‘କ’ଣ ଆଉ କରିବି ଆଜ୍ଞା!’, ବ୍ୟାଙ୍କ ମ୍ୟାନେଜରଙ୍କୁ କହିଲେ ବ୍ୟବସାୟୀ। ଅସ୍ମିତା ମୋର ଏକମାତ୍ର ସନ୍ତାନ। ସିଏ ଠିକ୍ରେ ଚାଲିପାରୁନି, କଥା କହିପାରୁନି, ଶୁଣିପାରୁନି କି ଠିକ୍ରେ ଦେଖିପାରୁନି। ନିଜେ କୋଟିପତି ହୋଇ ଲାଭ କ’ଣ? ମୁଁ ଏବେ ସ୍ଥିର କରିଛି ତା’ ପାଇଁ ଗୋଟିଏ ସୁନ୍ଦର ଭବନ ତୋଳାଇ ନାଁ ଦେବି ‘ଅସ୍ମିତା ଭବନ।’ ସେଥିରେ ଥିବ ଝିଅ ଦେଖିବାପାଇଁ ସିନେମା ଘର, ପହଁରିବା ପାଇଁ ସୁଇମିଂ ପୁଲ୍, ଖେଳିବା ପାଇଁ ପଡ଼ିଆ, ପଢ଼ିବା ପାଇଁ ପୁସ୍ତକାଗାର, ନାଚ ଶିଖିବାପାଇଁ ନୃତ୍ୟଶାଳା ଓ ଗୀତ ଶିଖିବାପାଇଁ ସଂଗୀତାଳୟ। ଝିଅ ମୋର ସେଠାରେ ଆନନ୍ଦରେ ରହିବ। ସବୁ ଶୁଣିସାରି ମ୍ୟାନେଜର କହିଲେ, ‘ଅସ୍ମିତା ଭବନ’ରେ ଝିଅ ଏସବୁ ଉପଯୋଗ କରିବ କେମିତି, ଭାବିଛନ୍ତି ତ? ପ୍ରଥମେ ଚିକିତ୍ସା କରି ତାକୁ ସକ୍ଷମ କରାନ୍ତୁ। ଚାଲିପାରିଲେ ସିନା ଖେଳିପାରିବ, କଥା କହିଲେ ଗୀତ ଶିଖିବ, ଆଖି ଠିକ୍ ହେଲେ ସିନେମା ଦେଖିବ ଆଉ ପାଠ ପଢ଼ିଲେ ସିନା ବହି ପଢ଼ିବ! ବ୍ୟବସାୟୀ ଚାଲିଯିବା ପରେ ସିକ୍ୟୁରିଟି ଗାର୍ଡ ମୁଚ୍ଛନ୍ଦର ସିଂ ମ୍ୟାନେଜରଙ୍କୁ ପଚାରିଲା, ଆଜ୍ଞା ଏ ଅସ୍ମିତା ଶବ୍ଦର ଅର୍ଥ କ’ଣ କି? ମୁଁ ସସ୍ମିତା, ବିସ୍ମିତା, ସୁସ୍ମିତା ଜାଣିଛି, ଏ ଅସ୍ମିତା ଶବ୍ଦଟି କେବେ ଶୁଣିନଥିଲି। ମ୍ୟାନେଜର କହିଲେ, ମୁଚ୍ଛନ୍ଦର, ଏ ବାଘୁଆ ନିଶ ହଳକ ତୁମର ବିଶାଳ ଶରୀରକୁ ଖୁବ୍ ମାନୁଛି। ନିଜର ପ୍ରଶଂସା ଶୁଣି ମୁଚ୍ଛନ୍ଦର ଖୁସି ହୋଇ କହିଲା, ‘ସାର୍, ଏଇଟା ମୋର ଖାନ୍ଦାନି ନିଶ। ମୋ ଜେଜେ ତ ନିଶରେ ତାଙ୍କର ଶଗଡ଼ ଗାଡ଼ି ବାନ୍ଧି ଟାଣିନେଉଥିଲେ। ବାପା ବି ଥିଲେ ନିଶୁଆ ପହିଲିମାନ୍। ମୋ ଚେହେରା ଆଉ ଏ ନିଶ ଯୋଗୁଁ ବଡ଼ ବଡ଼ ଲୁଟେରା ମଧ୍ୟ ଡରିଯାଆନ୍ତି।’ ‘ଆଚ୍ଛା, ତୁମର ଏ ବିଶାଳ ଶରୀର ବଦଳରେ ତୁମେ ଅସ୍ଥିକଙ୍କାଳସାର ହୋଇଥାନ୍ତ, କ୍ୟାନସର ହୋଇ ପାଟିରୁ ଫାଳେ କଟା ହୋଇଥାନ୍ତା, ତା’ହେଲେ ନିଶକୁ ନେଇ ଏମିତି ଗର୍ବ କରିପାରନ୍ତ କି?’, ପଚାରିଲେ ମ୍ୟାନେଜର। ‘କି କଥା ଆଜ୍ଞା! ନିଶ ପାଇଁ ଚେହେରା ଓ ଖାନ୍ଦାନି ଐତିହ୍ୟ ଦୁଇଟାଯାକ ଦରକାର। ତା’ହେଲେ ସିନା ନିଶକୁ ନେଇ ଗର୍ବ କରିହେବ!’, ଉତ୍ତର ଦେଲା ମୁଚ୍ଛନ୍ଦର। ‘ଠିକ୍ ବୁଝିଛ। ଇଏ ହେଉଛି ନିଶକୁ ନେଇ ତୁମର ଅସ୍ମିତା। ତୁମର ପରିଚୟ ଓ ଗର୍ବ। ଅସ୍ମିତା ପାଇଁ ତୁମର ଗୋଟିଏ ଐତିହ୍ୟ ଥିବ ଓ ବର୍ତ୍ତମାନର କାର୍ଯ୍ୟକଳାପ ଐତିହ୍ୟର ଅନୁରୂପ ହୋଇଥିବ, ତା’ହେଲେ ମନରେ ଯେଉଁ ସ୍ବତଃ ଗରିମା ସୃଷ୍ଟିହେବ ତାହା ହିଁ ହେବ ତୁମର ନିଜକୁ ନେଇ ଅସ୍ମିତା।’
ବନ୍ଧୁଗଣ, ଷ୍ଟିଫେନ୍ ସମର୍ସଙ୍କର ଇଂରେଜୀ ସିନେମା ‘ମମି’ ଆପଣମାନେ ଦେଖିଥିବେ। ଇଜିପ୍ଟର ମରୁଭୂମିରୁ ରତ୍ନ ଖୋଜୁଥିବା ଦଳେ ଲୋକ ଭୁଲ୍ବଶତଃ ‘ଇମହୋଟେପ୍’ ନାମକ ଏକ ମମିକୁ କବର ଭିତରୁ ଉଠାଇଦେଇଛନ୍ତି। ଏହାପରେ ସେ ଭୟଙ୍କର ମମିଟି କିପରି ଆତଙ୍କ ଖେଳାଇଛି ତାହା ହେଉଛି ସେ ସିନେମାର କାହାଣୀ। ଠିକ୍ ସେମିତି ଗତ ନିର୍ବାଚନ ସମୟରେ ଭାଷାକୋଷର ପୁରାତନ କବର ମଧ୍ୟରୁ କେହିଜଣେ ଏ ‘ଅସ୍ମିତା’ ଶବ୍ଦର ମମିକୁ ଉଠାଇଦେଲା। ଏବେ ଅସ୍ମିତା ତା’ର କାୟା ବିସ୍ତାର କରିବାରେ ଲାଗିଲାଣି। ଶବ୍ଦଟିର କିଏ ନକାରାତ୍ମକ ବ୍ୟାଖ୍ୟା କଲାଣି ତ ଆଉ କିଏ ତା’ର ସକାରାତ୍ମକତା ଦର୍ଶାଇଲାଣି। ସରକାର ଏବେ ଦୁଇଶହ କୋଟି ଟଙ୍କାର ‘ଅସ୍ମିତା ଭବନ’ ନିର୍ମାଣ କରୁଛନ୍ତି। ଅସ୍ମିତା ପୁରସ୍କାର ବଣ୍ଟାଗଲାଣି। ଏବେ ତ ଅସ୍ମିତା ଗୁପ୍ଚୁପ୍, ଅସ୍ମିତା ଘୋଳଦହି ଓ ଅସ୍ମିତା ପଖାଳ ହୋଟେଲରେ ମିଳୁଥିବା ଖବର ଆସୁଛି। ଅସ୍ମିତା ଶବ୍ଦର ଅର୍ଥ ସହିତ ଏସବୁ ମାନସିକ ଉଲ୍ଲାସର କିଛି ସାମଞ୍ଜସ୍ୟ ଅଛି କି? ଏବେ ସାଧାରଣ ଲୋକଙ୍କ ମୁହଁରେ ସେଇ ଗୋଟିଏ ପ୍ରଶ୍ନ: ‘ଏ ଅସ୍ମିତାଟି କ’ଣ’?
ସମଗ୍ର ବ୍ୟକ୍ତିଗତ ମୂଲ୍ୟ ବା ମହତ୍ତ୍ବର ଆତ୍ମନିଷ୍ଠ ଚେତନା ହେଉଛି ମନୁଷ୍ୟର ଅସ୍ମିତା। ଆତ୍ମସମ୍ମାନ ପରି ଅସ୍ମିତା ଆମର ଦକ୍ଷତା ଓ ଆତ୍ମ-ଗୁଣ ଉପରେ ଥିବା ବିଶ୍ବାସର ସ୍ତରକୁ ଦର୍ଶାଇଥାଏ। ଏହା ଆମର ଆତ୍ମ-ସମ୍ମାନବୋଧ ଓ ସ୍ବାଭିମାନର ମିଶ୍ରିତ ପରିଚୟ। ସାମଗ୍ରିକ ଭାବରେ ବିଚାରକଲେ ଅସ୍ମିତା ହେଉଛି ଆତ୍ମପ୍ରତ୍ୟୟ, ଆତ୍ମପରିଚୟ ଓ ଆତ୍ମ-ଖ୍ୟାପନର ଏକ ସଂକଳିତ ଭାବାବେଗ। ବିନା କିଛି ବଳିଷ୍ଠ କାରଣ ଥାଇ ଆତ୍ମଶ୍ଳାଘା ପ୍ରକାଶ କରିବା କେବଳ ଆତ୍ମ-ମୁଗ୍ଧତାକୁ ଦର୍ଶାଇଥାଏ, ଯାହା କଦାପି ଅସ୍ମିତା ନୁହେଁ। ଆମେ ଏବେ ଅସ୍ମିତାକୁ ନେଇ ଯେଉଁ ନୂତନ ହଲ୍ଲାପଟାରେ ମାତିଛେ, ତାହା କେବଳ ଆମର ଆତ୍ମ-ମୁଗ୍ଧତା। ‘ମୋର ସିନା ନାହିଁ, ମୋ ବାପାଙ୍କର ଥିଲା’- ଏହିପରି ଭାବନା ଆମକୁ ବିଭୋର କରୁଛି। ଜେଜେଙ୍କ ନିଶ ଜେଜେଙ୍କ ସହିତ ଚାଲିଗଲାଣି, ସେକଥା ଆମେ ଭୁଲିଯାଉଛେ। ମନେ କରନ୍ତୁ, ମୁଁ ନିଜକୁ ଜଣେ ଓଡ଼ିଆ, ମୋର ପୂର୍ବପୁରୁଷ ସୂରବୀର ଥିଲେ, ବିଦେଶରେ ବାଣିଜ୍ୟ କରୁଥିଲେ ଇତ୍ୟାଦି କଥା କହି ନିଜର ପରିଚୟ ଦେଲି। ଶୁଣିବା ଲୋକଟି ଯଦି ପଚାରେ, ‘ଓଃ! ଆପଣ ସେଇ ମୁଲକର କି, ଯେଉଁଠି ତିରିଶ ପ୍ରତିଶତ ଶିଶୁ ଅପପୁଷ୍ଟିର ଶିକାର, ଯୁବଗୋଷ୍ଠୀ ଯେଉଁଠି ବେରୋଜଗାର ହୋଇ ଦାଦନ ଯାଏ, ପ୍ରସବ ପାଇଁ ମହିଳା ଖଟିଆରେ ବୁହାହୁଅନ୍ତି?’ ଏ ସବୁ ଶୁଣି ମୋର ଉଜାଗର ହୋଇଥିବା ଅସ୍ମିତାର ଅବସ୍ଥା କ’ଣ ହେବ? ଅସ୍ମିତା ବା ଆତ୍ମପରିଚୟର ପ୍ରଦର୍ଶନ ପାଇଁ ଆମର ପୂର୍ବ ଖ୍ୟାତି ସହିତ ନିଜର ଉପଲବ୍ଧିକୁ ଯୋଡ଼ିବାକୁ ହେବ। ନହେଲେ ଅସ୍ମିତା କେବଳ ଆତ୍ମ-ମୁଗ୍ଧତା ହୋଇ ରହିଯିବ। ନିଜସ୍ବ ଉପଲବ୍ଧି ନଥିଲେ ଆତ୍ମିକ ମୂଲ୍ୟବୋଧ ଆସିବ କେଉଁଠୁ? ଅନ୍ୟର ସ୍ବୀକୃତି ବିନା ଅସ୍ମିତାର ମୂଲ୍ୟ ବା କ’ଣ? କେଉଁ ଉପଲବ୍ଧି ପାଇଁ ଅନ୍ୟମାନେ ଆମର ଆତ୍ମପରିଚୟ ନିକଟରେ ମଥା ନୁଆଁଇବେ? ଆତ୍ମଗୌରବ ଓ ଆତ୍ମମୂଲ୍ୟ ସହିତ ଜଡ଼ିତ ଅସ୍ମିତା ଆମର ସୃଷ୍ଟି ହୋଇପାରିବ କେବଳ ଆତ୍ମିକ ସଫଳତାରୁ ଓ ତାହା ହିଁ ହେବ ଆମର ପରିଚୟ। ସ୍ବ-ମୂଲ୍ୟବୋଧରେ ସାମାନ୍ୟ ବିଚ୍ୟୁତି ଆତ୍ମପରିଚୟକୁ ଅସ୍ପଷ୍ଟ କରିଦେବନି କି? ଅସ୍ମିତାକୁ ନେଇ ବିଭୋର ହେବା ପୂର୍ବରୁ ନିଜକୁ ସେଥିପାଇଁ ଯୋଗ୍ୟ କରିବାକୁ ହେବ, ଠିକ୍ ସେ ବ୍ୟବସାୟୀଙ୍କ ଝିଅ ପରି।
ମୁଚ୍ଛନ୍ଦର ସିଂ ପୁଣି ଥରେ ମ୍ୟାନେଜରଙ୍କୁ ଆସି ପଚାରିଲା, ‘ସାର୍, ଅସ୍ମିତାର ଅର୍ଥ ଆଉ ଟିକିଏ ସରଳରେ ବୁଝାଇ ଦିଅନ୍ତୁ ନା!’ ମ୍ୟାନେଜର ଏଥର ହସିଦେଇ କହିଲେ, ‘କବି ଇକବଲଙ୍କ ସେ ପ୍ରସିଦ୍ଧ କବିତା ଶୁଣିଛ? ଖୁଦିକୋ କର୍ ବୁଲନ୍ଦ୍ ଇତନା କି, ହର୍ ତକଦିର୍ ସେ ପହଲେ ଖୁଦା ବନ୍ଦେସେ ଖୁଦ୍ ପୁଛେ, ‘ବତା, ତେରି ରଜା କ୍ୟା ହୈ?’ ନିଜର ଆତ୍ମଗରିମାକୁ ଏତେ ଉତ୍ତଙ୍ଗ କରିଦିଅ ଯେ, ତୁମର ଭାଗ୍ୟ ନିର୍ଦ୍ଧାରଣ କାଳରେ ସୃଷ୍ଟିକର୍ତ୍ତା ନିଜେ ପଚାରିବେ, ‘ବତ୍ସ! କୁହ, ତୁମେ କ’ଣ ଚାହଁ?’ (ଖୁଦି- ଗରିମା, ସ୍ବାଭିମାନ)।’ ମୁଚ୍ଛନ୍ଦର ଏଥର ବୁଝିଗଲା।
ମୋ: ୯୩୩୭୬୪୮୬୩୮
ସରସ ରସ: ଜେଜେଙ୍କ ନିଶକୁ ନେଇ ରଚନା
ସୁଭାଷ ପଟ୍ଟନାୟକ