କ୍ଷମା କରିଦେବାର ସରଳ ଅର୍ଥଟି ହେଉଛି, ନିଜେ ନିର୍ଯାତନା ସହି ଚୁପ୍ ରହିଯିବା। ପରିସ୍ଥିତିର ବାଧ୍ୟବାଧକତାରେ ହେଉ ବା ଚାପଗ୍ରସ୍ତ ହୋଇ ହେଉ, ଦୋଷୀକୁ ପୀଡ଼ିତ କ୍ଷମା କରିଦେବା ଏକ ସାଧାରଣ କଥା। ମହାପୁରୁଷମାନେ ମଧ୍ୟ ଦୋଷୀକୁ କ୍ଷମା କରିଦେବା ପାଇଁ ପୀଡ଼ିତକୁ ପରାମର୍ଶ ଦେଇଛନ୍ତି ଅଥଚ ଦୋଷ କରିଥିବା ଲୋକର କ୍ଷମା ମାଗିବା ସଂପର୍କରେ ସେମାନେ ନିରବ। ଅନ୍ତର ମଧ୍ୟରୁ କ୍ଷମା ଦେଇ ଦୋଷୀ ସହିତ ପୁନଃ ସଂପର୍କ ସ୍ଥାପନ କଷ୍ଟକର ବିଷୟ। କ୍ଷମା କରିଦେବାର ଅର୍ଥ ହେଲା ଦୋଷୀକୁ ବନ୍ଧନମୁକ୍ତ କରି ନିଜେ ବନ୍ଦୀହୋଇ ସାରା ଜୀବନ ରହିଯିବା ପରି। ପୀଡ଼ା ପହଞ୍ଚାଇଥିବା ବ୍ୟକ୍ତିକୁ କ୍ଷମା କରିଦେଇ ଆମେ କ’ଣ ପ୍ରକୃତରେ ନିଜ ପ୍ରତି ସତ୍ ଓ ଦୋଷୀ ପ୍ରତି ଉଦାର ଆଚରଣ ଦେଖାଇଥାଉ? ବରଂ ଅନ୍ତଃକରଣରେ ଚାହିଁଥାଉ ଯେ କ୍ଷମା ପାଇଥିବା କଥାଟି ଦୋଷୀ କେବେ ଭୁଲିନଯାଇ ଆଜୀବନ କୃତଜ୍ଞ ରହୁ। ଜଣେ ମହାପୁରୁଷ କହିଥିଲେ, କିଏ ଯଦି ତୁମର ଗୋଟିଏ ଗାଲକୁ ଚାପୁଡ଼ା ମାରେ ଅନ୍ୟ ଗାଲଟି ଦେଖାଇଦିଅ। ପ୍ରଶ୍ନ ଉଠେ, ଅନ୍ୟ ଗାଲରେ ଚାପୁଡ଼ା ଖାଇସାରିବା ପରେ ପୁଣି କ’ଣ ପିଠି ଦେଖାଇଦେବା କି? ଏପରି କରି ସଂପୂର୍ଣ୍ଣ ଶରୀରରେ ଆଘାତ ସହିବା କେଉଁ ପ୍ରକାରର ଉଦାରତା? ଆଶ୍ଚର୍ଯ୍ୟର କଥା ଚାପୁଡ଼ା ମାରିବା ଅନୁଚିତ କଥାଟି କେହି କହେ ନାହିଁ। ଦୁର୍ବଳମନା କେବଳ କ୍ଷମା ଧର୍ମର ପ୍ରଚାର କରିଥାଏ। ଦୋଷୀକୁ କ୍ଷମା କରିଦେଲେ ମନର ଆଘାତ ଉପଶମ ହୋଇ ପାରିବନି। ପାଇଥିବା ପୀଡ଼ା ପାଇଁ ମନରେ କ୍ଷୋଭକୁ ଜାଗ୍ରତ ରଖିବା ନିଜପାଇଁ ପ୍ରତିରକ୍ଷା କବଚର ଭୂମିକା ନେଇଥାଏ। ନିଜକୁ ଅଧିକ କ୍ଷତି ସହିବାରୁ ରକ୍ଷା କରିଥାଏ। ଫଳତଃ କ୍ଷତି ଘଟାଇଥିବା ଲୋକଟି ଅଧିକ କ୍ଷତି କରିପାରେନି। ମନରେ ଉଜାଗର ଥିବା କ୍ରୋଧ ପୀଡ଼ିତକୁ ସୁରକ୍ଷା ଦେଇଥାଏ। କ୍ଷମା କରିଦେଇ ଚୁପ୍ ରହିଗଲେ ଦୋଷୀର ମନ ପରିବର୍ତ୍ତନ ହୁଏନି କାରଣ କରିଥିବା କାର୍ଯ୍ୟଟି ସେ ଠିକ୍ ବୋଲି ଭାବୁଥାଏ ଓ ପୀଡ଼ିତ ଠାରୁ ପ୍ରତିରୋଧର ଆଶଙ୍କା ନଥିବା ଜାଣି ନିଜ ଭୁଲ୍କୁ ପୁନଶ୍ଚ ଦୋହରାଇବାର ସାହସ ପାଏ। ପ୍ରକୃତରେ କ’ଣ ଦୋଷୀକୁ କ୍ଷମା କରିଦେବା ସମ୍ଭବ କି? ଯଦି କେହି କହେ, ମୁଁ ତା’ର ଦୋଷକୁ ନୁହେଁ, ଦୋଷୀକୁ କେବଳ କ୍ଷମା କରିଦେଇଛି, ତେବେ ଦୋଷଠାରୁ ଦୋଷୀକୁ ଅଲଗା କରାଯାଇ ପାରିବ କେମିତି? ମନେ କରନ୍ତୁ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ମହିଳା ପରିସ୍ଥିତିର ଚାପରେ ପଡ଼ି ଦୁଷ୍କର୍ମକାରୀକୁ କ୍ଷମା କରିଦେଲେ। ଦଶ ବର୍ଷ ପରେ ସେ ଅପରାଧୀଟି ସହିତ ତାଙ୍କର ଯଦି ସାକ୍ଷାତ ହୁଏ, ମହିଳା ଜଣକ ତା’ ସହିତ କରମର୍ଦ୍ଦନ କରି କଫି ପିଇବାକୁ ଆମନ୍ତ୍ରଣ କରିବେନାହିଁ। ବରଂ ଦଶ ବର୍ଷ ତଳର କ୍ଷତରୁ ତାଙ୍କର ପୁନଶ୍ଚ ରକ୍ତ ଝରିବ। କ୍ଷମା ଦାନର ଅସ୍ତିତ୍ବ ଆଉ ରହିଲା କେଉଁଠି? ପଶା ଖେଳରେ ସର୍ବସ୍ବ ହରାଇବା ପରେ ଯୁଧିଷ୍ଠିର କହିଥିଲେ, ସେ କୌରବମାନଙ୍କୁ କ୍ଷମା କରିଦେଲେ। ତା’ହେଲେ ମହାଭାରତ ଯୁଦ୍ଧ ହେଲା କ’ଣ ପାଇଁ?
ମନରେ ଦୁଃଖ ଓ କ୍ରୋଧ ଥିଲେ ମଧ୍ୟ ପୀଡ଼ିତଟି ପରିସ୍ଥିତିରେ ପଡ଼ି କ୍ଷମା କରିଦେବା କଥା କହିଥାଏ, ମାତ୍ର ସେ କ୍ଷମାଦାନ ତା’ର ହୃଦୟରୁ ଆସି ପାରେନି କି ଘଟଣାଟି ସେ କେବେ ବି ଭୁଲିଯାଇ ପାରେନି। ପରନ୍ତୁ ଦୋଷୀକୁ କ୍ଷମା ଦେବା ନାଁରେ ନିଜର ଦୁର୍ଭାଗ୍ୟକୁ କେବଳ କ୍ଷମା କରିଦିଏ। ଆମର ଶାସ୍ତ୍ର ପୁରାଣରେ ଦୋଷୀକୁ ପୂର୍ଣ୍ଣ କ୍ଷମା ଦିଆନଯାଇ କେବଳ ଦଣ୍ଡକୁ ତା’ର କୋହଳ କରାଯାଇଛି, ତାହା ପୁଣି ଦୋଷୀର କ୍ଷମା ପ୍ରାର୍ଥନା ଓ ଅନୁତାପକୁ ଦୃଷ୍ଟିରେ ରଖି।
କ୍ଷମା ଦେବାର ରୂପରେଖ କ’ଣ, କ୍ଷମାଦାନ ପାଇଁ ପୀଡ଼ିତକୁ କ’ଣ କରିବାକୁ ହେବ, କ୍ଷମା ଦେବାର ମାନସିକ ସ୍ଥିତିରେ ସେ ଅଛି କି ନାହିଁ ଏବଂ କ୍ଷମା ଦେବାର ବିଧି ବ୍ୟବସ୍ଥା ସବୁ କ’ଣ, ସେକଥା ଅସ୍ପଷ୍ଟ। କ୍ଷମା କରିଦେବା କଥା କହିବା ଜିହ୍ବାର ଶବ୍ଦବିଳାସ ହୋଇପାରେ ସିନା, ହୃଦୟର କ୍ଷତ ଉପଶମକ ନୁହେଁ। ମନର କ୍ଷତ ତାଜା ଥିବା ପର୍ଯ୍ୟନ୍ତ କ୍ଷମାଦାନ ଅର୍ଥହୀନ। ଅପରପକ୍ଷେ ଦୋଷୀକୁ କ୍ଷମା କରିଦେବା ପୀଡ଼ିତର ଦାୟିତ୍ୱ ନୁହେଁ କି ତା’ର ଉତ୍ତମ ଚରିତ୍ରର ଉଦାହରଣ ମଧ୍ୟ ନୁହେଁ। କାହାରି ହୃଦୟକୁ ଆଘାତ ଦେଇ କ୍ଷମା ମାଗିନେବା ସହଜ, ମାତ୍ର ନିଜେ ଆଘାତପ୍ରାପ୍ତ ହୋଇ ଦୋଷୀକୁ କ୍ଷମା କରିପାରିବା ଖୁବ୍ କଠିନ ଓ ଅସମ୍ଭବ। କାରଣ, ରକ୍ତର ଛିଟାକୁ ଦେହରୁ ପୋଛି ଦିଆଯାଇପାରେ, ଲୁହର ଛିଟାକୁ ହୃଦୟରୁ ପୋଛିବେ କେମିତି? ପ୍ରାଚୀନ ଦାର୍ଶନିକମାନେ କ୍ଷମାଦାନକୁ ଛଦ୍ମ ଅନୁକମ୍ପା ବୋଲି କହିଛନ୍ତି। ଆରିଷ୍ଟୋଟଲଙ୍କ ମତରେ “କ୍ଷମା ପ୍ରଦାନ ଏକ ସୁସ୍ଥ ମାନବୀୟ ଆଚରଣ ନୁହେଁ। କାରଣ କ୍ଷମା ପୀଡ଼ିତର ପ୍ରାପ୍ୟକୁ ନ୍ୟୂନ କରିଦିଏ ଓ ନିଜସ୍ବ ସମ୍ମାନ ତା’ର ନିଜ ଦୃଷ୍ଟିରେ କ୍ଷୁଣ୍ଣ ହୋଇଯାଏ।”
କ୍ଷମା ଦେବାର ପ୍ରଶ୍ନ ଉଠିଲେ ପ୍ରଥମେ ଚିନ୍ତାକରି ଦେଖନ୍ତୁ ଆପଣ କାହାକୁ କ୍ଷମା କରିବାକୁ ଯାଉଛନ୍ତି। ସେ ପୀଡ଼ାଦାତାକୁ ନା କେବଳ ସେ ଦେଇଥିବା ପୀଡ଼ାକୁ ନା ଉଭୟକୁ। ଚିନ୍ତା କରନ୍ତୁ, ଏପରି କରିପାରିବା ସମ୍ଭବ କି? ମନ ଭିତରେ ସେ ସ୍ମୃତି ଉଜାଗର ଥିବା ପର୍ଯ୍ୟନ୍ତ କ୍ଷମା ପ୍ରଦାନ ନିରର୍ଥକ। କ୍ଷମା ପ୍ରଦାନର ବିଧି କ’ଣ? ଦୋଷୀ ପ୍ରତି ନିଜର ହୃଦୟ ପରିବର୍ତ୍ତନ କରି ନା ନିଜର କ୍ରୋଧ ଓ ଘୃଣାକୁ ପରିହାର କରି ନା ଦୋଷୀ ପ୍ରତି ନିଜର ବ୍ୟବହାରରେ ପରିବର୍ତ୍ତନ କରି? ତା’ ସହିତ ବୁଝାମଣା କରି ନା କ୍ଷମା ଦେଇଥିବା କଥା ଘୋଷଣା କରି? ହୃଦୟରୁ ସେ ପୀଡ଼ାକୁ ପୋଛି ଦେଇନପାରିଲେ କ୍ଷମା ଦାନ ସମ୍ଭବ ହେବ କେମିତି? ଲେଖକ ଜଣେ କହିଥିଲେ, ‘ଦୋଷୀକୁ କ୍ଷମା ନଦେଇ କ୍ରୋଧକୁ ଉଜାଗର ରଖିବା ହେଉଛି ନିଜେ ବିଷ ପାନକରି ଅନ୍ୟର ମୃତ୍ୟୁକୁ ଅପେକ୍ଷା କରିବା।’ ସଂପୂର୍ଣ୍ଣ ଭୁଲ୍ କଥା। ବରଂ କ୍ଷମାଦାନ ହେଉଛି, ନିଜେ ତୃଷିତ ରହି ଅନ୍ୟକୁ ଫଳରସ ପାନ କରାଇବା। ଦଣ୍ଡ ଦେବାର ଅଧିକାର ଥିବା ବ୍ୟକ୍ତି କେବଳ କ୍ଷମା ଦେଇପାରେ। ‘ଦଣ୍ଡିବା ଶକ୍ତି ଯାର ଥାଇ, ସେ ପୁଣି କ୍ଷମା ଆଚରଇ।’ ଆମ ପାଖରେ ଦଣ୍ଡ ଦେବାର କ୍ଷମତା ଅଛି କି?
[email protected]