ବ୍ୟାଗ୍ ଯେତେ ଭାରି ହେବ ଯାତ୍ରାର ଦୈର୍ଘ୍ୟ ସେତେ ଛୋଟ ହୋଇଯିବ। ଜେଜୀମା’ଙ୍କ ପାଇଁ ଜେଜେ କିଣି ଆଣିଥିବା ସୁନ୍ଦର ହାତବ୍ୟାଗଟି ବ୍ୟବହାର କରିବାକୁ ମନା କରିଦେଇ କହିଥିଲେ ଜେଜୀମା’। ତାଙ୍କର ନିଜ ପାଖରେ ଥିଲା ଗୋଟିଏ ପୁରୁଣା ବଟୁଆ। ପଇସା ଠାରୁ ଆରମ୍ଭ କରି ପାନଡବା, ଚଷମା, ଔଷଧ, ରୁମାଲ, ଗହଣା, ମଥାର ବିନ୍ଦି ଓ ତୁଳସୀ ମାଳ ସବୁକିଛି ସାଇତାହୋଇ ରହିଥିଲା ତା’ ଭିତରେ। ଜେଜୀମାଙ୍କର ଏକାନ୍ତ ଗୋପନୀୟ ଓ ବ୍ୟକ୍ତିଗତ ଇଲାକା ଥିଲା ତାଙ୍କର ବଟୁଆ।
ବଟୁଆ ହେଉ, ଝୋଲା ହେଉ, ହାତବ୍ୟାଗ ହେଉ କି ଆଟାଚି ହେଉ, ବ୍ୟାଗ୍ ଆମ ଦିନଚର୍ଯ୍ୟାର ଏକ ଅନିବାର୍ଯ୍ୟ ଆବଶ୍ୟକତା। ଯାହାର ବ୍ୟାଗ୍ ଯେତେ ସୁନ୍ଦର ଓ ପରିପୂର୍ଣ୍ଣ ସେ ସେତେ ସମର୍ଥ ଏବଂ ସମ୍ଭ୍ରାନ୍ତ। ଖାଲି ଯେ ନିଜର ବ୍ୟବହାର୍ଯ୍ୟ ବସ୍ତୁ ଯଥା, ଫୋନ, ପର୍ସ, ଚଷମା ଓ ଲୁଗାପଟା ଇତ୍ୟାଦି ସେଥିରେ ସୁବିଧାରେ ରହିପାରେ ତାହା ନୁହେଁ, ସେଥିରେ ମଧ୍ୟ ଆମେ ସାଇତି ରଖିଥାଉ ଆମର ନିଜସ୍ବ ବିଚାର, ସଂପର୍କ, ଧର୍ମ ଓ ବର୍ଣ୍ଣ ବିଶ୍ବାସ, ସ୍ନେହ, ପ୍ରେମ ଆଦି ଅନେକ ଅମୂର୍ତ୍ତ ପଦାର୍ଥ। ଜୀବନର ସବୁ ଆବଶ୍ୟକ ସାମଗ୍ରୀ ଧରି ରଖିବାକୁ ଦୁଇ ହାତ ଆମର କୁଳାଏ ନାହିଁ, ସେଥିପାଇଁ ତ’ ଲୋଡ଼ାପଡ଼େ ବ୍ୟାଗ ଖଣ୍ଡେ। ଜନ୍ମହେବା ସମୟରୁ ହିଁ ଆମେ ଖାଲି ବ୍ୟାଗଟିଏ ମଥାରେ ଲଦି ଆସିଥାଉ। ପରିବାରର ସମସ୍ତେ ମିଶି ଆମର ଭବିଷ୍ୟତର ସମ୍ଭାବ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେଥିରେ ଭରିଚାଲନ୍ତି ସେମାନଙ୍କ ରୁଚି, ଧର୍ମବିଶ୍ବାସ, ଭାଷା, ମୂଲ୍ୟବୋଧ ଓ ଆହୁରି ଅନେକ କିଛି, ଯାହା ସେମାନଙ୍କ ବିଚାରରେ ଆମର ଜୀବନ ଯାତ୍ରା ପାଇଁ ଆବଶ୍ୟକ। ଆମେ ମଧ୍ୟ ସେଥିରେ ସାଇତିବାରେ ଲାଗିପଡୁ ଆମର ଧନସଂପତ୍ତି ସହିତ ଲୋଭ, ମୋହ, ଅହଂକାର, ଈର୍ଷା, ସୁଖ, ଦୁଃଖ ଓ ପ୍ରେମ ଆଦି ଭାବନା ସବୁ। ଯାହା ଅନ୍ୟଠାରୁ ଲୁଚାଇ ରଖିବା ଆବଶ୍ୟକ ତାହା ମଧ୍ୟ ଲୁଚାଇ ଦେଇଥାଉ ସେ ବ୍ୟାଗ ଭିତରେ। ବ୍ୟାଗରେ ସ୍ଥାନ ଅଛିକି ନାହିଁ ସେ ଚିନ୍ତା ଆମର ନଥାଏ କି ଭରିବା ଆମର ଶେଷ ହୁଏନାହିଁ। ପାର୍କିନସନ୍ଙ୍କ ନିୟମ ସାମାନ୍ୟ ବଦଳାଇ ବ୍ୟାଗ କ୍ଷେତ୍ରରେ ଲାଗୁ କରାଯାଇପାରେ। ପାର୍କିନସନ୍ କହିଛନ୍ତି, କାମ ଯେତେ ଛୋଟ ହେଉ, ନିର୍ଦ୍ଧାରିତ ସମୟର ଶେଷ ପର୍ଯ୍ୟନ୍ତ ତାହା ବିସ୍ତାରିତ ହୋଇଯିବ। ଘଣ୍ଟାକର କାମକୁ ଶେଷ କରିବାକୁ ଚାରିଘଣ୍ଟା ସମୟ ଦେଲେ ତାହା ଚାରି ଘଣ୍ଟାରେ ହିଁ ସରିବ। ଆମ ବ୍ୟାଗ ଠିକ୍ ସେମିତି। ଭିତରର ସର୍ବଶେଷ ସ୍ଥାନ ଟିକକ ପୂରଣ ହେବା ପର୍ଯ୍ୟନ୍ତ ଆମେ ତାକୁ ଭରି ଚାଲିଥିବା, ତେଣିକି ବ୍ୟାଗ୍ ଫାଟିଯାଉ ପଛେ, ଆମର ସେ ଆଡ଼କୁ ଦୃଷ୍ଟି ନଥିବ। ଅନ୍ୟର ବ୍ୟାଗ ଭିତରକୁ ଉଙ୍କିମାରି ଚାହିଁବାକୁ ଆମକୁ ଭଲଲାଗେ। ନିଜର ବ୍ୟାଗ୍ ସହିତ ଆମେ ତାକୁ ତୁଳନା କରି ଓଜନ ପରଖୁ। ନିଜର ବ୍ୟାଗ୍ ହାଲୁକା ଲାଗିଲେ ଆମ ଭିତରେ ହୀନମନ୍ୟତା ଭରିଯାଏ। ଆମର କେବଳ ଗୋଟିଏ ଚିନ୍ତା, ଆମ ବ୍ୟାଗଟି କେମିତି ଭର୍ତ୍ତି ହେବ ଓ ଅନ୍ୟର ବ୍ୟାଗ ତୁଳନାରେ ଓଜନଦାର ହେବ। ଗପଟିଏ ଆପଣଙ୍କର ମନେ ଥିବ: ହସଖୁସିରେ ସମୟ କାଟୁଥିବା ଗରିବ ଶ୍ରମିକଟି ଦିନେ ଅନେଶ୍ୱତ ସୁନାମୋହର ଥିବା ଗୋଟିଏ ଥଳି ରାସ୍ତାରୁ ପାଇବା ପରେ ସୁନାମୋହର ବିକ୍ରି କରି ଆରାମ ଜୀବନ ବିତାଇବା ବଦଳରେ ଭାବିଲା, ଆଉ ଗୋଟିଏ ମୋହର ହୋଇଗଲେ ଶହେ ପୂରାହୋଇ ଥଳିଟି ଭରିଯିବ। ମୋହରଟିଏ କିଣିବା ପାଇଁ ଲୋକଟି ଅକ୍ଳାନ୍ତ ପରିଶ୍ରମ କଲା। ମୁହଁରୁ ତା’ର ପୂର୍ବର ହସ ଲିଭିଗଲା। ନା’ ସୁନା ମୋହରଟିଏ କିଣି ଥଳି ଭରିପାରିଲା ନା’ ସୁଖର ଜୀବନ ଜିଇଁପାରିଲା।
ଜୀବନର ଯାତ୍ରା ପଥ ଗୋଟିଏ ଏସ୍କାଲେଟର ପରି। ଏସ୍କାଲେଟର ବନ୍ଦ ହୋଇଗଲେ ମଧ୍ୟ ତା’ ଉପର ଦେଇ ଚାଲିବା ବନ୍ଦ ହେବ ନାହିଁ। ଜେଜୀମା’ଙ୍କ ଜୀବନର ଏସ୍କାଲେଟର ଦିନେ ଅକସ୍ମାତ ବନ୍ଦ ହୋଇଗଲା। ସାବିତ୍ରୀ ପୂଜାର ପୂର୍ବ ଦିନ ଜେଜେ ବଜାର ଯାଇ ପୂଜା ସାମଗ୍ରୀ କିଣି ଆଣିଥିଲେ। ରାତି ପାହିଲେ ପୂଜାପାଇଁ ପ୍ରସ୍ତୁତ ହେଉଥିଲେ ଜେଜୀମା’। ଖବରକାଗଜଟା ପଢୁ ପଢୁ ଜେଜେ ଶୋଇପଡ଼ିଲେ ଯେ ଆଉ ଉଠିଲେନି। ଜେଜୀମାଙ୍କର ଜୀବନର ବ୍ୟାଗଟି ହଠାତ୍ ଶତଛିଦ୍ର ହୋଇଗଲା ଯେମିତି। ଛିଦ୍ରଯୁକ୍ତ ବ୍ୟାଗରେ କିଛି ଭରିଦେବାପାଇଁ ଭଗବାନ ଆଉ ଚାହିଁଲେନି ବୋଧେ। ଜଣେ କବି ଲେଖିଥିଲେ ପରା, “ଇସ୍ ଦିଲ୍ କେ ଦରିଦା ଦାମନ୍ କୋ, ଦେଖୋତୋ ସହି ଶୋଚନା କ୍ୟା/ ଜିସ୍ ଝୋଲିମୈଁ ସୌ ଛେଦ୍ ହୁଏ, ଉସି ଝୋଲି କୋ ଫୈଲାନା କ୍ୟା”। ହୃଦୟର ଛିନ୍ନ ଝୋଲିକୁ ଦେଖତ ଥରେ, ଭାବୁଛ କ’ଣ? ଝୋଲିରେ ଯାହାର ସହଶ୍ର ଛିଦ୍ର ଝୋଲି ପ୍ରସାରି ସେ ମାଗିବ କ’ଣ?
ଜେଜୀମା ତାଙ୍କ ବାହାଘର ସମୟରେ ବାପଘରୁ ଆଣିଥିବା କିଛି ରତ୍ନପଥର ନିଜ ପାଖରେ ସାଇତି ରଖିଛନ୍ତି, ଏ ଗୁପ୍ତ ତଥ୍ୟର ଆବିଷ୍କାରକ ଥିଲେ ଆମ ସାନଦାଦା। ଜେଜେ ଯିବା ପରେ ସେ ଦେଇଥିବା ବ୍ୟାଗଟି ଜେଜୀମା ଆଉ ହାତଛଡ଼ା କରୁନଥିଲେ। ବ୍ୟାଗକୁ ଛୁଇଁବାର ଜୁ ନଥିଲା କାହାର। ସାନଦାଦା ଥରେ ସନ୍ତର୍ପଣରେ ଟର୍ଚ୍ଚ ପକାଇ ଦେଖିଲେ, ବ୍ୟାଗ ଭିତରେ ଗୋଟିଏ ଧଳା କନାର ଝୋଲି ଭିତରେ କିଛି ଚକ୍ଚକ୍ ପଦାର୍ଥ ଉପରେ ଆଲୋକର ପ୍ରତିଫଳନ ହେଉଛି। ରତ୍ନ ପଥର ଛଡ଼ା ତାହା ଆଉ କ’ଣ ବା ହୋଇପାରେ! ଜେଜୀମା’ ସାଇତିଥିବା ରତ୍ନଗୁଡ଼ିକ ମଧ୍ୟରୁ କାହାର ବ୍ୟାଗରେ କେତୋଟି ପଡ଼ିବ ତା’ର ହିସାବ ଚାଲିଲା। ସ୍ଥିର ହେଲା ବଞ୍ଚି ଥାଉଥାଉ ସେଗୁଡ଼ିକୁ ପୁଅମାନଙ୍କ ମଧ୍ୟରେ ବାଣ୍ଟି ଦେବାପାଇଁ ଜେଜୀମାଙ୍କୁ କୁହାଯିବ। ମାତ୍ର ତା’ ପୂର୍ବରୁ ଦିନେ ହଠାତ୍ ବ୍ୟାଗର ମୋହ ଛାଡ଼ି ଜେଜୀମା ମଧ୍ୟ ଚାଲିଗଲେ। ବହୁ ଖୋଜାଖୋଜି ପରେ ତକିଆ ଖୋଳ ଭିତରୁ ବ୍ୟାଗଟି ମିଳିଗଲା। ଉତ୍କଣ୍ଠିତ ପରିବାରବର୍ଗଙ୍କ ଉପସ୍ଥିତିରେ ସେଇଟି ଖୋଲାଗଲା। ଅବାକ୍ ହୋଇ ଚାହିଁ ରହିଥିଲେ ସମସ୍ତେ। ବ୍ୟାଗ ଭିତରେ ଥିଲା ସାବିତ୍ରୀ ପୂଜା ପାଇଁ ଜେଜେ ଆଣିଥିବା ଗୋଟିଏ କ୍ଷୁଦ୍ର ଦର୍ପଣ, କାଠ ପାନିଆଁ, ଅଳତା ଶିଶି ଓ ଗୋଟିଏ ସିନ୍ଦୂର ଫରୁଆ। ଅବଶିଷ୍ଟ ଜୀବନର ଯାତ୍ରା ପାଇଁ ଜେଜୀମାଙ୍କର ଶେଷ ସାମାନ। କଦାପି ପୂରଣ ହେଉନଥିବା ଆମମାନଙ୍କର ବ୍ୟାଗ ଠାରୁ ଜେଜୀମା’ଙ୍କର ଏ ବ୍ୟାଗଟି କେତେ ନିଆରା ଓ ସ୍ବୟଂସଂପୂର୍ଣ୍ଣ ସତରେ! ଭରିବା ପାଇଁ ନା’ ଆଉକିଛି ଚିଜ ବାକିଅଛି ନା’ ବାକିଅଛି ସେଥିରେ ଖାଲି ସ୍ଥାନ। ବ୍ୟାଗ୍ ତ ଥାଏ ସମସ୍ତଙ୍କ ହାତରେ, ସେଥିରେ କ’ଣ ରଖି ଆମେ ବାଟ ଚାଲୁଛେ ତାହା ହିଁ ଗୁରୁତ୍ବପୂର୍ଣ୍ଣ। ପାର୍କିନସନ୍ଙ୍କ ନିୟମ ଜେଜୀମାଙ୍କ ବ୍ୟାଗ କ୍ଷେତ୍ରରେ ଲାଗୁ ହୋଇପାରିବ କି? ନା, କଦାପି ନୁହେଁ।
ମୋ: ୯୩୩୭୬୪୮୬୩୮
ସରସ ରସ: ବ୍ୟାଗ୍ ଭିତରର ପୃଥିବୀ
ସୁଭାଷ ପଟ୍ଟନାୟକ
/sambad/media/post_attachments/wp-content/uploads/2024/03/hfsfhffhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)