ଅନେକ ଦିନ ପରେ ନିଜ ଘର ସଂସାରରୁ ସମୟ କାଢ଼ି ବୁଲିବାକୁ ଆସିଥିବା ନାତୁଣୀ ମୋର ଆଜି ତା’ ପିଲାଦିନର ଖେଳନା କଣ୍ଢେଇ ସବୁ କାଢ଼ି ଦେଖୁଥିଲା। ପାଖରେ ପଡ଼ିଥିଲା ନିଦା ଫାଜଲିଙ୍କ ବହିଟିଏ। ଉଦାସୀ କଣ୍ଠରେ କହିଲା: ଜେଜେ ଦେଖ ତ, ଫାଜଲି ଠିକ୍ ଲେଖିଛନ୍ତି ନା?
‘କଠ୍ ପୁତ୍ଲୀ ହୈ ୟା ଜୀବନ ହୈ, ଜିତେ ଯାଓ; ଶୋଚୋ ମତ୍, ଶୋଚ୍ ମୈ ହି ସାରି ଉଲ୍ଝନ ହୈ, ଜିତେ ଯାଓ ଶୋଚୋ ମତ୍।’
‘ଜୀବନ ତୁମର କାଠ ପିତୁଳାଟିଏ ହେଉ ପଛେ, ଅନୁଶୋଚନା ନ କରି ଜିଇ ଚାଲ। ଭାବି ବସିଲେ କେବଳ ବିଭ୍ରାନ୍ତି ମିଳିବ।’
‘ନାରୀର ଜୀବନଟା ଏ କଣ୍ଢେଇ ପରି ନୁହେଁ କି? କହିଲା ନାତୁଣୀ। ଜନ୍ମ ଠାରୁ ସେ କଣ୍ଢେଇ ପରି ନାଚିବା ଆରମ୍ଭ କରେ ଯେ, ମୃତ୍ୟୁରେ ଯାଇ ସେ ନାଚ ଶେଷ ହୁଏ। ତା’ ଶରୀର ତା’ର ନିଜର ନୁହେଁ କି ତା’ ମନ ତା’ ନିଜର ନୁହେଁ। ଭୂମି ଉପରେ ପାଦ ନ ଥିବା କଣ୍ଢେଇଟିଏ ହେଉଛି ନାରୀ। ଫରକ ଏତିକି, କାଠ କଣ୍ଢେଇର ଜୀବନ ନାହିଁ କି ମନ ନାହିଁ; କିନ୍ତୁ ନାରୀର ଜୀବନ ଥାଇ ସେ ନିର୍ଜୀବ ଓ ମନ ତା’ର ମନ ଭିତରେ ହିଁ ତାହା ବନ୍ଦୀ।’
‘ଠିକ ଯେ ଝିଅ!’- ଉତ୍ତର ଦେଲି ମୁଁ। ‘ଫାଜଲିଙ୍କ କଥାରେ ମୁଁ ଏକମତ ହୋଇ ପାରୁନି। ସମସ୍ତେ ତ ଗୁଡ଼ିଏ ରଜ୍ଜୁରେ ବନ୍ଧା ଜୀବନ ଜିଅନ୍ତି। ତାହା ହେଉଛି ଆମର ପ୍ରକୃତ ସତ୍ତା ଓ ଶାରୀରିକ ସତ୍ତା ମଧ୍ୟରେ ଥିବା ବନ୍ଧନ। ପ୍ରକୃତ ସତ୍ତା ମଧ୍ୟରେ ଅବସ୍ଥିତ ବିବେକ ଆମକୁ ନିର୍ଦ୍ଦେଶ ଦେଇ ଚାଲେ। ମନୁଷ୍ୟ ତା’ର ଆବେଗ ଦ୍ବାରା ନିୟନ୍ତ୍ରିତ ଓ ଆବେଗ ମନ ଦ୍ବାରା। ମନ ନିୟନ୍ତ୍ରିତ ହୁଏ ବିବେକ ଦ୍ବାରା। ଏସବୁ ଛନ୍ଦା ସୂତାରେ ଝୁଲୁଥାଏ ମନୁଷ୍ୟ। କିନ୍ତୁ ନାରୀର ବିବେକ ଓ ମନର ରଜ୍ଜୁ ତା’ ନିଜ ହାତରେ ନ ଥାଏ। ଏଥିପାଇଁ ସେ ପାଲଟି ଯାଏ ଅନ୍ୟ ହାତର କଣ୍ଢେଇ। ତା’ ପରିବାର, ସମାଜ, ପରମ୍ପରା ଓ ସଂସ୍କୃତି ଦ୍ବାରା ସେ ପରିଚାଳିତ ହୁଏ। ପୁରୁଷ ଦ୍ବାରା ନିରୂପିତ ଇଏ ତା’ର ତଥାକଥିତ ‘ନାରୀ ଧର୍ମ’। ଏ ସବୁ ବନ୍ଧନକୁ ସେ ଯେତେ ମାନି ନେବ, ସମାଜ ତାକୁ ସେତେ ନଚାଉ ଥିବ।’
‘ତା’ ହେଲେ କ’ଣ ନାରୀର ମୁକ୍ତ ଇଚ୍ଛା ବୋଲି କିଛି ନାହିଁ?’ ପଚାରିଲା ନାତୁଣୀ।
‘ନାରୀଟି ଯେ ପର୍ଯ୍ୟନ୍ତ ନିଜର ସ୍ବାତନ୍ତ୍ର୍ୟକୁ ଧରି ରଖିପାରିବ ସେ କାହାରି କଣ୍ଢେଇ ହେବ ନାହିଁ। ପୁରୁଷ ପ୍ରଧାନ ସମାଜରେ ନାରୀକୁ କଣ୍ଢେଇଟିଏ କରି ନଚାଇବା ପାଇଁ ପ୍ରତ୍ୟହ ନୂଆ ନୂଆ ରଜ୍ଜୁର ଉଦ୍ଭାବନ ହେଉଛି। ତା’ର ଅସ୍ତିତ୍ବ କେବେ ବି ତା’ ନିୟନ୍ତ୍ରଣରେ ନ ଥିଲା କି ଆଜି ବି ନାହିଁ। ଅସ୍ତିତ୍ବ ତା’ର ଝୁଲି ରହିଛି ନଚାଳିମାନଙ୍କର ଅଙ୍ଗୁଳିର ସୂତାରେ। ତା’ର ନିଜସ୍ବ ଭାବନା, ମନ, ମୁହଁର କଥା, ଇଚ୍ଛା, ଅନିଚ୍ଛା ସବୁ କିଛି ବନ୍ଧା ପଡ଼ିଛି ସଂସ୍କୃତି, ପରିବାର, ସମାଜ, ଧର୍ମ ଓ ପରମ୍ପରା ନିକଟରେ।’
ଆହୁରି ଉଦାସ ହୋଇଗଲା ନାତୁଣୀର ମୁହଁ। ‘ତା’ ହେଲେ କ’ଣ ଫାଜଲିଙ୍କ କଥା ଠିକ୍? ପାଦ ଭୂମି ଉପରେ ଲାଗୁ ନ ଥିବା କଣ୍ଢେଇ ପରି ନାରୀ କ’ଣ ଏକ ଭାସମାନ ଶରୀର ହୋଇ ନଚାଳିର ନିର୍ଦ୍ଦେଶକୁ ଅପେକ୍ଷା କରି ଚାଲିଥିବ? ’
‘ନା, କେବେ ନୁହେଁ।’ ଉତ୍ତର ଦେଲି ମୁଁ। ‘ମନେରଖ, ମୁକ୍ତ ଇଚ୍ଛା ତୋର ଯେତେ ମରିମରି ଯିବ, ମୁକ୍ତିର ମାର୍ଗ ସେତେ ଫିଟିଫିଟି ଯିବ। ପୁରୁଷ ଦ୍ବାରା ନିୟନ୍ତ୍ରିତ ଆମ ସମାଜ ଆଜି ନୁହେଁ, କେଉଁ ପୁରା କାଳରୁ ନାରୀକୁ ନିମ୍ନ ଦୃଷ୍ଟିରେ ଦେଖି ଆସିଛି। ଅନେକ ନାରୀ ପୁରୁଷର ଇସାରାରେ ନାଚିନାଚି ନିଃଶେଷ ହୋଇଯାଇଛନ୍ତି ଓ ଆଉ କିଛି ସେ ରଜ୍ଜୁ ଛିଣ୍ଡାଇ ଦେଇ ମୁକ୍ତ ହୋଇଛନ୍ତି। ମନ୍ଦୋଦରୀ ନିଜ ଇଚ୍ଛାରେ ବିଭୀଷଣଙ୍କୁ କିମ୍ବା ତାରା ନିଜ ଇଚ୍ଛାରେ ସୁଗ୍ରୀବଙ୍କୁ ବିବାହ କରିଥିଲେ କି? ଏହା ପଛରେ ଥିଲା ଶକ୍ତିଶାଳୀ ପୁରୁଷର ଚାପ। ମାଧବୀଙ୍କୁ ପିତା ଯଯାତିଙ୍କ ଇସାରାରେ ଅନେକ ରାଜାଙ୍କର ଶଯ୍ୟା ସଙ୍ଗିନୀ ହେବାକୁ ପଡ଼ିଲା। ତାଙ୍କ ମନର ପୀଡ଼ା କିଏ ଶୁଣିଲା କି? ବିନା ଦୋଷରେ ଅହଲ୍ୟା ପାଷାଣୀ ପାଲଟିଲେ। ପୁରୁଷଙ୍କ ଦ୍ବାରା ଲିଖିତ କାବ୍ୟ କବିତାରେ ଏପରି ନାରୀଙ୍କୁ କେବଳ ଶୋଷଣ ପାଇଁ ଉଚ୍ଚ ଆସନରେ ବସାଇ ଦିଆଯାଇଛି। ଦେହଜୀବୀ ଦ୍ବାରର ମାଟି ତ ପବିତ୍ର, କିନ୍ତୁ ତାକୁ ଦେହଜୀବୀରେ ପରିଣତ କରିଛି କିଏ?
ମନ ଦେଇ ଶୁଣୁଥିଲା ନାତୁଣୀ।
ମୁଁ କହିଲି, ‘କଣ୍ଢେଇ ହେବାକୁ ଚାହିଁ ନ ଥିବା ନାରୀମାନଙ୍କର କଥା ଦେଖ। ସୀତା। ଗୋଟିଏ ସୀମା ପର୍ଯ୍ୟନ୍ତ ପୁରୁଷର ଇସାରାରେ ନାଚିଲେ, ତା’ପରେ ବିରୋଧ କଲେ। ସୂର୍ପଣଖା। କାହାରିକୁ ଭଲ ପାଇ ବିବାହ ପ୍ରସ୍ତାବ ଦେବା କ’ଣ ଅପରାଧ କି? ମାତ୍ର ତାଙ୍କର ନାକ କାଟି ଦେଇ କୁରୂପ କରି ଦିଆଗଲା। ସେ ଦିନର ନାରୀ ପ୍ରତି ଏ ଉତ୍ପୀଡ଼ନ ଆଜି ବି ଅଛି। କେବଳ ନାକକୁ ଛୁରୀରେ ନ କାଟି ଏସିଡ୍ ଫିଙ୍ଗା ହେଉଛି। ଦ୍ରୌପଦୀ ନିଜ ଇଚ୍ଛାରେ ପାଞ୍ଚ ଜଣ ପୁରୁଷଙ୍କୁ ବିବାହ କରି ନ ଥିଲେ। ସବୁ ନିର୍ଯାତନା ବସ୍ତ୍ର ହରଣ ପର୍ଯ୍ୟନ୍ତ ସହି ଗଲେ, ତା’ପରେ ବିଦ୍ରୋହିଣୀ ହେଲେ। ସୂର୍ପଣଖା ମଧ୍ୟ ପୁରୁଷର ଅତ୍ୟାଚାର ସହି ନ ଥିଲେ। ଖଣ୍ଡିଏ ରାଜ୍ୟ କିମ୍ବା ସୀତାଙ୍କ ପାଇଁ ମହାଭାରତ ଓ ରାମାୟଣର ମହା ଯୁଦ୍ଧ ହୋଇ ନ ଥିଲା। ଯୁଦ୍ଧର କାରଣ ଥିଲା ଦ୍ରୌପଦୀ ଓ ସୂର୍ପଣଖାଙ୍କ ପ୍ରତି ଅବିଚାର ଓ ଏ ଦୁଇ ଯୁଦ୍ଧର ମୁଖ୍ୟ ସେନାପତି ଥିଲେ ସେହି ଦୁଇ ଜଣ ନାରୀ।’
ଏଥର ଉଜ୍ଜ୍ୱଳ ଦେଖାଗଲା ନାତୁଣୀର ମୁହଁ। ସେ କହିଲା, ‘ଏ କଣ୍ଢେଇଗୁଡ଼ିକ ଏବେ ଫିଙ୍ଗି ଦେଉଛି ଜେଜେ!’
‘ନା’ ନା’, ମୋଟେ ନୁହେଁ’, ପ୍ରତିବାଦ କଲି ମୁଁ। ‘ତୁ ଫିଙ୍ଗି ଦେଲେ ଆଉ କେହି ଜଣେ ଗୋଟାଇ ନେଇ ପୁଣି ତାକୁ ନଚାଇବ। ମନେ ରଖ, ଯେ ପର୍ଯ୍ୟନ୍ତ ନିଜ ହାତ ପାଦରେ ବନ୍ଧା ରଜ୍ଜୁକୁ ତୁ ଭଲ ପାଉଥିବୁ, ସେ ପର୍ଯ୍ୟନ୍ତ ତୁ ମୁକ୍ତ। ବୁଝି ପାରିଲୁନି ନା? ତୋ ହାତ ଓ ପାଦରେ ବନ୍ଧା ସୂତା ଯେ ପର୍ଯ୍ୟନ୍ତ ତୋ ମନ ଦ୍ବାରା ନିୟନ୍ତ୍ରିତ ହେଉଥିବ, ସେ ପର୍ଯ୍ୟନ୍ତ ତୁ ସ୍ବାଧୀନ। ସେ ସୂତାର ଖିଅ କେବେ ବି ଅନ୍ୟର ହାତକୁ ଟେକି ଦେବୁନି। ଥରେ ସୂତା ଛିଣ୍ଡି ଗଲେ କାଠ କଣ୍ଢେଇଟି ଶୋଇପଡ଼େ ସିନା, ଥରେ ସୂତା ଛିଣ୍ଡାଇ ଦେଲେ ନାରୀ କଣ୍ଢେଇଟି ଚେଇଁ ଉଠେ, ଆଉ ପାଲଟି ଯାଏ ମହାକାଳୀ, ଯାହାକୁ ସାମନା କରିବାକୁ ଏ ସମାଜର ଆଉ ଜୁ’ ନ ଥାଏ।’
ନିଜ କଣ୍ଢେଇଟିକୁ ଗାଲରେ ଲଗାଇ ହସି ଦେଲା ମୋ ନାତୁଣୀ।
ମୋ: ୯୩୩୭୬୪୮୬୩୮
ସରସ ରସ; କାଠ କଣ୍ଢେଇର ମନ
ସୁଭାଷ ପଟ୍ଟନାୟକ