ସରସ ରସ: ଛାଇକୁ ଡରିବା ମନା

ସୁଭାଷ ପଟ୍ଟନାୟକ

ଛାଇର ଉପସ୍ଥିତି ସବୁଠାରେ। ଯେଉଁଠି ଆଲୋକ ସେଇଠି ଛାଇ। ସୂର୍ଯ୍ୟ ତାପରେ ଦଗ୍‌ଧ ଶରୀର ଛାଇ ଟିକିଏ ପାଇଁ ବିକଳ ହୁଏ। ପିତାମାତାଙ୍କ ବାହୁ ଛାୟାରେ ଶିଶୁଟି ବଡ଼ ହୁଏ। ଦୁର୍ବଳର ଛାଇ ହେଉଛି ସବଳର ହସ୍ତ। ଛାଇକୁ ଖୋଜୁଥିବା ବ୍ୟକ୍ତି କିନ୍ତୁ ଛାଇ ଭିତରେ ରହିଲେ ଉଧେଇ ପାରେନି। ଦିନେ ଛାଇକୁ ଦେଖି ଡରେ। ସେ ଦିନ ପିଲାଟି ତା ନିଜ ଛାଇକୁ ଡରି ରାସ୍ତାରେ ଦୌଡୁଥିଲା। ଆଗରେ ତାର ଛାଇ ଦୌଡୁଛି, ପଛରେ ପିଲା। ପରୀଟିଏ ତାକୁ ଅଟକାଇ ଭୟର କାରଣ ପଚାରିଲା। ପିଲାଟି ଉତ୍ତର ଦେଲା, ଯେଉଁଆଡ଼େ ଚାହୁଁଛି କେବଳ କଳା ଛାଇଟେ ଦେଖୁଛି। ମୁଁ ଠିଆ ହେଲେ ସେ ଠିଆ ହେଉଛି। ମୁଁ ଦୌଡ଼ିଲେ ସେ ଦୌଡୁଛି। ପକ୍ଷୀର କୂଜନ, ଫୁଲର ପସରା, ସବୁଜ ବନାନୀ, କିଛି ମୋ ଆଖିରେ ପଡୁନି। ହସି ଦେଇ ପରୀ ମା’ ପିଲାଟିର ମୁହଁ ସୂର୍ଯ୍ୟ ଆଡକୁ ବୁଲାଇ ଦେଲା। ଏବେ ସେ ଖୋଜୁଥିବା ସବୁ କିଛି ତା ଆଖି ସାମନାରେ। ଖୁସି ହୋଇ ପିଲାଟି ପଚାରିଲା, ଛାଇ ଗଲା କୁଆଡ଼େ? ପରୀ ମା’ କହିଲା, ‘ବାବୁରେ! ଛାଇ କୁଆଡ଼େ ଯାଇନି। ଛାଇକୁ ତୁ ପିଛା କରୁଥିଲୁ, ଏବେ ସେ ତୋ ପଛରେ ରହି ତତେ ପିଛା କରୁଛି। ତୁ ଆଲୁଅରେ ଥିବା ପର୍ଯ୍ୟନ୍ତ ଛାଇ ତୋ ସାଙ୍ଗରେ ରହିବ। ତାକୁ ଦେଖି ଡରିବୁନି।’

ଶରୀରର ଛାଇ ପରି ମନ ଭିତରେ ମଧ୍ୟ ଛାଇଟିଏ ଅଛି। ଏ ଛାଇର ଆବିଷ୍କାରକ ହେଉଛନ୍ତି କାର୍ଲ ୟୁଙ୍ଗ୍। ମନୁଷ୍ୟର ଜନ୍ମ ପରେ ବୁଦ୍ଧିର ବିକାଶ ହେବା ସହିତ ସେ ଭଲ ଓ ମନ୍ଦର ଫରକ ଜାଣିବା ଶିଖେ। ଭଲ ଗୁଣ ସବୁ ସମାଜ ଦ୍ବାରା ଗ୍ରହଣୀୟ ହେଉଥିବା ଦେଖି ମନ୍ଦ ସ୍ବଭାବଗୁଡ଼ିକୁ ମନର ଅନ୍ଧାରୀ ଇଲାକାରେ ଲୁଚାଇ ରଖେ। କ୍ରମଶଃ ତାହା ପାଲଟିଯାଏ ଆମ ଭାବାବେଗର ଲୁକ୍କାୟିତ ପ୍ରତିରୂପ, ଆମ ଚରିତ୍ରର କଳା ଛାଇ। ଆମର ବୈକଳ୍ପିକ ଅହଂ। ଏହାରି ଭିତରେ ଲୁଚି ରହେ ଆମର ରୋଷ, ଅହଂକାର, ସ୍ବାର୍ଥ, ବିତୃଷ୍ଣା, ଘୃଣା, ଲାଳସା, ଲୋଭ ଓ ଯୌନତା ଆଦି ପ୍ରକାଶ୍ୟରେ ଅଗ୍ରହଣୀୟ ମନ୍ଦ ସ୍ବଭାବ। ଆଲୋକରେ ଶରୀରର ଛାଇ ପରି ବିବେକର ରଶ୍ମିରେ ଆମର ଏ ଅନ୍ଧକାର ପାର୍ଶ୍ବଟିର ସୃଷ୍ଟି। ବିବେକ ଆମର ଯେଉଁ ଚରିତ୍ରକୁ ଗ୍ରହଣ କରେନା ଆମ ବୈକଳ୍ପିକ ଚେତନା ସେ ସବୁ ପ୍ରବୃତ୍ତିକୁ ଫିଙ୍ଗି ନ ଦେଇ ସାଇତି ରଖେ। କେବଳ ସାଧାରଣ ଲୋକ ନୁହନ୍ତି, ପ୍ରକାଶ୍ୟରେ ସମ୍ଭ୍ରାନ୍ତ ଓ ପ୍ରତିଷ୍ଠିତ ମନେ ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏ ଛାଇ ଆହୁରି ଭୟଙ୍କର। ନିଭୃତରେ ଆମେ ଛାଇ ହାତରେ କଣ୍ଢେଇ ପାଲଟି ଥାଉ। ନିକଟ ଅତୀତରେ ଖବର ଆସିଥିଲା ଜଣେ ମହିଳା ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଅନୈତିକ ଯୌନାଚାରରେ ଫସାଇ ଆର୍ଥିକ ଶୋଷଣ କରିଛନ୍ତି। ସଭ୍ୟ ସମାଜର ଉଚ୍ଚ ବର୍ଗର ଏତେ ଲୋକ ଫସିଲେ କେମିତି? ନିଭୃତରେ ଥିବା ତାଙ୍କ ଅବଦମିତ ପରିତ୍ୟକ୍ତ ଛାୟା ପୁରୁଷଟି ସୁଯୋଗ ଦେଖି ପ୍ରକଟିତ ହୋଇଗଲା। ନିଜର ସେ ଗୋପନୀୟ କଳା ଛାଇକୁ ଦେଖି ସମାଜ କାଳେ ଚିହ୍ନି ନେବ, ସେ ଆଶଙ୍କାରୁ ବର୍ତ୍ତିବାକୁ ସେମାନେ ଅର୍ଥ ଖର୍ଚ୍ଚ କରି ଚାଲିଲେ। ସ୍ପଷ୍ଟତାର ଆଲୋକ ଆଡ଼କୁ ମନୁଷ୍ୟ ଯେତେ ଅଗ୍ରସର ହେଉଥାଏ, ପଛ ପଟେ ଥାଇ ଆମର ଏ ଛାୟା ପୁରୁଷଟି ସେତିକି କାୟା ବିସ୍ତାର କରି ପିଛା କରେ।

ଏ ଛାଇ ଠାରୁ ବର୍ତ୍ତି ପାରିବା ବଡ଼ କଷ୍ଟ। ମନର ଛାୟା ପୁରୁଷ ସଂପର୍କରେ ୟୁଙ୍ଗ୍‌ଙ୍କ ବହୁ ପୂର୍ବରୁ ସୂଚନା ଦେଇଥିଲେ ଆର୍. ଏଲ୍. ଷ୍ଟିଭେନସନ୍ ତାଙ୍କ ଉପନ୍ୟାସିକା ‘ଷ୍ଟ୍ରେଞ୍ଜ୍ ଷ୍ଟୋରି ଅଫ୍ ଡକ୍ଟର ଜେକିଲ୍ ଏଣ୍ଡ୍ ମିଷ୍ଟର ହାଇଡ୍‌’ରେ। ଜେକିଲ୍ ଓ ହାଇଡ୍‌ ଗୋଟିଏ ବ୍ୟକ୍ତିର ଦୁଇଟି ସତ୍ତା। ଜେକିଲ୍ ଭଦ୍ର ଓ ତା’ର ଛାୟା ପୁରୁଷ ହାଇଡ୍ ହେଉଛି ନଷ୍ଟ ଚରିତ୍ର। ଜେକିଲ୍ ଉପରେ ପ୍ରଭାବ ବିସ୍ତାର ପାଇଁ ସେ ସଦା ଚେଷ୍ଟିତ। ମନୁଷ୍ୟ ଗୋଟିଏ ନୁହେଁ, ପ୍ରକୃତରେ ଦୁଇଟି। ଗୋଟିଏ ସଚେତନ ସତ୍ତା ଓ ଅନ୍ୟଟି ତା’ର ଛାୟା ସତ୍ତା। ମନ ଉପରେ ଆଧିପତ୍ୟ ପାଇଁ ଉଭୟଙ୍କ ମଧ୍ୟରେ ଚାଲିଛି ସଂଘର୍ଷ।

ଛାଇକୁ ଡରିବା ଅନୁଚିତ। ତାକୁ ତ ଯେତେ ଦୂରରେ ରଖିଲେ ମଧ୍ୟ ପାଖକୁ ଲମ୍ବି ଆସୁଥିବ। ନିଜକୁ ସଂପୂର୍ଣ୍ଣ ମଣିଷରେ ପରିଣତ କରିବାକୁ ହେଲେ ଛାୟା ପୁରୁଷକୁ ହତାଦର ନ କରି ତାକୁ ମନାଇ ନିଜ ବଶରେ ରଖିବାକୁ ହେବ। ଜୀବନର ବୈଷମ୍ୟରୁ ହିଁ ସବୁ ଅନୁଭୂତି ଆସିଥାଏ। ବିପରୀତ ସ୍ବଭାବଟି ନ ଥିଲେ କୌଣସି ପଦାର୍ଥର ଅସ୍ତିତ୍ବ ଅସମ୍ଭବ। ଆମେ ଯଦି କେବଳ ସତ୍ୟ, ନ୍ୟାୟ ଆଦି ଭଲ ଗୁଣକୁ ନେଇ ଜିଇବାକୁ ଚାହିଁବା, ତା’ର ଅପର ପାର୍ଶ୍ବର ଛାଇଟି ଆମକୁ ଏକ ଦୁର୍ବଳ ମୁହୂର୍ତ୍ତରେ କବଳିତ କରି ନେବ। ଏ ଛାଇ ସମସ୍ତଙ୍କୁ ପିଛା କରୁଛି। ଯଦି କିଏ କହେ ତା’ର ମନରେ ଏ ଛାଇଟି ନାହିଁ, ତେବେ ସେ ଆଲୋକ ମଧ୍ୟରେ ନୁହେଁ, କେବଳ ଅନ୍ଧାର ଭିତରେ ବାଟ ଚାଲୁଛି। ଆଲୋକର ପ୍ରାବଲ୍ୟ ହିଁ ଛାଇକୁ ଗଭୀର କରେ। ଚରିତ୍ରବାନ, ମୁନି ଋଷି, ପୁଣ୍ୟାତ୍ମା କେହି ମଧ୍ୟ ଏ ଛାଇର ପ୍ରଭାବରୁ ମୁକ୍ତ ନୁହନ୍ତି। ଯେଉଁ ବ୍ୟକ୍ତି ଯେତେ ପ୍ରବୁଦ୍ଧ ଓ ଉଜ୍ଜ୍ୱଳ ଚରିତ୍ରର, ତା’ ଛାୟା ପୁରୁଷଟି ସେତେ କଦାକାର। କେହି ଆପଣଙ୍କୁ ନିନ୍ଦା କଲା ବେଳେ ଜାଣି ରଖନ୍ତୁ ସେ ତା’ର ଛାୟା ପୁରୁଷକୁ ଆପଣଙ୍କ ଠାରୁ ଲୁଚାଇବାର କେବଳ ପ୍ରଯତ୍ନ କରୁଛି।

ଆଲେଖଟିରେ ଶେଷ ସ୍ପର୍ଶ ଦେବା ବେଳେ ମନେ ପଡ଼େ କବି ଦୀପକ ମିଶ୍ରଙ୍କ ଧାଡ଼ିଏ କବିତା: ‘ତୁମେ ଆଉ କ’ଣ କି, ଯାହାର ହୃଦୟ ହେଉଛି ଅନାବୃତ ଈର୍ଷା/ ଯାହାର ମନ ହେଉଛି ଅକୁଣ୍ଠିତ ଶତ୍ରୁତା/ ଆଉ ଅଧିକ ତୁମେ କ’ଣ କି? ମୃତ୍ୟୁର ନୀଳ ନୀଳ ଖରାରେ ଅନୁପମ, ରୁଗ୍‌ଣ, ନିଶ୍ଚୁପ ଛାଇଟିଏ ତ!’
ଛାଇକୁ ଡରନ୍ତୁନି, ମନାନ୍ତୁ। ଛାଇର ତାତ୍ପର୍ଯ୍ୟ ହେଉଛି ଆଲୋକ ଠାରୁ ଆପଣ ଦୂରରେ ନାହାନ୍ତି।
ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର