ଜନ୍ମ ହେବା ପରେ ଶିଶୁ କେଉଁ ଭାଷା ଶିଖିବ? ନିଶ୍ଚିତ ଭାବରେ ତା’ର ମାତୃଭାଷା। ଏବର ସମୟ କିନ୍ତୁ ଅଲଗା। ଆମର ସନ୍ତାନମାନଙ୍କୁ ଆମେ ଏବେ ମାତୃଭାଷା ପରିବର୍ତ୍ତେ ଇଂରେଜୀ ଶିଖାଇବାର ପ୍ରତିଯୋଗିତାରେ ମାତିଛେ। ଯାହାର ପିଲାଟି ଯେତେ ଇଂରେଜୀ ଶବ୍ଦ ଆୟତ୍ତ କରି କହିପାରୁଛି ସେ ସେତେ ସଭ୍ୟ ଓ ଉନ୍ନତ। ସିଲଟ ଧରି ଅ-ଆ ଅଭ୍ୟାସ କରିବା ବଦଳରେ ଏବେ ସେ ଏ-ବି-ସି-ଡି ପଢୁଛି। ନିର୍ଦ୍ଧନ ଠାରୁ ଧନବାନ ପର୍ଯ୍ୟନ୍ତ ସମସ୍ତ ପିତାମାତା ଏବେ ସନ୍ତାନକୁ ଇଂରେଜୀ ସ୍କୁଲରେ ପଢ଼ାଇବାକୁ ବ୍ୟଗ୍ର। ଅମିତାଭ ବଚ୍ଚନଙ୍କ କହିବା ପରି ଆମେ ଆଜିକାଲି “ଆଇ ଥିଙ୍କ୍ ଇଂଲିସ୍‌, ଆଇ ସ୍ପିକ୍ ଇଂଲିସ୍‌ ଏଣ୍ଡ୍ ଆଇ ବ୍ରିଦ୍ ଇଂଲିସ୍‌” ପରିବେଶରେ ପିଲାମାନଙ୍କୁ ବଢ଼ାଉଛେ। ମାତୃଭାଷା ତ୍ୟାଗ କଲେ ଆମ ପିଲାମାନଙ୍କର କ’ଣ କ୍ଷତି ହେବ, ମାତୃଭାଷା କିପରି ଆମର ମନ ଓ ମସ୍ତିଷ୍କ ସହିତ ଜଡ଼ିତ, ତା’ର ବ୍ୟବହାର ବିନା ଭାବନାତ୍ମକ ସ୍ତରରେ ପିଲାମାନେ କିପରି ପଙ୍ଗୁ ହୋଇଯିବେ, ତାହାକୁ ନେଇ ଆଜିର ଏ ଆଲୋଚନା।
ମାତୃଭାଷାର ଶକ୍ତି ଅସୀମ। କଥା କହି ଶିଖିବା ମାତ୍ରକେ ଶିଶୁଟି ତା’ର ମା’ କହୁଥିବା ଭାଷାକୁ ହିଁ ଆୟତ୍ତ କରିଥାଏ। ମନ ଓ ଭାବନା ମଧ୍ୟରେ ସଂଯୋଗ ପାଇଁ ଆବଶ୍ୟକ ହୁଏ ମାତୃଭାଷାର। ମନୁଷ୍ୟ ଯେତେ ଅନ୍ୟ ଭାଷା ଆୟତ କରିଥାଉ ପଛେ, ଚିନ୍ତା ଓ କଳ୍ପନା ମସ୍ତିଷ୍କରେ ପ୍ରକ୍ରିୟାକରଣ ହୁଏ ମାତୃଭାଷାରେ। ଭାଷାର ବ୍ୟତିରେକ ଭାବନା ସମ୍ଭବ କି? ମାତୃଭାଷା ବିନା ମସ୍ତକରେ ଭାବନାର ବ୍ୟାଖ୍ୟାନ ହୋଇପାରେନି। ଲେଖିକା ହେଲେନ କେଲର୍ ପିଲା ଦିନରୁ ଅନ୍ଧ ଓ ବଧିର ଥିଲେ। ମାତୃଭାଷା ଜାଣିନଥିବାରୁ ମନରେ ତାଙ୍କର ଭାବନାସବୁ ଅର୍ଥହୀନ ଓ ଅସ୍ପଷ୍ଟ ହୋଇଯାଉଥିବା କଥା ଲେଖିଛନ୍ତି ତାଙ୍କ ଆତ୍ମଜୀବନୀରେ। ଭାବନାର ସୀମାରେଖା ଯେଉଁ ପର୍ଯ୍ୟନ୍ତ ବ୍ୟାପ୍ତ, ମାତୃଭାଷାର ସୀମାରେଖା ମଧ୍ୟ ସେହି ପର୍ଯ୍ୟନ୍ତ ବିସ୍ତାରିତ। ମାତୃଭାଷା ଓ ମନର ଭାବନା ମଧ୍ୟରେ ସଂପର୍କ କ’ଣ, ତାହା ଉପରେ ଗବେଷଣା କରିଛନ୍ତି ଏଡଵାର୍ଡ ସାପିୟର୍ ଓ ବେଞ୍ଜାମିନ୍ ଲି ଵର୍ଫ୍ ନାମକ ଦୁଇଜଣ ଭାଷା-ମନସ୍ତତ୍ବବିତ୍, ଯାହା ‘ସାପିୟର୍-ଵର୍ଫ୍ ହାଇପୋଥେସିସ୍’ ବା ‘ଲିଙ୍ଗୁଇଷ୍ଟିକ୍ ରିଲେଟିଭିଟି’ ନାମରେ ପରିଚିତ। ତାଙ୍କ ମତରେ ମନୁଷ୍ୟର ଦୃଷ୍ଟିକୋଣ ଓ ବିଚାର ଏପରିକି ଦୁନିଆକୁ ସେ କିପରି ଅନୁଭବ କରୁଛି ଏବଂ ବୁଝୁଛି ତାହା ଉପରେ ତା’ ମାତୃଭାଷାର ପ୍ରଭାବ ଥାଏ। ଆମେ କ’ଣ ଭାବୁଛେ, କ’ଣ ମନେ ରଖୁଛେ, ସେସବୁ କାର୍ଯ୍ୟ ମସ୍ତିଷ୍କ ମାତୃଭାଷା ମାଧ୍ୟମରେ ବିଶ୍ଳେଷଣ କରିଥାଏ। କମ୍ପ୍ୟୁଟର କାର୍ଯ୍ୟ କରିବାପାଇଁ ଯେଉଁପରି ଏକ ପ୍ରୋଗ୍ରାମିଂ ଲାଙ୍ଗୁଏଜର ଆବଶ୍ୟକ ହୋଇଥାଏ, ମସ୍ତିଷ୍କର କାର୍ଯ୍ୟପାଇଁ ସେହିପରି ଏକ ସ୍ବତନ୍ତ୍ର ଭାଷା ଆବଶ୍ୟକ। ଗବେଷକ ଷ୍ଟିଭେନ୍ ପିଙ୍କର୍ ତାଙ୍କର ଗବେଷଣା ଗ୍ରନ୍ଥ ‘ଲାଙ୍ଗୁଏଜ ଇନଷ୍ଟିଂକ୍ଟ’ରେ ମସ୍ତିଷ୍କ ବ୍ୟବହାର କରୁଥିବା ଭାଷାର ନାମ ରଖିଛନ୍ତି ‘ମେଣ୍ଟାଲିଜ୍’। ମେଣ୍ଟାଲିଜ୍ ହିଁ ଆମର ମାତୃଭାଷା। ଆମେ ଯେକୌଣସି ଭାଷାରେ କଥାବାର୍ତ୍ତା ଓ ଲେଖାପଢ଼ା କଲେମଧ୍ୟ ମସ୍ତିଷ୍କ ତାକୁ ମେଣ୍ଟାଲିଜ୍ ବା ଆମ ମାତୃଭାଷାରେ ଭାଷାନ୍ତରଣ କରି ଆମକୁ ବୁଝାଇଥାଏ। ତେଣୁ ମାତୃଭାଷାରେ ପାଠ ପଢ଼ିବା ଓ କାର୍ଯ୍ୟ କରିବା ଯେତେ ସହଜ ଓ ବୋଧଗମ୍ୟ ଅନ୍ୟ ଭାଷା ଶିକ୍ଷାକରି ବ୍ୟବହାର କଲେ ସେତେ ସହଜ ହୁଏ ନାହିଁ। ବିନା ମାତୃଭାଷାରେ ଭାବନା ସଂଭବ ନୁହେଁ କି ଅନ୍ୟ ଭାଷାକୁ ଆୟତ୍ତ କରିବା ସହଜ ନୁହେଁ। ସମାନ ଭାଷା କହୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଭାବ ବିନିମୟ ସେଥିପାଇଁ ଭିନ୍ନ ଭାଷାଭାଷୀଙ୍କ ତୁଳନାରେ ସହଜ ଲାଗେ। ବିପଦ ଓ ବିପର୍ଯ୍ୟୟ ସମୟରେ ମନୁଷ୍ୟ ତା’ ମାତୃଭାଷାର ସାହାଯ୍ୟ ନିଏ। ଉଦାହରଣ ସ୍ବରୂପ ଏକ ରେଳ ଦୁର୍ଘଟଣାରେ ଆହତ ଜଣେ ପରିଚୟହୀନ ବ୍ୟକ୍ତି ଅନେକ ଦିନଧରି ଡାକ୍ତରଖାନାରେ କୋମା ଅବସ୍ଥାରେ ପଡ଼ିଥିଲେ। ଏକଦା ତାଙ୍କର ପାର୍ଶ୍ବବର୍ତ୍ତୀ ଶଯ୍ୟାକୁ ଜଣେ ରୋଗୀ ଆସିଲେ। ରୋଗୀଟିର ପରିବାରବର୍ଗ ତାମିଲନାଡୁର ‘ଏରାଭାଲା’ ନାମକ ଆଦିବାସୀ ଭାଷାରେ କଥା ହେଉଥାନ୍ତି। ସେମାନଙ୍କ କଥା ଶୁଣି ଶୁଣି କୋମାରେ ଥିବା ବ୍ୟକ୍ତିଙ୍କର ଆଖି ଖୋଲିଲା ଓ କିଛି କିଛି ମାନସିକ ପରିବର୍ତ୍ତନ ହେବାରେ ଲାଗିଲା। ହଠାତ୍ ଦିନେ ସେ ପାଖ ରୋଗୀକୁ ଏରାଭାଲା ଭାଷାରେ କିଛି କହିଲେ। ମାତୃଭାଷାର ସ୍ବର ଶୁଣି ବ୍ୟକ୍ତି ଜଣକ ସୁସ୍ଥ ହୋଇ ମୃତ୍ୟୁ ମୁଖରୁ ବଞ୍ଚିଗଲେ। ମାତୃଭାଷା ଛଡ଼ା ଅନ୍ୟ ଏକ ଭାଷାରେ ଭାବ ପ୍ରକାଶ ଓ ବିନିମୟ ଅସୁବିଧାଜନକ। ନେଲସନ ମାଣ୍ଡେଲା କହୁଥିଲେ, “ଯଦି ତୁମେ ଜଣେ ବ୍ୟକ୍ତି ବୁଝିପାରୁଥିବା ଭାଷାରେ ତା’ ସହିତ କଥା ହେବ, ତାହା ତା’ର ମସ୍ତିଷ୍କକୁ ଛୁଇଁବ। ଯଦି ତା’ ମାତୃଭାଷାରେ କଥା ହୁଅ, ସିଧା ତା’ର ହୃଦୟକୁ ଛୁଇଁଯିବ।” ପୂର୍ବ ପାକିସ୍ତାନର ମାତୃଭାଷା ବଙ୍ଗଳା। ସରକାରୀ ସ୍ତରରେ ଶାସନର ଭାଷା କିନ୍ତୁ ଥିଲା ଉର୍ଦ୍ଦୁ। ସେଠାକାର ଲୋକମାନେ ଏପରି ଏକ ଭାଷାଭିତ୍ତିକ ଔପନିବେଶିକ ଉତ୍ତରାଧିକାରକୁ ଦୀର୍ଘଦିନ ସହ୍ୟ କଲେ ନାହିଁ ଏବଂ ଏକ ସ୍ବାଧୀନ ବଙ୍ଗଳାଦେଶର ସୃଷ୍ଟି ହେଲା। ମାତୃଭାଷା ଓ ସଂସ୍କୃତି ପରସ୍ପର ସଂପର୍କିତ। ଭାଷାକୁ ତ୍ୟାଗ କରି ଆମେ ସଂସ୍କୃତିକୁ ଆପଣେଇ ପାରିବାନି। ଶିଖିଥିବା ବିଦେଶୀ ଭାଷାର ସଂସ୍କୃତିକୁ ଯଦି ଆପଣେଇ ନେବା, ନିଜ ସଂସ୍କୃତି ଓ ସମାଜଠାରୁ ଦୂରେଇ ଯିବା। ମନୁଷ୍ୟ କେବଳ ବସ୍ତୁଗତ ଦୁନିଆରେ ରହେ ନାହିଁ। ସ୍ବକଥିତ ଭାଷା ମାଧ୍ୟମରେ ଅନ୍ୟ ସହିତ ସଂଯୋଜିତ ହୋଇଥାଏ। ଆମ ଅଜ୍ଞାତରେ ବାସ୍ତବ ଜଗତଟି ଆମର ମାତୃଭାଷାର ଭିତ୍ତିଭୂମି ଉପରେ ଠିଆହୋଇଛି। ଭାଷାକୁ ତ୍ୟାଗ କରି ସାମାଜିକ ବାସ୍ତବତାକୁ ପ୍ରତିନିଧିତ୍ବ କରିବା ସହଜସାଧ୍ୟ ନୁହେଁ। ପିଲାମାନେ ଆମର ଯେତୋଟି ଭାଷା ଶିଖିପାରିବେ ଶିଖନ୍ତୁ, କିନ୍ତୁ ମାତୃଭାଷାକୁ ହତାଦର କରି ନୁହେଁ। ସବୁ ସ୍ଥାନରେ ମାତୃଭାଷାର ଆଧାରରେ ମନୁଷ୍ୟ ଗୋଷ୍ଠିଟିଏ ଗଢ଼ି ଜୀବନ ନିର୍ବାହ କରେ। ମାତୃଭାଷା ବିହୀନ ପିଲା ଆମର କେଉଁ ଗୋଷ୍ଠୀରେ ସାମିଲ ହେବେ?
ଭାଷା ସାଂସ୍କୃତିକ ପରିଚୟ ଓ ଐତିହ୍ୟର ବାହକ ଏବଂ ଭାବନାତ୍ମକ ସଂଯୋଗର ସେତୁ। ମାତୃଭାଷା ବଦଳରେ ପିଲାଙ୍କୁ ବିଦେଶୀ ଭାଷା ଶିକ୍ଷା ଦେଉଥିବା ପିତାମାତା ବୁଝିବା ଉଚିତ ଯେ, ଯେତେ ଗଭୀର ଗର୍ତ୍ତରେ ପୋତିଦେଲେ ମଧ୍ୟ ମୁଣ୍ଡରେ ମସ୍ତିଷ୍କ ଥିବା ଯାଏ ମାତୃଭାଷାର ମୃତ୍ୟୁ ନାହିଁ। ସାଂସ୍କୃତିକ ସଂରକ୍ଷଣ, ପ୍ରଭାବୀ ଅଭିବ୍ୟକ୍ତି, ଜ୍ଞାନଗତ ବିକାଶ ଓ ମନୁଷ୍ୟର ସାମଗ୍ରିକ ସଶକ୍ତୀକରଣ ପାଇଁ ମାତୃଭାଷା ଏକାନ୍ତ ଅପରିହାର୍ଯ୍ୟ। ମନେ ରଖନ୍ତୁ ବଂଧୁଗଣ, କୋଇଲି ନିଜ ଭାଷା କହେ, ତେଣୁ ମୁକ୍ତ ପକ୍ଷୀଟିଏ ହୋଇ ନୀଳ ଆକାଶରେ ଉଡ଼ିବୁଲୁଥାଏ। ଶୁଆ ଅନ୍ୟର ଭାଷା କହେ, ତେଣୁ ପିଞ୍ଜରା ଭିତରେ ବନ୍ଦୀ ହୋଇ ଗୋଲାମର ଜୀବନ ବିତାଏ। ଆମେ ଜାଣୁ, ରଙ୍ଗ କଳା ହେଲେ ମଧ୍ୟ ଆପଣ କୋଇଲିର ସ୍ବର ହିଁ ପସନ୍ଦ କରିବେ।
ମୋ: ୯୩୩୭୬୪୮୬୩୮