ଏହି ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ଯଥେଷ୍ଟ ତତ୍ପରତା ପ୍ରଦର୍ଶନ କରି ସମସ୍ତ କ୍ରୀଡ଼ା ଅନୁଷ୍ଠାନଗୁଡ଼ିକର ପରିଚାଳନାରେ ସ୍ବଚ୍ଛତା ଓ ସାମର୍ଥ୍ୟ ଆଣିବାର ଉଦ୍ୟମ କରନ୍ତୁ। ଏ କ୍ଷେତ୍ରରେ କୌଣସି ତୃତୀୟ ପକ୍ଷଙ୍କୁ ଦୃଶ୍ୟମାନ ହେବାକୁ ନ ପଡ଼ୁ ବା ଅନ୍ତର୍ଜାତୀୟ କ୍ରୀଡ଼ା ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପକ୍ଷ ଛେଦନ ଲାଗି ଧମକ ନ ମିଳୁ।
Sambad is now on WhatsApp
Join and get latest news updates delivered to you via WhatsApp
ଗଲା ମଙ୍ଗଳବାର ଦିନ ଦେଶର ଶୀର୍ଷ ଫୁଟ୍ବଲ୍ ପରିଚାଳନାକାରୀ ଅନୁଷ୍ଠାନ ‘ସର୍ବଭାରତୀୟ ଫୁଟ୍ବଲ୍ ଫେଡେରେସନ୍’ ବା ‘ଏ.ଆଇ.ଏଫ୍.ଏଫ୍.’କୁ ‘ଅନ୍ତର୍ଜାତୀୟ ଫୁଟ୍ବଲ୍ ଆସୋସିଏସନ ମହାସଂଘ’ ବା ‘ଫିଫା’ ଦ୍ବାରା ନିଲମ୍ବନ କରାଯିବା ଦେଶ ଲାଗି ଏକ ଅତ୍ୟନ୍ତ ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି କରିବା ସହିତ ଲକ୍ଷ ଲକ୍ଷ ଭାରତୀୟ ଫୁଟ୍ବଲ୍ପ୍ରେମୀଙ୍କୁ ଗଭୀର ଭାବେ ମୁହ୍ୟମାନ କରିଛି। ଉଲ୍ଲେଖ ଥାଉ କି ‘ଏ.ଆଇ.ଏଫ୍.ଏଫ୍.’ର ପଞ୍ଚାଅଶୀ ବର୍ଷର ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଲାଗି ଘଟିଛି; ଯଦ୍ଦ୍ବାରା ଯେଉଁ ତାତ୍କାଳିକ ଅଡୁଆ ଆବିର୍ଭୂତ ହୋଇ ଭାରତର ଭାବମୂର୍ତ୍ତିରେ ଦାଗ ଲାଗିବାର ଆଶଙ୍କା ସୃଷ୍ଟି କରିଛି, ତାହା ହେଲା ଆସନ୍ତା ଅକ୍ଟୋବର ମାସରେ ଭାରତ ଦ୍ବାରା ଆୟୋଜିତ ହେବାକୁ ଥିବା ୧୭ ବର୍ଷରୁ କମ୍ ବୟସର ବାଳିକାଙ୍କ ଫୁଟ୍ବଲ୍ ବିଶ୍ବ କପ୍ ଟୁର୍ନାମେଣ୍ଟ ନେଇ ସ୍ତିମିତ ସମ୍ଭାବନା। ଅବଶ୍ୟ, ମାନ୍ୟବର ସର୍ବୋଚ୍ଚ ଅଦାଲତ ଏହି ପରିପ୍ରେକ୍ଷୀରେ ଏହି ବିଶ୍ବ ସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନରେ ଯେଭଳି ବିଘ୍ନ ନ ଉପୁଜେ, ସେ ଦିଗରେ ବିହିତ ପଦକ୍ଷେପ ନେବାକୁ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ, ସମୟର ସ˚କ୍ଷିପ୍ତତା ଦୃଷ୍ଟିରୁ ଅନେକ ଫୁଟ୍ବଲ୍ପ୍ରେମୀ ଏ ସ˚କ୍ରାନ୍ତରେ ଯଥେଷ୍ଟ ଆଶାବାଦୀ ହୋଇ ପାରନ୍ତି ନାହିଁ। ପ୍ରକାଶ ଥାଉ କି ‘ଫିଫା’ ପକ୍ଷରୁ ଏ ସ˚ଦର୍ଭରେ ପ୍ରଦତ୍ତ କାରଣଟି ହେଉଛି ‘ଏ.ଆଇ.ଏଫ୍.ଏଫ୍.’ର ପରିଚାଳନାରେ ତୃତୀୟ ପକ୍ଷର ଅନାହୂତ ଏବ˚ ଅନାବଶ୍ୟକ ହସ୍ତକ୍ଷେପ। ଏହି ପରିପ୍ରେକ୍ଷୀରେ ଏ ସ˚ଦର୍ଭ ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ତେବେ, ସର୍ବପ୍ରଥମେ ଏହି ଅସ୍ବସ୍ତିକର ନିଲମ୍ବନର ପୃଷ୍ଠଭୂମି ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଉ। ବ୍ୟାପାରଟି ହେଲା, ସୁପ୍ରିମ୍ କୋର୍ଟଙ୍କ ଆଦେଶ ସତ୍ତ୍ବେ ଏ.ଆଇ.ଏଫ୍.ଏଫ୍.ର ସଭାପତି ପ୍ରଫୁଲ୍ଲ ପଟେଲ (ଏନ୍.ସି.ପି.ର ବରିଷ୍ଠ ନେତା) ଗଲା ୨୦୨୦ ମସିହା ଡିସେମ୍ବର ମାସରୁ ଅନୁଷ୍ଠିତ ହୋଇ ନ ଥିବା ନିର୍ବାଚନ ନ କରାଇବାରୁ ମାନ୍ୟବର ଅଦାଲତ ତାଙ୍କୁ ଗଲା ମେ ୧୮ ତାରିଖରେ ବହିଷ୍କାର କରିବା ସହିତ ଗୋଟିଏ ପରିଚାଳକ କମିଟି ବା ‘କମିଟି ଅଫ୍ ଆଡମିନିଷ୍ଟ୍ରେଟର୍ସ’ ନିଯୁକ୍ତ କରିଥିଲେ, ଯାହାର ଦାୟିତ୍ବ ଥିଲା ଏ.ଆଇ.ଏଫ୍.ଏଫ୍.ର ସ˚ବିଧାନରେ ସ˚ସ୍କାର ଆଣିବା ସହିତ ପରିଚାଳନାକୁ ପାରଦର୍ଶୀ କରିବା। ପ୍ରକାଶ ଥାଉ କି ଇତିମଧୢରେ ପୂର୍ବତନ ସୁପ୍ରିମ୍ କୋର୍ଟ ବିଚାରପତି ଏ.ଆର୍ ଡାଭେଙ୍କ ଅଧୢକ୍ଷତାରେ ଗଠିତ ଏହି ତିନି ଜଣିଆ କମିଟି ଦ୍ବାରା ଏ.ଆଇ.ଏଫ୍.ଏଫ୍.ର ସ˚ବିଧାନରେ କେତେକ ପରିବର୍ତ୍ତନର ସୁପାରିସ ସ˚କ୍ରାନ୍ତ ଚିଠା ପ୍ରସ୍ତୁତ କରି ମାନ୍ୟବର ସର୍ବୋଚ୍ଚ ଅଦାଲତକୁ ପ୍ରଦାନ କରାଯାଇଛି, ଯାହାକୁ ଅଦାଲତ ଅନୁମୋଦନ ମଧ୍ୟ କରିଛନ୍ତି। କିନ୍ତୁ ବିଡ଼ମ୍ବନାଟି ହେଲା, ଏକ କ୍ରୀଡ଼ା ଅନୁଷ୍ଠାନରେ ଏଭଳି ଅଦାଲତୀ ଉପସ୍ଥିତିକୁ ‘ଫିଫା’ ପକ୍ଷରୁ ‘ତୃତୀୟ ପକ୍ଷ’ର ପ୍ରଭାବ ରୂପେ ଅଭିହିତ କରାଯାଇ ‘ପକ୍ଷ ଛେଦନ’ କରିବାର ଉଦ୍ୟମ କରାଯାଇଛି। ପ୍ରକାଶ ଥାଉ କି ‘ଫିଫା’ର ଅଭିଯୋଗ ପଛରେ ଥିବା ମୂଳ କାରଣ ହେଉଛି, ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ନିଯୁକ୍ତ କମିଟିର ସୁପାରିସ ଯାହା ‘ଏ.ଆଇ.ଏଫ୍.ଏଫ୍.’ର ‘ଏକଜିକ୍ୟୁଟିଭ୍ କମିଟି’ରେ ୫୦ ପ୍ରତିଶତ ସ୍ଥାନ ଫୁଟ୍ବଲ୍ ଖେଳାଳିଙ୍କ ସକାଶେ ଆରକ୍ଷିତ ରହିବା ସପକ୍ଷରେ ମତ ପ୍ରଦାନ କରିଥିବା ବେଳେ ‘ଫିଫା’ ଦ୍ବାରା ତାହାକୁ ଗ୍ରହଣ କରା ନ ଯାଇ ପୂର୍ବ ନିୟମାନୁସାରେ ‘ଏକଜିକ୍ୟୁଟିଭ୍ କମିଟି’ର ଏକ-ଚତୁର୍ଥା˚ଶ ସ୍ଥାନ ଖେଳାଳିମାନଙ୍କ ଲାଗି ଉଦ୍ଦିଷ୍ଟ ରଖି ଅବଶିଷ୍ଟ ସ୍ଥାନ ବିଭିନ୍ନ ରାଜ୍ୟ ଫୁଟ୍ବଲ୍ ଆସୋସିଏସନ୍ର ପ୍ରତିନିଧିମାନଙ୍କ ଦ୍ବାରା ପୂରଣ କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଥାଏ। ସୁତରା˚, ଏହା ସ୍ବାଭାବିକ ଯେ ଏଭଳି ମତାନୈକ୍ୟ କାରଣରୁ ହିଁ ‘ଏ.ଆଇ.ଏଫ୍.ଏଫ୍.’ରେ ସ˚ସ୍କାର ଆଣିବା ସକାଶେ ହୋଇଥିବା ଅଦାଲତୀ ଉଦ୍ୟମକୁ ତୃତୀୟ ପକ୍ଷର ହସ୍ତକ୍ଷେପ ରୂପେ ‘ଫିଫା’ ଦ୍ବାରା ଆଖ୍ୟାୟିତ କରାଯାଇଛି। ତେବେ, ସେ ଯାହା ହୋଇଥାଉ ନା କାହିଁକି ଏଥିରେ ଦ୍ବିମତ ନାହିଁ ଯେ ‘ଏ.ଆଇ.ଏଫ୍.ଏଫ୍.’ରେ ଏକ ନିର୍ବାଚନ କରାଯିବା ସହିତ ଆଭ୍ୟନ୍ତରୀଣ ସ୍ବଚ୍ଛତା ଓ ପରିଚାଳନାଗତ ପାରଦର୍ଶିତା ସ୍ଥାପନ କରାଯିବା ହେଉଛି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ।
ପ୍ରକାଶ ଥାଉ କି ଭାରତରେ ଫୁଟ୍ବଲ୍ ଖେଳର ଲୋକକଥାରେ ଆଜିକୁ ୧୪୫ ବର୍ଷ ତଳେ, ଅର୍ଥାତ୍ ୧୮୭୭ ମସିହାରେ ଦୈବାତ୍ ଜଣେ ଭାରତୀୟ ନାୟକଙ୍କ ଆବିର୍ଭାବ ଘଟିଥିଲା, ଯିଏ ଏକ ଅପୂର୍ବ କ୍ଷଣରେ ବ୍ରିଟିସ୍ ସୈନିକମାନେ ଖେଳୁଥିବା ଏକ ଫୁଟ୍ବଲ୍ ପଡ଼ିଆ ପାଖ ଦେଇ ଯାଉଥିବା ବେଳେ ଅଗତ୍ୟା ପଡ଼ିଆ ବାହାରକୁ ଗଡ଼ି ଆସୁଥିବା ଫୁଟ୍ବଲ୍କୁ ଗୋଇଠାଟିଏ ମାରି ସମ୍ଭବତଃ ପ୍ରଥମ ଭାରତୀୟ ଭାବେ ଫୁଟ୍ବଲ୍ ସ୍ପର୍ଶର ଅନିର୍ବଚନୀୟ ରୋମାଞ୍ଚ ଲାଭ କରିଥିବେ। ତାହା ହୋଇ ନ ଥିଲେ ନଗେନ୍ଦ୍ରନାଥ ସର୍ବାଧିକାରୀ ନାମଧାରୀ ଏହି ଦଶ ବର୍ଷ ବୟସ୍କ ବାଳକ କିଛି ବର୍ଷ ପରେ ଶୋଭାବଜାର କ୍ଲବ୍ ନାମକ ଏକ ସ˚ପୂର୍ଣ୍ଣ ଭାରତୀୟ ଫୁଟ୍ବଲ୍ କ୍ଲବ ଗଠନ କରିବା ସହିତ ପ୍ରସିଦ୍ଧ ଭାରତୀୟ ଫୁଟ୍ବଲ୍ କ୍ଲବ୍ ମୋହନବାଗାନ କ୍ଲବ୍ର ଜନ୍ମ ପଛରେ ଆଦ୍ୟ ପ୍ରେରଣାରେ ପରିଣତ ହୋଇ ନ ଥାଆନ୍ତେ ବା ଭାରତରେ ଫୁଟବଲର ତରଙ୍ଗ ସୃଷ୍ଟି ହୋଇ ନ ଥାଆନ୍ତା। କହିବା ଅନାବଶ୍ୟକ ଯେ ସଂପ୍ରତି ଭାରତରେ ଏକ ସର୍ବଗ୍ରାସୀ ଲୋକପ୍ରିୟତା ଅର୍ଜନ କରିଥିବା କ୍ରିକେଟ୍ ପ୍ରତି ଭାରତୀୟ ଗଣ ଅନୁରକ୍ତିର ସାମନ୍ୟତମ ଚିହ୍ନବର୍ଣ୍ଣ ମଧ୍ୟ ସେତେବେଳେ ନ ଥଇଲା। ଅପର ପକ୍ଷରେ ଫୁଟ୍ବଲ୍ ଅଭୂତପୂର୍ବ ଲୋକପ୍ରିୟତା ସହିତ ଭାରତର କୋଣ-ଅନୁକୋଣରେ ଖେଳା ଯାଉଥିଲା, ଯାହାର ଉଦାହରଣ ମିଳିଥାଏ ୧୯୪୮ ମସିହାର ଅଲି˚ପିକ୍ସ କ୍ରୀଡ଼ା ଶୃଙ୍ଖଳାରେ ପ୍ରଥମ ଥର ଲାଗି ଅ˚ଶ ଗ୍ରହଣ କରିଥିବା ଭାରତୀୟ ଫୁଟ୍ବଲ୍ ଦଳରୁ, ଯାହାର ଅଧିନାୟକ ଥିଲେ ନାଗା ପାର୍ବତ୍ୟାଞ୍ଚଳର ଅଧିବାସୀ ତାଲିମେରାନ ଆଓ। ଭାରତୀୟ ମୁକ୍ତି ସ˚ଗ୍ରାମ କାଳରେ ଭାରତୀୟ ଫୁଟ୍ବଲ୍ ଦଳ ବ୍ରିଟିସମାନଙ୍କ ବିପକ୍ଷରେ କିଭଳି ଏକ ଚମକପ୍ରଦ ପ୍ରତିଶୋଧ ନେଇଥିଲା, ତାହା ଇତିହାସ ପୃଷ୍ଠାରେ ଲିପିବଦ୍ଧ; ଯହିଁରେ ୧୯୧୧ ମସିହା ଜୁନ୍ ୨୯ ତାରିଖରେ ଅନୁଷ୍ଠିତ ଏକ ସ˚ଘର୍ଷପୂର୍ଣ୍ଣ ମ୍ୟାଚ୍ରେ ପ୍ରାୟ ୮୦, ୦୦୦ ଦର୍ଶକଙ୍କ ଉପସ୍ଥିତିରେ ଏକ ଟାଣୁଆ ବ୍ରିଟିସ୍ ଟିମ୍କୁ ମୋହନବାଗାନ କ୍ଲବ୍ ୨-୧ ଗୋଲ୍ରେ ପରାସ୍ତ କରିଥିବା ଦେଖିବାକୁ ମିଳିଥାଏ। କୁହାଯାଏ ଯେ ଏକ ଔପନିବେଶିକ ଦଳର ଏଭଳି ଦମ୍ଭ ପ୍ରଦର୍ଶନ ପରେ ପରବର୍ତ୍ତୀ ଅନେକ ବର୍ଷ ପକ୍ଷପାତୀ ରେଫରିମାନଙ୍କ ସହାୟତାରେ ବ୍ରିଟିସ୍ ଦଳ ମୋହନବାଗାନକୁ ବିଜୟର ସୁଯୋଗ ଦେଇ ନ ଥିଲେ। ତେବେ, ଏକ ବିଡ଼ମ୍ବନା ସ୍ବରୂପ ବିଭିନ୍ନ କାରଣରୁ ପୃଥିବୀର ଏହି ସର୍ବାଧିକ ଲୋକପ୍ରିୟ ଖେଳଟି ଆମ ଦେଶରେ କ୍ରମେ ଲୋକପ୍ରିୟତା ହରାଇବା ସହିତ ଅଷ୍ଟମ ଦଶକ ବେଳକୁ କ୍ରିକେଟ୍ ଦ୍ବାରା ସ˚ପୂର୍ଣ୍ଣ ରୂପେ ବିସ୍ଥାପିତ ହୋଇ ସାରିଥିଲା। ଏବ˚ ଫୁଟ୍ବଲ୍ର ଲୋକପ୍ରିୟତାର ଏଭଳି କ୍ରମ ଅବନତି ପଛରେ ଥିବା କାରଣ ଭିତରୁ ଫୁଟ୍ବଲ୍ ପରିଚାଳନାରେ ଏ.ଆଇ.ଏଫ୍.ଏଫ୍. ତଥା ରାଜ୍ୟ ସ୍ତରୀୟ ଅନୁଷ୍ଠାନଗୁଡ଼ିକର ତ୍ରୁଟି ଯେ ପ୍ରମୁଖ, ତାହା ଅବଶ୍ୟ ସ୍ବୀକାର୍ଯ୍ୟ।
ତେବେ, ଗଲା କିଛି ବର୍ଷ ଧରି ଭାରତୀୟ ଫୁଟ୍ବଲ୍ ପୁଣି ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି, ଯାହାର କାରଣ ଏହି କ୍ରୀଡ଼ାରେ ପୁ˚ଜି ନିବେଶ ଏବ˚ ‘ସୁପର୍ ଲିଗ୍’ ଭଳି ଟୁର୍ନାମେଣ୍ଟର ଆୟୋଜନ। କହିବା ବାହୁଲ୍ୟ ଯେ ଭାରତରେ ଉପସ୍ଥିତ ଥିବା କୋଟି କୋଟି ଫୁଟ୍ବଲ୍ପ୍ରେମୀ ଏହି ଦେଶକୁ ବିଶ୍ବସ୍ତରୀୟ ପେସାଦାର ଫୁଟ୍ବଲ୍ କ୍ରୀଡ଼ା ଲାଗି ଏକ ଲାଭଜନକ ବଜାରର ସମ୍ଭାବନା ମଧୢ ସୃଷ୍ଟି କରିଥାନ୍ତି। ସେହି ଦୃଷ୍ଟିରୁ ‘ଫିଫା’ ଦ୍ବାରା ‘ଏ.ଆଇ.ଏଫ୍.ଏଫ୍.’ର ନିଲମ୍ବନ ନିଃସନ୍ଦେହରେ ଏକ ହତାଶାଜନକ ସ୍ଥିତି ସୃଷ୍ଟି କରିଛି। ସ୍ମରଣରେ ଥାଉ କି ୨୦୧୨ ମସିହାରେ ସମତୁଲ କାରଣରୁ ଭାରତୀୟ ଅଲି˚ପିକ୍ ଆସୋସିଏସନ୍କୁ ‘ଅନ୍ତର୍ଜାତୀୟ ଅଲି˚ପିକ୍ସ କମିଟି’ ବା ‘ଆଇ.ଓ.ସି.’ ଦ୍ବାରା ନିଷେଧ କରାଯାଇଥିବା କାରଣରୁ ୨୦୧୪ ମସିହାରେ ରୁଷିଆର ‘ସୋଚି’ ଠାରେ ଅନୁଷ୍ଠିତ ଶୀତକାଳୀନ ଅଲି˚ପିକ୍ସରେ ଭାରତୀୟ ଖେଳାଳିମାନେ ଅଗତ୍ୟା ‘ଆଇ.ଓ.ସି.’ର ପତାକା ତଳେ ଜଣେ ଜଣେ ରାଷ୍ଟ୍ର ବହିର୍ଭୂତ ଖେଳାଳି ଭାବେ ଅ˚ଶ ଗ୍ରହଣ କରି ଚରମ ହତାଶାର ଶିକାର ହୋଇଥିଲେ। ତେବେ, କେବଳ ଫୁଟବଲ ନୁହେଁ, ପରିଚାଳନାଗତ ଅବ୍ୟବସ୍ଥା କାରଣରୁ ଆସନ୍ତା ବର୍ଷ ବିଶ୍ବ କପ୍ ହକିର ଆୟୋଜନ କରିବାର ସୁଯୋଗରୁ ‘ହକି ଇଣ୍ଡିଆ’ ବଞ୍ଚିତ ହେବାର ଆଶଙ୍କା ମଧ୍ୟ ଉପୁଜିଲାଣି। ଏହି ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ଯଥେଷ୍ଟ ତତ୍ପରତା ପ୍ରଦର୍ଶନ କରି ସମସ୍ତ କ୍ରୀଡ଼ା ଅନୁଷ୍ଠାନଗୁଡ଼ିକର ପରିଚାଳନାରେ ସ୍ବଚ୍ଛତା ଓ ସାମର୍ଥ୍ୟ ଆଣିବାର ଉଦ୍ୟମ କରନ୍ତୁ। ଏ କ୍ଷେତ୍ରରେ କୌଣସି ତୃତୀୟ ପକ୍ଷଙ୍କୁ ଦୃଶ୍ୟମାନ ହେବାକୁ ନ ପଡ଼ୁ ବା ଅନ୍ତର୍ଜାତୀୟ କ୍ରୀଡ଼ା ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପକ୍ଷ ଛେଦନ ଲାଗି ଧମକ ନ ମିଳୁ।