ସନ୍ତାନ ପାଠପଢ଼ାରେ ମେଧାବୀ ହେଉ କି ନହେଉ, ପିତାମାତାଙ୍କର ସ୍ବପ୍ନ ଥାଏ ପିଲା ଆମର ଆଇଏଏସ୍ ହେଉ। ବ୍ରିଟିଶ ସାମନ୍ତବାଦର ସମସ୍ତ ସୁବିଧା ସୁଯୋଗ ଥିବା ଏ ବାବୁତନ୍ତ୍ର ପ୍ରତି କିଏ ବା ଆକୃଷ୍ଟ ନହେବ। କୁହାଯାଏ ମନୁଷ୍ୟର ଚରିତ୍ର ଯଦି ଜାଣିବାକୁ ଚାହୁଁଛ ତାକୁ କ୍ଷମତାର ଚଉକିରେ ବସାଇଦିଅ। ବାବୁଙ୍କ ଚଉକି ହେଉଛି ସେଇ ଚଉକି। ଏହା ଏମିତି ଏକ ପଦ, ଯେଉଁଥିରେ କ୍ଷମତା ଅଛି, ପ୍ରତିଷ୍ଠା ଅଛି, ସମ୍ମାନ ଅଛି ଏବଂ ପଇସା ମଧ୍ୟ ଅଛି। ଯାହା ନାହିଁ ତାହା ହେଉଛି ଉତ୍ତରଦାୟିତ୍ବ। ଆପଣ ପ୍ରଶ୍ନ କରିପାରନ୍ତି ଆଇପିଏସ୍, ଇଞ୍ଜିନିଅର, ଡାକ୍ତର, ଅଧ୍ୟାପକ ଓ ଅନ୍ୟାନ୍ୟ ପେସାରେ ଥିବା ବ୍ୟକ୍ତିମାନେ କ’ଣ ବାବୁ ନୁହନ୍ତି? ନା, ମୋଟେ ନୁହେଁ। ସେମାନଙ୍କ ମୂର୍ଦ୍ଧନା ଉପରେ ପରା ବସିଛନ୍ତି ଜଣେ ଜଣେ ବାବୁ! ସେମାନେ ହେଉଛନ୍ତି ଜନ ସେବକ, ମାନେ ‘ପବ୍ଲିକ ସର୍ଭାଣ୍ଟ’ କିନ୍ତୁ ବାବୁମାନେ ହେଲେ ରୁଲିଂ ବ୍ୟୁରୋକ୍ରାଟ୍ ବା ଶାସନକର୍ତ୍ତା ହାକିମ। ବାବୁମାନଙ୍କର ପୂର୍ବପୁରୁଷ ହେଉଛନ୍ତି ବ୍ରିଟିଶ। ଫିରଙ୍ଗିମାନେ ସିନା ଚାଲିଗଲେ, ଛାଡ଼ିଦେଇ ଗଲେ ଏ ବାବୁତନ୍ତ୍ରଟି। ଧଳା ଚମଡ଼ା କେବଳ କସରା ହୋଇଗଲା ସିନା ମିଜାଜରେ ଗୋରା ସାହେବ ଉପସର୍ଗଟି ପୂର୍ବବତ୍ ବଜାୟ ରହିଗଲା। ବିଦେଶୀ ମିଜାଜର ଏ ଦେଶୀ ବାବୁମାନେ ସଂବିଧାନର ଧାରା ୩୧୨(୨)ର କବଚ ପିନ୍ଧି ରହିଗଲେ ଅଜରଅମର ହୋଇ।
ଏବେ ଜାଣିବା ବାବୁମାନଙ୍କର ଦିନଚର୍ଯ୍ୟା। ଶୀତତାପ ନିୟନ୍ତ୍ରିତ କୋଠରି, ଏକାଧିକ ଗାଡ଼ି, ସହାୟକ କର୍ମଚାରୀବୃନ୍ଦ, ରହିବା ପାଇଁ ଦିବ୍ୟ ଭବନ ଓ ଗଣ୍ଡାଗଣ୍ଡା ପରିଚାରକ ସହିତ ଅଗଣତି ସୁବିଧା ସୁଯୋଗ। ଚଉକି ଉପରେ ପଡ଼ିଥିବ ଧଳା ଟାୱେଲ ଓ ଦୁଆରବନ୍ଧ ଉପରେ ଜଳୁଥିବ ନାଲି ବତୀ। ଭିତରେ ଚାଲିଥିବ ମିଟିଂ ପରେ ମିଟିଂ। ବାହାରେ ଅପେକ୍ଷାରତ ଜନତାଙ୍କ ପାଇଁ ଏ ‘ମାଈବାପ୍’ ସର୍ବଦା ଅପହଞ୍ଚ। ଦୁଃଖ ଜଣାଇବାକୁ ଫୋନ କଲେ ସହାୟକଙ୍କର ନିର୍ଦ୍ଦିଷ୍ଟ ଉତ୍ତର, ସାର୍ ମିଟିଂରେ ଅଛନ୍ତି। ସେ ମିଟିଂ କେବେ ମଧ୍ୟ ଶେଷ ହୁଏନି। ଦେଶର ଉତ୍କୃଷ୍ଟ ସେବା କରିବା ଲକ୍ଷ୍ୟରେ ଜନତାଙ୍କ ଖର୍ଚ୍ଚରେ ବାବୁ ମଧ୍ୟ ବିଦେଶ ଯାଆନ୍ତି ଉଚ୍ଚଶିକ୍ଷା ପାଇଁ। ଏତେ ବୁଦ୍ଧିମାନ ବାବୁ ମାନଙ୍କର ବୁଦ୍ଧି କିପରି କାମରେ ଲାଗେ ଦେଖନ୍ତୁ: ଶିକ୍ଷା ଲଭିଥିବେ ଇତିହାସ, ଦାୟିତ୍ୱ ନେଇଥିବେ ପ୍ରଯୁକ୍ତି ବିଭାଗର। ପାଠ ପଢ଼ିଥିବେ ଡାକ୍ତରୀ, ବିଭାଗ ସମ୍ଭାଳିଥିବେ କୃଷି। ପଢ଼ିଥିବେ ଧାତୁ ବିଜ୍ଞାନ, ଦାୟିତ୍ୱ ଥିବ ଅର୍ଥ ବିଭାଗର। ବାବୁଙ୍କ ଛଡ଼ା ଆଉ ଯିଏ ରହିଲେ ସେମାନଙ୍କର ପାଠ ଯାହା ବିଭାଗ ତାହା। ଇଞ୍ଜିନିଅର ଜଣେ ଡାକ୍ତର ହୋଇପାରିବନି କିନ୍ତୁ ବାବୁ ଇଞ୍ଜିନିଅର ହୋଇ ସ୍ବାସ୍ଥ୍ୟ ବିଭାଗ ସମ୍ଭାଳି ପାରିବେ। ଅବଶ୍ୟ ବହୁତ ଦକ୍ଷତା ସଂପନ୍ନ ବାବୁ ଏ ଦେଶରେ ଥିଲେ ଓ ଅଛନ୍ତି ଯେଉଁମାନଙ୍କ ଦକ୍ଷତା ବଳରେ ଦେଶ ଆଗକୁ ବଢୁଛି। କିନ୍ତୁ ସେମାନେ ଗରିବ ଘରର ତରକାରି ହାଣ୍ଡିରେ ମାଉଁସ ଖଣ୍ଡ ପରି ଅତି ନଗଣ୍ୟ। ମନେ କରନ୍ତୁ ଆପଣ ଅଢ଼େଇଶ ମାଉଁସରେ ଦୁଇକିଲୋ ଆଳୁ ପକାଇ ରାନ୍ଧିଲେ। ତାହା ଆଳୁ ତରକାରି ବୋଲାଇବ ନା ମାଉଁସ ତରକାରି? ନିଶ୍ଚୟ ଆମେ କହିବୁ ମାଉଁସ ତରକାରି। କେତେଖଣ୍ଡ ମାଉଁସର ସ୍ବାଦ ଓ ସୁଗନ୍ଧ ଯେମିତି ଦୁଇ କିଲୋ ଆଳୁକୁ ସ୍ବାଦିଷ୍ଠ କରିଦିଏ, କିଛି ଦକ୍ଷତା ସଂପନ୍ନ ଓ କାର୍ଯ୍ୟରେ ସଚ୍ଚୋଟ ବାବୁଙ୍କ ଯୋଗୁଁ ଏ ଦେଶ ଆଗକୁ ବଢୁଛି।
ସ୍ତମ୍ଭକାର ଜଗ୍ ସୁରାୟା ଅନେକ ବର୍ଷ ପୂର୍ବେ ତାଙ୍କର ଗୋଟିଏ ଲେଖାରେ “ଗେଷ୍ଟିମେଟ୍” କରି କହିଥିଲେ, ଜନତାଙ୍କ ଖର୍ଚ୍ଚରେ ଏ ଦେଶୀ ବାବୁମାନେ ଯେତେ ବିଦେଶ ଭ୍ରମଣ କଲେଣି, ଦୂରତା ଅନୁଯାୟୀ ତାହା ପାଞ୍ଚ କୋଟି କିଲୋମିଟରରୁ ଅଧିକ ହେବ, ଅର୍ଥାତ୍ ସତୁରି ଥର ଚନ୍ଦ୍ର ଅଭିଯାନ ସହିତ ସମାନ। ସେ ଅର୍ଜିତ ଜ୍ଞାନ କେଉଁ କାମରେ ଲାଗିଛି କେହି ଜାଣନ୍ତିନି। ବାବୁଙ୍କର ତ ଉତ୍ତରଦାୟିତ୍ୱ କିଛି ନାହିଁ, ଆପଣ ତାଙ୍କୁ ପ୍ରଶ୍ନ ମଧ୍ୟ ପଚାରି ପାରିବେନି। ଚଉକି ହଟିଯିବାର ଭୟ ମଧ୍ୟ ନାହିଁ। ଅବସର ବେଳକୁ ଆଉ ଗୋଟିଏ ଚଉକି ଯୋଗାଡ଼ ହୋଇ ରହିଥାଏ। ଏଥିରୁ ଉଠି କେବଳ ସେଥିରେ ବସିବା କଥା। ବାବୁଙ୍କ ପ୍ରତାପ କେତେ ତାହା ଜରୁରୀ ପରିସ୍ଥିତି ସମୟରେ ଆମେ ସବୁ ଦେଖିଛେ। ସୁରାୟା ମହାଶୟଙ୍କ ହିସାବ ଅନୁଯାୟୀ ସ୍ବାଧୀନତା ପରେ ଆମ ଦେଶରେ ପ୍ରକଳ୍ପଗୁଡ଼ିକର ବିଳମ୍ବକୁ ହିସାବ କଲେ ପାଞ୍ଚ ଶହ ବର୍ଷରୁ କମ୍ ହେବ ନାହିଁ। କେଉଁଠି ଦୁଇ ମାସର କାମକୁ ଦୁଇ ବର୍ଷ ଲାଗୁଛି ତ କେଉଁଠି ଦୁଇ ବର୍ଷର ପ୍ରକଳ୍ପ ଦଶ ବର୍ଷରେ ମଧ୍ୟ ଶେଷ ହେଉ ନାହିଁ। କିନ୍ତୁ ଆପଣ ବାବୁମାନଙ୍କୁ ଏ ପ୍ରଶ୍ନ ପଚାରି ପାରିବେନି। ଘରୋଇ ଉଦ୍ୟୋଗର କର୍ମଚାରୀ କମ୍ପାନି ପଇସାରେ ଚା’ କପ୍ଟିଏ ପିଇଲେ ସିଟିସିରେ ତା’ର ହିସାବ ରହେ। ଏ ସିଟିସି ହେଉଛି କଷ୍ଟ-ଟୁ-କମ୍ପାନି। କର୍ମଚାରୀ ପାଇଁ କମ୍ପାନି କରୁଥିବା ସମସ୍ତ ଖର୍ଚ୍ଚର ହିସାବ। ସିଟିସି ଠାରୁ ଅଧିକ ଯଦି କର୍ମଚାରୀ ଜଣକ ଦେଇପାରେନି ଛଟେଇର ବନ୍ଧୁକ ଗର୍ଜିଉଠେ। ବାବୁଙ୍କ କ୍ଷେତ୍ରରେ ତାହା ଲାଗୁ ହେବା କଥା, ମାନେ କଷ୍ଟ-ଟୁ-କଣ୍ଟ୍ରି। ଦେଶ ତୁମକୁ କେତେ ଦେଇଛି, ତୁମେ ଦେଶକୁ କେତେ ଦେଲ। କାର୍ଯ୍ୟରେ ହେଉଥିବା ବିଳମ୍ବ, ପ୍ରକଳ୍ପ ଗୁଡ଼ିକର ବିଳମ୍ବ, ଭୁଲ୍ ନିଷ୍ପତ୍ତି ଜନିତ କ୍ଷତି ଓ ବିଦେଶ ଭ୍ରମଣରୁ ଦେଶ କ’ଣ ପାଇଲା ସେସବୁ ସିଟିସିରେ ଯୋଗହୋଇ ହିସାବ ହୁଅନ୍ତା।
ବାବୁମାନେ ଏବେ ତ ରାଜନୀତିରେ ମଧ୍ୟ ଶ୍ରଦ୍ଧା ରଖିଲେଣି। ଅର୍ଥାତ୍ ଚଉକିରେ ବସିରହି ରାଜନୀତି କରିବେ। କେବେ ସମୟ ଥିଲା ବାବୁମାନେ ତାଙ୍କ ମନ୍ତ୍ରୀଙ୍କୁ ‘ୟେସ୍ ମିନିଷ୍ଟର’ କହୁଥିଲେ ଏବେ ସମୟର ବକ୍ରଦୃଷ୍ଟି ଏମିତି ଯେ ମନ୍ତ୍ରୀମାନେ ବାବୁଙ୍କୁ ‘ୟେସ୍ ସାର୍’ କହିବାକୁ ପଡ଼ିଲାଣି। ଜର୍ଜ ଅରୱେଲଙ୍କର ଉପନ୍ୟାସ ‘ନାଇଣ୍ଟିନ୍ ଏଇଟିଫୋର୍’ କଥା ମନେ ପକାନ୍ତୁ। ପ୍ରକୃତ ଶାସକ ସେଠାରେ ଅଦୃଶ୍ୟ। ଶାସନ କରୁଛି ଜଣେ ବିଗ୍ ବ୍ରଦର୍। ବିଗ୍ ବ୍ରଦର୍ର ନଜର ସମସ୍ତଙ୍କ ଉପରେ। ବ୍ରଦର୍ ନାଗରିକର ପ୍ରତ୍ୟେକ ଆଚରଣକୁ ନିୟନ୍ତ୍ରଣ କରୁଛି। ବିଗ୍ ବ୍ରଦର୍ଙ୍କ କାର୍ଯ୍ୟ ବିରୋଧରେ ଭାବିବା ମଧ୍ୟ ଏକ ‘ଥଟ୍ କ୍ରାଇମ୍’। ଚିନ୍ତନରେ ଅପରାଧ। ବ୍ରଦର୍ଙ୍କ ବିରୋଧରେ କେହି ନ ଯିବା ଓ ସେଥିପାଇଁ ନାଗରିକର ଭାବନାକୁ ସୀମିତ ରଖିବା ପାଇଁ ପ୍ରଚଳିତ ହୋଇଛି ‘ନିୟୁସ୍ପିକ୍’ ଭାଷା। ଭାବନା ଯଦି ଭାଷାକୁ ଭ୍ରଷ୍ଟ କରିପାରେ ଭାଷା ମଧ୍ୟ ଭାବନାକୁ ଭ୍ରଷ୍ଟ କରିଦେବ, ଏହା ବ୍ରଦର୍ଙ୍କ ଯୁକ୍ତି। ବିଗ୍ ବ୍ରଦରଙ୍କ ବିରୋଧରେ ଭାବୁଥିବା ବ୍ୟକ୍ତିକୁ ଧରିନେଇ ଉପର ମହଲା ରୁମ୍ ନମ୍ବର ୧୦୧ରେ ମାନସିକ ଦଣ୍ଡ ଦିଆଯାଏ।
ବ୍ରିଟିଶ ରାଜତନ୍ତ୍ରର ଏ ପରିବର୍ତ୍ତିତ ରୂପ ବାବୁତନ୍ତ୍ର ଏବେ ବିଗ୍ ବ୍ରଦର୍ ହେବାକୁ ସ୍ବପ୍ନ ଦେଖୁନି ତ? ଯଦି ତାହା ହୁଏ, ସ୍ବାଧୀନତା ପରେ ଆମେ ଆକାଶରୁ ପଡ଼ି ଖଜୁରି ଗଛରେ ଲଟକି ରହିବା ପରି ହେବ।
[email protected]
ସରସ ରସ: ବାବୁତନ୍ତ୍ର ଓ ବିଗ୍ ବ୍ରଦର୍
ସୁଭାଷ ପଟ୍ଟନାୟକ
/sambad/media/post_attachments/wp-content/uploads/2023/07/fs54654hfhshsfshf.jpg)