ସାନ୍ତାଳୀ ଭାଷା ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେବା ପାଇଁ ସଂବିଧାନର ୯୨ତମ ସଂଶୋଧନ ବିଲ୍ ୨୦୦୩ ଡିସେମ୍ବର ୨୨ ତାରିଖରେ ଲୋକସଭାରେ ପ୍ରଥମେ ଗୃହୀତ ହୋଇଥିଲା। ଏହାକୁ ସ୍ମରଣୀୟ କରିବା ପାଇଁ ଭାରତବର୍ଷର ସାନ୍ତାଳ ସମାଜ ଡିସେମ୍ବର ୨୨ ତାରିଖକୁ ପ୍ରତି ବର୍ଷ ସାନ୍ତାଳୀ ଭାଷା ଦିବସ ବା ଭାଷା ବିଜୟ ଦିବସ ରୂପେ ପାଳନ କରିଥାନ୍ତି। ୨୦୦୩ ଡିସେମ୍ବର ୨୩ରେ ରାଜ୍ୟସଭାରେ ଏହି ବିଲ୍ ସର୍ବସମ୍ମତି କ୍ରମେ ଗୃହୀତ ହେଲା ଏବଂ ୨୦୦୪ ମସିହା ଜାନୁଆରି ୭ ତାରିଖ ଏହି ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ସାନ୍ତାଳୀ ଭାଷା ଆନୁଷ୍ଠାନିକ ଭାବରେ ସଂବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହୋଇଥିଲା।
ଏହା ଭିତରେ ୨୦ ବର୍ଷ ବିତିଯାଇଛି କିନ୍ତୁ ସାନ୍ତାଳୀ ଭାଷାର ଉନ୍ନତି ସନ୍ତୋଷଜନକ ମନେ ହୁଏ ନାହିଁ। ୨୦୧୮ ସେପ୍‌ଟେମ୍ବର ୨୦ ତାରିଖ ଓଡ଼ିଶାର ବିଧାନସଭାରେ ବିଧାୟକ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ତତ୍କାଳୀନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରୀ ନାରାୟଣ ପାତ୍ରଙ୍କୁ ଅଣତାରକ ପ୍ରଶ୍ନ ୭୭୬ ମାଧ୍ୟମରେ ଓଡ଼ିଶାର ସ୍କୁଲଗୁଡିକରେ ମାଧ୍ୟମିକ ଶ୍ରେଣୀମାନଙ୍କରେ ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ସାମିଲ କରିବା ନେଇ ସରକାରଙ୍କର ପଦକ୍ଷେପ ବିଷୟରେ ଜାଣିବା ପାଇଁ ଚାହିଁଥିଲେ। ସେହିଭଳି ଏ ବର୍ଷ ମାର୍ଚ୍ଚ ୧୫ରେ ବାରିପଦାର ମାନ୍ୟବର ବିଧାୟକ ପ୍ରକାଶ ସୋରେନଙ୍କ ଅଣତାରକା ପ୍ରଶ୍ନ ୧୭୬୦ ମାଧ୍ୟମରେ ସେହି ସମାନ ପ୍ରଶ୍ନ ତତ୍କାଳୀନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦାଶଙ୍କୁ ପଚାରିଥିଲେ। ଉଭୟ ମନ୍ତ୍ରୀ ଅତି ସହଜ ଓ ସରଳ ଭାବରେ ଉତ୍ତର ଦେଇଥିଲେ ଯେ ମାଧ୍ୟମିକ ଶ୍ରେଣୀମାନଙ୍କରେ ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ସାମିଲ କରିବାର ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ। ଉଭୟ ପ୍ରଶ୍ନ ମଧ୍ୟରେ ପାଞ୍ଚ ବର୍ଷର ବ୍ୟବଧାନ କିନ୍ତୁ ବସ୍ତୁସ୍ଥିତିରେ କୌଣସି ପରିବର୍ତ୍ତନ ନାହିଁ। ଏଥିରୁ ସଂବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେଇଥିବା ଗୋଟିଏ ଭାଷାକୁ ଶିକ୍ଷା କ୍ଷେତ୍ରରେ ସାମିଲ କରାଇବା ପାଇଁ ସରକାରଙ୍କ ନିଷ୍ଠା ଓ ତତ୍ପରତା ସମ୍ପର୍କରେ ସୂଚନା ମିଳିଥାଏ। ପ୍ରତି ବର୍ଷ ସାନ୍ତାଳୀ ଭାଷାର ଅନେକ ସଂଗଠନ ସରକାରଙ୍କ ପ୍ରତିନିଧିଙ୍କ ନିକଟରେ ପ୍ରଥମ ଶ୍ରେଣୀରୁ ପିଜି ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷାଦାନ ପାଇଁ ଦାବି କରିଥାନ୍ତି। ଏ ନେଇ ପ୍ରତିଶ୍ରୁତି ମଧ୍ୟ ମିଳେ, କିନ୍ତୁ କାର୍ଯ୍ୟକାରୀ ହୁଏ ନାହିଁ। ସରକାର ସାନ୍ତାଳୀ ଭାଷାକୁ ପ୍ରାଥମିକ ଶ୍ରେଣୀରେ ବହୁଭାଷୀ ଶିକ୍ଷା ମାଧ୍ୟମରେ ଅନ୍ତର୍ଭୁକ୍ତ କରି ନିଜର ଦାୟିତ୍ବ ସମ୍ପାଦନ କରିଦେଇଛନ୍ତି ବୋଲି ହୃଦ୍‌ବୋଧ ହୁଏ। ଓଡ଼ିଶାରେ ଯେତେବେଳେ ଜଣେ ବଙ୍ଗଳାରେ, ତେଲୁଗୁରେ, ପାର୍ଶୀରେ, ଉର୍ଦୁରେ ମେଟ୍ରିକ ପରୀକ୍ଷା ଦେଇପାରୁଛି ସେତେବେଳେ ସାନ୍ତାଳୀ ଭାଷା ପାଇଁ ଏଥିରେ ବ୍ୟତୀକ୍ରମ ରହିଛି। ଓଡ଼ିଶାରେ ଥିବା ୯ ଲକ୍ଷ ସାନ୍ତାଳୀଙ୍କ ପ୍ରତି ଏହା ଏକ ପ୍ରକାର ଅନ୍ୟାୟ।
ଉଚ୍ଚଶିକ୍ଷା କ୍ଷେତ୍ରରେ ପୂର୍ବରୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ବବିଦ୍ୟାଳୟ ଦ୍ବାରା ଅନୁବନ୍ଧିତ ମହାବିଦ୍ୟାଳୟ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟରେ ସାନ୍ତାଳୀ ଭାଷାରେ ପାଠ୍ୟକ୍ରମ ଜାରି ରହିଥିବା ବେଳେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ବର୍ଷ ଠାରୁ ଏବଂ ଚଳିତ ବର୍ଷ ରେଭେନ୍‌ସା ବିଶ୍ବବିଦ୍ୟାଳୟରେ ସାନ୍ତାଳୀ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ବ୍ୟତୀତ କରଞ୍ଜିଆ ସ୍ବୟଂଶାସିତ ମହାବିଦ୍ୟାଳୟ, ରୋହିଦାସ ସୋରେନ ଡିଗ୍ରୀ ମହାବିଦ୍ୟାଳୟ, ମୟୂରଭଞ୍ଜ କଲେଜ ଅଫ ଏକାଉଣ୍ଟାନ୍‌ସି ଏଣ୍ଡ ମ୍ୟାନେଜମେଣ୍ଟରେ ସାନ୍ତାଳୀ ସମ୍ମାନ ପାଠ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିପାଇଁ ସରକାର ଅନେକ ଧନ୍ୟବାଦ ସାଉଁଟୁଛନ୍ତି। କିନ୍ତୁ ତୃଣମୂଳ ସ୍ତରରେ ପ୍ରଥମ ଶ୍ରେଣୀରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାନଯିବା ପର୍ଯ୍ୟନ୍ତ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀମାନଙ୍କରେ ମେଧାବୀ ଛାତ୍ର ଆସିବେ କିପରି? ପ୍ରଶ୍ନ ଉଠେ ଯଦି ସ୍କୁଲରେ ସାନ୍ତାଳୀ ଭାଷାରେ ବିଷୟଟିଏ ରହିବ ନାହିଁ ତେବେ ଛାତ୍ରମାନେ ସ୍ନାତକ ଶ୍ରେଣୀରେ ଯାଇ ସାନ୍ତାଳୀ ଭାଷାରେ ‘ଅ ଆ’ ଶିଖିବେ କି? ସ୍ନାତକ କଦାପି ଅକ୍ଷର ଶିଖିବାର ଶ୍ରେଣୀ ନୁହେଁ। ସେହିପରି ସାନ୍ତାଳୀ ଭାଷା ସାହିତ୍ୟରେ ଯଦି ଆମେ ଉଚ୍ଚତର ଗବେଷକ ଓ ମେଧା ସୃଷ୍ଟି କରିବାକୁ ଚାହୁଁଛୁ ତେବେ ସେ ଭାଷାରେ ମୌଳିକ ଶିକ୍ଷାକୁ ସୁଦୃଢ଼ କରିବାକୁ ପଡ଼ିବ। ବାରିପଦାଠାରେ ୨୦୧୩-୧୪ ଶିକ୍ଷା ବର୍ଷଠାରୁ ସାନ୍ତାଳୀ ଭାଷା ପାଇଁ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଖୋଲାଯାଇଛି। ପ୍ରତି ବର୍ଷ ଏହି ପ୍ରତିଷ୍ଠାନରୁ ହାରାହାରି ୩୦-୩୫ ଛାତ୍ର ଉତ୍ତୀର୍ଣ୍ଣ ହୁଅନ୍ତି। ଆଶା ଥିଲା ଏହି ଛାତ୍ରମାନେ ଓଡ଼ିଶାରେ ଥିବା ପ୍ରାଥମିକ ବିଦ୍ୟାଳୟମାନଙ୍କରେ ସାନ୍ତାଳୀ ଶିକ୍ଷାର ମଙ୍ଗ ଧରିଥାନ୍ତେ, କିନ୍ତୁ ସେଭଳି ହେଲା ନାହିଁ। ଆଜି ପର୍ଯ୍ୟନ୍ତ ସେମାନଙ୍କ ଭିତରୁ ଜଣକୁ ମଧ୍ୟ ନିଯୁକ୍ତି ମିଳି ନାହିଁ।
୨୦୦୩ରୁ ୨୦୨୩ ଭିତରେ ଉଭୟ ସଂସଦ ଓ ବିଧାନସଭାକୁ ଅନେକ ସାନ୍ତାଳୀ ନେତା ନିର୍ବାଚିତ ହୋଇ ଯାଇଛନ୍ତି। ସେଥି ମଧ୍ୟରୁ ଅଧିକାଂଶ କ୍ଷମତାସୀନ ଦଳର ନେତା। ପରିତାପର ବିଷୟ ଯେ ବହୁ ଦାବି ସତ୍ତ୍ବେ ଏହି ୨୦ ବର୍ଷ ମଧ୍ୟରେ ଏହି ଜନପ୍ରତିନିଧିମାନେ ନିଜ ସଂବିଧାନ ସ୍ବୀକୃତ ମାତୃଭାଷାରେ ସ୍କୁଲ ପିଲାମାନଙ୍କ ପଢ଼ିବାର ବ୍ୟବସ୍ଥା କରିପାରିଲେ ନାହିଁ।
ଆଜି ସାନ୍ତାଳୀ ଭାଷା ଦିବସରେ ଅନେକ ସ୍ଥାନରେ ଏହି ଜନପ୍ରତିନିଧିମାନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିବ ଏବଂ ସାନ୍ତାଳୀ ଭାଷା ଓ ସଂସ୍କୃତି ସମ୍ପର୍କରେ ସେମାନେ ସାରଗର୍ଭକ ଭାଷଣ ଦେଉଥିବେ। ଅନେକ ସ୍ଥାନରେ ମାଦଳ ନାଗରା ସହିତ ଖୁବ୍‌ ଉଲ୍ଲାସରେ ନାଚଗୀତ ଚାଲିଥିବ। ଏ ଗୌରବମୟ ଦିନଟି ଆନନ୍ଦ ଉତ୍ସବର ଅବସର ନିଶ୍ଚିତ, କିନ୍ତୁ ଆଜିର ସମୟ ଆବଶ୍ୟକ କରୁଛି ମାତୃଭାଷାରେ ଶିକ୍ଷା ପାଇଁ ଏକ ଦୃଢ଼ ପ୍ରତିଶ୍ରୁତି। ସାନ୍ତାଳୀ ଏକ ମୁଖ୍ୟସ୍ରୋତୀୟ ଭାଷା ହେବା ଉଚିତ। ସାନ୍ତାଳୀ ଭାଷାରେ ଶିକ୍ଷାଦାନ କେବଳ ଆଦିବାସୀ ସଂପ୍ରଦାୟର କେଇ ଲକ୍ଷ ଲୋକଙ୍କ ବିକାଶ ସହ ଜଡ଼ିତ ନୁହେଁ। ଏହା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ଅଧିକ ଅର୍ଥପୂର୍ଣ୍ଣ କରିବାର ଏବଂ ରାଜ୍ୟର ସାମଗ୍ରିକ ଉନ୍ନତିରେ ପ୍ରମୁଖ ଭାଗୀଦାର ହେବାର ଦୃଢ଼ ସମ୍ଭାବନା ବହନ କରେ।
ମୋ: ୯୯୩୭୪୯୩୭୬୫