ଏହା ନିଶ୍ଚିତ ରୂପେ ଏକ ଆକର୍ଷଣୀୟ ସମ୍ଭାବନା ସୃଷ୍ଟି କରିଥାଏ; କିନ୍ତୁ ଏହି ନୂତନ ଉତ୍ସାହର ପ୍ରଭାବରେ କେହି ଏହା ମଧ୍ୟ ପାଶୋରି ଦେବା ଉଚିତ ନୁହେଁ ଯେ, ଏଭଳି କୌଣସି ଚୁକ୍ତି ଆମକୁ ପ୍ରତିଯୋଗିତାମୁକ୍ତ କରି ଦେଇ ନ ଥାଏ। ଅର୍ଥାତ୍ ଆମକୁ ତଥାପି ଅଷ୍ଟ୍ରେଲୀୟ ଗ୍ରାହକମାନଙ୍କର ମନ ଓ ମନିପର୍ସ ଜିଣିବା ପାଇଁ ଆମର ଦ୍ରବ୍ୟର ମାନ ଉଚ୍ଚା ଓ ଦର ନୀଚା ରଖିବାକୁ ହେବ। ବିଶେଷ କରି ଆମକୁ ମନେରଖିବାକୁ ହେବ ଯେ ଭାରତ ଏକମାତ୍ର ଦେଶ ନୁହେଁ, ଯାହା ସହିତ ଅଷ୍ଟ୍ରେଲିଆ ଏଭଳି ଏକ ଅବାଧ ବାଣିଜ୍ୟ ଚୁକ୍ତିରେ ଆବଦ୍ଧ ହୋଇଛି।

Advertisment

ଏପ୍ରିଲ୍ ୨ ତାରିଖରେ ଭାରତ ଓ ‌ଅଷ୍ଟ୍ରେଲିଆ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଅବାଧ ବାଣିଜ୍ୟ ଚୁକ୍ତି (‘ଏଫ୍‌ଟିଏ’) ଆମ ଦେଶର ଶିଳ୍ପ ବାଣିଜ୍ୟ ମହଲରେ ବିପୁଳ ଉତ୍ସାହ ସୃଷ୍ଟି କରିବା ଦେଖା ଯାଇଛି। ଅଳ୍ପଦିନ ତଳେ ‘ସଂଯୁକ୍ତ ଆରବ ଏମିରେଟ୍‌ସ’ (‘ୟୁଏଇ’) ସହିତ ଏକ ଅନୁରୂପ ଚୁକ୍ତି ସ୍ବାକ୍ଷରିତ ହେବା ପରେ ପରେ ପ୍ରାୟ ଏକ ଦଶନ୍ଧିର ବ୍ୟବଧାନ ପରେ ଅଷ୍ଟ୍ରେଲିଆ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିକଶିତ ରାଷ୍ଟ୍ର ସହିତ ଏହି ଚୁକ୍ତି ସମ୍ପନ୍ନ ହେବା ସେଇ ଉତ୍ସାହକୁ ଦ୍ବିଗୁଣିତ କରିଛି। ଏଭଳି ବାଣିଜ୍ୟ ଚୁକ୍ତିର ନାମ ସୂଚାଇଥିବା ଭଳି, ଏହା ସ୍ବାକ୍ଷରିତ ହେବା ପରେ ସମ୍ପୃକ୍ତ ଦୁଇ ଦେଶ ପରସ୍ପରର ରପ୍ତାନି (ଆମଦାନି) ଉପରେ ଲଗାଉଥିବା ଶୁଳ୍‌କ ଉଠାଇ ଦେଇଥା’ନ୍ତି, ଯାହା ଫଳରେ ପରସ୍ପରର ବଜାରରେ ସେମାନେ ନିଜ ନିଜର ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବା ପାଇଁ ଅବାଧରେ ପ୍ରତିଯୋଗିତା କରିପାରିବେ।

ଏହା ନିଶ୍ଚିତ ରୂପେ ଏକ ଆକର୍ଷଣୀୟ ସମ୍ଭାବନା ସୃଷ୍ଟି କରିଥାଏ; କିନ୍ତୁ ଏହି ନୂତନ ଉତ୍ସାହର ପ୍ରଭାବରେ କେହି ଏହା ମଧ୍ୟ ପାଶୋରି ଦେବା ଉଚିତ ନୁହେଁ ଯେ, ଏଭଳି କୌଣସି ଚୁକ୍ତି ଆମକୁ ପ୍ରତିଯୋଗିତାମୁକ୍ତ କରି ଦେଇ ନ ଥାଏ। ଅର୍ଥାତ୍ ଆମକୁ ତଥାପି ଅଷ୍ଟ୍ରେଲୀୟ ଗ୍ରାହକମାନଙ୍କର ମନ ଓ ମନିପର୍ସ ଜିଣିବା ପାଇଁ ଆମର ଦ୍ରବ୍ୟର ମାନ ଉଚ୍ଚା ଓ ଦର ନୀଚା ରଖିବାକୁ ହେବ। ବିଶେଷ କରି ଆମକୁ ମନେରଖିବାକୁ ହେବ ଯେ ଭାରତ ଏକମାତ୍ର ଦେଶ ନୁହେଁ, ଯାହା ସହିତ ଅଷ୍ଟ୍ରେଲିଆ ଏଭଳି ଏକ ଅବାଧ ବାଣିଜ୍ୟ ଚୁକ୍ତିରେ ଆବଦ୍ଧ ହୋଇଛି। ଅଷ୍ଟ୍ରେଲିଆ ବାସ୍ତବରେ ବର୍ତ୍ତମାନ ୧୬ଟି ଅନ୍ୟ ଦେଶମାନଙ୍କ ସହିତ ଏଇଭଳି ସକ୍ରିୟ ଅବାଧ ବାଣିଜ୍ୟ ଚୁକ୍ତି ପାଳନ କରି ଚାଲିଛି। ଅଷ୍ଟ୍ରେଲିଆର ବଜାରରେ ନିଜର ଉପସ୍ଥିତି ଜାହିର କରିବାକୁ ହେଲେ ଭାରତକୁ ସେ ସମସ୍ତ ଦେଶର ରପ୍ତାନିକାରୀମାନଙ୍କ ସହିତ ପ୍ରତିଯୋଗିତାରେ ସଫଳ ହେବାକୁ ପଡ଼ିବ। ଏ ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ: ଜାପାନ୍, ଚୀନ୍, ଦକ୍ଷିଣ କୋରିଆ, ନିଉଜିଲାଣ୍ଡ, ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସଂଘ ‘ଆସିଆନ୍’, ଆଦି। ଏମାନଙ୍କୁ ବାଣିଜ୍ୟ ପ୍ରତିଯୋଗିତାରେ ହରାଇବା ଯେ ଆଦୌ ସହଜ ନୁହେଁ, ତାହା ଜଣାଶୁଣା। ଏହା ଉଲ୍ଲେଖ କରିବାର ତାତ୍ପର୍ଯ୍ୟ ହେଲା, ଅଷ୍ଟ୍ରେଲିଆ ସହିତ ସଦ୍ୟ ସ୍ବାକ୍ଷରିତ ‘ଏଫ୍‌ଟିଏ’ ଆମ ପାଇଁ ଏକ ବିଶେଷ ସୁଯୋଗ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଏକ ବିଶେଷ ଦାୟିତ୍ବ ମଧ୍ୟ ସୃଷ୍ଟି କରିଥାଏ। ତେବେ ଏ ସମ୍ବନ୍ଧରେ ସଚେତନ ହେବା ପରେ, ଏହି ‘ଏଫ୍‌ଟିଏ’ ବହନ କରୁଥିବା ଗୁରୁତ୍ବ ଉପରେ ଏକ କ୍ଷିପ୍ର ଦୃଷ୍ଟିପାତ କରିବା ଯଥାର୍ଥ ହେବ। ନିକଟ ଅତୀତରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସମ୍ପର୍କରେ ଯେଉଁ ନୂତନ ଘନିଷ୍ଠତର ବିବର୍ତ୍ତନ ଦେଖାଦେବାକୁ ଆରମ୍ଭ କରିଛି, ବର୍ତ୍ତମାନ ସ୍ବାକ୍ଷରିତ ହୋଇଥିବା ‘ଇଣ୍ଡିଆ-ଅଷ୍ଟ୍ରେଲିଆ ଇକନମିକ୍ କୋଅପରେସନ୍ ଆଣ୍ଡ୍ ଟ୍ରେଡ୍ ଆଗ୍ରିମେଣ୍ଟ୍’ (‘ଇସିଟିଏ’) ନାମକ ଏହି ଅବାଧ ବାଣିଜ୍ୟ ଚୁକ୍ତିକୁ ତାହାର ଏକ ଅନିବାର୍ଯ୍ୟ ସମ୍ପ୍ରସାରଣ ରୂପେ ବିଚାର କରା ଯାଇ ପାରେ। ଉଦାହରଣସ୍ବରୂପ, ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଆଞ୍ଚଳିକ ନିରାପତ୍ତା ଗୋଷ୍ଠୀ ‘କ୍ବାଡ୍‌’ର ସଦସ୍ୟ ଅଛନ୍ତି, ଯାହାର ଅନ୍ୟ ଦୁଇ ସଦସ୍ୟ ରାଷ୍ଟ୍ର ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା ଓ ଜାପାନ୍। ସେହିପରି ଏ ଦୁଇ ଦେଶ ମଧ୍ୟ ଆନ୍ତର୍ଜାତିକ ଯୋଗ୍ୟତା ଶୃଙ୍ଖଳକୁ ଅବ୍ୟାହତ ରଖିବା ଉଦ୍ଦେଶ୍ୟରେ ରଚିତ ଉଦ୍ୟମ, ‘ସପ୍ଲାଇ ଚେନ୍ ରେଜିଲିଏନ୍‌ସ ଇନିସିଏଟିଭ୍’ (‘ଏସ୍‌ସିଆର୍‌ଆଇ’)ରେ ଅଂଶୀଦାର ଅଛନ୍ତି।

ଅତୀତରେ ଭାରତ ଅନ୍ୟ ଦେଶମାନଙ୍କ ସହ ଯେଉଁ ‘ଏଫ୍‌ଟିଏ’ ସବୁ ସମ୍ପନ୍ନ କରିଛି, ସେଥିରେ ମୁଖ୍ୟତଃ ଆମର ପେସାଦାର ବ୍ୟବସାୟ ବିଶେଷଜ୍ଞମାନଙ୍କ ପାଇଁ ସେ ଦେଶ ବଜାରରେ ପ୍ରବେଶକୁ ଗୁରୁତ୍ବ ପ୍ରଦାନ କରାଯାଇଥିଲା। ଅଷ୍ଟ୍ରେଲିଆ ସହିତ ସମ୍ପାଦିତ ‘ଏଫ୍‌ଟିଏ’ରେ କିନ୍ତୁ ଏଥର ସେ ଦେଶର ବଜାରରେ ବିଭିନ୍ନ ଭାରତୀୟ ପଣ୍ୟଦ୍ରବ୍ୟ ସବୁର ପ୍ରବେଶ ଉପରେ ଅଧିକରୁ ଅଧିକ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ଏହା ମଧ୍ୟ ନିକଟ ଅତୀତରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବା‌ରରେ ଦେଖା ଯାଇଥିବା କ୍ରମ ବିକାଶର ଧାରା ସହିତ ମେଳ ଖାଇଥାଏ। ୨୦୦୭ରେ, ଅର୍ଥାତ୍ ୧୫ ବର୍ଷ ତଳେ ଉଭୟ ପଣ୍ୟଦ୍ରବ୍ୟ ଓ ସେବା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ହୋଇଥିବା ବାଣିଜ୍ୟ କାରବାରର ମୂଲ୍ୟ ଥଲା ୧୩.୬ ବିଲିଅନ୍ ଡଲାର୍। ୨୦୨୦ ବେଳକୁ ‌ତାହା ବୃଦ୍ଧି ପାଇ ହୋଇଥିଲା ୨୪.୩ ବିଲିଅନ୍ ଡଲାର୍। ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ‘ଏଫ୍‌ଟିଏ’ ଏହି କ୍ରମବର୍ଦ୍ଧିଷ୍ଣୁ ଧାରାକୁ ଇନ୍ଧନ ଯୋଗାଇ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ତାହାକୁ ପାଖାପାଖି ଦ୍ବିଗୁଣିତ କରି ୪୫ ବିଲିଅନ୍ ଡଲାର୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।

ଏଥିରେ ଯଦି ଭାରତୀୟ ପଣ୍ୟଦ୍ରବ୍ୟ ଓ ସେବାର ଅଂଶ ଉପରେ ଦୃଷ୍ଟିପାତ କରାଯାଏ, ତେବେ ଯାହା ଦେଖାଯାଏ, ତାହା ହେଲା ୨୦୨୧ରେ ୧୦.୫ ବିଲିଅନ୍ ଡଲାର୍ ଛୁଇଁଥିବା ଅଷ୍ଟ୍ରେଲିଆକୁ ଭାରତୀୟ ରପ୍ତାନି ୨୦୨୬-୨୭ ସୁଦ୍ଧା ୨୦ ବିଲିଅନ୍ ଡଲାର୍ ଓ ୨୦୩୫ ସୁଦ୍ଧା ୩୫ ବିଲିଅନ୍ ଡଲାର୍ ଅତିକ୍ରମ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଲକ୍ଷ୍ୟ ହାସଲରେ ‘ଏଫ୍‌ଟିଏ’ କିପରି ସହାୟକ ହେବ, ତାହା ନିମ୍ନୋକ୍ତ ଉଦାହରଣରୁ ସ୍ପଷ୍ଟ ହୋଇଥାଏ। ଅଷ୍ଟ୍ରେଲୀୟ ବଜାରରେ ଚୀନ୍, ଦକ୍ଷିଣ କୋରିଆ, ଭିଏତ୍‌ନାମ୍, ଥାଇଲାଣ୍ଡ୍, ଜାପାନ୍, ଇଣ୍ଡୋନେସିଆ, ମାଲେସିଆ ଭଳି ଦେଶମାନଙ୍କ ତୁଳନାରେ ଭାରତକୁ ବର୍ତ୍ତମାନ କେତେକ ଶ୍ରମ-ସଘନ କ୍ଷେତ୍ରରେ ଉତ୍ପାଦିତ ଦ୍ରବ୍ୟ ରପ୍ତାନି କରି ବିକ୍ରି କରିବା ବେଳେ ୪-୫ ଶତାଂଶ ଅଧିକ ଶୁଳ୍‌କ ଦେବାକୁ ପଡୁଛି, ଯାହା ଭାରତୀୟ ରପ୍ତାନି ଦ୍ରବ୍ୟକୁ ସେ ସବୁ ଦେଶମାନଙ୍କର ଦ୍ରବ୍ୟ ତୁଳନାରେ ଅଧିକ ମହଙ୍ଗା କରି ଆମର ପ୍ରତିଯୋଗିତା କ୍ଷମତା ହ୍ରାସ କରିଥାଏ। ବର୍ତ୍ତମାନ ‘ଏଫ୍‌ଟିଏ’ ବଳବତ୍ତର ହେବା ପରେ ଅଷ୍ଟ୍ରେଲିଆ ଭାରତୀୟ ରପ୍ତାନି ପାଇଁ ଉଦ୍ଦିଷ୍ଟ ସମସ୍ତ କିସମର ଶୁଳ୍‌କକୁ ଶୂନ୍ୟ ସ୍ତରକୁ ନେଇ ଆସିବ। ଏହି ଶୂନ୍ୟ-ଶୁଳ୍‌କ ବ୍ୟବସ୍ଥା ‘ଏଫ୍‌ଟିଏ’ କାର୍ଯ୍ୟକାରୀ ହେବା ମାତ୍ରେ ପ୍ରଥମ ଦିନରୁ ହିଁ ବଳବତ୍ତର ହେବ, ଯାହା ଦ୍ବାରା ଭାରତ ପାରମ୍ପରିକ ଭାବରେ ରପ୍ତାନି କରୁଥିବା ସମସ୍ତ ପ୍ରମୁଖ ପଣ୍ୟଦ୍ରବ୍ୟ ଶୁଳ୍‌କମୁକ୍ତ ହୋଇ ଅଷ୍ଟ୍ରେଲିଆ ବଜାରରେ ପ୍ରତିଦ୍ବନ୍ଦ୍ବୀମାନଙ୍କର ମୁକାବିଲା କରିବାରେ ଅଧିକ ସଫଳ ହେବେ। ଏହି ତାଲିକାରେ ଅନ୍ତର୍ଭୁକ୍ତ ପଣ୍ୟଦ୍ରବ୍ୟମାନ ମଧ୍ୟରେ ଅଛନ୍ତି: କପଡ଼ା ଓ ବସ୍ତ୍ର, ବଛାବଛା କୃଷିଜାତ ଓ ସାମୁଦ୍ରିକ ଦ୍ରବ୍ୟ, ଚମଡ଼ା, ଜୋତା, ଅଳଙ୍କାର, ଆସବାବପତ୍ର, ଔଷଧପତ୍ର ଏବଂ ଇଂଜିନିଅରିଙ୍ଗ୍ ଦ୍ରବ୍ୟ ଆଦି।

ପ୍ରତିବଦଳରେ ଭାରତ ତତ୍‌କ୍ଷଣାତ୍ ଅଷ୍ଟ୍ରେଲୀୟ ରପ୍ତାନି ଉପରେ ଲାଗୁ କରୁଥିବା ବିଭିନ୍ନ ଶୁଳ୍‌କମାନଙ୍କ ମଧ୍ୟରୁ ୪୦ ଶତାଂଶ ସମ୍ପୂର୍ଣ୍ଣ ଉଚ୍ଛେଦ କରିଦେବ, ଯାହା ଅବଶ୍ୟ ହେଉଛି ମୂଲ୍ୟ ଆକାରରେ ଭାରତକୁ ଆସୁଥିବା ମୋଟ ଅଷ୍ଟ୍ରେଲୀୟ ରପ୍ତାନିର ୮୫ ଶତାଂଶ। ଚୁକ୍ତି ଅନୁସା‌େର ଆସନ୍ତା ୧୦ ବର୍ଷ ମଧ୍ୟରେ ଚାରିଟି କିସ୍ତିରେ ଭାରତ ଅଷ୍ଟ୍ରେଲୀୟ ରପ୍ତାନି ପ୍ରତି ଲାଗୁ ହେଉଥିବା ବାକି ଶୁଳ୍‌କମାନଙ୍କ ମଧ୍ୟରୁ ପ୍ରାୟ ୩୦ ଶତାଂଶର ଉଚ୍ଛେଦ ଘଟାଇବ କିମ୍ବା ହ୍ରାସ ଘଟାଇବ। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଉତ୍ପାଦନକାରୀମାନଙ୍କର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଭାରତ ବାକି ପ୍ରାୟ ୩୦ ଶତାଂଶ ଶୁଳ୍‌କକୁ ଏହି ବ୍ୟବସ୍ଥାରୁ ବହିର୍ଭୂତ କରି ରଖିଛି। ଏହି ବହିର୍ଭୂତ ତାଲିକାରେ ଅନ୍ତର୍ଭୁକ୍ତ ଥିବା ପଦାର୍ଥମାନଙ୍କ ମଧ୍ୟରେ ଅଛନ୍ତି: ଦୁଗ୍‌ଧ ଓ ଦୁଗ୍‌ଧଜାତ ଦ୍ରବ୍ୟ, ଶୁଷ୍କ ଫଳ,‌ ସେଓ, ଗହମ, ଚାଉଳ, ବାଜରା, ଚିନି, ସୂର୍ଯ୍ୟମୁଖୀ ତେଲ, ପିଡ଼ିଆ, ସୁନା, ରୁପା, ମେଡିକାଲ ଯନ୍ତ୍ରପାତି ଇତ୍ୟାଦି। ଅର୍ଥାତ୍ ଏ ସମସ୍ତ ଦ୍ରବ୍ୟର ଉତ୍ପାଦନକାରୀମାନେ ଶସ୍ତା ଅଷ୍ଟ୍ରେଲୀୟ ରପ୍ତାନି ଆକ୍ରମଣରୁ ସୁରକ୍ଷିତ ରହିବେ। ଅପର‌ପକ୍ଷେ ଭାରତୀୟ ଶିଳ୍ପୋଦ୍ୟୋଗୀମାନେ ଶୁଳ୍‌କମୁକ୍ତ ଶସ୍ତା ଅଷ୍ଟ୍ରେଲୀୟ କଞ୍ଚାମାଲ୍‌ ବ୍ୟବହାର କରି ନିଜ ନିଜର ଉତ୍ପାଦନକୁ ଆନ୍ତର୍ଜାତିକ ବଜାରରେ ଶସ୍ତା ଓ ପ୍ରତିଯୋଗିତାକ୍ଷମ କରିବାର ଏକ ନୂତନ ସୁଯୋଗ ଏବେ ସୃଷ୍ଟି ହୋଇଛି। ଆଶା, ଭାରତୀୟ ଶିଳ୍ପ ବାଣିଜ୍ୟ କ୍ଷେତ୍ର ଏହି ସୁଯୋଗର ସମ୍ପୂର୍ଣ୍ଣ ସଦୁପଯୋଗ କରିବ।