ଖୁଣ୍ଟବନ୍ଧା ମତଦାତା

ଦାଶ ବେନହୁର

ଆମେ ଯେତେ ରାଜନୀତିର କଥା ଆଲୋଚନା କରୁ ସେତେ ଦେଶ ବା ରାଷ୍ଟ୍ରର କଥା ବିବେଚନା କରୁନା। ନିର୍ବାଚନରେ ହାର ଜିତକୁ ନେଇ ଯେତେ ଗଭୀର ବିଶ୍ଳେଷଣ କରୁ ସେତେ‌ ମତଦାତାଙ୍କ କଥା, ଭାଗ୍ୟ ଓ ଭବିଷ୍ୟତ ସମ୍ପର୍କରେ ବିବ୍ରତ ହେଉନା। ଅଥଚ ମତଦାତାମାନେ ହିଁ ପ୍ରତିଟି ଗଣତନ୍ତ୍ରର ଅସଲ ଇନ୍ଧନ। ସେମାନଙ୍କୁ ଛାଡ଼ିଦେଲେ ନା ଗଣତନ୍ତ୍ର ସମ୍ଭବ, ନିର୍ବାଚନ ସମ୍ଭବ ନା ରାଜନୀତି ସମ୍ଭବ!

ଲୋକଙ୍କୁ ନେଇ ଦେଶ। ମାତ୍ର ସବୁଲୋକ ମତଦାତା ବା ଭୋଟର ନୁହନ୍ତି। ନିର୍ଦ୍ଦିଷ୍ଟ ବୟସ ହେଲା ପରେ ନର-ସମାଜରେ ପୁରୁଷ, ନାରୀ ବିବାହଯୋଗ୍ୟ ବା ବିବାହ-ଯୋଗ୍ୟା ହେବା ପରି ବୟସର ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କଲା ପରେ ଯାଇ ଜଣେ ସାବାଳକ ହେବା ସହ ମତଦାତା ହୁଏ। ପାଠ ପଢ଼ାରେ ସ୍ନାତକ ହେବା ଭଳି ଏ ସାବାଳକ କଥା। ଆଗରୁ ଗୁରୁକୁଳମାନଙ୍କରେ ଗୁରୁ, ଶିଷ୍ୟର ଜ୍ଞାନ-ପରୀକ୍ଷା କରି ନିଜେ ସନ୍ତୁଷ୍ଟ ହେଲା ପରେ ସାତଗୋଟି ନଦୀର ପବିତ୍ର ଜଳ ଆଣି ତାକୁ ସ୍ନାନ କରାଉଥିଲେ ଓ ଘୋଷଣା କରୁଥିଲେ ଯେ ଏଣିକି ସେ ସ୍ନାତକ। ଆବଶ୍ୟକ ଜ୍ଞାନରେ ସେ ଏବେ ପରିପୂର୍ଣ୍ଣ ହୋଇଛି। ଜନପଦକୁ ଫେରିଯାଇ ସେ ଏବେ ସାଂସାରିକ ଜୀବନଯାପନ କରିବା ପାଇଁ ଯୋଗ୍ୟ। ସ୍ନାନରୁ ସ୍ନାତକ। ସଚରାଚର ପୃଥିବୀରେ ସବୁ ଶିକ୍ଷାଳୟରେ ଗ୍ରାଜୁଏସନ୍ ବା ଏହି ସ୍ନାତକ ସ୍ତରକୁ ଜ୍ଞାନର ନିର୍ଦ୍ଦିଷ୍ଟ ମାପକାଠି ଭାବରେ ଗ୍ରହଣ କରାଯାଏ। ଗ୍ରାଜୁଏଟ୍‌ ମାନେ ସେ ଜ୍ଞାନରେ ସାବାଳକ ବା ସାବାଳିକା। ଗଣତନ୍ତ୍ର ଲାଗି ଏହି ସାବାଳକ କଥାଟି ଅନୁରୂପ ମହତ୍ତ୍ବ ରଖେ। ଯୋଗ୍ୟ ସାବାଳକମାନେ ହିଁ ଭୋଟର ହେବାର ବା ମତଦାତା ହେବାର ଅଧିକାର ପାଆନ୍ତି। ସମସ୍ତଙ୍କୁ ଯଥା ଶିଶୁ, ବିଚାର-ଅକର୍ମଣ୍ୟ, ବିଦେଶାଗତ ସାମୟିକ ବାସିନ୍ଦା ବା ପର୍ଯ୍ୟଟକ ଏ ସୁଯୋଗ ପାଆନ୍ତି ନାହିଁ। ଯଥାଯଥ ନାଗରିକଟିଏ ଏ ସୁଯୋଗ ପାଏ। ଆଗରୁ ତ ଧନ ଅନୁସାରେ, ଲିଙ୍ଗ ଅନୁସାରେ ଏ ପରିକି ବର୍ଣ୍ଣ ଅନୁସାରେ ବିଚାର କରି ଏ ସୁଯୋଗ ଖୁବ୍ କମ୍ ନାଗରିକଙ୍କୁ ଦିଆଯାଉଥିଲା। ନାରୀ ଓ ଅସ୍ବଚ୍ଛଳ ବର୍ଗ ଏ ଅଧିକାର ସାବ୍ୟସ୍ତ କରିବା ପାଇଁ ସୁଯୋଗ ପାଉ ନ ଥିଲେ। ସମ୍ପ୍ରତି ସେ କଥା ଆଉ ନାହିଁ। ଆମ ଦେଶରେ ଅଠର ବର୍ଷରୁ ଊର୍ଦ୍ଧ୍ବ ସୁସ୍ଥମନର ସମସ୍ତ ସାବାଳକ/ସାବାଳିକା ମତଦାନର ଅଧିକାର ପାଇଛନ୍ତି। ସେଥିପାଇଁ ସେମାନଙ୍କୁ ଭୋଟର ଆଇଡି ବା ମତଦାନ-ପରିଚୟ-ପତ୍ର ମିଳିବାର ବ୍ୟବସ୍ଥା ମଧ୍ୟ ହୋଇଛି। ଜଣେ ଗ୍ରାଜୁଏଟ୍‌ଙ୍କର ପାଠ-ପ୍ରମାଣପତ୍ର ଭଳି ଜଣେ ଭୋଟରଙ୍କ ଲାଗି ଏ ପରିଚୟପତ୍ରଟି ଖୁବ୍ ଗୁରୁତ୍ବପୂର୍ଣ୍ଣ।

ମୂଳ କଥା ହେଲା ଯେ ପର୍ଯ୍ୟନ୍ତ ଗଣତନ୍ତ୍ରରେ ଏ ପରିଚୟପତ୍ରଟି ପବିତ୍ର ଓ ଗୁରୁତ୍ବପୂର୍ଣ୍ଣ ବୋଲି ମତଦାତାମାନେ ନ ଭାବିଛନ୍ତି ସେ ପର୍ଯ୍ୟନ୍ତ ଗଣତନ୍ତ୍ର ସଫଳ ନୁହେଁ ବୋଲି ବୁଝିବାକୁ ହେବ। ସେ ଯାଏ କ୍ଷମତା-ଲୋଲୁପ ସୌଦାଗରମାନେ ଭୋଟରମାନଙ୍କୁ ମେଣ୍ଢାପଲ ବା ଗୋରୁପଲ ମନେ କରି ଖୁଣ୍ଟରେ ବାନ୍ଧିଥିବେ ଓ ମନଇଚ୍ଛା ପଡ଼ିଆ, ପଦର ବୁଲାଉଥିବେ। ପୁରୁଷର ପୁରୁଷତ୍ବ ଭଳି ନାରୀର ନାରୀପଣ ଭଳି ଏ ଭୋଟରତ୍ବ ପ୍ରତ୍ୟେକ ସାବାଳକ ବ୍ୟକ୍ତିର ‌େଗାଟିଏ ମହତ୍ତ୍ବପୂର୍ଣ୍ଣ ସାମାଜିକ ଇଜ୍ଜତ। ଗଣତନ୍ତ୍ରରେ ସେ ଯେତେ ଅଧିକାର ପାଇଥାଏ, ଏ ଅଧିକାରଟି ସେ ଭିତରେ ସବୁଠାରୁ ଅଧିକ ମୂଲ୍ୟବାନ। ଯେଉଁ ସମାଜରେ ନାଗରିକମାନେ ଏ କଥାଟି ବୁଝନ୍ତି ନାହିଁ ସେମାନେ ଗଣତନ୍ତ୍ର-ଅଜ୍ଞ କେବଳ ନୁହନ୍ତି ସର୍ବାଦୌ ଗଣତନ୍ତ୍ର ପାଇଁ ଅଯୋଗ୍ୟ।

ଆମେ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥା ଆସିବାର ପଞ୍ଚସ୍ତରି ବର୍ଷ ବିତିଗଲାଣି। ଆମେ ସ୍ବାଧୀନ ହେବାର ଏତେ ବର୍ଷ ବିତିଗଲାଣି ବୋଲି କୁହାଟ ଛାଡ଼ି ‘‘ଅମୃତ ମହୋତ୍ସବ’’ ପ‌ାଳନ କରୁଛେ। କେଉଁଠି ଅଖଣ୍ଡ ଜ୍ୟୋତି ଜଳିବାର ବ୍ୟବସ୍ଥା ହେଉଛି ତ କେଉଁଠି ଚୂନମରା, ରଙ୍ଗବୋଳା ଚାଲିଛି। ଝାଲର ଝୁଲା ସଙ୍ଗକୁ ବାନା ବୈରଖ ଉଡ଼ୁଛି। ମାତ୍ର ଗଣତନ୍ତ୍ରର ଯେ ମୂଳକଥା- ସାବାଳକ ଭୋଟରର ସମ୍ପୃକ୍ତି, ସଚେତନତା, କର୍ତ୍ତବ୍ୟ ଓ ଦେଶ ପ୍ରତି ସହବଦ୍ଧତା ତା’ର ବିକାଶ ଲାଗି ଆମେ କ’ଣ କରୁଛେ?
ଦେଶ ଜନସଂଖ୍ୟାର ଅର୍ଦ୍ଧାଧିକ ହେଉଛନ୍ତି ଭୋଟର ବା ମତଦାତା। ଭାରତର ସାମ୍ପ୍ରତିକ ଲୋକସଂଖ୍ୟା ୧୪୦ କୋଟିରୁ ଅଧିକ। ସେଥିରୁ ଭୋଟର ହେଲେ ପ୍ରାୟ ୯୦ କୋଟି। ମାତ୍ର ବିଡ଼ମ୍ବନାର କଥା ଯେ ସେ ଭିତରୁ ଅନେକ ସମୟରେ ଅଧାଲୋକ ମଧ୍ୟ ଭୋଟ୍ ଦିଅନ୍ତି ନାହିଁ। ଅର୍ଥାତ୍ ନିଜର ପବିତ୍ର ଅଧିକାରଟିକୁ ସାବ୍ୟସ୍ତ କରନ୍ତି ନାହିଁ। ଏ ଭଳି ନିସ୍ପୃହତା ଏକ ସାମାଜିକ ପାପ ସହ ସମାନ। ପରିସଂଖ୍ୟାନ ଅନୁସା‌େର ଆମ ଦେଶରେ ଏ ସାମାଜିକ ପାପର ଭାଗୀଦାର ହେଉଛନ୍ତି ଅଧିକାଂଶ ଶିକ୍ଷିତ ଓ ବାବୁଭାୟା ନାଗରିକ। ବିଭିନ୍ନ ଧର୍ମର ପର୍ବପର୍ବାଣି ଆସିଲେ ସେ ସବୁ ପାଳନ କରିବା ଲାଗି ଯେଉଁ ସଂଯମତା, ଉତ୍ସାହ ଓ ଆଗ୍ରହ ପ୍ରକାଶ ପାଏ ଅନୁରୂପ ମନୋଭାବ ଗଣତନ୍ତ୍ର ପ୍ରତି ନ ଆସିବା ଯାଏ ଦେଶର ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଶାସନ ପବିତ୍ର ବା ନିର୍ମଳ ହେବ କେମିତି? ଶାସନରେ ଅନିର୍ମଳତା କଥା ନିତି ଆମେ ଆଲୋଚନା କରୁଛୁ ଅଥଚ ତା’ର ମୂଳ ବ୍ୟବସ୍ଥାର ନିର୍ମଳତା ପ୍ରତି ଆମର ଦୃଷ୍ଟି ନାହିଁ। ନିର୍ମଳତା ହିଁ ପବିତ୍ରତା। ଦେଶ କେମିତି ନିର୍ମଳ ହେବ? ରାସ୍ତାଘାଟ ଓଳେଇ ସଫା କରିଦେଲେ ଦେଶ ନିର୍ମଳ ହୁଏ ନାହିଁ। ଦେଶ ପ୍ରତି ଥିବା ଭାବନା ଓ ସମ୍ପୃକ୍ତିରେ ନିର୍ମଳ ସହବୋଧ ନ ଆସିଲେ ରାଷ୍ଟ୍ର ଆପେ ଅନିର୍ମଳ ହୋଇଯାଏ, ବ୍ୟଭିଚାର ବ୍ୟାପେ ଓ ଶାସକ, ନେତା ସଭିଏଁ ସହଜରେ ଭ୍ରଷ୍ଟ ପାଲଟି ଯାଆନ୍ତି।

ମତ ବା ମତଦାନ କେତେ ଗୁରୁତ୍ବପୂର୍ଣ୍ଣ ତାହା ପ୍ରତିଟି ଭୋଟର ନ ବୁଝିବା ଯାଏ ଗଣତନ୍ତ୍ର ମୂଲ୍ୟହୀନ। ଆମେ ସମସ୍ତେ ଜାଣୁ ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂଖ୍ୟାଗରିଷ୍ଠତା ହିଁ ଶାସନ କରିବାର ଅଧିକାର ଦେଇଥାଏ। ଯେଉଁ ବ୍ୟକ୍ତି ବା ଦଳ ପଛରେ ଏ ସଂଖ୍ୟାଗରିଷ୍ଠତା ଥାଏ ସେ ହୁଏ ଶାସନର ନିୟାମକ। ହେଲେ ଏ ସଂଖ୍ୟାଗରିଷ୍ଠତାର ଦାତା କିଏ? ଏହି ଦାତାମାନେ ହେଉଛନ୍ତି ମତଦାତା। ପ୍ରତିଟି ନିର୍ବାଚନରେ ଆଶାୟୀ ପ୍ରାର୍ଥୀମାନଙ୍କୁ ବା ପ୍ରତିଯୋଗୀମାନଙ୍କୁ ଆମେ ମୂଳ ବୋଲି ଭାବୁ ମାତ୍ର ଅସଲରେ ମୂଳ ହେଉଛନ୍ତି ମତଦାତା। ମତଦାତାମାନେ ଭୁଲିଯାଆନ୍ତି ଯେ ପ୍ରତିଯୋଗୀମାନଙ୍କ ଠାରୁ ସେମାନଙ୍କର ଦାୟିତ୍ବ ଅଧିକ। ନିର୍ବାଚନ ମତଦାତାମାନଙ୍କର, ମତଦାତାମାନଙ୍କ ପାଇଁ ଓ ମତଦାତାମାନଙ୍କ ଦ୍ବାରା ହିଁ ସଂଗଠିତ ହୋଇଥାଏ। ଏ କଥା ହୃଦୟଙ୍ଗମ ନ କଲେ ଗଣତନ୍ତ୍ର ସଫଳ ହେବ କେମିତି?

ଏବେ କିଛି ହିସାବ ପତ୍ରକୁ ଆସିବା। ୨୦୧୪ ଠାରୁ ଲଗାତର ଭାବେ ଭାରତୀୟ ଜନତା ଦଳ କେନ୍ଦ୍ରରେ ଶାସନ କରିଆସୁଛନ୍ତି। ୨୦୧୪ ନିର୍ବାଚନରେ ଏ ଦଳ ସମଗ୍ର ଭୋଟ ସଂଖ୍ୟାରୁ ପାଇଥିଲେ ମାତ୍ର ୩୧.୩୪ ଶତାଂଶ। ଏନ୍.ଡି.ଏ ବା ଜାତୀୟ ଗଣତାନ୍ତ୍ରିକ ସଂଗୋଷ୍ଠୀ ପାଇଥିଲେ ୩୮ ଶତାଂଶ। ମାତ୍ର ସଂସଦରେ ଆସନ ଦିଗରୁ ସଂଖ୍ୟାଗରିଷ୍ଠ ଆସନ ଲାଭ କରି ବି.ଜେ.ପି. ହିଁ ଶାସନ ଦାୟିତ୍ବ ନେଇଛନ୍ତି। ୨୦୧୯ରେ ଏଥିରେ ପରିବର୍ତ୍ତନ ଆସି ବି.ଜେ.ପି. ୩୭.୪ ଶତାଂଶ ମତ ପାଇଥିବାବେଳେ ଏନ୍‌.ଡି.ଏ. ଦଳ ପାଇଥିଲେ ୪୫ ପ୍ରତିଶତ। ଉଭୟ ନିର୍ବାଚନରେ କଂଗ୍ରେସ ଦଳ ୧୯.୫ ପ୍ରତିଶତ ପାଇ ତୃତୀୟ ସ୍ଥାନରେ ହିଁ ରହିଲେ। ୨୦୧୯, ୧୧ ଏପ୍ରିଲ୍‌ରୁ ୧୯ ମେ ମାସ ଭିତରେ ସପ୍ତଦଶ ଲୋକସଭା ପାଇଁ ଯେଉଁ ସାତଥାକିଆ ନିର୍ବାଚନ ହେଲା ସେଥିରେ ଶତକଡ଼ା ୬୭ ଭାଗ ମତଦାତା ମତ ଦେଇଥିଲେ। ଏହା ଥିଲା ଭାରତୀୟ ନିର୍ବାଚନ ଇତିହାସରେ ସର୍ବାଧିକ। ମହିଳାମାନଙ୍କ ଯୋଗଦାନ ବି ଥିଲା ସବୁଥର ଠାରୁ ଅଧିକ। ହେଲେ ପ୍ରଶ୍ନ ଉଠେ ଏ ୬୭ କାହିଁକି? ବାକି ୩୩ ଗଲେ କୁଆଡ଼େ? ଏ ଦେଶ କ’ଣ ସେମାନଙ୍କର ନୁହେଁ ନା ଏ ନିର୍ବାଚନର ଫଳାଫଳ ଅନୁସାରେ ସେମାନେ ଶାସିତ ହେବେ ନାହିଁ? ସମସ୍ତ ମତଦାତା ମତ ପ୍ରଦାନ କରିଥିଲେ ଯେ ଫଳ ଅଲଗା ହୋଇନଥା’ନ୍ତା ତାହା ଅସ୍ବୀକାର କରାଯାଇ ନ ପାରେ।

ମତଦାତାମାନଙ୍କର ଏ ଭଳି ଅସଂପୃକ୍ତି ଭାବ ହିଁ ଗଣତନ୍ତ୍ର ପ୍ରତି ବିପଦ। ଖୁଣ୍ଟ ନ ଥିଲେ ଗୃହପାଳିତ ଜୀବ ଏଣେତେଣେ ବୁଲେ। ଆମେ ସ୍ବାଧୀନ ଦେଶର ନାଗରିକ ହେଲେ ସମସ୍ତେ ନାଗରିକତ୍ବ ଖୁଣ୍ଟରେ ବନ୍ଧା। ନାଗରିକ କହିଲେ ତା’ର ଦାୟିତ୍ବ ନାହିଁ କେବଳ ଅଧିକାର ଅଛି ଏ ଭଳି ଭାବିବା ଚରମ ଅବିମୃଶ୍ୟକାରିତା। ଅତଏବ ନାଗରିକତାର ଖୁଣ୍ଟରେ ନିଜଆଡ଼ୁ ନିଜକୁ ବାନ୍ଧି ଭୋଟ୍ ଦେବା ଭଳି ପବିତ୍ର ଗଣତାନ୍ତ୍ରିକ ଦାୟିତ୍ବ ତୁଲାଇବା ପ୍ରତ୍ୟେକ ଭାରତୀୟ ସାବାଳକଙ୍କର ପରମ କର୍ତ୍ତବ୍ୟ। ଅଧିକାର ବେଳକୁ ପାଟିତୁଣ୍ଡ ଅଥଚ ଦାୟିତ୍ବ ବେଳକୁ ଶ୍ମଶାନର ନିରବତା।

ଅପରପକ୍ଷରେ ଏ ଖୁଣ୍ଟବନ୍ଧା କଥାଟି ଆମକୁ ଆହୁରି ଗୋଟିଏ ଗୁରୁତର ଦିଗ ଆଡ଼କୁ ଟାଣି ନେଉଛି। କଥାଟି ହେଲା ନାଗରିକ ସିନା ନିଜକୁ ନାଗରିକ ଦାୟିତ୍ବରେ ବାନ୍ଧି ରଖିବ ହେଲେ ତା’ର ଯେ ବିଚାର-ସ୍ବାଧୀନତା? ଆଜି ମତଦାତାଙ୍କ ଭିତରୁ କେତେ ଶତାଂଶ ସ୍ବାଧୀନ ଭାବରେ ମତବ୍ୟକ୍ତ କରୁଛନ୍ତି? ସେ ହିସାବ ଆମ ପାଖରେ ଅଛି କି? ନିର୍ବାଚନ-ଶାସ୍ତ୍ରୀମାନେ ଏ ଦଳ ଆଡ଼କୁ ଏତେ ମତ ଦୋଳି ଖେଳିଲା, ସେତେ ମତ ଖସିଗଲା ଏ ସବୁ କଥାର ବିଚାର କରନ୍ତି ହେଲେ ଆଜି ଯାଏ କେହି କ’ଣ ହିସାବ କରିଛି ସମ୍ପୂର୍ଣ୍ଣ ମତଦାନରୁ କେତେ କିଣାବିକା ହେଇଛି, କେତେ ଦଳ ପାଖରେ ବନ୍ଧା ପଡ଼ିଥିବା ବନ୍ଧୁଆ-ମତଦାତା ଅଛନ୍ତି ବା କେତେ ଭୋଟ୍ ବଳାତ୍କାର ଆଧାରରେ ଲୁଣ୍ଠିତ ହୋଇ ଆସିଛି?
ଧର୍ମରକ୍ଷା ପାଇଁ ଓଷା ଉପବାସ କଥା ପଡ଼ିଲେ ଧାର୍ମିକ ସମ୍ପ୍ରଦାୟଗୁଡ଼ିକର କାନ ଠିଆ ହୋଇଯାଏ ମାତ୍ର ପ୍ରତିଟି ଦଳ ଯେ ପହିଲେ ଗଣତନ୍ତ୍ର-ଧର୍ମ ରକ୍ଷାକାରୀ ଏବଂ ଭୋଟ୍‌ଦାନ, ନିର୍ବାଚନ ତହିଁର ମୁଖ୍ୟ ପୂଜାର୍ଚ୍ଚନା ସେ କଥା କ’ଣ ସେମାନେ ବିବେଚନା କରନ୍ତି? ଜନସାଧାରଣ କ’ଣ ଭାବନ୍ତି, ଗଣତନ୍ତ୍ର ଆମର ପ୍ରଶାସନିକ ଧର୍ମ? ଗଣତନ୍ତ୍ରର ଜାତି ନାହିଁ, ସମ୍ପ୍ରଦାୟ ନାହିଁ, ତୋ’ର ମୋର ନାହିଁ। ଗଣତନ୍ତ୍ର ହିଁ ଆମର ରାଷ୍ଟ୍ରଧର୍ମ। ଏ ଧର୍ମଟି ପୁରାଣ କାହାଣୀର କଳ୍ପବଟ ଭଳି। ହିନ୍ଦୁ ସଂଖ୍ୟାଗରିଷ୍ଠ ଦେଶରେ ଏହା ଜଣେ ମୁସଲମାନଙ୍କୁ ବି ରାଷ୍ଟ୍ରମୁଖ୍ୟ କରେ, ସାମାଜିକ ଭାବେ କେଉଁ ପ୍ରାଚୀନକାଳରୁ ଅବହେଳିତ ମଣିଷଙ୍କ ମେଳରୁ ଟେକିଆଣି ଜଣଙ୍କୁ ରାଷ୍ଟ୍ରପତି ଆସନରେ ବସାଏ, ନିରୀହ ସଚ୍ଚୋଟ ପାଞ୍ଚଫୁଟିଆ ଲୋକଟିକୁ ଦେଶର ସର୍ବୋଚ୍ଚ ଶାସନ ଦାୟିତ୍ବ ଦିଏ, ଚା’-ବିକାଳି ପିଲା ବଡ଼ ହେଲେ ତା’କୁ ପ୍ରଧାନମନ୍ତ୍ରୀ କରିପାରେ ପୁଣି କେଉଁଠି ହାଣ୍ଡିଶାଳରୁ ଟେକିଆଣି ଗୃହିଣୀଙ୍କୁ ମୁଖ୍ୟମନ୍ତ୍ରୀ ଆସନ ଦିଏ ତ ଗେରୁବସ୍ତ୍ର ପିନ୍ଧା ବାବାଜିକୁ ବି ମୁଖ୍ୟମନ୍ତ୍ରୀ କରେ। ଗଣତନ୍ତ୍ର ଧନୀ ଗରିବଙ୍କୁ ଏକାକାର କରେ। ଲିଙ୍ଗ, ବର୍ଣ୍ଣ, ସମ୍ପ୍ରଦାୟ ଗଣତନ୍ତ୍ର ଗଢ଼େନା। ସମାନତା, ସ୍ବାଧୀନତା, ଭ୍ରାତୃତ୍ବ ଓ ନ୍ୟାୟର ସର୍ବାଧିକ ସୁରକ୍ଷା ଗଣତନ୍ତ୍ର ହିଁ ଦେଇପାରେ।

ଏହି ‘‘ଦେଇପାରେ’’କୁ ‘‘ଦେଉଛି’’ରେ ପରିଣତ କରିବାର ଅସଲ ଦାୟିତ୍ବ ରହିଛି ‌େଭାଟ୍‌ଦାତା/ମତଦାତାଙ୍କ ଉପରେ। ସେଇଥିପାଇଁ ତ କୁହାଯାଇଛି, ଗଣତନ୍ତ୍ରରେ ତୁମେ ଯେମିତି, ସେମିତିକା ସରକାର ବା ଶାସନ ତୁମେ ପାଇବ। ଏ କଥା ରାଜତନ୍ତ୍ର, ଅଭିଜାତତନ୍ତ୍ର, ସାମରିକତନ୍ତ୍ର କିମ୍ବା ବଳାତ୍କାରତନ୍ତ୍ରରେ ସମ୍ଭବ ନୁହେଁ। ମତଦାତା ଯେମିତି ସରକାର ପାଇଁ ପ୍ରାର୍ଥୀ ନିର୍ବାଚିତ କରିବେ ସେମିତି ଶାସନ ପାଇବେ। ନାଇଁ ଶୋଇ ରହିବେ ତ ଭାଲୁ ଆସି ଉଠେଇ ବଣକୁ ଘେନିଯିବ। ତା’ପରେ ଆପେ ନିଦ ହଜିଯିବ ଆଖିରୁ।
ରାଜନୈତିକ ଦଳମାନେ ମତଦାତାଙ୍କ ଗୁରୁତ୍ବ କଥା ସବୁଠାରୁ ଅଧିକ ବୁଝନ୍ତି। କାରଣ ସେମାନେ ଜାଣନ୍ତି ମତଦାତାରୂପକ ସୈନିକ ଶ୍ରେଣୀ ବିନା ନିର୍ବାଚନ ଲଢ଼େଇରେ ଜିଣିବା ଅସମ୍ଭବ। ନିର୍ବାଚନ ଏକ ‌ଲଢ଼େଇ-ମଇଦାନ। ସେଥିରେ ଗୁଳି, ଗୁଳା, ହାଣ କାଟର ବ୍ୟବସ୍ଥା ନାହିଁ। ନିର୍ବାଚନ କହିଲେ ତାହା ହିଂସାରହିତ ହେବା ଲୋଡ଼ା। ଯେଉଁଠାରେ ଏହା ସହିତ ହିଂସାକୁ ଯୋଡ଼ି ଦିଅାଯାଉଛି ସେଠି ବୁଝିବାକୁ ହେବ ଯେ ଗଣତନ୍ତ୍ର ଭଳି ଏକ ସମ୍ଭ୍ରାନ୍ତ ପୋଷାକ ପିନ୍ଧିବାକୁ ସେମାନେ ଅଯୋଗ୍ୟ। ମାଙ୍କଡ଼କୁ ମୁକୁଟ ସାଜିବ କେମିତି?
ଅପରପକ୍ଷରେ ପ୍ରତିଟି ମତଦାତା ପୂଜା ପୂର୍ବରୁ ନିଜକୁ ପରିଷ୍କୃତ କରିବା ପରି ପହିଲେ ନିଜକୁ ସ୍ବାଧୀନ କରିବା ଦରକାର। ଏ ସ୍ବାଧୀନତାର ଅର୍ଥ ନୁହେଁ କୌଣସି ନୀତି ବା ଆଦର୍ଶର ଅନୁଗାମୀ ନ ହେବା। ମାତ୍ର କୌଣସି ଆଦର୍ଶର ଅବିଚାରିତ ସମର୍ଥନ ହିଁ ମଣିଷକୁ ପଶୁଭଳି ଗୋଟିଏ ଖୁଣ୍ଟରେ ବାନ୍ଧିଦିଏ। ଥରେ ବେକ ଦେଖେଇ ପଘାରେ ବେକ ଗଳେଇ ଦେଲା ପରେ ମଣିଷ ତା’ର ସ୍ବାଧୀନତା ହରେଇ ଦିଏ, ସ୍ବାଧୀନ-ବିଚାର ତା’ ମୁଣ୍ଡରୁ ଆପେ ଅପସରି ଯାଏ।

ଆଜିକାଲି କିନ୍ତୁ ଆଦର୍ଶ ଆଧାରରେ ମତଦାତାମାନଙ୍କୁ ଖୁଣ୍ଟରେ ବାନ୍ଧିବା ଲାଗି କୌଣସି ରାଜନୈତିକ ଦଳ ଆଗ୍ରହୀ ନୁହନ୍ତି, ତା’ର କାରଣ ସେମାନଙ୍କର ଆଉ ଦଳଗତ ଆଦର୍ଶ ବୋଲି କିଛି ନାହିଁ। ବାମ ପନ୍ଥୀ, ଦକ୍ଷିଣ ପନ୍ଥୀ, ମଧ୍ୟମ ପନ୍ଥୀ ସଭିଏଁ ସମାନ। କେବଳ ଗୋଟିଏ ଲକ୍ଷ୍ୟ ଯେନତେନ ପ୍ରକାରେଣ କ୍ଷମତା ହାସଲ। ଖାସ୍ ଏଇଥିପାଇଁ ସୁବିଧା ସୁଯୋଗ ନାଆଁରେ ଯେଉଁ ଦଳ କ୍ଷମତାକୁ ଆସିଲା ସରକାରୀ ଅର୍ଥକୁ ନେଇ ଖୁଣ୍ଟ ତିଆରି କରିବାରେ ସେ ବିନିଯୋଗ କରୁଛି। ଦେଶ ବା ରାଜ୍ୟର ଅର୍ଥ ଯେ ଜନସାଧାରଣ‌ଙ୍କର, ସେ ଭାବନା ସେମାନଙ୍କ ଲାଗି ନିରର୍ଥକ। ଆମେ କ୍ଷମତାକୁ ଆସିଛୁ ମାନେ ଖୁଣ୍ଟ ତିଆରି କରିବୁ। ସରକାରୀ ସାହାଯ୍ୟ ନାଆଁରେ ପାରିଲା ଲୋକକୁ ନିପାରିଲା କରି ଖୁଣ୍ଟରେ ବାନ୍ଧିଦେବୁ। ସେଇଠି ମେଲିଦେବୁ କୁଣ୍ଡା ତୋରାଣି କୁଣ୍ଡ। ତେଣିକି ସେମାନେ ଖୁଣ୍ଟବନ୍ଧା ବନ୍ଧୁଆ ମତଦାତା। ସଂଖ୍ୟାଗରିଷ୍ଠ ମତଦାତା ଚୁଲିକୁ ଯାଆନ୍ତୁ, ଆମର କାମଚଳା ଶତାଂଶ ମିଳିଗଲେ ଯାଏ। କହିବାର ଅଛି, ଏବେ ଚାରିଆଡ଼େ ଖୁଣ୍ଟ। ସାବଧାନ! ସରକାରୀ ଦଳ ପଘା ଧରି ସବୁଆଡ଼େ ବୁଲୁଛନ୍ତି।
dashbenhur.53@gmail.com

ସମ୍ବନ୍ଧିତ ଖବର