ସୁଭାଷ ପଟ୍ଟନାୟକ

Advertisment

ସେଦିନ ସନ୍ଧ୍ୟାରେ ଆମେ ଗରମ ପକୁଡ଼ିର ମଜା ନେଇ ନେଇ ଟିଭି ପରଦାରେ ଆଇପିଏଲ କ୍ରିକେଟ୍‌ ମ୍ୟାଚ ଦେଖୁଥିଲୁ, ପାଖରେ ଆସି ପହଞ୍ଚିଗଲେ ଜଣେ ବନ୍ଧୁ। ପକୁଡ଼ି ଗୋଟିଏ ପାଟିରେ ପକାଇ କହିଲେ, ଦିନକୁ ଦିନ ଏ କ୍ରିକେଟ୍‌ ସମସ୍ତଙ୍କୁ ପାଗଳ କରିବାରେ ଲାଗିଛି। ଗାଁ ଗଣ୍ଡାଠାରୁ ସହର ବଜାର, ସବୁଠାରେ କ୍ରିକେଟ୍‌ର ପାଗଳାମି। ତାଙ୍କ କଥା ଶୁଣି କହିଲି, ଯେଉଁ ଦେଶ ଦିନେ ଏ ଖେଳର ଉଦ୍ଭାବକ ଥିଲା, ସେ ଖେଳ ଏବେ ଏ ଦେଶରୁ ଯାଇ ସମଗ୍ର ବିଶ୍ବରେ ପ୍ରସିଦ୍ଧି ଅର୍ଜନ କରିଥିବା ଦେଖିଲେ ଆମେ ତ ଖୁସିରେ ପାଗଳ ହେବା ସ୍ବାଭାବିକ। କ୍ରିକେଟ୍‌ ପରା ପୁରୁଷ ପୁରୁଷ ଧରି ରକ୍ତରେ ଆମର ରହିଆସିଛି! ପ୍ରାୟ ପାଞ୍ଚ ହଜାର ବର୍ଷ ତଳୁ ଏ ଖେଳ ଆମ ଦେଶରେ ଜନ୍ମ ନେଇ ସାରା ବିଶ୍ବରେ ପ୍ରସାରିତ ହୋଇଛି। ଷାଠିଏ ସତୁରି ବର୍ଷ ତଳର ନିଜ ଗାଁ କଥା ମନେ ପକାନ୍ତୁ ତ? ବୈଶାଖର ଝାଞ୍ଜି ଦ୍ରବୀଭୂତ ଅପରାହ୍‌ଣ ହେଉକି ଫଗୁଣର ରଙ୍ଗବୋଳା ମଧ୍ୟାହ୍ନ ହେଉ, ନଇଁଆସୁଥିବା ସୂର୍ଯ୍ୟ ତଳେ ହସୁଥିବ ଗାଁ, ଆଉ ଗାଁ ମୁଣ୍ଡରେ ଜମିଯାଇଥିବ ପିଲାଙ୍କର ଅତି ପ୍ରିୟ ଡାବଲପୁଆ ଖେଳ। ସେ ସମୟରେ ଅବସର ବିନୋଦନ ପାଇଁ ନା’ ଥିଲା ଟିଭି, ନା’ ଥିଲା ସ୍ମାର୍ଟଫୋନ କିମ୍ବା ଭିଡିଓଗେମ୍। ସମୟ କଟୁଥିଲା ଗୁଡ଼ି ଉଡ଼େଇବା, ନଟୁ ଘୂରେଇବା, ବାଟି ଖେଳିବା, ନହେଲେ କବାଡ଼ି କିମ୍ବା ଡାବଲପୁଆ ଖେଳିବାରେ। ଏ ସବୁ ମଧ୍ୟରେ ସର୍ବାଧିକ ଆଦୃତ ଥିଲା ଡାବଲପୁଆ ଖେଳ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପରିଚୟ ଏହାର ଭିନ୍ନ ଭିନ୍ନ। ଡାବଲପୁଆ, ଟୁଙ୍ଗିବାଡ଼ି, ଗୁଲିବାଡ଼ି, ପିଲବାଡ଼ି ଓ ଗୁଚିତାଣ୍ଡୁ ଇତ୍ୟାଦି। ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ଏ ଖେଳ ନାନା ରୂପରେ ପରିଚିତ ଥିଲା। ତାମିଲରେ କିଟ୍ଟିପୁଲ, ବଙ୍ଗଳାରେ ଦାଙ୍ଗୁଲି, କନ୍ନଡ଼ରେ ଚିନ୍ନିଦଣ୍ଡୁ, ତେଲୁଗୁରେ ଗୁଟିବିଲ୍ଲା ଓ ମରାଠୀରେ ଭୀଟ୍ଟିଦଣ୍ଡୁ।

ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ଏ ଖେଳର ନାଆଁ ଥିଲା ଗିଲ୍ଲିଦଣ୍ଡା। ଏଇ ଖେଳଟି ହିଁ ହେଉଛି କ୍ରିକେଟ୍‌ର ଆଦିଜନକ। ଖେଳିବାପାଇଁ ଆବଶ୍ୟକ ନଥିଲା ବଡ଼ ପଡ଼ିଆର କିମ୍ବା କିଛି ଉପକରଣର। ଚାରି ପାଞ୍ଚ ଇଞ୍ଚର ଦୁଇପଟ ସରୁ, ମଝି ମୋଟା ଖଣ୍ଡିଏ କାଠି, ନାଆଁ ତା’ର ଗିଲ୍ଲି ବା ପୁଆ ଏବଂ ଦେଢ଼-ଦୁଇ ଫୁଟର ବାଡ଼ିଖଣ୍ଡେ, ଦଣ୍ଡା ବା ଡାବଲ। ସର୍ବନିମ୍ନ ଦୁଇଜଣ କିମ୍ବା ଅଧିକ ଖେଳାଳି ହେଲେ ମଧ୍ୟ ଏ ଖେଳ ଖେଳାଯାଇ ପାରୁଥିଲା। ଦୁଇ ଦଳଙ୍କ ମଧ୍ୟରେ ଟସ୍ ପଡ଼େ। ଟସ୍ ଜିତିଥିବା ଦଳ ନିଜ ଇଚ୍ଛା ଅନୁସାରେ ବ୍ୟାଟିଂ (ଦଣ୍ଡା ଚଳାଇବା) ଅଥବା ଫିଲଡିଂ କରିବା ପାଳି ବାଛିନିଏ। ଗିଲ୍ଲି ହେଉଛି ଆଜିର ବଲ୍ ଏବଂ ଦଣ୍ଡା ହେଉଛି ବ୍ୟାଟ୍। ଖେଳର ନିୟମ ମୋଟାମୋଟି କ୍ରିକେଟ୍‌ ପରି। ଗିଲ୍ଲିକୁ ପ୍ରଥମେ ଦଣ୍ଡାଧାରୀ ଏକ ଗାତ (ଘାଚିଗାତ) ଉପରେ ରଖି ଦଣ୍ଡାରେ ଉଠାଇ ପିଟିଦିଏ। ଗିଲ୍ଲି ଭୂମିସ୍ପର୍ଶ କରିବା ଆଗରୁ ଫିଲଡିଂ କରୁଥିବା ଖେଳାଳିମାନେ ତାକୁ ଧରିନେଲେ ଦଣ୍ଡାଧାରୀ ଆଉଟ୍ ହୋଇଯାଏ, ନହେଲେ ଗିଲ୍ଲି ପଡ଼ିଥିବା ସ୍ଥାନରୁ ଘାଚିଗାତ ପର୍ଯ୍ୟନ୍ତ ଦଣ୍ଡାରେ ମପାହୁଏ। ଗୋଟିଏ ଦଣ୍ଡା ଗୋଟିଏ କାଉଁଡ଼ି ବା ରନ୍। ଏହା ଛଡ଼ା ଖେଳର ଅନ୍ୟ ସବୁ ନିୟମ ମଧ୍ୟ ଥିଲା। ଜଣେ ଖେଳାଳି ଆଉଟ ହେଲେ ଦଳର ଅନ୍ୟ ଖେଳାଳି ଦଣ୍ଡା ଧରେ। ପାଳି ଶେଷହେଲେ ଅନ୍ୟ ଦଳ ବ୍ୟାଟିଂ କରନ୍ତି। ସ୍ଥାନ ବିଶେଷରେ ଏ ନିୟମର କିଛି କିଛି ବ୍ୟତିକ୍ରମ ମଧ୍ୟ ଥିଲା। 

ମହାଭାରତରେ ‘ବୀଟୟାଦଣ୍ଡ’ ବା ‘ବୀଟିଦଣ୍ଡ’ ନାମରେ ଏ ଖେଳ ଖେଳାଯାଇ ଥିବାର ପ୍ରମାଣ ଉପସ୍ଥାପନ କରିଛନ୍ତି ଲେଖକ ରମେଶ ମେନନ୍ ତାଙ୍କର ଇଂରେଜୀ ପୁସ୍ତକ ‘ଦ ମହାଭାରତ, ଏ ମଡର୍ନ ରେଣ୍ଡରିଂ’ରେ। ମହାଭାରତର ଆଦିପର୍ବରେ ପାଣ୍ଡବ ଓ କୌରବ ରାଜପୁତ୍ରମାନେ ମିଶି ଏ ଖେଳ ଖେଳିଥିବା କଥା ଉଲ୍ଲେଖ ଅଛି: “କ୍ରୀଡ଼ନ୍ତୋ ବୀଟୟା ତତ୍ର ବୀରାଃ ପରୟଚରଣଂମୁଦା/ପପାତ କୂପେସା ବୀଟା ତେଷାଂ ବୈ କ୍ରୀଡ଼ନ୍ତାଂ ତଦା।” ପ୍ରାୟ ଅଢ଼େଇ ହଜାର ବର୍ଷ ପୂର୍ବେ ମୌର୍ଯ୍ୟ ଶାସନ କାଳରେ ଏ ଖେଳ ଅତ୍ୟନ୍ତ ଲୋକପ୍ରିୟ ଥିବାର ପ୍ରମାଣ ମିଳେ। ଅପର ପକ୍ଷେ ସମାନ ପ୍ରକାରର ପାଶ୍ଚାତ୍ୟ ଖେଳ କ୍ରିକେଟ୍‌ ତ୍ରୟୋଦଶ ଶତାବ୍ଦୀର ଆଙ୍ଗ୍ଲୋ-ସାକ୍ସୋନ୍ ଯୁଗରେ ଇଂଲାଣ୍ଡର ଗ୍ରାମାଞ୍ଚଳରେ ଖେଳାଯିବା ଆରମ୍ଭ ହେଲା ଏବଂ ଷୋଡ଼ଶ ଶତାବ୍ଦୀ ବେଳକୁ ଲୋକପ୍ରିୟ ହୋଇଥିଲା। ପ୍ରାୟ ପାଞ୍ଚ ହଜାର ବର୍ଷ ତଳର ଏକ ଭାରତୀୟ କ୍ରୀଡ଼ା ସାତ ସମୁଦ୍ର ପାର ହୋଇ ଇଂଲାଣ୍ଡରେ ପହଞ୍ଚିଲା କିପରି ତାହା ଗବେଷଣାସାପେକ୍ଷ। ବହିର୍ବାଣିଜ୍ୟ, ସାମୟିକ ଆପ୍ରବାସନ ଅଥବା ପ୍ରାଚୀନ କାଳର ଅନ୍ତରାଷ୍ଟ୍ରୀୟ ସାଂସ୍କୃତିକ ସଂଚାରଣ ମାଧ୍ୟମରେ ଏ ଖେଳ ହୁଏତ ପ୍ରଥମେ ବେସବଲ୍ ରୂପରେ ଇଂଲାଣ୍ଡରେ ଆରମ୍ଭ ହୋଇ ପରେ ସମୟାନୁକ୍ରମିକ ପରିବର୍ତ୍ତନ ସହିତ କ୍ରିକେଟ୍‌ର ରୂପ ନେଇଥାଇ ପାରେ। ଉଭୟ ଖେଳ ମଧ୍ୟରେ ଏତାଦୃଶ ସାଦୃଶ୍ୟ କଦାପି କାକତାଳୀୟ ନୁହେଁ। ଐତିହାସିକ ପ୍ରମାଣ ମାଗି ଯେତେ ମିଥ୍ୟା ଆସ୍ଫାଳନ କଲେ ମଧ୍ୟ ଆମର ଗିଲ୍ଲିଦଣ୍ଡା ଯେ କ୍ରିକେଟ୍‌ର ଆଦିମୂଳ ତାହା ଅନସ୍ବୀକାର୍ଯ୍ୟ।

ଝାପ୍‌ସା ସ୍ମରଣରେ ଥିବା ସେଦିନର ଗିଲ୍ଲିଦଣ୍ଡା ଖେଳ ଗୋଟିଏ ଲମ୍ବା ଯାତ୍ରାରେ ଆସି ଆଜି କ୍ରିକେଟ୍‌ ରୂପରେ ବାଳକଠାରୁ ବୟସ୍କ ସମସ୍ତଙ୍କର ପ୍ରିୟ ହୋଇପାରିଛି ଏବଂ ସହର, ବଜାର, ଗଳିକନ୍ଦିରେ ଦର୍ଶକଙ୍କ ଖଚାଖଚ ଭିଡ଼ ମଧ୍ୟରେ ଖେଳାଯାଉଛି। ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ଖେଳାଳିମାନେ ଦର୍ଶକଙ୍କ ଦୃଷ୍ଟିରେ ଭଗବାନଙ୍କଠାରୁ କିଛି କମ୍‌ ମର୍ଯ୍ୟାଦା ପାଉନାହାନ୍ତି। ପ୍ରସାଦ ପାଇବାପରି ଖେଳାଳିଙ୍କର ଫଟା ଜୋତା, ଜର୍ସି, ଏପରିକି ଦସ୍ତଖତଟିଏ ପାଇବା ପାଇଁ ଲୋକମାନେ ପାଗଳ ହେଉଛନ୍ତି ଏବଂ ମିଳିଗଲେ ନିଜକୁ ଧନ୍ୟ ମଣୁଛନ୍ତି। ଏ ଖେଳ ଆଜି ଖେଳାଳିକୁ କୋଟିପତି କରିଛି। କିନ୍ତୁ ଏହାର ଆଦି ଜନକ ଗିଲ୍ଲିଦଣ୍ଡା ଅନେକ ଗ୍ରାମାଞ୍ଚଳୀୟ ଖେଳ ପରି ଲୋକ ଜୀବନରୁ ବିଲୋପ ହୋଇଯାଇଛି। ଗିଲ୍ଲିଦଣ୍ଡାର କ୍ରିକେଟ୍‌ ପରି ବୈଶ୍ବିକ ପରିଚୟ ନଥିଲେ ମଧ୍ୟ ବିଶ୍ବର ଅନ୍ୟତମ ସର୍ବାଧିକ ଜନପ୍ରିୟ ଖେଳ କ୍ରିକେଟ୍‌ର ପୂର୍ବଜ ଭାବରେ ଆମ ଦେଶର କ୍ରୀଡ଼ା ଇତିହାସରେ ଏକ ଚର୍ଚ୍ଚିତ ସ୍ମୃତି ହୋଇ ରହିଥିବ ଏବଂ ଗ୍ରାମୀଣ କ୍ରୀଡ଼ାଟିଏ କିପରି ସମୟ ଉପରେ ସେତୁବନ୍ଧ ବାନ୍ଧି ହଜାର ବର୍ଷର ଅତୀତକୁ ବର୍ତ୍ତମାନ ସହିତ ସଂଯୋଗ କରିପାରିଛି ତା’ର ପ୍ରମାଣ ବହନକରି ଚାଲିଥିବ। ମନେ ପଡ଼େ, ପାକିସ୍ତାନର ଜନପ୍ରିୟ ଯୁବ କବୟିତ୍ରୀ ଦିବଂଗତା ପରବିନ୍ ଶାକିର୍‌ଙ୍କର କବିତାରୁ ପଦେ: “େଵା ତୋ ଖୁସବୁ ହୈ, ହଵାଓଁ ମୈଁ ବିଖର୍ ଜାୟେଗା/ମସଲା ଫୁଲ୍ କା ହୈ, ଫୁଲ୍ କିଧର୍ ଜାୟେଗା...”। ଫୁଲ ତ ତା’ର ସୁଗନ୍ଧକୁ ବାଣ୍ଟି ଦେଇଛି ଏବଂ ତାହା ପବନରେ ପ୍ରସରି ଯାଇଛି। ପ୍ରଶ୍ନ ରହିଗଲା ଫୁଲର। ଫୁଲ ଏବେ କରିବ କ’ଣ? ଶୁଖି ଶୁଖି ଝରିଯିବ ସିନା! ଆଜି ଆମ ଗିଲ୍ଲିଦଣ୍ଡାର ଭାଗ୍ୟ ଠିକ୍ ସେମିତି ନୁହେଁ କି? 
(ମତାମତ ଲେଖକଙ୍କ ନିଜସ୍ବ)
[email protected]