ପ୍ରସଙ୍ଗଟି ମନକୁ ଆସିନଥାନ୍ତା ଯଦି ନକଲି ସାର୍ଟିଫିକେଟ ସଂପର୍କିତ ଠକେଇର ଖବରସବୁ ଏବେ ଗଣମାଧ୍ୟମରେ ଆସୁନଥାନ୍ତା। କିଛି ନକଲି ଦସ୍ତଖତ ହିଁ ଗୋଟିଏ ଦସ୍ତାବିଜକୁ ନକଲି କରିଦିଏ। ଆଚ୍ଛା କୁହନ୍ତୁ ତ, ନିଜର ପ୍ରଥମ ଦସ୍ତଖତଟି ଆପଣ କେବେ କରିଥିଲେ? ଆଜି ପର୍ଯ୍ୟନ୍ତ ନିଜର ଦସ୍ତଖତ ଆପଣ କେତେଥର କରିଛନ୍ତି? ଆମର ଜୀବନ-ବୃକ୍ଷ ବିକଶିତ ହୋଇ ଫୁଲ ଫଳରେ ଭରିଯିବା ପଛରେ ରହିଛି ଢେର କିଛି ଲୋକଙ୍କର ହସ୍ତାଙ୍କିତ ଦସ୍ତଖତର ଅବଦାନ। ଜଣେ ବ୍ୟକ୍ତି ପାଇଁ ଦସ୍ତଖତଟି ତା’ର ବହୁ ମୂଲ୍ୟବାନ। ଏହା ତା’ର ସର୍ବସାଧାରଣ ଚେହେରା। ଦସ୍ତଖତ ସ୍ବାକ୍ଷରକାରୀର ବାର୍ତ୍ତା ଓ ବଚନବଦ୍ଧତା ବହନ କରିଥାଏ। ବ୍ୟକ୍ତି ପରିଚୟର କେନ୍ଦ୍ରରେ ରହିଛି ମନୁଷ୍ୟର କ୍ଷୁଦ୍ର ଏକ ଦସ୍ତଖତ। ଯିଏ ଯେତେ ଉଚ୍ଚକୁ ଉଠେ ଦସ୍ତଖତ ତା’ର ସେତେ ମୂଲ୍ୟବାନ ହେବାରେ ଲାଗିଥାଏ। ଜର୍ଜ ଵାସିଂଟନ କେବେ ବି ଭାବିନଥିବେ ଆମେରିକାର ‘ଆକ୍ଟ ଅଫ୍ କଂଗ୍ରେସ’ରେ ସେ କରିଥିବା ଦସ୍ତଖତଟି ଆଜି ଏକ କୋଟି ଡଲାରରୁ ଊର୍ଦ୍ଧ୍ୱ ମୂଲ୍ୟର ହେବ ବୋଲି। ଦସ୍ତଖତ ସ୍ୟାହିରେ ଅଙ୍କିତ କେତୋଟି ରେଖା ମାତ୍ର ନୁହେଁ, ଏହା ସ୍ବାକ୍ଷର କରିଥିବା ବ୍ୟକ୍ତି ସଂପର୍କରେ ଅନେକ କିଛି ବୟାନ କରେ। ଦସ୍ତଖତ ହେଉଛି ଜଣେ ବ୍ୟକ୍ତିର ଏକାନ୍ତ ବିଶ୍ବାସଯୋଗ୍ୟ ପ୍ରତିନିଧି। ଗୋଟିଏ ସଂକ୍ଷିପ୍ତ ହାତଲେଖା, ଯାହା ସଂପୃକ୍ତ ବ୍ୟକ୍ତିର ପରିଚୟକୁ ବିଶ୍ବ ସମ୍ମୁଖରେ ସଠିକ୍‌ ବୋଲି ସାବ୍ୟସ୍ତ କରିଥାଏ। ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ନିଜର ଦସ୍ତଖତଟି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟନିର୍ବାହୀ। ଅନେକ କୁହନ୍ତି ଦସ୍ତଖତରୁ ବ୍ୟକ୍ତିର ଚରିତ୍ର ଜଣା ପଡ଼େ। ଯେମିତିକି, ଆରମ୍ଭରୁ ଉପର ଆଡ଼କୁ ଯଦି ଦସ୍ତଖତଟି ଲମ୍ବିଥାଏ, ସେ ବ୍ୟକ୍ତି ଆଶାବାଦୀ ଓ ସୃଜନଶୀଳ। ଆରମ୍ଭରୁ ତଳ ଆଡ଼କୁ ହେଲେ ସ୍ବାକ୍ଷରକାରୀ ସନ୍ଦେହୀ ଓ ନିରାଶାବାଦୀ ଏବଂ ଜୀବନ ତା’ର ସଂଘର୍ଷପୂର୍ଣ୍ଣ। ସିଧା ଦସ୍ତଖତ କରୁଥିବା ବ୍ୟକ୍ତି ଶୃଙ୍ଖଳିତ, ଆତ୍ମସନ୍ତୁଷ୍ଟ ଓ ଆତ୍ମନିୟନ୍ତ୍ରଣରେ ଦକ୍ଷ।

Advertisment

ଦସ୍ତଖତର ଉଦ୍ଭାବନ ଓ ପ୍ରଚଳନ କେବେଠାରୁ ହୋଇଛି ତାହା ଅଜଣା। ପଞ୍ଚମ ଶତାବ୍ଦୀର ରୋମୀୟ ଶାସକ ତୃତୀୟ ଭାଲେଣ୍ଟିନିୟନଙ୍କ ସମୟରେ ପ୍ରତ୍ୟେକ ଦସ୍ତାବିଜର ପୁରୋଭାଗରେ ରହୁଥିଲା ଏକ ‘ସବ୍‌ସକ୍ରିପ୍ଟୋ’। ତାହା ହିଁ ହେଉଛି ପରବର୍ତ୍ତୀ କାଳରେ ପ୍ରଚଳିତ ଦସ୍ତଖତ। ଗୋଟିଏ ଦସ୍ତଖତର ଗୁରୁତ୍ୱ କେତେ ତାହା ଇତିହାସର ଏକ ପୁରାତନ ଘଟଣାରୁ ଜଣା ପଡ଼େ। ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭରେ ଇଂଲାଣ୍ଡ୍‌ର ରାଜା କିଙ୍ଗ୍ ଜନ୍ ନିଜର ସକଳ ଅନିଚ୍ଛା ସତ୍ତ୍ୱେ ଯଦି ବିଶ୍ବ ପ୍ରସିଦ୍ଧ ସନନ୍ଦ ‘ମ୍ୟାଗନା କାର୍ଟା’ରେ ଦସ୍ତଖତ କରିନଥାନ୍ତେ, ସାଧାରଣ ମନୁଷ୍ୟ ସମ୍ଭ୍ରାନ୍ତମାନଙ୍କ ବନ୍ଧନରୁ ମୁକ୍ତ ହୋଇପାରି ନଥାନ୍ତା କି ନ୍ୟାୟ ବ୍ୟବସ୍ଥା ପ୍ରତି ତା’ର ଅଧିକାର ସାବ୍ୟସ୍ତ ହୋଇପାରି ନଥାନ୍ତା। ଆମେରିକାର ସ୍ବାଧୀନତା ଠାରୁ ଆରମ୍ଭ କରି ମାନବାଧିକାରର ଘୋଷଣା ପର୍ଯ୍ୟନ୍ତ ସବୁକିଛି ଗୁରୁତ୍ୱପୂର୍ଣ୍ଣ ଘଟଣାର ପଶ୍ଚାଦ ଭାଗରେ ରହିଛି ମ୍ୟାଗନା କାର୍ଟା ସନନ୍ଦରେ କିଙ୍ଗ୍ ଜନଙ୍କର ସେଇ ଦସ୍ତଖତଟିର କରାମତି।

ପିଲାଟିଏ ଜନ୍ମ ନେବା ପରେ ପ୍ରଥମ ଦସ୍ତଖତଟି ଯାହା ତାକୁ ଦୁନିଆ ସହିତ ପରିଚିତ କରାଏ, ତାହା ହେଉଛି ତା’ର ଜନ୍ମ ପ୍ରମାଣ ପତ୍ରରେ ଗୋଟିଏ ଦସ୍ତଖତ। ତା’ ପରେ ସ୍କୁଲରେ ନାମ ଲେଖାଇବା ବେଳେ ବାପା କରିଦିଅନ୍ତି ଆଉ ଗୋଟିଏ ଦସ୍ତଖତ। ଏ ଦୁଇ ଦସ୍ତଖତରୁ ଜୀବନର ଯାତ୍ରା ଆରମ୍ଭ ହୋଇ କ୍ରମଶଃ ମାଳ ମାଳ ଦସ୍ତଖତ ଉପର ଦେଇ ଆଗକୁ ଗଡ଼ି ଚାଲେ। ଜୀବନର ସବୁକିଛି କୃତିତ୍ବ, ସଫଳତା ଓ ବିଫଳତାର ମୂଳରେ ଥାଏ ତା’ର କିଛି ଦସ୍ତଖତ। ବାପାଙ୍କର ସେଇ ପ୍ରଥମ ଦସ୍ତଖତରୁ ଆରମ୍ଭ ହୋଇଥିବା ଜୀବନର ଯାତ୍ରା ପଥରେ ଅସୁମାରି ଦସ୍ତଖତ ନିଜକୁ କରିବାକୁ ପଡ଼େ। ପାଠପଢ଼ା, କର୍ମ ସଂସ୍ଥାନ, ପ୍ରତିଯୋଗିତା, ଘର, ବ୍ୟବସାୟ, ବ୍ୟାଙ୍କ, ବୀମା, ସଂପତ୍ତି ଓ ବିବାହ ଆଦି ସବୁକିଛି ହାସଲ କରିବାର ମୂଳରେ ରହିଥାଏ କିଛି ଦସ୍ତଖତ। ଗୋଟିଏ ଦସ୍ତଖତ କରିଦେଲେ କେଉଁଠି କୋଟି କୋଟି ଟଙ୍କା ମିଳିଯାଏ ତ ଆଉ କେଉଁଠି ଗୋଟିଏ ଦସ୍ତଖତ ମନୁଷ୍ୟକୁ ସର୍ବସ୍ବାନ୍ତ କରିଦିଏ। ବିବାହ ପଞ୍ଜିକାରେ ଦସ୍ତଖତ ଦୁଇଜଣ ପୁରୁଷ ଓ ନାରୀକୁ ପତି-ପତ୍ନୀର ବନ୍ଧନରେ ବାନ୍ଧିଦିଏ ଏବଂ କେବେ ସେଇ ଦସ୍ତଖତ ସେମାନଙ୍କୁ କରିଦିଏ ପରସ୍ପରର ଅପରିଚିତ। ଗୋଟିଏ ଦସ୍ତଖତ ବଳରେ ଜଣେ ଫାଶୀ ଖୁଣ୍ଟରେ ଝୁଲିଯାଏ ଓ ଆଉ ଜଣେ ଦୋଷମୁକ୍ତ ହୁଏ। ଆପଣଙ୍କ ଦସ୍ତଖତ ହେଉଛି ଜୀବନ ଓ ବ୍ୟକ୍ତିତ୍ବକୁ ପ୍ରତିନିଧିତ୍ବ କରୁଥିବା ଏକ ଶକ୍ତିଶାଳୀ ପ୍ରତୀକ। ଭୁଲ୍‌ ସ୍ଥାନରେ ତା’ର ପ୍ରୟୋଗ ଆପଣଙ୍କ ପାଇଁ କେବଳ ଦୁର୍ନାମ ଓ ଦୁର୍ଦ୍ଦଶା ଆଣିଦେବ।

ମନୁଷ୍ୟ ଗୋଟିଏରେ ଦସ୍ତଖତ ଗୋଟିଏ। ବନ୍ଧୁଗଣ, ସ୍କୁଲର ‘ପ୍ରଗତି ପତ୍ର’ରେ ବାପାଙ୍କ ଦସ୍ତଖତର ନକଲ କେବେ ସିନା ଆମେ କରିଦେଉଥିଲେ, ଏବେ ନକଲି ଦସ୍ତଖତର ପଛରେ ନପଡ଼ି ନିଜର ଅସଲି ଦସ୍ତଖତକୁ ଏତେ ଉଚ୍ଚକୁ ନେଇଯାଆନ୍ତୁ ଯେମିତି ତାହା ମୂଲ୍ୟବାନ ଅଟୋଗ୍ରାଫ୍‌ରେ ପରିଣତ ହୋଇଯିବ ଓ ଆପଣଙ୍କର ଗୋଟିଏ ଅଟୋଗ୍ରାଫ୍ ପାଇଁ ଆଗରେ ପଛରେ ଭିଡ଼ ଜମିବ। ଖଣ୍ଡିଏ ଛିଣ୍ଡା କାଗଜରେ ଗୋଟିଏ ଅଟୋଗ୍ରାଫ୍ କୋଟିଏ ଟଙ୍କାର ଚେକ୍ ଉପରର ଦସ୍ତଖତ ଠାରୁ ଅଧିକ ମୂଲ୍ୟବାନ। ହଁ, ବାପାଙ୍କର ଗୋଟିଏ ଦସ୍ତଖତ ଠାରୁ ଆଗକୁ ବଢ଼ିଚାଲିଥିବା ଜୀବନ ଦିନେ ଶେଷ ଶଯ୍ୟାରେ ବାପାଙ୍କୁ ପଡ଼ିଥିବା ଦେଖି ବିଚଳିତ ହୋଇଯାଏ। ଘରେ ସବୁ ସନ୍ତାନ ମାନଙ୍କର ଭିଡ଼ ଲାଗେ। ଦରକାରୀ ଆର୍ଥିକ ଦସ୍ତାବିଜରେ ଦସ୍ତଖତ କରାଇ ନିଆଯାଏ। ଝିଅ କହେ ‘ବାପା, ସହରର ଜମି ଖଣ୍ଡିକ ମତେ ଦେବେ ବୋଲି କହିଥିଲେ’। ପୁଅ କହେ, ‘ବାପା, ଏ ଘରଟି ମୋତେ ଦେଇ ଦିଅନ୍ତୁ।’ ଅନ୍ୟ ପୁଅଝିଅ ଓ ଦାୟାଦମାନେ ନିଜ ନିଜର ଇଚ୍ଛା ବ୍ୟକ୍ତ କରନ୍ତି। ପ୍ରସ୍ତୁତ ହୋଇଯାଏ ଶେଷ ଇଚ୍ଛାପତ୍ର। ସେଥିରେ ବାପା କରିଦିଅନ୍ତି ତାଙ୍କର ଅନ୍ତିମ ଦସ୍ତଖତ ଓ ପରେ ପରେ ଜୀବନ ଫର୍ଦ୍ଦର ଶେଷ ପୃଷ୍ଠାରେ ମୃତ୍ୟୁ ତା’ର ଦସ୍ତଖତ କରି ଚାଲିଯାଏ। ଡାକ୍ତରଖାନାରୁ ବାପାଙ୍କ ଶବ ଆଣିଲାବେଳେ ନର୍ସଟି ପାଟିକରି କହେ, ‘ଅପେକ୍ଷା କରନ୍ତୁ, ମୃତ୍ୟୁ ପ୍ରମାଣ ପତ୍ରରେ ଡାକ୍ତରଙ୍କ ଦସ୍ତଖତ ବାକି ଅଛି ପରା!’
[email protected]