କଳ୍ପନା କରାଯାଉ ଡକ୍ଟର ଅଶୋକନ୍‌ଙ୍କ ଯୋଜନା ଅନୁସାରେ ଭ୍ରୂଣ ସଞ୍ଚାର ସମୟରୁ ଗର୍ଭବତୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି ବୋଲି ଜଣାପଡ଼ିଯିବ। ଏଥିଯୋଗୁଁ ସେ ଗର୍ଭବତୀ ଜନନୀ ଯେଉଁଭଳି ଅବହେଳା ଓ ଉତ୍ପୀଡ଼ନର ସମ୍ମୁଖୀନ ହୋଇପାରନ୍ତି, ତାହା ତାଙ୍କର ଓ ଗର୍ଭସ୍ଥ ସନ୍ତାନର ଘୋର କ୍ଷତିସାଧନ କରିପାରେ। ଏ ସମସ୍ତ ଦିଗକୁ ବିଚାର କଲେ କୌଣସି ସନ୍ଦେହ ‌ରହେ ନାହିଁ ଯେ ଡକ୍ଟର ଅଶୋକନ୍‌ଙ୍କ ପ୍ରସ୍ତାବ ଯଦି କିଛି ପାଇଁ ଯୋଗ୍ୟ ହୋଇଥାଏ, ତାହା ହେଉଛି କେବଳ ଉପହାସ, ନିନ୍ଦା ଓ ପ୍ରତ୍ୟାଖ୍ୟାନ।

Advertisment

ଏହା ବର୍ତ୍ତମାନ କାହାରିକୁ ଅଜଣା ନୁହେଁ ଯେ ଭାରତରେ ପ୍ରଚଳିତ ଆଇନ ଅନୁସାରେ ମାତୃ ଗର୍ଭରେ ଥିବା ଭ୍ରୂଣର ଲିଙ୍ଗ ନିରୂପଣ ଏକ ଦଣ୍ଡନୀୟ ଅପରାଧ ହୋଇଥିବା ସହିତ ଭ୍ରୂଣ ସଞ୍ଚାର ପୂର୍ବରୁ ତାହାର ଲିଙ୍ଗ ଚୟନ ନିମିତ୍ତ ଉଦ୍ଦିଷ୍ଟ ପ୍ରାବିଧିକ ହସ୍ତକ୍ଷେପ ମଧ୍ୟ ହେଉଛି ଅନୁରୂପ ଭାବରେ ଦଣ୍ଡନୀୟ। ପୁତ୍ର ମୋହଗ୍ରସ୍ତ ଭାବେ କୁଖ୍ୟାତ ଭାରତୀୟ ସମାଜ କବଳରୁ କନ୍ୟା ସନ୍ତାନମାନଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ୧୯୯୪ରେ ପ୍ରଥମେ ଏହି ଆଇନ ପ୍ରଣୟନକୁ ଯାହା ତ୍ବରାନ୍ବିତ କରିଥିଲା, ତାହା ହେଉଛି ଦେଶରେ ପ୍ରସାର ଲାଭ କରିଥିବା ଅଲ୍‌ଟ୍ରାସାଉଣ୍ଡ୍ ପ୍ରବିଧିର ବ୍ୟାପକ ଦୁରୁପଯୋଗ। ଏହି ପ୍ରବିଧିର ପ୍ରୟୋଗ ଦ୍ବାରା ଭ୍ରୂଣର ଲିଙ୍ଗ ଚିହ୍ନଟ ପରେ କେତେକ ଘଟଣାରେ ଗର୍ଭନଷ୍ଟ ମାଧ୍ୟମରେ କନ୍ୟାଭ୍ରୂଣର ଜୀବନ ନାଶ କରି ଦିଆଯାଇଥାଏ। ଭାରତର ଜନସଂଖ୍ୟାରେ ପରିଦୃଷ୍ଟ ନୀଚା ଲିଙ୍ଗାନୁପାତର ଏହା ଥିଲା ଅନ୍ୟତମ କାରଣ। ୧୯୯୬ରେ କାର୍ଯ୍ୟକାରୀ ହେବାକୁ ଆରମ୍ଭ କରିଥିବା ଏହି ଆଇନ ‘ପ୍ରି-ନାଟାଲ୍ ଡାଏଗ୍ନୋଷ୍ଟିକ୍ ଟେକ୍‌ନିକ୍‌ସ (ରେଗୁଲେସନ୍ ଆଣ୍ଡ୍ ପ୍ରିଭେନ୍‌ସନ୍ ଅଫ୍ ମିସ୍‌ଇଉଜ୍) ଆକ୍ଟ, ୧୯୯୪’ ବା ସଂକ୍ଷେପରେ ‘ପିଏନ୍‌ଡିଟି ଆକ୍ଟ’ର ୨୦୦୩ରେ ସଂଶୋଧନ କରାଯାଇ ଏହାର ପରିସରକୁ ସଂପ୍ରସାରିତ କରାଯାଇଥିଲା। କୌଣସି ଡାକ୍ତର ହୁଅନ୍ତୁ, କିମ୍ବା ଲାବରେଟରି ହେଉ, କିମ୍ବା ବିଜ୍ଞାପନ ପ୍ରସାରଣକାରୀ ହୁଅନ୍ତୁ- ଯେ କେହି ଏହି ଆଇନର ଉଲ୍ଲଂଘନ କଲେ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ସହିତ ଅର୍ଥଦଣ୍ଡର ସମ୍ମୁଖୀନ ହେବେ।
ବର୍ତ୍ତମାନର ଲିଙ୍ଗ-ସଚେତନ ଯୁଗରେ ଏହା ସମସ୍ତେ ସ୍ବୀକାର କରନ୍ତି ଯେ ଆମର ପୁରୁଷ-ପ୍ରଧାନ ସମାଜରେ ଜଣେ ନାରୀ ଭୂମିଷ୍ଠ ହେବା ପୂର୍ବରୁ ମଧ୍ୟ ଯେଉଁ ମରଣାନ୍ତକ ବିଦ୍ବେଷର ଶିକାର ହେଉଥିଲା, ଏହି ଆଇନ ବଳବତ୍ତର ହେବା ପରଠାରୁ ତାହା ଅନେକାଂଶରେ ପ୍ରତିହତ ହୋଇପାରିଛି। ବୃହତ୍ତର ସମାଜ ବର୍ତ୍ତମାନ ତେଣୁ ହତଚକିତ ହୋଇଯାଇଛି ଯେ ଦେଶର ପ୍ରମୁଖ ଚିକିତ୍ସକ ସଂଘ ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ (‘ଆଇଏମ୍ଏ’)ର ସଭାପତି ଡକ୍ଟର ଆର୍‌ ଭି ଅଶୋକନ୍ ସଂପ୍ରତି ଏହି ଆଇନର ତୀବ୍ର ସମାଲୋଚନା କରି ଦେଶର ଭ୍ରୂଣ-ଲିଙ୍ଗ ନିରୂପଣ ଉପରୁ ନିଷେଧାଦେଶ ହଟାଇ ତାହାକୁ ଆଇନସମ୍ମତ ଘୋଷଣା କରାଯିବା ପାଇଁ ଆହ୍ବାନ ଦେଇଛନ୍ତି। ଡକ୍ଟର ଅଶୋକନ୍‌ଙ୍କ କହିବା ଅନୁସ‌ାରେ ଏହି ଆଇନ ତା’ର ଉଦ୍ଦେଶ୍ୟ ସାଧନରେ ବିଫଳ ହୋଇଛି ଏବଂ ଏହାର ଉପସ୍ଥିତି ଯୋଗୁଁ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟସେବା ପ୍ରଦାନକାରୀମାନେ ନାହିଁ ନ ଥିବା ହଇରାଣ ହରକତର ଶିକାର ହେଉଛନ୍ତି।
ସେ ତାଙ୍କର ସଂଘ ପକ୍ଷରୁ ଦାବି କରିଛନ୍ତି ଯେ ଭ୍ରୂଣର ଲିଙ୍ଗ ନିରୂପଣ କରାଯାଉ ଏବଂ ଚିହ୍ନଟ କରାଯାଇଥିବା ଭ୍ରୂଣ ଉପରେ କଡ଼ାକଡ଼ି ନଜର ରଖାଯାଉ, ଯେପରି ତା’ର ଭୂମିଷ୍ଠ ହେବା ପଥରେ କୌଣସି କୃତ୍ରିମ ବାଧା ସୃଷ୍ଟି ନ ହୁଏ। ଯଦି ଏହି ଚିହ୍ନଟ ହୋଇଥିବା ଭ୍ରୂଣ ନଷ୍ଟ କରିବା ପାଇଁ କେହି କୌଣସି ଉଦ୍ୟମ କରେ ସେଥିପାଇଁ ତାକୁ ଉତ୍ତରଦାୟୀ କରାଯିବ। ଡକ୍ଟର ଅଶୋକନ୍ କହିଛନ୍ତି ଯେ ଏଭଳି ଏକ ବ୍ୟାପକ ଅନୁଧ୍ୟାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନିମିତ୍ତ ବର୍ତ୍ତମାନ ଆବଶ୍ୟକ ଜ୍ଞାନକୌଶଳ ଉପଲବ୍‌ଧ ଅଛି। ସେ ପୁଣି କହିଛନ୍ତି ଯେ ଏହି ପରିବର୍ତ୍ତିତ ନୀତି ଆମ ଦେଶରେ କନ୍ୟା ସନ୍ତାନମାନଙ୍କୁ ସୁରକ୍ଷିତ ରଖିବାରେ ଓ ଜନସଂଖ୍ୟାରେ ଲିଙ୍ଗ ଅନୁପାତରେ ଉନ୍ନତି ଘଟାଇବାରେ ସହାୟକ ହେବ। ତାଙ୍କ ମତରେ କନ୍ୟାଭ୍ରୂଣ ନଷ୍ଟ ଏକ ସାମାଜିକ ବ୍ୟାଧି ହୋଇଥିବା ବେଳେ ସେଥିପାଇଁ ଡାକ୍ତରମାନଙ୍କୁ ବଳି ଦେବା ଆଦୌ ଯଥାର୍ଥ ନୁହେଁ, ଏବଂ ଏଭଳି ଏକ ସାମାଜିକ ସମସ୍ୟାର ଡାକ୍ତରୀ ସମାଧାନ ସମ୍ଭବ ନୁହେଁ।
‘ଆଇଏମ୍ଏ’ ଓ ତା’ର ସଭାପତିଙ୍କର ଏତାଦୃଶ ଯୁକ୍ତିର କେବଳ ଯେଉଁ ଗୋଟିଏ ମାତ୍ର ବଳିଷ୍ଠ ଦିଗ ଆମର ଦୃଷ୍ଟିଗୋଚର ହୋଇଥାଏ, ତାହା ହେଲା, ଯେ କୌଣସି ସଂଘ ତାହାର ସଦସ୍ୟମାନଙ୍କ ସ୍ବାର୍ଥରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିବା ଭଳି ‘ଆଇଏମ୍ଏ’ ମଧ୍ୟ ଏହି ଯୁକ୍ତି ମାଧ୍ୟମରେ ତା’ର ସଦସ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଚେଷ୍ଟା କରିଛି। ଏହି ଆଇନ କାର୍ଯ୍ୟକାରୀ ହେବା ପରେ ଯେ ସମୟ ସମୟରେ ଏହାର ଉଲ୍ଲଂଘନକାରୀମାନେ ଅସୁବିଧାରେ ପଡ଼ିବା ଦେଖାଯାଉଛି, ଏଥିରେ କୌଣସି ସନ୍ଦେହ ନାହିଁ। ‘ସଂଘଂ ଶରଣଂ ଗଚ୍ଛାମି’ ନ୍ୟାୟରେ ସଂଘ ସେମାନଙ୍କୁ ନିରାପଦ ରଖିବା ପାଇଁ ଉଦ୍ୟମ କରିବାରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ; କିନ୍ତୁ ଏହା ବ୍ୟତୀତ, ଡକ୍ଟର ଅଶୋକନ୍‌ଙ୍କର ଯୁକ୍ତି ଯେ ବିଭିନ୍ନ ଦୁର୍ବଳତାରେ ଭରପୂର, ଏଥିରେ ଯେ କୌଣସି ନିରପେକ୍ଷ ପର୍ଯ୍ୟବେକ୍ଷକ ଏକମତ ହେବେ।
ଉଦାହରଣ ସ୍ବରୂପ ଡକ୍ଟର ଅଶୋକନ୍ ଯେଉଁ ଦାବି କରିଛନ୍ତି ଯେ ଉପରୋକ୍ତ ଭ୍ରୂଣ-ଲିଙ୍ଗ ନିରୂପଣବିରୋଧୀ ଆଇନ କାର୍ଯ୍ୟକାରୀ ହେବା ପରେ ଦେଶର ଜନସଂଖ୍ୟାର ଲିଙ୍ଗାନୁପାତ ଉପରେ ତା’ର କୌଣସି ଅନୁକୂଳ ପ୍ରଭାବ ପରିଲକ୍ଷିତ ହୋଇନାହିଁ, ତାହା ହେଉଛି ଏକ ସ୍ପଷ୍ଟ ମିଥ୍ୟାଚାର। ଏହାର ପ୍ରମାଣ ସ୍ବରୂପ ୧୯୯୧ରେ ଦେଶରେ ପରିଦୃଷ୍ଟ ଲିଙ୍ଗାନୁପାତ ଅନୁସାରେ ପ୍ରତି ୧,୦୦୦ ପୁରୁଷଙ୍କ ପିଛା ନାରୀମାନଙ୍କ ସଂଖ୍ୟା ୯୨୭ ଥିବାବେଳେ, ୨୦୧୧ରେ ସେଥିରେ ଉନ୍ନତି ଘଟି ପ୍ରତି ୧,୦୦୦ ପୁରୁଷଙ୍କ ପିଛା ନାରୀମାନଙ୍କର ସଂଖ୍ୟା ହୋଇଥିଲା ୯୪୩।
ଯାହା ଡକ୍ଟର ଅଶୋକନ୍‌ଙ୍କୁ ମଧ୍ୟ ଚମତ୍କୃତ କରିବ, ତାହା ହେଲା, ୨୦୧୯-୨୧ ପାଇଁ ଅନୁଷ୍ଠିତ ହୋଇଥିବା ‘ନେସ୍‌ନାଲ୍ ‌ଫାମିଲି ହେଲ୍‌ଥ ସର୍ଭେ’ର ପଞ୍ଚମ ରାଉଣ୍ଡ୍ (‘ଏନ୍ଏଫ୍ଏଚ୍ଏସ୍-୫’)ରେ ସଂଗୃହୀତ ତଥ୍ୟ ଅନୁସାରେ ସେଇ ସମୟ କାଳରେ ଦେଶରେ ପ୍ରତି ୧,୦୦୦ ପୁରୁଷଙ୍କ ପିଛା ନାରୀମାନଙ୍କର ସଂଖ୍ୟା ଥିଲା ୧,୦୨୦। ଯଦି ଜନ୍ମକାଳୀନ ଲିଙ୍ଗାନୁପାତ ଉପରେ ଦୃଷ୍ଟି ନିକ୍ଷେପ କରାଯାଏ ତେବେ ଦେଖାଯାଏ ଯେ ୨୦୧୫ରେ ୧,୦୦୦ ପୁତ୍ର ସନ୍ତାନ ପିଛା କନ୍ୟା ସନ୍ତାନ ଜନ୍ମ ସଂଖ୍ୟା ୯୧୮ ଥିବାବେଳେ ୨୦୨୨ରେ କନ୍ୟା ସନ୍ତାନ ସଂଖ୍ୟା ବୃଦ୍ଧି ପାଇ ହୋଇଥିଲା ୯୩୪। ଏହା ଅବଶ୍ୟ ସତ ଯେ କେବଳ ଉପରୋକ୍ତ ଆଇନର ପ୍ରଭାବରେ ଲିଙ୍ଗାନୁପାତରେ ଏଭଳି ଉନ୍ନତି ଘଟିଛି ବୋଲି କୁହାଯାଇପାରିବ ନାହିଁ। ସଚେତନତା ବୃଦ୍ଧିରୁ ଆରମ୍ଭ କରି ନାରୀଶିକ୍ଷାରେ ପ୍ରସାର ଓ ଅର୍ଥନୈତିକ ପ୍ରଗତି ପର୍ଯ୍ୟନ୍ତ ଏହି ଉନ୍ନତିରେ ମଧ୍ୟ ନିଶ୍ଚିତ ରୂପେ ସହାୟକ ହୋଇଛନ୍ତି; କିନ୍ତୁ ଏଥିସତ୍ତ୍ବେ ଏହି ପରିସଂଖ୍ୟାନ ଡକ୍ଟର ଅଶୋକନ୍‌ଙ୍କ ଉପରୋକ୍ତ ଦାବିକୁ ସଂପୂର୍ଣ୍ଣ ରୂପେ ନିରାଧାର ସାବ୍ୟସ୍ତ କରିଥାଏ। ଅପର ପକ୍ଷେ ଏହି ଆଇନରେ ଯଦି କିଛି ଦୁର୍ବଳତା ଥାଏ, ତାହା ହେଉଛି ଏହାର ଉପସ୍ଥିତି ସତ୍ତ୍ବେ ତଥାପି ଲୁଚାଚୋରାରେ ସମ୍ଭବ ହେଉଥିବା ଭ୍ରୂଣ-ଲିଙ୍ଗ ନିରୂପଣ ବ୍ୟବସାୟ। ଯେଉଁମାନେ ଏ ଆଇନ ଦ୍ବାରା ହରକତ ହେଉଛନ୍ତି ବୋଲି ଡକ୍ଟର ଅଶୋକନ୍ ଅଭିଯୋଗ କରିଛନ୍ତି ସେମାନେ ଏଥିରେ ସଂପୃକ୍ତ ଥାନ୍ତି।
ଅବଶ୍ୟ ସମାଜର ଅାଭିମୁଖ୍ୟରେ ପରିବର୍ତ୍ତନ ହେଉଛି ଏହି ସମସ୍ୟାର ଶ୍ରେଷ୍ଠ ସମାଧାନ। କିନ୍ତୁ ତାହା ଘଟିବା ପୂର୍ବରୁ ଯଦି ଆଇନକୁ ହୁଗୁଳା କରିଦିଆଯାଏ, ତେବେ ଭାରତରେ ଲିଙ୍ଗାନୁପାତ ପୁଣି ରସାତଳଗାମୀ ହେବା ଅନିବାର୍ଯ୍ୟ। କାରଣ ଆଇନର ଉଚ୍ଛେଦ ପରେ ଡକ୍ଟର ଅଶୋକନ୍ ଯେଉଁ ବିକଳ୍ପ ସମାଧାନ ସୁପାରିସ କରିଛନ୍ତି, ତାହା ଯେତିକି ଅବାସ୍ତବ ସେତିକି ହାସ୍ୟାସ୍ପଦ। ମାତୃ ଗର୍ଭରେ ସଞ୍ଚରି ଥିବା କୋଟି କୋଟି ଭ୍ରୂଣକୁ ଚିହ୍ନିତ କରି ସେମାନଙ୍କ ଉପରେ ନିରନ୍ତର ନଜର ରଖିବା ଏକ ଅତିମାନବୀୟ ବ୍ୟାପାର କହିଲେ ଅତ୍ୟୁକ୍ତି ହେବନାହିଁ। ତା’ଛଡ଼ା ଏବେ ବି ଆମ ସମାଜର ଅନେକ ପରିବାରରେ କନ୍ୟା ସନ୍ତାନ ପ୍ରସବ କରୁଥିବା ନାରୀକୁ ବିଭିନ୍ନ ଲାଞ୍ଛନା ସହିବାକୁ ପଡ଼ିଥାଏ। କଳ୍ପନା କରାଯାଉ ଡକ୍ଟର ଅଶୋକନ୍‌ଙ୍କ ଯୋଜନା ଅନୁସାରେ ଭ୍ରୂଣ ସଞ୍ଚାର ସମୟରୁ ଗର୍ଭବତୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି ବୋଲି ଜଣାପଡ଼ିଯିବ। ଏଥିଯୋଗୁଁ ସେ ଗର୍ଭବତୀ ଜନନୀ ଯେଉଁଭଳି ଅବହେଳା ଓ ଉତ୍ପୀଡ଼ନର ସମ୍ମୁଖୀନ ହୋଇପାରନ୍ତି, ତାହା ତାଙ୍କର ଓ ଗର୍ଭସ୍ଥ ସନ୍ତାନର ଘୋର କ୍ଷତିସାଧନ କରିପାରେ। ଏ ସମସ୍ତ ଦିଗକୁ ବିଚାର କଲେ କୌଣସି ସନ୍ଦେହ ‌ରହେ ନାହିଁ ଯେ ଡକ୍ଟର ଅଶୋକନ୍‌ଙ୍କ ପ୍ରସ୍ତାବ ଯଦି କିଛି ପାଇଁ ଯୋଗ୍ୟ ହୋଇଥାଏ, ତାହା ହେଉଛି କେବଳ ଉପହାସ, ନିନ୍ଦା ଓ ପ୍ରତ୍ୟାଖ୍ୟାନ।