ଏହା ଏକ ଚିରନ୍ତନ ସତ୍ୟ। ଆରମ୍ଭ ହିଁ ନିଜେ ଶେଷ ଓ ଶେଷ ମଧ୍ୟ ନିଜେ ଏକ ଆରମ୍ଭ। ପ୍ରକୃତିର ଅଙ୍ଗନରେ ପ୍ରତ୍ୟେକ ଆରମ୍ଭର ଏକ ସମାପ୍ତି ଥାଏ ଏବଂ ସେହି ସମାପ୍ତିଠାରୁ ହିଁ ନୂତନ ଆରମ୍ଭର ସୂତ୍ରପାତ ହୁଏ। ନୂତନ କାର୍ଯ୍ୟ ଆରମ୍ଭ ହେବାପାଇଁ ପୂର୍ବରୁ ଚାଲିଥିବା କାର୍ଯ୍ୟଟି ସମାପ୍ତ ହେବା ଜରୁରି। କୌଣସି ଏକ ସ୍ଥାନରେ ପହଞ୍ଚିବାକୁ ହେଲେ କୌଣସି ଏକ ସ୍ଥାନରୁ ଯାତ୍ରା ଆରମ୍ଭ କରିବାକୁ ପଡ଼େ। ଜୀବନର ଗୋଟିଏ ପର୍ଯ୍ୟାୟ ସମାପ୍ତ ହେଲେ ପରବର୍ତ୍ତୀ ପର୍ଯ୍ୟାୟଟି ଆରମ୍ଭ ହୁଏ। ଏହାକୁ ସେକ୍ସପିୟର କହିଛନ୍ତି “ସେଭେନ୍ ଏଜେସ୍ ଅଫ୍ ମ୍ୟାନ”। ଜୀବନର ସାତଟି ଅବସ୍ଥା। ଆମର ସଂସାର-ଚକ୍ର ଜନ୍ମ, ମୃତ୍ୟୁ ଓ ପୁନର୍ଜନ୍ମର ମଣ୍ଡଳାକାର ପରିଣତି। ଆରମ୍ଭ ଓ ଶେଷ ଉଭୟ ଏକ ଓ ଅଭିନ୍ନ।
କିଛି ବର୍ଷ ପୂର୍ବେ ‘ନେଟ୍‌ଫ୍ଲିକ୍ସ’ ଚ୍ୟାନେଲରେ ‘ଡାର୍କ’ ନାମରେ ଗୋଟିଏ ଧାରାବାହିକ ପ୍ରଦର୍ଶିତ ହେଉଥିଲା। କାହାଣୀରେ ତା’ର ଏହି ସତ୍ୟର ଅବତାରଣା କରି ଦର୍ଶାଯାଇଥିଲା ଯେ, ଜୀବନଚକ୍ର ଆମର ଜୋତାର ଫିତା ବନ୍ଧାହେବା ପରି ପରସ୍ପର ଛନ୍ଦାଛନ୍ଦି। ଅତୀତରୁ ବର୍ତ୍ତମାନ ଓ ଭବିଷ୍ୟତ ସବୁ ଗୋଟିଏ ଅନ୍ୟଠାରୁ ଅବିଭାଜ୍ୟ। ଜୋତାର ଫିତା ଯେଉଁଠାରୁ ବାନ୍ଧିବା ଆରମ୍ଭ ହୋଇଥାଏ ଶେଷରେ ସେହିଠାରେ ଆସି ଶେଷହୁଏ। ଦାର୍ଶନିକ ଫ୍ରେଡରିକ୍‌ ନିଚା ତାଙ୍କ ଦ୍ବାରା ପ୍ରସ୍ତୁତ ‘ଇଟର୍ନାଲ ରିଟର୍ଣ୍ଣ’ ବା ‘ଅନନ୍ତ ପୁନରାବୃତ୍ତି’ ସିଦ୍ଧାନ୍ତରେ ସ୍ବୀକାର କରିଛନ୍ତି ଯେ, ସମୟ ନିଜକୁ ଅନନ୍ତ ଚକ୍ରରେ ଦୋହରାଇ ଚାଲିଛି। ତେଣୁ ସଂସାରର ସବୁକିଛି ସେଇ ଚକ୍ର ମଧ୍ୟଦେଇ ନିରନ୍ତର ପୁନରାବୃତ୍ତି ହେବାରେ ଲାଗିଛି। ଯାହା ଶେଷ ହେଉଛି ତାହା ତା’ ନିଜ ମଧ୍ୟରେ ବିଲୀନ ହୋଇଯାଇ ପୁନଶ୍ଚ ଆରମ୍ଭ ହେଉଛି, ଠିକ୍ ପୌରାଣିକ ସର୍ପ ‘ଉରୋବରୋସ୍’ ପରି। ଉରୋବରୋସ୍ ନିଜର ଲାଞ୍ଜକୁ ନିଜେ ଗିଳୁଥିବାର ଚିତ୍ର ହେଉଛି ଆରମ୍ଭ ଓ ଶେଷ, ଅର୍ଥାତ ଜନ୍ମ, ମୃତ୍ୟୁ ଓ ପୁନର୍ଜନ୍ମର ପ୍ରତୀକ। ଭାରତୀୟ ଦର୍ଶନ ଏହି କଥାକୁ ମଧ୍ୟ ସ୍ବୀକାର କରେ। ସଂସାରରେ କୌଣସି ପଦାର୍ଥର ଆରମ୍ଭ ନାହିଁ କି ସମାପ୍ତି ନାହିଁ। ବ୍ରହ୍ମାଣ୍ଡ ଆମର ସୃଜନ, ସଂରକ୍ଷଣ ଓ ବିଘଟନ ଚକ୍ରଦେଇ ଅନନ୍ତକାଳ ଧରି ଗତି କରୁଛି। ଭଗବତଗୀତା (୨/୧୨)ରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇଛନ୍ତି, “ନ ତ୍ବେବାହଂ ଜାତୁ ନାସଂ ନ ତ୍ବଂ ନେମେ ଜନାଧିପାଃ/ନ ଚୈବ ନ ଭବିଷ୍ୟାମଃ ସର୍ବେ ବୟମତଃ ପରମ୍।” ଏପରି କୌଣସି ସମୟ ନଥିଲା ଯେତେବେଳେ ଆମେମାନେ ନଥିଲେ କି ଏପରି କୌଣସି ସମୟ ଆସିବନି ଯେତେବେଳେ ଆମେମାନେ ନଥିବା।
କବି ଟି. ଏସ୍. ଏଲିୟଟ୍ ନିଜର କବିତା ସଂକଳନ ‘ଫୋର୍ କ୍ବାର୍ଟରସ୍’ର ଶେଷ କବିତା ‘ଲିଟିଲ୍ ଗିଡିଙ୍ଗ୍’ରେ ଲେଖିଛନ୍ତି, ‘ଆମେ ଯାହାକୁ ଆରମ୍ଭ କହିଥାଉ ତାହା ଏକ ସମାପ୍ତି। ସମାପ୍ତ କରିବାକୁ କିଛି ଏକ ଆରମ୍ଭର ଆବଶ୍ୟକ ହୁଏ। ସମାପ୍ତି ସେହିସ୍ଥାନ ଯେଉଁଠାରୁ ଆରମ୍ଭ ସଂଘଟିତ ହୋଇଥାଏ।’ ଚୀନ୍‌ର ‘ତାଓ’ ଦର୍ଶନ ‘ୟିନ୍ ଓ ୟାଙ୍ଗ୍’ ସିଦ୍ଧାନ୍ତରେ ଦର୍ଶାଯାଇଛି, ସବୁ ବିରୁଦ୍ଧ ତତ୍ତ୍ବଗୁଡ଼ିକ ଏକ ଅନ୍ୟଠାରୁ ଅବିଚ୍ଛେଦ୍ୟ। ଅନ୍ଧାର ଶେଷରେ ଆଲୋକ, ନୂତନ ପରେ ପୁରାତନ, ଆରମ୍ଭ ଶେଷରେ ସମାପ୍ତ ଓ ପୁନଶ୍ଚ ଆରମ୍ଭ। ଗୋଟିଏ ସରଳ ଉଦାହରଣ ଦେଖନ୍ତୁ: ଆପଣ ତଟକା ବିସ୍କୁଟ୍ ଖଣ୍ଡେ ଖାଇଲେ। ଖୁବ୍ ତାଜା ଓ କୁରକୁରା ଥିଲା। ଅବଶିଷ୍ଟ ବିସ୍କୁଟ୍‌ରୁ କିଛି ଚା’ରେ ବୁଡ଼େଇଦେଲେ। ଏବେ ସେ ହୋଇଗଲା ସଂପୂର୍ଣ୍ଣ ନରମ। ନରମ ଅଂଶଟି ଖାଇବାପରେ ବାକିଥିବା ବିସ୍କୁଟ୍ ହୋଇଗଲା ପୁଣି କୁରକୁରା। ନରମ ଅବସ୍ଥା ଆରମ୍ଭ ହେବାପାଇଁ ବିସ୍କୁଟ୍‌ର କୁରକୁରା ଅବସ୍ଥାକୁ ଆରମ୍ଭ ହୋଇ ଶେଷ ହେବାକୁ ପଡ଼ିଲା। ସେହିପରି ନରମ ଅବସ୍ଥାର ଶେଷ ହେଲା କୁରକୁରା ଅବସ୍ଥାର ଆରମ୍ଭରୁ। ଏବେ ବୁଝିଲେ ତ? ଉଭୟ ଅବସ୍ଥା ନିଜେ ଆରମ୍ଭ ଓ ନିଜେ ଶେଷ। ମନୁଷ୍ୟ କିନ୍ତୁ ଏ ଗୋଲକଧନ୍ଦା ନବୁଝି କଷ୍ଟରେ ଘାଣ୍ଟି ହେଉଥାଏ। ପୁରୁଣା ଗୀତଟିଏ ଶୁଣିଥିବେ: “ଅଜିବ ଦାସତାଁ ହୈ ୟେ, କହାଁ ସୁରୁ କହାଁ ଖତମ୍/ ୟେ ମଂଜିଲେ ହୈଁ କୌନସି ନା େଵା ସମଝ୍ ସକେ ନା ହମ୍...।” ଇଏ ଏକ ଅଜବ ବୃତ୍ତାନ୍ତ। ଏହାର ଆରମ୍ଭ କେଉଁଠୁ, ଶେଷ କେଉଁଠି? ଲକ୍ଷ୍ୟସ୍ଥଳ ଏହାର କ’ଣ? ନା’ ସିଏ ବୁଝେ ନା’ ମୁଁ।
ଜୀବନରେ କିଛି ଏମିତି ସମୟ ଆସେ, ଯେତେବେଳେ ଆରମ୍ଭର ଶେଷ ଅଥବା ଶେଷର ଆରମ୍ଭଟି ଅଧିକ ସ୍ପଷ୍ଟ ଅନୁଭୂତ ହୁଏ। ଏ ସନ୍ଧିକ୍ଷଣଟି ବଡ଼ ଏକ ପରିବର୍ତ୍ତନର ସମୟ। ନୂତନ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତ ହେବାର ସମୟ। ଏ ସମୟଟି ସକାରାତ୍ମକ କିମ୍ବା ନକାରାତ୍ମକ ତାହା ଆମର ଦୃଷ୍ଟିକୋଣ ଉପରେ ନିର୍ଭର କରେ। ପ୍ରତ୍ୟେକ ଆରମ୍ଭର ଅନ୍ତିମ କ୍ଷଣ ଏକ ଏକ ଦୁଃଖଦ ଅନୁଭୂତି, ଯାହା ଆମେ ଅନୁଭବରେ ଆଣିବାକୁ ଚାହିଁନଥାଉ। ନୂତନ ଆରମ୍ଭଟିଏ ଆମପାଇଁ ସମ୍ଭାବନାପୂର୍ଣ୍ଣ ହୋଇଥାଏ। ଏ ଅନୁଭବ ହେଉଛି, ଠିକ୍ ଯେମିତି କକୁନ୍ ଭିତରେ ସ୍ଥିତ ସଂବାଳୁଆ ଯାହାକୁ ମୃତ୍ୟୁର ଅନ୍ତିମ ବେଦନା ବୋଲି ବୁଝେ, ନବ୍ୟସୃଷ୍ଟ ପ୍ରଜାପତି ପାଇଁ ତାହା ହୋଇଯାଏ ନବଜନ୍ମର ଚମତ୍କାରିତା। ଆମେ ଯାହା ବି ଆରମ୍ଭ କରୁ ତାହାର ଅବଶ୍ୟ ଗୋଟିଏ ସମାପ୍ତି ଅଛି ଏବଂ ସମାପ୍ତି ହିଁ ଆମକୁ ନୂତନ ଏକ ଆରମ୍ଭ ନିକଟରେ ପହଞ୍ଚାଇ ଦେଉଛି। ସମାପ୍ତ ତେଣୁ ଅନ୍ତିମ ବିନ୍ଦୁ ନୁହେଁ, ପରିବର୍ତ୍ତନ ଓ ନବୀକରଣ କରିବାର ଏକ ସୁଯୋଗ। ପୂର୍ବ ଅନୁଭୂତିରୁ ଶିକ୍ଷାନେଇ ନୂତନ ଜ୍ଞାନ ସହିତ ସଦ୍ୟ ଏକ ଯାତ୍ରା ଆରମ୍ଭ କରିବାର ଅବସର। ଅନନ୍ତ ପଥରେ ଆରମ୍ଭ ହୋଇଥିବା ଏ ଯାତ୍ରା କେବେ ସମାପ୍ତ ହୁଏ ନାହିଁ। ସମାପ୍ତି ସେଇଠି ଅନୁଭବ ହୁଏ, ଯେଉଁଠାରେ ଆଶା ଓ ଆକାଂକ୍ଷା ସବୁ ଅଟକିଯାଏ। କବି ମୀର୍ଜା ଗାଲିବ୍ ଲେଖିଛନ୍ତି ପରା, “ରାସ୍ତେ କାହାଁ ଖତମ୍ ହୋତେହୈଁ ଜୀନ୍ଦଗି କେ ସଫର୍ ମୈଁ/ମଂଜିଲ୍ ତୋ େଵାହିଁ ହୈ ଜାହାଁ ଖ୍ବାହିସେଁ ଥମ୍ ଯାୟେ।”
ଏ ଆଲେଖର ସମାପ୍ତି କରୁଛି ଦାର୍ଶନିକ ସେନେକାଙ୍କର ଗୋଟିଏ ଉକ୍ତି ସହିତ: “ଭିଭାମସ୍ ମୋରିୟେଣ୍ଡମ୍ ଏଷ୍ଟ୍।” ଏ ଲାଟିନ୍‌ ବାକ୍ୟଟିର ବାର୍ତ୍ତା ଆମ ସମସ୍ତଙ୍କ ପାଇଁ: ‘ଚାଲନ୍ତୁ ବଞ୍ଚିବା, କାରଣ ମରିବାକୁ ତ ହେବ!’
ମୋ: ୯୩୩୭୬୪୮୬୩୮