“ଯୋ ଭି ହୈ ସୁରତ୍-ଏ-ହାଲାତ୍ କହୋ, ଚୁପ୍ ନ ରହୋ/ ରାତ୍ ଅଗର ହୈ ତୋ ଉସେ ରାତ୍ କହୋ, ଚୁପ୍ ନ ରହୋ/ ଘେର ଲାୟା ହୈ ଅନ୍ଧେରୋଁ ମୈ ହମେଁ କୌନ ‘ହାଫିଜ୍’/ ଆଓ, କହନେକି ହୈ ଯୋ ବାତ୍ କହୋ, ଚୁପ୍ ନ ରହୋ”। ‘ପରିସ୍ଥିତି ଯାହା ବି ହେଉ, ଚୁପ୍ ନ ରହି ମୁହଁ ଖୋଲ। ରାତି ହେଲାଣି ଯଦି ତାକୁ ରାତି କୁହ, ଚୁପ୍ ନ ରୁହ। ଅନ୍ଧାର ଘୋଟିଲାଣି ହାଫିଜ୍, ଯାହା କହିବାର ଅଛି କହିଦିଅ, ଚୁପ୍ ନରୁହ’। କବିତାଟି ଲେଖିଛନ୍ତି ବିଶିଷ୍ଟ ଉର୍ଦ୍ଦୁ କବି ଓ ପାକିସ୍ତାନ ଜାତୀୟ ସଂଗୀତର ଲେଖକ ହାଫିଜ୍ ଜଲନ୍ଧରି। ସଂସାରର ସୃଷ୍ଟି ଶବ୍ଦରୁ। ଶବ୍ଦ ଭାବ ବିନିମୟର ମାଧ୍ୟମ। ମୌନ ରହିଯିବା ନିଷ୍କ୍ରିୟତା ଓ ଶୂନ୍ୟତାର ପ୍ରତୀକ ହେଲେ ମଧ୍ୟ ଜୀବନ ଓ ସମାଜକୁ ବଦଳାଇ ଦେବାର ଶକ୍ତି ନିହିତ ଅଛି ମୌନ ରହିବାରେ। କୋଳାହଳରେ ପରିପୂର୍ଣ୍ଣ ସଂସାରରେ ନିରବତା ଆତ୍ମଚିନ୍ତନ ଓ ଆତ୍ମନିରୀକ୍ଷଣର ସୁଯୋଗ ଦେଇଥାଏ। ମନୁଷ୍ୟକୁ ତା’ର ଗଭୀରତମ ଅନ୍ତଃ ପ୍ରଦେଶକୁ ଯାଇ ନିଜକୁ ବୁଝିବାରେ ସହାୟକ ହୋଇଥାଏ ନିରବତା। ତେଣୁ ମୌନ ରହିବାର ସ୍ଥିତିକୁ ସୁବର୍ଣ୍ଣ ସହିତ ତୁଲ୍ୟ ରୂପ ଦିଆଯାଇଛି। ଛାତ୍ରଟି ସ୍କୁଲ ଗଲେ ପ୍ରଥମେ ତା’ର ଦୃଷ୍ଟିରେ ପଡ଼େ କାନ୍ଥରେ ଲିଖିତ ସଂଦେଶ “ନିରବତା ରକ୍ଷା ହିଁ ସ୍ବର୍ଣ୍ଣିମ”। ଗହଳଚହଳ ସ୍ଥାନ ମାନଙ୍କରେ ଏହି ସନ୍ଦେଶର ଇସ୍ତାହାରଟିମାନ ଲଟକିଥାଏ। ଅନ୍ୟକୁ ଚୁପ୍ କରାଇ ଦେବାକୁ ଚାହାଁନ୍ତି ସମସ୍ତେ। ମନୁଷ୍ୟର ପ୍ରତିରୋଧ କରିବାର ଶକ୍ତି, ବିବେକ ଓ ବିଚାର ବୁଦ୍ଧିର ଉନ୍ମେଷ ଘଟିଥାଏ ନିରବତାରୁ। ମୌନ ରହିବାର ଏହିସବୁ ସୁନେଲି ଦିଗ ରହିଥିଲେ ମଧ୍ୟ ପ୍ରତ୍ୟେକ ପରିସ୍ଥିତିରେ ଚୁପ୍ ରହିଯିବା ତା’ର ସ୍ବର୍ଣ୍ଣିମତାକୁ ନକଲି ସୁନାରେ ପରିଣତ କରିଦିଏ। କିଛି ଦିନ ପୂର୍ବେ ଚୁପ୍ ରହିବାର ଉତ୍କର୍ଷକୁ ନେଇ ଏ ସ୍ତମ୍ଭରେ ଆମେ ଆଲେଖଟିଏ ବାଢ଼ିଥିଲୁ, “ଟିକିଏ ଚୁପ୍ ରହିବେ କି?” ପ୍ରତ୍ୟେକ ସତ୍ୟର ଅପର ପାର୍ଶ୍ବରେ ଅନ୍ୟ ଏକ ସତ୍ୟ ଲୁଚି ରହିଥାଏ। ତେଣୁ ଆଜିର ଏ ଆଲୋଚନାଟି ନିରବ ରହିବାର ଅନିଷ୍ଟକାରୀ ଦିଗକୁ ନେଇ।
ଦାର୍ଶନିକ ଫ୍ରେଡରିକ୍ ନିଚା କହିଥିଲେ, “ମୌନତା ମାରାତ୍ମକ ବିଷ। ସତ୍ୟକୁ ନିରବ ରହିବାକୁ ଛାଡ଼ିଦେଲେ ସତ୍ୟ ମଧ୍ୟ ବିଷାକ୍ତ ହୋଇଯାଏ।” ସଂପ୍ରତି ଆମ ସମାଜରେ ମୁହଁ ଖୋଲି କିଛି ସତ୍ୟ ପ୍ରକାଶ କରିବାକୁ ସମସ୍ତେ ବୀତସ୍ପୃହ। ସମ୍ମୁଖରେ ଯାହାବି ଘଟୁଥାଉ, କିଛି ନ ଜାଣିବା ପରି ଚୁପ୍ ରହିଯିବାକୁ ସମସ୍ତେ ଶ୍ରେୟ ମଣନ୍ତି। ଅନ୍ୟାୟ ଓ ଅନୀତି ବିରୋଧରେ ସମସ୍ତଙ୍କ ସ୍ବର ନିରବିଯାଏ। ନ୍ୟାୟର ସପକ୍ଷରେ ମୁହଁ ଖୋଲିବାକୁ ସମସ୍ତେ ଭୟ କରନ୍ତି ଏବଂ ଅପରାଧ ଘଟୁଥିବା ଦେଖିଲେ ସେ ସ୍ଥାନ ଛାଡ଼ି ଚୁପ୍ଚାପ୍ ଚାଲିଯାଆନ୍ତି। ସୀମାରେଖା ବିନା ପୃଥିବୀର ପରିଚୟ ଯେମିତି ଅସ୍ପଷ୍ଟ, ନିରବତା ବିନା ଅସ୍ତିତ୍ବ ସେମିତି ଅସ୍ପଷ୍ଟ ହେଲେ ବି ଆବଶ୍ୟକ ସ୍ଥଳେ ନିରବତା ଭଙ୍ଗ ନକଲେ ସେ ଅସ୍ତିତ୍ବ ଦୀର୍ଘସ୍ଥାୟୀ ହୋଇପାରେନା। ଦ୍ରୌପଦୀଙ୍କ ପ୍ରତି ଅସଦାଚରଣ ପ୍ରଦର୍ଶନ ସମୟରେ ପାରିଷଦବର୍ଗ ଯଦି ମୌନ ନରହି ମୁହଁ ଖୋଲି ପ୍ରତିବାଦ କରିଥାନ୍ତେ ମହାଭାରତ ଯୁଦ୍ଧ ପରି ମହା ଅନର୍ଥ ଘଟି ନଥାନ୍ତା। ଆଲୋକ ପ୍ରଜ୍ଜ୍ବଳିତ ହେଲେ ରାସ୍ତା ଦୃଶ୍ୟ ହେବାପରି ମୁହଁ ଖୋଲିଲେ ହିଁ ଜୀବନର ରାସ୍ତା ଦେଖିହୁଏ। ପ୍ରଶ୍ନ ଉଠିପାରେ ସମସ୍ତେ ମୁଖର ହେଲେ ଶୁଣିବ କିଏ? ଉତ୍ତର ପରିବର୍ତ୍ତେ ବିପରୀତ ପ୍ରଶ୍ନଟି ସ୍ବତଃ ମନକୁ ଆସେ, ସମସ୍ତେ ନିରବ ରହିଲେ ମୁହଁ ଖୋଲି ପ୍ରତିବାଦ କରିବ କିଏ? କୁହୁକ ବସ୍ତ୍ର ପିନ୍ଧିଥିବାର ମୂଢ଼ ବିଶ୍ବାସରେ ବିବସ୍ତ୍ର ବୁଲୁଥିବା ରାଜାଙ୍କ ପରି ଏ କଥା ନୁହେଁ କି? ଚୁପ୍ ରହିବାର ଆବଶ୍ୟକତା ଥିବାବେଳେ ମୁଖର ହେଲେ ସେଠାରେ ନିରବତା ସୁବର୍ଣ୍ଣ ସଙ୍ଗେ ସମକକ୍ଷ। ମାତ୍ର କହିବାର ଆବଶ୍ୟକତା ଥିବାବେଳେ ମୌନ ରହିଗଲେ ସେ ନିରବତା ନକଲି ସୁବର୍ଣ୍ଣରେ ଗଣ୍ୟ। ଯେତେବେଳେ ଅଜ୍ଞାନ, ପକ୍ଷପାତିତା, ଅହଂକାର ଓ ଅନ୍ୟାୟର ଶକ୍ତି ସଚ୍ଚୋଟତା, ସାହସ, ସ୍ବାଧୀନତା ଏବଂ ସମ୍ମାନବୋଧର ଶକ୍ତିଠାରୁ ଅଧିକ ହୁଏ ସେ କ୍ଷେତ୍ରରେ ମୌନତା ତା’ର ସ୍ବର୍ଣ୍ଣିମ ଆଭା ହରାଇବସେ। ଭୁଲ୍, ଅନ୍ୟାୟ ଓ ଅସଙ୍ଗତିକୁ ଦେଖି ମଧ୍ୟ ପ୍ରତିବାଦ ନକରି ଚୁପ୍ ରହୁଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ‘ଡିଭାଇନ୍ କମେଡି’ର ରଚୟିତା ଦାନ୍ତେ କହିଥିଲେ, “ନରକର ସବୁଠାରୁ ଉତ୍ତପ୍ତ ସ୍ଥାନ ସେଇମାନଙ୍କ ପାଇଁ ସଂରକ୍ଷିତ ଯେଉଁମାନେ ନୈତିକତାର ସଂକଟ କାଳରେ ନିରବଦ୍ରଷ୍ଟା ହୋଇଥାନ୍ତି।”
ନିରବତା ବିନା ଈଶ୍ବର ମିଳନ୍ତିନି, ଏହା ଆଧ୍ୟାତ୍ମିକତାର କଥା। ପାର୍ଥିବ ଜଗତରେ ଆବଶ୍ୟକ ସ୍ଥଳେ ମୁହଁ ନ ଖୋଲିଲେ ଆମେ ପଛରେ ପଡ଼ିଯିବା। ଏବେ ତ ଡାକ୍ତରମାନେ କହିଲେଣି, ଯେତେ ଆପଣ ବାଚାଳ ହେବେ ମାନସିକ ସ୍ତରରେ ସେତିକି ସୁସ୍ଥ ରହିବେ। ଚୁପ୍ ରହିବା ଅର୍ଥ ଭାବାବେଗକୁ ଚାପି ରଖିବା, ଯାହା ପରିଶେଷରେ ଅବସାଦ ଆଣିଦିଏ। ବର୍ତ୍ତମାନର ସମୟ ହେଉଛି ନିଜ ଢୋଲ ନିଜେ ପିଟିବାର ସମୟ। ମୁହଁ ଖୋଲି ନିଜେ ନିଜକୁ ବିଜ୍ଞାପିତ କରିବାର ସମୟ। ପ୍ରଶ୍ନ ବିନା ଉତ୍ତର ଯେମିତି ଉତ୍ତର ପଦବାଚ୍ୟ ନୁହେଁ, ଶବ୍ଦର ପ୍ରକାଶ ବିନା ନିରବତା ସେମିତି ନିରବତା ନୁହେଁ। ଯଦି କିଛି ଲୁଚାଇବାର ନାହିଁ ମୁହଁ ଖୋଲିଦେଲେ ଅସୁବିଧା କେଉଁଠି? ଅବଶ୍ୟ ଜିଭକୁ କେତେବେଳେ କାମୁଡ଼ି ଧରିବାକୁ ହେବ ସେକଥା ମଧ୍ୟ ଜାଣିରଖିବା ଜରୁରୀ। ଚୁପ୍ ରହିବାକୁ ଯାଇ ପଳାୟନବାଦୀ ହେଲେ ମାନବବାଦର ପରୋକ୍ଷ କ୍ଷତି ଘଟେ। ସଂପର୍କର ସ୍ଥାୟିତ୍ବ ଓ ସ୍ବାର୍ଥ ଦୃଷ୍ଟିରୁ ଚୁପ୍ ରହିଯିବା ଅନେକଙ୍କ ପାଇଁ ଉପଯୁକ୍ତ ମାର୍ଗ ହେଲେ ମଧ୍ୟ ପରୋକ୍ଷରେ ତାହା ଆମଠାରୁ ଉଚ୍ଚ ମନସ୍ତାତ୍ତ୍ବିକ ମୂଲ୍ୟ ଆଦାୟ କରିନିଏ।
ଆଜିର ବ୍ୟାପକ କୋଳାହଳମୟ ପୃଥିବୀରେ ପ୍ରତିଷ୍ଠା, ସମ୍ମାନ ଓ ସୁରକ୍ଷା ପାଇଁ ଚୁପ୍ ରହିଯିବା ସବୁଠାରୁ ବିଷାକ୍ତ ରଣନୀତି ହୋଇଛି। କବି ତ ଲେଖିଛନ୍ତି, “ତୁ ଅପନି ଆଵାଜ୍ ମୈଁ ଗୁମ୍ ହୈ ମୈଁ ଅପନି ଆଵାଜ୍ ମୈଁ ଚୁପ୍/ ଦୋନୋଁ ବିଚ୍ ଖଡ଼ି ହୈ ଦୁନିୟାଁ ଆଇନା-ଏ-ଅଲଫାଜ୍ ମୈଁ ଚୁପ୍”। ‘ତୁମେ ନିଜର ଶବ୍ଦରେ ମଗ୍ନ ମୁଁ ମୋ ଶବ୍ଦ ନେଇ ଚୁପ୍, ଦୁହିଙ୍କ ମଝିରେ ଶବ୍ଦ-ଦର୍ପଣରେ ଦୁନିଆକୁ ଦେଖ ଚୁପ୍’। ତା’ହେଲେ ଚୁପ୍ ରହିଯିବା ଗୋଟେ ନକଲି ସୁନା ପରି ନୁହେଁ କି?
ମୋ: ୯୩୩୭୬୪୮୬୩୮
ସରସ ରସ: ନିରବତା ନକଲି ସୁନା
ସୁଭାଷ ପଟ୍ଟନାୟକ
/sambad/media/post_attachments/wp-content/uploads/2023/11/dagdagagdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)