ସରସ ରସ: ହାତକୁ ଟାଣନ୍ତୁ, ଗୋଡ଼କୁ ନୁହେଁ

ସୁଭାଷ ପଟ୍ଟନାୟକ

ଆଲୋଚନାଟି ଆରମ୍ଭ କରିବା ପୂର୍ବରୁ ଏ ଦୃଶ୍ୟ ଦୁଇଟି ଦେଖିଥାନ୍ତୁ। ଉପରକୁ ଲମ୍ବିଥିବା ଶିଡ଼ିର ଶୀର୍ଷ ପାହାଚରେ ଛିଡ଼ାହୋଇ ଜଣେ ବ୍ୟକ୍ତି ଦୁଇ ପାହାଚ ତଳେ ଥିବା ଲୋକଟିର ହାତକୁ ଟାଣିଧରି ଉପରକୁ ଉଠିବାରେ ସାହାଯ୍ୟ କରୁଛି। ଅନ୍ୟ ଦୃଶ୍ୟଟିରେ ଶୀର୍ଷ ପାହାଚରେ ପାଦ ଥାପିବାକୁ ଯାଉଥିବା ଲୋକଟିର ଗୋଡ଼କୁ ଦୁଇ ପାହାଚ ତଳେ ଠିଆ ହୋଇଥିବା ଲୋକଟି ଟାଣିଧରି ଅଟକାଇବାର ଚେଷ୍ଟା କରୁଛି। ଆମର ଆଲୋଚନାଟି ଏ ଦୁଇ ଦୃଶ୍ୟର ପ୍ରେକ୍ଷାପଟକୁ ନେଇ।
୧୯୯୦ ଦଶକରେ ଏକ ଟେଲିଭିଜନ ସେଟ୍‌ର ବହୁ ଆଦୃତ ବିଜ୍ଞାପନଟିଏ ଆସିଥିଲା, ‘ନେବର୍ସ ଏନ୍‌ଭି, ଓନର୍ସ ପ୍ରାଇଡ୍’। ଟିଭି ସେଟ୍‌ଟି ରଖିବା ଲୋକର ଗର୍ବ ଓ ପଡ଼ୋଶୀଙ୍କ ଈର୍ଷାର କାରଣ। ଏ ଈର୍ଷା ନାମକ ଆବେଗଟି ଆମ ସମସ୍ତଙ୍କଠାରେ ମହଜୁଦ ଅଛି କିନ୍ତୁ ଆମେ ତାକୁ ଅନୁଭବ କରିପାରୁନଥାଉ। ଈର୍ଷା ବା ପରଶ୍ରୀକାତରତା ଏକ ଜଟିଳ ମାନସିକ ସଂବେଦନା, ଯେଉଁଥିରେ ସନ୍ଦେହ, କ୍ରୋଧ, ଭୟ ଓ ଅପମାନ ଆଦି ସମସ୍ତ ଆବେଗ ମିଶି ରହିଥାଏ। ନିଜକୁ ସର୍ବଦା ଉଚ୍ଚ ଆସନରେ ରଖିବାକୁ ଚାହୁଁଥିବା ବ୍ୟକ୍ତି ଅନ୍ୟ ଜଣକୁ ସେ ସ୍ଥାନରେ ଦେଖି ହୀନମନ୍ୟତାର ଶିକାର ହୋଇ ଈର୍ଷାର ଆଶ୍ରୟ ନିଅନ୍ତି। ନିମ୍ନମୁଖୀ ଆତ୍ମସମ୍ମାନ, ଉଚ୍ଚାକାଂକ୍ଷା, ଅଧିକାରର ଭାବନା ଓ ପ୍ରତ୍ୟାଖ୍ୟାତ ହେବାର ଆଶଙ୍କା ଆମକୁ ଅନ୍ୟ ପ୍ରତି ଈର୍ଷାନ୍ବିତ କରିଥାଏ। ‘ତୁମେ ଯାହା ପାଇଛ ତାହା ମୋର ପ୍ରାପ୍ୟ ଥିଲା’, ଏପରି ଏକ ଚିନ୍ତାରୁ ପରଶ୍ରୀକାତରତାର ସୃଷ୍ଟି। ଏପରି ବ୍ୟକ୍ତି ଅନ୍ୟର ଦ୍ରବ୍ୟ, ଗୁଣ, ବିଶେଷତା ଓ ଭାଗ୍ୟକୁ ଦେଖି ନିଜେ ତାହା ପାଇବାର ଲାଳସା ରଖିଥାଏ। ଫଳତଃ ନିଜ ଭିତରେ ଅହେତୁକ ଜ୍ବଳନ ଅନୁଭବ କରେ। ଅର୍ଥାତ୍, ଅନ୍ୟ ଜଣେ ହାସଲ କରିଥିବା ଉପଲବ୍‌ଧିକୁ ନିଜେ ନ ପାଇପାରିବାର ମାନସିକ ଜ୍ବଳନ ହେଉଛି ପରଶ୍ରୀକାତରତା। ଈର୍ଷାର ଅନ୍ୟ ପାର୍ଶ୍ବଟି ହେଉଛି ନିଜର ଉପଲବ୍‌ଧିକୁ ହରାଇ ବସିବାର ଭୟ। ପରଶ୍ରୀକାତରତା ପଛରେ ଥାଏ ବ୍ୟକ୍ତିଗତ ଲୋଭ, ଓ ଈର୍ଷା ପଛରେ ରହିଥାଏ ଅଧିକାର ସାବ୍ୟସ୍ତ କରିବାର ଇଚ୍ଛା। ଏଠାରେ ଆମର ଈର୍ଷାର ଚର୍ଚ୍ଚା ପରଶ୍ରୀକାତରତାର ଜ୍ବଳନକୁ ନେଇ, ଯାହାର ପରିଣତିରେ ଆମେ ସଫଳତାର ପଥରେ ଅଗ୍ରସର ଲୋକଟିର ଗୋଡ଼ ଟାଣି ତାକୁ ତଳକୁ ଖସାଇ ଦେବାର ପ୍ରୟାସ କରିଥାଉ। ସମାନ ପ୍ରକାର ସାମାଜିକ ସ୍ଥିତିରେ ଥିବା ଲୋକ ହିଁ ଗୋଡ଼ ଟାଣେ। ଭିକାରିଟିଏ କୋଟିପତିକୁ ଈର୍ଷା ନକରି ଅନ୍ୟ ଜଣେ ଭିକାରିକୁ ଈର୍ଷା କରେ।
ସମାଜର ସବୁ ବର୍ଗରେ ଈର୍ଷା ଓ ଗୋଡ଼ଟଣା ବିଦ୍ୟମାନ ଥିଲେ ମଧ୍ୟ ସାହିତ୍ୟ କ୍ଷେତ୍ରରେ ଏହାର ମାତ୍ରା ଖୁବ୍ ଅଧିକ। ସେଥିପାଇଁ ସାହିତ୍ୟରେ ସଫଳ ଲେଖକଟିଏ ଅନେକ ସାହିତ୍ୟିକ ବନ୍ଧୁଙ୍କୁ ବିନା କାରଣରେ ହରାଇଥାନ୍ତି। ବିଶ୍ବ ସାହିତ୍ୟରେ ମାର୍କ ଟ୍ବେନ୍ ଓ ଗାଳ୍ପିକ ବ୍ରେଟ୍ ହର୍ଟ, ହେମିଂୱେ ଓ ଵିଲିୟମ୍ ଫକ୍‌ନର୍, କିଟ୍‌ସ ଓ ବାଇରନ୍‌ଙ୍କ ମଧ୍ୟରେ ଥିବା ଗୋଡ଼ ଟଣାଟଣିର କଥା ସମସ୍ତେ ଜାଣନ୍ତି। ମାର୍କ ଟ୍ବେନ୍ ସବୁ ଲେଖକଙ୍କୁ ଈର୍ଷା କରୁଥିଲେ। ହେମିଂୱେ ଓ ଫକ୍‌ନର୍ ଉଭୟ ନୋବେଲ୍‌ ବିଜେତା ହେଲେ ମଧ୍ୟ ପରସ୍ପରକୁ ନୋବେଲ୍‌ ଅଯୋଗ୍ୟ ବୋଲି କହୁଥିଲେ। ହେମିଂୱେଙ୍କର ଗୋଡ଼ଟଣା ପ୍ରକୃତି ଏମିତି ଥିଲା ଯେ, ଲେଖିକା ଵିଲା କ୍ୟାଥର୍‌ଙ୍କ ଯୁଦ୍ଧ କାହାଣୀ ଆଧାରିତ ଉପନ୍ୟାସ ‘ଵାନ୍ ଅଫ୍ ଆଵାର୍ସ’ ପୁଲିଜର୍ ପୁରସ୍କାର ପାଇଁ ମନୋନୀତ ହେବା ପରେ ହେମିଂୱେ ବାଚାଳଙ୍କ ପରି କହିବୁଲିଲେ, ‘ମହିଳା ଜଣେ ଯୁଦ୍ଧ ବିଷୟରେ କ’ଣ ଜାଣେ? ବହିଟା ସେ ଯୁଦ୍ଧ ସିନେମା ଦେଖି ଲେଖିଛନ୍ତି।’ କବି ବାଇରନ୍ କିଟ୍‌ସଙ୍କୁ ଏତେ ଈର୍ଷା କରୁଥିଲେ ଯେ, ତାଙ୍କର ମୃତ୍ୟୁ ପରେ ନିଜ ଦ୍ବାରା ଲିଖିତ କାବ୍ୟ ‘ଡନ୍ ଵାନ୍’ରେ ଦିବଂଗତ କିଟ୍‌ସଙ୍କୁ ପରିହାସ କରିବାକୁ ପଛାଇନଥିଲେ। ଆଉ ଆମ ଓଡ଼ିଆ ସାହିତ୍ୟ? ଏଠି ତ କେକ୍ ଫିଙ୍ଗା ଖେଳ ସର୍ବଦା ଚାଲିଥାଏ। ଏ ବିଷୟରେ କିଛି ଆଲୋଚନା ନ କରିବା ହିଁ ଅଧିକ ବିଜ୍ଞତା। ଶବ୍ଦ କିଏ ଚୋରି କରେନା। ଶବ୍ଦର ଭଣ୍ଡାର ସବୁ ଲେଖକଙ୍କ ପାଇଁ ଉନ୍ମୁକ୍ତ ଥିବାବେଳେ ଲେଖକୀୟ ଈର୍ଷାର ହେତୁ କ’ଣ?
ଈର୍ଷାକୁ ନିୟନ୍ତ୍ରଣରେ ରଖିବା ଜରୁରି, ନଚେତ ଆମେ ସମସ୍ତେ ବ୍ୟକ୍ତିତ୍ବ-ବିକାରର ଶିକାର ହୋଇଯିବା। ସଂପର୍କ ମଝିରେ କଳା ଛାଇଟିଏ ପରି ଈର୍ଷା ସବୁ ସଂପର୍କକୁ ବିକଳାଙ୍ଗ କରିଦିଏ। ସେଥିରୁ ଜନ୍ମ ନିଏ କୃତଘ୍ନତା, ତିରସ୍କାର ଓ ଆତ୍ମମୁଗ୍‌ଧତା ପରି ବିକାରଗ୍ରସ୍ତ ଭାବାବେଗ। ଖ୍ରୀଷ୍ଟଧର୍ମରେ ଈର୍ଷା ସାତଟି ଘୋର ପାପ ମଧ୍ୟରୁ ଗୋଟିଏ। ଇସଲାମ ଧର୍ମ କହେ, ଅଗ୍ନି କାଷ୍ଠକୁ ଦଗ୍‌ଧ କଲାପରି ପରଶ୍ରୀକାତରତା ସୁକର୍ମକୁ ନଷ୍ଟ କରେ। ଭଗବତଗୀତାର “ଯସ୍ମାନ୍ନୋଦ୍ ବିଜତେ ଲୋକୋ…” (୧୨/୧୫) ଶ୍ଳୋକରେ ଶ୍ରୀକୃଷ୍ଣ କହିଛନ୍ତି, ଯିଏ ଅମର୍ଷ (ଈର୍ଷା) ରହିତ ସେ ମୋର ଅତି ପ୍ରିୟ। ଯଦି କିଏ ଆପଣଙ୍କ ଗୋଡ଼ ଟାଣୁଥାଏ, ତା’ର ସରଳ ଅର୍ଥଟି ହେଉଛି ଆପଣ ତା’ଠାରୁ ଅଧିକ ଉଚ୍ଚତାରେ ଅଛନ୍ତି। ଯାହା ଆମ ପାଖରେ ନାହିଁ ତାହା ଅନ୍ୟର ପାଖରେ ନ ରହୁ ଏବଂ ଯାହା ସେମାନଙ୍କ ପାଖରେ ଅଛି ତାହା ମୁଁ ପାଇବାର ଥିଲା, ଏପରି ଭାବନା ଆମକୁ ଶାନ୍ତିରେ ଜିଇଁବାକୁ ଦେବ ନାହିଁ। କୁହାଯାଏ, ଆମର ପ୍ରକୃତି କୁଆଡ଼େ କଙ୍କଡ଼ା ପରି। ଯଦି ଗୋଟିଏ କଙ୍କଡ଼ା ବହୁ ପରିଶ୍ରମ କରି ଖାଳେଇର ମୁହଁ ପର୍ଯ୍ୟନ୍ତ ଉଠି ଆସେ, ଅନ୍ୟ କଙ୍କଡ଼ାମାନେ ତାକୁ ଉଠିବାକୁ ନଦେଇ ଗୋଡ଼ ତା’ର ଟାଣିଧରନ୍ତି। କିନ୍ତୁ ଏହାର ଭିନ୍ନ ଅର୍ଥଟି ଆମେ ଚିନ୍ତା କରିନେ। ପ୍ରାରମ୍ଭରେ ଆମେ ଦୁଇଟି ଦୃଶ୍ୟ ଦେଖାଇଥିଲୁ। ଜଣେ ଉପର ଶିଡ଼ିରେ ଥାଇ ତଳ ଲୋକର ହାତ ଟାଣି ଉପରକୁ ଉଠାଉଛି ଓ ଅନ୍ୟ ଜଣେ ତଳ ଶିଡ଼ିରେ ଥାଇ ଉପରକୁ ଉଠୁଥିବା ଲୋକର ଗୋଡ଼ ଟାଣି ରୋକିଦେଉଛି। ଏବେ ପାଠକ ବନ୍ଧୁ କୁହନ୍ତୁ ତ, ଖାଳେଇର ଉପରେ ଥିବା କଙ୍କଡ଼ାର ଗୋଡ଼ ତଳ କଙ୍କଡ଼ା ଟାଣି ଧରିଥାଏ ନା ତଳ କଙ୍କଡ଼ାର ହାତକୁ ଧରି ଉପର କଙ୍କଡ଼ା ତାକୁ ଉପରକୁ ଉଠିବାରେ ସାହାଯ୍ୟ କରୁଥାଏ? ଆମେ ନିଜର ଦୋଷକୁ କଙ୍କଡ଼ା ଠାରେ ନିରେଖି ଦେଖିବା କାହିଁକି? ଗୋଡ଼ଟଣାମାନଙ୍କ ପାଇଁ ମିର୍ଜା ଗାଲିବଙ୍କର ଗୋଟିଏ ପ୍ରଶ୍ନ- “ଦର୍ଦ ଜବ୍ ଦିଲମୈଁ ହୋ ତୋ ଦଵା କିଜିୟେ/ ଦିଲ୍ ହି ଜବ୍ ଦର୍ଦ ହୋ ତୋ କ୍ୟା କିଜିୟେ?” ପ୍ରାସ ଯଦି ହୃଦୟରେ ଥାଏ, ତେବେ ସିନା ଔଷଧ ଖାଇବେ, ହୃଦୟ ଯଦି ନିଜେ ଏକ ପ୍ରାସ, ତା’ହେଲେ କ’ଣ କରିବେ? ପୀଡ଼ାଦାୟୀ ହୃଦୟକୁ ବଦଳାଇ ଦିଅନ୍ତୁ ଏବଂ ଅନ୍ୟର ହାତକୁ ଟାଣନ୍ତୁ, ଗୋଡ଼କୁ ନୁହେଁ।
ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର