ମନୁଷ୍ୟର ଜୀବନଯାତ୍ରା ଦୁଇଟି ପଥ ଦେଇ ଗତି କରେ। ଗୋଟିଏ ଧର୍ମ ଓ ଅନ୍ୟଟି ଅଧର୍ମ। ଧର୍ମ ହେଉଛି ନୀତି ଓ ଆଦର୍ଶର ପଥ ଏବଂ ଅଧର୍ମ ଅନୀତିର ମାର୍ଗ। ଏ ଦୁଇଟିର ଆଧାରରେ ମନୁଷ୍ୟର ଚରିତ୍ର ଓ କାର୍ଯ୍ୟ ଦ୍ବିବିଧା ବିଭକ୍ତ; ନୈତିକ ଓ ଅନୈତିକ। ଏ ନୀତି, ନିୟମ, ଧର୍ମ ଓ ଅଧର୍ମ ସବୁ ନିରୂପଣ କରିଛି କିଏ? ମନୁଷ୍ୟ ନିଜେ ନିଜର ନୈତିକତାର ମୂଲ୍ୟବୋଧ ତିଆରି କରେ ନା ଏକ ବୃହତ୍ତର ସମାଜ ମନୁଷ୍ୟ ପାଇଁ ସଂସ୍କୃତି ଓ ଯୁଗ ନିର୍ବିଶେଷରେ ନୈତିକ ଚରିତ୍ରର ନୀତି ନିୟମ ସବୁ ପ୍ରସ୍ତୁତ କରିଥାଏ? ସଂକ୍ଷେପରେ କହିଲେ ପ୍ରଶ୍ନଟି ହେଉଛି ନୈତିକତା ମନୁଷ୍ୟର ଆତ୍ମଘୋଷିତ ଓ ଆତ୍ମନିଷ୍ଠ ନା ବ୍ୟକ୍ତି-ନିରପେକ୍ଷ ଓ ସର୍ବମାନ୍ୟ?
ଆମର ଜୀବନଶୈଳୀ ନୈତିକତା ଓ ଧର୍ମର ଅବଧାରଣା ଉପରେ ପ୍ରତିଷ୍ଠିତ। ନୈତିକତା ଅଛି ବୋଲି ମନୁଷ୍ୟ ପଶୁଠାରୁ ସ୍ବତନ୍ତ୍ର। ନୀତି ଓ ଆଦର୍ଶର ନିୟମଗୁଡ଼ିକ ସର୍ବଗ୍ରାହ୍ୟ ହେଲେ ସଂସାରର ଚକ୍ର ସୁରୁଖୁରୁରେ ଆଗକୁ ବଢ଼େ ଓ ଜୀବନଯାତ୍ରା ସୁଖକର ହୁଏ। ଏହା ହିଁ ହେଉଛି ନୈତିକ ବସ୍ତୁବାଦ। ଅବଶ୍ୟ ନୈତିକତାର ବିଚାର ଆପେକ୍ଷିକ, ଅଖଣ୍ଡ ନୁହେଁ। ଗୋଟିଏ ନୈତିକତାର ଅବବୋଧ ଯେତିକି ଯୁକ୍ତିଯୁକ୍ତ ତା’ର ବିପରୀତ ମୂଲ୍ୟବୋଧଟି ମଧ୍ୟ ସ୍ଥଳ ବିଶେଷରେ ସେତିକି ଯୁକ୍ତିଯୁକ୍ତ ହୋଇପାରେ। ଜଣେ ଓକିଲ ତା’ର ନୈତିକତାର ବିଚାର ଆଧାରରେ ନରହତ୍ୟା ଦଣ୍ଡନୀୟ ଅପରାଧ ବୋଲି ଜାଣିଥିଲେ ମଧ୍ୟ ନିଜର ନରହନ୍ତା ମହକିଲକୁ ସେ ଅପରାଧରୁ ବଞ୍ଚାଇବା ତା’ର ପ୍ରକୃତ ନୈତିକତା ବୋଲି ବିବେଚନା କରିଥାଏ। ମାନବ ଜଗତ ସର୍ବଦା ଦୁଃଖ କଷ୍ଟ ଦେଇ ଗତି କରିବାର କାରଣ ହେଉଛି ନୈତିକତାର ବୈଶ୍ବିକ ମୂଲ୍ୟବୋଧକୁ ଗ୍ରହଣ କରିବାକୁ କେହି ପ୍ରସ୍ତୁତ ନୁହନ୍ତି। ଅର୍ଥାତ୍ ନୈତିକତା ବ୍ୟକ୍ତି ନିରପେକ୍ଷ ନ ହୋଇ କାଳେ କାଳେ ବ୍ୟକ୍ତିନିଷ୍ଠ ହୋଇ ରହିଆସିଛି। ମନୁଷ୍ୟ ନିଜ ପାଇଁ ନିଜେ ନୈତିକତାର ପରିଭାଷା ପ୍ରସ୍ତୁତ କରୁଛି।
ନୀତି, ଆଦର୍ଶ, ମର୍ଯ୍ୟାଦା ଓ ଧର୍ମ ମାର୍ଗର ଉଦାହରଣୀୟ ପବିତ୍ର ଗ୍ରନ୍ଥ ହେଉଛି ରାମାୟଣ। ନୀତି, ଆଦର୍ଶର ପ୍ରସଙ୍ଗ ଆସିଲେ ରାମାୟଣର କଥାକୁ ଆମେ ଉଦାହରଣ ଭାବରେ ନେଇଥାଉ। ତେଣୁ ରାମାୟଣର ତିନିଟି ଘଟଣାକୁ ଉପଜୀବ୍ୟ କରି ଆମେ ବିଶ୍ଳେଷଣ କରିବା ନୈତିକତା ବ୍ୟକ୍ତି-ନିରପେକ୍ଷ ସର୍ବକାଳୀନ ସତ୍ୟ ନା ସଂପୂର୍ଣ୍ଣ ବ୍ୟକ୍ତିନିଷ୍ଠ କିଛି କଳ୍ପିତ ମାର୍ଗ। ପ୍ରଥମ ଘଟଣାଟି ଶୂର୍ପଣଖାକୁ ନେଇ। ଶୂର୍ପଣଖାର ନାସା, କର୍ଣ୍ଣ ଛେଦନ ବୋଧହୁଏ ବିଶ୍ବରେ ନାରୀ ପ୍ରତି ସର୍ବପ୍ରଥମ ଓ ବର୍ବରତମ ଅସଦାଚରଣ। ଏ କାର୍ଯ୍ୟଟି ପଛରେ ନା ଆଦର୍ଶ ଅଛି ନା ନୈତିକତା। ଗୋଟିଏ ଝିଅର ଯାହାବି ଭୁଲ୍ ଥାଉ ନା କାହିଁକି, ତା’ର ନାକ କାନ କାଟିଦେଇ ବିକଳାଙ୍ଗ କରିଦେବା ନୈତିକତା ବିରୋଧୀ ଏକ ବିକୃତ ମାନସିକତା। ଏଠି ନୀତି ଓ ଆଦର୍ଶ ସର୍ବଗ୍ରାହ୍ୟ ନୁହେଁ, କେବଳ ଆତ୍ମ-ଘୋଷିତ। ଦ୍ୱିତୀୟ ଘଟଣାଟି ବିଭୀଷଣକୁ ନେଇ। ଏକ ବିବାହିତା ନାରୀକୁ ଅପହରଣ ରାବଣ ପକ୍ଷରେ ଅନୈତିକ କାର୍ଯ୍ୟ ଥିଲା। ସୀତାଙ୍କୁ ସସମ୍ମାନେ ଛାଡ଼ିଦେବାକୁ ପରାମର୍ଶ ଦେଇ ବିଭୀଷଣ ଲଙ୍କାରୁ ବିତାଡ଼ିତ ହେବା ପରେ ଶତ୍ରୁର ଶିବିରରେ ଯୋଗଦେବା ଦେଶପ୍ରତି ବିଶ୍ବାସଘାତକତା। ନୀତି କହେ ଜନ୍ମମାଟି ଓ ଦେଶ ସର୍ବୋପରି। ଦେଶର ଶତ୍ରୁ ସହିତ ହାତ ମିଳାଇ ନିଜ ଦେଶର ନିରାପତ୍ତା ସଂପର୍କୀୟ ଗୁପ୍ତ ତଥ୍ୟ ପ୍ରଘଟ କରିଦେବା ନୈତିକ ଆଚରଣ ନୁହେଁ। ଲଙ୍କାର ପତନ ଏକ ଯୋଦ୍ଧାର ବୀରତ୍ବ ପାଇଁ ହୋଇ ନାହିଁ ବରଂ ବିଭୀଷଣର ଦେଶ ପ୍ରତି ବିଶ୍ବାସଘାତ ପାଇଁ ହୋଇଛି। ଏପରି କରି ବିଭୀଷଣ ଧର୍ମର ମାର୍ଗରେ ଯାଇ ନାହିଁ। ରାଜଦ୍ରୋହ ଅନୈତିକ ନୁହେଁ, କିନ୍ତୁ ଦେଶଦ୍ରୋହ ଅନୈତିକ। ନାରୀ ଅପହରଣ ଯଦି ଅଧର୍ମ, ଦେଶଦ୍ରୋହ ମଧ୍ୟ ତତୋଽଧିକ ଅଧର୍ମ। ଚାହିଁଥିଲେ ବିଭୀଷଣ ଭୀଷ୍ମଙ୍କ ପରି ନିରବ ରହିଯାଇ ପାରିଥାନ୍ତା। କୁମ୍ଭକର୍ଣ୍ଣକୁ ଦେଖନ୍ତୁ, ବିଭୀଷଣ ତାକୁ ନିଜ ପକ୍ଷକୁ ନେବାପାଇଁ ପ୍ରରୋଚିତ କଲାବେଳେ ସେ କହିଛି, ‘ଏହା ସତ୍ୟ ଯେ ଭାଇ ରାବଣ ସୀତାଙ୍କୁ ଅପହରଣ କରି ଭୁଲ୍ କରିଛି, କିନ୍ତୁ ଦେଶ ଯେତେବେଳେ ଶତ୍ରୁ ଦ୍ବାରା କବଳିତ ମୋର ପ୍ରଥମ କର୍ତ୍ତବ୍ୟ ଦେଶରକ୍ଷା’। ଧର୍ମାତ୍ମା ବିଭୀଷଣର ନୈତିକତାର ସ୍ଥାନ କେଉଁଠି? ତୃତୀୟ ଘଟଣାଟି ସୀତାଙ୍କୁ ବଣରେ ପରିତ୍ୟାଗ କରିବାକୁ ନେଇ। ପ୍ରଜାର ହିତ ପାଇଁ ରାଜା ପତ୍ନୀକୁ ପରିତ୍ୟାଗ କରିପାରେ। ଏହା ତା’ର ନୈତିକ ରାଜଧର୍ମ। କିନ୍ତୁ ସୀତା ପ୍ରଥମତଃ ଜଣେ ଗର୍ଭବତୀ ନାରୀ ଓ ଅଯୋଧ୍ୟାର ନାଗରିକ। ତତ୍ପରେ ସେ ଦେଶର ରାଣୀ ହୋଇପାରନ୍ତି। ନିଜ ଦେଶର ଜଣେ ଗର୍ଭବତୀ ମହିଳାକୁ ସୁରକ୍ଷା ଦେବା ବଦଳରେ ତା’ର ଅଗୋଚରରେ ତାକୁ ବନସ୍ତରେ ନିର୍ବାସିତ କରିବା ନୈତିକତା ନୁହେଁ କି ରାଜଧର୍ମ ନୁହେଁ। ସୀତାଙ୍କୁ ତାଙ୍କ ପିତ୍ରାଳୟରେ ଛଡ଼ାଯାଇ ପାରିଥାନ୍ତା, ଦେଶାନ୍ତର କରାଯାଇ ପାରିଥାନ୍ତା। ନୈତିକତାର ବ୍ୟକ୍ତିଗତ ବ୍ୟାଖ୍ୟା ଯୋଗୁଁ ଏପରି ଅନାଚାର ଘଟିଲା।
ନୀତି ଓ ଆଦର୍ଶର ମହାନ ଗ୍ରନ୍ଥରୁ ଏ କେତୋଟି ଘଟଣା ବିଚାରକୁ ନେଲେ ମନେ ହୁଏନି ନୈତିକତା ମାନବ ଧର୍ମର ଏକ ମୁଖ୍ୟ ବୈଶିଷ୍ଟ୍ୟ। ନୀତି ଓ ଆଦର୍ଶ କୌଣସି କାଳରେ ମଧ୍ୟ ବିଷୟାନିଷ୍ଠ ନଥିଲା। ନିଜର ବ୍ୟକ୍ତିଗତ ସୁବିଧା ଆଧାରରେ ମନୁଷ୍ୟ ନୈତିକତାର ସଜ୍ଞା ନିରୂପଣ କରୁଥିଲା ଓ ଆଜି ବି ତାହା ଚାଲିଛି। ଗୋଟିଏ ଉତ୍ତମ ଦୁନିଆରେ ନୈତିକତା ବାସ୍ତବ ଓ ବ୍ୟକ୍ତି-ନିରପେକ୍ଷ ହେବା ଜରୁରୀ। ମାତ୍ର ମନୁଷ୍ୟ ନିଜ ଦୃଷ୍ଟିକୋଣରୁ ହିଁ ନୀତି ଓ ଆଦର୍ଶର ମାର୍ଗ ପ୍ରସ୍ତୁତ କରୁଛି। ନୈତିକ ସାପେକ୍ଷତାର ଅଭାବ ସଭ୍ୟତାର ପତନ ପାଇଁ ଦାୟୀ। ଯେ ପର୍ଯ୍ୟନ୍ତ ନୈତିକ ମୂଲ୍ୟବୋଧ ସାର୍ବଜନୀନ ଓ ବ୍ୟକ୍ତି-ନିରପେକ୍ଷ ନ ହୋଇଛି ଏ ସଂସାର ଓ ତା’ର ଅଧିବାସୀ ନିର୍ଯାତନା ସହି ସହି ବଞ୍ଚିବାକୁ ବାଧ୍ୟ ହେଉଥିବେ। ନୈତିକତାର ଅସନ୍ତୁଳନ, ନୀତି ଓ ଆଦର୍ଶ ଉପରେ ବ୍ୟକ୍ତିଗତ ସ୍ବାର୍ଥର ପ୍ରଭାବ ହେତୁ ନୈତିକତା ବ୍ୟକ୍ତିକୈନ୍ଦ୍ରିକ ହେବାକୁ ବାଧ୍ୟ ହେଉଛି। ବିଭୀଷଣ ଦେଶଦ୍ରୋହୀ ହୋଇ ମଧ୍ୟ ଧର୍ମାତ୍ମା ଏବଂ ସୀତା ଓ ଶୂର୍ପଣଖା ପ୍ରତି ବର୍ବରତା ମଧ୍ୟ କାହାକୁ ମର୍ଯ୍ୟାଦାବନ୍ତର ଶିରପା ବନ୍ଧାଇ ଦେଇଛି।
[email protected]
ସରସ ରସ: ନୈତିକ ବସ୍ତୁବାଦ ଓ ମନୁଷ୍ୟ
ସୁଭାଷ ପଟ୍ଟନାୟକ
/sambad/media/post_attachments/wp-content/uploads/2023/06/54d65465gjgjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)