ଆଜି ଆମେ ୭୩ତମ ଥର ପାଇଁ ଗଣତନ୍ତ୍ର ଦିବସ ପାଳନ କରୁଛୁ। ଭାରତୀୟମାନେ ଗଣତନ୍ତ୍ରର ଉପାସକ ବୋଲି ଦୁନିଆ ଆଗରେ ସଗର୍ବରେ ଘୋଷଣା କରିବା ପାଇଁ ଏହି ଦିବସକୁ ଯେଉଁ ଭଳି ଜାକଜମକରେ ପାଳନ କରିଥା’ନ୍ତି, ଅନ୍ୟ କୌଣସି ଜାତୀୟ ଉତ୍ସବକୁ ସେପରି ପାଳନ କରାଯାଇ ନ ଥାଏ, ଆଉ ଏହାର ସାକ୍ଷୀ ରୂପେ ନିମନ୍ତ୍ରିତ ହୋଇ ଅନ୍ୟ କୌଣସି ବାହାର ଦେଶର ରାଷ୍ଟ୍ର ମୁଖ୍ୟ ବା ଶାସନ ମୁଖ୍ୟ ମଧ୍ୟ ସାଧାରଣତଃ ଏହି ଉତ୍ସବରେ ଉପସ୍ଥିତ ଥା’ନ୍ତି। କିନ୍ତୁ ଚୀନା କରୋନା ନାମକ ଆଉ ଏକ ଅନାହୂତ ଅନୁପ୍ରବେଶକାରୀ ବିଗତ ପ୍ରାୟ ଦୁଇ ବର୍ଷ ଧରି ଆମର ଜନଜୀବନର ପ୍ରତ୍ୟେକ ଅଂଶକୁ କ୍ଷତବିକ୍ଷତ କଲା ଭଳି ଗଣତନ୍ତ୍ର ଦିବସ ଉତ୍ସବ ପାଳନକୁ ମଧ୍ୟ ଘୋର ସଂକୁଚିତ କରିଛି। ଏହାର ପ୍ରଭାବରେ ଲଗାତାର ଦ୍ବିତୀୟ ବର୍ଷ ପାଇଁ ଆଜି ଦିଲ୍ଲୀର ରାଜପଥ ଠାରେ ପାଳିତ ଉତ୍ସବରେ ଚିତ୍ତାକର୍ଷକ ପରେଡ୍ ପରିଦର୍ଶନ କରିବା ପାଇଁ କୌଣସି ବିଦେଶୀ ଗଣ୍ୟମାନ୍ୟ ଅତିଥି ଉପସ୍ଥିତ ହେବେ ନାହିଁ। ସେହିପରି ଉତ୍ସବ ସ୍ଥଳୀରେ ଅନୁମତିପ୍ରାପ୍ତ ଦର୍ଶକ ସଂଖ୍ୟାକୁ ସମ୍ପୂର୍ଣ୍ଣ ସଂକୁଚିତ କରିଦିଆଯିବା ସହିତ ଉତ୍ସବ ପାଳନର ଅବଧିକୁ ମଧ୍ୟ ସଂକ୍ଷିପ୍ତ କରି ଦିଆ ଯାଇଛି। ସେଠାରେ କୋଭିଡ୍ ଆଚରଣ ବିଧି ମଧ୍ୟ କଡ଼ାକଡ଼ି ପାଳନ କରାଯାଉଛି- ମାସ୍କ୍‌ ପରିଧାନ ଠାରୁ ଆରମ୍ଭ କରି ଶରୀର ତାପମାନ ପରୀକ୍ଷଣ, ସାମାଜିକ ଦୂରତା ରକ୍ଷା ତଥା ହସ୍ତ ବିଶୋଧନ ପର୍ଯ୍ୟନ୍ତ। ତେବେ ଏହି ଶୀର୍ଣ୍ଣକାୟ ପ୍ରଦର୍ଶନରେ ମଧ୍ୟ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହିତ ୯ଟି ମନ୍ତ୍ରଣାଳୟ ଓ ବିଭାଗମାନଙ୍କର ଚିତ୍ତାକର୍ଷକ ପ୍ରଜ୍ଞାପନ ମେଢ଼ ଶୋଭାଯାତ୍ରାର ଶ୍ରୀ ବୃଦ୍ଧି କର‌ିବେ।

Advertisment

ରାଜପଥ ଉପରେ ଆକାଶରେ ଅବଶ୍ୟ ବିମାନ ବାହିନୀ ଦ୍ବାରା ଯେଉଁ ଫ୍ଲାଏ ପାଷ୍ଟ୍ ଅନୁଷ୍ଠିତ ହେବ, ତାହା ଅତୀତର ଏଭଳି ପ୍ରଦର୍ଶନମାନଙ୍କ ତୁଳନାରେ ବୃହତ୍ତମ ଓ ଚମକପ୍ରଦ ହେବ ବୋଲି ଭାରତୀୟ ବାୟୁସେନା ତରଫରୁ ପ୍ରକାଶ କରାଯାଇଛି; ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ଉପଲକ୍ଷେ ଏଥିରେ ରେକର୍ଡ ସଂଖ୍ୟକ ୭୫ଟି ବିମାନ ଅଂଶ ଗ୍ରହଣ କରିବେ। ବିମାନ ବାହିନୀ ତା’ର ଶକ୍ତି ପ୍ରଦର୍ଶନ ସ୍ବରୂପ ତା’ର ପ୍ରଦର୍ଶନ ମେଢ଼ରେ ‘ଲାଇଟ୍ କମ୍ବାଟ୍ ହେଲିକପ୍ଟର୍’ (ଏଲ୍‌ସିଏଚ୍) ଓ ସେଥିରେ ଖଞ୍ଜା ଯାଇଥିବା ‘ଧ୍ରୁବାସ୍ତ୍ର’ କ୍ଷେପଣାସ୍ତ୍ର, ‘ଆଶ୍ଳେଷ’ ଏମ୍‌କେ ୧ ରାଡାର୍ ଆଦି ପ୍ରଦର୍ଶିତ କରିବା ସହିତ ନାଟ୍, ରାଫାଲ୍, ମିଗ୍-୨୧ ଆଦି ଯୁଦ୍ଧ ବିମାନ ମାନ ଆଦି ମଧ୍ୟ ସ୍ଥାନିତ କରିବ। ‘ଡିଆର୍‌ଡିଓ’ ମଧ୍ୟ ଦୁଇଟି ପ୍ରଜ୍ଞାପନ ମେଢ଼ରେ ଏହି ସାମରିକ ଗବେଷଣା ସଂସ୍ଥା ଦ୍ବାରା ନିର୍ମିତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ ଉପକରଣମାନ ପ୍ରଦର୍ଶିତ କରି ଗଣତାନ୍ତ୍ରିକ ଭାରତର ସାମରିକ ଆତ୍ମନିର୍ଭରଶୀଳତା ସମ୍ବନ୍ଧରେ ଦୁନିଆକୁ ଏକ ସୂଚନା ପ୍ରଦାନ କରିବ। ପ୍ରଥମ ଥର ପାଇଁ ଜାନୁଆରି ୨୯ର ‘ବିଟିଙ୍ଗ୍ ରିଟ୍ରିଟ୍’ ଉତ୍ସବରେ ଏକ ଡ୍ରୋନ୍ ଉଡ଼ାଣ ପ୍ରଦର୍ଶନ ମଧ୍ୟ ଆୟୋଜିତ ହେବାକୁ ଯାଉଛି, ଯାହା ଏ କ୍ଷେତ୍ରରେ ମଧ୍ୟ ଭାରତ ହାସଲ କରିଥିବା ପାରଦର୍ଶିତାର ପ୍ରମାଣ ବହନ କରିବ।

ଗଣତନ୍ତ୍ରର ଏହି ବାର୍ଷିକ ମହୋତ୍ସବ ପାଳନକୁ ଭାରତୀୟମାନେ କେତେ ଗୁରୁତ୍ବ ପ୍ରଦାନ କରନ୍ତି, ତାହାର ଏକ ଭିନ୍ନ କିସମର ପ୍ରମାଣ ଏଥର ଦେଖିବାକୁ ମିଳିଛି ଯେତେବେଳେ ସେମାନଙ୍କ ରାଜ୍ୟର ପ୍ରଜ୍ଞାପନ ମେଢ଼ ଦିଲ୍ଲୀ ପରେଡ୍‌ରେ ଅନ୍ତର୍ଭୁକ୍ତ ନ ହେବାରୁ ତାମିଲନାଡ଼ୁ, କେରଳ, ପଶ୍ଚିମବଙ୍ଗ ପରି ରାଜ୍ୟ ସରକାରମାନେ ଏହା ବିରୋଧରେ ପ୍ରତିବାଦ ସ୍ବରୂପ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ଏ ଦୃଷ୍ଟିରୁ ଦେଖିଲେ ଜାନୁଆରି ୨୬ରେ ଗଣତନ୍ତ୍ର ଦିବସ ପାଳନକୁ ଭାରତୀୟମାନଙ୍କର ଗଣତନ୍ତ୍ର ପ୍ରତି ସମର୍ଥନର ଏକ ଶକ୍ତିଶାଳୀ ବାର୍ଷିକ ନବୀକରଣ ବୋଲି ବିଚାର କରାଯାଇପାରେ। ଏହାର ଅର୍ଥ ଅବଶ୍ୟ ନୁହେଁ ଯେ ବିଗତ ସାତ ଦଶନ୍ଧିରୁ ଅଧିକ କାଳ ଧରି ଏଠାରେ ଗଣତନ୍ତ୍ର ଏକ ସମ୍ପୂର୍ଣ୍ଣ ଦୋଷମୁକ୍ତ ଆଦର୍ଶ ରାଜନୈତିକ ବ୍ୟବସ୍ଥା ରୂପେ କାର୍ଯ୍ୟ କରିଆସିଛି। ବାସ୍ତବରେ ଦେଖିବାକୁ ଗଲେ ପ୍ରାଚୀନ ଗ୍ରୀକ୍ ଦାର୍ଶନିକ ସକ୍ରେଟିସ୍, ପ୍ଲାଟୋ ଆଦି ଯେଉଁ ସମସ୍ତ ଅବିଗୁଣ ଯୋଗୁଁ ଗଣତନ୍ତ୍ରକୁ ବିରୋଧ କରୁଥିଲେ, ଭାରତୀୟ ଗଣତନ୍ତ୍ରରେ ସେ ସମସ୍ତ ଦୁର୍ବଳତା ପରିଦୃଷ୍ଟ ହୋଇଥାଏ। ଉଦାହରଣ ସ୍ବରୂପ ତାଙ୍କ ନିଜର ରାଜନୈତିକ ଦର୍ଶନ ବହନ କରୁଥିବା ତାଙ୍କର ପ୍ରସିଦ୍ଧ ରଚନା ‘ରିପବ୍ଲିକ୍’ର ଛତ୍ରେ ଛତ୍ରେ ପ୍ଲାଟୋ ଯେଉଁ ସବୁ କାରଣ ଯୋଗୁଁ ଗଣତନ୍ତ୍ରର ବିରୋଧ କରିବା ଦେଖା ଯାଇଥାଏ, ସେ ସମସ୍ତ ଭାରତୀୟ ଗଣତନ୍ତ୍ର ପ୍ରତି ପ୍ରଯୁଜ୍ୟ ହେବା ଭଳି ମନେ ହୋଇଥାଏ।

ଗଣତନ୍ତ୍ର ହେଉଛି ଗଣ ଦ୍ବାରା ରାଷ୍ଟ୍ର ଶାସନ। ପ୍ଲାଟୋଙ୍କ କହିବା କଥା, ଏହି ଗଣଙ୍କ ଠାରେ ସୁଶାସନ ପାଇଁ ଆବଶ୍ୟକ ବୁଦ୍ଧି ଓ ଜ୍ଞାନର ଅଭାବ ଥାଏ; ସେମାନେ କେବଳ ଅର୍ଥର ଆଦର କରନ୍ତି; ସେମାନଙ୍କର କ୍ଷୁଧା ହେଉଛି କେବଳ ଶାରୀରିକ ଓ ସେମାନଙ୍କର ଆବେଗ ହେଉଛି ସର୍ବଦା ପରିବର୍ତ୍ତନଶୀଳ ଓ ଅପ୍ରତ୍ୟାଶିତ; ଏବଂ କୁହାଳିଆ ନେତାମାନେ ସହଜରେ ସେମାନଙ୍କୁ ପ୍ରଭାବିତ କରି ନିଜର ଉଦ୍ଦେଶ୍ୟ ସାଧନ ପାଇଁ ବ୍ୟବହାର କରିପାରନ୍ତି। ତାଙ୍କର ପ୍ରସିଦ୍ଧ କଥୋପକଥନ (ଡାଏଲଗ୍) ‘ପ୍ରୋଟାଗୋରାସ୍‌’ରେ ପ୍ଲାଟୋ ପ୍ରଶ୍ନ କରିଛନ୍ତି: ତୁମର ଶରୀର ଅସୁସ୍ଥ ହେଲେ ସ୍ବାସ୍ଥ୍ୟ ଫେରାଇ ଆଣିବା ପାଇଁ ଉପାୟ ନିର୍ଦ୍ଧାରଣ ପାଇଁ କ’ଣ ସଂଖ୍ୟାଗରିଷ୍ଠ ମତଦାନର ସାହାଯ୍ୟ ନିଆଯାଏ ନା ଏକ ଯୋଗ୍ୟ ଚିକିତ୍ସକଙ୍କ ଉପଦେଶ ଲୋଡ଼ା ଯାଏ? ଆମେ ତା’ହେଲେ କାହିଁକି ରାଷ୍ଟ୍ରର ସ୍ବାସ୍ଥ୍ୟ ରକ୍ଷା ଭଳି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ କୌଣସି ବିଶେଷ ଜ୍ଞାନ ନ ଥିବା ଗଣଙ୍କ ହାତରେ ନ୍ୟସ୍ତ କରିବା? ପ୍ଲାଟୋ ସେଥିରେ କହିଛନ୍ତି ଯେ ଏଥେନ୍‌ସବାସୀମାନେ ଗୃହ ନିର୍ମାଣ କରିବାକୁ ହେଲେ ମିସ୍ତ୍ରିଙ୍କୁ ଡାକନ୍ତି, ବୋଇତ ନିର୍ମାଣ କରିବାକୁ ହେଲେ ବୋଇତ ନିର୍ମାତାଙ୍କୁ ଡାକନ୍ତି, ଜୋତା ତିଆରି ପାଇଁ ଚର୍ମକାରଙ୍କୁ ଲୋଡ଼ନ୍ତି; କିନ୍ତୁ ରାଷ୍ଟ୍ରର କୌଣସି ବ୍ୟାପାର ସମାଧାନ ଆବଶ୍ୟକ ହେଲେ ମିସ୍ତ୍ରି, ବଢ଼େଇ, ବଣିକ, ଚର୍ମକାର, ବୋଇତ କପ୍ତାନ୍‌ରୁ ଆରମ୍ଭ କରି ଧନୀ, ଦରିଦ୍ର, ପଣ୍ଡିତ, ମୂର୍ଖ... ସମସ୍ତେ ଉପଦେଶ ଦେବାକୁ ବାହାରି ପଡ଼ନ୍ତି। ପ୍ଲାଟୋଙ୍କ ମତରେ ତେଣୁ ଏଭଳି ଗଣତନ୍ତ୍ର ଠାରୁ ଅଧିକ ଦୋଷଯୁକ୍ତ ବ୍ୟବସ୍ଥା ଆଉ କ’ଣ ହୋଇ ପାରେ?

ପ୍ଲାଟୋ ବର୍ଣ୍ଣିତ ଏ ସମସ୍ତ ଚାରିତ୍ରିକ ଦୁର୍ବଳତା ବହନ କରୁଥିବା ଗଣତନ୍ତ୍ର ଭାରତରେ ଏତେ କାଳ ଧରି ସୁସ୍ଥ ଭାବରେ ତିଷ୍ଠି ରହିଛି କିପରି? ଏହାର ଉତ୍ତର ବୋଧହୁଏ ଆବିଷ୍କାର କରିଥିଲେ ପ୍ରସିଦ୍ଧ ବୈଜ୍ଞାନିକ ଓ ପରିସଂଖ୍ୟାନବିତ୍ ଫ୍ରାନ୍‌ସିସ୍ ଗାଲ୍‌ଟନ୍ ୧୯୦୬ରେ ବ୍ରିଟେନ୍‌ର ପ୍ଲିମଥ୍‌ ଠାରେ ଅନୁଷ୍ଠିତ ଏକ କୃଷକ ମେଳାରେ। ସେଠାରେ ଏକ ବଳଦର ଓଜନ ଅନୁମାନ କରିବା ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରାୟ ୮୦୦ ଜଣ ପ୍ରତିଯୋଗୀ ଗୋଟିଏ ଗୋଟିଏ ଚିରକୁଟ୍‌ରେ ନିଜର ଅନୁମାନ ଲିପିବଦ୍ଧ କଲା ପରେ ବଳଦଟିକୁ ଓଜନ କରାଗଲା ଓ ପ୍ରକୃତ ଓଜନର ନିକଟତମ ଅନୁମାନକାରୀ ଜଣକ ପୁରସ୍କାର ଜିତିଲେ। ଗାଲ୍‌ଟନ୍ କିନ୍ତୁ ତା’ପରେ ସମସ୍ତ ୮୦୦ ଜଣଙ୍କର ଅନୁମାନକୁ ମିଶାଇ ତା’ର ହାରାହାରି ବାହାର କରିବା ପରେ ଦେଖିଲେ ଯେ ଏହି ହାରାହାରି ହିଁ ହେଉଛି ବଳଦର ପ୍ରକୃତ ଓଜନର ସବୁଠାରୁ ନିକଟତମ (୧୧୯୮ ପାଉଣ୍ଡ୍ ସ୍ଥଳରେ ୧୧୯୭ ପାଉଣ୍ଡ୍!)- ପୁରସ୍କାର ବିଜେତାର ଅନୁମାନ ଠାରୁ ମଧ୍ୟ ଅଧିକ ସଠିକ୍। ଏହା ହେଉଛି ‘ଗଣବିଜ୍ଞତା’ ବା ‘ୱିଜ୍‌ଡମ୍ ଅଫ୍ ଦି କ୍ରାଉଡ୍’। ଏହା ପ୍ରମାଣ କରିଥାଏ ଯେ ସମସ୍ତ ବ୍ୟକ୍ତିଗତ ଦୋଷ ଦୁର୍ବଳତା ସତ୍ତ୍ବେ ଶେଷରେ ଗଣ ହିଁ ହେଉଛି ଯେ କୌଣସି ବ୍ୟକ୍ତି ଅପେକ୍ଷା ଅଧିକ ବୁଦ୍ଧିମାନ। ପ୍ଲାଟୋଙ୍କୁ ଏହା ଜଣା ନ ଥିଲା। ବୋଧହୁଏ ଏହି ଗଣଜ୍ଞାନ ହିଁ ଭାରତୀୟ ଗଣତନ୍ତ୍ରକୁ ସମ୍ଭାଳି ରଖିଛି।