ସମୟ ଏବେ ଦ୍ରୁତ ଗତିରେ ବଦଳିବାରେ ଲାଗିଛି ଏବଂ ତା' ସହିତ କମିବାରେ ଲାଗିଛି ମନୁଷ୍ୟର ସହିବାର ଶକ୍ତି। ସମାଜ କଥା ଦୂରେ ଥାଉ, ପରିବାର ମଧ୍ୟରେ ପିତାଙ୍କ କଥା ପୁତ୍ର ସହିପାରୁନି କି ପତ୍ନୀର କଥା ପତି। ସମାଜର ପ୍ରତିଟି ତନ୍ତ୍ରୀରେ ଏବେ ଅସହିଷ୍ଣୁତାର ବିଷ ଚରିଗଲାଣି। ସାମାଜିକ, ଧାର୍ମିକ, ବର୍ଣ୍ଣଗତ, ବୟସଗତ ଓ ଲିଙ୍ଗଗତ ସହନଶୀଳତାର ଅଭାବ ସମାଜକୁ ଅବକ୍ଷୟ ଆଡ଼କୁ ଆଗେଇ ନେଉଛି। ଅସହିଷ୍ଣୁତାର ରୂପରେଖ କଣ? ଏ ବିଷୟରେ ଜାଣିବା ପୂର୍ବରୁ ଆମକୁ ସହିଷ୍ଣୁତା ସଂପର୍କରେ ବୁଝିବାକୁ ହେବ। ନିଜଠାରୁ ଭିନ୍ନ ବିଚାର ରଖୁଥିବା ବ୍ୟକ୍ତିର ବିଶ୍ବାସକୁ ବିନା କିଛି ପ୍ରତିବାଦରେ ସ୍ବୀକାର କରିନେବା ହେଉଛି ସହିଷ୍ଣୁତା। ଅର୍ଥାତ୍, ନିଜର ନୈତିକତା ଓ ମୂଲ୍ୟବୋଧ ଠାରୁ ସଂପୂର୍ଣ୍ଣ ଭିନ୍ନ ବିଷୟଗୁଡ଼ିକୁ ବିନା କିଛି ପ୍ରତିକ୍ରିୟାରେ ଗ୍ରହଣ କରିନେବା। ସହନଶୀଳତା ଆମର ଶିକ୍ଷାଦୀକ୍ଷା, ଉତ୍ତମ ମୂଲ୍ୟବୋଧ, ନୈତିକତା ଓ ଆଚାର ବିଚାରରୁ ଆସିଥାଏ ଏବଂ ତାହାରି ପ୍ରଭାବରେ ବିଶ୍ବାସର ବିବିଧତା, ମତପାର୍ଥକ୍ୟ ଓ ବିପରୀତ ଦୃଷ୍ଟିକୋଣ ଥିବା ସତ୍ତ୍ବେ ଆମେ ସମାଜରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ କରିଥାଉ। ବିବିଧତାରେ ଏକତା ହେଉଛି ଏ ମାଟିର ମୂଳ ମନ୍ତ୍ର। କବି ଫିରାକ୍ ଗୋରଖପୁରୀ ଭାରତୀୟ ସଂସ୍କୃତିର ପରିଚୟ ଦେଇ କହିଛନ୍ତି, “ସର୍-ଜମିନ୍-ଏ-ହିନ୍ଦ୍ ପର୍, ଅକ୍ବାମ୍-ଏ-ଆଲମ୍ କେ ଫିରାକ୍/ କାଫିଲେ ବସ୍‌ତେ ଗୟେ ହିନ୍ଦୁସ୍ଥାନ ବନ୍‌ତା ଗୟା’’। ମାଟିର ଏ ମହକରେ ଆକୃଷ୍ଟ ହୋଇ କେତେ ଯେ ମନୁଷ୍ୟ ଏଠାକୁ ଆସିବାରେ ଲାଗିଲେ, ଆଉ ହିନ୍ଦୁସ୍ଥାନ ଗଢ଼ିହେବାରେ ଲାଗିଲା। ଏ ଭୂଖଣ୍ଡର ସନାତନ ସଂସ୍କୃତିର ପରିଚୟ ଋକ୍ ବେଦରେ ଏହିପରି ବର୍ଣ୍ଣିତ: “ଆନୋ ଭଦ୍ରାଃ କ୍ରତବୋ ୟନ୍ତୁ ବିଶ୍ବତଃ’’(୧.୮୯.୧)। ଅର୍ଥାତ୍, ସବୁ ଦିଗରୁ ଉତ୍ତମ ଚିନ୍ତା, ଚେତନା ଓ ଭାବନା ମୋ’ ନିକଟକୁ ଏମିତି ଆସୁଥାଉ ଓ ଏ ସୃଷ୍ଟି ହେଉ ଅମୃତମୟ। ଆମ ସହିଷ୍ଣୁ ସଂସ୍କୃତିର ଇଏ ହେଉଛି ମୂଳ ମନ୍ତ୍ର।
ସଲମାନ୍ ଋଷଦିଙ୍କର ଲିଖିତ ପୁସ୍ତକ ‘ସାଟାନିକ୍ ଭର୍ସେସ୍’ ଧାର୍ମିକ ବିଶ୍ବାସକୁ ଆଘାତ ଦେଉଥିବା ଅଭିଯୋଗରେ ବିଶ୍ବବ୍ୟାପୀ ନିଷିଦ୍ଧ ହେବାର ଅନେକ ବର୍ଷ ପରେ ଜଣେ ଚବିଶ ବର୍ଷର ଧାର୍ମିକ ଅସହିଷ୍ଣୁ ଯୁବକ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ମରଣାନ୍ତକ ଆକ୍ରମଣ କଲା। ଯୁବକଟି ଜନ୍ମହେବାର ବହୁ ପୂର୍ବରୁ ପ୍ରକାଶ ପାଇଥିବା ସେ ବହି ଯୁବକ ଜଣକ ପଢ଼ିବା ତ ଦୂରର କଥା, କେବେ ଦେଖି ବି ନଥିଲା। ଏ ଉଦାହରଣଟି ସୂଚାଇ ଦିଏ ଯେ, ସହନଶୀଳତା ଏକ ମାନସିକ ପ୍ରକ୍ରିୟା ଓ ମନରୁ ସୃଷ୍ଟି। କୌଣସି ଘଟଣାକୁ ଅନାବଶ୍ୟକ ଧ୍ୟାନ ଦେଇ ପ୍ରତିକ୍ରିୟା ପ୍ରକାଶ କରିବା ଅସହିଷ୍ଣୁତା ଓ ଇଚ୍ଛାର ବିପରୀତ ଘଟଣା ପ୍ରତି ନିରାସକ୍ତ ଓ ନିରୁଦ୍‌ବିଗ୍ନ ରହିବା ସହିଷ୍ଣୁତା। ଆରିଷ୍ଟୋଟଲ୍ ଏ ସଂପର୍କରେ କହିଛନ୍ତି, “କୌଣସି ଏକ ଆଚାର ବିଚାର ପ୍ରତି ସମର୍ଥନ ନଥାଇ ମଧ୍ୟ ତାକୁ ନିରବରେ ଗ୍ରହଣ କରିନେବା ବିଜ୍ଞ ମସ୍ତିଷ୍କର ପରିଚୟ’’।
ସହିଷ୍ଣୁତାର ବିରୋଧଭାଷ ଅନେକ। ଯଦି ଏକ ବିଚାରଧାରା ପ୍ରତି ଆପଣ ଅସହମତ ଓ ଉଚିତ ତାର୍କିକ ଆଧାର ଉପରେ ସେ ଅସହମତି ପର୍ଯ୍ୟବସିତ ତେବେ ସ୍ବବିଚାର ବିରୋଧରେ ଯାଇ ସେ ଭିନ୍ନ ମତଟି ଆପଣ ଗ୍ରହଣ କରିନେବେ କାହିଁକି? ଯାହା ଆମ ବିଚାରରେ ଭୁଲ, ତା'ର ପ୍ରତିବାଦ ନକରି ଚୁପ୍ ରହିଯିବା ଉଚିତ କି? ପୂଣ୍ୟ ପାପଠାରୁ ଯେମିତି ଅଧିକ ଭଲ ନୁହେଁ, କେବଳ ଅଲଗା ଏକ ବିଶ୍ବାସ, ସହିଯିବା ଅସହିଷ୍ଣୁ ହେବାଠାରୁ ଭଲନୁହେଁ, କେବଳ ଏକ ଭିନ୍ନ ବିଚାର। ଯଦି ସମାଜ ସହିଷ୍ଣୁତାକୁ ତା'ର ବୀଜମନ୍ତ୍ର ଭାବରେ ଗ୍ରହଣ କରିନେବ, ସେ ସମାଜର ସମସ୍ତ ଅସହିଷ୍ଣୁ ବ୍ୟକ୍ତି ସହିଷ୍ଣୁ ହୋଇଯିବେନି, ବରଂ ସହିଷ୍ଣୁମାନଙ୍କ ଉପରେ ଭାରୀ ପଡ଼ିଯିବେ ଓ ସେମାନଙ୍କୁ ସମାଜରୁ ନିଷ୍କାସିତ କରିଦେବେ। ଅତଏବ, ସହନଶୀଳ ସମାଜଟିଏ ଗଢ଼ିବାକୁ ହେଲେ ଅସହିଷ୍ଣୁତା ପ୍ରତି ଅସହିଷ୍ଣୁ ହେବାକୁ ହିଁ ପଡ଼ିବ। ବିଶିଷ୍ଟ ଲେଖକ ମାଇକେଲ୍ ଵାଜେର୍ ତାଙ୍କର ‘ଅନ୍ ଟଲରେସନ୍’ ବହିରେ ଏହାର ଆଲୋଚନା କରି ଲେଖିଛନ୍ତି, “ସମାଜର ଅଧିକାଂଶ ସଂଖ୍ୟାଲଘୁ, ଯେଉଁମାନେ ସହିଷ୍ଣୁତାର ମୁଖ୍ୟ ହିତାଧିକାରୀ ହୋଇଥାନ୍ତି, ସେମାନେ ନିଜେ ହିଁ ଅସହିଷ୍ଣୁ’’।
ଏବେ ଫେରିଆସିବା ମୂଳ ପ୍ରସଙ୍ଗକୁ। ସହନଶୀଳ ହେବାର ଅର୍ଥ ନୁହେଁ ଯେ, ଏକ ଭିନ୍ନ ବିଚାର ସମ୍ମୁଖରେ ନତମସ୍ତକ ହୋଇଯିବା ବା ଅନ୍ୟର ମତକୁ ଗ୍ରହଣ କରିବାକୁ ଯାଇ ନିଜସ୍ବ ମତକୁ ତ୍ୟାଗ କରିଦେବା। ଦୃଷ୍ଟିକୋଣର ଭିନ୍ନତାକୁ ଗ୍ରହଣ କରିବାକୁ ହେଲେ ମନର ବାତାୟନକୁ ଆମର ଉନ୍ମୁକ୍ତ ରଖିବାକୁ ହେବ। ମୂଲ୍ୟବୋଧ ଓ ମତବାଦର ବିଭିନ୍ନତାକୁ ସ୍ବୀକାର କରିନେଉଥିବା ବ୍ୟକ୍ତି ହିଁ ସହିଷ୍ଣୁ। ସେଥିପାଇଁ ନିଜର ବିଚାରଧାରାରେ ପରିବର୍ତ୍ତନ ଅନାବଶ୍ୟକ। ଯଦି ଆମେ ନିଜର ବିଚାରକୁ ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀ, ଆଦର୍ଶ ଓ ଅଧିକାର ଭାବୁଛେ, ଠିକ୍ ସେହିପରି ଅନ୍ୟ ଜଣକର ଭାବନାକୁ ଗ୍ରହଣ ନକରିପାରିବା କାହିଁକି? କିଛି ଲୋକ ଏପରି କରିନପାରିବାର କାରଣ ହେଉଛି ମୂଲ୍ୟବୋଧଭିତ୍ତିକ ଶିକ୍ଷା, ସୂଚନା, ସଚେତନତା, ସାଂସ୍କୃତିକ ସଂଶ୍ଳେଷଣ ଓ ସାମାଜିକୀକରଣରେ ରହିଯାଇଥିବା ତ୍ରୁଟି।
ସହନଶୀଳତାର ଅଭାବ ଏବେ ସବୁକ୍ଷେତ୍ରରେ। ଧାର୍ମିକ ଅସହିଷ୍ଣୁତା, ମୌଳବାଦ ଓ ଆତଙ୍କବାଦ, ଏସବୁର ମୂଳାଧାର ମନୁଷ୍ୟର ରୁଗ୍ଣ ସହିବାର ଶକ୍ତି। ସାଂସ୍କୃତିକ ଓ ବୌଦ୍ଧିକ ଅସହିଷ୍ଣୁତା ଏବେ ଆମ ଚତୁଃପାର୍ଶ୍ବରେ। ଅସୁରକ୍ଷାର ଭାବନା ସହିବାର ଶକ୍ତିକୁ ହ୍ରାସ କରିବାରେ ଲାଗିଛି। ଲିଙ୍ଗଗତ ଭେଦଭାବ ଚରମ ସୀମାରେ। ସହିଷ୍ଣୁତାକୁ କିଛି ଲୋକ ଦୁର୍ବଳର ନୀତିବାକ୍ୟ ଭାବରେ ଚିତ୍ରଣ କରୁଛନ୍ତି। ମସ୍ତିଷ୍କର ଦ୍ବାର ଖୋଲା ରଖି ଗ୍ରହଣୀୟତାର ପରିସର ବୃଦ୍ଧି କଲେ ଏବଂ ବ୍ୟକ୍ତିଗତ ମୂଲ୍ୟବୋଧର ଆଭ୍ୟନ୍ତରୀକରଣ ହେଲେ ଆମେ ଏ ଗ୍ରସ୍ତତା ଠାରୁ ମୁକ୍ତ ଏକ ସୁସ୍ଥ, ସହିଷ୍ଣୁ ସମାଜ ଗଢ଼ିପାରିବା ଓ ସେଥିପାଇଁ ପ୍ରଥମ ପଦକ୍ଷେପ ନେବା ହେଉଛି ସହିଷ୍ଣୁତାର ମୁଖ୍ୟ ହିତାଧିକାରୀମାନଙ୍କର କର୍ତ୍ତବ୍ୟ। ବିଚାରର ବିବିଧତାକୁ ସ୍ବୀକାର କରିନେଇ ଯିଏ ଯେମିତି ତା’କୁ ଠିକ୍ ସେହିପରି ଭାବରେ ଗ୍ରହଣ କରିନେବା ଆଜିର ଆବଶ୍ୟକତା। ମହତ୍ ସିଏ, ଯିଏ ସହିଜାଣେ। କବି ଗୁଲଜାର୍ ଲେଖିଥିଲେ, “କହିବା ଲୋକଠାରୁ ସହିବା ଲୋକ ମହାନ୍। ସହିବା ଲୋକର ପୀଡ଼ା ସିଏ ନିଜେ କେବଳ ବୁଝେ। ଅନ୍ୟମାନେ ତ କେବଳ ପ୍ରଶ୍ନ ପଚାରି ଦେଇ ବାଟଭାଙ୍ଗି ଚାଲି ଯାଆନ୍ତି’’। “କହନେବାଲୋଁ କା କୁଛ୍ ନହିଁ ଯାତା, ସହନେଵାଲେ କମାଲ୍ କରତେ ହୈଁ/ କୌନ ଢୁଁଡେ ଜବାବ୍ ଦର୍ଦୋଁ କେ, ଲୋଗ୍ ତୋ ବସ୍ ସଵାଲ୍ କରତେ ହୈ’’।
ମୋ: ୯୩୩୭୬୪୮୬୩୮