ହଠାତ୍ ଦିନେ ଝଡ଼ ଆସେ। ବଗିଚାର ସବୁ ଗଛ ଝଡ଼ର ପ୍ରକୋପରେ ଭାଙ୍ଗି ପଡ଼ନ୍ତି, ଚେର ଉପୁଡ଼ିିଯାଏ। କେବଳ ବାଉଁଶ ବୁଦାଟି ଭୂମିରେ ଲୋଟିପେଡ଼େ ସିନା ଭାଙ୍ଗିଯାଏନି। ଝଡ଼ ଥମିଗଲେ ପୁଣି ଥରେ ମୁଣ୍ଡ ଟେକି ଠିଆ ହୋଇଯାଏ। ଝଡ଼ ବାଉଁଶର କିଛି କ୍ଷତି କରିନପାରି କେବଳ ଛୁଇଁଦେଇ ଚାଲିଯାଏ। ଜୀବନରେ ମଧ୍ୟ ଆମର ଏମିତି ସମୟ ବେଳେବେଳେ ଆସିଥାଏ। ଆମକୁ ଏକାଧିକ ଝଡ଼ର ସାମନା କରିବାକୁ ପଡ଼େ। ଜୀବନର ଅନେକ କିଛି ସେ ଝଡ଼ରେ ନଷ୍ଟ ହୋଇଯାଏ। ଝଡ଼କୁ ସାମନା କରିବାକୁ ଯାଇ ମନୁଷ୍ୟ ଭାଙ୍ଗିପେଡ଼େ। କେତେବେଳେ ଜୀବିକା ଉଜୁଡ଼ିି ଯାଇଥିବାର ଖବର, କେତେବେଳେ ଆତ୍ମୀୟର ଦୂରାରୋଗ୍ୟ ବ୍ୟାଧିର ଖବର, ଆର୍ଥିକ ବିପର୍ଯ୍ୟୟର ଖବର ଓ ଆଉ କେତେବେଳେ ହସଖୁସିର ମୁହୂର୍ତ୍ତ ମଧ୍ୟରେ ଏକ ଦୁଃଖଦ ସମାଚାର ଝଡ଼ ରୂପରେ ଆସି ମନୁଷ୍ୟକୁ ଖିନଭିନ କରି ଭାଙ୍ଗିଦିଏ। ଏସବୁ ଝଡ଼କୁ କିଏ ମୁଣ୍ଡପାତି ସମ୍ଭାଳି ନେଇପାରେ ତ ଆଉ କାହାର ଅଣ୍ଟା ଭାଙ୍ଗିଯାଏ।

Advertisment

ସଂସାରରେ ଦୁଇ ପ୍ରକାରର ଲୋକ ଅଛନ୍ତି। ଗୋଟିଏ ପ୍ରକାରର ହେଉଛନ୍ତି ଅତ୍ୟନ୍ତ କଠୋର ସ୍ବଭାବ, ଏକଦେଶଦର୍ଶୀ ଓ ଅନମନୀୟ ଚରିତ୍ରର ଏବଂ ଅନ୍ୟଟି ବାଉଁଶ ଗଛପରି ନମନୀୟ ସ୍ବଭାବର। ଅନେକଙ୍କର ଧାରଣା ଯେ, ଗୋଟିଏ କଠୋର ଦୁନିଆରେ ବଞ୍ଚିବାକୁ ହେଲେ ନିଜର ସ୍ବଭାବକୁ ଅନମନୀୟ ଓ ଦୃଢ଼ କରିବାକୁ ହେବ। ମୁଣ୍ଡକୁ ସର୍ବଦା ଟେକିରଖିବାକୁ ହେବ। ଅନ୍ୟର ସମ୍ମୁଖରେ ନିଜକୁ ଦୃଢ଼ମନା ବୋଲି ସାବ୍ୟସ୍ତ କରିବାକୁ ହେବ। ଏପରି ବ୍ୟକ୍ତି ନିଜକୁ ଅଜେୟ ଭାବୁଥିଲେ ମଧ୍ୟ ସେମାନେ ଜୀବନର ଝଡ଼କୁ ସାମନା କରିନପାରି ଭାଙ୍ଗିପଡ଼ନ୍ତି। ଉଠିପଡ଼ି ପୁନଶ୍ଚ ଠିଆହେବାର ଶକ୍ତି ହରାଇ ବସନ୍ତି। ଏପରି ବ୍ୟକ୍ତିମାନଙ୍କର ଧାରଣା ଥାଏ ଯେ, ସେମାନେ ହେଉଛନ୍ତି କେନ୍ଦ୍ରବିନ୍ଦୁ ଓ ସବୁ ଘଟଣା ସେମାନଙ୍କ ଅଭିଳାଷ ଅନୁରୂପ ଘଟିବାକୁ ବାଧ୍ୟ। ସ୍ବଭାବର ଅନମନୀୟତା ସେମାନଙ୍କୁ ଅନ୍ୟଠାରୁ ଅଲଗା କରି ଦର୍ଶାଇଥାଏ। ଯେକୌଣସି କଠିନ ସମୟରେ କାଉଁରିଆ କାଠି ପରି ଭାଙ୍ଗିଯାଆନ୍ତି ପଛେ ନଇଁ ଯାଆନ୍ତି ନାହିଁ। ନିଜକୁ ଦୃଢ଼ ଭାବୁଥିଲେ ମଧ୍ୟ ପ୍ରକୃତରେ ସେମାନଙ୍କ ପାଖରେ ଦୃଢ଼ ବିଶ୍ବାସର ଅଭାବ ଥାଏ। ଏପରି ବ୍ୟକ୍ତିମାନେ ଜାଣିପାରନ୍ତିନି, ପରିସ୍ଥିତିର ଚାପରେ ଭାଙ୍ଗିଯିବାଟା ସହଜ, ମାତ୍ର ନିଜକୁ ନୁଆଁଇ ନେଇପାରିବା ବହୁତ କଷ୍ଟ।

ଅପରପକ୍ଷେ, ସ୍ବଭାବରେ ନମନୀୟତା ରଖୁଥିବା ବ୍ୟକ୍ତିଙ୍କୁ ହାରିଯାଉଥିବାର ଦୃଷ୍ଟିରେ ଦେଖାଯାଏ। ପ୍ରକୃତରେ ହାରିଯିବା ନୁହେଁ, ଜିତିବା ପାଇଁ ସେମାନଙ୍କୁ ବାଉଁଶଗଛ ପରି ନଇଁଯିବାକୁ ପଡ଼ିଥାଏ। ନଇଁପିଡ଼ିବା ହେଉଛି ପରିସ୍ଥିତି ସହିତ ନିଜକୁ ଖାପ ଖୁଆଇ ନେବା। ଯେଉଁ ପରିସ୍ଥିତିକୁ ସାମନା କରିବାର କ୍ଷମତା ଆମର ନାହିଁ, ତା’ସହିତ ନିଜକୁ ଖାପ ଖୁଆଇ ନନେଲେ ଆମେ ଭାଙ୍ଗିପଡ଼ିବା ସୁନିଶ୍ଚିତ। ଦୁଇଟି ଅଂଶକୁ ନେଇ ଜୀବନ। ଗୋଟିଏ ବଞ୍ଚିବା ଓ ଅନ୍ୟଟି ଜିଇଁବା। ପେଟକୁ ଦାନା କିଛି ମିଳିଗଲେ ଜଣେ ବଞ୍ଚିଯିବ, ମାତ୍ର ଜିଇଁବାକୁ ହେଲେ ସମୟକୁ ଦେଖି ଆମକୁ ନଇଁପଡ଼ିବାକୁ ହେବ। ନଇଁଗଲେ ପୁଣି ଥରେ ସଳଖିଯାଇ ହେବ, ମାତ୍ର ଭାଙ୍ଗିଗଲେ ଜିଇଁବା ଶେଷ। ଜୀବନରେ ନଇଁପଡୁଥିବା ଅଂଶ ହିଁ ଆମକୁ ଆଗକୁ ବଢ଼ିବାର ଅନୁକୂଳ ସ୍ଥିତିରେ ରଖିଥାଏ। ଜଣେ ଲୋକ କେତେ ଉଚ୍ଚକୁ ଉଠିପାରିଲା ତା’ରି ଆଧାରରେ ବ୍ୟକ୍ତିର ସଫଳତାକୁ ବିଚାର କରାଯାଏ, କିନ୍ତୁ ତାହା ମନୁଷ୍ୟର ପ୍ରକୃତ ସଫଳତା ନୁହେଁ। ଥରେ ନଇଁଯାଇ ଭୂଇଁକୁ ଛୁଇଁବା ପରେ ତା’ର ସେ ନମନୀୟତାର ଶକ୍ତି ତା’କୁ କେତେ ଉଚ୍ଚକୁ ଛିଟିକାଇଦେଇ ପାରିଲା, ତାହା ହିଁ ତା’ର ପ୍ରକୃତ ସଫଳତା। ନମନୀୟତା ବିନା କେବଳ ଯୋଗ୍ୟତା ଓ ନିଷ୍ଠାର ଆଧାରରେ କେହି ସଫଳ ହୋଇପାରିବା କଷ୍ଟକର। ବସ୍ତୁଟି ଦ୍ବାରଠାରୁ ବଡ଼ ହୋଇଥାଉ ପଛେ, ଟିକିଏ ନୁଆଁଇଦେଲେ ଯେମିତି ଦ୍ବାର ତା’କୁ ଗ୍ରହଣ କରିନିଏ, ଠିକ୍ ସେମିତି ନିଜକୁ ନୁଆଁଇଦେଲେ ଯେକୌଣସି ପରିସ୍ଥିତିରେ ଖାପଖୁଆଇ ନେବା ସହଜ। ବିନା ସତର୍କତାରେ ନିଜକୁ ନୁଆଁଇ ନେବା ଅନୁଚିତ। ନଇଁପଡ଼ିଥିବାର ସମୟ ହେଉଛି ଆପଣଙ୍କର ଦୁର୍ବଳ ମୁହୂର୍ତ୍ତ। ଅନ୍ୟମାନେ ଆପଣଙ୍କ ଠାରୁ ସୁବିଧା ହାସଲ କରିନେବାର ପ୍ରକୃଷ୍ଟ ସମୟ।ସୁବିଧାବାଦୀ ଲୋକମାନେ ଆପଣଙ୍କର ଏପରି ଏକ ସମୟର ଅପେକ୍ଷାରେ ଥାଆନ୍ତି। ପିଠିରେ ବିଧାମାରି ରାଗ ଶୁଝେଇ ଦିଅନ୍ତି, ନହେଲେ ପିଠିରେ ପାଦରଖି ଉପରକୁ ଉଠିଯାଆନ୍ତି। ସ୍ବାର୍ଥ ସିଦ୍ଧିର ଲକ୍ଷ୍ୟରେ ଅନେକ ଲୋକ ନିଜକୁ ଜାଣିଶୁଣି ନୁଆଁଇ ନିଅନ୍ତି। ଏତେ ନଇଁଯାଆନ୍ତି ଯେ, ମୁଣ୍ଡର ପଗଡ଼ିଟି ଖସିପଡ଼େ। ପଗଡ଼ି ଥରେ ଖସିଗଲେ ମାନ ମହତ ସବୁ ଚାଲିଯାଏ।

ପରିସ୍ଥିତିର ଚାପରେ ଭାଙ୍ଗିନଯିବା ପାଇଁ ନଇଁଯାଇଥିବା ଲୋକଟିକୁ ଦୁର୍ବଳ ଭାବିନେବା ଅନୁଚିତ। ସେପରି ଲୋକ ହାରିଯାଇ ନଥାଏ, କେବଳ ପୁଣିଥରେ ମୁଣ୍ଡ ଟେକି ଠିଆହେବାର ସୁଯୋଗ ଅପେକ୍ଷାରେ ଥାଏ। ଅତଏବ ଜୀବନର ଝଡ଼କୁ ସାମନା କରିବାକୁ ହେଲେ ଆମକୁ ନଇଁଯିବାକୁ ହେବ। ସ୍ବଭାବରେ ନମନୀୟତା ରଖୁଥିବା ବ୍ୟକ୍ତିମାନେ ସବୁ ଅସୁବିଧା ମଧ୍ୟରୁ ଏକ ଏକ ସଂକଟ ଖୋଜିବସନ୍ତି ନାହିଁ। ଆସୁଥିବା ପରିବର୍ତ୍ତନର ସୁଅକୁ ମୁଣ୍ଡପାତି ଗ୍ରହଣ କରିନିଅନ୍ତି। ଜୀବନରେ ହାରଜିତ ନଥାଏ। ଥାଏ ଜିତିବା ଓ ଶିଖିବା। ଜିତି ନପାରିଲେ ସେମାନେ ଶିଖନ୍ତି। ସମୟ କାହାରି କେବେ ଖରାପ ନଥାଏ, ସମୟର କିଛି ମୁହୂର୍ତ୍ତ ହିଁ ଖରାପ ଥାଏ। ସେଇ ଖରାପ ମୁହୂର୍ତ୍ତଟି ପାଇଁ ସଂପୂର୍ଣ୍ଣ ସମୟକୁ ସେମାନେ ଦୋଷୀ ମାନନ୍ତିନି। ଏମାନେ ନିଜର ଦୃଷ୍ଟିକୋଣ ସର୍ବଦା ସ୍ବଚ୍ଛ ରଖନ୍ତି। ଏସବୁ ଗୁଣ ହିଁ ବ୍ୟକ୍ତି-ଚରିତ୍ରର ନମନୀୟତା। ଜୀବନରେ ଆସୁଥିବା ଅନ୍ଧକାର ରାତିର ଝଡ଼ ମଧ୍ୟରେ ବାଟବଣା ନହୋଇ ନିଜକୁ ଅତୁଟ ରଖିବାକୁ ହେଲେ ବାଉଁଶ ଗଛପରି ନଇଁଯିବାକୁ ହେବ। ଝଡ଼ରାତି ତ ସମୟ ହାତରେ ବନ୍ଧା, ସମୟ ସରିଗଲେ ରାତି ଶେଷ ହୋଇଯିବ। ରାତିରେ ଜଳୁଥିବା ଦୀପର ଅବଧି କେତେ ତାହା କେବଳ ଦେଖିବାର କଥା। ଏ କବିତା ଧାଡ଼ିଟି ମନେରଖିଥିବେ: "ଶର୍ ଜିସପେ ନ ଝୁକ୍ ଯାୟେ ଉସେ ଦର୍ ନହିଁ କହତେ/ ହର୍ ଦରପେ ଯୋ ଝୁକଯାୟେ ଉସେ ଶର୍ ନହିଁ କହତେ"। ଯେଉଁ ଦ୍ବାର ପାଖରେ ମୁଣ୍ଡ ନଇଁ ନଯାଏ ତାକୁ ଦ୍ବାର କହନ୍ତିନି କି ସବୁ ଦ୍ବାର ପାଖରେ ଯେଉଁ ମୁଣ୍ଡ ନଇଁଯାଏ ତାକୁ ମୁଣ୍ଡ କହନ୍ତିନି।
[email protected]