ମଣିପୁରର ଗୋଟିଏ ଗାଁରେ ମୈତେୟୀ ଗୋଷ୍ଠୀର ପ୍ରାୟ ହଜାରେ ଲୋକଙ୍କର ଏକ ଉଗ୍ର ଭିଡ଼ ଦୁଇ ଜଣ କୁକି-ଜୋ ଆଦିବାସୀ ଗୋଷ୍ଠୀର ମହିଳାଙ୍କୁ ସମ୍ପୂର୍ଣ୍ଣ ବିବସ୍ତ୍ର କରି ଗାଁ ଦାଣ୍ଡରେ ଚଲାଇ ଚଲାଇ ନେଲା ପରେ ସର୍ବସମକ୍ଷରେ ମହିଳାଙ୍କ ପ୍ରତି ଗଣ ବଳାତ୍କାରର ଦୃଶ୍ୟ ସମ୍ୱଳିତ ୨୬ ସେକେଣ୍ଡର ଭିଡିଓଟି ଯେତେବେଳେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା, ସେତେବେଳେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହେଲା ଓ ଦେଶବାସୀଙ୍କ ରୋଷ ଚରମରେ ପହଞ୍ଚିଲା। ଏପରିକି ମଣିପୁର ପ୍ରସଙ୍ଗରେ ୭୮ ଦିନ ଧରି କୌଶଳଗତ ମୌନ ବ୍ରତ ପାଳନ କରି ଆସୁଥିବା ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ମୁହଁ ଖୋଲି ରୋଷ ବ୍ୟକ୍ତ କରି କହିବାକୁ ହେଲା ଯେ ମଣିପୁରର ଏହି ଘଟଣା ପାଇଁ ଦେଶ ଲଜ୍ଜିତ। ସୁପ୍ରିମ୍ କୋର୍ଟ ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରୋକଠୋକ ଶୁଣାଇ ଦେଲେ ଯେ ତୁରନ୍ତ ପଦକ୍ଷେପ ନିଅ, ନହେଲେ ଆମକୁ ହସ୍ତକ୍ଷେପ କରିବାକୁ ପଡ଼ିପାରେ।
ପ୍ରଥମେ ସମଗ୍ର ଘଟଣାକ୍ରମ ଉପରେ ନଜର ପକାଯାଉ। ମେ ୩ରେ ମଣିପୁରରେ ମୈତେୟୀ ଓ କୁକି ଗୋଷ୍ଠୀ ମଧ୍ୟରେ ଆରକ୍ଷଣ ଓ ଅନ୍ୟାନ୍ୟ କେତେକ ପ୍ରସଙ୍ଗକୁ ନେଇ ସଂଘର୍ଷ ଉଗ୍ର ରୂପ ଧାରଣ କରି ହିଂସ୍ର ହୋଇପଡ଼ିଲା। ଠିକ୍ ପର ଦିନ ଅର୍ଥାତ୍ ମେ ୪ରେ ମଣିପୁରର କାଙ୍ଗପୋକପି ଜିଲ୍ଲାର ବି. ଫଇନୋମ ଗାଁରେ ସଂଘଟିତ ହୋଇଥିଲା ଉପରୋକ୍ତ ଅପରାଧ। ମେ ୧୮ରେ ସାଇକୁଲ ଥାନାରେ ଏକ ‘ଜିରୋ ଏଫ୍.ଆଇ.ଆର୍.’ ଦାୟର ହେଲା। ଅଧିକାର କ୍ଷେତ୍ର ହୋଇ ନ ଥିଲେ ବି ଯେ କୌଣସି ଥାନାରେ ‘ଜିରୋ ଏଫ୍.ଆଇ.ଆର୍.’ ଦାଖଲ କରି ହୁଏ। ତେବେ ସମ୍ପୃକ୍ତ ସାଇକୁଲ ଥାନା ମାମଲାଟିକୁ ଅପରାଧର ଅଧିକାର କ୍ଷେତ୍ରରେ ଥିବା ନଙ୍ଗପୋକ ସେକମାଇ ଥାନାକୁ ସ୍ଥାନାନ୍ତରିତ କରି ଦେଇଥିଲେ, ଯେଉଁଠାରେ ସେଇଟି ଜୁନ ୨୧ରେ, ଅର୍ଥାତ୍ ମାସେ ୩ ଦିନ ପଡ଼ି ରହିଲା ପରେ ଏକ ନିୟମିତ ଏଫ୍.ଆଇ.ଆର୍ ଭାବେ ଦରଜ କରାଗଲା। ‘ଜିରୋ ଏଫ୍.ଆଇ.ଆର୍.’ ଅନୁଯାୟୀ ୮୦୦ରୁ ୧୦୦୦ ଅଜଣା ଉପଦ୍ରବୀଙ୍କ ବିରୋଧରେ ହତ୍ୟା ଓ ଦୁଷ୍କର୍ମର ଅଭିଯୋଗ ଥିଲା। ଏହି ଭିଡ଼ ପ୍ରଥମେ ଘରେ ନିଆଁ ଲଗାଇବା ପରେ ଦୌଡ଼ି ପଳାଇ ଯାଉଥିବା ଗୋଟିଏ ପରିବାରର ୫ ଜଣଙ୍କୁ ଧରିଲେ। ସେମାନଙ୍କ ମଧ୍ୟରେ ଥିଲେ ୨ ଜଣ ପୁରୁଷ ଓ ୩ଜଣ ମହିଳା। ଅଭିଯୋଗକାରୀଙ୍କ ଅଭିଯୋଗ ଅନୁଯାୟୀ ଉନ୍ମତ୍ତ ଭିଡ଼ ସେମାନଙ୍କୁ ନଙ୍ଗପୋକ ସେକମାଇ ଥାନା ପୁଲିସଙ୍କ ହେପାଜତରୁ ଛଡ଼ାଇ ଆଣିଲେ। ତୁରନ୍ତ ସେମାନେ ଜଣେ ପୁରୁଷକୁ ହତ୍ୟା କରିବା ପରେ ୩ ଜଣ ମହିଳାଙ୍କୁ ବିବସ୍ତ୍ର କଲେ। ସେମାନଙ୍କ ମଧ୍ୟରୁ ଜଣେ ୨୦ ବର୍ଷୀୟା ଝିଅକୁ ଗଣ ଦୁଷ୍କର୍ମ କରାଗଲା ଓ ଝିଅଟିର ଭାଇ ପ୍ରତିବାଦ କରିବାରୁ ତାକୁ ମଧ୍ୟ ହତ୍ୟା କରାଗଲା। ଅନ୍ୟ ଦୁଇ ଜଣ ମହିଳା ଅଶ୍ଳୀଳ ଆଚରଣର ଶିକାର ହୋଇଥିଲେ ବି ସେମାନେ କୌଣସି ପ୍ରକାରେ ସେଠାରୁ ଖସି ପଳାଇ ଆସିବାକୁ ସମର୍ଥ ହୋଇଥିଲେ। ପ୍ରଶ୍ନ ଉଠୁଛି ଥାନା କର୍ତ୍ତୃପକ୍ଷ ଅପରାଧ ସଂପର୍କରେ ଅବଗତ ଥିଲେ ବି ଏଫ୍.ଆଇ.ଆର୍. ଦାୟର ହେବାରେ ଅହେତୁକ ବିଳମ୍ୱ ହେଲା କାହିଁକି? ଅପରାଧୀଙ୍କୁ ଗିରଫ କରିବାରେ ପୁଲିସ ନିଷ୍କ୍ରିୟତା ସ୍ପଷ୍ଟ ବାରି ହୋଇ ପଡୁଥିଲା ବେଳେ ଜୁଲାଇ ୧୯ରେ ଭିଡିଓ ଭାଇରାଲ ହେବା ପରେ ସେହି ପୁଲିସ ତତ୍ପରତା ପ୍ରକାଶ କରି ୭ ଜଣଙ୍କୁ ଗିରଫ କରିବାକୁ ସମର୍ଥ ହେଲେ। ଏଣୁ ପ୍ରଶ୍ନ ଉଠୁଛି ଯେ କାହା ନିର୍ଦ୍ଦେଶରେ ପୁଲିସ ଏ ଯାଏଁ ନିଷ୍କ୍ରିୟ ଥିଲେ? ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ଗୃହ ମନ୍ତ୍ରୀ ମେ ୨୯ରେ ମଣିପୁର ଗସ୍ତରେ ଯାଇଥିଲେ। ତେଣୁ ଭିଡିଓ ଭାଇରାଲ ହେବାର ଯଥେଷ୍ଟ ପୂର୍ବରୁ ମଣିପୁରର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଯେ ଏହି ଭୟାବହ ଘଟଣା ସମ୍ପର୍କରେ ଅବଗତ ନ ଥିଲେ, ତାହା ମଧ୍ୟ କହି ହେବ ନାହିଁ; ଯଦି ସେମାନେ ଜାଣି ନ ଥାଆନ୍ତି, ତେବେ ତାହା ‘ଇଣ୍ଟେଲିଜେନସ୍’ ବା ଗୁଇନ୍ଦା ବିଭାଗର ସାମର୍ଥ୍ୟ ଉପରେ ପ୍ରଶ୍ନଚିହ୍ନ ଲଗାଇବ। ମଣିପୁରରେ ଯେଉଁ ବର୍ବରୋଚିତ କାଣ୍ଡମାନ ସଂଘଟିତ ହେବାରେ ଲାଗିଛି ସେ ସମସ୍ତ ଅପରାଧର ବିବରଣୀ ଏ ଯାଏଁ ଲୋକଲୋଚନକୁ ଆସିପାରିନାହିଁ; କାରଣ ସେଠାରେ ଦୀର୍ଘ କାଳ ଧରି ‘ଇଣ୍ଟରନେଟ୍’ ସେବା ବନ୍ଦ ଥିଲା। ଏହି ଭିଡିଓଟି ଭାଇରାଲ ହେବା ପରେ ଏହି ଧରଣର ଅନେକ ଦୁଷ୍କର୍ମ ଓ ହତ୍ୟାର ଭୟଙ୍କର ଛାତିଥରା ବିବରଣୀ ଲୋକଲୋଚନକୁ ଆସିବା ଆରମ୍ଭ କରିଛି।
ଦୁଷ୍କର୍ମ ଏକ ଅକ୍ଷମଣୀୟ ଅପରାଧ। କିନ୍ତୁ ସାରା ବିଶ୍ୱରେ ମହିଳା ଓ ଝିଅମାନେ ଲଜ୍ଜାଜନକ ଭାବେ ଏହାର ଶିକାର ହୋଇ ଆସୁଛନ୍ତି। ତେବେ ସଶସ୍ତ୍ର ସଂଘର୍ଷ ପରିସ୍ଥିତିରେ ନିରୀହ ମହିଳା ଓ ଝିଅମାନଙ୍କ ପ୍ରତି ଯୌନ ହିଂସା ଓ ଦୁଷ୍କର୍ମକୁ ପ୍ରତିପକ୍ଷ ଏକ ଅସ୍ତ୍ର ରୂପେ ବ୍ୟବହାର କରିଆସୁଛନ୍ତି। ଯୁଦ୍ଧ ଓ ସଂଘର୍ଷ କାଳରେ ଆତଙ୍କର ବାତାବରଣ ସୃଷ୍ଟି କରିବା ପାଇଁ ଯୌନ ହିଂସା ଓ ଦୁଷ୍କର୍ମକୁ ଏକ ଅସ୍ତ୍ର ବା ରଣକୌଣଳ ରୂପେ ପ୍ରୟୋଗ କରା ଯାଇଆସିଛି। ଏହା ଏଭଳି ଏକ କାର୍ଯ୍ୟ ଯାହାର କୁପ୍ରଭାବ ଦ୍ବାରା ପରବର୍ତ୍ତୀ ପିଢ଼ିଗୁଡ଼ିକ ବି ଆକ୍ରାନ୍ତ ହୁଅନ୍ତି। କେତେକ କ୍ଷେତ୍ରରେ ମହିଳାଙ୍କୁ ଜାଣିଶୁଣି ଏଡସ୍ଗ୍ରସ୍ତ କରାଯାଉଥିବା ବେଳେ କେତେକଙ୍କ ପ୍ରତି ଏ ଭଳି ହିଂସା ଆଚରଣ କରାଯାଏ ଯେ ସେମାନେ ପରବର୍ତ୍ତୀ ସମୟରେ ଗର୍ଭ ଧାରଣ କରିବାର ସାମର୍ଥ୍ୟ ହରାଇ ବସନ୍ତି। ଜାତିସଂଘର ତଥ୍ୟ ଅନୁଯାୟୀ ସିଏରା ଲିଓନିରେ ୧୯୯୧ରୁ ୨୦୦୨ ମଧ୍ୟରେ ଲାଗି ରହିଥିବା ଗୃହଯୁଦ୍ଧରେ ୬୦,୦୦୦ରୁ ଅଧିକ ସଂଖ୍ୟକ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ। ସେହିଭଳି ଲାଇବେରିଆରେ ୧୯୮୯ରୁ ୧୯୯୩ ମଧ୍ୟରେ ୪୦,୦୦୦ରୁ ଅଧିକ, ପ୍ରାକ୍ତନ ଯୁଗୋସ୍ଲାଭିଆରେ ୧୯୯୨ରୁ ୧୯୯୫ ମଧ୍ୟରେ ୬୦,୦୦୦ରୁ ଅଧିକ, ୧୯୯୪ରେ ମାତ୍ର ୩ ମାସ ମଧ୍ୟରେ ରୁଆଣ୍ଡା ଗଣସଂହାରରେ ଲକ୍ଷାଧିକ ମହିଳା ଜଘନ୍ୟ ଦୁଷ୍କର୍ମର ଶିକାର ହୋଇଥିଲେ। ୧୯୯୮ ପର ଠାରୁ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ୨ ଲକ୍ଷରୁ ଅଧିକ ମହିଳାଙ୍କ ପ୍ରତି ଦୁଷ୍କର୍ମ କରାଯାଇଛି, ଯେଉଁ କାରଣରୁ ଏହା ବିଶ୍ୱର ‘ଦୁଷ୍କର୍ମ ରାଜଧାନୀ’ ରୂପେ କୁଖ୍ୟାତି ପାଇଛି। କଙ୍ଗୋରେ ଦୁଷ୍କର୍ମରେ ପୀଡ଼ିତ ୫୦ ହଜାରରୁ ଅଧିକ ମହିଳାଙ୍କ ସେବା କରିଥିବା ଡାକ୍ତର ଡେନି ମୁକୱେଗେଙ୍କୁ ୨୦୧୮ରେ ଶାନ୍ତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଦୀର୍ଘକାଳୀନ ସଂଘର୍ଷରେ ମହିଳାମାନେ ଯେପରି ଯୌନ ହିଂସା ଓ ଦୁଷ୍କର୍ମର ଶିକାର ହୋଇ ଚାଲିଛନ୍ତି, ସେଥିରେ ବିବ୍ରତ ମୁକୱେଗେ ନୋବେଲ ପୁରସ୍କାର ଗ୍ରହଣ କରିବା ଅବସରରେ କହିଥିଲେ, ‘ଯେଉଁ ପୁରସ୍କାର କଙ୍ଗୋର ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣି ପାରିବ ନାହିଁ, ତାହା ମୋ ପାଇଁ ଏକ ମୂଲ୍ୟହୀନ ପୁରସ୍କାର’। ତାଙ୍କ ମତରେ ଯୁଦ୍ଧ ଓ ସଂଘର୍ଷରେ ଦୁଷ୍କର୍ମ କେବଳ ଏକ ସାମାନ୍ୟ ଅସ୍ତ୍ର ନୁହେଁ; ବରଂ ଗଣ ବିଧ୍ୱଂସକାରୀ ଭୟାନକ ଅସ୍ତ୍ର ସହିତ ସମତୁଲ, କାରଣ ଏହା ସେ ଅଞ୍ଚଳର ସମଗ୍ର ସଂପ୍ରଦାୟକୁ କ୍ଷତି ପହଞ୍ଚାଇଥାଏ। ଦୁଷ୍କର୍ମର ଶିକାର ମହିଳାମାନେ ଅନେକ ସମୟରେ ପରିବାର ଏପରିକି ବୃହତ୍ତର ସମାଜ ଦ୍ୱାରା ପରିତ୍ୟକ୍ତ ହୁଅନ୍ତି; ଏପରିକି ସେମାନେ ସ୍ୱାମୀ ଓ ପିତାମାତାଙ୍କ ଦ୍ବାରା ମଧ୍ୟ ତ୍ୟାଜ୍ୟ ହୁଅନ୍ତି। ଦୁଷ୍କର୍ମ ପରେ ଅବାଞ୍ଛିତ ଗର୍ଭଧାରଣ କରୁଥିବା ଝିଅମାନେ ଜନ୍ମ ଦେଉଥିବା ଶିଶୁଙ୍କର ଉଚିତ ଯତ୍ନ ମଧ୍ୟ ନିଅନ୍ତି ନାହିଁ; କାରଣ ଏଭଳି ସନ୍ତାନର ସୃଷ୍ଟି ପଛରେ ରହିଥାଏ ଏକ ନିତାନ୍ତ ନରକୀୟ କାଣ୍ଡ। ଅନେକ ସମୟରେ ସେମାନେ ଦୁରାରୋଗ୍ୟ ବ୍ୟାଧି ଦ୍ବାରା ସଂକ୍ରମିତ ହୁଅନ୍ତି। ସବୁଠାରୁ ବଡ଼ କଥା ହେଲା ଏଭଳି ଦାରୁଣ ଅନୁଭୂତି ସେମାନଙ୍କୁ ସାରା ଜୀବନ ସକାଶେ ମାନସିକ ଭାବେ ରୁଗ୍ଣ କରିଦିଏ।
ପୂର୍ବେ ଯୁଦ୍ଧ ବା ସଂଘର୍ଷରେ ପରାଜିତ ପକ୍ଷର ମହିଳାଙ୍କ ପ୍ରତି ଦୁଷ୍କର୍ମ ବିଜେତା ସୈନ୍ୟବାହିନୀର ଏକ ନ୍ୟାୟୋଚିତ ଅଧିକାର ବୋଲି ଗ୍ରହଣୀୟ ହେଉଥିଲା। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଉଭୟ ପକ୍ଷର ସୈନ୍ୟବାହିନୀଙ୍କ ଦ୍ୱାରା ଏହିପରି ହଜାର ହଜାର ସଂଖ୍ୟାରେ ଦୁଷ୍କର୍ମ ସଂଘଟିତ ହୋଇଥିଲେ ବି ଯୁଦ୍ଧ ପରେ ଯୁଦ୍ଧ ଅପରାଧୀଙ୍କ ଦଣ୍ଡ ବିଧାନ ପାଇଁ ଗଠିତ ହୋଇଥିବା ଅଦାଲତରେ ମହିଳାଙ୍କ ପ୍ରତି ଦୁଷ୍କର୍ମ ପାଇଁ କେହି ଦଣ୍ଡିତ ହୋଇ ନଥିଲେ; କାରଣ ସେତେବେଳେ ଯୁଦ୍ଧକାଳୀନ ଯୌନ ହିଂସାକୁ ଏକ ଅପରାଧ ରୂପେ ଗ୍ରହଣ କରା ଯାଉନଥିଲା। ତେବେ, ୨୦୦୮ ମସିହାରେ ଜାତିସଂଘ ତରଫରୁ ଦୁଷ୍କର୍ମକୁ ଏକ ‘ଯୁଦ୍ଧାସ୍ତ୍ର’ ବୋଲି ଆଧିକାରିକ ଭାବେ ଘୋଷଣା କରାଗଲା। ଏହାର ଅର୍ଥ ଯୁଦ୍ଧ ବା ସଂଘର୍ଷ କାଳରେ ଦୁଷ୍କର୍ମକୁ ଏକ ସାଧାରଣ ଘଟଣା ଭଳି ଗ୍ରହଣ କରାଯାଇ ପାରିବ ନାହିଁ।
ଆମ ଦେଶରେ ‘ବେଟି ବଚାଓ’ ଏକ ଜନପ୍ରିୟ ସ୍ଲୋଗାନ୍। କିନ୍ତୁ କେବଳ ସ୍ଲୋଗାନ୍ ଯଥେଷ୍ଟ ନୁହେଁ; ଦେଶର କନ୍ୟାମାନେ ନିଜକୁ ସୁରକ୍ଷିତ ମଣିଲେ ଯାଇ ଏହା କିଛିଟା ଅର୍ଥ ପାଇବ। ଦେଶର ମହିଳାଙ୍କ ଠାରେ ଆତ୍ମବିଶ୍ୱାସ ସଂଚାର କରିବା ପାଇଁ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ହେବ। ୨୦୦୨ ଗୁଜରାଟ ଦଙ୍ଗା କାଳରେ ବିଲକିସ ବାନୋ ଗଣଧର୍ଷଣ ମାମଲାରେ ଗିରଫ ହୋଇଥିବା ବଳାତ୍କାରୀମାନଙ୍କୁ ଜେଲରୁ ଖଲାସ କରିବା ଲାଗି ସରକାରୀ ସ୍ତରରେ କୋହଳ ମନୋବୃତ୍ତି ଅବଲମ୍ୱନ କରାଯିବା ଏବଂ ଖଲାସ ହେବା ପରେ ସାମାଜିକ ସ୍ତରରେ ସେମାନଙ୍କୁ ଫୁଲ ମାଳ ପିନ୍ଧାଇ ସମ୍ମାନିତ କରାଯିବା ଭଳି ଘଟଣା ‘ବେଟୀ ବଚାଓ’ ସ୍ଲୋଗାନ୍କୁ ନିରର୍ଥକ କରିଥାଏ। ମଣିପୁରରେ ସଂଘଟିତ ଉପରୋକ୍ତ ବୀଭତ୍ସ ଘଟଣାକୁ ଏଭଳି ହୋଇଥିବା ଶହ ଶହ ଘଟଣା ଭିତରୁ ଗୋଟାଏ ବୋଲି ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ କହିଛନ୍ତି। ଏହାର ଅର୍ଥ ସଂଘର୍ଷ କାଳରେ ଏଭଳି ହିଂସା ଘଟିବା ଏକ ସାଧାରଣ କଥା ବୋଲି ସେ ବୋଧହୁଏ ବିଚାର କରୁଛନ୍ତି। କିନ୍ତୁ ଏଭଳି ଏକ ପଦ୍ଧତିଗତ (ସିଷ୍ଟମିକ) ହିଂସା ଆଦୌ ବରଦାସ୍ତଯୋଗ୍ୟ ନୁହେଁ, ଯାହା ପାଇଁ ଭାରତୀୟ ପିଙ୍ଗଳ କୋଡ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ବୋଲି ସୁପ୍ରିମ୍ କୋର୍ଟ ଟିପ୍ପଣୀ ଦେଇଛନ୍ତି।
ଡବଲ ଇଞ୍ଜିନ ସରକାରରେ ଦୁଇଟି ଯାକ ଇଞ୍ଜିନ ଫେଲ୍ ମାରି ଆଇନ ଶୃଙ୍ଖଳା ବ୍ୟବସ୍ଥା କିଭଳି ବିପର୍ଯ୍ୟସ୍ତ ହୁଏ, ତା’ର ଜ୍ୱଳନ୍ତ ଉଦାହରଣ ହେଉଛି ମଣିପୁର। ମଣିପୁର ଯଦି ବିରୋଧୀ ଦଳ ଦ୍ବାରା ଶାସିତ ହେଉଥାଆନ୍ତା, ତେବେ ଏଭଳି ହିଂସା ପରିପ୍ରେକ୍ଷୀରେ େକବେ ଠାରୁ ବରଖାସ୍ତ ହୋଇ ସାରନ୍ତାଣି। ମଣିପୁର ଏବେ ବି ଜଳୁଛି। ଗତକାଲିର ସମ୍ବାଦପତ୍ର କହିଛି ଯେ ମଣିପୁର ହିଂସା ପୁଣି ଉଗ୍ର ହେବାରେ ଲାଗିଛି। ସେଠାକାର ମହିଳାମାନଙ୍କ ଉପରେ ଦୁଷ୍କର୍ମକୁ ଏବେ ବି ’ଯୁଦ୍ଧାସ୍ତ୍ର’ ଭାବେ ବ୍ୟବହାର କରାଯାଉଛି। ତୁରନ୍ତ ଏଭଳି ପରିସ୍ଥିତିର ଅବସାନ ଘଟୁ। ମହିଳାମାନଙ୍କୁ ଦୁଷ୍କର୍ମ କରାଯିବା ଏବେ ବା କେବେ ଏକ ଯୁଦ୍ଧାସ୍ତ୍ର ରୂପେ ବ୍ୟବହୃତ ନ ହେଉ।
ମୋ: ୯୪୩୭୦୩୮୦୧୫
ସରଳ ବିଚାର: ଯୌନ ହିଂସା ଓ ଦୁଷ୍କର୍ମ ‘ଯୁଦ୍ଧାସ୍ତ୍ର’ ନ ହେଉ
ସରଳ କୁମାର ଦାସ
/sambad/media/post_attachments/wp-content/uploads/2023/08/fgffhgfhgf32132132.jpg)