ଅବଶିଷ୍ଟ ସମୟକୁ ଲୁହରେ ଧୋଇ ଧୋଇ ଧୋବ ଫରଫର କରିବାକୁ ଯିଏ ଅସଫଳ ଚେଷ୍ଟା କରିଚାଲିଥାଏ, ସେ ହେଉଛି ବଳାତ୍କାରର ଶିକାର ହୋଇଥିବା ମହିଳାଟିଏ। ନାରୀ ବଳାତ୍କାର ଏ ଦେଶରେ ଏକ ଗତାନୁଗତିକତାରେ ପରିଣତ ହେଲାଣି। ଦିଲ୍ଲୀର ନିର୍ଭୟାଠାରୁ ଆରମ୍ଭ କରି କଲିକତାର ଡାକ୍ତରାଣୀ, ବଦଲାପୁରର ଦୁଇ କୁନି ଝିଅ ଅଥବା ଢେଙ୍କାନାଳର ସେଇ ଅସହାୟା ଝିଅଟି- ଏସବୁ ଘଟଣା ତା’ର କେତୋଟି ମାତ୍ର ଉଦାହରଣ। ଅନେକ ବର୍ଷ ପୂର୍ବେ ଆମ ଗାଁରେ ଝିଅଟିଏ ଥିଲା, ପିତେଈ। ତା’ର ଶତ୍ରୁ ଥିଲା ତା’ ସୁନ୍ଦର ଚେହେରା। ସ୍ଥାନୀୟ ରେଳ ଷ୍ଟେସନରେ ଝାଡୁପୋଛା କାମ କରେ। ଚାଲି ଚାଲି ରାତି ସାତଟାରେ ଘରକୁ ଫେରେ। ଅନେକବାର ଯୌନ ବୁଭୁକ୍ଷୁଙ୍କ କବଳରୁ ନିଜକୁ ବଞ୍ଚାଇବା ପରେ ଦିନେ ହଠାତ୍ ତା’ ଦେହରେ ସବାର ହୋଇଗଲା ଗୋଟିଏ ପ୍ରେତାତ୍ମା। ରାସ୍ତାରେ ବାଳ ମୁକୁଳା କରି, ଆଖି ତରାଟି ସେ ବାଟ ଚାଲୁଥାଏ। ପଛରେ ଘୁଷୁଡୁଥାଏ ଲମ୍ବା ଧଳା ଓଢ଼ଣୀ। ଭୟରେ କେହି ତା’ ପାଖ ମାଡ଼ନ୍ତିନି। ପିତେଈର ଜୀବନଯାତ୍ରା ପ୍ରେତାତ୍ମାର ପ୍ରଭାବରୁ ଆପାତତଃ ନିରାପଦ ହୋଇଯିବା ପରେ ଦିନେ ସେ ବିବାହ କରି ଗାଁ ଛାଡ଼ି ଚାଲିଗଲା। ଏବେ ଆସିବା ମୂଳ ପ୍ରସଙ୍ଗକୁ। ଆମ ସଂସ୍କୃତିରେ ଯୌନ ବଳାତ୍କାରର ପ୍ରାରମ୍ଭ ଖୋଜିବା ନିରର୍ଥକ। ସ୍ବୟଂ ବିଷ୍ଣୁ ଜଳନ୍ଧରଙ୍କର ପତ୍ନୀ ବୃନ୍ଦାଙ୍କ ସହିତ ଏବଂ ଇନ୍ଦ୍ରଦେବ ଅହଲ୍ୟାଙ୍କ ସହିତ ସେଇ ଏକା ବ୍ୟବହାର କରିଛନ୍ତି। ଗୁରୁ ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଅରଜା (ଅର୍ଥାତ୍ ଯିଏ ଏଯାଏ ରଜୋବତୀ ହୋଇ ନାହିଁ) ରାଜା ଦଣ୍ଡକଙ୍କ ଦ୍ବାରା ଅରଣ୍ୟ ମଧ୍ୟରେ ଧର୍ଷିତା ହେଲେ। ଶୁକ୍ରାଚାର୍ଯ୍ୟଙ୍କ କ୍ରୋଧରେ ଦଣ୍ଡକଙ୍କ ରାଜ୍ୟ ଭଷ୍ମ ହୋଇଯାଇ ଦଣ୍ଡକାରଣ୍ୟରେ ପରିଣତ ହେଲା ସିନା, ଏ ଦେଶରୁ ବଳାତ୍କାର ଲୋପ ପାଇଲାନି।
ଏପରି ଏକ ଜଘନ୍ୟ ଅପରାଧର କାରଣ ଖୋଜିବସିଲେ ଆମ ସମାଜ ସେଇ ପୀଡ଼ିତାକୁ ହିଁ ଦୋଷାରୋପ କରେ। ଉତ୍ତେଜକ ପୋଷାକ କାହିଁକି ପିନ୍ଧିଥିଲା, ଅବେଳରେ ସେଠାକୁ କାହିଁକି ଯାଇଥିଲା, ଚରିତ୍ରହୀନା ହୋଇଥିବ ଇତ୍ୟାଦି। କିଛିଦିନ ତଳେ ମହାରାଷ୍ଟ୍ରର ସହ୍ୟାଦ୍ରି ଅଭୟାରଣ୍ୟରେ ଚାରିଜଣ ଯୁବକ ଗୋଟିଏ ଗୋଧିକୁ ଗଣବଳାତ୍କାର କରି ଗିରଫ ହୋଇଛନ୍ତି। ଗୋଧିଟି ନା ସଂକ୍ଷିପ୍ତ ପୋଷାକ ପିନ୍ଧିଥିଲା, ନା ଖରାପ ଚରିତ୍ରର ଥିଲା। ଆମ ସମାଜରେ ଯୌନ ବଳାତ୍କାର ପୁରୁଷର ସମସ୍ୟା ହେଲେ ମଧ୍ୟ ତାହା ନାରୀର ସମସ୍ୟା ଭାବରେ ଆଲୋଚିତ ହୁଏ। ପୀଡ଼ିତା ନାରୀଟି ଯେ କେବଳ ସେ ସମସ୍ୟାର ପରିଣତି ତାହା କେହି ବୁଝନ୍ତି ନାହିଁ। ପିଲାଙ୍କୁ ଆମେ ଭଲ ମଣିଷ ହେବାର ଶିକ୍ଷା ଦେଇଥାଉ, ଅଥଚ ଭଲ ମଣିଷର ସଂଜ୍ଞା କ’ଣ ତାହା ବୁଝାଇ ନଥାଉ। ହତ୍ୟା କରିବାକୁ ଚାହୁଥିବା ବ୍ୟକ୍ତି ପାଖରେ ବନ୍ଧୁକ ନାହିଁ ବୋଲି ସେ ଭଲ ଲୋକ ହୋଇଯିବନି। ସାମର୍ଥ୍ୟ ଥିବା ସତ୍ତ୍ବେ ଯିଏ ଖରାପ କାମ କରିବାରୁ ନିଜକୁ ନିବୃତ୍ତ ରଖେ ସିଏ ହିଁ ଭଲଲୋକ। ଏପରି ଲୋକ କେତେଜଣ ଅଛନ୍ତି? ପରିଣତି ପ୍ରତି ଡର ନ ରହିଲେ ପୁରୁଷ ଯୌନ ଅପରାଧ ଘଟାଇଥାଏ। ପରିଣତିର ଅର୍ଥ ଦଣ୍ଡ ପାଇବା ନୁହେଁ, ଧରାପଡ଼ି ଦୋଷୀ ସାବ୍ୟସ୍ତ ହେବା। ଏଥିରୁ ବର୍ତ୍ତିବା ପାଇଁ ତାକୁ ସାହାଯ୍ୟ କରନ୍ତି ତା’ ପରିବାର, ଆମ ବ୍ୟବସ୍ଥା ଓ ସମାଜ। ଜନସମର୍ଥନ ନ ଥିଲେ ଏପରି ଅପରାଧ ଘଟୁନଥାନ୍ତା।
ଆମ ସମାଜ ନାରୀକୁ ପୁରୁଷର ସମକକ୍ଷ ନ ଭାବି ତା’ଠାରୁ ଦୁର୍ବଳ ଭାବିଆସିଛି ଓ ନାରୀଟିଏ ମଧ୍ୟ ଏପରି ବିଶ୍ବାସକୁ ନେଇ ବଞ୍ଚିଛି। ଆମେ ନାରୀବାଦର କଥା କହୁଛେ। ନାରୀବାଦର ଅର୍ଥ ନାରୀକୁ ସଶକ୍ତ କରିବା ନୁହେଁ। ସେ ପୂର୍ବରୁ ହିଁ ସଶକ୍ତ। ନାରୀବାଦ ହେଉଛି ଦୁନିଆ ତା’ର ଶକ୍ତିକୁ ବୁଝିବାର ଦୃଷ୍ଟିକୋଣକୁ ବଦଳାଇବା। ପରିବାରରେ ଝିଅକୁ ଆମେ ଶାନ୍ତ, ସରଳ ଓ ସହନଶୀଳା ହେବାର ଶିକ୍ଷା ଦେଇଥାଉ ଏବଂ ପୁଅଟି ମଜବୁତ, ଆକ୍ରାମକ ଓ ନିର୍ଭୀକ ହେବା ଚାହିଥାଉ। ବିପରୀତ ସ୍ବଭାବର ହେଲେ ଝିଅଟି ହୋଇଯାଏ ‘ଉଦ୍ଦଣ୍ଡୀ’ ଏବଂ ପୁଅଟିଏ ଆଖ୍ୟା ପାଏ ‘ମାଇଚିଆ’ର। ଏ ମାନଦଣ୍ଡ ବଦଳିବା ଆବଶ୍ୟକ। ଶହେ ବର୍ଷ ପୂର୍ବେ ଆମେ ଝିଅକୁ ଯେମିତି ଗଢୁଥିଲେ ଏବେ ସେଥିରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। ବାହାରକୁ ଏକା ଯିବୁନି, ରାତି ପର୍ଯ୍ୟନ୍ତ ବାହାରେ ରହିବୁନି, ଘରେ ପୁରୁଷ ବ୍ୟକ୍ତି ସହିତ ଏକା ରହିବୁନି, ଏପରି ଅନେକ କଟକଣା ଝିଅକୁ ମାନସିକ ସ୍ତରରେ ଦୁର୍ବଳ କରିଦେଉଛି। ଆହ୍ବାନକୁ ସାମ୍ନା କରିବାର ଶକ୍ତି ସେ ହରାଇବସୁଛି। ଆମର ନେତା, ଗଣମାଧ୍ୟମ ଓ ବୁଦ୍ଧିଜୀବୀ ସମାଜ ପୀଡ଼ିତାକୁ ନିର୍ଭୟା, ଅପରାଜିତା ଓ ସଂଗ୍ରାମର ଯୋଦ୍ଧା ଭାବରେ ଚିତ୍ରଣ କରି ଦାୟିତ୍ୱ ଶେଷ କରିଦେଉଛି। ଏପରି ମନୋବୃତ୍ତି ବଦଳାଇବାକୁ ହେବ। ନିଜକୁ ପଚାରିବାକୁ ହେବ, ଆମେ ଗୋ’ ସୁରକ୍ଷା ପାଇଁ ଯେତେ ଚିନ୍ତିତ ନାରୀର ସୁରକ୍ଷା ପାଇଁ ସେତେ ତତ୍ପର କି? ସମାଜ ଦୃଷ୍ଟିରେ ନାରୀ ଏକ ବସ୍ତୁ ବା ସଂପତ୍ତି, ଯାହାକୁ ପୁରୁଷ ଅଧିକାରର ସହିତ ନିଜ ପାଖରେ ରଖେ। ବସ୍ତୁର ନିଜସ୍ବ କର୍ତ୍ତୃତ୍ବ କିଛି ନଥାଏ। ଅନେକ କ୍ଷେତ୍ରରେ ସେଇ ‘ବସ୍ତୁ’ଟିର ଅପହରଣ, ଉତ୍ପୀଡ଼ନ ଓ ବଳ ପ୍ରୟୋଗକୁ ଆମେ ପୌରୁଷ ଭାବରେ ଗ୍ରହଣ କରୁଛେ। ଅନ୍ଧ ଦୃଷ୍ଟିଶକ୍ତି ଫେରିପାଇଲେ ତାକୁ ସାହାରା ଦେଇଥିବା ବାଡ଼ିଟି ସେ ପ୍ରଥମେ ଫିଙ୍ଗିଦେବା ପରି ପୁରୁଷ ସମସ୍ତ ସୁବିଧା ନେଇ ସାରିବା ପରେ ନାରୀକୁ ଫିଙ୍ଗିଦିଏ।
ପିତେଈ ସହିତ ଥରେ ଦେଖା ହେବାରୁ ତାକୁ ସେ ପ୍ରେତାତ୍ମା କେମିତି ଛାଡ଼ିଲା ପଚାରିଥିଲି। କହିଲା, ‘ଭାଇ, ଆମେ କାହିଁକି ସରସ୍ବତୀଙ୍କର ବେଷଭୂଷା ଓ ସ୍ତନଯୁଗଳର ବର୍ଣ୍ଣନା କରୁଛେ ଅଥଚ କାଳୀ ବିବସ୍ତ୍ରା ହେଲେ ମଧ୍ୟ ତାଙ୍କୁ ଦେଖି ଭୟ ପାଇଯାଉଛେ କହିଲ? ନିଜର ସୁରକ୍ଷା ପାଇଁ ସେ ଭୂତୁଣୀକୁ ମୁଁ ଡାକି ଆଣିଥିଲି। ଆବଶ୍ୟକ ହେଲାନି ଯେତେବେଳେ ବିଦା କରିଦେଲି। ତା’ କଥା ଶୁଣି ମନେ ପଡ଼ିଲା ଇଂରେଜୀ ସିନେମା ‘ଟିଥ୍’ର କାହାଣୀ। ‘ଡନ୍’ (ଜେସ୍ ୱେକ୍ସଲର୍) ନାମକ ଝିଅଟିଏ ପରମାଣୁକେନ୍ଦ୍ର ନିକଟବର୍ତ୍ତୀ ଗାଁରେ ଜନ୍ମ ହୋଇଥିବାରୁ ତା’ଠାରେ ଆନୁବଂଶିକ ପରିବର୍ତ୍ତନ ଘଟି ତା’ ଯୌନାଙ୍ଗରେ ଦୁଇଧାଡ଼ି ଦାନ୍ତ ଉଠିଯାଇଛି। ଡନ୍କୁ ବଳାତ୍କାର କରିବାକୁ ଉଦ୍ୟମ କରୁଥିବା ବଳାତ୍କାରୀମାନେ କ’ଣ ପରାଭବ ପାଇଛନ୍ତି ତାହା ଲେଖିବା ଅନାବଶ୍ୟକ। କବି ମଜାଜ୍ ଲଖନଭି ନିର୍ଯାତିତା ନାରୀ ଉଦ୍ଦେଶ୍ୟରେ ଲେଖିଥିଲେ, “ତେରେ ମାଥେ ପେ ୟେ ଆଁଚଲ୍ ବହୁତ୍ ହି ଖୁବ୍ ହୈ/ ଲେକିନ୍ ତୁ ଇସ୍ ଆଁଚଲ୍ ସେ ଇକ୍ ପରଚମ୍ ବନାଲେତି ତୋ ଆଚ୍ଛା ଥା।” ତୋ ମଥାରେ ଲଜ୍ଜାର ଏ ଓଢ଼ଣୀ ବହୁତ ସୁନ୍ଦର। ମାତ୍ର ତାକୁ ନିଜର ଦୁର୍ବଳତା ଭାବିନିଅନା। ସମୟର ଆବଶ୍ୟକତା ହେଉଛି, ସେ ଓଢ଼ଣୀକୁ କ୍ରାନ୍ତିର ଝଣ୍ଡା ବନାଇଦେ। ଯେ ପର୍ଯ୍ୟନ୍ତ ତାହା ସମ୍ଭବ ନ ହୋଇଛି ଝିଅଟିଏ ନିଜର ସୁରକ୍ଷା ପାଇଁ ଭୂତୁଣୀର ସାହାଯ୍ୟ ନେଲେ କ୍ଷତି କ’ଣ?
ମୋ: ୯୩୩୭୬୪୮୬୩୮
ସରସ ରସ: ଅରଜା, ଅହଲ୍ୟା ଓ ଆମ ପିତେଈମାନେ
ଅବଶିଷ୍ଟ ସମୟକୁ ଲୁହରେ ଧୋଇ ଧୋଇ ଧୋବ ଫରଫର କରିବାକୁ ଯିଏ ଅସଫଳ ଚେଷ୍ଟା କରିଚାଲିଥାଏ, ସେ ହେଉଛି ବଳାତ୍କାରର ଶିକାର ହୋଇଥିବା ମହିଳାଟିଏ। ନାରୀ ବଳାତ୍କାର ଏ ଦେଶରେ ଏକ ଗତାନୁଗତିକତାରେ ପରିଣତ ହେଲାଣି।
/sambad/media/media_files/24krZFpdv3egcFdlx3wr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)