ଏକ ଅର୍ଥନୀତିରେ ପ୍ରାଣ ସଞ୍ଚାର କରିବା ନିମିତ୍ତ ସରକାରୀ ବ୍ୟୟକୁ ଆୟୁଧ ରୂପେ ବ୍ୟବହାର କରିବା ତତ୍ତ୍ବର ଜନକ ରୂପେ ସ୍ବୀକୃତ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ଅର୍ଥନୀତିଜ୍ଞ ଜନ୍‌ ମେନାର୍ଡ କେନ୍‌ସ ତାଙ୍କର ସର୍ବପ୍ରସିଦ୍ଧ ପୁସ୍ତକ, ‘ଦି ଜେନେରାଲ୍‌ ଥିଓରି ଅପ୍‌ ଏମ୍ପ୍ଲଏମେଣ୍ଟ, ଇଣ୍ଟେରେଷ୍ଟ ଆଣ୍ଡ୍‌ ମନି’ରେ ଏ ସମ୍ପର୍କରେ ପ୍ରାଚୀନ ମିଶର (ଇଜିପ୍‌ଟ)ର ଯେଉଁ ଉଦାହରଣ ପ୍ରଦାନ କରିଥିଲେ, ତାହା ଏବେ ବି ଏହି ମତବାଦର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ଏକ ପ୍ରକୃଷ୍ଟ ଉଦାହରଣ ରୂପେ ବ୍ୟବହୃତ ହୋଇଥାଏ। କେନ୍‌ସଙ୍କ ଉପରୋକ୍ତ ଉଦାହରଣର ସାରମର୍ମ ଥିଲା ଏଇଭଳି: ପ୍ରାଚୀନ ଇଜିପ୍‌ଟର କି˚ବଦନ୍ତିମୂଳକ ସମ୍ପଦ ମୂଳରେ ଥିଲା ସେ ଦେଶର ଦ୍ବିବିଧ ସୌଭାଗ୍ୟ, ଯାହା ଥିଲା ସେଠାରେ ପ୍ରାଧାନ୍ୟ ବିସ୍ତାର କରିଥିବା ଦୁଇଟି କାର୍ଯ୍ୟ- ପିରାମିଡ୍‌ ନିର୍ମାଣ ଓ ମୂଲ୍ୟବାନ୍‌ ଧାତୁ ଅନୁସନ୍ଧାନ। ଏଥିରେ ସନ୍ଦେହ ନାହିଁ ଯେ ପିରାମିଡ୍‌ ନିର୍ମାଣ ଦ୍ବାରା କୌଣସି ଅର୍ଥନୈତିକ ଭିତ୍ତିଭୂମି ସୃଷ୍ଟି ହୋଇନଥାଏ, କିନ୍ତୁ କେନ୍‌ସ ଯାହା ସୂଚାଇବାକୁ ଚାହୁଁଥିଲେ ତାହା ହେଲା, ରାଷ୍ଟ୍ର ପିରାମିଡ୍‌ ନିର୍ମାଣ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରୁଥିଲା, ଯାହା ଆୟ ସୃଷ୍ଟି କରି ଚାହିଦାରେ ରୂପାନ୍ତରିତ ହେଉଥିଲା।
କେନ୍‌ସ ହେଉଛନ୍ତି ପ୍ରଥମ ଅର୍ଥନୀତିଜ୍ଞ ଯିଏ ଅର୍ଥନୀତିରେ ସାମଗ୍ରିକ ଚାହିଦାର ଗୁରୁତ୍ବ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ଯଦି ସରକାରଙ୍କ ଖର୍ଚ୍ଚ ମାଧ୍ୟମରେ ଉତ୍ପାଦନଶୀଳ ପ୍ରକଳ୍ପ ବା ଭିତ୍ତିଭୂମି ସୃଷ୍ଟି ହୋଇପାରେ, ତାହା ଆହୁରି ଭଲ। କେନ୍‌ସ ରହସ୍ୟ କରି ଲେଖିଥିଲେ ଏହି କାରଣରୁ ଗୋଟିଏ ପିରାମିଡ୍‌ ସ୍ଥାନରେ ଦୁଇଟି ପିରାମିଡ୍‌ ନିର୍ମାଣ ସର୍ବଦା ଅଧିକ ସ୍ବାଗତଯୋଗ୍ୟ ହୋଇଥାଏ; କିନ୍ତୁ ଲଣ୍ଡନ୍‌ରୁ ୟର୍କ ପର୍ଯ୍ୟନ୍ତ ଯଦି ଗୋଟିଏ ରେଳପଥ ନିର୍ମିତ ହୋଇସାରିଥାଏ, ତେବେ ସେଠାରେ ଏକ ଦ୍ବିତୀୟ ରେଳପଥ ନିର୍ମାଣର ପ୍ରଶ୍ନ ଉଠି ନ ଥାଏ। କେନ୍‌ସ ଯେତେବେଳେ ୧୯୩୬ରେ ସରକାରୀ ବ୍ୟୟ ସପକ୍ଷରେ ଏଭଳି ଯୁକ୍ତି ଉପସ୍ଥାପନ କରିଥିଲେ ସେତେବେଳେ ଯେଉଁ ଜ୍ଞାନ କୌଶଳ ଉପଲବ୍‌ଧ ଥିଲା ଓ ବ୍ରିଟେନ୍‌ର ଅର୍ଥନୀତି ସମ୍ମୁଖରେ ଯେଉଁ ସମ୍ଭାବନା ମାନ କଳ୍ପନା କରାଯାଇ ପାରୁଥିଲା, ‌େସ ପରିପ୍ରେକ୍ଷୀରେ ସେ ଲଣ୍ଡନ୍‌ରୁ ୟର୍କ ପର୍ଯ୍ୟନ୍ତ ଏକ ଦ୍ବିତୀୟ ରେଳପଥ ନିର୍ମାଣ ବ୍ୟତୀତ ବ୍ରିଟେନ୍‌ରେ ରେଳପଥର ଅନ୍ୟ କୌଣସି ପ୍ରକାର ବିକାଶ କଥା ଚିନ୍ତା କରି ପାରିନଥିଲେ।

Advertisment

କିନ୍ତୁ ଆକାର ଓ ସମ୍ଭାବନା ଦୃଷ୍ଟିରୁ ଭାରତ ହେଉଛି ଆଜି କ୍ଷୁଦ୍ର ବ୍ରିଟେନ୍‌ ତୁଳନାରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଦେଶ ଏବଂ ୨୦୨୩ ହେଉଛି ଏକ ସମ୍ପୂର୍ଣ୍ଣ ଭିନ୍ନ ସମୟ। କେନ୍‌ସଙ୍କର ସେଦିନର ଉପଦେଶକୁ ତେଣୁ ଅନୁସରଣ କରି ସରକାର କିଭଳି ଆହୁରି ବହୁଗୁଣ ଅଧିକ ପ୍ରଭାବଶାଳୀ ଢଙ୍ଗରେ ନିଜର ଖର୍ଚ୍ଚ ମାଧ୍ୟମରେ କେବଳ ଚାହିଦାକୁ ପରିପୁଷ୍ଟ କରିବାକୁ ନୁହେଁ, ଅର୍ଥନୀତିର ଉତ୍ପାଦନ କ୍ଷମତାରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇବାକୁ ଉଦ୍ୟମ କରିପାରନ୍ତି, ତାହା ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ତାଙ୍କର ପଞ୍ଚମ ବଜେଟ୍‌ରେ ପ୍ରଦର୍ଶିତ କରିଛନ୍ତି। ସେ ତାଙ୍କର ବଜେଟ୍‌ରେ ଦେଇଥିବା ପ୍ରସ୍ତାବ ଅନୁସାରେ ଦେଶରେ ‌ପୁଞ୍ଜି ସଂରଚନା ବାବଦରେ ଯେଉଁ ବିଶାଳ ୧୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ତାହା ହେଉଛି ପୂର୍ବ ତୁଳନାରେ ଏକ ତୀକ୍ଷ୍‌ଣ ୩୩ ଶତାଂଶ ଅଧିକ। କେନ୍‌ସକୁ ଯାହା ଆମୋଦିତ କରନ୍ତା, ତାହା ହେଲା ଏହାର ପ୍ରାୟ ଏକ-ଚତୁର୍ଥାଂଶ ନିବେଶ ହେବ ଭାରତୀୟ ରେଳବାଇରେ। କହିବା ବାହୁଲ୍ୟ କେନ୍‌ସ ରହସ୍ୟରେ କହିଥିବା ଭଳି ଏହା ଲଣ୍ଡନ୍‌ରୁ ୟର୍କ ପର୍ଯ୍ୟନ୍ତ ଏକ ଦ୍ବିତୀୟ ରେଳପଥ ନିର୍ମାଣ ଭଳି କୌଣସି ନିରର୍ଥକ ପ୍ରକଳ୍ପରେ ବ୍ୟୟ ହେବ ନାହିଁ, ଏହି ବିଶାଳ ପାଣ୍ଠିର ପ୍ରତିଟି ଟଙ୍କା ଭାରତୀୟ ରେଳବାଇର କ୍ଷମତା ଓ ଦକ୍ଷତାରେ ଉଲ୍ଲେଖନୀୟ ଉନ୍ନତି ହାସଲ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯିବ। ସରକାର ଆସନ୍ତା ବିତ୍ତବର୍ଷରେ ପୁଞ୍ଜି ଗଠନ ବାବଦରେ ଏ ଯେଉଁ ବିଶାଳ ପରିମାଣର ପାଣ୍ଠି ଖର୍ଚ୍ଚ କରିବେ, ତାହା ପିରାମିଡ୍‌ ନିର୍ମାଣ ପରି କୌଣସି ଅନୁତ୍ପାଦକ କାର୍ଯ୍ୟରେ ନିୟୋଜିତ ନ ହୋଇ ଅର୍ଥନୀତିର ଉତ୍ପାଦନକ୍ଷମତା ସହିତ ନିଯୁକ୍ତି ସୃଷ୍ଟି କ୍ଷମତାରେ ବୃଦ୍ଧି ଘଟାଇବା ପାଇଁ ଉଦ୍ଦିଷ୍ଟ।

ଏଥି ସହିତ ସୀତାରମଣ ତାଙ୍କ ବଜେଟ୍‌ରେ ଆଉ ଯେଉଁ ଏକ ଅତ୍ୟନ୍ତ ସ୍ବାଗ‌ତଯୋଗ୍ୟ ପଦକ୍ଷେପ ନେଇଛନ୍ତି, ତାହା ହେଉଛି ସେ ବ୍ୟକ୍ତିଗତ ଆୟ କରକୁ ସରଳୀକୃତ କରି କାର୍ଯ୍ୟକାରୀ କରିଥିବା ଏକ ନୂତନ ଢାଞ୍ଚା। ଉଲ୍ଲେଖ ନି‌ଷ୍ପ୍ରୟୋଜନ ଯେ ସରଳତା କୌଣସି ଏକ ଟିକସ ବ୍ୟବସ୍ଥାର ଅନ୍ୟତମ ଆଦର୍ଶ ଚରିତ୍ର ହୋଇଥିଲେ ହେଁ, ଆୟକର ଢାଞ୍ଚା ଏ ପର୍ଯ୍ୟନ୍ତ ତାହାର ସମ୍ପୂର୍ଣ୍ଣ ବିପରୀତ ହୋଇଆସିଛି। ନୂତନ ଢାଞ୍ଚା ସେଥିରେ ଅନ୍ତ ଘଟାଇବ ବୋଲି ଆଶା। ଏହା ମଧ୍ୟବିତ୍ତ ଶ୍ରେଣୀ ଉପରେ ଟିକସର ବୋଝ କମାଇବା ପାଇଁ ମଧ୍ୟ ଉଦ୍ଦିଷ୍ଟ। ଏହାର ଏକ ପାର୍ଶ୍ବ ପ୍ରଭାବ ସ୍ବରୂପ ମଧ୍ୟବିତ୍ତ କରଦାତାମାନଙ୍କର ଟିକସ ବୋଝ ହ୍ରାସ‌ ହେବା ଯୋଗୁଁ ସେମାନଙ୍କ ପାଖରେ ଯେଉଁ ଉଦ୍‌ବୃତ୍ତ ଆୟ ଉପଲବ୍‌ଧ ହେବ, ତାହା ବଜାରରେ ପହଞ୍ଚି ସାମଗ୍ରିକ ଚାହିଦାରେ ବୃଦ୍ଧି ଘଟାଇ ଶିଳ୍ପ ବାଣିଜ୍ୟକୁ ପ୍ରୋତ୍ସାହିତ କରିବ।

ବିଗତ ବର୍ଷମାନଙ୍କରେ ଘରୋଇ ଶିଳ୍ପକୁ ସୁରକ୍ଷା ପ୍ରଦାନ ନିମିତ୍ତ ବହିର୍ବାଣିଜ୍ୟ ଶୁଳ୍‌କ (କଷ୍ଟମ୍‌ସ ଡ୍ୟୁଟି)ରେ ବୃଦ୍ଧି ଘଟାଯିବା ଏକ ନିୟମିତ ଧାରାରେ ପରିଣତ ହୋଇଥିଲା। ଏଥର ବଜେଟ୍‌ରେ ସେଥିରେ ପରିବର୍ତ୍ତନ ଘଟି କେବଳ କାର୍ପସ ଦ୍ରବ୍ୟ ଓ କୃଷିଜାତ ଦ୍ରବ୍ୟ ମାନଙ୍କ ବ୍ୟତୀତ ଅନ୍ୟ ସମସ୍ତ ଦ୍ରବ୍ୟ ପାଇଁ କଷ୍ଟମ୍‌ସ ଡ୍ୟୁଟିରେ ହ୍ରାସ ଘଟାଇ ୨୧ ଶତାଂଶ ସ୍ଥାନରେ ୧୩ ଶତାଂଶ କରି ଦିଆଯାଇଛି। ଏହାର ମଧ୍ୟ ଏକ ସମ୍ଭାବ୍ୟ ପାର୍ଶ୍ବ ପ୍ରଭାବ ଅର୍ଥନୀତି ପାଇଁ ଅନୁକୂଳ ହୋଇପାରେ। କାରଣ, ଭାରତରୁ ରପ୍ତାନି କରାଯାଉଥିବା ଅନେକ ଦ୍ରବ୍ୟରେ ବ୍ୟବହୃତ ହେଉଥିବା ଯନ୍ତ୍ରାଂଶ ଆଦି ବିଦେଶରୁ ଆମଦାନି ହୋଇଥାଏ। ଉଚ୍ଚା କଷ୍ଟମ୍‌ସ ଡ୍ୟୁଟି ତେଣୁ ବିଦେଶ ବଜାରରେ ଭାରତୀୟ ରପ୍ତାନି ଦ୍ରବ୍ୟକୁ ମହଙ୍ଗା କରି ପ୍ରତିଯୋଗିତା କରିବାରେ ବାଧକ ସାଜିଥାଏ। କଷ୍ଟମ୍‌ସ ଡ୍ୟୁଟିରେ ହ୍ରାସ ଭାରତୀୟ ରପ୍ତାନିକୁ ତେଣୁ ଅଧିକ ପ୍ରତିଯୋଗିତାକ୍ଷମ ହେବାରେ ସହାୟକ ହେବ।

ଏଥିସହିତ ସରକାର ପୁଞ୍ଜି ନିବେଶକମାନଙ୍କ ପ୍ରତି ଲାଗୁ ହେଉଥିବା କ୍ୟାପିଟାଲ ଗେନ୍‌ସ ଟିକସରେ କିିମ୍ବା ସରକାରୀ ଋଣରେ ବିଶେଷ ବୃଦ୍ଧି ନ ଘଟାଇ ମଧ୍ୟ ରାଜ‌େକାଷୀୟ ନିଅଣ୍ଟରେ ସଂକୋଚନ ଘଟାଇ ୬.୪ ଶତାଂଶରୁ ଆସନ୍ତା ବର୍ଷ ୫.୯ ସ୍ତରକୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଯାହା ଅଧିକାଂଶ ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି, ତାହା ହେଲା ଆଗକୁ ସାଧାରଣ ନିର୍ବାଚନ ଆସୁଥିଲେ ହେଁ, ନିୟମିତ ଧାରା ଭଙ୍ଗ କରି ଏହି ବଜେଟ୍‌ରେ ତଥାକଥିତ କୌଣସି ଦାରିଦ୍ର୍ୟ-ବିରୋଧୀ ଦାତବ୍ୟ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସ୍ବାଧୀନତୋତ୍ତର ଭାରତରେ ଅନୁସୃତ ହୋଇ ଆସୁଥିବା ‘ଦରିଦ୍ର ରାଜନୀତି’ରେ ଏହି ବଜେଟ୍‌ ଯବନିକା ପକାଇବ କି?