ସରଳ କୁମାର ଦାସ
ନିକଟରେ ଏକ ଗଣ ବିବାହୋତ୍ସବରେ ଯୋଗ ଦେଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଯେତେବେଳେ ନବ ଦଂପତିମାନଙ୍କୁ ଷୋହଳଟି ସନ୍ତାନ ଲାଭ କରିବାକୁ ଆହ୍ୱାନ ଦେଲେ, ତାହା ଅନେକଙ୍କୁ ବିସ୍ମିତ କରିଥିଲା। ଅଳ୍ପ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଲୋକମାନଙ୍କୁ ଦୁଇଟିରୁ ଅଧିକ ସନ୍ତାନ ଜନ୍ମ କରିବାକୁ ପରାମର୍ଶ ଦେଇଥିଲେ। କେବଳ ସେତିକି ନୁହେଁ, ଏଣିକି ସେଠାରେ ଦୁଇଟିରୁ ଅଧିକ ସନ୍ତାନର ବାପା, ମା’ମାନେ ମଧ୍ୟ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନରେ ଲଢ଼ି ପାରିବେ ବୋଲି ଆଇନ ହେଲାଣି। ଦକ୍ଷିଣ ଭାରତର ଏହି ଦୁଇ ମୁଖ୍ୟମନ୍ତ୍ରୀ ଅଧିକ ସନ୍ତାନ ଲାଭ କରିବା ଲାଗି କାହିଁକି ଏଭଳି ଆହ୍ବାନ ଦେଇଛନ୍ତି, ତାହା ପର୍ଯ୍ୟାଲୋଚନାର ବିଷୟ ନିଶ୍ଚୟ।
୨୦୨୬ ମସିହାରେ ଲୋକସଭା ନିର୍ବାଚନ ମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ କରାଯିବାର ଯୋଜନା ରହିଛି। ଏହା ହେଲେ ଦେଶର ରାଜନୈତିକ ମାନଚିତ୍ରରେ ଅନେକ ପରିବର୍ତ୍ତନ ହୋଇଯିବ। ସଂସଦରେ ଉତ୍ତର ଭାରତ ତୁଳନାରେ ଦକ୍ଷିଣ ଭାରତର ରାଜନୈତିକ ପ୍ରଭାବ ହ୍ରାସ ପାଇବ ବୋଲି ଆଶଙ୍କା ଦେଖାଦେଇଛି। ଏହା ହିଁ ଉଦ୍ବେଗର କାରଣ। ସଂବିଧାନର ଅନୁଚ୍ଛେଦ ୮୨ ଓ ୧୭୦ ଅନୁଯାୟୀ ପ୍ରତି ୧୦ ବର୍ଷରେ ଥରେ ଜନଗଣନା ଆଧାରରେ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକର ସଂଖ୍ୟା ଓ ସୀମା ନିର୍ଦ୍ଧାରଣ କରାଯିବା କଥା। ତଦନୁସାରେ ୧୯୫୧, ୧୯୬୧ ଓ ୧୯୭୧ରେ ହୋଇଥିବା ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ଲୋକସଭା ନିର୍ବାଚନ ମଣ୍ଡଳୀର ସଂଖ୍ୟା ଯଥାକ୍ରମେ ୪୯୪, ୫୨୨ ଓ ୫୪୩ ହୋଇଥିଲା। ନିୟମାନୁସାରେ ଜନ ପ୍ରତିନିଧିତ୍ବ ଲୋକସଂଖ୍ୟା ଅନୁସାରେ ହେଉଥିବାରୁ ଯେଉଁ ରାଜ୍ୟର ଜନସଂଖ୍ୟା ଯେତେ ଅଧିକ, ସେହି ରାଜ୍ୟର ଆସନ ସଂଖ୍ୟା ଆନୁପାତିକ ଭାବେ ସେତିକି ଅଧିକ ହେବା ଉଚିତ। କିନ୍ତୁ ଏଭଳି ବ୍ୟବସ୍ଥା ଦ୍ବାରା ଜନସଂଖ୍ୟା ନିୟନ୍ତ୍ରଣର ଲକ୍ଷ୍ୟ ପରାହତ ହେବ ବୋଲି ସଂବିଧାନରେ ୪୨ତମ ସଂଶୋଧନ ବଳରେ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟାକୁ ୨୦୦୦ ମସିହା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ୨୦୦୨ ମସିହାରେ ସଂବିଧାନରେ ୮୪ତମ ସଂଶୋଧନ ଅଣାଯାଇ ଏହି ପ୍ରକ୍ରିୟାକୁ ୨୦୨୬ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ତେଣୁ ୨୦୨୬ ପରେ ହେବାକୁ ଥିବା ନୂଆ ଜନଗଣନା ଆଧାରରେ ଲୋକସଭା ନିର୍ବାଚନ ମଣ୍ଡଳୀଗୁଡ଼ିକର ସୀମା ପୁନଃନିର୍ଦ୍ଧାରଣ କରାଯିବ। ଫଳରେ ୧୯୭୧ ମସିହା ଜନସଂଖ୍ୟା ଆଧାରରେ ଏ ଯାବତ୍ ରହିଥିବା ଲୋକସଭା ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ। ଏହା ଦୁଇ ପ୍ରକାରେ କରାଯାଇପାରେ- ଆସନ ସଂଖ୍ୟାକୁ ୫୪୩ରେ ସ୍ଥିର ରଖି ରାଜ୍ୟଗୁଡ଼ିକର ଜନସଂଖ୍ୟା ଅନୁସାରେ ପୁନଃ ଆବଣ୍ଟନ କରାଯାଇପାରେ ବା ଜନସଂଖ୍ୟା ବୃଦ୍ଧି ଅନୁସାରେ ଆସନ ସଂଖ୍ୟା ବୃଦ୍ଧି କରାଯାଇପାରେ। ପ୍ରଥମ ପଦ୍ଧତିର ଅନୁସରଣ କରି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିନିଧି ସଭାର ସଭ୍ୟ ସଂଖ୍ୟାକୁ ୧୯୧୩ ମସିହାରୁ ୪୩୫ରେ ହିଁ ଅପରିବର୍ତ୍ତିତ ରଖାଯାଇଛି। ଦ୍ୱିତୀୟ ପଦ୍ଧତି ଅନୁସାରେ ଜନସଂଖ୍ୟା ବୃଦ୍ଧି ହେତୁ ଆସନ ସଂଖ୍ୟା ୮୪୮କୁ ବୃଦ୍ଧି ପାଇପାରେ। ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ ଭଳି ଉତ୍ତର ଭାରତର ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ବିଶେଷ ସଫଳ ହୋଇ ନ ଥିବାରୁ ସେଠାରେ ଜନସଂଖ୍ୟା ଖୁବ୍ ବୃଦ୍ଧି ପାଇଥିବା ବେଳେ କେରଳ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଭଳି ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସଫଳ ହୋଇ ଜନସଂଖ୍ୟାକୁ ସୀମିତ ରଖିପାରିଛନ୍ତି। କିନ୍ତୁ, ବିଡ଼ମ୍ୱନା ହେଲା ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସଫଳତା ସତ୍ତ୍ବେ ସୀମା ପୁନଃନିର୍ଦ୍ଧାରଣ ପରିପ୍ରେକ୍ଷୀରେ ସଂସଦରେ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକର ପ୍ରତିନିଧିତ୍ବ ବା ଆସନ ସଂଖ୍ୟା ହ୍ରାସ ପାଇବ, ଯେତେବେଳେ କି ଉତ୍ତର ଭାରତୀୟ କେତେକ ରାଜ୍ୟଙ୍କ ପ୍ରତିନିଧିତ୍ବରେ ବୃଦ୍ଧି ଘଟିବ। ଉଦାହରଣ ସ୍ୱରୂପ, ଲୋକସଭାର ଆସନ ସଂଖ୍ୟା ୮୪୮କୁ ବୃଦ୍ଧି ପାଇଲେ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶର ଆସନ ସଂଖ୍ୟା ୮୦, ୪୦, ୨୫, ୨୯ରୁ ବଢ଼ି ଯଥାକ୍ରମେ ୧୪୩, ୭୯, ୫୦, ୫୨ ହେବ, ଅର୍ଥାତ୍ ୮୪୮ ଆସନ ବିଶିଷ୍ଟ ଲୋକସଭାରେ କେବଳ ଏହି ୪ଟି ରାଜ୍ୟର ଆସନ ସଂଖ୍ୟା ୩୮ ପ୍ରତିଶତ ହେବ। ସୁତରାଂ, ଜାତୀୟ ରାଜନୀତିରେ ସେହି ରାଜ୍ୟଗୁଡ଼ିକର ପ୍ରଭାବ ଆଶାତୀତ ଭାବେ ବୃଦ୍ଧି ପାଇବ। ଅନ୍ୟ ପକ୍ଷରେ କେରଳ, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଭଳି ଦକ୍ଷିଣ ଭାରତୀୟ ୫ଟି ରାଜ୍ୟର ସମୁଦାୟ ଲୋକସଭା ଆସନ ସଂଖ୍ୟା ବର୍ତ୍ତମାନର ୧୨୯ରୁ ବୃଦ୍ଧି ପାଇ ୧୬୪ରେ ପହଞ୍ଚିବ, ଯାହା ମାତ୍ର ମାତ୍ର ୨୧ ପ୍ରତିଶତ ବୃଦ୍ଧି। ଲୋକସଭା ଆସନ ସଂଖ୍ୟା ଯଦି ୫୪୩ରେ ଅପରିବର୍ତ୍ତିତ ରହେ, ତେବେ ଦାକ୍ଷିଣାତ୍ୟ ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ୧୦୩କୁ ଖସି ଆସିବ। ତେଣୁ ସୀମା ପୁନଃନିର୍ଦ୍ଧାରଣ ହେଲେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ରାଜନୈତିକ ପ୍ରଭାବ ଯେ ଯଥେଷ୍ଟ ହ୍ରାସ ପାଇବ, ସେଥିରେ ସନ୍ଦେହ ନାହିଁ। ଏହା ସହ ସେଠାକାର ଆଞ୍ଚଳିକ ଦଳଗୁଡ଼ିକର ମୂଲଚାଲ କ୍ଷମତା କମିଯିବ। ବର୍ଦ୍ଧିତ ଆସନ ବିଶିଷ୍ଟ ଲୋକସଭାରେ ଓଡ଼ିଶାର ଆସନ ସଂଖ୍ୟା ୨୧ରୁ ମାତ୍ର ୩୩ ପ୍ରତିଶତ ବଢ଼ି ୨୮ ହେବ, ଯଦ୍ଦ୍ୱାରା ଜାତୀୟ ରାଜନୀତିରେ ଓଡ଼ିଶାର ପ୍ରଭାବ ଆନୁପାତିକ ଭାବେ ଆହୁରି ହ୍ରାସ ପାଇବ।
ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଜନସଂଖ୍ୟା ନିୟନ୍ତ୍ରିତ ହୋଇ ପାରିବାର ବଡ଼ କାରଣ ହେଉଛି ଏଠାକାର ମହିଳାମାନଙ୍କର ହାରାହାରି ମୋଟ ସନ୍ତାନ ପ୍ରସବ ହାର ବା ‘ଟି.ଏଫ୍.ଆର.’ (ଟୋଟାଲ୍ ଫର୍ଟିଲିଟି ରେଟ୍) ସର୍ବଭାରତୀୟ ହାରାହାରି ଠାରୁ ଯଥେଷ୍ଟ କମ୍। ଜଣେ ପ୍ରଜନନକ୍ଷମ ମହିଳା ତାଙ୍କ ଜୀବଦ୍ଦଶାରେ ସମୁଦାୟ କେତୋଟି ଶିଶୁକୁ ଜନ୍ମ ଦେଉଛନ୍ତି, ତାକୁ ନେଇ ‘ଟି.ଏଫ୍.ଆର.’ ନିର୍ଦ୍ଧାରଣ କରାଯାଇଥାଏ। ‘ଟି.ଏଫ୍.ଆର.’ ୨.୧ ସ୍ତରରେ ରହିଲେ ଜନସଂଖ୍ୟା ସ୍ଥିର ରହେ। ‘ଟି.ଏଫ୍.ଆର.’ ୨.୧ର ଅର୍ଥ ୧୦୦ ଜଣ ମହିଳା ୨୧୦ଟି ସନ୍ତାନର ଜନନୀ ହେବା। ସେହି ଦୃଷ୍ଟିରୁ ଏହା ହିଁ ଆଦର୍ଶ ସ୍ତରର ‘ଟି.ଏଫ୍.ଆର.’। ସଂପ୍ରତି ଭାରତର ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇବାରେ ଲାଗିଛି। ୨୦୨୨ରେ ‘ଟି.ଏଫ୍.ଆର.’ ୨.୧ରୁ କମି ୨.୦୧ରେ ପହଞ୍ଚିଥିଲା। ତେବେ ଦେଶର ବିଭିନ୍ନ ରାଜ୍ୟରେ ‘ଟି.ଏଫ୍.ଆର.’ ଭିନ୍ନ ଭିନ୍ନ। ‘ଏନ୍ଏଫ୍ଏଚ୍ଏସ୍-୫’ ବା ‘ଜାତୀୟ ପାରିବାରିକ ସ୍ବାସ୍ଥ୍ୟ ସର୍ବେକ୍ଷଣ-୫’ର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ‘ଟି.ଏଫ୍.ଆର.’ ୧.୬୪ ଥିବା ବେଳେ ବିହାର ଓ ଉତ୍ତରପ୍ରଦେଶରେ ଏହା ଯଥାକ୍ରମେ ୩.୦୨ ଓ ୨.୩୮।
ତେଣୁ ଅତି ମାତ୍ରାରେ ଜନସଂଖ୍ୟା ନିୟନ୍ତ୍ରଣ କରି ରାଜନୈତିକ ଗୁରୁତ୍ୱ ହରାଇବାକୁ ବସିଥିବା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ସନ୍ତାନ ସଂଖ୍ୟା ବୃଦ୍ଧି ସକାଶେ ଆହ୍ବାନ ଦେବା ସ୍ୱାଭାବିକ। ଏହା ବ୍ୟତୀତ ଜନସଂଖ୍ୟା ହ୍ରାସର ଭୟଙ୍କର ଆର୍ଥିକ ଦିଗ ମଧ୍ୟ ସେମାନଙ୍କୁ ବିଚଳିତ କରିଛି। କେନ୍ଦ୍ରୀୟ ଆର୍ଥିକ ଅନୁଦାନ ଓ ସହାୟତା ବେଳେ ଜନସଂଖ୍ୟାକୁ ଗୁରୁତ୍ୱ ଦିଆଯାଉଥିବାରୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ କ୍ଷତିଗ୍ରସ୍ତ ହେଉଛନ୍ତି। ଅଧିକନ୍ତୁ, ‘ଟି.ଏଫ୍.ଆର.’ ହ୍ରାସ ଯୋଗୁଁ କର୍ମକ୍ଷମ ଶ୍ରମବଳ ଆନୁପାତିକ ଭାବେ ହ୍ରାସ ପାଉଥିବାରୁ ତାହା ରାଜ୍ୟର ମୋଟ ଆୟରେ ସଂକୋଚନ ଘଟାଇବା ସ୍ବାଭାବିକ। କେବଳ ସେତିକି ନୁହେଁ, ଆୟୁରେ ବୃଦ୍ଧି ହେତୁ ନିର୍ଭରଶୀଳ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଫଳରେ ଉଭୟ ସମାଜ ଓ ସରକାରଙ୍କୁ ପେନ୍ସନ୍ ଓ ସ୍ୱାସ୍ଥ୍ୟ ବାବଦରେ ଅଧିକ ବ୍ୟୟ କରିବାକୁ ହେଉଛି, ଯାହା ଅର୍ଥନୀତି ଉପରେ ଚାପ ସୃଷ୍ଟି କରୁଛି।
ମହିଳାଙ୍କ ପିଛା ଶିଶୁ ଜନ୍ମ ହାର ଯଥେଷ୍ଟ କମ୍ ହେବା ଯୋଗୁଁ ଆଗାମୀ କିଛି ବର୍ଷ ମଧ୍ୟରେ ସମଗ୍ର ବିଶ୍ୱର ଜନସଂଖ୍ୟା ହ୍ରାସ ପାଇ ବିକଟ ସମସ୍ୟାମାନ ଦେଖାଦେବ ବୋଲି ଜାତିସଂଘ ଚେତାଇ ସାରିଲେଣି। ଆମେରିକା ଓ ଅଷ୍ଟ୍ରେଲିଆରେ ‘ଟି.ଏଫ୍.ଆର.’ ୧.୬ ଥିବା ବେଳେ ୨୦୨୨ରେ ୟୁରୋପର ଦେଶଗୁଡ଼ିକରେ ଏହା ଉଦ୍ବେଗଜନକ ୧.୪୬ରେ ପହଞ୍ଚିଲାଣି। ଏପରିକି ଏକଦା ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନର କଠୋର ଜନସଂଖ୍ୟା ନିୟନ୍ତ୍ରଣ ନୀତି ଯୋଗୁଁ ସେଠାକାର ‘ଟି.ଏଫ୍.ଆର.’ ୧.୬୬ରୁ ହ୍ରାସ ପାଇଲାଣି। ତେଣୁ ସେଠାରେ ଅଧିକ ସନ୍ତାନ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ କୌଣସି ସଫଳତା ହାସଲ କରାଯାଇପାରିନାହିଁ। ସେମିତି ଜାପାନ, ସିଙ୍ଗାପୁର, ତାଇୱାନ୍, ହଂକଂ ପରି ଏସିଆର ଅନ୍ୟ କେତେକ ଦେଶରେ ‘ଟି.ଏଫ୍.ଆର.’ ହ୍ରାସ ପାଇ ଯଥାକ୍ରମେ ୧.୨୬, ୧.୦୪, ୦.୮୭, ୦.୮ରେ ପହଞ୍ଚିଲାଣି। ଦକ୍ଷିଣ କୋରିଆରେ ତ ଏହା ବିଶ୍ୱର ସର୍ବନିମ୍ନ ୦.୭୮ ହେଲାଣି, ଯାହାର ଅର୍ଥ ୧୦୦ ମହିଳା ମାତ୍ର ୭୮ଟି ସନ୍ତାନର ଜନନୀ ହେବେ। ଅତି କମ୍ ସଂଖ୍ୟକ ସନ୍ତାନ ଜନ୍ମ ‘ନିମ୍ନ-ଉତ୍ପାଦିକା ଯନ୍ତା’ ବା ‘ଲୋ-ଫର୍ଟିଲିଟି ଟ୍ରାପ୍’କୁ ଜନ୍ମ ଦେଉଛି, ଯାହା ଅନୁସାରେ ଯଦି ‘ଟି.ଏଫ୍.ଆର.’ ୧.୫ ବା ୧.୪ରୁ କମ୍ ହୁଏ, ତେବେ ତାକୁ ଆଉ ବଢ଼ାଇବା ଅତ୍ୟନ୍ତ କଠିନ ଏପରିକି ଅସମ୍ଭବ ହୋଇଥାଏ। ନିମ୍ନମୁଖୀ ‘ଟି.ଏଫ୍.ଆର.’ ଯୋଗୁଁ ବିକଶିତ ଦେଶଗୁଡ଼ିକ ଊଣାଅଧିକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ଲାଗିଲେଣି। ତେଣୁ ସେଠାରେ ବହିରାଗତ (ଇମିଗ୍ରାଣ୍ଟସ୍)ଙ୍କ ଆଗମନକୁ ପ୍ରୋତ୍ସାହିତ କରାଯାଉଛି।
ବାସ୍ତବରେ ଷ୍ଟାଲିନ ଯେଉଁ ଷୋହଳ ସନ୍ତାନ ଲାଭ କରିବା କଥା କହିଥିଲେ, ତାହା ଏକ ତାମିଲ ଆଶୀର୍ବଚନ, ଯାହା ସାଧାରଣତଃ ନବ ଦଂପତିମାନଙ୍କୁ ଦିଆଯାଇଥାଏ। ତାହାର ପ୍ରକୃତ ଅର୍ଥ ଅଧିକ ସନ୍ତାନ ଜନ୍ମ କରିବା ନୁହେଁ, ବରଂ ଜୀବନରେ ସମୃଦ୍ଧି, ସ୍ଥିରତା, ସଫଳତା, ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ, ସମ୍ପତ୍ତି, ଧର୍ମ, ପର ପିଢ଼ିର ଉନ୍ନତି ଭଳି ୧୬ଟି ବର ପ୍ରାପ୍ତି। ତେବେ ରାଜନୈତିକ ଓ ଅର୍ଥନୈତିକ କାରଣରୁ ଷ୍ଟାଲିନଙ୍କ ଉକ୍ତିରେ ନବ ଦଂପତିଙ୍କ ସକାଶେ ଯେ ଅଧିକ ଶିଶୁ ଜନ୍ମ କରିବାର ପରାମର୍ଶ ଥିଲା, ତାହା ନିଃସନ୍ଦେହ।
‘ଏନ୍.ଏଫ୍.ଏଚ୍.ଏସ୍.-୫’ର ରିପୋର୍ଟ ଅନୁସାରେ ଓଡ଼ିଶାରେ ମହିଳାଙ୍କ ‘ଟି.ଏଫ୍.ଆର.’ ହେଉଛି ୨.୧୪। ଏହା ସନ୍ତୋଷଜନକ। ତେଣୁ ଏଠାରେ ଜନସଂଖ୍ୟାକୁ ଅଧିକ ନିୟନ୍ତ୍ରଣ କରିବାର ପ୍ରୟାସରୁ ବିରତ ରହିବା ଆବଶ୍ୟକ। ଆନ୍ଧ୍ରପ୍ରଦେଶ ପରି ଏଠାରେ ମଧ୍ୟ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ନିର୍ବାଚନ ଲଢ଼ିବା ପାଇଁ ‘ଦୁଇ-ଶିଶୁ ନୀତି’ର ପରିବର୍ତ୍ତନ ଅଣାଯିବା ଆବଶ୍ୟକ। ରାଜ୍ୟ ତଥା ଦେଶର ‘ଟି.ଏଫ୍.ଆର.’କୁ ଅନ୍ତତଃ ପକ୍ଷେ ୨.୧ରେ ବଳବତ୍ତର ରଖାଯିବା ଆବଶ୍ୟକ।
ମୋ: ୯୪୩୭୦୩୮୦୧୫