ଗୋଟିଏ ସ୍ବାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରଚଳିତ ଆଇନ ବ୍ୟବସ୍ଥାର ପରିଧି ମଧ୍ୟରେ ରହି ଜଣେ ନିଜର ଇଚ୍ଛା ଅନୁରୂପ ବଞ୍ଚିପାରିବ ଓ ତାହା ହିଁ ସ୍ବାଧୀନତାର ସ୍ବରୂପ। ସେ ଦୃଷ୍ଟିରୁ ଆମ ଦେଶରେ ‘ଭାଲେଣ୍ଟାଇନ୍‌ସ ଡେ’ ବା ପ୍ରେମର ଦିବସ ପାଳନକୁ ବିରୋଧ କରାଯିବା ଏକ ରୁଢ଼ିବାଦୀ ରକ୍ଷଣଶୀଳ ମାନସିକତା ନିଶ୍ଚୟ। ମାତ୍ର ପ୍ରଶ୍ନ ଉଠିଥାଏ, ଭାରତୀୟମାନଙ୍କ ଠାରୁ ପ୍ରେମର ବ୍ୟାଖ୍ୟା ଓ ତା’ର ପରିପାଳନ ବିଷୟରେ ଅଧିକ କିଏ ଜାଣନ୍ତି କି? ଏଠାରେ ଜୀବନର ଆରମ୍ଭ ପ୍ରେମରୁ, ପ୍ରେମର କୋମଳ ପାଖୁଡ଼ା ଉପରେ ପାଦ ଥାପି ଥାପି ତା’ର ଗତି ଓ ପ୍ରେମରେ ହୋଇଥାଏ ତା’ର ଅବସାନ। ତେଣୁ, ବ୍ୟାଙ୍କରେ ବାର୍ଷିକ ‘କେ.ୱାଇ.ସି.’ ଦାଖଲ କରିବା ପରି ବର୍ଷକୁ ଥରେ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ପ୍ରେମର ପ୍ରମାଣ ପତ୍ର ଦାଖଲ କରିବା ଅନାବଶ୍ୟକ। ଏପରି ଏକ ଦିବସର ପାଳନ ମାଧ୍ୟମରେ ପ୍ରେମର ଜୀବନ ପ୍ରମାଣ ପତ୍ର ଉପସ୍ଥାପନ କରିବାର ଅର୍ଥ, ପ୍ରେମ ଆମର ସନ୍ଦେହାସ୍ପଦ; ତେଣୁ ସ୍ପଷ୍ଟୀକରଣ ଦେଇ ଆମେ ତାକୁ ପୁନଃପ୍ରତିପାଦିତ କରିବାକୁ ଚାହୁଛେ।

Advertisment

ଭାଲେଣ୍ଟାଇନ୍‌ସ ଡେ’ର ଉତ୍ପତ୍ତି କିପରି ହେଲା ତାହାର କିଛି ସ୍ପଷ୍ଟ ତଥ୍ୟ ନାହିଁ। ପ୍ରାଚୀନ ରୋମ ନଗରୀରେ ପ୍ରଚଳିତ ‘ଲପରକାଲିୟା’ ଉତ୍ସବରୁ ଏହାର ଉତ୍ପତ୍ତି ହୋଇଥିବା କେହି କେହି କହୁଥିବା ବେଳେ ସନ୍ଥ ଭାଲେଣ୍ଟାଇନଙ୍କ ସହିଦ ହେବାର ସ୍ମୃତିରେ ଏ ପର୍ବ ପାଳିତ ହେଉଥିବା କଥା କୁହାଯାଏ। ସନ୍ଥ ଭାଲେଣ୍ଟାଇନ୍ ପ୍ରେମର ପ୍ରାକୃତିକ ପ୍ରବୃତ୍ତି ଏବଂ ଶାଶ୍ବତପଣକୁ ବିବାହ ପରି ଏକ ସାମାଜିକ ଅନୁଷ୍ଠାନରେ ପରିଣତ କରି ସାଂସାରିକ ରୂପ ଦେବା ପାଇଁ ଚେଷ୍ଟା କରିଥିଲେ ଓ ସେଥିପାଇଁ ତାଙ୍କୁ ଜୀବନ ଦେବାକୁ ପଡ଼ିଥିଲା। ଚତୁର୍ଦ୍ଦଶ ଶତାବ୍ଦୀର ଚସର୍‌ଙ୍କ କବିତା ‘ପାର୍ଲିଆମେଣ୍ଟ ଅଫ୍ ଫାଉଲସ୍’ରେ ଏହି ଦିବସଟିର ବର୍ଣ୍ଣନା ରହିଛି। ସେହିପରି ସେକ୍‌ସପିଅରଙ୍କ ‘ହାମଲେଟ’ ନାଟକରେ ଚରିତ୍ର ଅଫେଲିଆ କହିଛି, “ଟୁମରୋ ଇଜ୍ ସେଣ୍ଟ୍ ଭାଲେଣ୍ଟାଇନ୍‌ସ ଡେ’, ଅଲ୍ ଇନ୍ ଦ ମର୍ଣ୍ଣିଂ ବି ଟାଇମ/ ଏଣ୍ଡ ଆଇ, ଏ ମେଡ୍ ଆଟ୍ ୟୋର ୱିଣ୍ଡୋ, ଟୁ ବି ୟୋର୍ ଭାଲେଣ୍ଟାଇନ”, ଯାହାର ମର୍ମାର୍ଥ ହେଲା ‘ଆସନ୍ତା କାଲି ଭାଲେଣ୍ଟାଇନ୍‌ସ ଦିବସ ଏବଂ କାଲି ସକାଳୁ ତୁମ ଝରକା ଆଗରେ ମୁଁ ତୁମ ଭାଲେଣ୍ଟାଇନ୍‌ ରୂପେ ଦେଖା ଦେବି।’ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅଧୁନା ଏ ଦିବସ ପାଳନ ବାବଦରେ ପ୍ରଶ୍ନ ଉଠିଲାଣି। ସେଣ୍ଟ୍ ଭାଲେଣ୍ଟାଇନଙ୍କ ଉଦ୍ଦେଶ୍ୟ ଏଥିରେ ପ୍ରତିଫଳିତ ହେଉ ନାହିଁ ଏବଂ ବ୍ୟବସାୟ ବଢ଼ାଇବାର ସୁଚିନ୍ତିତ କାଇଦା ଭାବରେ ଏ ପର୍ବ ପାଳନକୁ ପ୍ରୋତ୍ସାହିତ କରାଯାଉଛି ବୋଲି କହିଲେଣି ସମସ୍ତେ। ମୂଲ୍ୟବାନ ଗହଣା, କାର୍ଡ, ଟେଡି, ଗୋଲାପ ଓ ଚକୋଲେଟ ବିକ୍ରି କରୁଥିବା କମ୍ପାନିମାନେ, ରେସ୍ତୋରାଁ ଚଳାଉଥିବା ବ୍ୟବସାୟୀ ଏବଂ ବିଜ୍ଞାପନ ନିର୍ଭର ଖବରକାଗଜମାନେ ଏ ଦିବସ ପାଳନର ଉତ୍ସାହଦାତା ବୋଲି ଚର୍ଚ୍ଚା ହେଲାଣି। ‘ନ୍ୟୁୟର୍କ ଡେଲି ଟ୍ରିବ୍ୟୁନ୍’ ପତ୍ରିକା ତା’ର ଏକ ସଂପାଦକୀୟ ଆଲେଖରେ ଏ ସଂପର୍କରେ ଲେଖିଥିଲା, “ଗୋଟିଏ ସମୟ ଥିଲା ଯେତେବେଳେ ଭାଲେଣ୍ଟାଇନ୍‌ସ ଡେ’ ପାଳନର କିଛି ନିର୍ଦ୍ଦିଷ୍ଟ ଅର୍ଥ ଥିଲା...।

ଆମେ ଏ ଆଧୁନିକ ବ୍ୟାବସାୟିକ ଫେସନକୁ ଏବେ ଘୃଣା କଲୁଣି। ଲୋକମାନେ ଏବେ ଏ ପର୍ବକୁ ପରିହାସର ଦିବସ ଛଡ଼ା ଆଉ କିଛି ଭାବୁନାହାନ୍ତି”। ଆମ ଦେଶରେ କିନ୍ତୁ ସ୍ଥିତି ଭିନ୍ନ। ପାଶ୍ଚାତ୍ୟ ଦେଶମାନଙ୍କରେ ଯାହା ଫିଙ୍ଗି ଦିଆଯାଏ, ଆମେ ତାକୁ ଗୋଟାଇ ଆଣିଥାଉ। ଏଠାରେ ଏ ଦିବସ ପାଳନର ଅନ୍ତରାଳରେ ଦେହର ଦାହ ଓ କିଛି ପ୍ରାପ୍ତିର ଇଚ୍ଛା ମୁଖ୍ୟ ଉଦ୍ଦେଶ୍ୟ ହୋଇଛି ଓ ଆମେ ମଧ୍ୟ ଏ ପର୍ବର ପୂର୍ଣ୍ଣ ବ୍ୟବସାୟୀକରଣ କରିଦେଲୁଣି। ଦାମୀ ଉପହାର, ପ୍ରୀତିପ୍ରଦ ଭୋଜନ ଓ ବିଜ୍ଞାପନ ମାଧ୍ୟମରେ ପ୍ରେମର ପ୍ରମାଣ ଦେବାକୁ ଆମେ ତତ୍ପର ହେଉଛେ। ପ୍ରେମର ପରିଭାଷା ଓ ଶିଷ୍ଟତା ଏବେ ସଂପୂର୍ଣ୍ଣ ରୂପାନ୍ତରିତ। ଆମେ ଭାବି ନେଇଛେ ଯେ ଏପରି କଲେ ହିଁ ପ୍ରେମର ପ୍ରମାଣ ଉପସ୍ଥାପିତ ହୋଇପାରିବ ଓ ସଂପର୍କ ଦୀର୍ଘାୟୁ ହେବ। କିନ୍ତୁ ପ୍ରେମ ପରି ସବୁଠାରୁ ମୌଳିକ ଓ ଆଧ୍ୟାତ୍ମିକ ଏକ ମାନବ ପ୍ରବୃତ୍ତି, ଯାହା ପ୍ରତି କ୍ଷଣରେ ଆମ ନିଶ୍ବାସ ପ୍ରଶ୍ବାସରେ ଆତଯାତ ଓ ହୃଦୟରେ ସ୍ପନ୍ଦିତ, ତା’ ପାଇଁ ବର୍ଷକରେ ଗୋଟିଏ ଦିନ ସଂରକ୍ଷିତ ହେବା କ’ଣ ନିତାନ୍ତ ଆବଶ୍ୟକ? ପ୍ରକୃତ ପ୍ରେମ ଫେସନ ଓ ଦେଖେଇ ହେବା ଠାରୁ ବହୁ ଊର୍ଦ୍ଧ୍ବରେ। ପାଇବାର କୌଣସି ଆଶା ନ ଥିବା ବେଳେ ହରାଇ ଦେବାର ଭୟ ହିଁ ପ୍ରେମର ଅନ୍ତଃସ୍ବର। ଏକ ଆବେଗ ଭରା ସଂପର୍କ ଆବଶ୍ୟକ କରେ ପରସ୍ପର ପ୍ରତି ବିଶ୍ୱାସ, ଆତ୍ମସମ୍ମାନ, ସହାନୁଭୂତି ଓ ନିଃସ୍ବାର୍ଥ ସମର୍ପଣ ଏବଂ ଜଣକର ଅପର ପ୍ରେମୀଟି ପାଇଁ ବଳିଦାନ। ପ୍ରେମର ଏକଦିବସୀୟ ଭୌତିକ ପ୍ରଦର୍ଶନ ସ୍ଥାୟୀ ପ୍ରେମର ବାସ୍ତବ ନିଦର୍ଶନ ନୁହେଁ। କବି ଗୁଲଜାର୍ ଲେଖିଥିଲେ,
“ପ୍ୟାର୍ ଇକ୍ ବହତା ଦରିୟା ହୈ,/ଝିଲ୍ ନହିଁ କି ଜିସକୋ କିନାରେ ବାଂଧକେ ବୈଠେ ରହତେ।
ସାଗର ଭି ନହିଁ କି ଜିସକୋ କିନାରା ନହିଁ ହୋତା,/ବସ୍, ଦରିୟା ହୈ, ଔର୍, ବହ ଯାତା ହୈ।”
ପ୍ରେମ ଏକ ପ୍ରବହମାନ ମହାସାଗର। ଝରଣା ନୁହେଁ ଯେ ବନ୍ଧ ବାନ୍ଧି ଅଟକାଇ ହେବ। ତଟ ବିହୀନ ସାଗର ବି ନୁହେଁ। ବାସ୍, ଇଏ ଏକ ମହାସାଗର। କେବଳ ବହି ଚାଲିଥାଏ।
‘ଉଜ୍ବଳ ନୀଳମଣି’ ଗ୍ରନ୍ଥରେ ଶ୍ରୀ ରୂପଗୋସ୍ବାମୀ ପ୍ରେମର ବ୍ୟାଖ୍ୟା କରି କହିଛନ୍ତି, ଶାଶ୍ବତ ପ୍ରେମ ହେଉଛି ଦୁଇ ପ୍ରେମୀଙ୍କ ମଧ୍ୟରେ ସ୍ନେହ ଭରା ସମ୍ବନ୍ଧ, ଯାହା ନଷ୍ଟ ହୋଇଯିବାର ସମସ୍ତ ଉପଯୁକ୍ତ କାରଣ ଥିବା ସତ୍ତ୍ୱେ ଅତୁଟ ରହିଥାଏ।
ପ୍ରେମ ହେଉଛି ଅସ୍ତିତ୍ବର ଏକ ମୁଖ୍ୟ ଉପାଦାନ, ଯାହା ମନୁଷ୍ୟ ମଧ୍ୟରେ ମୁକ୍ତ ଭାବରେ ପ୍ରବାହିତ ହେଉଥାଏ, ଯେ ପର୍ଯ୍ୟନ୍ତ ପ୍ରେମୀର ହୃଦୟରେ ମିଳିତ ହୋଇନାହିଁ। ହାତ ପାପୁଲିରେ ଢଳଢଳ ପାଣି ଟୋପାଟିଏ ପରି ପ୍ରେମର ସ୍ଥିତି; ଯେ ପର୍ଯ୍ୟନ୍ତ ଯତ୍ନର ସହିତ ହାତକୁ ଖୋଲା ରଖିବେ ପାଣି ଟୋପାଟି ସେମିତି ରହିଥିବ, ଏବଂ ପାପୁଲି ବନ୍ଦ କରି ତାକୁ ଅକ୍ତିଆର କରି ନେବାକୁ ଚେଷ୍ଟା କଲେ ଅଙ୍ଗୁଳି ଫାଙ୍କରେ ବହିଯିବ। ମୀର୍ଜା ଘାଲିବ ଲେଖିଥିଲେ
“ଇସ୍କ ପର ଜୋର ନହିଁ ହୈ ୟେ ବୋ ଆତିସ ଗାଲିବ,/କି ଲଗାୟେ ନ ଲଗେ ଔର ବୁଝାୟେ ନ ବନେ”।
ପ୍ରେମ ଏକ ନିୟନ୍ତ୍ରଣ ବିହୀନ ଅଗ୍ନିଶିଖା। ଚେଷ୍ଟା କରି ଏ ନିଆଁକୁ ହୃଦୟରେ ଲଗାଇ ହୁଏନି କି ଥରେ ଲାଗିଗଲା ପରେ ଆଉ ଲିଭାଇ ହୁଏନି।
ତେଣୁ ବନ୍ଧୁଗଣ! ମନେ ରଖନ୍ତୁ, ପ୍ରେମ କଳ୍ପନାତୀତ। ଗୋଟିଏ ଥର “ମୁଁ ତୁମକୁ ଭଲପାଏ” କହିଦେଲେ ବାକି ଜୀବନ ପାଇଁ ଆପଣଙ୍କ ହୃଦୟ ହିଁ ସେ କାମ କରି ଚାଲିଥିବ। ଭାଲେଣ୍ଟାଇନ୍‌ସ ଡେ’ରେ ପ୍ରେମର ବାର୍ଷିକ ‘କେ.ୱାଇ.ସି.’ ଦାଖଲ କରିବା ଅନାବଶ୍ୟକ।
ମୋ: ୯୩୩୭୬୪୮୬୩୮