ମଝିରେ ମଝିରେ ଅଳସ ଭାଙ୍ଗିବା ସହିତ କେତୋଟି ଲମ୍ବା ହାଇ, କହୁଣିରେ ଭରାଦେଇ ଝରକା ଆଡ଼କୁ ଶ୍ରମବିମୁଖ ଦୃଷ୍ଟିପାତ କିମ୍ବା ଶଯ୍ୟାରେ ପଡ଼ି ବାରମ୍ବାର କଡ଼ ଲେଉଟାଇ ଛାତ ଆଡ଼କୁ ନିବିଷ୍ଟ ଦୃଷ୍ଟି। ଜଣେ ସଂପୂର୍ଣ୍ଣ ସୁସ୍ଥ ବ୍ୟକ୍ତିର ଏପରି ଅବସ୍ଥାକୁ ଗୋଟିଏ ଶବ୍ଦରେ ପ୍ରକାଶ କଲେ ସେ ଶବ୍ଦଟି କ’ଣହେବ? ଇଂରେଜୀରେ ଆମେ ତାକୁ କହୁ ‘ବୋରଡମ୍’। ଓଡ଼ିଆରେ ଏହାର ଉପଯୁକ୍ତ ଅର୍ଥବୋଧକ ପ୍ରତିଶବ୍ଦଟିଏ ବୋଧହୁଏ ନାହିଁ। ତେଣୁ ଏ ଆଲେଖ୍ୟରେ ଆମେ ‘ବୋରଡମ୍’ ଶବ୍ଦ ହିଁ ବ୍ୟବହାର କରିବୁ।
ଆପଣ ଜାଣନ୍ତି କି, ଚମତ୍କାରିତାରେ ପରିପୂର୍ଣ୍ଣ ଏ ବ୍ରହ୍ମାଣ୍ଡରେ ମନୁଷ୍ୟର ସର୍ବଶ୍ରେଷ୍ଠ ଆକର୍ଷଣୀୟ ଉଦ୍ଭାବନ ହେଉଛି ତା’ର ଅସ୍ବସ୍ତିଭାବ ବା ବୋରଡମ୍? କିଏ ବା ବୋର୍ ନହୁଏ! ବିଳମ୍ବିତ ଟ୍ରେନ୍‌କୁ ଅପେକ୍ଷା କଲାବେଳେ, ଲାଇନରେ ଠିଆହେବା ସମୟରେ, ଏବଂ ଗତିରୋଧ ହୋଇଯାଉଥିବା ସବୁ ସ୍ଥାନରେ ଅଟକିରହି ଆମେ ବୋର୍ ହୋଇଯାଉ। ବୋରଡମ୍‌କୁ ନେଇ ବିଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ବ୍ୟାଖ୍ୟା କରିଛନ୍ତି। ଦାର୍ଶନିକ ସାର୍ତ୍ରଙ୍କ ମତରେ ଏହା “ଇମପ୍ରିଜନ୍‌ଡ ବାୟ ଫ୍ରିଡମ୍” ବା ସ୍ବତନ୍ତ୍ରତା ଦ୍ବାରା ଆବଦ୍ଧ ଜୀବନ। ସ୍ବତନ୍ତ୍ରତା ଥିବ ଅଥଚ ବନ୍ଧନର ଅନୁଭବ ଆସୁଥିବ। ଦସ୍ତୟୋଭସ୍କି କହିଲେ, “ପାଶବିକ ଅପରିଭାଷ୍ୟ ବେଦନା”। ଏପରି ବ୍ୟାଖ୍ୟା କିନ୍ତୁ ଆମକୁ ଉପଯୁକ୍ତ ମନେ ହୁଏନି କାରଣ ସାହିତ୍ୟ ସୃଜନ, ନୂତନ ଚିନ୍ତା, ବୈଜ୍ଞାନିକ ଉଦ୍ଭାବନ ଓ କଳାତ୍ମକ ସର୍ଜନା ସବୁ ତ ବୋରଡମ୍ ମଧ୍ୟରୁ ସୃଷ୍ଟ। ଭଗବାନ ବୋର୍ ହେଲେବୋଲି ପରା ମନୁଷ୍ୟକୁ ସୃଷ୍ଟି କଲେ! ଅତ୍ୟନ୍ତ ବୋର୍ ହୋଇଗଲେ ସେ ଅବସ୍ଥାରୁ ଆମେ ମୁକ୍ତିର ବାଟ ଖୋଜୁ ଓ ଠିକ୍ ସେହି ସମୟରେ ମସ୍ତିଷ୍କ ମଧ୍ୟରେ ସୃଜନଶୀଳତାର ଦ୍ବାର ଖୋଲିଯାଏ। ଜେ. କେ. ରୋଲିଂ ଯାତ୍ରା କରୁଥିବା ଟ୍ରେନ୍‌ଟି ଖରାପ ହୋଇ ଜଙ୍ଗଲ ମଧ୍ୟରେ ଯଦି ଚାରିଘଣ୍ଟା ଅଟକି ନଥାନ୍ତା, ରୋଲିଂ ବୋର୍ ହୋଇନଥାନ୍ତେ କି ଆମେ ସାତଟି ହାରି ପୋଟର୍ କାହାଣୀ ପାଇନଥାନ୍ତେ। କବି ମାୟା ଆଞ୍ଜେଲୁ ତ ହୋଟେଲର ଅପରିଷ୍କାର କୋଠରି ମଧ୍ୟରେ ନିଜକୁ ଆବଦ୍ଧ ରଖି ବୋର୍ ହେବା ପରେ କବିତା ଲେଖୁଥିଲେ। ଭାବନ୍ତୁ ଦେଖି, ସେ ସମୟରେ ଯଦି ସ୍ମାର୍ଟଫୋନ୍‌ର ପ୍ରଚଳନ ଥାଆନ୍ତା ରୋଲିଂ ହାରି ପୋଟର୍‌ର କଥନିକା ବିଷୟରେ ଚିନ୍ତା ନକରି ଫେସବୁକ୍ ଓ ହ୍ବାଟସ୍ଆପ୍ ଚାଟିଂରେ ବ୍ୟସ୍ତ ରହିନଥାନ୍ତେ? ସୃଜନଶୀଳତାର ଉନ୍ମେଷ ନିମନ୍ତେ ବୋରଡମ୍ ପରି କିଛି ଆଉ ଉପଯୋଗୀ ସମୟ ନାହିଁ। କାରାଗାରର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ବୋରିଂ ଜୀବନରୁ କେତେ ଯେ ବିଶ୍ବପ୍ରସିଦ୍ଧ ସାହିତ୍ୟ ସୃଷ୍ଟି ନହୋଇଛି! ଗାନ୍ଧୀଜୀଙ୍କ ‘ମାଇଁ ଏକ୍ସପେରିମେଣ୍ଟ୍‌ସ ଵିଥ୍ ଟ୍ରୁଥ୍’, ନେହେରୁଙ୍କ ‘ଡିସକଭରି ଅଫ୍ ଇଣ୍ଡିଆ’, ଜନ୍ ବନିୟନଙ୍କ ‘ପିଲଗ୍ରିମସ୍ ପ୍ରୋଗ୍ରେସ’, ଓସ୍କାର୍ ଵାଇଲ୍‌ଡଙ୍କ ‘ଡେ ପ୍ରଫୁଣ୍ଡିସ୍’, ସରଭେଣ୍ଟିସଙ୍କ ‘ଡନ୍ କ୍ବିକସୋଟ୍’ ଭଳି ବିଶ୍ବ ପ୍ରସିଦ୍ଧ ପୁସ୍ତକ ଜେଲ୍ ରହଣି କାଳର ବୋରଡମ୍‌ରୁ ତ ସୃଷ୍ଟି। ପଙ୍ଗୁ ଗିରି ଲଙ୍ଘିବା ପରି ଆମ ବଲିଉଡ୍ ମୁନ୍ନାଭାଇ ସଞ୍ଜୟ ଦତ୍ତ ମଧ୍ୟ ଜେଲରେ ଥାଇ ଲେଖିଥିଲେ କବିତା ସଂକଳନ ‘ସଲାଖେଁ’।
ବୋରଡମ୍ ମଧ୍ୟରେ ଯେକୌଣସି କାର୍ଯ୍ୟ କରନ୍ତୁ, ସେଥିରେ ବ୍ୟାଘାତ ଘଟିବାର ଡର ନଥାଏ। ସେ ସମୟରେ ମସ୍ତିଷ୍କ ଆମର ଅବଚେତନ ସ୍ତରରେ ମହଜୁଦ ସମସ୍ତ ଖଣ୍ଡିତ ବିଚାରକୁ ଏକତ୍ର କରିବାରେ ସକ୍ଷମ ହୋଇଥାଏ, ଫଳତଃ ନୂତନ ଜ୍ଞାନର ଉନ୍ମେଷ ଘଟେ, କୁହନ୍ତି ମନସ୍ତତ୍ତ୍ବବିତ୍। ଦାର୍ଶନିକ କିଏର୍କାଗୋ ‘ଆଇଦର୍/ଅର୍’ ପୁସ୍ତକରେ ଲେଖିଛନ୍ତି, “ମନୁଷ୍ୟ ନିଜକୁ ଯେତେ ସଂକୁଚିତ କରି ରଖିବ ସେତିକି ଅଧିକ ସାଧନସଂପନ୍ନ ହେବ। ଏକାନ୍ତରେ ରହୁଥିବା ବ୍ୟକ୍ତି ସେଥିପାଇଁ ଅଧିକ କୁଶଳୀ ଓ ସୃଜନଶୀଳ।” ନିଜକୁ ଥରେ ସଂପୂର୍ଣ୍ଣ ବୋର୍ ହେବାପାଇଁ ଛାଡ଼ିଦେଇ ଦେଖନ୍ତୁ ତ, ଅନ୍ୟ କିଛି କାମ ନପାଇ ମସ୍ତିଷ୍କ ଆପଣଙ୍କୁ କାହାଣୀ କହିବା ଆରମ୍ଭ କରିଦେବ। କେବେ ବନ୍ଦ ଶୌଚାଳୟର କମୋଡ୍‌ ଉପରେ ବସି ଏ ସତ୍ୟର ପରୀକ୍ଷା କରିପାରନ୍ତି।
ଅନେକ ବର୍ଷ ପୂର୍ବେ ହିନ୍ଦୀ ସିନେମାଟିଏ ଆସିଥିଲା। ସେଥିରେ ନାୟକ ତା’ ନାୟିକାକୁ ପ୍ରଶ୍ନ କରିଥିଲା, ମନେ କର ବାହାରୁ କିଏ ଭିତରକୁ ଆସି ପାରିବେନି କି ଭିତରୁ ବାହାରକୁ ଯାଇ ପାରିବେନି। ଆମେ ଦୁହେଁ ସେ ଘର ଭିତରେ ବନ୍ଦ ହୋଇ ରହିଯିବା ଓ ଚାବି ହଜିଯିବ। କୁହ ତ, ତା’ହେଲେ କ’ଣ ହେବ? ଏ ପ୍ରଶ୍ନର ସାର୍ବଜନୀନ ଉତ୍ତରଟି ମିଳିଥିଲା ଏବେ, କରୋନା ମହାମାରୀ ସମୟରେ। ତିନି ମାସର ସଂପୂର୍ଣ୍ଣ ଗୃହବାସ ଓ ଆଉ କିଛି ଦିନର ସ୍ବଆଚରିତ ଏକାନ୍ତବାସରେ ଥାଇ ଆମେ ଟିକିଏ ବି ବୋର୍ ହେଲେନି କି ସେ ସୁବର୍ଣ୍ଣ ସୁଯୋଗର ବିନିଯୋଗ କଲେନି। ସତାଅଶି ପ୍ରତିଶତ ଲୋକ ଦିନକୁ ହାରାହାରି ଚାରିଘଣ୍ଟା ସ୍ମାର୍ଟଫୋନରେ ଓ ବାକୀ ସମୟ ଇଣ୍ଟର୍‌ନେଟ୍‌ ଏବଂ ଟିଭି ଦେଖିବାରେ ବିନର୍ବ୍ୟୟ କରିଦେଲେ। ଏପରି ଏକ ସୁଯୋଗରେ କେତେ ଯେ ସାହିତ୍ୟ, ସଂଗୀତ ଓ କଳାର ସର୍ଜନା ହୋଇ ପାରିଥାନ୍ତା। ଲେଖକ ଡେଭିଡ୍ ଫୋଷ୍ଟର୍ ୱାଲେସ୍ ବୋରଡମ୍ ଦ୍ବାରା ଏତେ ପ୍ରଭାବିତ ହୋଇଥିଲେ ଯେ, ଏ ବିଷୟଟିକୁ ନେଇ ପାଞ୍ଚ ଶହ ପୃଷ୍ଠାର ଏକ ଉପନ୍ୟାସ ଲେଖିଦେଲେ, ‘ଦ ପେଲ୍ କିଙ୍ଗ୍’। ସେଥିରେ ସେ କହିଛନ୍ତି, “ଯଦି ଆପଣ ବୋରଡମ୍ ଦ୍ବାରା ଆକ୍ରାନ୍ତ, ଏପରି କୌଣସି କାର୍ଯ୍ୟ ନାହିଁ ଯାହା ଆପଣ କରି ନପାରିବେ”। ସେ ପୁଣି ଲେଖିଛନ୍ତି, “ସୁଖ, ଯାହାକି ସେକେଣ୍ଡ ସେକେଣ୍ଡର ଆନନ୍ଦରୁ ଉତ୍ପନ୍ନ ହୋଇ ବଞ୍ଚିବାର ଉପଜୀବ୍ୟ ହୋଇଥାଏ, ତାହା ଆସିଥାଏ ଆମର ଖଣ୍ଡ ବିଖଣ୍ଡିତ ବୋରଡମ୍ ମଧ୍ୟରୁ”। ତେଣୁ ଆମେ ଆମର ବୋରିଂ ସମୟକୁ ଅପବ୍ୟୟ କରିବା ବଦଳରେ ଉପଯୋଗ ନକରିବା କାହିଁକି? ଫୁରୁସତ ଯେତେବେଳେ ଆଳସ୍ୟ ସହିତ ପ୍ରୀତି ବଢ଼ାଇବ, ସୃଷ୍ଟି ହେବ ବୋରଡମ୍। ଉଭୟଙ୍କୁ ଅଲଗା କରିଦେଇ ଦେଖନ୍ତୁ, ସେ ଶୂନ୍ୟ ସ୍ଥାନରେ ଭରିଯିବ ସୃଜନଶୀଳତା। ଜୀବନ ଆମକୁ ବହୁତ କିଛି ଦେଇଛି। ଆମେ ସେ ସବୁ ପ୍ରାପ୍ତିର ହିସାବ ନକରି ଯାହା ଆମକୁ ମିଳିନାହିଁ ତା’ରି ହିସାବ କରିବାରେ ସମୟ ବିତାଇ ଦେଉଛେ। ବୋର୍ ନହେବା କେମିତି? ଢେଉ ଗଣିବା ପରି ସେ ଗଣତି ନା କେବେ ସରିବ ନା ଆମେ ବୋରଡମ୍‌ରୁ ମୁକ୍ତ ହେବା। କବି କହିଥିଲେ ପରା, “ମିଲତା ବହୁତ୍ କୁଛ୍ ହୈ ଜିନ୍ଦଗୀ ସେ/ ବସ୍ ହମ୍ ଗିନତି ଉସିକି କରତେ ହୈଁ ଯୋ ହାସିଲ୍ ନ ହୋ ସକା”। କ’ଣ, ଆପଣ ବି ବୋର୍ ହୋଇଗଲେ କି?
ମୋ: ୯୩୩୭୬୪୮୬୩୮