ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଥମେ ଜାରି ହୋଇଥିବା ସୂଚନାରୁ ଜଣାପଡ଼ିଥିଲା ଯେ ଚଳିତ ସାଧାରଣ ନିର୍ବାଚନର ପ୍ରାରମ୍ଭିକ ପର୍ଯ୍ୟାୟଗୁଡ଼ିକରେ ଭୋଟଦାନ ହାର ଯଥେଷ୍ଟ କମ୍‌ ହୋଇଥିଲା। ତେବେ ମେ ୨୫ ତାରିଖରେ କମିସନଙ୍କ ଦ୍ୱାରା ଜାରି ପ୍ରଥମ ୫ଟି ପର୍ଯ୍ୟାୟରେ ସଂସଦ କ୍ଷେତ୍ର ଆସନ ପିଛା ଭୋଟ ସଂପର୍କିତ ପ୍ରେସ ବିଜ୍ଞପ୍ତିରୁ ଜଣାପଡ଼ିଛି ଯେ ସମଗ୍ର ଦେଶରେ ମୋଟାମୋଟି ପ୍ରାୟ ୬୬.୮ ପ୍ରତିଶତ ମତଦାନ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ୬୭.୪ ପ୍ରତିଶତ ଥିଲା। ସୁତରାଂ, ପାଞ୍ଚ ପର୍ଯ୍ୟାୟର ଭୋଟଦାନ ହା‌ରକୁ ବିଚାର କଲେ ମତଦାନ ମାତ୍ର ୦.୬ ପ୍ରତିଶତ ଊଣା ରହିଛି ଏବଂ ଆଗାମୀ ଦୁଇ ପର୍ଯ୍ୟାୟର ସ୍ଥିତି ଜଣାପଡ଼ିବା ପରେ କିଛି ଚୂଡ଼ାନ୍ତ କରି କହି ହେବ।
ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଓ ଉତ୍ତର ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକରେ ଅନେକ ସ୍ଥାନରେ ୮୦ ପ୍ରତିଶତରୁ ଅଧିକ ଭୋଟଦାନ ହୋଇଛି। ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକରେ ହାରାହାରି ମତଦାନ ୬୦ ପ୍ରତିଶତରୁ କମ୍ ରହିଛି। ଅନେକ ସ୍ଥାନରେ ତାହା ୫୦ ପ୍ରତିଶତ ମଧ୍ୟ ଛୁଇଁ ପାରିନାହିଁ। ଓଡ଼ିଶାରେ ହାରାହାରି ମତଦାନ ହାର ଭଲ ଥିଲେ ସୁଦ୍ଧା ଆସ୍କା, ବ୍ରହ୍ମପୁର, ଭୁବନେଶ୍ୱର ଭଳି କେତେକ ଆସନରେ ତାହା କମ୍ ହୋଇଛି। ଏଭଳି ସ୍ଥଳେ ଭୋଟଦାନର ହାର ଉପରେ ଏକ ଆଲୋଚନା କରାଯାଇପାରେ।
ବିଶ୍ଳେଷକମାନଙ୍କ ମତରେ ୨୦୧୪ ଓ ୨୦୧୯ ମସିହାର ନିର୍ବାଚନ ପରି ଏଥରର ନିର୍ବାଚନରେ କୌଣସି ଏକ ‘ଲହର’ ବା ତରଙ୍ଗ ଦେଖିବାକୁ ମିଳିନାହିଁ। ଫଳରେ କୌଣସି ଦଳକୁ ଜିତାଇବା ବା ହରାଇବା ଲାଗି ଭୋଟରମାନଙ୍କ ମଧ୍ୟରେ ଅତ୍ୟଧିକ ଉତ୍ସାହ ପରିଲକ୍ଷିତ ହୋଇନାହିଁ। ଯେଉଁଠାରେ ମତଦାନର ହାରରେ ସଂକୋଚନ ଦେଖିବାକୁ ମିଳିଛି, ତାହାର ଏକ କାରଣ ଭୋଟ ଦେଇ ମତ ସାବ୍ୟସ୍ତ କରିବାକୁ ଅନେକଙ୍କ ମଧ୍ୟରେ ଦେଖିବାକୁ ମିଳିଥିବା ବୀତସ୍ଫୃହତା ଓ ଅନାଗ୍ରହ। ରାଜନୈତିକ ଦଳ ଓ ନେତାମାନଙ୍କ ଆଚରଣ, ଅର୍ଥ ବଳର ପ୍ରାବଲ୍ୟ, ମନ ମୁତାବକ ପ୍ରାର୍ଥୀଙ୍କ ଅନୁପସ୍ଥିତି ଓ ଟିକଟ ପାଇବା ଲୋଭରେ ନେତାମାନଙ୍କ ଘନଘନ ଦଳବଦଳ ଭଳି ବିଷୟକୁ ନାପସନ୍ଦ କରି ଅନେକ ଭୋଟର ଭୋଟ ଦେଇନାହାନ୍ତି। ଆହୁରି ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଉଛି ଯେ ଶାସକ ଦଳର ବିଜୟ ସୁନିଶ୍ଚିତ ବୋଲି ଦୃଢ଼ ନିଶ୍ଚିତ କିଛି ମତଦାତା ଭୋଟ ଦେବା ଅକାରଣ ଓ ତଦ୍ଦ୍ବାରା ବିଶେଷ କିଛି ଫରକ ଆସିବ ନାହିଁ ବୋଲି ବିଚାର କରି ଭୋଟ ଦେଇ ନାହାନ୍ତି।
ଗତ ଥରଗୁଡ଼ିକ ପରି ଏଥରର ନିର୍ବାଚନରେ ପ୍ରାୟତଃ ଜାତୀୟ ପ୍ରସଙ୍ଗ ନାହିଁ। ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ମନେ କରାଯାଉଥିଲା ଯେ ରାମ ମନ୍ଦିର ନିର୍ମାଣ, ଅନୁଚ୍ଛେଦ ୩୭୦ର ଉଚ୍ଛେଦ ଆଦି ଭଳି ସଂଦର୍ଭ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ହେବ। କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆଗେଇବା ସହ ଏହି ପ୍ରସଙ୍ଗଗୁଡ଼ିକ ଗୌଣ ହୋଇପଡ଼ିଛି ବୋଲି କୁହାଯାଉଛି। ଫଳରେ ସହସା ଆଲୋଡ଼ନ ସୃଷ୍ଟି କରିଥିବା କେତେକ ବିଷୟ ବଡ଼ ପ୍ରସଙ୍ଗ ହୋଇ ପଡ଼ିଛି; ଯେମିତି କି ପଶ୍ଚିମବଙ୍ଗର ସନ୍ଦେଶଖାଲି, କର୍ଣ୍ଣାଟକର ପ୍ରଜ୍ଜ୍ୱଳ ରେବନ୍ନା ବା ଦିଲ୍ଲୀରେ ସ୍ୱାତୀ ମାଲିୱାଲଙ୍କ ଭଳି ଘଟଣା। ଏଭଳି ପ୍ରସଙ୍ଗରେ ସାଧାରଣ ନିର୍ବାଚନରେ ହୋହଲ୍ଲା ସୃଷ୍ଟି ହେବା ଅନେକ ଭୋଟରଙ୍କୁ ହତାଶ କରିଛି ଯେଉଁମାନେ ଦର ବୃଦ୍ଧି ବା ବେକାରି ବା ଆର୍ଥିକ ବୈଷମ୍ୟ ଭଳି ସଂଦର୍ଭ ନିର୍ବାଚନୀ ପ୍ରସଙ୍ଗ ହେଉ ବୋଲି ଚାହିଁଥିଲେ। ସେମାନେ ମଧ୍ୟ ଭୋଟ ଦେଇ ନାହାନ୍ତି। ଅବଶ୍ୟ, କଂଗ୍ରେସ ଓ ବିରୋଧୀ ପକ୍ଷ ଉପରୋକ୍ତ ଗମ୍ଭୀର ବିଷୟଗୁଡ଼ିକୁ ନେଇ ଉଚ୍ଚାଟ ସୃଷ୍ଟି କରିଥିଲେ ହେଁ ଚାଞ୍ଚଲ୍ୟ ସୃଷ୍ଟିକାରୀ ପ୍ରସଙ୍ଗଗୁଡ଼ିକ ଅଧିକ ତମ୍ବିତୋଫାନ ସୃଷ୍ଟି କରିଛନ୍ତି।
କେତେକ ନିର୍ଦ୍ଦିଷ୍ଟ ଆସନରେ ପ୍ରାର୍ଥୀଙ୍କ ଲୋକପ୍ରିୟତାରେ ଅଭାବ ମଧ୍ୟ ଅନେକ ଭୋଟରଙ୍କୁ ମତଦାନରୁ ନିରୁତ୍ସାହିତ କରିଛି।
ଏଥର ନିର୍ବାଚନର ନାମାଙ୍କନ ଠାରୁ ନେଇ ଫଳ ଘୋଷଣା ଯାଏ ନିର୍ବାଚନୀ ଅବଧି ହେଉଛି ପ୍ରାୟ ୨ ମାସ। ଉଲ୍ଲେଖଯୋଗ୍ୟ ଯେ ଏହି ସମୟରେ ଦେଶ ଏ ବର୍ଷର ସବୁଠାରୁ ଉତ୍ତପ୍ତ ସମୟ ଦେଇ ଗତି କରିଛି। ଅତ୍ୟଧିକ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହ କାରଣରୁ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଅଞ୍ଚଳର ଲୋକମାନେ ଭୋଟଦାନରୁ ନିବୃତ୍ତ ରହିଥିବାର ଖବର ମିଳିଛି। ଏହି କାରଣରୁ କେବଳ ଓଡ଼ିଶାରେ ନିର୍ବାଚନ କାର୍ଯ୍ୟ ପରିଚାଳନାରେ ନିୟୋଜିତ ପୋଲିଂ ଅଧିକାରୀ ବଲାଙ୍ଗୀର ଜିଲ୍ଲାର ସ୍କୁଲ ଶିକ୍ଷକ ସୁଶୀଲ କୁମାର ଆଚାର୍ଯ୍ୟ ଓ କଟକର ସୁଜାତା ମିତ୍ରଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ସୁନ୍ଦରଗଡ଼ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅନେକ କର୍ମଚାରୀ ଓ ସ୍ୱେଚ୍ଛାସେବୀ ଅସୁସ୍ଥ ହୋଇପଡ଼ିଛନ୍ତି। ସେହିପରି ତଳସରା ବିଧାନସଭା କ୍ଷେତ୍ରର ଏକ ବୁଥ୍‌ରେ ଜଣେ ବୃଦ୍ଧା ଭୋଟର୍‌ ଅଂଶୁଘାତର ଶିକାର ହୋଇ ମୃତ୍ୟୁବରଣ କରିଥିବାର ଖବର ଆସିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷର ଏହି ସମୟରେ ତାପମାନ ଅସହନୀୟ ଭାବେ ବୃଦ୍ଧି ପାଇବା ସହ ବାତ୍ୟା (ଏଥର ‘ରେମାଳ’) ଭଳି ପ୍ରାକୃତିକ ଦୁର୍ବିପାକ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଭବିଷ୍ୟତରେ ନିର୍ବାଚନ ତାରିଖ ବସନ୍ତ ଋତୁରେ କରାଯିବାର ଔଚିତ୍ୟ ସପକ୍ଷରେ ମତ ପ୍ରକାଶ ପାଇଲାଣି। ପ୍ରକାଶ ଥାଉ କି ୨୦୧୯ ମସିହା ମେ ମାସ ୩ ତାରିଖରେ ‘ଫନି’ ଓଡ଼ିଶାରେ ପ୍ରଳୟ ଘଟାଇଲା। ସୌଭାଗ୍ୟକୁ ଓଡ଼ିଶାରେ ଏପ୍ରିଲ ୨୯ ସୁଦ୍ଧା ନିର୍ବାଚନ ସରି ଯାଇଥିଲା। ଏଥର ‘ରେମାଳ’ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି, ଯେଉଁଠି ନିର୍ବାଚନ ସରିନାହିଁ।
ଅନେକ କହନ୍ତି ଯେ ସମଗ୍ର ଦେଶକୁ ୨ ମାସରୁ ଅଧିକ ସମୟ ଧରି କେବଳ ନିର୍ବାଚନ ଯେଉଁ ମାତ୍ରାଧିକତା ସୃଷ୍ଟି କରିଛି, ତାହା ଅନେକଙ୍କ ଲାଗି ବିରକ୍ତିର କାରଣ ମଧ୍ୟ ହୋଇଛି। ଏହାକୁ ‘ନିର୍ବାଚନ କ୍ଳାନ୍ତି’ (ଫେଟିଗ୍) ବୋଲି କୁହାଯାଉଛି। ହୋଇପାରେ, ମତଦାନ ହାର କମ ହେବାର ବି ଏକ କାରଣ! ନିର୍ବାଚନ କମିସନ ଚାହିଁଥିଲେ ପ୍ରତି ଦଫାରେ ହାରାହାରି ୧୩୫ଟି ଲେଖାଏଁ ଆସନରେ ନିର୍ବାଚନ କରି ପୂରା ପ୍ରକ୍ରିୟାକୁ ମାସକ ମଧ୍ୟରେ ଶେଷ କରି ପାରିଥାଆନ୍ତେ। ଆମ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଯଦି ୧୭୫ଟି ବିଧାନସଭା ଆସନ ଓ ୨୫ଟି ଲୋକସଭା ଆସନ ଲାଗି ଗୋଟିଏ ଦଫାରେ ନିର୍ବାଚନ ସମ୍ପନ୍ନ ହୋଇପାରୁଛି, ତେବେ ୧୪୭ ବିଧାନସଭା ଓ ୨୧ଟି ଲୋକସଭା ଆସନ ଥିବା ଓଡ଼ିଶାରେ ଚାରି ଦଫାର ନିର୍ବାଚନ କାହିଁକି?
ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ବିହାର ଓ ଉତ୍ତର ପ୍ରଦେଶରେ ମତଦାନ ହାର କମ୍ ହୋଇ ୬୦ ପ୍ରତିଶତରୁ ତଳେ ରହିବାର ଏକ ବଡ଼ କାରଣ ହେଉଛି ଏହି ରାଜ୍ୟ ଦ୍ୱୟରୁ ଅନେକ ଲୋକ ବାହାର ରାଜ୍ୟଗୁଡ଼ିକରେ କାମ କରୁଛନ୍ତି। ସେହି ଏକା କାରଣରୁ ସେଠାରେ ମହିଳା ମତଦାତାଙ୍କ ମତଦାନ ହାର ପୁରୁଷଙ୍କ ଅପେକ୍ଷା ଅଧିକ ହେଉଛି। ଓଡ଼ିଶାରେ ବିଭିନ୍ନ ସଂସଦୀୟ କ୍ଷେତ୍ରର ମତଦାନ ହାରକୁ ପର୍ଯ୍ୟାଲୋଚନା କଲେ ପ୍ରାୟ ଅଧିକାଂଶ ଆସନରେ ମତଦାନ ହାର ୭୪ ପ୍ରତିଶତରୁ ଅଧିକ ହୋଇଥିବାର ଜଣାପଡୁଛି। କେବଳ ଆସ୍କା ଓ ବ୍ରହ୍ମପୁର ଆସନରେ ତାହା ପ୍ରାୟ ୧୦ ପ୍ରତିଶତ କମ୍ ହୋଇ ଯଥାକ୍ରମେ ମାତ୍ର ୬୩ ଓ ୬୫ ପ୍ରତିଶତ ହୋଇଛି। ଏହି ଅଞ୍ଚଳରୁ ଅନେକ ଲୋକ ଯାଇ ସୁରାଟ ଓ ଅନ୍ୟାନ୍ୟ ସ୍ଥାନମାନଙ୍କରେ କାମ କରୁଥିବାରୁ ମତଦାନ ପ୍ରତିଶତ କମ୍‌ ହୋଇଥାଇପାରେ। ତେବେ ସର୍ବାଧିକ ସଂଖ୍ୟକ ଦାଦନ ଶ୍ରମିକଙ୍କ ଜିଲ୍ଲା କଳାହାଣ୍ଡି ଓ ବଲାଙ୍ଗୀରରେ ମତଦାନ ହାର ୭୮ ପ୍ରତିଶତ ହୋଇଛି। ଏହାର କାରଣ କ’ଣ ଦାରିଦ୍ର୍ୟ ଓ ଅନଗ୍ରସରତା ବିରୋଧରେ ପ୍ରତିକ୍ରିୟାଶୀଳ ମତଦାନ କରିବାକୁ ସେମାନେ ଅଧିକ ସଂଖ୍ୟାରେ ବାହାରିଛନ୍ତି?
ପ୍ରାର୍ଥୀ ଚୟନ ବେଳେ ଅର୍ଥ ବଳ ଓ ବାହୁ ବଳକୁ ଗୁରୁତ୍ୱ ଦିଆଯାଉଥିବାରୁ ଭଲ ଲୋକମାନେ କ୍ରମଶଃ ନିର୍ବାଚନରୁ ଦୂରେଇ ଯାଉଛନ୍ତି ବା ଦୂରେଇ ଯିବାକୁ ବାଧ୍ୟ ହେଉଛନ୍ତି। ଏଥି ସହିତ ନିର୍ବାଚିତ ପ୍ରତିନିଧି ଓ ରାଜନୈତିକ ଦଳଗୁଡ଼ିକର ନୀତିହୀନ ଓ ବିଚାରଧାରାବିହୀନ ଆଚରଣ ମତଦାତାଙ୍କୁ ଅତିଷ୍ଠ କରୁଛି। ମହାରାଷ୍ଟ୍ରର ଅଧିକାଂଶ ଆସନରେ ମତଦାନ ହାର ୬୦ ପ୍ରତିଶତରୁ କମ୍ ହେବା ସମ୍ଭବତଃ ତା’ର ଏକ ପ୍ରତିଫଳନ। ସେଠାରେ ଉଭୟ ଶିବସେନା ଓ ଏନ୍‌ସିପି ଦଳକୁ ଦୁଇ ଭାଗ କରି ଯେଉଁଭଳି ଭାବେ କ୍ଷମତା ଦଖଲ କରାଗଲା, ତାହା ସେଠାକାର ମତଦାତାଙ୍କୁ କ୍ଷୁଣ୍ଣ କରିଥିବା ସମ୍ଭବ, ଯାହା ସେମାନଙ୍କୁ ମତଦାନ ପ୍ରକ୍ରିୟା ପ୍ରତି ବିମୁଖ କରିଥିବ। ପୁଣି ଦେଖିବାକୁ ମିଳୁଛି ଯେ ନିର୍ବାଚନ ପରେ ମତଦାତାଙ୍କ ନିର୍ଣ୍ଣୟକୁ ଅବଜ୍ଞା କରି ବିଧାୟକ ଓ ସାଂସଦଙ୍କ କିଣାବିକା ମାଧ୍ୟମରେ ଏକ ସଂପୂର୍ଣ୍ଣ ଓଲଟା ଦଳ ସରକାର ଗଠନ କରୁଛି।
ଏଭଳି କିଛି କାରଣ ସମ୍ଭବତଃ ଭୋଟଦାତାମାନଙ୍କୁ ପୋଲିଂ ବୁଥକୁ ଯିବାରୁ ନିରୁତ୍ସାହିତ କରିଥିବ। ତା’ ନ ହେଲେ ଆମ ଦେଶରେ ନିର୍ବାଚନକୁ ନେଇ ଉଚ୍ଚାଟର ସ୍ତର ଯାହା, ‌େସଥିରେ ମତଦାନର ହାର କମିବାର ଅନ୍ୟ କୌଣସି ବିଶେଷ କାରଣ ନାହିଁ।
ମୋ: ୯୪୩୭୦୩୮୦୧୫