ନବେ ଦଶକରେ ଗୋଟିଏ ବିଦ୍ୟୁତ୍ ବଲ୍‌ବର ଟିଭି ବିଜ୍ଞାପନ ଆସିଥିଲା, “ଜବ ମୈ ଛୋଟା ବଚ୍ଚା ଥା ବଡ଼ି ସରାରତ୍ କରତା ଥା...”। ଜଣେ ବୃଦ୍ଧ ହାତରେ କିଛି ଔଷଧ ବଟିକା ଧରି ସ୍ବଗତୋକ୍ତି କରୁଥିଲେ, “ଯେତେବେଳେ ମୁଁ ଛୋଟ ଥିଲି ବହୁତ ଦୁଷ୍ଟାମୀ କରୁଥିଲି। ଘର ଭିତରେ ଏ ବଲ୍‌ବଟି ଜଳିଉଠିଲେ ମୋର ଦୁଷ୍ଟାମୀ ସବୁ ଧରା ପଡ଼ିଯାଉଥିଲା। ଏବେ ମୁଁ ସଂପୂର୍ଣ୍ଣ ବୃଦ୍ଧ, ବଟିକା ଖାଇ ବଞ୍ଚିଛି, ହେଲେ ଆଜି ମଧ୍ୟ ଘର ଭିତରେ ସେଇ ବଲ୍‌ବଟି ଆଲୋକ ଦେଇ ଚାଲିଛି”। ସେ ସମୟରେ ଉପକରଣ ଗୁଡ଼ିକର ଦୀର୍ଘସ୍ଥାୟିତ୍ବକୁ ଦେଖିଲେ ବିଜ୍ଞାପନଟି ଅତିରଞ୍ଜିତ ନଥିଲା। ଏବେ ବଡ଼ଠାରୁ ଆରମ୍ଭ କରି ଛୋଟ ସହର, ସବୁଠାରେ ଦୀର୍ଘସ୍ଥାୟୀ ଖାଉଟି ଉତ୍ପାଦ ବା ‘କଞ୍ଜ୍ୟୁମର ଡ୍ୟୁରେବଲସ୍’ର ବଜାର। ମାତ୍ର ଉତ୍ପାଦର ଦୀର୍ଘସ୍ଥାୟିତ୍ବ ପୂର୍ବ ପରି ଆଉ ନାହିଁ। କୌଣସି ଏକ ଉତ୍ପାଦର ସ୍ଥାୟିତ୍ବ ନିର୍ଭର କରେ ତା’ର ସମୟୋପଯୋଗୀ ମରାମତି ଉପରେ। ଉପକରଣକୁ ମରାମତି କରି ପୁନଃବ୍ୟବହାର କରିବାର ମାନସିକତା ଆମର ଆଉ ନାହିଁ। ମରାମତି ପରିବର୍ତ୍ତେ ଏବେ ଆମେ ବଦଳାଇ ଦେବାରେ ବିଶ୍ବାସୀ। ସ୍କୁଲରେ ପଢ଼ିବା ସମୟରେ ଶ୍ରେଣୀଗୃହର ଛାତରେ କାହିଁ କେତେ କାଳରୁ ଝୁଲିରହି ପବନ ଯୋଗାଉଥିଲା ଦୁଇଟି ‘ହାଣ୍ଡି’ ପରି ଦେଖାଯାଉଥିବା ପଙ୍ଖା। ସ୍କୁଲ ଛାଡ଼ିବାର ଅନେକ ବର୍ଷ ପରେ ଥରେ ସ୍କୁଲ ଯାଇଥିବା ବେଳେ ଦେଖିଲି ସେ ପଙ୍ଖା ସେମିତି ନିଜ ସ୍ଥାନରେ ରହି ପୂର୍ବପରି ଚାଲିଛି। ନା ମରାମତି ହୋଇଛି ନା ତାକୁ ବଦଳାଇ ଦେବାର ଆବଶ୍ୟକତା ପଡ଼ିଛି। ଗୋଟିଏ ସମୟ ଥିଲା, ଆମେ ଖରାପ ହୋଇଯାଇଥିବା ଉପକରଣକୁ ମରାମତି କରି ପୁନଃବ୍ୟବହାର କରୁଥିଲେ।

Advertisment

ଏପରିକି ଲଣ୍ଠନର କାଚ ଭାଙ୍ଗିଗଲେ ବୋଉ ତାକୁ ରସୁଣ ରସ ଲଗାଇ ଯୋଡ଼ିଦେଇ ପୁନଃବ୍ୟବହାର କରୁଥିବା ଶୈଶବର ସ୍ମୃତି ଏବେ ବି ତାଜା ରହିଛି। ଘରର ପୁରୁଣା ଉପକରଣ ପ୍ରତି ଭାବନାତ୍ମକ ବନ୍ଧନ ଏବେ ଆଉ ଆମର ନାହିଁ। ବାପାଙ୍କର ସ୍କୁଲ ଜୀବନର ସାଇକେଲଟି ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ପାଖରେ ଥାଇ ବ୍ୟବହାର ହେଉଥିଲା। ଅଥଚ ଆମର ବାଇକଟି ପାଞ୍ଚ, ସାତ ବର୍ଷରେ ବଦଳିଯାଇ ତା’ ସ୍ଥାନରେ ଅନ୍ୟ ଏକ ଆସିଯାଉଛି। ନିଜ ଘରେ ଥରେ ଅନୁସନ୍ଧାନ କରି ଦେଖନ୍ତୁ, ଅସଜଡ଼ା ହୋଇ ପଡ଼ିରହିଥିବା ଅନେକ ମୂଲ୍ୟବାନ ଦ୍ରବ୍ୟ ମିଳିଯିବ, ଯାହାର ମରାମତି ହୋଇଥିଲେ ଏବେ ମଧ୍ୟ ତାହା କାର୍ଯ୍ୟକ୍ଷମ ଥାଆନ୍ତା ଓ ତା’ ସ୍ଥାନରେ ନୂତନ ଉପକରଣ କିଣିବାର ଆବଶ୍ୟକତା ପଡ଼ିନଥାନ୍ତା।

ଉପଭୋକ୍ତାବାଦର ବିକାଶ ସହିତ ଆମର ମାନସିକତା ତଦନୁଯାୟୀ ବଦଳିବାରେ ଲାଗିଛି। ଏବେ ଯେଉଁ ସାମଗ୍ରୀ ସବୁ ବଜାରରେ ଉପଲବ୍ଧ ହେଉଛି ତାହା ତା’ର ସ୍ଥାୟିତ୍ବକୁ ଦୃଷ୍ଟିରେ ରଖି ତିଆରି ହେଉନାହିଁ। ମୋବାଇଲ ଫୋନର ବ୍ୟାଟେରି ଖରାପ ହୋଇଗଲେ ଏବେ ବ୍ୟାଟେରିକୁ ପରିବର୍ତ୍ତନ କରିବା ବଦଳରେ ଫୋନକୁ ବଦଳାଇବାକୁ ପଡୁଛି। ଆମ ହିରଣ୍ୟବାବୁ ସେଦିନ ବଡ଼ ମନସ୍ତାପରେ କହୁଥିଲେ, ବର୍ଷକ ତଳେ ଷାଠିଏ ହଜାର ଟଙ୍କା ଦେଇ କିଣାହୋଇଥିବା ଟିଭି ତାଙ୍କର ଖରାପ ହୋଇଗଲା। ମରାମତି ହୋଇପାରିଲାନି। ଟିଭି କମ୍ପାନି କହିଲା, ‘ଡିସପ୍ଲେ ପ୍ୟାନେଲ’ ଖରାପ ହୋଇଛି। ଆଉ ତିଆରି ହେବା ଅସମ୍ଭବ। ବଜାରରେ ଏବେ ଉପକରଣ ବଦଳାଇବାର ନାନା ଲୋଭନୀୟ ପ୍ରୋତ୍ସାହନ ବା ‘ଏକ୍ସଚେଞ୍ଜ ଅଫର’। ପୁରୁଣା ଆଣି ଦେଇଦିଅ, ନୂଆଟିଏ ନେଇଯାଅ। ଲୋଭରେ ପଡ଼ି ଆମେ ଚାଲୁ ଅବସ୍ଥାରେ ଥିବା ପଦାର୍ଥକୁ ବଦଳାଇ ଦେଇ ନୂଆ ଉତ୍ପାଦଟିଏ ନେଇ ଆସୁଛୁ। କିଣିବା ସମୟରେ ଉପକରଣର ଦୀର୍ଘସ୍ଥାୟିତ୍ବ କଥା ଚିନ୍ତା ନକରି ତା’ର ବଦଳି ମୂଲ୍ୟ ବା ‘ରିସେଲ୍ ଭାଲ୍ୟୁ’ କେତେ ହେବ ତାହା ଚିନ୍ତା କରୁଛୁ।

ଖାଲି ଉପକରଣ ନୁହେଁ, ସାମାଜିକ କ୍ଷେତ୍ରରେ ମଧ୍ୟ ଏବେ ଆଉ ସଂପର୍କକୁ ମରାମତି କରିବାର ଇଚ୍ଛା କାହାରି ନାହିଁ। ପରିବାର-ପରିବାର ମଧ୍ୟରେ, ଜାତି-ଜାତି ମଧ୍ୟରେ, ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ଓ ଦେଶ-ଦେଶ ମଧ୍ୟରେ ସଂପର୍କ ଏବେ ଅସଜଡ଼ା ହୋଇ ରହିଯାଉଛି। ସାମାନ୍ୟ କଥାରେ ପାରିବାରିକ ସଂପର୍କ ତୁଟିଯାଉଛି। ବିଶ୍ବାସବୋଧର ଅଭାବ, ଦାୟିତ୍ବବୋଧର ଅଭାବ ଓ ପାରସ୍ପରିକ ସମ୍ମାନବୋଧର ଅଭାବ ଭାଙ୍ଗିଯାଇଥିବା ସଂପର୍କକୁ ଆଉ ଯୋଡ଼ିବାକୁ ଦେଉନାହିଁ। ପତି-ପତ୍ନୀଙ୍କ ମଧ୍ୟରେ ଅସଜଡ଼ା ସଂପର୍କ ମରାମତି ନହୋଇ ପତି ବଦଳାଇ ଦେଉଛି ପତ୍ନୀକୁ ଓ ପତ୍ନୀ ବଦଳାଇ ଦେଉଛି ପତିକୁ। ପୁନଶ୍ଚ ନୂତନ ପତ୍ନୀ ଓ ପତିଙ୍କୁ ସାଙ୍ଗରେ ଧରି ଘରସଂସାର ବସିଯାଉଛି। ସଂପର୍କର ‘ରି-ପେୟାରିଂ’ ଆଉ ହୋଇପାରୁନି। ଯାହାପାଇଁ ଦିନେ ହୃଦୟ ଖୋଲା ରହୁଥିଲା, ତା’ ପାଇଁ ଆଜି ମୁହଁ ଟିକିଏ ଖୋଲିଦେଲେ ଭଙ୍ଗା ସଂପର୍କ ସଜାଡ଼ି ହୋଇଯାଆନ୍ତା, ସେକଥା କାହାରି ମନକୁ ଆସୁନି। ସମୟ ଥିଲା, ପରିବାରର ଅସଜଡ଼ା ସଂପର୍କ ପରିବାର ମଧ୍ୟରେ ସମାଧାନ ହୋଇଯାଉଥିଲା। ଏବେ ଆମେ ଭାବୁଛନ୍ତି ଫଟା ଦର୍ପଣ ପରି ଭାଙ୍ଗିଯାଇଥିବା ସଂପର୍କକୁ ମରାମତି କରିବାକୁ ଯାଇ କ୍ଷତାକ୍ତ ହେବା ଅପେକ୍ଷା ଭାଙ୍ଗିଯାଇଥିବା କାଚ ଖଣ୍ଡକୁ ଫିଙ୍ଗିଦେବା ବରଂ ଶ୍ରେୟସ୍କର।

ଗୋଟିଏ ବର୍ଯ୍ୟ-ସ୍ତୂପୀକୃତ ସମାଜ ବା ‘ଥ୍ରୋ-ଆୱେ ସୋସାଇଟି’ରେ ଏବେ ଆମେ ବାସ କରୁଛେ। ଏ ସମାଜ ମରାମତି ଅପେକ୍ଷା କେବଳ ବଦଳାଇ ଦେବାରେ ବିଶ୍ବାସୀ। ‘ପୁରାତନ ହିଁ ସୁବର୍ଣ୍ଣ’- ଏ ଦର୍ଶନରେ ଆଉ କାହାରି ରୁଚି ନାହିଁ। ଅନ୍ୟର ଦେଖି ଏବେ ନିଜ ଛାତି ଭିତରେ ଜ୍ବଳନ ଆମକୁ ପୀଡ଼ା ଦେଉଛି। ଏକ ନୁହେଁ, ଏବେ ଅନେକରେ ଆମେ ବିଶ୍ବାସୀ। ସାମଗ୍ରୀ ଠାରୁ ନେଇ ସଂପର୍କ ପର୍ଯ୍ୟନ୍ତ ସବୁକିଛି ଆଜି ହୋଇଯାଇଛି ମରାମତି ଅଯୋଗ୍ୟ କ୍ଷଣସ୍ଥାୟୀ। ଆମର ମନେ ରଖିବାର କଥା ଯେ, ମରାମତି ବିହୀନ ପରିତ୍ୟକ୍ତ ଉପକରଣ ଠାରୁ ଆରମ୍ଭ କରି ମରାମତି ରହିତ ସାମାଜିକ ସଂପର୍କ ପର୍ଯ୍ୟନ୍ତ ସ୍ତୂପୀକୃତ ବର୍ଯ୍ୟ ପଦାର୍ଥ ମଧ୍ୟରେ ବାସ କରୁଥିବା ଆମେ ମନୁଷ୍ୟମାନେ କେବଳ ଗୋଟିଏ ବସ୍ତୁକୁ ବଦଳାଇ ଦେଇପାରିବାନି, ତାହା କେବଳ ହିଁ କେବଳ ମରାମତ ହୋଇପାରିବ। ଜରୁରୀ ମରାମତି ପାଇଁ ଅପେକ୍ଷାରେ ଥିବା ଆମ ଜୀବନର ସେଇ ଅମୂଲ୍ୟ ବସ୍ତୁଟି ହେଉଛି ଆମେ ବସବାସ କରୁଥିବା ଆମର ପ୍ରିୟ ପୃଥିବୀ।
[email protected]