ନିକଟରେ ସମରକନ୍ଦରେ ଆୟୋଜିତ ‘ସା˚ଘାଇ କୋଅପରେସନ ଅର୍ଗାନାଇଜେସନ୍‌’ ବା ‘ଏସ୍‌.ସି.ଓ.’ ଶିଖର ସମ୍ମିଳନୀରୁ ଯେଉଁ ଉକ୍ତି ଦ୍ବୟ ନିସୃତ ହୋଇ ଅଗତ୍ୟା ପୃଥିବୀକୁ କିଛିଟା ସାନ୍ତ୍ବନା ଦେଇଥିଲା, ତାହାର ପ୍ରଦାନକାରୀ ଥିଲେ ଯଥାକ୍ରମେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବ˚ ରୁଷୀୟ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ସେହି ସମୟରେ ଏହି ଦୁଇ ନେତାଙ୍କ ମଧୢରେ ଅନୁଷ୍ଠିତ ଏକ ସାକ୍ଷାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଅତ୍ୟନ୍ତ ସ୍ପଷ୍ଟତାର ସହିତ ଯାହା କହିଥିଲେ, ତାହା ହେଲା ସା˚ପ୍ରତିକ ସମୟ ଯୁଦ୍ଧର ସମୟ ନୁହେଁ, ବର˚ ଗଣତନ୍ତ୍ର ଏବ˚ କୂଟନୀତିର ସମୟ; ଏବ˚ ସେହି ଅବସରରେ ଭ୍ଲାଡିମିର ପୁଟିନ ମଧୢ ଆଶ୍ବାସନା ପ୍ରଦାନ କରିବା ଭଳି କହିଥିଲେ ଯେ ୟୁକ୍ରେନ୍‌ ଏବ˚ ରୁଷିଆ ମଧୢରେ ଚାଲିଥିବା ଯୁଦ୍ଧର ଶୀଘ୍ର ଅବସାନ ଘଟିବ। ତେବେ ବିଡ଼ମ୍ବନା ହେଲା, ସମରକନ୍ଦରୁ ଏଭଳି ଆଶାବାଦର ଆଭାସ ମିଳିବାର ମାତ୍ର ସପ୍ତାହକ ନ ପୂରୁଣୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଦତ୍ତ ତାଙ୍କ ଭାଷଣରେ ପୁଟିନ ସ୍ପଷ୍ଟ କରି ସାରିଲେଣି ଯେ ନିଜ ରାଷ୍ଟ୍ରର ସାର୍ବଭୌମତ୍ବ ଏବ˚ ନାଗରିକଙ୍କ ସୁରକ୍ଷା ସକାଶେ ରୁଷିଆ ଏକ ଅନ୍ତିମ ଓ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ, ଯହିଁରେ ଆବଶ୍ୟକ ହେଲେ ପରମାଣୁ ଅସ୍ତ୍ରର ବ୍ୟବହାର କରାଯାଇପାରେ ଏବ˚ ଏହା ଏକ ତୁଚ୍ଛା ଧମକ ମାତ୍ର ନୁହେଁ! ଏଭଳି ସ୍ଥିତିରେ ସମରକନ୍ଦରୁ ଶୁଭିଥିବା ଉପରୋକ୍ତ ଉକ୍ତି ଦ୍ବୟର ଏକ ବିଶେଷ ବ୍ୟାଖ୍ୟାନର ଆବଶ୍ୟକତା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

Advertisment

ପ୍ରକାଶ ଥାଉ କି ପୁଟିନଙ୍କ ଏହି ନିର୍ଣ୍ଣାୟକ ଯୁଦ୍ଧ ସକାଶେ ସମର ପ୍ରଶିକ୍ଷିତ ପ୍ରାୟ ୩ ଲକ୍ଷ ରୁଷୀୟ ନାଗରିକଙ୍କୁ ରୁଷ ସେନା ସହିତ ସମର କ୍ଷେତ୍ରରେ ଯୋଗ ଦେବାର ଯୋଜନା କରାଯାଉଛି। ୟୁକ୍ରେନ୍‌ ସହିତ ଯୁଦ୍ଧରେ ଅତ୍ୟନ୍ତ ନିଷ୍ପ୍ରଭ ପ୍ରଦର୍ଶନ ହେତୁ ରୁଷିଆ ଏଭଳି ଚରମ ହତାଶାଜନିତ ପ୍ରତିକ୍ରିୟା ପ୍ରଦର୍ଶନ କରୁଛି ବୋଲି ୟୁକ୍ରେନ୍‌ ପକ୍ଷରୁ କୁହାଯାଉଥିଲେ ସୁଦ୍ଧା ଅନେକ ରାଜନୈତିକ ବିଶେଷଜ୍ଞ, କୌତୂହଳପୂର୍ଣ୍ଣ ଭାବେ, ଏଥିରେ ସମରକନ୍ଦରେ ପୁଟିନଙ୍କ ଦ୍ବାରା ପ୍ରଦତ୍ତ ଯୁଦ୍ଧ ଅବସାନକୁ ନେଇ ପ୍ରତିଶ୍ରୁତିର ପୂରଣ ଦିଗରେ ପ୍ରୟାସକୁ ଦେଖିଥାଆନ୍ତି! ସେମାନଙ୍କ ମତରେ ପୁଟିନ ସମ୍ଭବତଃ ଗୋଟିଏ ବୃହତ୍‌, କ୍ରୂର ଏବ˚ ଅନ୍ତିମ ଯୁଦ୍ଧ ସହିତ ଏକ ଅତ୍ୟନ୍ତ ହାହାକାରମୟ ସ୍ଥିତିରେ ଯୁଦ୍ଧର ସମାପ୍ତି ଘଟାଇବାକୁ ଚାହାନ୍ତି! ତେଣୁ ଏହା ସହିତ ଶାନ୍ତିପୂର୍ଣ୍ଣ ଭାବେ ଏହି ଯୁଦ୍ଧର ପରିସମାପ୍ତିର ଆଶା ମଉଳି ଗଲା ଭଳି ଲାଗିଥାଏ।

ଏବେ ସମରକନ୍ଦ ଠାରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପ୍ରଦତ୍ତ ଅତ୍ୟନ୍ତ ବିବେଚନାପୂର୍ଣ୍ଣ ବକ୍ତବ୍ୟକୁ ବିଚାର କରିବା। କହିବା ଅନାବଶ୍ୟକ ଯେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ଯୁକ୍ତରାଷ୍ଟ୍ର ଆମେରିକା ଏବ˚ ଫ୍ରାନ୍‌ସ ସମେତ ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ର ପ୍ରଶ˚ସାସୂଚକ ସମର୍ଥନ ଜ୍ଞାପନ କରିଛନ୍ତି। ଏବଂ ଏହି ସ˚ଦର୍ଭରେ ପ୍ରସିଦ୍ଧ ଆମେରିକୀୟ ରାଜନୈତିକ ବିଦ୍ବାନ ଫ୍ରାନ୍‌ସିସ୍‌ ଫୁକୁୟାମାଙ୍କ ବହୁଳ ଚର୍ଚ୍ଚିତ ପୁସ୍ତକ ମଧ୍ୟ ସ୍ମରଣକୁ ଆସିଥାଏ, ଯାହାର ଶୀର୍ଷକ ‘ଏଣ୍ତ୍‌ ଅଫ୍‌ ହିଷ୍ଟ୍ରି’ (ଇତିହାସର ପରିସମାପ୍ତି)। ସେହି ପୁସ୍ତକରେ ଫୁକୁୟାମା କହିଛନ୍ତି ଯେ ଏକବି˚ଶ ଶତାବ୍ଦୀର ପ୍ରବେଶ ସହିତ ଶୀତଳ ଯୁଦ୍ଧର ଅବସାନ ଘଟି ସାରିଥିବାରୁ ଏଣିକି ପୃଥିବୀର ରାଷ୍ଟ୍ରଗଣ ପାଶ୍ଚାତ୍ୟ ପୁ˚ଜିବାଦର ଛତ୍ର ତଳେ ଏକତ୍ର ହୋଇ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିବେ। ସୁତରା˚, ସେ ଏକବି˚ଶ ଶତାବ୍ଦୀରେ ଏକ ଯୁଦ୍ଧ-ଘନଘଟା ମୁକ୍ତ ପୃଥିବୀ ସ˚ପର୍କରେ ଅନ୍ଦାଜ ଲଗାଇ ଥିଲେ, ଯାହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବକ୍ତବ୍ୟରେ ପ୍ରତିଧ୍ବନିତ ହୋଇଥାଏ। କିନ୍ତୁ ଉଲ୍ଲେଖ ଥାଉ ଯେ ଏକ ନିଷ୍ଠୁର ବିଡ଼ମ୍ବନା ସ୍ବରୂପ ଫୁକୁୟାମାଙ୍କ ତତ୍ତ୍ବକୁ ଅଚିରେ ମିଥ୍ୟା ପ୍ରମାଣିତ କରିବା ସକାଶେ କୌଣସି ବିଚକ୍ଷଣ ବିଦ୍ବାନଙ୍କ ବଦଳରେ ଆବିର୍ଭୂତ ହୋଇଥିଲା ‘ଅଲ କାଏଦା’, ଯାହାର ଆକ୍ରମଣରେ ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ଉତ୍ତୁଙ୍ଗ ‘ବିଶ୍ବ ବାଣିଜ୍ୟ କେନ୍ଦ୍ର’ ଇମାରତ ଦ୍ବୟ ନିଶ୍ଚିହ୍ନ ହୋଇଯାଇଥିଲେ ଏବ˚ ଏକବି˚ଶ ଶତାବ୍ଦୀର ପ୍ରାରମ୍ଭ ହେଉ ନ ହେଉଣୁ ‘ଆତଙ୍କବାଦ ବିରୋଧରେ ଯୁଦ୍ଧ’ ନାମରେ ପ୍ରଥମ ସମର ଆଫଗାନିସ୍ତାନ ଉପରେ ଆମେରିକାର ଆକ୍ରମଣ ସହିତ ଆରମ୍ଭ ହୋଇଥିଲା। ଏବ˚ ଇତିମଧୢରେ ଅତିକ୍ରାନ୍ତ ହୋଇଥିବା ଦୁଇ ଦଶନ୍ଧି ଭିତରେ କଙ୍ଗୋ, ସୁଦାନ, ସୋମାଲିଆ, ନାଇଜେରିଆ, ସିରିଆ, ଇରାକ୍‌, ୟେମେନ୍‌, ଆଫଗାନିସ୍ତାନ ଏବ˚ ୟୁକ୍ରେନ୍‌ ଠାରେ ଆଠଟି ଦୀର୍ଘ କାଳୀନ ଏବ˚ ଅବର୍ଣ୍ଣନୀୟ ଭାବେ ରକ୍ତର˚ଜିତ ଯୁଦ୍ଧ ଏବ˚ ଗୃହ ଯୁଦ୍ଧମାନ ଘଟି ସାରିଲାଣି, ଯହିଁରୁ କେତେକ ଅତ୍ୟନ୍ତ ଦୋଦୁଲ୍ୟମାନ ଓ ଅସ୍ପଷ୍ଟ ପରିସମାପ୍ତିର ସୂଚନା ଦେଇଥିବା ବେଳେ ଅବଶିଷ୍ଟ ଏ ଯାବତ୍‌ ଜୀବନ୍ତ ରହି ଧନ ଓ ଜୀବନ ନାଶ କରିବାରେ ଲାଗିଛନ୍ତି। ସୁତରା˚, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ପ୍ରଦତ୍ତ ଉକ୍ତି ଯେ ‘ବର୍ତ୍ତମାନ ଯୁଦ୍ଧର ଯୁଗ ନୁହେଁ’ କେବଳ ମାତ୍ର ଏକ ଆଶାବାଦ ସ˚ଚାରକାରୀ ଉଚ୍ଚାରଣ ରୂପେ ଦିଶିଥାଏ।

ଏହି ପରିପ୍ରେକ୍ଷୀରେ ଆଉ ଏକ ଦୃଷ୍ଟାନ୍ତ ମଧୢ ପ୍ରଣିଧାନଯୋଗ୍ୟ। ସଦ୍ୟ ତାଇଵାନ ଉପରେ ଘୋଟି ରହିଥିବା ଯୁଦ୍ଧର ବାଦଲ ସୃଷ୍ଟି ହେବା ପଛରେ ଆମେରିକାର ଏକ ଅପରିଣାମଦର୍ଶୀ ଆଚରଣକୁ ଦେଖି ହୋଇ ନ ଥାଏ କି? ଚୀନ୍‌ର ବାରମ୍ବାର ବାରଣ ସତ୍ତ୍ବେ ଯୁକ୍ତରାଷ୍ଟ୍ର ଆମେରିକାର ‘ହାଉସ୍‌ ଅଫ୍‌ ରିପ୍ରେଜେ˚ଟେଟିଭ୍‌ସ’ର ସ୍ପିକର‌୍‌ ନାନ୍‌ସି ପେଲୋସିଙ୍କ ଅନାବଶ୍ୟକ ତାଇଵାନ ଗସ୍ତ ହିଁ ଏଭଳି ଯୁଦ୍ଧ ପ୍ରାୟ ପରିସ୍ଥିତି ସୃଷ୍ଟି କରିଛି, ଯହିଁରେ ଚୀନର ସମ୍ଭାବ୍ୟ ଆକ୍ରମଣ ମୁହଁରେ ତାଇଵାନର ତ୍ରାଣକର୍ତ୍ତା ଭାବେ ଆମେରିକା ଉଭା ହୋଇ ସୈନ୍ୟ ଏବ˚ ସାମରିକ ସର˚ଜାମ ସହିତ ପ୍ରସ୍ତୁତ ହେଲାଣି। ଏହା ସତ ଯେ ପୃଥିବୀ ସମକ୍ଷରେ ଚୀନ ଏକ ଯୁଦ୍ଧଖୋର, ସାମ୍ରାଜ୍ୟବାଦୀ ଏବ˚ ଏକଛତ୍ରବାଦୀ ରାଷ୍ଟ୍ର ରୂପେ ପରିଚିତ; କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା ତ ଏକ ଶାନ୍ତିକାମୀ ଗଣତନ୍ତ୍ର! ତେବେ ସେହି ରାଷ୍ଟ୍ର ପୁଣି କାହିଁକି ଚୀନ ଅନୁରୂପ ଏକ ଯୁଦ୍ଧଖୋର ରାଷ୍ଟ୍ର ଭଳି ବ୍ୟବହାର ପ୍ରଦର୍ଶନ କରୁଛି? ଏହା ପଛରେ ରାଷ୍ଟ୍ର ନେତୃ ବର୍ଗଙ୍କ ଅହମିକା ପୂର୍ତ୍ତିର ଏକ ଦୁର୍ବାର ଆଗ୍ରହ ଅଛି କି? ତେଣୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉକ୍ତିକୁ ସମର୍ଥନ କରୁଥିବା ଆମେରିକା, ରୁଷିଆର ଦୋଷଦର୍ଶୀ ହୋଇଥିବା ବେଳେ ଆତ୍ମନିରୀକ୍ଷଣ କରିଥାଏ କି?

ଏଠାରେ ଉଲ୍ଲେଖ ଥାଉ କି ଅନ୍ତିମ ଓ ନିର୍ଣ୍ଣାୟକ ଯୁଦ୍ଧରେ ଅବତୀର୍ଣ୍ଣ ହେବାକୁ ବାହରିଥିବା ଭ୍ଲାଡିମିର ପୁଟିନ ଆଗାମୀ ଶୀତ ଋତୁରେ ୟୁରୋପକୁ ଏକ ଦାରୁଣ ଶକ୍ତି ସ˚କଟ ମଧୢକୁ ଠେଲି ଦେଇ ଅବର୍ଣ୍ଣନୀୟ ଜାଡ଼ରେ ତାର ମଞ୍ଜ ଥରାଇ ଦେବାକୁ ମସୁଧା କରୁଛନ୍ତି। ସେଥିଲାଗି ସେ ୟୁରୋପକୁ ଗ୍ୟାସ ଯୋଗାଣ ବନ୍ଦ କରିବାକୁ ଏକ ଅସ୍ତ୍ର ରୂପେ ବ୍ୟବହାର କଲେଣି। ଏହା ଦ୍ବାରା ଯେଉଁ ଶକ୍ତି ସ˚କଟ ସୃଷ୍ଟି ହେବ, କୁହାଯାଉଛି ଯେ ସେଥିରେ ସଂପୂର୍ଣ୍ଣ ୟୁରୋପ ଊଣାଅଧିକେ ଆକ୍ରାନ୍ତ ହେବ; କୁହାଯାଉଛି ସ୍ଥିତି ଏଭଳି ହୋଇପାରେ ଯେ ଇ˚ଲାଣ୍ତର ୨୫ ପ୍ରତିଶତ ପରିବାର ଆଗାମୀ ଶୀତ କାଳରେ ନିଜ ବାସଗୃହକୁ ଉଷୁମ ରଖିବାରେ ଅସମର୍ଥ ହୋଇପାରନ୍ତି। ଏହା କିଭଳି ଯାତନାର କାରଣ ହେବ ତାହା ବୁଝାଇ କହିବାର ଆବଶ୍ୟକତା ନାହିଁ।

ଏହି ପରିପ୍ରେକ୍ଷୀରେ ଷଷ୍ଠ ଦଶକରେ ଆମେରିକୀୟ କବି ଜେମ୍‌ସ ପାଟ୍ରିକ କିମିଙ୍କ ଦ୍ବାରା ରଚିତ ଏକ ଚମତ୍କାର କବିତା ସ୍ମରଣକୁ ଆସେ, ଯାହାର ଶୀର୍ଷକ ‘ଦ କୋଲ୍‌ଡ ଵିଦିନ୍‌’ (ଅନ୍ତରର ଶୀତ)। ତହିଁରେ ବର୍ଣ୍ଣନା ରହିଛି କିଭଳି ଏକ ଅସହ୍ୟ ଶୀତ ରାତିରେ ଏକ ଧୁନି ଚାରି କଡ଼େ ବସି ନିଆଁ ସେକୁଥିବା ଛଅ ଜଣ ବ୍ୟକ୍ତି ପ୍ରତ୍ୟେକ ନିଜ ପାଖରେ କାଠ ଖଣ୍ତିଏ ଲେଖାଁ ରଖିଥିବା ସତ୍ତ୍ବେ ପାରସ୍ପରିକ ବିଦ୍ବେଷର ବଶବର୍ତ୍ତୀ ହୋଇ ନିଆଁ ତେଜିବାରେ ତାର ଉପଯୋଗ କରି ନ ଥିଲେ। କହିବା ବାହୁଲ୍ୟ ଯେ ପର ଦିନ ସକାଳେ ଏକ ଲିଭି ଯାଇଥିବା ନିଆଁ କୁଣ୍ତ ପାଖରେ ସେମାନେ ସମସ୍ତେ ମରି ପଡ଼ିଥିବା ଦେଖାଯାଇଥିଲା, ଯାହାକୁ ଲକ୍ଷ୍ୟ କରି କିମି ଲେଖିଛନ୍ତି ଯେ ସେମାନେ କେହି ଶୀତ ଋତୁର ଅସହନୀୟ ଥଣ୍ତାରେ ଜୀବନ ହାରି ନ ଥିଲେ, ସେମାନଙ୍କ ମୃତ୍ୟୁର କାରଣ ଥିଲା ସେମାନଙ୍କ ‘ଅନ୍ତରର ଶୀତ।’ ଏବେ ମଧୢ ସମତୁଲ ଦୃଶ୍ୟ ଅଭିନୀତ ହେଉଥିବା ଦେଖିବାକୁ ମିଳୁନାହିଁ କି? ସତ କଥା ହେଲା ରାଷ୍ଟ୍ର ପରିଚାଳନା କରୁଥିବା ନେତାମାନଙ୍କ ‘ଅନ୍ତରରେ ଶୀତ’ ବଳବତ୍ତର ରହିଥିବା ପର୍ଯ୍ୟନ୍ତ ପୃଥିବୀ ପାଇଁ ଆରାମଦାୟକ ଉଷ୍ମତା ଲାଭ ଏକ ଦୁରନ୍ତ ସ୍ବପ୍ନ ହୋଇ ରହିବ।