ସୁଭାଷ ପଟ୍ଟନାୟକ
“ହମ୍ ତୋ ଫନା ହୋ ଗୟେ ଉସକି ଆଁଖେ ଦେଖକର୍ ଗାଲିବ/ସୋଚତେ ହୈଁ କି େଵା ଆଇନା କୈସେ ଦେଖତେ ହୋଙ୍ଗେ”। ନା...ନା.. ବନ୍ଧୁଗଣ, ଆପଣ ସିନା ତା’ ଆଖିର ସୌନ୍ଦର୍ଯ୍ୟ ଦେଖି ଅଭିଭୂତ ହୋଇଗଲେ, ନିଜର ମୁହଁ ଆଇନାରେ ଦେଖି ସେ ନିଜେ କେବେ ତନ୍ମୟ ହେଉନଥିବେ। ତାହା କେବଳ ନାର୍ସିସିୟସଙ୍କ ପରି ଏକ କାଳ୍ପନିକ ଚରିତ୍ର ପକ୍ଷରେ ହିଁ ସମ୍ଭବ। ମନୁଷ୍ୟ ତା’ର ସୃଷ୍ଟି ପରେ ପ୍ରଥମ ଥର ଯେତେବେଳେ ନିଜର ପ୍ରତିବିମ୍ବ ସ୍ଥିର ଜଳରେ ଦେଖିଥିବ, ତତ୍କ୍ଷଣାତ୍ ନିର୍ଣ୍ଣୟ କରି ନେଇଥିବ ଯେ, ପ୍ରକୃତି ତାକୁ ଯେଉଁ ରୂପ ଦେଇ ଗଢ଼ିଛି ତାହା ପର୍ଯ୍ୟାପ୍ତ ହୋଇନାହିଁ। ସୁନ୍ଦର ଦିଶିବା ପାଇଁ ସଜେଇ ହେବା ଓ ସେଥିପାଇଁ ନାନା ଉପଚାର କରିବାର ପ୍ରୟାସ ଏହିଠାରୁ ଆରମ୍ଭ। ଏବେ ଏକବିଂଶ ଶତାବ୍ଦୀରେ ଆମେ ସୁନ୍ଦରତା ପଛରେ ଦୌଡ଼ ଲଗାଇ ଶରୀରକୁ ଏତେ ଅପ୍ରାକୃତିକ ଉପାଦାନରେ ଭରି ସାରିଲେଣି ଯେ, ଏହାର ପରିସମାପ୍ତି ଘଟିବ ଯେତେବେଳେ ଆମେ ପରିଶେଷରେ ଅଣଜୈବ-ବିଘଟନଶୀଳ ଶବରେ ପରିଣତ ହୋଇ ମାଟି ତଳକୁ ଯିବା। ଆଗାମୀ ଶତାବ୍ଦୀରେ ମାଟିତଳୁ କେବଳ ଆମର କଙ୍କାଳ ମିଳିବନି, ତା’ ସହିତ ମିଳିବ ସିଲିକନ୍ ନିର୍ମିତ ସ୍ତନ, ନିତମ୍ବ, ନାକ, ଗାଲ ଓ ଓଠ ଆଦି ଅବୟବ। ସୁନ୍ଦର ଦିଶିବାପାଇଁ ଆମେ ଶରୀରକୁ ଆମର ଚିରି ଫାଡ଼ି ଏହିସବୁ ପଦାର୍ଥ ଏବେ ଭର୍ତ୍ତି କରି ଚାଲିନେ କି?
ଝିଅ ବୁଲିବାକୁ ଯାଇ ସମୁଦ୍ର କୂଳରେ ଉଠାଇଥିବା ଫଟୋ ପଠାଇଲା। ବାପା ତାକୁ ଦେଖି ତଟସ୍ଥ। ଦୁଇ କାନ୍ଧ ପାଖରୁ ପୋଷାକ ଚିରିଯାଇ ତଳକୁ ଝୁଲୁଛି। ମା’ ବୁଝାଇଦେଇ କହିଲେ, ବ୍ୟସ୍ତ ହୁଅନି, ଏସବୁ କାନ୍ଧ ଚିରା ପୋଷାକ ଆଜିକାଲିର ଫ୍ୟାସନ୍। ନାତିକୁ ଆଈ ଦେଖିଦେଇ କାନ୍ଦିପକାଇ କହିଲା, ‘ହଇରେ ପୁଅ! ଟିକିଏ ଭଲ ରୋଜଗାର କରୁନୁ, ଏମିତି ଜଙ୍ଘ ଚିରା, ଆଣ୍ଠୁ ଫଟା ପ୍ୟାଣ୍ଟ ଖଣ୍ଡେ ପିନ୍ଧି ବୁଲୁଛୁ!’ ଆଈ କାହୁଁ ବୁଝିବ ସେ ଫଟା ଜିନ୍ସର ମୂଲ୍ୟ କେତେ! ବନ୍ଧୁଙ୍କ ଝିଅ ତ ଛଅ ମାସର ଅଭ୍ୟାସ ଓ ଥରେ ଗୋଡ଼ ଫ୍ରାକ୍ଚର କରିବା ପରେ ଯାଇ ଏବେ ପାଞ୍ଚ ଇଞ୍ଚ କାଠିପରି ଗୋଇଠି ବାଲା ଷ୍ଟିଲେଟୋ ପିନ୍ଧି ଅଫିସ ଯାଉଛି। ଷ୍ଟିଲେଟୋ ପିନ୍ଧିଲେ ମଣିଷ କୁଆଡ଼େ ଅଧିକ ଡେଙ୍ଗୀ, ସୁନ୍ଦରୀ ଓ ଆକର୍ଷଣୀୟ ଦେଖାଯାଏ! ଆମର କାମବାଲୀ ତା’ ରୋଜଗାରରୁ ଦୁଇ ହଜାର ଝିଅକୁ ଦିଏ ତା’ ଡ୍ରେସ, ମେକଅପ୍ ଓ ପାର୍ଲର ଖର୍ଚ୍ଚ ପାଇଁ। ଏ ସବୁ ଉଦାହରଣ ଏଇଥିପାଇଁ ଯେ, ସୁନ୍ଦରତା କଦାପି ବିନା ମୂଲ୍ୟରେ ମିଳେ ନାହିଁ। ଲିଙ୍ଗ ଓ ବୟସ ନିର୍ବିଶେଷରେ ସମସ୍ତେ ରୋଜଗାରର ଏକ ମୋଟା ଅଂଶ ଏବେ ନିଜକୁ ସଜାଇବାରେ ଓ ବୟସର ପ୍ରଭାବକୁ ଲୁଚାଇବାରେ ବ୍ୟୟ କରୁଛନ୍ତି।
ମନୁଷ୍ୟ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ଖୁସି ହୋଇପାରେନି କାହିଁକି? ‘ଲଭ୍ସ ଲେବର୍ସ ଲଷ୍ଟ’ରେ ସେକ୍ସପିଅର୍ କହିଛନ୍ତି, “ବ୍ୟୁଟି ଇଜ୍ ବଟ୍ ବାଇ ଦ ଜଜମେଣ୍ଟ୍ ଅଫ୍ ଆଇ”। ଆଖିର ରାୟ ଅନୁସାରେ ହିଁ ମନୁଷ୍ୟ ସୌନ୍ଦର୍ଯ୍ୟକୁ ଗ୍ରହଣ କରେ। ଆମେ ସର୍ବଦା ଅନ୍ୟର ଆଖିରେ ସୁନ୍ଦର ଦିଶିବାକୁ ଏବଂ ଭିଡ଼ ମଧ୍ୟରେ ବାରି ହୋଇ ପଡ଼ିବା ପାଇଁ ବ୍ୟଗ୍ର। ଆନୁବଂଶିକ ଭାବରେ ମନୁଷ୍ୟ ସୌନ୍ଦର୍ଯ୍ୟର ପୂଜାରୀ। ହରିଣଟିଏ ଦେଖି ଆମେ ଖୁସି ହୋଇଯାଉ, ଗୟଳ ଦେଖି ନୁହେଁ। ଗୋଲାପ ଆମର ପ୍ରିୟ, ଧୁତୁରା ଫୁଲ ନୁହେଁ। କ୍ଷୁଦ୍ର ହଳଦୀବସନ୍ତକୁ ଆମେ ଭଲପାଉ, ଶାଗୁଣାକୁ ନୁହେଁ। ସୁନ୍ଦର ଓ ଆକର୍ଷଣୀୟ ବସ୍ତୁକୁ ଆମେ ସହଜରେ ଗ୍ରହଣ କରି ନେଇଥାଉ। ଏହି ପ୍ରକୃତିଦତ୍ତ ଗୁଣ ଯୋଗୁଁ ନିଜକୁ ସଜେଇବା ଓ ଶରୀରରେ ବୟସର ଛାପକୁ ଅଟକାଇବାର ଚେଷ୍ଟା ଆମେ କରିଥାଉ। ଭିଡ଼ ମଧ୍ୟରେ ଦୃଷ୍ଟି ଆକର୍ଷଣ ପାଇଁ ଅଦ୍ଭୁତ ବେଶ ପୋଷାକ ଆଧୁନିକ ଷ୍ଟାଇଲ ନାମରେ ପରିଧାନ କରୁ। କିନ୍ତୁ ଦୁର୍ଭାଗ୍ୟ, ସୁନ୍ଦରତା ଆମକୁ ବିନା ମୂଲ୍ୟରେ ମିଳେନି। ସେଥିପାଇଁ ଉତ୍ତମ ସ୍ବାସ୍ଥ୍ୟକୁ ହରାଇବାକୁ ହୁଏ ଓ ଅର୍ଥ ବ୍ୟୟ କରିବାକୁ ପଡ଼େ। ବିଷାକ୍ତ କଳା ଧୂଆଁ ଓ ଲିଡ ସଲଫାଇଡ୍ରୁ ପ୍ରସ୍ତୁତ ଅଞ୍ଜନ, ଆଖିପତା ରଙ୍ଗେଇବା ପାଇଁ ଅଭ୍ର ଓ କାଓଲିନ୍ ପ୍ରସ୍ତୁତ ରସାୟନ, ତ୍ବଚାର ଦାଗ ଲିଭାଇବା ପାଇଁ ବ୍ୟବହୃତ ଲିଡ୍ କାର୍ବୋନେଟ୍, ଚୁଟି ରଙ୍ଗେଇବାର ରାସାୟନିକ ରଙ୍ଗ, କୃତ୍ରିମ ଚୁଟି ରୋପଣ, ଟାଟୁ ବହୁଳ ଶରୀର, ତ୍ବଚାର ମାଇକ୍ରୋଡର୍ମାବ୍ରେସନ୍ ଉପଚାର, ରାସାୟନିକ ଫେସିଆଲ, ପ୍ଲାଷ୍ଟିକ ସର୍ଜରି ମାଧ୍ୟମରେ ଅଙ୍ଗସୌଷ୍ଠବର ସୌନ୍ଦର୍ଯ୍ୟକରଣ, ଅତ୍ୟନ୍ତ ବ୍ୟୟବହୁଳ ବୋଟକ୍ସ ଥେରାପି ଦ୍ବାରା ବୟସର ଛାପ ଲୁଚାଇବାର ଉପଚାର ଏବଂ ଅନ୍ୟାନ୍ୟ ଅନେକ ଶାରୀରିକ ପ୍ରୟୋଗ ଆମର ସୁନ୍ଦରତା ବୃଦ୍ଧି କରି ବୟସକୁ ଲୁଚାଇଥାଏ ସିନା, ପରିଶେଷରେ ଶରୀର ଆମର ରୁଗ୍ଣ ହୋଇଯାଏ ଓ ଅନେକ ଆର୍ଥିକ ବ୍ୟୟ କରିବାକୁ ପଡ଼େ। ଯେମିତିକି, ଶରୀରକୁ ପତଳା ରଖିବାର ଉପଚାର ଦ୍ବାରା ସାର୍କୋପେନିଆ ନାମକ ମାଂସପେଶୀର ଏକ ରୋଗ ହୋଇଥାଏ ଏବଂ ରାସାୟନିକ ମେକଅପ୍ ଚର୍ମରୋଗ ଓ କ୍ୟାନସର ସୃଷ୍ଟି କରେ। ହିସାବ କରି ଦେଖନ୍ତୁ ତ, ବର୍ଷକ ମଧ୍ୟରେ ଆପଣ ଶରୀରଚର୍ଯ୍ୟା ଓ ଫ୍ୟାସନ ବାବଦରେ କେତେ ଖର୍ଚ୍ଚ କରିଛନ୍ତି? ସୌନ୍ଦର୍ଯ୍ୟ ବୃଦ୍ଧି ଓ ବାର୍ଦ୍ଧକ୍ୟ ଲୁଚାଇବାର ଉତ୍ପାଦଗୁଡ଼ିକର ବଜାର ମୂଲ୍ୟ ଖୁବ୍ ଉଚ୍ଚା। ସୁନ୍ଦର ଦେଖାଯିବାର ଦୌଡ଼କୁ ବିଜ୍ଞାପନ ମାଧ୍ୟମରେ ପ୍ରୋତ୍ସାହନ କରି ଏମାନେ ଖୁବ୍ ରୋଜଗାର କରନ୍ତି।
ଆମେ କ’ଣ ଆମର ପ୍ରକୃତିଦତ୍ତ ଚେହେରାକୁ ନେଇ ଜିଇଁ ପାରିବାନି? ହୁଏତ ପାରିବା, କିନ୍ତୁ ନିଜ ଦେହର ସୌନ୍ଦର୍ଯ୍ୟକୁ ନେଇ ସନ୍ତୁଷ୍ଟ ହୋଇ ପାରିବେ କେତେ ଜଣ? ଆଉ ଚାହିଁବ ବା’ କିଏ? ଲେଖିକା ଉର୍ସୁଲା ଲୁ-ଗ୍ବେନ୍ ‘ମେଡିଟେସନ୍ ଅନ୍ ଏଜିଂ’ରେ ଲେଖିଛନ୍ତି, “କେବଳ ଯୁବାବସ୍ଥା ଥିବା ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟ ଆମକୁ ହର୍ମୋନ୍ ସହିତ ବିନା ମୂଲ୍ୟରେ ମିଳିଥାଏ। ତା’ପରେ ସୁନ୍ଦରତା ନିର୍ଭର କରେ ବ୍ୟକ୍ତିଟି କିଏ, ତା’ ପରିଚୟ ଆଧାରରେ”। ଅର୍ଥାତ୍, ସୌନ୍ଦର୍ଯ୍ୟ କେବଳ ଚେହେରାରେ ରହି ନଥାଏ, ତାହା ନିର୍ଭର କରେ ମଣିଷର ଚରିତ୍ର, ଅନୁଭବ ଓ ବ୍ୟକ୍ତିତ୍ବ ଉପରେ।
ବନ୍ଧୁଗଣ, ଜୀବନ ସହିତ ଆମର ଦିନଗୁଡ଼ିକୁ ଯୋଡ଼ି ଚାଲିଲେ ଆମେ ବୃଦ୍ଧ ହୋଇଯିବା। ଜୀବନକୁ ଦିନରେ ବିଭକ୍ତ କରି ଦେଖନ୍ତୁ ତ, ଶରୀର ଆମର ପୁରୁଣା ହେବ ସିନା, ଆମେ ବୟସ୍କ ଅନୁଭବ କରିବାନି କି ତାକୁ ଲୁଚାଇବାର ଉପଚାର ସନ୍ଧାନ କରିବାନି। ସ୍ରଷ୍ଟା ଶରୀରକୁ ଆମର ପ୍ରାକୃତିକ ସୌନ୍ଦର୍ଯ୍ୟରେ ସଜେଇ ଦେଇଛନ୍ତି, ତା’ର କେବଳ ରକ୍ଷଣାବେକ୍ଷଣ କରିଚାଲନ୍ତୁ। କୃତ୍ରିମ ପ୍ରସାଧନର ଆବଶ୍ୟକତା ନାହିଁ। ପ୍ରାକୃତିକ ସୌନ୍ଦର୍ଯ୍ୟର ନୈସର୍ଗିକ ଆକର୍ଷଣ ଅନେକ! “ଅଚ୍ଛି ସୁରତ୍ କୋ ସଂଵର୍ନେ କି ଜରୁରତ୍ କ୍ୟା ହୈ/ସାଦଗି ମୈ ଭି କୟାମତ୍ କି ଅଦା ହୋତି ହୈ”।
(ମତାମତ ଲେଖକଙ୍କ ନିଜସ୍ବ)
[email protected]
ବି.ଦ୍ର.- ‘ବହୁବଚନ’ ସ୍ତମ୍ଭ ସୋମବାର ପ୍ରକାଶ ପାଇବ