହେଲା ନୂଆ ଚାବିକାଠି। ବିନା କାଳି ଆଉ କାଗଜ ଏବଂ ସ୍ୱଳ୍ପ ମୂଲ୍ୟରେ ଏହା ଆମ ସମସ୍ତଙ୍କୁ ଉପଲବ୍ଧ ହୋଇପାରିବ। ସରକାର ଏକାକୀ ଏହା କରିପାରିବେ ନାହିଁ। ଆମ ସମସ୍ତଙ୍କୁ ଏଥିରେ ସହଯୋଗର ହାତ ବଢ଼ାଇବାକୁ ପଡ଼ିବ।

ଆମ ପାଖରେ ସମୟ କମ୍‌। ଅଳ୍ପ ସମୟ ମଧ୍ୟରେ ଅଧିକରୁ ଅଧିକ ଜ୍ଞାନରାଶିକୁ ଡିଜିଟାଲ୍‌ ମାଧ୍ୟମକୁ ରୂପାନ୍ତରିତ କରିବାକୁ ପଡ଼ିବ। ଏଥିପାଇଁ ବେସରକାରୀ ସ୍ତରରେ ସବୁ ପ୍ରକାଶକ ବନ୍ଧୁ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାହିତ୍ୟାନୁରାଗୀ ବ୍ୟକ୍ତି, ବିତ୍ତଶାଳୀ ଓ ବ୍ୟବସାୟୀ ବନ୍ଧୁ, ସମସ୍ତଙ୍କୁ ସହଯୋଗର ହାତ ବଢ଼ାଇବାକୁ ପଡ଼ିବ, ଟିକିଏ ଚିନ୍ତା କରନ୍ତୁ, ବିନା ଆଲମାରିରେ ହାତ ପାପୁଲିରେ ଥିବା ମୋବାଇଲ୍‌ ଫୋନ୍‌ରେ ଅଙ୍ଗୁଳି ଚାଳନା କରି ମୁଁ ଯଦି ବର୍ଣ୍ଣବୋଧଠାରୁ ଆରମ୍ଭ କରି ରାମାୟଣ, ମହାଭାରତ ପର୍ଯ୍ୟନ୍ତ, ଓଡ଼ିଶାର ସବୁ ମହାପୁରୁଷଙ୍କ ଆତ୍ମଜୀବନୀଠାରୁ ଆରମ୍ଭ କରି ଅବୋଲକରାର କାହାଣୀ ପର୍ଯ୍ୟନ୍ତ ‘ଆହେ ଦୟାମୟ ବିଶ୍ୱବିହାରୀ’ ପ୍ରାର୍ଥନାଠାରୁ ଆରମ୍ଭ କରି ରମାକାନ୍ତ, ସୀତାକାନ୍ତ, ପ୍ରତିଭା ଓ ବିଭୂତିଙ୍କର ସବୁ ଲେଖାଗୁଡ଼ିକ ଆମ ହାତପାଆନ୍ତାରେ ରହିବ, ତାହାହେଲେ କିପରି ହେବ?

ଆସନ୍ତୁ, ସଂକଳ୍ପ ନେବା ଆମ ଭାଷାକୁ ବିଜ୍ଞାନ ଓ କାରିଗରୀ କୌଶଳ ଅନୁକୂଳ କରିବା କଥାଟିକୁ ପିଲାଙ୍କ ସାହିତ୍ୟରୁ ଆରମ୍ଭ କରିବା।

ସୌମ୍ୟରଂଜନ ପଟ୍ଟନାୟକ
ଅଧ୍ୟକ୍ଷ, ସମ୍ବାଦ ସାହିତ୍ୟଘର

ସମ୍ବନ୍ଧିତ ଖବର