ସୁଭାଷ ପଟ୍ଟନାୟକ
ସତୁରି ପାଖାପାଖି ବୟସରେ ପହଞ୍ଚି ସାରିଥିବା ଜଣେ ବନ୍ଧୁ କାଲି ସସ୍ତ୍ରୀକ ରାସ୍ତାକଡ଼ ବଜାରରୁ ଗୁପ୍ଚୁପ୍ କିଣି ଘରକୁ ନେଉଥିବାର ଦେଖିଲି। କୌତୂହଳୀ ହୋଇ ପ୍ରଶ୍ନ କଲି, ‘ଘରେ ତ ଆଉ କେହି ନାହାଁନ୍ତି, ଗୁପ୍ଚୁପ୍ ଏଇଠି ଖାଇଦେଲେନି? ଘରେ ପହଞ୍ଚିବା ବେଳକୁ ଶିପିଯିବ’। ବନ୍ଧୁ ହସିଦେଇ କହିଲେ, ରାସ୍ତା କଡ଼ରେ ଠିଆହୋଇ ପିଲାମାନଙ୍କ ମେଳରେ ଖାଇବାର ବୟସ କ’ଣ ଆଉ ଅଛି? ଲାଜ ଲାଗିବନି? ଲୋକେ କ’ଣ କହିବେ? ଆଉ ଜଣେ ବୃଦ୍ଧ ଆମ ଘର ପାଖରେ ରହନ୍ତି। ଯୁବକ ଅବସ୍ଥାରେ ନୃତ୍ୟ ଗୀତର ସଉକ ଥିଲା। ପିଲାମାନେ ବାହାରକୁ ଚାଲିଯିବା ପରେ ଝରକା ବନ୍ଦ କରିଦେଇ ସଂଗୀତର ତାଳେ ତାଳେ ନୃତ୍ୟ କରନ୍ତି। ବୟସ ବଢ଼ିଗଲା ପରେ ମନୁଷ୍ୟ ନିଜ ଇଚ୍ଛାରେ ଜିଇଁବାକୁ ଏତେ ସଂକୋଚ ଓ ଲଜ୍ଜାବୋଧ କରେ କାହିଁକି? ଜୀବନ ଷଷ୍ଠ ଦଶକ ପାର ହେବା ବେଳକୁ ମନ ଓ ମସ୍ତିଷ୍କ ମଧ୍ୟରେ ଏକ ନୂତନ ଦ୍ବନ୍ଦ୍ବ ଆରମ୍ଭ ହୋଇଯାଏ। ମନ ସେଇ ସବୁ କାର୍ଯ୍ୟ କରିବାକୁ ଇଚ୍ଛାକରେ ଯାହା ସେ କୋଡ଼ିଏ ବର୍ଷ ପୂର୍ବେ କରୁଥିଲା, ମାତ୍ର ମସ୍ତିଷ୍କ ତାହା କରିବାକୁ ବାରଣ କରେ। ଏହି ଦ୍ବନ୍ଦ୍ବ ହେଉଛି ଆମର ମଧ୍ୟ-ଜୀବନର ସଂକଟ ବା ‘ମିଡ-ଲାଇଫ୍ କ୍ରାଇସିସ୍’। ଏହି ସମୟରେ ମନୁଷ୍ୟ ନିଜର ପରିଚୟ ଓ ପସନ୍ଦ ଆଦିକୁ ନେଇ ଆଭ୍ୟନ୍ତରୀଣ ଦ୍ବନ୍ଦ୍ବରେ ପଡ଼ିଯାଏ। ମନ ଯୁବକ ପରି ରହିବାକୁ ଚାହୁଁଥିବା ବେଳେ ଶରୀର ଓ ମସ୍ତିଷ୍କ ଅନୁମତି ଦିଅନ୍ତିନାହିଁ। ଏହି ସମୟଟି ଜୀବନର ପୁନଃମୂଲ୍ୟାୟନ ଓ ପ୍ରାଥମିକତାକୁ ଦୃଷ୍ଟି ଦେବାର ସମୟ ହୋଇଥିଲେ ମଧ୍ୟ ସମାଜ ଓ ସଂସ୍କୃତି ତାହା କରିବାକୁ ଦିଏନି। ନିକଟରେ ‘ଦ ଇକନମିଷ୍ଟ୍’ ପତ୍ରିକାରେ ପ୍ରକାଶିତ ଏକ ଆଲେଖରେ କୁହାଯାଇଥିଲା ଯେ, ଆମେରିକା ଓ ୟୁରୋପୀୟ ଦେଶମାନଙ୍କରେ ବୟସ୍କ ଲୋକମାନେ ଏବେ ଆଉ ଘରେ ବସି ରହିବାକୁ ପସନ୍ଦ କରୁନାହାନ୍ତି। ଯୁବକସୁଲଭ ଜୀବନଶୈଳୀକୁ ଅଧିକ ପସନ୍ଦ କରି ଡେଟିଂ ସାଇଟରେ ସମୟ ବିତାଇବା, ପାନଶାଳା, ନୃତ୍ୟଶାଳା, ପାର୍ଟି ଓ ପର୍ଯ୍ୟଟନରେ ସମୟ ଦେବାକୁ ପ୍ରାଥମିକତା ଦେଉଛନ୍ତି। ରକ୍ଷଣଶୀଳ ଭାରତୀୟ ସମାଜରେ ବୟସ୍କ ବ୍ୟକ୍ତିର ସେପରି ଇଚ୍ଛା ପୂରଣ ହେବା ଦୁରୂହ। ଷାଠିଏ ବର୍ଷ ବୟସ ହେବା ବେଳକୁ ଆମ ସମାଜ ସେମାନଙ୍କୁ ଘରେ ବସିରହି ଅବସର ନେବାକୁ ବାଧ୍ୟ କରେ। ପ୍ରସ୍ଥାନ ସମୟକୁ ଅପେକ୍ଷା କରିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କିଛି କାମ ବାକି ନଥାଏ। ଜୀବନଯାତ୍ରା ସୀମିତ ରହିଯାଏ ନାତିନାତୁଣୀମାନଙ୍କ ଦେଖାଶୁଣା ଏବଂ ଘର ଜଗିବାରେ। ବିଚରା ମଣିଷଟି ମନର ଇଚ୍ଛାକୁ ମନରେ ମାରି ଘରେ ବସି ରହିଥାଏ। ମନର ଡାକ ଶୁଣିବାକୁ ଚେଷ୍ଟା କଲେ ଉପହାସର ପାତ୍ର ହେବାକୁ ପଡ଼େ। ନିଜ ଘରେ ଥାଇ ମଧ୍ୟ ମନଖୋଲା ହସି ପାରେନି କି ପ୍ରକାଶ୍ୟରେ ପତ୍ନୀଙ୍କୁ ଦୁଇପଦ କଥା ସରାଗରେ କହି ପାରେନି। ସଙ୍କୋଚ କରେ, ପିଲାମାନେ ଦେଖିଲେ କ’ଣ ଭାବିବେ! ମନ ଓ ମସ୍ତିଷ୍କର ବିଚାରରେ ତାଳମେଳର ଅଭାବରୁ ବ୍ୟକ୍ତିଟି ଚିଡ଼ିଚିଡ଼ାପଣ, ତର୍କବିତର୍କ, ଅବସାଦ, ହୀନମନ୍ୟତା ଓ ରକ୍ତଚାପ ଆଦି ଉପସର୍ଗର ଶିକାର ହୁଏ। ବୟସ ଏକ ନିର୍ଦ୍ଦିଷ୍ଟ ଦର୍ଶନ ଓ ସିଦ୍ଧାନ୍ତର ଆଧାରରେ ଆଗକୁ ବଢୁଛି। ଚିରକାଳ ଜୀବିତ ରହିଲେ ଜୀବନ ମୂଲ୍ୟହୀନ ହୋଇ ଯାଆନ୍ତା। ଜୀବନର କ୍ଷଣସ୍ଥାୟିତ୍ବ ହେତୁ ତା’ ପ୍ରତି ଆମର ମୋହ ଅଛି। ନଶ୍ବରତା ହିଁ ଜୀବନକୁ ଅର୍ଥପୂର୍ଣ୍ଣ କରୁଛି। ନିଶ୍ବାସ ଟାଣିଲେ ଛାଡ଼ିବାକୁ ପଡ଼ିଥାଏ। ଗୋଟିଏ ଗୁଞ୍ଜରିତ ଧ୍ବନିର ସୌନ୍ଦର୍ଯ୍ୟ ହେଉଛି ଶେଷରେ ତାହା ନିରବିଯିବା। ସମୟକୁ ଚିହ୍ନିବାର ଅର୍ଥ ତା’ର ଅପସୃୟମାନତାକୁ ସ୍ବୀକାର କରିବା। ତେଣୁ ଜୀବନର ଅନ୍ତ ସମୟ ଆସିବା ପୂର୍ବରୁ ପରିବାର ଓ ସମାଜର ପ୍ରତିକ୍ରିୟାକୁ ଡରିଯାଇ ମନର ଡାକକୁ ଅଣଦେଖା କରିବା ନିର୍ବୋଧତା।
ବୃଦ୍ଧ ବାପମା’ଙ୍କୁ ପିଲାମାନେ ସେମାନଙ୍କ ମନର ଅନୁରୂପ କାର୍ଯ୍ୟ କରିବାକୁ ବାରଣ କରିଥାନ୍ତି। ସେମାନଙ୍କ ଠାରେ ସାମାନ୍ୟ ପ୍ରସନ୍ନତା କିମ୍ବା ଚଞ୍ଚଳତାକୁ ବୟସର ଅନନୁରୂପ ମନେ କରାଯାଏ। ଯୁବପିଢ଼ି ଭୁଲିଯାଏ ଯେ ଭୂପତିତ ଯେଉଁ ଶୁଷ୍କ ପତ୍ରକୁ ଆଜି ସେ ଅଲୋଡ଼ା ଭାବୁଛି, ଗଛର ସେଇ ସବୁଜ ପତ୍ରର ଛାଇତଳେ ସେ ଦିନେ ଆଶ୍ରୟ ନେଇ ବଢ଼ିଥିଲା। ଜୀବନ କାଳରେ ଜଟିଳ ଘରସଂସାର, ପିଲାମାନଙ୍କୁ ମଣିଷ କରିବା, ବିବାହ ଓ ବାସଗୃହ ନିର୍ମାଣ ଆଦି ଗୁରୁଦାୟିତ୍ୱ ତୁଲାଇବା ମଧ୍ୟରେ ନିଜ ଜୀବନକୁ ବୟୋବୃଦ୍ଧମାନେ ଇଚ୍ଛାର ଅନୁରୂପ ଜିଇଁ ପାରିନଥାନ୍ତି। ଜୀବନର ଅପରାହ୍ଣରେ ବାକି ରହିଥିବା କିଛି ସମୟକୁ ନିଜର ଇଚ୍ଛା ଅନୁସାରେ ଜିଇଁବାକୁ ଚାହିଁଲେ କ୍ଷତି କ’ଣ? କବି ଵିଲିୟମ୍ ବ୍ଲେକ୍ ‘ଇଟରନିଟି’ କବିତାରେ ଲେଖିଛନ୍ତି, “ହି, ହୁ ବାଇଣ୍ଡସ୍ ଟୁ ହିମସେଲଫ୍ ଏ ଜୟ/ଡଜ୍ ଦ ଵିଙ୍ଗ୍ଡ ଲାଇଫ୍ ଡେଷ୍ଟ୍ରୟ। ହି, ହୁ କିସେସ୍ ଦ ଜୟ ଆଜ୍ ଇଟ୍ ଫ୍ଲାଇଜ୍/ଲାଇଭ୍ସ ଇନ୍ ଇଟରନିଟିଜ୍ ସନ୍ ରାଇଜ୍।” ଅର୍ଥ ହେଉଛି, ଖୁସିକୁ ଖୋଲା ହୃଦୟରେ ଗ୍ରହଣ କରିନେବା ଉଚିତ। ଆନନ୍ଦକୁ ପଙ୍ଗୁ କରି ରଖିବାର ଅର୍ଥ ଖୁସିର ସାରାଂଶକୁ ନଷ୍ଟ କରିଦେବା, ଠିକ୍ ପକ୍ଷୀକୁ ପିଞ୍ଜରାରେ ରଖି ଡେଣାକୁ ତା’ର ପଙ୍ଗୁ କରିଦେବା ପରି। ଆନନ୍ଦର ଆଗମନ ଓ ପ୍ରସ୍ଥାନକୁ ନିଜର ଇଚ୍ଛା ଅନୁରୂପ ଗ୍ରହଣ କରିନେବା ଆମକୁ ଏକ ଶାଶ୍ବତିକ ଆନନ୍ଦ ଆଣିଦେଇଥାଏ। ପ୍ଲାଟୋଙ୍କ ଠାରୁ କ୍ୟାଣ୍ଟ୍ଙ୍କ ପର୍ଯ୍ୟନ୍ତ ସମସ୍ତ ଦାର୍ଶନିକ ବୁଝିଥିଲେ ଯେ ବୃଦ୍ଧାବସ୍ଥା ଏକ ମୌଳିକ ରୂପାନ୍ତରିତ ଅସ୍ତିତ୍ବଗତ ଅବସ୍ଥା ଯାହାକୁ ଆମେ ପ୍ରତିରୋଧ ବଦଳରେ ଅନୁଭବ କରିବା ଉଚିତ।
ବୃଦ୍ଧାବସ୍ଥା ହେଉଛି ଅନ୍ୟମାନଙ୍କ ଦ୍ବାରା ପ୍ରଦତ୍ତ ଏକ ରାୟ, ଯାହାକି ମନ ସହିତ ସଂପୂର୍ଣ୍ଣ ସମ୍ବନ୍ଧଯୁକ୍ତ। ଯେଉଁ ଦିନ ଠାରୁ ନିଜକୁ ଆମେ ବୁଢ଼ା ଭାବିନେଇ ବୟସ ନିକଟରେ ଆତ୍ମସମର୍ପଣ କରିଦେଉ, ସେଇ ଦିନଠାରୁ ହିଁ ବାର୍ଦ୍ଧକ୍ୟ ଆସିଯାଏ। ଯଦି ବୟସକୁ ନେଇ ମନରେ କୌଣସି ଆତ୍ମଗ୍ଳାନି ନାହିଁ, ବାସ୍ତବ ପରିସ୍ଥିତିକୁ ନେଇ ଅନୁଶୋଚନାର ଆବଶ୍ୟକତା ମଧ୍ୟ ନାହିଁ। ମାର୍କ ଟ୍ବେନ୍ଙ୍କ କହିବା ପରି, “ଏଜ୍ ଇଜ୍ ଆନ ଇସ୍ୟୁ ଅଫ୍ ମାଇଣ୍ଡ ଓଭର ମ୍ୟାଟର। ଇଫ୍ ୟୁ ଡୁ ନଟ୍ ମାଇଣ୍ଡ୍ ଇଟ୍ ଡଜନଟ୍ ମ୍ୟାଟର୍।” ବୟସ ହେଉଛି ମନର ଏକ ବିଷୟ। ଯଦି ତାକୁ ନେଇ ମନର କୌଣସି ଆପତ୍ତି ନାହିଁ, ବୟସ କ’ଣ ପାଇଁ ନିଜେ ବିବ୍ରତ ହେବ? ବାର୍ଦ୍ଧକ୍ୟକୁ ସେଥିପାଇଁ ଗରିବୀ, ଜୀର୍ଣ୍ଣତା, ଦୁର୍ଦ୍ଦଶା ଓ ନିରାଶାରେ ଅଭିଶପ୍ତ ଏକ ଚଳତ୍କ୍ଷମ ଶବ ଭାବିନେବା ଅନୁଚିତ। ମନ ନିଜେ ଆନନ୍ଦ ପାଇବାକୁ ଯଦି ପଛକୁ କିଛି ପାଦ ଫେରିବାକୁ ଚାହୁଁଛି ସେଥିରେ କିଛି କ୍ଷତି ନାହିଁ କି ଲଜ୍ଜାବୋଧ କରିବାର ନାହିଁ। କବି ଗୁଲଜାର୍ କଟାକ୍ଷ କରିଛନ୍ତି: “ହେ, ଉମ୍ର! କୁଛ୍ କହା ମୈନେ, ଶାୟଦ୍ ତୁମନେ ସୁନା ନହିଁ/ତୁ ଛିନ୍ ସକ୍ତା ହୈ ଜଵାନି ମେରି, ପର୍ ଜଜବାତ୍ ନହିଁ।” ହେ ବୟସ! ଶୁଣି ରଖିଥା, ତୁ ମୋ ଯୌବନକୁ ଅପହରଣ କରି ନେଇପାରୁ, କିନ୍ତୁ ମୋ ମନକୁ କଦାପି ନୁହେଁ।
(ମତାମତ ଲେଖକଙ୍କ ନିଜସ୍ବ)
[email protected]