ସୁଭାଷ ପଟ୍ଟନାୟକ

Advertisment

“ହର୍ ଆଦମି ମୈଁ ହୋତେ ହୈଁ ଦଶ୍ ବିଶ୍ ଆଦମି/ଜିସ୍‌କୋ ଭି ଦେଖନା ହୋ, କଇ ବାର୍ ଦେଖନା...।” ନୀଦା ଫାଜଲିଙ୍କର ଏ କବିତା ପଂକ୍ତିଟି ମନୁଷ୍ୟର କାର୍ଯ୍ୟକଳାପ ମଧ୍ୟରେ ଥିବା କୃତ୍ରିମତାକୁ ଇଙ୍ଗିତ କରେ। ଗତ ଦଶ ବର୍ଷ ମଧ୍ୟରେ ଆମ ଦେଶରେ ଦୃଶ୍ୟ, ଶ୍ରାବ୍ୟ, ଭାଷ୍ୟ ଓ ପଠନୀୟ ମାଧ୍ୟମଗୁଡ଼ିକରେ ଏତେ ମିଥ୍ୟାଚାର ଓ ଶଠତା ପ୍ରବେଶ କରିଗଲାଣି ଯେ, ପ୍ରକୃତ ତଥ୍ୟକୁ ତା’ ଭିତରୁ ଖୋଜି ପାଇବା ଅସମ୍ଭବ। ମିଥ୍ୟା ସମ୍ବାଦର ପ୍ରମୁଖ ବାହକ ହୋଇଛନ୍ତି ଆମର ପାରଂପରିକ ଓ ସାମାଜିକ ଗଣମାଧ୍ୟମ। ମିଥ୍ୟା ଖବର, ସଂପାଦିତ ଭିଡିଓ ଓ ଫଟୋ, ମିଥ୍ୟା ବ୍ଲଗ୍ ଓ ଶଠ ବିଜ୍ଞାପନ ମାଧ୍ୟମରେ ଅନେକ ମନଗଢ଼ା ସମ୍ବାଦ ପ୍ରସାରିତ ହେବାରେ ଲାଗିଛି। ତେଣୁକରି ଖବର ସବୁ ଏବେ ବିଶ୍ବାସ ସଂକଟରେ ପଡ଼ିଯାଉଛି। ମିଥ୍ୟାର ପ୍ରସାର କରି ଉଦ୍ଦେଶ୍ୟ ସାଧନ ଅବଶ୍ୟ କିଛି ନୂଆ କଥା ନୁହେଁ। ମହାଭାରତ ଯୁଦ୍ଧରେ ଅଶ୍ବତ୍‌ଥାମାର ମୃତ୍ୟୁ ପରି ଏକ ମିଥ୍ୟା ଖବର ଭୀମଙ୍କ ଦ୍ବାରା ପ୍ରଚାର କରାଯାଇନଥିଲେ ଯୁଦ୍ଧର ପରିଣାମ ବଦଳି ଯାଇଥାନ୍ତା। ପ୍ରଥମ ବିଶ୍ବ ଯୁଦ୍ଧ ପରେ ଲଣ୍ଡନରୁ ପ୍ରକାଶିତ ପତ୍ରିକା ‘ଟାଇମସ୍’ ଓ ‘ଡେଲି ମେଲ୍‌’ରେ ଏକ ଅସତ୍ୟ ଖବର ପ୍ରକାଶ ପାଇଲା ଯେ, ମୃତ ସୈନିକମାନଙ୍କ ଶରୀରରୁ ଚର୍ବି ବାହାର କରି ଜର୍ମାନୀ ସେଥିରେ ସାବୁନ ଓ କୃତ୍ରିମ ଲହୁଣୀ ପ୍ରସ୍ତୁତ କରି ବିଦେଶ ପଠାଉଛି। ଦ୍ବିତୀୟ ବିଶ୍ବ ଯୁଦ୍ଧର ଛୋଟବଡ଼ କାରଣ ମଧ୍ୟରୁ ଏହା ଥିଲା ଅନ୍ୟତମ। ଭାରତର ସିପାହି ବିଦ୍ରୋହ ପଛରେ ମଧ୍ୟ ଥିଲା ଏହିପରି ଏକ ଗୁଜବ।

ମିଥ୍ୟା ତଥ୍ୟ ବା ମିସ୍‌ଇନ୍‌ଫର୍ମେସନ୍, ଦୁଷ୍ପ୍ରଚାର ବା ଡିସ୍ଇନ୍‌ଫର୍ମେସନ୍‌ ଓ ଗୁଜବ ବା ହୋକ୍ସ, ମିଛର ଏ ତିନିଟି ଅଙ୍ଗକୁ ସାମଗ୍ରିକ ଭାବରେ ଆମେ କହିପାରିବା ‘ମିଥ୍ୟା ଖବର’। ଅତୀତରେ ମାର୍କ ଟ୍ବେନ୍‌ଙ୍କ ଅସତ୍ୟ ମୃତ୍ୟୁ ସଂବାଦ ହେଉ କିମ୍ବା ନିକଟରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମିଥ୍ୟା ମୃତ୍ୟୁ ଖବର ହେଉ, ଏସବୁ ଅଭିସନ୍ଧି ପ୍ରଣୋଦିତ ‘ବ୍ରେକିଂ ନ୍ୟୁଜ୍‌’ ପ୍ରତିଯୋଗିତାର ଅଂଶ। ଅପର ପକ୍ଷେ ଦୁଷ୍ପ୍ରଚାରର ଉଦ୍ଦେଶ୍ୟ ଭିନ୍ନ। ଜାଣିଶୁଣି ଖବର ବଦଳାଇ ଅଥବା ମନଗଢ଼ା ଖବରଟିଏ ପ୍ରଚାରକରି ଲୋକମାନଙ୍କୁ ଭ୍ରମରେ ପକାଇବା ଓ ସେଥିରୁ ନିଜର ଉଦ୍ଦେଶ୍ୟ ସାଧନ କରିବା ଏବେ ଅନେକଙ୍କର କୌଶଳ ପାଲଟିଛି। ନିକଟରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ବିଦ୍ରୋହ ଓ ଧାରଣା ଏହାର ଏକ ଉଦାହରଣ। ଏପରି ଦୁଷ୍ପ୍ରଚାର ପଛର ଉଦ୍ଦେଶ୍ୟ ହେଉଛି ତିନି ତୁଣ୍ଡରେ କୁହାଇ ଛେଳିକୁ କୁକୁରର ରୂପ ଦେବା। ଗଣମାଧ୍ୟମରେ ପ୍ରକାଶିତ ବିଜ୍ଞାପନଗୁଡ଼ିକୁ ଲକ୍ଷ୍ୟ କରି ଦେଖନ୍ତୁ। ବେଦରେ ବର୍ଣ୍ଣିତ ପ୍ରଣାଳୀରେ ପ୍ରସ୍ତୁତ ଦନ୍ତମଞ୍ଜନଠାରୁ ବକ୍ଷୋଜ ବୃଦ୍ଧିକାରକ ମଲମ ପର୍ଯ୍ୟନ୍ତ ସବୁ ବିଜ୍ଞାପନ ଆମକୁ ବିଭ୍ରାନ୍ତ କରି ବ୍ୟବସାୟିକ ମୁନାଫା ନିମନ୍ତେ ଉଦ୍ଦିଷ୍ଟ। ବୟସ୍କମାନଙ୍କର ମନେ ଥିବ, ପିଲାଦିନେ ଘରକୁ ଅଜଣା ବ୍ୟକ୍ତି ମାନଙ୍କଠାରୁ ଚିଠି ଆସୁଥିଲା, ମା’ ତାରିଣୀଙ୍କର ମହିମା ବର୍ଣ୍ଣନା କରି ଦଶଟି ପୋଷ୍ଟକାର୍ଡ ନ ପଠାଇଲେ ବଡ଼ ପୁଅର ମୃତ୍ୟୁ ହେବ। ଲୋକେ ଆତଙ୍କିତ ହୋଇ ଦଶଟି ଚିଠି ଲେଖି ଅନ୍ୟର ବଡ଼ ପୁଅ ଆଡ଼କୁ ମୃତ୍ୟୁକୁ ଠେଲି ଦେଉଥିଲେ। କିଛି ବର୍ଷ ତଳେ ଶାଢ଼ୀ କିଣିବାକୁ ବଜାରରେ ପ୍ରବଳ ଭିଡ଼ ହେଲା। କାରଣ, ପ୍ରଚାର ହୋଇଯାଇଥିଲା ଯେ, ବାପଘରୁ ଖଣ୍ଡିଏ ଶାଢ଼ୀ ଆଣି ପୂଜା ନକଲେ ସ୍ତ୍ରୀଟି ବିଧବା ହୋଇଯିବ। ଗୁଜବ ମଧ୍ୟ ଏକପ୍ରକାର ତଥ୍ୟପ୍ରମାଣ ବିହୀନ ଦୁଷ୍ପ୍ରଚାର। ସଂପ୍ରତି ବିମାନ ସବୁକୁ ମିଳୁଥିବା ବୋମା ଧମକ ଏହାର ସଦ୍ୟତମ ଉଦାହରଣ।
ଏପରି ମିଛ ପ୍ରଚାର ପଛର ଉଦ୍ଦେଶ୍ୟ ଜଳଜଳ ଦେଖାଯାଉଛି। ରାଜନୈତିକ ଧ୍ରୁବୀକରଣ, ବ୍ୟାବସାୟିକ ମୁନାଫା, ସାଂପ୍ରଦାୟିକ ବିଦ୍ବେଷ, ଅପ୍ରିୟ ସତ୍ୟକୁ ବଦଳାଇବାର ଅଭିସନ୍ଧି ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ବଦ୍‌ମାସି। ଆମ ଦେଶରେ ଏବେ ଖବରର ସତମିଛ ପରଖିବା ଜନସାଧାରଣଙ୍କର ସାଧ୍ୟାତୀତ। ଫଳସ୍ବରୂପ, ସାମାଜିକ ଅଶାନ୍ତି, ଧର୍ମବିଦ୍ବେଷ ଓ ଭିଡ଼ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି। ଫେସ୍‌ବୁକ୍, ହ୍ବାଟ୍‌ସଆପ୍ ଓ ୟୁଟ୍ୟୁବ୍ ପରି ସାମାଜିକ ଗଣମାଧ୍ୟମ ମିଛ ଖବର ପ୍ରସାରଣର ପ୍ରମୁଖ ବାହକ ହୋଇଛନ୍ତି। ଭୁଲ୍‌ ଧାରଣାକୁ ପରିପୁଷ୍ଟ କରୁଥିବା ଖବରକୁ ବିନା ଅନୁସନ୍ଧାନରେ ଆମେ ଗ୍ରହଣ କରିନେଇ ଆଗକୁ ପ୍ରେରଣ କରିଦେଉଛେ। ନିକଟରେ ଏକ ହିନ୍ଦୀ ଟିଭି ଚ୍ୟାନେଲ୍‌ ଖବର ଦେଖାଇଲା ଯେ, ଷୋଡ଼ଶ ଶତାବ୍ଦୀର ଭବିଷ୍ୟବକ୍ତା ନଷ୍ଟ୍ରଦାମସ୍ କୁଆଡ଼େ ଲେଖିଦେଇ ଯାଇଛନ୍ତି ଭାରତର ଶାସନ ମୁଖ୍ୟ ହେବେ ନରେନ୍ଦ୍ର ମୋଦୀ ନାମକ ବ୍ୟକ୍ତି। ବିମୁଦ୍ରୀକରଣ ସମୟରେ ଏକ ଚ୍ୟାନେଲ୍‌ ଖବର ଦେଖାଇ ପ୍ୟାନେଲ ଚର୍ଚ୍ଚା କଲା, ଦୁଇ ହଜାର ଟଙ୍କା ନୋଟରେ କୁଆଡ଼େ “ନାନୋ ଜିପିଏସ୍ ଚିପ୍” ଲାଗିଛି ଯାହାଦ୍ବାରା କି, ତାକୁ କଳାଧନ ରୂପରେ ସାଇତି ରଖିଲେ ଆୟକର ବିଭାଗ ଜାଣିପାରିବ। ବିମୁଦ୍ରୀକରଣ ଦ୍ବାରା ଲୋକଙ୍କ ଅସନ୍ତୋଷ ଏଡ଼ାଇବା ପାଇଁ ଏହା ଏକ ମିଛ ପ୍ରାୟୋଜିତ ବ୍ୟବସ୍ଥା ଥିଲା। ଏସବୁ ଉଦାହରଣ ଭାତହାଣ୍ଡିରୁ ଗୋଟିଏ।

ଏକଦା କୁହାଯାଉଥିଲା ସତ୍ୟ ଯେଉଁଠି ଲୁଚିଲେ ମଧ୍ୟ ଫୁଟିବାହାରେ। ଏବେ ଏ ଉକ୍ତିଟିର ଆଉ କିଛି ସତ୍ୟତା ନାହିଁ। ସତ୍ୟ ରୂପରେ ମିଥ୍ୟା ହିଁ ଏବେ ସାମ୍ନାକୁ ଆସୁଛି। ପିଆଜର କୋଲା ଛଡ଼ାଇ ଛଡ଼ାଇ ଗଲେ ଶେଷକୁ ଯେମିତି ଶୂନ୍ୟ ହୋଇଯାଏ, ମିଛ ଭିତରେ ଏବେ ସତକୁ ଖୋଜି ନିରାଶ ହେବା ସାର ହେଉଛି। ନୂତନ ପ୍ରଯୁକ୍ତିର ଆବିର୍ଭାବ ହେତୁ ସୂଚନାର ହେରଫେର କରି ସାଧାରଣ ଜନତାଙ୍କୁ ଭ୍ରମିତ କରିବା ସହଜ ହେଉଛି। ତା’ ନ ହୋଇଥିଲେ ଦୀପାବଳିରେ ଆମେ ଏବର୍ଷ ଝାଡୁ କିଣିନଥାନ୍ତେ କି ଆମ ପାଇଁ ଅଜଣା ଏକ ପର୍ବ ‘ଧନତେରସ’ରେ ଋଣ କରି ସୁନା କିଣୁ ନଥାନ୍ତେ। ମିଥ୍ୟାଚାରକୁ ନେଇ ଦେଶ ଆମର ଏବେ ଏକ ବିପଦପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ତେଣୁ, ଭୁଲ୍‌ ଓ ଭ୍ରମାତ୍ମକ ସୂଚନା ଓ ଗୁଜବକୁ ଚିହ୍ନିବାର କଳା ଶିଖିନେବା ସାଂପ୍ରତିକ ସମୟର ଏକ ଜରୁରୀ ଆବଶ୍ୟକତା, ଯାହା ଫଳରେ ଭୁଲ୍‌ ସୂଚନା ଠାରୁ ନିଜକୁ ସୁରକ୍ଷିତ ରଖିହେବ। କୌଣସି ଏକ ଖବରକୁ ବିଶ୍ବାସ କରିବା ପୂର୍ବରୁ ଆମକୁ ପାଞ୍ଚଟି ‘କ’କୁ ପରଖିବାକୁ ହେବ। ‘କିଏ’, ‘କ’ଣ’, ‘କେତେବେଳେ’, ‘କେଉଁଠାରେ’ ଓ ‘କାହିଁକି’। ସବୁକିଛି ସ୍ବଚକ୍ଷୁରେ ଦେଖି ପରଖିବା ଅସମ୍ଭବ ହେଲେ ମଧ୍ୟ ଏହିଠାରେ ଆମକୁ ପୁଣି ଥରେ ନୀଦା ଫାଜଲିଙ୍କ କବିତା ପାଖକୁ ଫେରିଯିବା ଉଚିତ ନୁହେଁ କି? ତା’ ନହେଲେ କ’ଣ ହେବ କୁହନ୍ତୁ ତ? ଛେଳି ସିଂହକୁ ଖାଇଯିବାର ଖବର ଶୁଣି ଆମେ ବିଶ୍ବାସ କରିବାକୁ ବାଧ୍ୟ ହେବା। “କାଗଜ୍ ପର୍ ଲିଖି ଗଜଲ୍ ବକରି ଚବାଗୟୀ/ଚର୍ଚ୍ଚା ପୂରେ ସହର ମୈଁ ହୁଇ କି ବକରି ଶେର୍ ଖା ଗୟୀ।”
ମୋ: ୯୩୩୭୬୪୮୬୩୮