ସାରଳାଦାସଙ୍କ ମହାଭାରତର ମୁଦ୍ରିତ ସଂସ୍କରଣ ସତ୍ତ୍ୱେ, ସେଦିନ କାହିଁକି ଗୋଟିଏ ‘ଶୁଦ୍ଧ ସଂସ୍କରଣ’ର ପ୍ରୟୋଜନ ପଡ଼ିଥିଲା, ସେ ବାବଦରେ କିଛି କଥା ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟଗୁଡ଼ିକରେ (୧୯/୮, ୨/୯ ଓ ୧୬/୯) ଆଲୋଚିତ ହୋଇଛି। କିନ୍ତୁ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ସେହି ‘ଶୁଦ୍ଧ ସଂସ୍କରଣ’ ଦୀର୍ଘ ପ୍ରାୟ ଅର୍ଦ୍ଧଶତାବ୍ଦୀ ପୂର୍ବେ ପ୍ରକାଶିତ ହେବା ସତ୍ତ୍ୱେ, ଆଜି ଆଉ ଗୋଟିଏ ନୂଆ ସଂସ୍କରଣ (‘ସାରୋଳଦାସ ମହାଭାରଥ’)ର କାହିଁକି ପ୍ରୟୋଜନ ପଡ଼ିଛି; ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ।
ଏ ପ୍ରସଙ୍ଗରେ ଖୋଦ୍ ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ଅବତାରଣା ଆବଶ୍ୟକ। ସାରଳାଦାସଙ୍କ ଶ୍ରାଦ୍ଧ ଅବସରରେ, ସେହି ସିଦ୍ଧକବିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ନିବେଦନ କରି, ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ୧୯୫୪ରେ କରାଯାଇଥିଲା ‘ସାରଳା ସ୍ମରଣିକା’ର ନୂତନ ମୁଦ୍ରଣ। ୧୬୫ ପୃଷ୍ଠାର ସେହି ପୁସ୍ତକର ମୂଲ୍ୟ ସେତେବେଳେ ଥିଲା- ଏକ ଟଙ୍କା। ‘ଶ୍ରଦ୍ଧାଞ୍ଜଳିଃ’ ପରେ, ‘ସାରଳାଦାସ’ ଶୀର୍ଷକରେ ତାହାର ପ୍ରଥମ ଲେଖା ଲେଖିଛନ୍ତି ଆର୍ତ୍ତବଲ୍ଲଭ ମହାନ୍ତି। ସେଥିରେ, ସେଦିନର ଆବଶ୍ୟକତା ସୂଚାଇ ସେ କହିଛନ୍ତି, “ଦୁଃଖର କଥା, ଭାରତର ଅତି ପ୍ରାଚୀନ, ଅମୂଲ୍ୟ ପ୍ରାକୃତ ଭାଷାରେ ଲିଖିତ ବିଶାଳ ଗ୍ରନ୍ଥର ଏ ପର୍ଯ୍ୟନ୍ତ ଶୁଦ୍ଧ ସଂସ୍କରଣ ସଂକଳିତ ଓ ପ୍ରକାଶିତ ହୋଇନି। ବଜାରରେ ଯେ ଗ୍ରନ୍ଥ ମିଳେ, ସେ ଗ୍ରନ୍ଥରେ ସାରଳାଦାସଙ୍କ ଅସ୍ତିତ୍ୱ ୮/୧୦ ପଣ ଅଛି। ସାରଳାଦାସ ନିଜ ମହାଭାରତକୁ ଦାଣ୍ଡିବୃତ୍ତରେ ଲେଖିଥିଲେ। ସେହି ଦାଣ୍ଡିବୃତ୍ତକୁ ଆମ ଦେଶର ପ୍ରାରମ୍ଭିକ ଲେଖକ କାଟିକୁଟି, ଛାଟିଛୁଟି, ମାଠିମୁଠି ଏକ ଅଦ୍ଭୁତ କୌଶଳ ପ୍ରଦର୍ଶନ କରିଛନ୍ତି।”
ଏଇଥିପାଇଁ ହିଁ ସେଦିନ ସାରଳାଦାସଙ୍କ ମହାଭାରତର ‘ଶୁଦ୍ଧ ସଂସ୍କରଣ’ ପ୍ରସ୍ତୁତ କରିଥିଲେ ଆର୍ତ୍ତବଲ୍ଲଭ ମହାନ୍ତି। କିନ୍ତୁ ତାଙ୍କର ସେହି ‘ଶୁଦ୍ଧ ସଂସ୍କରଣ’ରେ ସାରଳାଦାସଙ୍କ ଅସ୍ତିତ୍ୱର କେତେପଣ ଥିଲା? ଏହାର ଉତ୍ତର ପାଇଁ, ଆମକୁ ଆମର ଆଉ କେତେଜଣ ବିଦ୍ୱାନ୍ଙ୍କ ମତର ଅବତାରଣା କରିବାକୁ ପଡ଼ିବ।
ଏପରି ଜଣେ ବିଦ୍ୱାନ୍ ହେଉଛନ୍ତି ପ୍ରଫେସର କୃଷ୍ଣଚରଣ ସାହୁ। ସେ ‘ସ୍ୱର୍ଗାରୋହଣ ପର୍ବ’ର ପ୍ରାମାଣିକ ପାଠ ବିଶ୍ଳେଷଣ ଆଧାରରେ ତାଙ୍କର ମତ ପ୍ରକାଶ କରିଛନ୍ତି। ସେ ତାଙ୍କର ଲେଖାରେ, ଆର୍ତ୍ତବଲ୍ଲଭ ମହାନ୍ତିଙ୍କୁ “ଓଡ଼ିଆ ସାହିତ୍ୟର ଆଲୋଚନା କ୍ଷେତ୍ରରେ ଏକ ଅନନ୍ୟ ପ୍ରତିଭା”, “ଆମ୍ଭମାନଙ୍କର ନମସ୍ୟ ଓ ପୂଜ୍ୟ” ଏବଂ “ଗୁରୁମାନଙ୍କର ଗୁରୁ” ବୋଲି କହିଛନ୍ତି। କିନ୍ତୁ ଓଡ଼ିଶା ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗ ପକ୍ଷରୁ ତାଙ୍କ ଦ୍ୱାରା ସଂପାଦିତ ଓ ୧୯୭୦ରେ ପ୍ରକାଶନ ସଂପୂର୍ଣ୍ଣ ହୋଇଥିବା ସାରଳା ଦାସଙ୍କ ମହାଭାରତ ସଂପର୍କରେ କହିଛନ୍ତି, “ଡକ୍ଟର (କୃଷ୍ଣଚନ୍ଦ୍ର) ପାଣିଗ୍ରାହୀଙ୍କ ପରି ଆଲୋଚକ ଏହାର ପ୍ରାମାଣିକତା ଉପରେ ସନ୍ଦେହ କରି ‘ସାରଳା ମହାଭାରତର ଐତିହାସିକ ଚିତ୍ର’ ରଚନା କଲାବେଳେ, ଏହାକୁ ବ୍ୟବହାର କଲେ ନାହିଁ। ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ଏହାର ଭାଷାର ପ୍ରାଚୀନତା ଉପରେ ସନ୍ଦେହ ପ୍ରକାଶ କଲେ। ଏହା ସତ୍ତ୍ୱେ ଏହି କାର୍ଯ୍ୟ ଉପରେ କୌଣସି ବିଧିବଦ୍ଧ ଆଲୋଚନା ହେଲାନାହିଁ। ଅନ୍ୟମାନେ ପ୍ରାୟ ଏହି ଗ୍ରନ୍ଥକୁ ହିଁ ଗ୍ରହଣ କରିନେଲେ।”
ଏହା କହିବା ସହିତ, ସେ ଆହୁରି ମଧ୍ୟ କହିଛନ୍ତି, “ସମାଲୋଚନା କ୍ଷେତ୍ରରେ, ବିଶେଷ କରି ସଂପାଦନାରେ, ସବୁବେଳେ ପ୍ରମାଦ ରହିଯିବା ସ୍ୱାଭାବିକ। ପ୍ରାଚୀନ ପୋଥିର ଆବିଷ୍କାର ଫଳରେ ଏଥିରେ ପରିବର୍ତ୍ତନ ସମ୍ଭାବନାକୁ ଦୂରେଇ ହୁଏ ନାହିଁ।” ଏଣୁ ସେ, ଆର୍ତ୍ତବଲ୍ଲଭ ମହାନ୍ତି ସଂପାଦିତ ସାରଳା ମହାଭାରତକୁ ଅନ୍ୟ ଏକ ପ୍ରାଚୀନ ପୋଥି ଆଧାରରେ ପରୀକ୍ଷା କରିଛନ୍ତି। ସେହି ପରୀକ୍ଷାର ଫଳ ରୂପେ, ଅନେକ “ପରିବର୍ତ୍ତନ, ସଂଶୋଧନ, ପରିତ୍ୟାଗ ଓ ସଂଯୋଜନ” ସୂଚାଇ, ନୂତନ ପାଠ ପ୍ରସ୍ତୁତ କରିଛନ୍ତି। ସେ କହିଛନ୍ତି, ଏସବୁ ଦ୍ୱାରା ଯେଉଁ ପାଠ ପ୍ରସ୍ତୁତ ହେଲା, “ତାହା ହେଉଛି ‘ସ୍ୱର୍ଗାରୋହଣ ପର୍ବ’ର ପ୍ରକୃତ ରୂପ। ଆର୍ତ୍ତବାବୁଙ୍କ ଗୃହୀତ ପାଠର ଦୋଷ, କେବଳ ‘ସ୍ୱର୍ଗାରୋହଣ ପର୍ବ’ ନୁହେ, ‘ଆଦିପର୍ବ’ ସଂପାଦନା କଲାବେଳେ ଦେଖେଇ ଦିଆଯାଇଛି।”
ଆହୁରି ମଧ୍ୟ ସେ କହିଛନ୍ତି, “ଅଠରଖଣ୍ଡ ମହାଭାରତର ଏହି ଦୁରବସ୍ଥା। ଏଥିରେ କେତେ ଯେ ଅପପାଠ ଅଛି, କେତେ ଯେ ପୁନରାବୃତ୍ତି ରହିଛି, ତାହା କଳନାତୀତ।” ପରିଶେଷରେ କହିଛନ୍ତି, “ଭ୍ରମପ୍ରମାଦପୂର୍ଣ୍ଣ ଏହି ସଂପାଦନାରୁ ସାରଳାଦାସ କେବେ ମୁକ୍ତିଲାଭ କରି ତାଙ୍କ ପ୍ରକୃତ ରୂପରେ ପ୍ରକାଶିତ ହେବେ, ତାହା ସେହି ଅସୀମ କରୁଣାମୟ ଭଗବାନଙ୍କୁ ଗୋଚର।”
ଏବେ ଆସିବା, ପ୍ରଫେସର କୃଷ୍ଣଚରଣ ସାହୁ ଉଲ୍ଲେଖ କରିଥିବା ପ୍ରଫେସର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପାଖକୁ। ୧୯୫୭ ମସିହାଠାରୁ ଆରମ୍ଭ କରି, ସାରଳା ସାହିତ୍ୟ ସମ୍ବନ୍ଧୀୟ ଅନେକଗୁଡ଼ିଏ ପ୍ରବନ୍ଧ ସେ ‘ଝଙ୍କାର’ରେ ଲେଖିଥିଲେ। ସେସବୁ ସଂକଳିତ ହୋଇ, ପ୍ରଜାତନ୍ତ୍ର ପ୍ରଚାର ସମିତିରୁ ୧୯୭୬ରେ ‘ସାରଳା ସାହିତ୍ୟର ଐତିହାସିକ ଚିତ୍ର’ ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ ପାଇଲା। ତାହାର ‘ପରିଶିଷ୍ଟ’ ରୂପେ ସେଥିରେ ସଂକଳିତ ହୋଇଛି ସେ ସଂପର୍କରେ ସେ ଲେଖିଥିବା ଶେଷ ପ୍ରବନ୍ଧ। ସେଥିରେ ସେ ଲେଖିଛନ୍ତି, “ମୋର ପ୍ରବନ୍ଧାବଳୀ ବିରୁଦ୍ଧରେ ଗୋଟିଏ ପ୍ରଧାନ ଅଭିଯୋଗ ଥିଲା, ମୁଁ ସାରଳା ମହାଭାରତର ଛାପାବହି ସାହାଯ୍ୟରେ ହିଁ ମୋର ଏହି ଆଲୋଚନା ଚଳାଇଥିବାରୁ ଏହି ଆଲୋଚନା ଭ୍ରମାତ୍ମକ। ଏଣୁ ସ୍ୱର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସାରଳା ମହାଭାରତର ନୂତନ ସଂସ୍କରଣକୁ ଚାହିଁ ରହିଥିଲି। ଅବଶେଷରେ, ବହୁ ବିଳମ୍ବରେ ଏହି ନୂତନ ସଂସ୍କରଣ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ହେଲା। ଏହା ପ୍ରକାଶିତ ହେବା ପରେ, ଡକ୍ଟର ମହତାବଙ୍କ ନିର୍ଦ୍ଦେଶମତେ ଶ୍ରୀଯୁକ୍ତ ଗଣେଶ ପ୍ରସାଦ ପରିଜା ଏହି ମହାଭାରତର ବିଭିନ୍ନ ପର୍ବର ଆଠଖଣ୍ଡ ପୁସ୍ତକ ମୋତେ ବ୍ରହ୍ମପୁରଠାରେ ଯୋଗାଇ ଦେଇଥିଲେ।”
ପ୍ରଫେସର ପାଣିଗ୍ରାହୀ ଏ ସଂପର୍କରେ ଲେଖିଛନ୍ତି- ନୂତନ ସଂସ୍କରଣର ସେହି ପୁସ୍ତକଗୁଡ଼ିକ ପାଇବା ପରେ, ସେ ତାହାକୁ ପୂର୍ବର ଛାପାବହି ସହ ମିଳାଇ ଦେଖିଥିଲେ। ଏବଂ ସେ ଆଶ୍ୱସ୍ତ ହୋଇଥିଲେ, ଯେ ତାଙ୍କ ଦ୍ୱାରା ଆଲୋଚିତ ସମସ୍ତ ବିଷୟ ଓ ନାମ ସେହି ନୂତନ ସଂସ୍କରଣରେ ମଧ୍ୟ ରହିଛି।
କିନ୍ତୁ ସେହି ଆଠଖଣ୍ଡ ମହାଭାରତ ପୁସ୍ତକ ଭିତରେ ‘ବିରାଟପର୍ବ’ ନଥିଲା। ତେଣୁ, ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଅବସର ନେବା ପରେ, ‘ବିରାଟପର୍ବ’ ଖଣ୍ଡିଏ ଓଡ଼ିଶା ମ୍ୟୁଜିୟମ୍ରୁ କିଣିଥିଲେ। କିନ୍ତୁ ସେଥିରେ ଯାହା ଦେଖିଲେ, ସ୍ତମ୍ଭୀଭୂତ ହୋଇଗଲେ।
ଏହି ‘ସ୍ତମ୍ଭୀଭୂତ’ ହେବାର କାରଣ ରୂପେ ସେ ଲେଖିଛନ୍ତି, “ପାଣ୍ଡବମାନେ ଗୁପ୍ତ ବନବାସରେ ଥିବାବେଳେ, ସେମାନଙ୍କର ଅନୁସନ୍ଧାନ କରିବାପାଇଁ ଦୁର୍ଯ୍ୟୋଧନ ଚତୁର୍ଦ୍ଦିଗକୁ ଚାରମାନଙ୍କୁ ପଠାଇଥିଲେ। ସେମାନେ ଫେରିଆସି, ପାଣ୍ଡବମାନଙ୍କୁ ଯେଉଁ ଯେଉଁ ଦେଶ, ନଗର, ପର୍ବତ, ସ୍ଥାନ ଇତ୍ୟାଦିରେ ଖୋଜିଥିଲେ, ସେଗୁଡ଼ିକର ଦୀର୍ଘ ବିବରଣୀ ଦୁର୍ଯ୍ୟୋଧନଙ୍କୁ ଦେଇଥିଲେ। ଏହି ଦୀର୍ଘ ବିବରଣୀକୁ ଅଧ୍ୟାପକ (ଆର୍ତ୍ତବଲ୍ଳଭ) ମହାନ୍ତିଙ୍କ ସଂପାଦିତ ‘ବିରାଟପର୍ବ’ରୁ ଏକାବେଳକେ ବାଦ୍ କରି ଦିଆଯାଇଛି।”
ପ୍ରଫେସର ପାଣିଗ୍ରାହୀ ପ୍ରାମାଣିକ ଭାବରେ ଏହା ଉପସ୍ଥାପନ କରିଛନ୍ତି ତାଙ୍କ ପ୍ରବନ୍ଧରେ- ଛାପାବହି ଓ ନୂତନ ସଂସ୍କରଣର ଉଦ୍ଧୃତାଂଶ ଆଧାରରେ। ସେ ଏହାକୁ “ନିର୍ମମ ଅଙ୍ଗଚ୍ଛେଦ” ଭାବରେ ଅଭିହିତ କରିଛନ୍ତି। ପ୍ରାମାଣିକ ଭାବେ କହିଛନ୍ତି, “ସ୍ୱର୍ଗତ ମହାନ୍ତିଙ୍କ ସଂସ୍କରଣରେ ୫୩ ପଦବିଶିଷ୍ଟ ଏହି ବର୍ଣ୍ଣନାର କେବଳ ପ୍ରଥମ ଓ ଶେଷପଦକୁ ରଖାଯାଇଛି। ... କଷ୍ଟସ୍ୱୀକାର କରି, ବିଭିନ୍ନ ସମୟରେ ବିଭିନ୍ନ ପ୍ରେସରୁ ପ୍ରକାଶିତ ସାରଳା ମହାଭାରତର ପୁସ୍ତକମାନ ପଢ଼ି ଦେଖିଲି, ଯେ ସମସ୍ତ ପୁସ୍ତକରେ ‘ବିରାଟପର୍ବ’ର ଏହି ଭୌଗୋଳିକ ବିବରଣୀ ରହିଛି। ଯେତେଖଣ୍ଡ ପୁରୁଣା ପୋଥି ପାଇଲି, ସେ ସମସ୍ତକୁ, ଏପରିକି ସ୍ୱର୍ଗତ ମହାନ୍ତି ଯେଉଁ ପୋଥିମାନଙ୍କ ଉପରେ ବେଶୀ ନିର୍ଭର କରି ନୂତନ ସଂସ୍କରଣ କରିଛନ୍ତି, ସେ ସମସ୍ତକୁ ମଧ୍ୟ ପଢ଼ି ଦେଖିଲି, ଯେ ଏହି ଦୀର୍ଘ ଭୌଗୋଳିକ ବିବରଣୀ ସବୁଥିରେ ଅଛି। ... ଏପରି କୌଣସି ଛାପା ପୁସ୍ତକ ନାହିଁ, ଯେଉଁଥିରେ କି ସାରଳା ଦାସଙ୍କ ବିରାଟପର୍ବର ଏହି ଅନନ୍ୟସାଧାରଣ ଦୀର୍ଘ ଭୌଗୋଳିକ ବିବରଣୀ ନାହିଁ।... ତଥାକଥିତ ଶୁଦ୍ଧ ସଂସ୍କରଣରେ ସାରଳା ସାହିତ୍ୟର ଏ ଯେଉଁ ନିର୍ମମ ଅଙ୍ଗଚ୍ଛେଦ କରାଯାଇଛି, ତାହାର ପ୍ରମାଣ ଅବଶିଷ୍ଟ ପଦ ଦୁଇଟିରେ ହିଁ ରହିଛି। ... ଇଂରେଜୀରେ ଗୋଟିଏ କଥା ଅଛି, ‘Murder speaks itself’। ସ୍ୱର୍ଗତ ମହାନ୍ତିଙ୍କ ସଂପାଦିତ ସାରଳା ମହାଭାରତରେ ସାରଳା ସାହିତ୍ୟକୁ ଯେ ହତ୍ୟା କରାଯାଇଛି, ତାହାର ପ୍ରମାଣ ଏହି ପଦ ଦୁଇଟିରୁ ହିଁ ମିଳିଯାଉଛି।”
ଏଣୁ ଏ ସଂପର୍କରେ ନିଜର ନିଷ୍କର୍ଷ ଦେଇ ପ୍ରଫେସର ପାଣିଗ୍ରାହୀ କହିଛନ୍ତି, “ମୋର କେବଳ ଏତିକି ଆଶା, ଯେ ଭବିଷ୍ୟତର ସାରଳା ସାହିତ୍ୟର ଗବେଷକମାନେ ଓଡ଼ିଶା ସାଂସ୍କୃତିକ ବ୍ୟାପାର ବିଭାଗ ଦ୍ୱାରା ପ୍ରକାଶିତ ସାରଳା ମହାଭାରତକୁ ଏକାବେଳକେ ‘ଶୁଦ୍ଧ’ ବୋଲି ଧରିନେବେ ନାହିଁ। ... ଓଡ଼ିଶା ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗ ଦ୍ୱାରା ପ୍ରକାଶିତ ସାରଳା ମହଭାରତ ଏହି ଗ୍ରନ୍ଥର ବହୁ ସଂସ୍କରଣ ମଧ୍ୟରୁ ଗୋଟିଏ ହୋଇ ରହିବ; କିନ୍ତୁ ଏହାକୁ ‘ଶୁଦ୍ଧ ସଂସ୍କରଣ’ ବୋଲି କୁହାଯାଇ ପାରିବ ନାହିଁ।”
ଶେଷରେ ଆସିବା, ଆଉ ଜଣେ ବିଶିଷ୍ଟ ବିଦ୍ୱାନ ତଥା ଗବେଷକ ସଚ୍ଚିଦାନନ୍ଦ ମିଶ୍ରଙ୍କ ପାଖକୁ। ‘ଗ୍ରନ୍ଥମନ୍ଦିର’ ପ୍ରକାଶିତ ‘ସାରଳା ଦାସ: ଏକ ଅଧ୍ୟୟନ’ (୨୦୦୬)ରେ ସେ ଏହାକୁ କହିଛନ୍ତି, “ତାଳପତ୍ର ଓ ମୁଦ୍ରିତ ପୋଥିର ଘାଣ୍ଟ।” ପୁଣି କହିଛନ୍ତି, “ଏହି ଘାଣ୍ଟକୁ ଖାଣ୍ଟି ବୋଲି କହି ପରିବେଷଣ କରାଗଲା।” ମାତ୍ର ‘ପାଠୋଦ୍ଧାର ତ୍ରୁଟି’ ଓ ‘ଭ୍ରାନ୍ତ ଶିରୋନାମ ପ୍ରଦାନ’; ଉପାଦାନ, ପୁନରୁକ୍ତି, କ୍ରମଭଙ୍ଗ, ଅତିରିକ୍ତ ପାଠ ଆଦିର ଅନେକ ଉଦାହରଣ ଆଧାରରେ, ଏହି ସଂସ୍କରଣର ବହୁ ତ୍ରୁଟି ଅତି ସ୍ପଷ୍ଟ ଓ ପ୍ରାମାଣିକ ଭାବେ ସେ ଦର୍ଶାଇଛନ୍ତି।
ଏ ବାବଦରେ ସେ ଯାହା କହିଛନ୍ତି, ତାହା ସଂକ୍ଷେପରେ ଏହିପରି-
ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ଏହାର ‘ମୁଖ୍ୟ ସଂକଳକ’ ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କୁ ବା ଅନ୍ୟ କାହାରିକୁ ‘ସମ୍ପାଦକ’ ଭାବରେ ନିଯୁକ୍ତି ଦିଆ ଯାଇ ନଥିଲା। ମୁଖ୍ୟ ସଂକଳକ ୧୯୫୯ ନଭେମ୍ବର ମାସରୁ କାର୍ଯ୍ୟାରମ୍ଭ କରିଥିଲେ। ‘ସ୍ୱର୍ଗାରୋହଣ ପର୍ବ’ର ସଂକଳନ ଓ ସଂଶୋଧନ କାର୍ଯ୍ୟ ଶେଷ କରିବା ପରେ, ୩୦ ସେପ୍ଟେମ୍ବର, ୧୯୬୩, ଦିବା ୯ ଘଣ୍ଟାରେ ସେ ସ୍ୱର୍ଗାରୋହଣ କଲେ। ସର୍ବମୋଟ ପ୍ରାୟ ୨୨ ଖଣ୍ଡ ପୋଥି ସଂଗୃହୀତ ହୋଇଥିଲା। ସେଗୁଡ଼ିକର ନକଲ-ସମୟ କେବେ ଓ ନକଲକାରର ଲିପିର ରୂପ ଓ ବନାନର ରୀତି କ’ଣ, ସେ ସଂପର୍କରେ କିଛି ଜଣାଇ ଦିଆଯାଇ ନାହିଁ। ଆର୍ତ୍ତବଲ୍ଲଭ ମହାନ୍ତିଙ୍କୁ ‘ମରଣୋତ୍ତର ସମ୍ମାନ ସ୍ୱରୂପ’ ସଂପାଦକ କରାଯାଇଛି।
ଏଣୁ, ଏସବୁ ଦର୍ଶାଇ ଶ୍ରୀ ମିଶ୍ର କହିଛନ୍ତି, “ଏପରି ଅବ୍ୟବସ୍ଥା ମଧ୍ୟରେ, କେହି ସଂପାଦକ ନଥାଉଣୁ ‘ଶୁଦ୍ଧ ସଂସ୍କରଣ’ର ପ୍ରସ୍ତୁତି ପର୍ବ ଆରମ୍ଭ ହେଲା। କାର୍ଯ୍ୟସମ୍ପାଦନର ନୀତି ନିର୍ଦ୍ଧାରିତ ହୋଇ ନଥିବାରୁ, ବିଶୃଙ୍ଖଳା ଲାଗି ରହିଥିଲା। ‘ଶୁଦ୍ଧପାଠ’ ନିର୍ଣ୍ଣୟ ଓ ପାଠାନ୍ତରର ଗ୍ରହଣ-ବର୍ଜନ କ୍ରିୟା ଏକମାତ୍ର ଆର୍ତ୍ତବାବୁଙ୍କ ମର୍ଜି ଉପରେ ନିର୍ଭର କଲା। ପୋଥିର ‘କ’, ‘ଖ’ ଆଦି ନାମକରଣର ପ୍ରୟୋଜନ ଅନୁଭୂତ ହେବା ବେଳକୁ, ସମଗ୍ର ‘ଆଦିପର୍ବ’ର ପାଣ୍ଡୁଲିପି ପ୍ରେସ୍କୁ ଚାଲିଗଲାଣି। ପୋଥିର ସଂଖ୍ୟା ନିର୍ଦ୍ଦିଷ୍ଟ ନଥିଲା। ... ଏଣେ ‘ଶୁଦ୍ଧପାଠ’ ନିର୍ଣ୍ଣୟ ପ୍ରକ୍ରିୟା ଚାଲିଥାଏ, ତେଣେ ପୋଥି ସଂଗ୍ରହ ମଧ୍ୟ ଚାଲିଥାଏ। ପଛରେ ସଂଗୃହୀତ ପୋଥିର ପାଠ-ଫାଏଦା, ପୂର୍ବରୁ ନିର୍ଣ୍ଣିତ ‘ଶୁଦ୍ଧପାଠ’ ପାଇଲା ନାହିଁ। ଏପରି ବିଶୃଙ୍ଖଳା ମଧ୍ୟରେ ଅନିର୍ଦ୍ଦିଷ୍ଟ ସଂଖ୍ୟକ ତାଳପତ୍ର ଓ ମୁଦ୍ରିତ ପୋଥିର ‘ଘାଣ୍ଟ’କୁ ‘ଖାଣ୍ଟି’ କହି ପରିବେଷଣ କରାଗଲା।’’
ଆଶ୍ୱାସନାର କଥା, ଯେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପକ୍ଷରୁ ନୂତନ ଭାବରେ ସଂପାଦିତ ‘ସାରୋଳଦାସ ମହାଭାରଥ’ରେ ଏସବୁ ଅବ୍ୟବସ୍ଥା ନାହିଁ। ଆଜି ସୁଦ୍ଧା ‘କର୍ଣ୍ଣାଦି ଦଶପର୍ବ’ ଭାବରେ ଏହାର ଶେଷ ଦଶଟି ପର୍ବ ପ୍ରକାଶ ପାଇଛି। ଏହା ସପ୍ତମ ଖଣ୍ଡ। ବାକି ଛଅଖଣ୍ଡ ଯଥାଶୀଘ୍ର ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ପ୍ରଫେସର କୃଷ୍ଣଚରଣ ସାହୁ ଏବଂ ଅନ୍ୟ ବିଦ୍ୱାନ୍ମାନଙ୍କର ଆଶା ଅନୁରୂପେ, ଏହା ଫଳରେ ଭ୍ରମପ୍ରମାଦପୂର୍ଣ୍ଣ ସଂପାଦନାରୁ ସାରଳାଦାସ ମୁକ୍ତିଲାଭ କରି, ତାଙ୍କ ପ୍ରକୃତରୂପରେ ପ୍ରକାଶିତ ହେବେ ବୋଲି ଅନ୍ତତଃ ଆଶା କରାଯାଉ!
ମୋ: ୯୪୩୭୦ ୩୪୮୦୪