ବିଶିଷ୍ଟ ଉର୍ଦ୍ଦୁ କବି ସ୍ବର୍ଗତ ନିଦା ଫାଜଲି ଲେଖିଛନ୍ତି, “ସୁବହ ସେ ଶାମ୍ ତକ୍ ବୋଝ୍ ଢୋତା ହୁଆ, ଅପନି ହି ଲାଶ୍ କା ଖୁଦ୍ ମଜାର୍ ଆଦମୀ....”। ସକାଳୁ ସଞ୍ଜ ପର୍ଯ୍ୟନ୍ତ ନିଜ ଶବର ବୋଝ ବୋହି ବୋହି ମନୁଷ୍ୟ ନିଜେ ନିଜର କବର ପାଲଟି ଯାଉଛି। ସତରେ, ମୃତ୍ୟୁ ଆସିବା ପର୍ଯ୍ୟନ୍ତ ମନୁଷ୍ୟ କେବଳ ବୋଝ ମୁଣ୍ଡାଇ ତ ଚାଲିଛି! କେତେବେଳେ ମୁଣ୍ଡ ଉପରେ ତ ଆଉ କେତେବେଳେ ମୁଣ୍ଡ ଭିତରେ। ମୁଣ୍ଡକୁ କଷ୍ଟ ହେଲେ ଉପରର ବୋଝ ଉତାରି ତଳେ ରଖିଦେଇ ହେବ, ମୁଣ୍ଡ ଭିତରର ବୋଝକୁ ଓହ୍ଲାଇଦେବା ଏତେ ସହଜ ନୁହେଁ। ଏ ବୋଝ ହେଉଛି କାମର ବୋଝ, ଦୁଃଖର ବୋଝ, ସମସ୍ୟାର ବୋଝ, ଚିନ୍ତାର ବୋଝ, ଦାୟିତ୍ବର ବୋଝ, କହି ହେଉନଥିବା କଥାର ବୋଝ, କୃତଜ୍ଞତାର ବୋଝ ଓ ସର୍ବୋପରି ଜୀବନର ବୋଝ। ମନର ବୋଝଠାରୁ ମନୁଷ୍ୟ କେବେ ମୁକ୍ତ ହୋଇପାରେନା। ଗୋଟିଏ ଓହ୍ଲାଇଯିବା ବେଳକୁ ଆଉ ଗୋଟିଏ ଲଦା ହୋଇ ଯାଇଥାଏ। ଗପଟିଏ ଶୁଣନ୍ତୁ:

Advertisment

ଜଣେ ବିଦ୍ବାନ ପଣ୍ଡିତ ବୁଲି ବୁଲି ଜ୍ଞାନ ଚର୍ଚ୍ଚା କରନ୍ତି। ସାହିତ୍ୟ, ଦର୍ଶନ ଓ ଆଧ୍ୟାତ୍ମିକତା ସବୁଥିରେ ଥାଏ ତାଙ୍କର ଅଗାଧ ପାଣ୍ଡିତ୍ୟ। ଶ୍ରୋତାମାନେ ଆଗ୍ରହ ସହକାରେ ଶୁଣନ୍ତି ଓ ପଣ୍ଡିତଙ୍କର ହୁଏ ପ୍ରଚୁର ରୋଜଗାର। ନିଜର ପଢ଼ା ବହି ସବୁ ବୋହି ନେବା ପାଇଁ ରଖିଥାନ୍ତି ଭୃତ୍ୟଟିଏ। ଜ୍ଞାନ ଚର୍ଚ୍ଚା ପାଇଁ ଯିବା ପୂର୍ବରୁ ସେ ବହିଗୁଡ଼ିକ ପଢ଼ନ୍ତି। ଥରେ ପଣ୍ଡିତ ଦେଖିଲେ ଭୃତ୍ୟଟି ତାଙ୍କର ଖୁବ୍ ବିମର୍ଷ ଦେଖାଯାଉଛି। କାରଣ ପଚାରିବାରୁ ଭୃତ୍ୟ କହିଲା, “ଆଜ୍ଞା, ଆପଣଙ୍କର ଏ ବହି ଗଣ୍ଠିଲିକୁ ମୁଣ୍ଡରେ ବୋହିବୋହି ମୁଁ କେବଳ ଦିନକର ମଜୁରି ପାଉଛି ଅଥଚ ସେ ବହିକୁ ପଢ଼ି ଆପଣ ଏତେ ଗୁଡ଼ାଏ ଟଙ୍କା ରୋଜଗାର କରୁଛନ୍ତି ଦେଖି ମୋର ମନରେ ଈର୍ଷା ହେଉଛି।” ପଣ୍ଡିତ ଭୃତ୍ୟକୁ ବୁଝାଇ କହିଲେ, ବହିର ବୋଝ ମୁଣ୍ଡାଇ କ୍ଳାନ୍ତ ହୋଇଗଲେ ତୁ ବୋଝ ଓହ୍ଲାଇ ରଖିଦେଇ ପାରୁଛୁ। ବହିର ଗଣ୍ଠିଲି ତଳେ ରଖି ଆରାମରେ ନିଦ୍ରା ଯାଇପାରୁଛୁ। ଅଥଚ ମୁଁ ଏ ବହି ସବୁକୁ ମୁଣ୍ଡ ଭିତରେ ଧରି ବୁଲୁଛି। ଚାହିଁଲେ ମଧ୍ୟ ଓହ୍ଲାଇ ଦେଇ ପାରିବିନି। ନିଦ୍ରାଗଲେ ମଧ୍ୟ ସେ ବୋଝ ମୁଣ୍ଡ ଭିତରେ ଲଦି ହୋଇ ରହିଥିବ। ଏବେ ଚିନ୍ତା କର ଅଧିକ ବୋଝ କିଏ ମୁଣ୍ଡାଇଛି?

ଜୀବନ ଆମ ମୁଣ୍ଡରେ କିଛି ବୋଝ ଲଦି ଦେଇଥାଏ ଓ ଆମେ ନିଜେ ଅନେକ ସମସ୍ୟାର ବୋଝ ମଧ୍ୟ ମୁଣ୍ଡାଇଥାଉ। ଜୀବନର ବୋଝକୁ ଓହ୍ଲାଇ ପାରିବା ଆମ ହାତର କଥା ନୁହେଁ, କେବଳ ନିଜେ ଲଦିଥିବା ବୋଝକୁ ଓହ୍ଲାଇ ପାରିବାର ସୁଯୋଗ ଆମ ହାତରେ। ଅନାବଶ୍ୟକ ଚାପର ବୋଝକୁ ମୁଣ୍ଡ ଭିତରେ ଧରି ଆମେ କଷ୍ଟ ପାଉ, କାରଣ ସହଜରେ ମନୁଷ୍ୟ କୌଣସି କଥାରୁ ଗୁରୁତ୍ୱ ହଟାଇ ନେଇ ପାରେନି। “ଯାହା ତ ହେବାର ହେଲା, ସେ କଥା ଏବେ ଛାଡ଼”- ଏ ମାନସିକତା ଆମର ନାହିଁ। ଅନାବଶ୍ୟକ ଚିନ୍ତା ଆମେ ଯେତେ ତ୍ୟାଗ କରି ଚାଲୁଥିବା ମୁଣ୍ଡ ଭିତରର ବୋଝ ଆମର ସେତିକି ହାଲୁକା ହେଉଥିବ। ସାରା ଜୀବନ ଆମେ କେବଳ ପରୀକ୍ଷା ଦେଇ ଚାଲିଛେ। ଗୋଟିଏ ଶେଷ ହେଉ ହେଉ ଅନ୍ୟ ଏକ ପରୀକ୍ଷାରେ ବସି ଯାଉଛେ। ଜଣେ ତା’ ପରୀକ୍ଷାକୁ କେମିତି ସାମନା କରୁଛି ଅନ୍ୟ ଜଣେ ବୁଝିବା କଷ୍ଟ। ଆମେ ଅନୁଭବ କରିପାରିବାନି ସାମନାରେ ବସିଥିବା ଲୋକଟି ତା’ ନିଜ ଭିତରେ ଏବେ କେଉଁ ଲଢ଼େଇ ଲଢୁଛି। ଏ ପରୀକ୍ଷା, ଏ ଲଢ଼େଇ ସବୁ ତ ମନୁଷ୍ୟ ପାଇଁ ଏକ ଏକ ବୋଝ! ଜୀବନସାରା ଆମେ କେତୋଟି ବୋଝ ମୁଣ୍ଡାଇ ପାରିଲୁ, ତାକୁ ଗଣନା କରି ସଫଳତାର ହିସାବ ଯେଉଁମାନେ କରନ୍ତି ବୋଝଠାରୁ କେବେ ମୁକ୍ତ ହୋଇ ପାରନ୍ତିନି। ଜୀବନ ଅଧିକ ସଫଳ ପ୍ରତୀତ ହୁଏ ବୋଝକୁ ମୁଣ୍ଡ ଭିତରେ ଧରି ଆମେ କେତେ ବାଟ ଚାଲିଯାଇ ପାରିଲେ ତା’ର ହିସାବ ଅନୁସାରେ। ଓଜନ ବୋଝରେ ନଥାଏ ବଂଧୁ! ଥାଏ, ବୋଝକୁ କେତେ ସମୟ ଆମେ ମୁଣ୍ଡରେ ଧରି ରଖିପାରିଲେ ତା’ ଭିତରେ। ମୁଣ୍ଡେଇବା ସମୟଟା ହିଁ ଓଜନିଆ, ବୋଝ ନିଜେ ନୁହେଁ। ଆମ ଭିତରୁ ଅନେକ ଆସନ୍ତାକାଲି ଉଠାଇବାକୁ ଥିବା ବୋଝକୁ ଆଜିର ବୋଝ ଉପରେ ଲଦି ଦିଅନ୍ତି ଏବଂ ସମସ୍ୟାରେ ପଡ଼ନ୍ତି। ବୋଝର ଭାର ଯେତିକି କଷ୍ଟ ଦିଏ ଭାର ବୋହିବାର ଏ ଭୁଲ୍‌ ପଦ୍ଧତି ତା’ଠାରୁ ଅଧିକ କଷ୍ଟ ଦେଇଥାଏ। ଜୀବନ ବୋଝ ପରି ଲାଗେ କେତେବେଳେ? ଦାୟିତ୍ବର ବୋଝଟି ମୁଣ୍ଡକୁ ନ ଉଠାଇ ଆଗପଛ ଚିନ୍ତା କଲେ। ଉଠାଇ ପାରିବାର ଶକ୍ତିଠାରୁ ଅଧିକ ଭାର ମୁଣ୍ଡରେ ଲଦିଲେ ତାହା ଅନାବଶ୍ୟକ ବୋଝ ପାଲଟିଯାଏ। ମନୁଷ୍ୟ କିନ୍ତୁ ଠିକ୍ ବିପରୀତ ଆଚରଣଟି କରିଥାଏ। ରୋଗ, ଶୋକ, ମୃତ୍ୟୁ, କ୍ଷତି, ଚିନ୍ତା, ଦୁଃଖ, ପ୍ରେମ, ଦୁର୍ଘଟଣା, ଆର୍ଥିକ, ସାମାଜିକ ଓ ବୈବାହିକ ଆଦି ସମସ୍ୟାକୁ ସାମନା କଲାବେଳେ ଦୃଢ଼ତା ପ୍ରଦର୍ଶନ କରିବା ବଦଳରେ ଏସବୁକୁ ବୋଝ ଭାବିନିଏ, ଫଳରେ ଆଉ ମୁଣ୍ଡରୁ ଓହ୍ଲାଇ ରଖିଦେଇ ପାରେନି।

ଜୀବନ ଆମର ଏକ ଲଘୁ ଚକ୍ରରଥ ଉପରେ ଗତି କରୁଛି। ଭାର ନ ରହିଲେ ସେ ରଥ ଆଗକୁ ଗଡ଼ିବନି। ଭାର ଉଠାଇ ବାଟ ଚାଲିବା ହେଉଛି ଜୀବନର ଗତିଶୀଳତାର ନିୟମ। ଭାର ବିନା ଭାରସାମ୍ୟ ରହିବ କିପରି? ଭାରଦଣ୍ଡର ଏ ନିୟମରେ ବ୍ୟତିକ୍ରମ ହେଲେ ଜୀବନର ଚକ୍ରରଥ ସ୍ଥିର ହୋଇଯିବ। ବୋଝ ମୁଣ୍ଡ ଉପରେ ଥାଉ କି ମୁଣ୍ଡ ଭିତରେ, ବୋଝ ଅଛି ବୋଲି ଜୀବନ ଅଛି। କବି ସେଥିପାଇଁ ପଚାରିଥିଲେ ପରା, “ଗମୋକା ବୋଝ୍ ହୋତା ତୋ ଉଠା ଭି ଲେତେ/ ଜିନ୍ଦଗୀ ବୋଝ୍ ବନଯାୟେ ତୋ ଉଠାୟେ କୈଶେ”? ଦୁଃଖର ବୋଝ ହୋଇଥିଲେ ସିନା ଉଠାଇ ନେଇଥାନ୍ତି, ଜୀବନ ଯଦି ନିଜେ ବୋଝ ପାଲଟିଯାଏ ଉଠାଇବି ବା କେମିତି? ଏବେ ଆପଣ ବି ଥରେ ଚେଷ୍ଟା କରି ଦେଖନ୍ତୁ ନା!
[email protected]