‘ସର୍ଟ‌ କଟ୍‌’

ଏକ ବାସ୍ତବତା ହେଲା, ପ୍ରକୃତିରେ ସବୁ କିଛି ନିର୍ଦ୍ଦିଷ୍ଟ ନିୟମ ଏବ˚ ସମୟ ଅନୁସାରେ ଘଟିଥାଏ, କେବଳ ମନୁଷ୍ୟର ହସ୍ତକ୍ଷେପ ହିଁ ତହିଁରେ ବିଭ୍ରାଟ ସୃଷ୍ଟି କରେ, ଯାହାର ସରଳ ଉଦାହରଣ ହେଲା ବୃକ୍ଷରେ ପାଚୁଥିବା ଫଳ, ଯାହା ଏକ ନିର୍ଦ୍ଦିଷ୍ଟ ଅବଧିରେ ହିଁ ସଂପନ୍ନ ହେଉଥିବା ବେଳେ ମନୁଷ୍ୟର ରାସାୟନିକ ପ୍ରୟୋଗ ତହିଁରେ କୃତ୍ରିମ ଶୀଘ୍ରତା ଆଣିବାକୁ ବ୍ୟାକୁଳ। ଏହା ହିଁ ହେଉଛି ସେହି ମୂଷା ଦୌଡ଼ରେ ସାମିଲ ହେବାର ମନୋବୃତ୍ତି ଯାହା ନକଲି ସାର୍ଟିଫିକେଟ୍‌ ପ୍ରତି ଆକର୍ଷଣ ବା ପରିଶ୍ରମ ନ କରି ସାଫଲ୍ୟ ଲାଭ କରିବାର ମୋହ ଇତ୍ୟାଦିରେ ରୂପ ପାଇଥାଏ। ଭଗବାନ ଶ୍ରୀକୃଷ୍ଣ ସେ ଦିନ ବାର୍ବାରିକ ନାମକ ‘ସର୍ଟ‌ କଟ୍‌’କୁ ପ୍ରୟୋଗ କରିବାକୁ ଏଥି ପାଇଁ ଚାହିଁ ନ ଥିଲେ ଯେ ତଦ୍ଦ୍ବାରା ମହାଭାରତ ଯୁଦ୍ଧର ଅନେକ ଗୂଢ଼ ମର୍ମ ଉଜାଗର ହୋଇ ନ ପାରି ଅନ୍ତର୍ହିତ ହୋଇଯାଆନ୍ତା। ଏବେ ‘ସର୍ଟ‌ କଟ୍‌’ ପ୍ରତି ଅହେତୁକ ମୋହ ତାହା ହିଁ କରିଛି; ବ୍ୟାପକ ଅର୍ଥରେ ଏହା ମନୁଷ୍ୟର ଅସ୍ତିତ୍ବ ସ˚କଟର କାରଣ ମଧୢ ହେବାକୁ ଲାଗିଛି।

ନିିକଟରେ ଯେଉଁ ଦୁଇଟି ଘଟଣା ରାଜ୍ୟରେ ମୃଦୁ ଚାଞ୍ଚଲ୍ୟ ସୃଷ୍ଟି କରିଛି, ତହିଁରୁ ଗୋଟିଏ ହେଲା ବଲାଙ୍ଗୀରରେ ଏକ ନକଲି ସାର୍ଟିଫିକେଟ ରାକେଟ୍‌ର ପର୍ଦ୍ଦାଫାଶ ଘଟିବା ଏବ˚ ଦ୍ବିତୀୟଟି ହେଲା ଏକ ସ୍ବତନ୍ତ୍ର ଅଭିଯାନ ବଳରେ ଅଠର ବର୍ଷ ବୟସରୁ କମ୍‌ ବୟସ୍କ ଦୁଇ ଚକିଆ ଯାନ ଚାଳକଚାଳିକାମାନଙ୍କୁ ଧରି ସେମାନଙ୍କ ପିତାମାତାଙ୍କ ଉପରେ ପଚିଶ ହଜାର ଟଙ୍କାର ଜରିମାନା ଲାଗୁ କରାଯିବା। କହିବା ବାହୁଲ୍ୟ ଯେ ଘଟଣା ଦ୍ବୟ ପରସ୍ପର ସହିତ ଅସ˚ଲଗ୍ନ; କିନ୍ତୁ ଏହା ଯେଉଁ ଏକ ଉଦ୍‌ବିଗ୍ନ ସୃଷ୍ଟିକାରୀ ସାମଂଜସ୍ୟ ବହନ କରିଥାଏ, ତାହା ହେଲା ବିନା ପରିଶ୍ରମରେ ତଥା ରାତାରାତି ସଫଳତା ଲାଭ କରିବାର ଦୁର୍ବାର ଲାଳସା, ଯାହା ସ˚ପ୍ରତି ଯୁଗଧର୍ମ ପାଲଟିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ, ଏଭଳି କୁହାଯିବାର ତାତ୍ପର୍ଯ୍ୟକୁ ଅଧିକ ସ୍ପଷ୍ଟ କରିବା ସକାଶେ ଏଠାରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ବଲାଙ୍ଗୀର ଜିଲ୍ଲାରେ କେତେକ ନିର୍ଦ୍ଦିଷ୍ଟ ଉପଖଣ୍ତର ପୋଷ୍ଟ ଅଫିସରେ ନିଯୁକ୍ତି ଲାଗି ପ୍ରାର୍ଥୀମାନଙ୍କ ଠାରୁ ଆହ୍ବାନ କରାଯାଇଥିବା ଆବେଦନ ପରିପ୍ରେକ୍ଷୀରେ ଯାହା ସନ୍ଦେହ ସୃଷ୍ଟି କରିଥିଲା, ତାହା ହେଲା କେତେକ ପ୍ରାର୍ଥୀମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ମାର୍କ ସିଟ୍‌ ଏବ˚ ସାର୍ଟିଫିକେଟ୍‌, ଯାହା ସେମାନେ ବିଭିନ୍ନ ନିର୍ଣ୍ଣାୟକ ପରୀକ୍ଷାରେ ଅନେଶ୍ବତ ପ୍ରତିଶତ ପର୍ଯ୍ୟନ୍ତ ନମ୍ବର ରଖିଥିବା ବିଷୟର ପ୍ରାମାଣିକ ଦସ୍ତାବିଜ ରୂପେ ଆଣିଥିଲେ। ସ˚ପୃକ୍ତ ନିଯୁକ୍ତି ଲାଗି ପ୍ରବେଶିକା ପରୀକ୍ଷା ହେଉ ନ ଥିବା ସ୍ଥଳେ ବିଭିନ୍ନ ବିଷୟରେ ମିଳିଥିବା ନମ୍ବରର ଆଧିକ୍ୟ ହିଁ ପ୍ରାର୍ଥୀଙ୍କ ଯୋଗ୍ୟତାର ମାପକାଠି ହୋଇଥାଏ। ଅବଲୀଳା କ୍ରମେ ସନ୍ଦେହଟି ସତ୍ୟ ବୋଲି ଜଣା ପଡ଼ିଥିଲା ଏବ˚ ଏହା ପଛରେ ମୁଖ୍ୟ ସୂତ୍ରଧର ଭୂମିକାରେ ଏକ କୋଚି˚ ସେଣ୍ଟରକୁ ହିଁ ଦେଖିବାକୁ ମିଳିଥିଲା। ଜଣାପଡ଼ିଛି ଯେ କୋଚି˚ ସେଣ୍ଟର ପକ୍ଷରୁ ରାଜ୍ୟ ବାହାରର ଅନେକ ଶିକ୍ଷାନୁଷ୍ଠାନର ନାମ ବହନକାରୀ ଏଭଳି ନକଲି ସାର୍ଟିଫିକେଟ୍‌ମାନ ପିଛା ଦେଢ଼ ଲକ୍ଷରୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଇଛି। ଏହା ମଧୢ ନିଃସନ୍ଦେହ ଯେ ଏହା ଆମ ରାଜ୍ୟରେ ଘଟିଥିବା ଏକମାତ୍ର ଏଭଳି ଘଟଣା ହୋଇ ନ ଥିବ; ଅନେକ ନକଲି ସାର୍ଟିଫିକେଟ୍‌ ରାକେଟ୍‌ ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ସନ୍ତର୍ପଣରେ ଚାଲିଛି ଏବ˚ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି ମଧୢ। ସୁତରା˚, ଆଦୌ ପରିଶ୍ରମ ନ କରି ସଫଳତା ସ୍ପର୍ଶ କରିବାର କାମନା ଅସ˚ଖ୍ୟଙ୍କୁ କବଳିତ କରିଛି ଏବ˚ ଏଭଳି ‘ସର୍ଟ କଟ୍‌’ମାନ ଅଗଣିତ ବିନିଦ୍ର ରଜନୀର ପରିଶ୍ରମକୁ ପଣ୍ତ କରିଥାଏ, ଯେଉଁମାନଙ୍କ ସକାଶେ ସଘନ ପରିଶ୍ରମ ହିଁ ସଫଳତାର ଏକମାତ୍ର ‘ସର୍ଟ କଟ୍‌’! କିନ୍ତୁ ଏଭଳି ପ୍ରକରଣରେ ଅଧିକ ବିଡ଼ମ୍ବନାପୂର୍ଣ୍ଣ ହେଲା ଛାତ୍ରଛାତ୍ରୀମାନଙ୍କ ଲାଗି ପଥ ପ୍ରଦର୍ଶକ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅନେକ ‘କୋଚି˚ ସେଣ୍ଟର’ମାନ ହେଉଛନ୍ତି ଏଭଳି ‘ସର୍ଟ କଟ୍‌’ର କ୍ଷେତ୍ର ପ୍ରସ୍ତୁତକାରୀ। ଏହି ପରିପ୍ରେକ୍ଷୀରେ ନିକଟରେ ବହୁଳ ପ୍ରସାରିତ ଏକ ଭିଡିଓ କ୍ଲିପି˚ ମଧୢ ପ୍ରଣିଧାନଯୋଗ୍ୟ, ଯହିଁରେ ଦେଖିବାକୁ ମିଳିଛି ଯେ ଛାତ୍ରର ପିତା ଏବ˚ ଜଣେ ଶିକ୍ଷକ କିଭଳି ମାଟ୍ରିକ ପରୀକ୍ଷାରେ ଛାତ୍ରକୁ କପି ଯୋଗାଇ ଦିଆଯାଇ ପାରିବ ସେ ନେଇ ଆଲୋଚନା ଏବ˚ ମୂଲଚାଲରେ ବ୍ୟାପୃତ! ସୁତରା˚, ପଥ ପ୍ରଦର୍ଶକ ବା ‘ମେଣ୍ଟର’ମାନେ ଏକ ପଥଭ୍ରଷ୍ଟକାରୀ ଭୂମିକାରେ ବିଦ୍ୟମାନ, ଯାହା ହିଁ ଉଦ୍‌ବେଗର କାରଣ!
ଚିକିତ୍ସା ବିଜ୍ଞାନର ବିକାଶ ହେତୁ ମନୁଷ୍ୟ ଅଧିକରୁ ଅଧିକ ଦୀର୍ଘାୟୁ ହୋଇ ଚାଲିଥିବା ସତ୍ତ୍ବେ ସହଳ ସଫଳତା ଲାଭ କରିବାର ପ୍ରବଣତା ଅଧିକରୁ ଅଧିକ ହୋଇ ଚାଲିବା ଏକ ବିରୋଧାଭାସ ନୁହେଁ କି? କିନ୍ତୁ ସମସ୍ତେ ନିର୍ବିଚାରରେ ଏହି ମୂଷା ଦୌଡ଼ରେ ଅନ୍ତର୍ଭୁକ୍ତ, ଯେଉଁ କାରଣରୁ ଆଇନର ଖିଲାପ ହୋଇଥିଲେ ସୁଦ୍ଧା ନାବାଳକ ସନ୍ତାନମାନଙ୍କ ହାତକୁ ସେମାନଙ୍କ ପିତାମାତାମାନେ ଗାଡ଼ିର ଚାବି ବଢ଼ାଇ ଦିଅନ୍ତି ଏବ˚ ଏଭଳି କରୁଥିବା ନେଇ ଅନେକ ଅବାନ୍ତର କାରଣମାନ ମଧୢ ଦର୍ଶାନ୍ତି। ସୁତରା˚, ଏଥିରୁ ଯେଉଁ ଜୀବନ ଦର୍ଶନଟି ଉପଲବ୍‌ଧ ହୋଇଥାଏ, ତାହା ହେଲା ଏକ ଦ୍ରୁତତମ ମୂଷାରେ ପରିଣତ ହେବା ହିଁ ହେଉଛି ଏକମାତ୍ର ଧେୢୟ; ସୁତରା˚, ଯେ କୌଣସି ‘ସର୍ଟ କଟ୍‌’ ଚଳିବ। ଏଭଳି ଆଭିମୁଖ୍ୟ ଏବେ ସର୍ବତ୍ର ଦୃଶ୍ୟମାନ ହେଉଛି; କ୍ରୀଡ଼ା ଭଳି ଏକ ସଘନ ପ୍ରତିଦ୍ବନ୍ଦ୍ବିତାମୂଳକ କ୍ଷେତ୍ରରେ ‘ଆନାବୋଲିକ ଷ୍ଟେରେଏଡ୍‌’ ବା ‘ମ୍ୟାଚ୍‌ ଫିକ୍‌ସି˚’ ଆଦିକୁ ଜନ୍ମ ଦେଇଛି ତ ଉଚ୍ଚାଙ୍ଗ ଗବେଷଣା ଭଳି ଅତ୍ୟନ୍ତ ସ˚ଭ୍ରାନ୍ତ କ୍ଷେତ୍ରରେ ମଧୢ ଅନ୍ୟର ସ˚ଦର୍ଭ ଚୋରି କରି ନିଜ ନାମରେ ପ୍ରକାଶ କରିବାର ଦୃଷ୍ଟାନ୍ତ ସୃଷ୍ଟି କରିଛି। ନକଲି ସାର୍ଟିଫିକେଟ୍‌ ରାକେଟ୍‌ ହେଉ ବା ନାବାଳକମାନଙ୍କ ଦ୍ବାରା ଗାଡ଼ି ଚାଳନା; ଏଭଳି ପ୍ରସଙ୍ଗରେ ‘ଗିରଫଦାରି’ ବା ଦଣ୍ତ କି ଜରିମାନା ବିଶେଷ ଗୁରୁତ୍ବ ରଖି ନ ଥାଏ; କାରଣ ଯେପର୍ଯ୍ୟନ୍ତ ମୂଷା ଦୌଡ଼ ବିଦ୍ୟମାନ ରହିଛି, ସେପର୍ଯ୍ୟନ୍ତ ଦ୍ରୁତତମ ମୂଷା ହେବାର ଲକ୍ଷ୍ୟ ବହନ କରିବା ଓ ସେଥି ଲାଗି ଯେ କୌଣସି ‘ସର୍ଟ କଟ୍‌’କୁ ଏକ ଧେୢୟରେ ପରିଣତ କରିବା ସ୍ବାଭାବିକ ହୋଇ ପଡ଼ିଛି।
ଏହି ପରିପ୍ରେକ୍ଷୀରେ ମହାଭାରତରେ ବର୍ଣ୍ଣିତ ଥିବା ସେହି ବୈଦ୍ୟୁତିକ ଚରିତ୍ର ପରମ ବୀର ଏବ˚ କୃଷ୍ଣ ଭକ୍ତ ବେଲାରସେନ ବା ବାର୍ବାରିକ ସ୍ମରଣକୁ ଆସନ୍ତି, ଯିଏ ମହାଭାରତ ଯୁଦ୍ଧକୁ ନିମିଷକ ମଧୢରେ ସମାପ୍ତ କରି ଦେବାର ସାମର୍ଥ୍ୟ ଶ୍ରୀକୃଷ୍ଣଙ୍କ ସମକ୍ଷରେ ପ୍ରମାଣ କରି ଦେଖାଇ ଦେଇଥିଲେ। ସୁତରା˚, ଶ୍ରୀକୃଷ୍ଣଙ୍କ ଆଜ୍ଞା ମାତ୍ରକେ ସେହି ଠାରେ ହିଁ ମହାଭାରତ ଯୁଦ୍ଧର ପରିଣାମ ଘୋଷିତ ହୋଇ ଯାଇଥାଆନ୍ତା। କିନ୍ତୁ ମହାଭାରତ ସମର ଅଠର ଦିନ ପର୍ଯ୍ୟନ୍ତ ଚାଲୁ ବୋଲି ଭଗବାନ ଶ୍ରୀକୃଷ୍ଣଙ୍କ ଭିଆଣ ଥିଲା, କାରଣ ତଦ୍ଦ୍ବାରା ଧର୍ମ ଓ ସତ୍ୟର ବିଜୟକୁ ସ୍ଥାପନ କରିବା, କ୍ଷତ୍ରିୟ ଐଶ୍ବର୍ଯ୍ୟର ପ୍ରତିଷ୍ଠା କରିବା ବା ଦର୍ପ ଚୂର୍ଣ୍ଣ ହେବାର ପ୍ରକରଣ ଭଳି ଅନେକ ଉଦ୍ଦେଶ୍ୟ ସାଧିତ ହେବାର ଲକ୍ଷ୍ୟ ରହିଥିଲା। ମହାଭାରତରେ ବର୍ଣ୍ଣିତ ଅଛି ଯେ କ୍ଷଣିକରେ ମହାଭାରତ ଯୁଦ୍ଧ ସମାପ୍ତିକୁ ଟାଳିବା ଲାଗି ଭଗବାନ କୃଷ୍ଣ ତାଙ୍କ ପରମ ଭକ୍ତ ବାର୍ବାରିକଙ୍କ ଶିର ଛେଦନର କାରଣ ହୋଇଥିଲେ। ଏହା ଦ୍ବାରା ଈଶ୍ବର ସମ୍ଭବତଃ ଦର୍ଶାଇ ଯାଇଥିଲେ ଯେ ବିଧିର ବିଧାନ ସମୟାନୁସାରୀ, ଯହିଁରେ ‘ସର୍ଟ କଟ୍‌’ର ସ୍ଥାନ ନଥାଏ।
ସନ୍ଥ କବୀରଙ୍କ ଏକ ଦୋହାରେ ମଧୢ ଏହାର ପ୍ରତିଧ୍ବନି ଶୁଣିବାକୁ ମିଳେ, ଯାହାର ମର୍ମାର୍ଥ ହେଲା, ‘ଧୀରେ ଧୀରେ ହିଁ ସବୁ କିଛି ହୋଇଥାଏ, ମାଳୀ ଶହେ ଘଡ଼ା ପାଣି ଢାଲିଲେ ସୁଦ୍ଧା ଋତୁ ଆସିଲେ ହିଁ ବୃକ୍ଷରେ ଫଳ ହୋଇଥାଏ।’ ଏକ ବାସ୍ତବତା ହେଲା, ପ୍ରକୃତିରେ ସବୁ କିଛି ନିର୍ଦ୍ଦିଷ୍ଟ ନିୟମ ଏବ˚ ସମୟ ଅନୁସାରେ ଘଟିଥାଏ, କେବଳ ମନୁଷ୍ୟର ହସ୍ତକ୍ଷେପ ହିଁ ତହିଁରେ ବିଭ୍ରାଟ ସୃଷ୍ଟି କରେ, ଯାହାର ସରଳ ଉଦାହରଣ ହେଲା ବୃକ୍ଷରେ ପାଚୁଥିବା ଫଳ, ଯାହା ଏକ ନିର୍ଦ୍ଦିଷ୍ଟ ଅବଧିରେ ହିଁ ସଂପନ୍ନ ହେଉଥିବା ବେଳେ ମନୁଷ୍ୟର ରାସାୟନିକ ପ୍ରୟୋଗ ତହିଁରେ କୃତ୍ରିମ ଶୀଘ୍ରତା ଆଣିବାକୁ ବ୍ୟାକୁଳ। ଏହା ହିଁ ହେଉଛି ସେହି ମୂଷା ଦୌଡ଼ରେ ସାମିଲ ହେବାର ମନୋବୃତ୍ତି ଯାହା ନକଲି ସାର୍ଟିଫିକେଟ୍‌ ପ୍ରତି ଆକର୍ଷଣ ବା ପରିଶ୍ରମ ନ କରି ସାଫଲ୍ୟ ଲାଭ କରିବାର ମୋହ ଇତ୍ୟାଦିରେ ରୂପ ପାଇଥାଏ। ଭଗବାନ ଶ୍ରୀକୃଷ୍ଣ ସେ ଦିନ ବାର୍ବାରିକ ନାମକ ‘ସର୍ଟ‌୍‌ କଟ୍‌’କୁ ପ୍ରୟୋଗ କରିବାକୁ ଏଥି ପାଇଁ ଚାହିଁ ନ ଥିଲେ ଯେ ତଦ୍ଦ୍ବାରା ମହାଭାରତ ଯୁଦ୍ଧର ଅନେକ ଗୂଢ଼ ମର୍ମ ଉଜାଗର ହୋଇ ନ ପାରି ଅନ୍ତର୍ହିତ ହୋଇଯାଆନ୍ତା। ଏବେ ‘ସର୍ଟ‌ କଟ୍‌’ ପ୍ରତି ଅହେତୁକ ମୋହ ତାହା ହିଁ କରିଛି; ବ୍ୟାପକ ଅର୍ଥରେ ଏହା ମନୁଷ୍ୟର ଅସ୍ତିତ୍ବ ସ˚କଟର କାରଣ ମଧୢ ହେବାକୁ ଲାଗିଛି।

ସମ୍ବନ୍ଧିତ ଖବର