‘ପରିବାରରେ ସବୁ କୁଶଳ ତ?’ ପ୍ରଶ୍ନଟି ଯଦି କେହି ପଚାରନ୍ତି, ମୋ ଦେହରେ ପରିଚୟର ଛାପାଟିଏ ଲାଗିଗଲା, ମୁଁ ଜଣେ ଗୃହସ୍ଥ। ପତ୍ନୀ କେମିତି ଅଛନ୍ତି? ଏ ପ୍ରଶ୍ନଟି ପଚାରିଲେ ମୋ ଦେହରେ ଆଉ ଗୋଟିଏ ଛାପା, ମୁଁ କାହାର ପତି। ପୁଅ ଏବେ କେଉଁଠି? ଏ ପ୍ରଶ୍ନ ସହିତ ମୋ ଦେହରେ ଲାଗିଗଲା ଆଉ ଗୋଟିଏ ଚିହ୍ନଟ ଟିକିଲି, ମୁଁ କାହାର ପିତା। ଏହିପରି ଅନେକ ପରିଚୟର ଛାପା ଆମ ଦେହରେ। ମନୁଷ୍ୟ ଗୋଟିଏ ଟିକିଲିର ପିଞ୍ଜରା ମଧ୍ୟରେ ସର୍ବଦା ଆବଦ୍ଧ ହୋଇ ରହିଥାଏ। କେବଳ ମନୁଷ୍ୟ ନୁହେଁ, ପ୍ରତ୍ୟେକ ବସ୍ତୁ କ୍ଷେତ୍ରରେ ଏ କଥାଟି ପ୍ରଯୁଜ୍ୟ। ରାସ୍ତା ଉପରେ ‘ବାରୁଦ’ ଲେଖାଥିବା ଟିକିଲି ଲଗାଇ ଅଳଙ୍କାର ଭର୍ତ୍ତି ବାକ୍ସ ଗୋଟିଏ ପକାଇ ଦିଅନ୍ତୁ, ଲୋକେ ତାକୁ ବୋମା ଭାବି ନେଇ ତା ପାଖ ମାଡ଼ିବେନି। କାରଣ ବାକ୍ସଟିର ଭିତରେ ଥିବା ପଦାର୍ଥ ବଦଳରେ ତା ଦେହରେ ଲାଗିଥିବା ଟିକିଲି ଦ୍ବାରା ବାକ୍ସଟି ପରିଚିତ ହୋଇଗଲା। ଚିହ୍ନଟର ଟିକିଲିଟିଏ ଦେହରେ ଲାଗିଗଲେ ପରିଚୟର ଆଉ ବିସ୍ତୃତ ବ୍ୟାଖ୍ୟା ନକରି ଆମେ ସେ ଟିକିଲି ପାଖରେ ଅଟକି ରହୁ। ଏ ବିଷୟରେ ଡେନମାର୍କର ଦାର୍ଶନିକ କିର୍କେଗାର୍ଡ ତାଙ୍କ ଦ୍ବାରା ପ୍ରଣୀତ ‘ସିଗଡୋମେନ୍ ଟିଲ୍ ଡାଇଡେନ୍’ (ମୃତ୍ୟୁ ପର୍ଯ୍ୟନ୍ତ ଅସୁସ୍ଥତା) ପୁସ୍ତକରେ ଲେଖିଛନ୍ତି, “ଯଦି ଆପଣ ମୋ ଦେହରେ ଚିହ୍ନଟ ପଟିଟିଏ ଲଗାଇଦେଲେ, ତେବେ ସେ ପରିଚୟର ବାହାରେ ରହିଯାଇଥିବା ମୋର ଅନ୍ୟ ସମସ୍ତ ପରିଚୟକୁ ଆପଣ ଅସ୍ବୀକାର କଲେ ବା ଆପଣଙ୍କ ପ୍ରଦତ୍ତ ପରିଚୟର ବାହାରେ ମୁଁ ଆଉ ଯାହା ହୋଇ ପାରିଥାନ୍ତି ସେ ସୁଯୋଗ ମୋ ପାଇଁ ବନ୍ଦ କରିଦେଲେ।’’

Advertisment

ନାଆଁଟିଏ ପିତାମାତା ଦିଅନ୍ତି ଅନ୍ୟଠାରୁ ଅଲଗା କରି ଚିହ୍ନାଇବା ପାଇଁ। ମାତ୍ର ସମୟ କ୍ରମେ ମନୁଷ୍ୟ କେବଳ ତା ନାଆଁ ମାଧ୍ୟମରେ ପରିଚିତ ନହୋଇ ନିଜ ଦେହରେ ଅନ୍ୟମାନେ ଲଗାଇଥିବା ମୋହର ଦ୍ବାରା ପରିଚିତ ହୋଇଥାଏ। ଥରେ ଗୋଟିଏ ଚିହ୍ନଟର ପଟି ଦେହରେ ଲାଗିଗଲେ ତା’ର ଅନ୍ୟ ସମସ୍ତ ବ୍ୟକ୍ତିତ୍ତ୍ବ ପଟି ଲଗାଇଥିବା ବ୍ୟକ୍ତି ଦ୍ବାରା ପ୍ରତ୍ୟାଖ୍ୟାତ ହୁଏ। ମନେ କରନ୍ତୁ ଜଣେ ଦାଦାଗିରି କରି ବଟି ଆଦାୟ କରୁଛି। ଆମେ ତାକୁ ଗୁଣ୍ଡା ବା ଦାଦାର ପରିଚୟଟିଏ ପିନ୍ଧାଇ ଦେଲେ। କିନ୍ତୁ ସେଇ ବଟି ଅର୍ଥରେ ଲୋକଟି ଗୋଟିଏ ଅନାଥାଶ୍ରମ ଚଳାଉଛି, ଏ ପରିଚୟଟିକୁ ତା’ର ଆମେ ଅସ୍ବୀକାର କଲେ। ଆମ ପାଖରେ ତା ପରିଚୟ କେବଳ ‘ଗୁଣ୍ଡା’ ଓ ଅନାଥ ପିଲାଙ୍କ ପାଇଁ ସେ ଭଗବାନ। ଆପଣ ବନ୍ଧୁଙ୍କୁ କିଛି ଟଙ୍କା ଧାର ମାଗି ନିରାଶ ହେଲେ। ବନ୍ଧୁଙ୍କ ଦେହରେ ଟିକିଲି ଲଗାଇଦେଲେ ‘ସେ ସ୍ବାର୍ଥପର’। ଏପରି ଅନେକ ଉଦାହରଣ। ଅତଏବ ନାଆଁର ଟିକିଲିଟିଏ କାହାରି ଠାରେ ଲଗାଇଦେବା ଅର୍ଥ ବ୍ୟକ୍ତିଟି ସଂପର୍କରେ ଆଗକୁ ଆଉ କିଛି ନଭାବି ମସ୍ତିଷ୍କରେ ତାଲା ପକାଇ ଦେବା ଓ ସେ ବ୍ୟକ୍ତିକୁ କେତୋଟି ମରାଯାଇଥିବା ଛାପା ମଧ୍ୟରେ ସୀମିତ ରଖିଦେବା।

ପ୍ରକୃତରେ, ପରିଚୟର ଛାପାଟିଏ ଲଗାଇଦେବା ଅର୍ଥ ଆମେ ସେ ଲୋକଟିକୁ ବ୍ୟକ୍ତିରୁ ବସ୍ତୁରେ ପରିଣତ କରିଦେଲେ। ଝିଅଟିଏ ଦେଖି ତାକୁ ‘ସୁନ୍ଦରୀ’ କହିବା ଅର୍ଥ ଆମେ ତାକୁ ଗୋଟିଏ ସୁନ୍ଦର ବସ୍ତୁର ରୂପରେ ଦେଖିଲେ। ସିଏ କ’ଣ କରେ, କ’ଣ ଚାହେଁ, ସିଏ ଉଚ୍ଚ ଶିକ୍ଷିତା, ଉଚ୍ଚ ପଦସ୍ଥା ଇତ୍ୟାଦି ତା’ର ଅନ୍ୟ ସମସ୍ତ ପରିଚୟ ଆମପାଇଁ ଊହ୍ୟ ରହିଗଲା। ଏକଥା ସତ ଯେ ପରିଚୟର ଛାପାଟିଏ ବିନା ଜୀବନଯାତ୍ରା କଷ୍ଟକର, ମାତ୍ର ତାହା କରିବା ଦ୍ବାରା ଯଦି ବ୍ୟକ୍ତି ସତ୍ତାଟି ବସ୍ତୁ ସତ୍ତାରେ ରୂପାନ୍ତରିତ ହୁଏ, ବ୍ୟକ୍ତିଟି ପାଇଁ ତାହା ଅଧିକ କ୍ଳେଶଦାୟକ। ଗପଟିଏ ଶୁଣନ୍ତୁ: ଶ୍ରେଣୀ ଗୃହରେ ଜଣେ ଛାତ୍ରର ପିଠିରେ ତା ଅଲକ୍ଷ୍ୟରେ ବନ୍ଧୁମାନେ “ମୁଁ ଗୋଟିଏ ଓଲୁ” ଲେଖାଥିବା କାଗଜ ଖଣ୍ଡିଏ ଛପେଇ ଦେଲେ। ଶିକ୍ଷକ ଆସି କଳାପଟାରେ ଗୋଟିଏ ଗଣିତ ଲେଖି କିଏ ସମାଧାନ କରିପାରିବ ପଚାରିଲେ। ସେ ପିଲାଟି ଛଡ଼ା ଆଉ କାହାରି ହାତ ଉପରକୁ ଉଠିଲାନି। ପିଲାଟି କଳାପଟାରେ ଉତ୍ତରଟି କରିସାରିବା ପରେ ଶିକ୍ଷକ ପିଠିରୁ ତା’ର କାଗଜ ଖଣ୍ଡଟି କାଢ଼ି କହିଲେ, ‘ତୁମ ପିଠିରେ ଏ କାଗଜ ଲାଗିଥିବା ଜାଣିଥିଲେ ଲଜ୍ଜାବଶତଃ ତୁମେ ହାତ ଉଠାଇ ନଥାନ୍ତ କି ଏଠାକୁ ଆସି ଉତ୍ତର ଲେଖି ନଥାନ୍ତ, ଫଳତଃ ଶ୍ରେଣୀରେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିପାରି ନଥାନ୍ତ। ଜୀବନରେ ଲୋକମାନେ ତୁମ ଦେହରେ ଅନେକ ଛାପା ମାରିବେ। ସେ ସବୁକୁ ଅଣଦେଖା କଲେ ଯାଇ ଜଣେ ଆଗକୁ ବଢିପାରିବ।’ ଦେହରୁ ପରିଚୟର ଟିକିଲି ସବୁ ହଟିଗଲେ ବ୍ୟକ୍ତି ତା’ର ଏକାନ୍ତ ନିଜର ହୋଇଗଲା। ପରିଚୟର ପାରା ଭାଡ଼ିରୁ ବାହାରି ସେ ଜଣେ ଲେଖକ, ବୈଜ୍ଞାନିକ ବା ଅନ୍ୟ କିଛି ହୋଇ ପାରିଲା, ଯାହାର ମୂଲ୍ୟବୋଧ ଏତେ ବ୍ୟାପକ ଯେ ପରିଚୟର ଟିକିଲି ସେଠାରେ ଅନାବଶ୍ୟକ। ଆମେ ଯେ ପର୍ଯ୍ୟନ୍ତ ଅନ୍ୟକୁ ତା’ର ସାମଗ୍ରିକ ଅସ୍ତିତ୍ତ୍ବର ଆଧାରରେ ନ ଚିହ୍ନିଛେ, ସେ ପର୍ଯ୍ୟନ୍ତ ଅନ୍ୟର ଦେହରେ ଛାପା ମାରି ତାକୁ ସଂକୀର୍ଣ୍ଣ କରିଦେବାର ଅଭ୍ୟାସରେ ଆମର ପରିବର୍ତ୍ତନ ହେବନାହିଁ।

ବହୁ ବର୍ଷ ପୂର୍ବେ କବି ଗୁଲଜାର ଗୀତଟିଏ ଲେଖିଥିଲେ। ତା’ର ଭାବାର୍ଥ ହେଉଛି, ସଂପର୍କକୁ ଗୋଟିଏ ପରିଚୟର ଛାପା ମାରିଦେଲେ ତାହା ବନ୍ଧନ ମଧ୍ୟରେ ରହି ଅସ୍ପଷ୍ଟ ହୋଇଯାଏ। ପରିଚୟକୁ ବେଦାଗ ଓ ପବିତ୍ର ରଖିବାକୁ ହେଲେ ତା’କୁ ଗୋଟିଏ ନାଆଁର ଟିକିଲି ନପିନ୍ଧାଇ କେବଳ ହୃଦୟରେ ଅନୁଭବ କର। “ସିର୍ଫ ଏହସାସ୍ ହୈ ୟେ ରୁହ୍ ସେ ମହସୁସ୍ କରୋ/ ପ୍ୟାର କୋ ପ୍ୟାର ହି ରହନେ ଦୋ, କୋଇ ନାମ୍ ନଦୋ... ।” ଖାଲି ଭଲପାଇବା କ୍ଷେତ୍ରରେ ନୁହେଁ, ଜୀବନର ପ୍ରତି କ୍ଷଣରେ ଏହା ଆବଶ୍ୟକ। ତାହେଲେ ମୋର ସେଇ ଅନିର୍ବଚନୀୟ, ପ୍ରଭାବଶାଳୀ, ପ୍ରଭାବୋତ୍ପାଦକ, ଗଭୀର, ଗୂଢ଼ ଓ ଏକକ ପରିଚୟଟି କ’ଣ କହିପାରିବେ? ଯଦି ଜାଣିନାହାନ୍ତି, ମୋ ଦେହରେ ଛାପାଟିଏ ଲଗାଇ ମତେ ଅନ୍ୟ ଏକ ପରିଚୟ ଦିଅନ୍ତୁ ନାହିଁ।
ମୋ: ୯୩୩୭୬୪୮୬୩୮