ସରସ ରସ: ପ୍ରଜାପତି-ପ୍ରଭାବ

ସୁଭାଷ ପଟ୍ଟନାୟକ

ଜର୍ମାନ ଦାର୍ଶନିକ ଗ୍ୟାଟଲିବ୍ ଫିସ୍ତେ ତାଙ୍କ ପୁସ୍ତକ ‘ଦ ଭୋକେସନ୍ ଅଫ୍ ମ୍ୟାନ୍’ରେ ଲେଖିଛନ୍ତି, “ବାଲିଗଦାରେ କୌଣସି ପରିବର୍ତ୍ତନ ନଆଣି ସେଥିରୁ ବାଲିକଣାଟିଏ ମଧ୍ୟ ଉଠାଇନେବା ଅସମ୍ଭବ।” କଥାଟିର ତାତ୍ପର୍ଯ୍ୟ ହେଉଛି, ଆମର କ୍ଷୁଦ୍ରାତିକ୍ଷୁଦ୍ର କାର୍ଯ୍ୟ ସଂସାର ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ। ବାଲିକଣାଟିଏ ସ୍ଥାନାନ୍ତର ହେଲେ ପାଖର ଅନ୍ୟ ଗୋଟିଏ ବାଲିକଣା ସ୍ଥାନଚ୍ୟୁତ ହେବ ଏବଂ ଏହି କ୍ରିୟା ସମଗ୍ର ବାଲିଗଦାରେ ପରିବର୍ତ୍ତନ ଆଣିଦେବ। ପଚାଶ ବର୍ଷ ପୂର୍ବେ ଆମେରିକୀୟ ଗଣିତଜ୍ଞ ଓ ଜଳବାୟୁବିତ୍ ଏଡ୍‌ଵାର୍ଡ ଲୋରେଞ୍ଜ୍ ଏକ ସିଦ୍ଧାନ୍ତରେ ପହଞ୍ଚି କହିଥିଲେ ଯେ, ବ୍ରାଜିଲ୍‌ରେ ଗୋଟିଏ ପ୍ରଜାପତି ଯଦି ଡେଣା ହଲାଏ, ତା’ର କମ୍ପନର ପ୍ରଭାବରେ ସୁଦୂର ଟେକ୍ସାସ୍‌ରେ ମଧ୍ୟ ଘୂର୍ଣ୍ଣିଝଡ଼ଟିଏ ହୋଇଯାଇପାରେ। ରୂପକାତ୍ମକ ଶୈଳୀରେ ପ୍ରକାଶିତ ଏ ସିଦ୍ଧାନ୍ତଟିର ନାମ ସେ ରଖିଥିଲେ ‘ବଟର୍‌ଫ୍ଲାଇ ଇଫେକ୍ଟ’ ବା ‘ପ୍ରଜାପତି-ପ୍ରଭାବ’। ଆମ ଅଲକ୍ଷ୍ୟରେ ଘଟିଚାଲିଥିବା ଛୋଟ ଛୋଟ ଘଟଣା ଜୀବନର ଅନେକ ବୃହତ୍‌ ପରିବର୍ତ୍ତନର କାରକ ହୋଇଥାଏ। ପ୍ରତି ମୁହୂର୍ତ୍ତରେ ମନୁଷ୍ୟ ପ୍ରଜାପତି-ପ୍ରଭାବକୁ ସାମନା କରିଚାଲିଛି; ଫଳତଃ କ୍ଷୁଦ୍ରରୁ କ୍ଷୁଦ୍ରତମ କାର୍ଯ୍ୟଟିଏ ମଧ୍ୟ ଏକ ବୃହତ୍‌ ପରିଣାମର ଘଟକ ସାବ୍ୟସ୍ତ ହେଉଛି। ପୁରାଣ, ଇତିହାସ ଓ ସାହିତ୍ୟରୁ କିଛି ଉଦାହରଣ ନେଇ ବିଷୟଟିକୁ ବୁଝିବା।
ରାମାୟଣରେ ବିଧବା ସୂର୍ପଣଖା ଶ୍ରୀରାମ ଓ ଲକ୍ଷ୍ମଣଙ୍କ ରୂପରେ ବିମୋହିତ ହୋଇ ସେମାନଙ୍କୁ ବିବାହ ପ୍ରସ୍ତାବ ଦେଲା। ପ୍ରଭୁ ଶ୍ରୀରାମ ନମ୍ରତାର ସହିତ ପ୍ରସ୍ତାବଟି ପ୍ରତ୍ୟାଖ୍ୟାନ କଲେ କିନ୍ତୁ କ୍ଷଣକୋପୀ ଲକ୍ଷ୍ମଣ କ୍ରୋଧାନ୍ଧ ହୋଇ ତା’ର ନାକ କାଟିଦେଲେ। ସୁଦୂର ପଞ୍ଚବଟୀ ଅରଣ୍ୟରେ ସଂଘଟିତ ଏ କ୍ଷୁଦ୍ର ଘଟଣାର ପ୍ରଭାବ କ’ଣ ହେଲା ଆମେ ଜାଣିଛେ। ସୀତା ହରଣଠାରୁ ନେଇ ସେତୁବନ୍ଧ ନିର୍ମାଣ, ଶ୍ରୀଲଙ୍କାର ଧ୍ବଂସ ସାଧନ, ସୀତାଙ୍କର ନିର୍ବାସନ ଓ ପାତାଳ ସମାଧି ପରି ଅନେକ ଘଟଣା ପଛକୁ ପଛ ଘଟିଗଲା। ସେହିପରି ଅଷ୍ଟ୍ରିଆର ରାଜପୁତ୍ର ଆର୍କଡ୍ୟୁକ୍ ଫର୍ଡିନାଣ୍ଡ୍ ଏକ ସାଧାରଣ ପରିବାରର ସୁନ୍ଦରୀ ଝିଅ ସୋଫି ଚେତେକ୍‌ଙ୍କୁ ପରିବାରର ଇଚ୍ଛା ବିରୋଧରେ ବିବାହ କଲେ ଏବଂ ଦେଶବାସୀଙ୍କୁ ଚେତେକ୍‌ଙ୍କ ସୌନ୍ଦର୍ଯ୍ୟ ଦେଖାଇବାକୁ ଏକ ଛାତ ନଥିବା ଖୋଲା କାରରେ ତାଙ୍କୁ ବସାଇ ପରିଭ୍ରମଣରେ ବାହାରିଲେ। ରାସ୍ତାରେ ସର୍ବିୟାର ଜଣେ ଜାତୀୟତାବାଦୀ ବିଦ୍ରୋହୀ ଊଣେଇଶ ବର୍ଷୀୟ ପ୍ରିନସିପ୍ ସୁଯୋଗ ପାଇ ଉଭୟଙ୍କୁ ରାସ୍ତା ଉପରେ ହତ୍ୟା କରିଦେଲା। ଏହି କାରଣରୁ ଅଷ୍ଟ୍ରିଆ ଓ ସର୍ବିୟା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ସମଗ୍ର ବିଶ୍ବ ଦୁଇ ଭାଗରେ ବିଭକ୍ତ ହୋଇ ସେ ଯୁଦ୍ଧରେ ସାମିଲ ହୋଇଗଲା ଏବଂ ତାହା ହେଲା ପ୍ରଥମ ବିଶ୍ବ ଯୁଦ୍ଧ। ଯୁଦ୍ଧର ଫଳ ସ୍ବରୂପ ଜର୍ମାନୀର ଅର୍ଥନୀତି ଭୁଶୁଡ଼ିଯାଇ ହିଟଲର୍ କ୍ଷମତାକୁ ଆସିଲେ ଓ ଅଚିରେ ଦ୍ବିତୀୟ ବିଶ୍ବଯୁଦ୍ଧର ସୂତ୍ରପାତ ହେଲା ଏବଂ ପରମାଣୁ ବୋମା ପ୍ରୟୋଗ ପର୍ଯ୍ୟନ୍ତ କଥା ଗଲା। ପରେ ପରେ ଶୀତଳଯୁଦ୍ଧ ମଧ୍ୟ ଲାଗିରହିଲା ଅନେକ କାଳ। ପ୍ରିନସିପ୍‌ର ସାମାନ୍ୟ ଏକ ଭୁଲ୍ ପାଇଁ ଏତେ ବଡ଼ ବୈଶ୍ବିକ ବିପର୍ଯ୍ୟୟ ଘଟିଗଲା। ଇଏ ହେଉଛି ପ୍ରଜାପତି-ପ୍ରଭାବର ଏକ ଐତିହାସିକ ଉଦାହରଣ।
ଛୋଟ ଏକ ଘଟଣା ସଂପୂର୍ଣ୍ଣ ବ୍ରହ୍ମାଣ୍ଡକୁ ବଦଳାଇ ଦେଇପାରେ। ଚିନ୍ତାଧାରାର ଏକ କ୍ଷୁଦ୍ରତମ ପରିବର୍ତ୍ତନ ଜୀବନର ଅନ୍ତିମ ଫଳାଫଳକୁ ବ୍ୟାପକ ପରିବର୍ତ୍ତନ କରିଦେଇପାରେ, ଠିକ୍ ଯେମିତି ସ୍ତୂପୀକୃତ ପ୍ରସ୍ତର ମଧ୍ୟରୁ ଗୋଟିଏ ଛୋଟ ପ୍ରସ୍ତରକୁ ସ୍ଥାନାନ୍ତର କଲେ ସମଗ୍ର ସ୍ତୂପଟି ଭୁଶୁଡ଼ିପଡ଼େ। ମୁଖରୁ ନିର୍ଗତ ଗୋଟିଏ ଛିଙ୍କ ଘଟାଇ ଦେଇପାରେ ବିଶ୍ବବ୍ୟାପୀ ମହାମାରୀ ଏବଂ ସିଗାରେଟରୁ ନିର୍ଗତ ଧୂଆଁ ଟିକିଏ ମଧ୍ୟ ପରିବେଶକୁ କରିଦେଇପାରେ ବିଷର ବଳୟ। ପ୍ରଜାପତି-ପ୍ରଭାବର ଫଳ ଉଭୟ ନକାରାତ୍ମକ ଓ ସକାରାତ୍ମକ ହୋଇପାରେ। କ୍ଷୁଦ୍ରାତିକ୍ଷୁଦ୍ର ଘଟଣାଟିଏ ଆମକୁ ବୃହତ୍ତର ବିଶ୍ବଠାରୁ ବିଚ୍ଛିନ୍ନ କରିଦେଇପାରେ କିମ୍ବା ତା’ ସହିତ ଏକାକାର କରିଦେଇପାରେ।
ରେ’ ବ୍ରଡ୍‌ବରିଙ୍କର ସମୟ-ପରିଭ୍ରମଣ ଉପରେ ଆଧାରିତ ଗଳ୍ପ ‘ସାଉଣ୍ଡ୍ ଅଫ୍ ଥଣ୍ଡର୍’ ଆପଣମାନେ ପଢ଼ିଥିବେ। ୨୦୫୫ ମସିହାର ପ୍ରେକ୍ଷାପଟରେ ଲିଖିତ ଏ ଗଳ୍ପଟିରେ ମୁଖ୍ୟ ଚରିତ୍ର ଏକଲସ୍ ଟାଇମ୍ ମେସିନ୍‌ର ସହାୟତାରେ ଷାଠିଏ ଲକ୍ଷ ବର୍ଷ ପଛକୁ ଯାଇ ସଦ୍ୟ ମୃତ୍ୟୁର ଅପେକ୍ଷାରେ ଥିବା ଏକ ପ୍ରାଗ୍‌ଐତିହାସିକ ଡାଇନୋସର୍ ‘ଟି-ରେକ୍ସ’କୁ ଶିକାର କରିବାର ଯୋଜନା କରିଛନ୍ତି। ତାଙ୍କୁ ସତର୍କ କରିଦିଆଯାଇଛି ଯେ, ଅତୀତର ସନ୍ତୁଳିତ ପରିବେଶରେ ସାମାନ୍ୟତମ ପରିବର୍ତ୍ତନ ମଧ୍ୟ ବର୍ତ୍ତମାନ ଉପରେ ଗଭୀର ପ୍ରଭାବ ପକାଇପାରେ। ଷାଠିଏ ଲକ୍ଷ ବର୍ଷ ତଳୁ ମୂଷାଟିଏ ବି ମାରିଦେଲେ ତା’ଠାରୁ କାଳକ୍ରମେ ଜନ୍ମ ନେବାକୁ ଥିବା କୋଟି କୋଟି ମୂଷାଙ୍କର ଜନ୍ମ ବାଧାପ୍ରାପ୍ତ ହେବ। ମୂଷାଙ୍କୁ ଆହାରକରି ବଞ୍ଚିବାକୁ ଥିବା କୋଟି କୋଟି ଶିଆଳର ବଂଶ ଆଗକୁ ବଢ଼ିବନି ଏବଂ ଶିଆଳକୁ ଖାଇ ବଞ୍ଚୁଥିବା ବଣମଣିଷ ଜାତି ବଂଶ ବଢ଼ାଇ ନପାରି ଲୋପ ପାଇଯିବେ। ଫଳତଃ ସେମାନଙ୍କ ଠାରୁ ଉତ୍ପନ୍ନ ହେବାକୁ ଥିବା କୋଟି କୋଟି ମଣିଷ ଭବିଷ୍ୟତ କାଳରେ ଯେଉଁ ମହାଦେଶଟିଏ ସୃଷ୍ଟି କରିଥାନ୍ତେ ତାହା ବାଧାପ୍ରାପ୍ତ ହେବ। ତେଣୁକରି ଏକଲସ୍ ଏକ ସମୟ-ନିରପେକ୍ଷ ଭାସମାନ ପଥରେ ହିଁ ଯାତ୍ରା କରିବେ ଏବଂ ସେ ରାସ୍ତାରୁ ପାଦ ସାମାନ୍ୟ ତଳକୁ ଖସାଇଦେଲେ ଯେଉଁ ସାମାନ୍ୟ ପରିବର୍ତ୍ତନ ହେବ, ତାହା ଅସାମାନ୍ୟ ବିପର୍ଯ୍ୟୟ ସୃଷ୍ଟି କରିବ। ଷାଠିଏ ଲକ୍ଷ ବର୍ଷ ପଛରେ ଥିବା ଟି-ରେକ୍ସ ଡାଇନୋସରକୁ ଦେଖି ଏକଲସ୍ ଏପରି ଭୟଭୀତ ହୋଇପଡ଼ିଲେ ଯେ, ପାଦ ତାଙ୍କର ନିର୍ଦ୍ଧାରିତ ପଥରୁ ବିଚ୍ୟୁତ ହୋଇ ଭୂମିକୁ ସାମାନ୍ୟ ସ୍ପର୍ଶ କଲା। ପରେ ପରେ ସେ ଶିକାର ସମାପ୍ତ କରି ବର୍ତ୍ତମାନ ସମୟକୁ ଲେଉଟି ଆସିଲେ। କିନ୍ତୁ ସେତେବେଳକୁ ବର୍ତ୍ତମାନ କାଳଖଣ୍ଡରେ ସବୁକିଛି ପରିବର୍ତ୍ତନ ହୋଇସାରିଥିଲା। ପରିବେଶ, ପରିସ୍ଥିତି, ଲୋକବାକ ଓ ସାମାଜିକ ବ୍ୟବସ୍ଥା, ସବୁକିଛି ବଦଳି ଯାଇଥିଲା। କେହି ତାଙ୍କୁ ଚିହ୍ନିପାରୁ ନଥିଲେ ଏବଂ ସେ ମଧ୍ୟ କାହାରିକୁ ଜାଣିନଥିଲେ। ଦେଶରେ ଲୋକତନ୍ତ୍ର ବଦଳରେ ଶାସନରେ ଥିଲା ଫାସିବାଦ। ଏପରି ପରିବର୍ତ୍ତନର କାରଣ ଖୋଜି ଏକଲସ୍ ଦେଖିଲେ, ଜୋତା ତଳେ ତାଙ୍କର ଲାଗିରହିଛି କିଛି କାଦୁଅ ସହିତ ପ୍ରାଗ୍‌ଐତିହାସିକ ଯୁଗର ଏକ ମୃତ ପ୍ରଜାପତି। ଷାଠିଏ ଲକ୍ଷ ବର୍ଷ ପୂର୍ବେ ପାଦ ତଳେ ଚାପିହୋଇ ଏକ ପ୍ରଜାପତିର ମୃତ୍ୟୁ ବର୍ତ୍ତମାନ ପୃଥିବୀର ପରିତନ୍ତ୍ରରେ ଆଣି ଦେଇଛି ଏତେ ବଡ଼ ପରିବର୍ତ୍ତନ।
ବନ୍ଧୁଗଣ, ମନେ ରଖିଥାନ୍ତୁ, ପ୍ରଜାପତି-ପ୍ରଭାବରେ ଆପଣଙ୍କ ରାତି ସିନା ବଦଳିବନି, ସ୍ବପ୍ନ ନିଶ୍ଚୟ ବଦଳିଯିବ। ଲକ୍ଷ୍ୟସ୍ଥଳ ବଦଳିବନି, ସହଯାତ୍ରୀ ବଦଳିଯିବେ। ଜିତିବାର ମନୋବୃତ୍ତି ନେଇ କେବଳ ଆଗକୁ ବଢ଼ିଚାଲୁଥାନ୍ତୁ, କାହିଁକି ନା, ପ୍ରଜାପତି-ପ୍ରଭାବ ଆପଣଙ୍କ ଭାଗ୍ୟ ବଦଳାଉ କି ନ ବଦଳାଉ, ଆପଣଙ୍କ ସମୟକୁ ନିଶ୍ଚୟ ବଦଳାଇଦେବ। ଏବେ ଖୋଜି ଦେଖନ୍ତୁ ତ, ଆପଣଙ୍କ ଜୀବନରେ କିଛି ପ୍ରଜାପତି-ପ୍ରଭାବ ଅଛି କି? “ରାତ୍ ନହିଁ, ଖ୍ବାବ୍ ବଦଲତା ହୈ/ମଂଜିଲ୍ ନହିଁ, କାରଵାଁ ବଦଲତା ହୈ/ଜଜଵା ରଖୋ ଜିତନେ କା/କ୍ୟୁଁ କି, କିସମତ୍ ବଦଲେ ନ ବଦଲେ, ପର୍ ଵକ୍ତ୍ ଜରୁର୍ ବଦଲତା ହୈ”।
ମୋ: ୯୩୩୭୬୪୮୬୩୮

ସମ୍ବନ୍ଧିତ ଖବର