ବିଳାସପୂର୍ଣ୍ଣ ଜାହାଜ ‘ଟାଇଟାନିକ’ ଜଳଯାତ୍ରାରେ ନ ଯାଇ ନିର୍ମାଣ ହେବା ପରେ ଯଦି ବନ୍ଦରରେ ରହି ଯାଇଥାନ୍ତା ତା’ହେଲେ ସେ ଭୟାନକ ଦୁର୍ଘଟଣା ଘଟିନଥାନ୍ତା କି ପନ୍ଦର ଶହ ଜଳଯାତ୍ରୀଙ୍କର ଜୀବନ ଯାଇନଥାନ୍ତା। ବନ୍ଦରରେ ଥିବା ପର୍ଯ୍ୟନ୍ତ ଜାହାଜ ସୁରକ୍ଷିତ। ସେଠାରେ ସମୁଦ୍ରର ବିପଜ୍ଜନକ ଜୁଆରକୁ ସାମନା କରିବାକୁ ପଡ଼େନି କି ଝଡ଼ବାତ୍ୟାରେ କ୍ଷତିଗ୍ରସ୍ତ ହେବାର ଅଥବା ବରଫ ଖଣ୍ଡରେ ଧକ୍କା ଖାଇ ବୁଡ଼ିଯିବାର ଭୟ ନଥାଏ। କିନ୍ତୁ ଜାହାଜ ନିର୍ମାଣ ପଛର ଉଦ୍ଦେଶ୍ୟ ବନ୍ଦରରେ ପଡ଼ିରହିବା ନୁହେଁ, ଉଦ୍ଦେଶ୍ୟ ତା’ର ଦୁଃସାହସିକ ଜଳଯାତ୍ରା। ତେଣିକି ଯାହା ବି ବିପଦ ଆସୁ, ତାକୁ ସାମନା କରିବାକୁ ଜାହାଜ ପ୍ରସ୍ତୁତ ଥାଏ। ମନୁଷ୍ୟର ଜୀବନଯାତ୍ରା ଠିକ୍ ସେହିପରି। ଦୁଃସାହସର ସହିତ ବିପଦକୁ ମୁଣ୍ଡାଇବାକୁ ହୁଏ। ତଳ ଶିଡ଼ିରୁ ପାଦ ଉଠାଇ ଉପର ଶିଡ଼ିରେ ରଖିବାର ସାହସ ନଥିଲେ ଶିଡ଼ିରେ ଉପରକୁ ଉଠିବା ସମ୍ଭବ ହୁଏନି। କେହି ଜଣେ କହିଥିଲେ ମନୁଷ୍ୟ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୁଇଟି ଦିନ ହେଉଛି, ଯେଉଁଦିନ ସେ ଜନ୍ମ ନିଏ ଓ ଯେଉଁଦିନ ସେ ତା’ର କାରଣ ବୁଝିପାରେ। ଏ କାରଣଟି ହେଉଛି ଅନେକ ବିପଦର ସୁଅ କାଟି ଜୀବନର ସମୁଦ୍ରକୁ ପାରହେବା। ଯିଏ ଭୟାଳୁ ଓ ବିପଦ ବରଣକରି ଦୁଃସାହସୀ ହେବାକୁ ଚାହେଁନା, ସେ ଜାଣିନଥାଏ ତା’ର ଚାରିପଟେ ତାକୁ ଘେରି ରହିଛି ଖାଲି ବିପଦ ହିଁ ବିପଦ। ଜୀବନର ଅସଜ ସ୍ଥିତି ମନୁଷ୍ୟ ପାଇଁ ପୀଡ଼ାଦାୟୀ ହେଲେ ମଧ୍ୟ ସେଇଥିରୁ ମନୁଷ୍ୟ ତା’ର ଶ୍ରେଷ୍ଠତାକୁ ଖୋଜି ପାଏ, ଠିକ୍ ଯେମିତି ପରିବେଶ ଯେତେ ଅନ୍ଧକାର ହୁଏ ଆଲୋକ ସେତେ ଉଜ୍ଜ୍ୱଳ ଦିଶେ। ବିନା ଅନ୍ଧକାରରେ ଆଲୋକର ଉତ୍କର୍ଷ ପ୍ରତିପାଦିତ ହୋଇ ପାରେନି। ରାଜପୁତ୍ର ସିଦ୍ଧାର୍ଥଙ୍କ ଜୀବନର ଅନ୍ଧକାର ମଧ୍ୟରୁ ଭଗବାନ ବୁଦ୍ଧଙ୍କର ଆଲୋକିତ ଆତ୍ମାର ଉତ୍ପତ୍ତି।
ବିପଦକୁ ବରଣ କରିବା ମନୁଷ୍ୟ ପାଇଁ ଏକ ଅପ୍ରାର୍ଥିତ ଆବଶ୍ୟକତା। ଆଗକୁ ବଢ଼ିବାବେଳେ ଅଜଣା ବିପଦର ଆଶଙ୍କା ମନକୁ ଆସେ ଓ ସମ୍ଭାବ୍ୟ ପରିଣତିର ଡର ଆମ ଗୋଡ଼କୁ ଟାଣି ଧରେ। ଡର ମନୁଷ୍ୟର ଏକ ପ୍ରୟୋଜନୀୟ ଭାବାବେଗ ହେଲାବେଳେ ଦୁଃସାହସ ମଧ୍ୟ ତତୋଽଧିକ ଆବଶ୍ୟକ। ସାହସ ଡର ଦ୍ବାରା ନିୟନ୍ତ୍ରିତ ହୁଏ ଓ ଡର ସାହସ ଦ୍ବାରା ପରୀକ୍ଷିତ ହୋଇଥାଏ। ବିପଦକୁ ମୁଣ୍ଡାଇ ଦୁଃସାହସୀ ହେବା ହେଉଛି ଡରକୁ ଅତିକ୍ରମ କରିଯିବା। ଡରକୁ ଦୂରେଇ ଦେଇ ନ ପାରିଲେ ଜଣେ ଦୁଃସାହସୀ ହୋଇପାରେନି କି ଦୁଃସାହସ ବିନା ସଫଳତା ତାକୁ ସ୍ପର୍ଶ କରିପାରେନି। ଛୋଟ ପିଲାଟିକୁ ଲକ୍ଷ୍ୟ କରନ୍ତୁ। ଦିନକ ଭିତରେ କେତେଥର ତାକୁ ‘ନାହିଁ’ ‘ନାହିଁ’ ଶୁଣିବାକୁ ପଡ଼ିଥାଏ। ‘ଏଇଠି ଲାଗନି’, ‘ସେଇଠି ଚଢ଼ନି’, ‘ଏଇଟା ଛୁଅଁନି’, ‘ସେଇଟା ଟେକନି’ ଇତ୍ୟାଦି। ସେସବୁ ସମ୍ଭାବ୍ୟ ବିପଦ ଜନିତ ବାରଣକୁ ଭ୍ରୂକ୍ଷେପ ନକରି ସେ ଧୀରେ ଧୀରେ ବଡ଼ ହୋଇଯାଏ।
ମନୁଷ୍ୟ ତା’ ଜୀବନ ସହିତ ଜଡ଼ିତ ବସ୍ତୁଗୁଡ଼ିକ ପ୍ରତି ମୋହାବିଷ୍ଟ ହୋଇ ରହିଥାଏ ଓ ସେସବୁ ହରାଇବାର ସାମାନ୍ୟତମ ଆଶଙ୍କା ମନରେ ତା’ର ଭୟ ସୃଷ୍ଟି କରେ, ଫଳତଃ ସଫଳତାର ଗତିରୋଧ ହୁଏ। ମନୁଷ୍ୟ ମନର ଭୟ ଓ ତା’ର ଦୁଃସାହସ ପରସ୍ପରକୁ ଟାଣି ଧରିଥାନ୍ତି। ଡରିଯାଇ ସାହସ ହରାଇ ବସିବା ବା ସମ୍ଭାବ୍ୟ ବିପଦକୁ ସାମନା ନ କରିବା ତା’ ପାଇଁ ସ୍ବୟଂ ଏକ ଗତିରୋଧକ ପାଲଟିଥାଏ। ଜାହାଜ ବିପଦର ଆଶଙ୍କାରେ ଜଳଯାତ୍ରାରେ ନ ଯାଇ କେବଳ ବନ୍ଦରରେ ପଡ଼ି ରହିଲେ ଦୀର୍ଘ ଦିନ ସୁରକ୍ଷିତ ରହିପାରିବନି। କଳଙ୍କି ଲାଗି ନଷ୍ଟ ହୋଇଯିବ। ମନୁଷ୍ୟ ଠିକ୍ ସେମିତି। ବିପଦର ଆଶଙ୍କାରେ ଦୁର୍ଗ ଭିତରେ ରହିଲେ ମଧ୍ୟ ସେ ସୁରକ୍ଷିତ ରହିପାରିବନି। ତେଣୁ ଦୁଃସାହସୀ ହୋଇ ବିପଦ ମୁଣ୍ଡାଇବାକୁ ହେବ। ମୁକ୍ତା ସମୁଦ୍ର କୂଳରୁ ମିଳେନି, ତାକୁ ପାଇବାକୁ ହେଲେ ସମୁଦ୍ର ପାଣିରେ ବୁଡ଼ିବାକୁ ପଡ଼ିବ। ଦୁଃସାହସ ବିନା ମନୁଷ୍ୟ ଜୀବନ ନଥିବା ପିତୁଳାଟିଏ ପରି। ଦୁଃସାହସ ସବୁ ସମୟରେ ସଫଳତା ଆଣିଦିଏନି ସିନା, ସେଇ ସାହସିକ ଉଦ୍ୟମଟି ହେଉଛି ନିଜେ ଅନ୍ୟ ଏକ ସଫଳତା। ତାହାଦ୍ବାରା ଆମେ ଦୁଇଟି ପରିଣତିରୁ ଗୋଟିକରେ ପହଞ୍ଚିଥାଉ। ସଫଳତା ମିଳେ ଅଥବା ଅସଫଳ ହେବା ପଛର ଅନୁଭବ ଆମକୁ ପରବର୍ତ୍ତୀ ଦୁଃସାହସିକ କାର୍ଯ୍ୟ ପାଇଁ ଆତ୍ମସମୀକ୍ଷାର ସୁଯୋଗ ଦେଇଥାଏ। ତେଣୁ ମନୁଷ୍ୟ ପାଇଁ ସବୁଠାରୁ ବଡ଼ ବିପଦ ହେଉଛି ଜୀବନରେ କେବେ ବିପଦକୁ ସାମନା ନ କରିବା।
ମନେରଖନ୍ତୁ, ଆପଣ ସମର୍ଥ ହୋଇ ଜନ୍ମ ନେଇଛନ୍ତି, ବିଶ୍ବାସକୁ ନେଇ ଜନ୍ମ ହୋଇଛନ୍ତି ଓ ସ୍ବପ୍ନକୁ ନେଇ ଏ ସଂସାରକୁ ଆସିଛନ୍ତି। ଦୁଃସାହସ ଜନ୍ମରୁ ଆପଣଙ୍କ ଭିତରେ ଭରି ରହିଛି। ମନରେ ପକ୍ଷଯୁକ୍ତ ଡେଣା ନେଇ ଆପଣଙ୍କର ସୃଷ୍ଟି। ଆପଣ ଗୁରୁଣ୍ଡିବା ପାଇଁ ଏ ସଂସାରକୁ ଆସିନାହାନ୍ତି। ଡରକୁ ଏଡ଼ାଇଦେଇ ଡେଣା ମେଲାଇବା ଶିଖନ୍ତୁ। ଗୋଟିଏ ମୃଦୁ ପାନୀୟର ଟିଭି ବିଜ୍ଞାପନ ଦେଖିଥିବେ। ଯୁବକ ଜଣେ ବାଇକ୍ ଚଳାଇ ପର୍ବତର ଶିଖରରେ ପହଞ୍ଚି ଯାଉଛି। ସାମନାରେ ରହିଛି ବିପଦପୂର୍ଣ୍ଣ ଖାଇ। ଆରପଟେ ଅନ୍ୟ ଏକ ଶିଖର। ବାଇକ ସହିତ ଯୁବକଟି ଆରପଟ ଶିଖରକୁ ଡେଇଁଯାଇ କହୁଛି “ଡରକେ ଆଗେ ଜିତ୍ ହୈ”। ଡରର ଆଗରେ ରହିଛି ଜିତାପଟ। ଭୀରୁମାନେ ହୁଏତ କହିବେ ‘ଡରକେ ଆଗେ ଚିଖ୍ ହୈ’। ଡରର ଆଗରେ ଜିତାପଟ ନୁହେଁ, ଅଛି ଆର୍ତ୍ତନାଦ। ପ୍ରକୃତରେ ଡରର ଆଗରେ ଆମକୁ ଜିତାପଟ ଅପେକ୍ଷା କରିଛି। ଡରକୁ ପରିହାର କରି ବିପଦକୁ ସାମନା କଲେ ଯାଇ ସଫଳତା ହାତକୁ ଆସିବ। ଜଣେ କବି ଲେଖିଥିଲେ, ‘ନିଜ ଉପରେ ବିଶ୍ବାସ ଏବଂ କରୁଥିବା କାର୍ଯ୍ୟରେ ଆସ୍ଥା ରଖିଲେ କେତେ ବି ବିପଦ ଆସୁ, ସଫଳତାର ଠିକ୍ ରାସ୍ତା ମିଳିଯିବ’। ‘ଖୁଦ୍ ପର ହୋ ବିଶ୍ବାସ୍ ଔର୍ କରମ୍ ପର ହୋ ଆସ୍ଥା/ଫିର୍ କିତନିଭି ଆଯାୟେ ମୁସ୍କିଲେଁ ପର୍ ମିଲଭି ଯାତାହୈ ରାସ୍ତା’।
[email protected]