ସରସ ରସ: ବିଶ୍ବାସରୁ ଧର୍ମ ଓ ସନ୍ଦେହରୁ ବିଜ୍ଞାନ

ସୁଭାଷ ପଟ୍ଟନାୟକ

ନିକଟରେ ଚନ୍ଦ୍ରଯାନ-୩ ଓ ଆଦିତ୍ୟ-ଏଲ୍୧ର ଉତ୍‌କ୍ଷେପଣ ପୂର୍ବରୁ ‘ଇସ୍ରୋ’ର କିଛି ବୈଜ୍ଞାନିକ ଅଭିଯାନର ସଫଳତା ପାଇଁ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାକୁ ନେଇ ତର୍କବାଦୀମାନେ ବିରୋଧର ସ୍ବର ଉଠାଇ ଯୁକ୍ତି ବାଢ଼ିଲେ ଯେ, ବୈଜ୍ଞାନିକମାନଙ୍କର ଏପରି ଅନ୍ଧ ଈଶ୍ବର ବିଶ୍ବାସ ରହିବା ଅନୁଚିତ। ଏ ପରିପ୍ରେକ୍ଷୀରେ ଆଜି ଆମେ ଆଲୋଚନା କରିବା ବୈଜ୍ଞାନିକ ଈଶ୍ବର ବିଶ୍ବାସୀ ହେବା ଉଚିତ କି ନୁହେଁ।
ମନରେ ଆସୁଥିବା ଅସୁମାରି ସନ୍ଦେହ ମନୁଷ୍ୟକୁ ବୈଜ୍ଞାନିକ ଗବେଷଣା ଓ ଆବିଷ୍କାର ପାଇଁ ପ୍ରୋତ୍ସାହିତ କରିଥାଏ। ଅପର ପକ୍ଷେ ପ୍ରକୃତି ନିକଟରେ ଅସହାୟ ମଣିଷ ନିଜର ସୁଖ, ସମୃଦ୍ଧି, ସଫଳତା ଓ ସୁରକ୍ଷା ପାଇଁ ଈଶ୍ବରଙ୍କର ଶରଣାପନ୍ନ ହୁଏ। ଅତଏବ ଧର୍ମ ଏକ ବିଶ୍ବାସର ବିଷୟ ହେଲାବେଳେ ବିଜ୍ଞାନ ସର୍ବଦା ସଂଶୟର ବିଷୟ ହୋଇ ରହିଆସିଛି। ଧର୍ମ ବିଶ୍ବାସ ହେଉଛି ଅଲୌକିକ ଜଗତ ସହିତ ଲୌକିକ ଜଗତର ସଂପର୍କ ବିଷୟକ ଜ୍ଞାନ। ଧର୍ମ ଓ ବିଜ୍ଞାନ ଅଲଗା ହେଲେ ମଧ୍ୟ ପରସ୍ପରର ଇଲାକା ମଧ୍ୟରେ ଆବଶ୍ୟକ ସ୍ଥଳେ ପ୍ରବେଶ କରିଥାନ୍ତି। “ଧର୍ମର ବ୍ୟତିରେକ ବିଜ୍ଞାନ ପଙ୍ଗୁ ଓ ବିଜ୍ଞାନ ବ୍ୟତୀତ ଧର୍ମ ନେତ୍ରହୀନ”, କହିଥିଲେ ଆଇନଷ୍ଟାଇନ୍। ସମାଜ ଆମର କ୍ରମାନ୍ବୟରେ ତିନିଟି ସ୍ତର ଦେଇ ଗତି କରିଥାଏ। ଧାର୍ମିକ ସ୍ତର, ତାତ୍ତ୍ବିକ ସ୍ତର ଓ ବିଜ୍ଞାନ। ଧର୍ମର ପରିପୁଷ୍ଟି ପାଇଁ ତତ୍ତ୍ୱ ଆବଶ୍ୟକ ଓ ତତ୍ତ୍ବର ପରିପୋଷଣ ପାଇଁ ଆବଶ୍ୟକ ପଡ଼େ ବିଜ୍ଞାନ। ଏ ତିନିଟି ବିଷୟ ପରସ୍ପର ସହିତ ସଂପର୍କିତ। ବିଶ୍ବାସକୁ ଆଶ୍ରା କରି ମନୁଷ୍ୟ ଆନନ୍ଦରେ ବଞ୍ଚିଥାଏ। ଯେତେବେଳେ ସେ ବିଶ୍ବାସ ଉପରେ ତା’ର ସନ୍ଦେହ ଆସେ, ସେ ପ୍ରଶ୍ନ ପଚାରେ ଓ ତା’ର ଠିକ୍‌ ଉତ୍ତର ଦିଏ ବିଜ୍ଞାନ। ଠିକ୍ ସେହିପରି ବିଜ୍ଞାନ ତତ୍ତ୍ବ ଓ ପ୍ରମାଣ ଆଧାରିତ ହେଲେ ମଧ୍ୟ ବିଜ୍ଞାନର ଫଳାଫଳକୁ ନେଇ ସନ୍ଦେହ ଉପୁଜିଲେ ବିଶ୍ବାସର ଦୃଢ଼ତା ପାଇଁ ଜଣେ ବିଜ୍ଞାନୀ ଧର୍ମର ସାହାଯ୍ୟ ନେଇପାରେ। କାରଣ ବିଶ୍ବାସର ଦୃଢ଼ତା ନଥିଲେ ଗବେଷଣା ଲକ୍ଷ୍ୟଭ୍ରଷ୍ଟ ହେବାର ଡର ଥାଏ। ମହାକାଶ ବିଜ୍ଞାନ ସଂସ୍ଥା ‘ନାସା’ରେ ସେଥିପାଇଁ ‘ଆପୋଲୋ ପ୍ରେୟାର ଲିଗ୍’ ନାମରେ ଏକ ପୁରୋହିତ ଦଳ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ମହାକାଶ ଅଭିଯାନ ପୂର୍ବରୁ ବୈଜ୍ଞାନିକ ମାନଙ୍କ ସହିତ ସମୂହ ପ୍ରାର୍ଥନା କରନ୍ତି। ଗାଲିଲିଓ, ନିଉଟନ୍ ଓ ଆଇନଷ୍ଟାଇନ୍ ଆଦି ବୈଜ୍ଞାନିକମାନେ ଧର୍ମନିଷ୍ଠ ଓ ବିନମ୍ର ଆସ୍ତିକ ଥିଲେ। ନିଉଟନ୍ ଥରେ ତାଙ୍କର ଜଣେ ସଂପୂର୍ଣ୍ଣ ନାସ୍ତିକ ବୈଜ୍ଞାନିକ ବନ୍ଧୁଙ୍କୁ ସୌର ମଣ୍ଡଳର ଏକ ସୁନ୍ଦର ମଡେଲ ଦେଖାଇଲେ। ନାସ୍ତିକ ବନ୍ଧୁ ଦେଖିବା ପରେ ମୁଗ୍ଧ ହୋଇ ପଚାରିଲେ, ଏଡ଼େ ସୁନ୍ଦର ଶିଳ୍ପ କଳାଟିର ନିର୍ମାତା କିଏ? ନିଉଟନ୍ ଉତ୍ତର ଦେଲେ, ଏହା ଶୂନ୍ୟରୁ ସୃଷ୍ଟି। ନିର୍ମାତା ଏହାର କେହି ନାହିଁ। ବ୍ରହ୍ମାଣ୍ଡର ସୃଷ୍ଟି ପଛରେ ଜଣେ ଈଶ୍ବର ଅଛନ୍ତି, ସେକଥା ଯଦି ତୁମେ ବିଶ୍ବାସ କରୁନାହଁ, ସେ ସୁନ୍ଦର ସୃଷ୍ଟିର ଏ କ୍ଷୁଦ୍ର ପ୍ରତିରୂପର ନିର୍ମାତାକୁ କାହିଁକି ଖୋଜୁଛ?
ବିଜ୍ଞାନ ଆମକୁ ଯେତିକି ସମୃଦ୍ଧ କରେ, ଧର୍ମବିଶ୍ବାସ ମଧ୍ୟ ସେତିକି ଶୃଙ୍ଖଳିତ କରିଥାଏ। ଧର୍ମ ଓ ବିଜ୍ଞାନ ସର୍ବଦା ପରସ୍ପରର ଶୂନ୍ୟସ୍ଥାନ ପୂରଣ କରନ୍ତି। ବିଜ୍ଞାନ ମନୁଷ୍ୟ ମନର ସବୁକିଛି ପ୍ରଶ୍ନକୁ ସମାଧାନ କରିପାରିନାହିଁ। ଈଶ୍ବରଙ୍କ ଅସ୍ତିତ୍ୱ ନଥିବା କଥା ବିଜ୍ଞାନ ପ୍ରମାଣ କରିଛିକି? ଜୀବନର ପ୍ରାରମ୍ଭ କିପରି ହେଲା ତାହା ଏବେ ମଧ୍ୟ ପ୍ରମାଣସିଦ୍ଧ ନୁହେଁ। ପ୍ରାଣୀ ମଧ୍ୟରେ ଚେତନାର ଉନ୍ମେଷ ହେଉଛି କିପରି, ଭାବନା ଓ ଆତ୍ମସଚେତନତା ଆସେ କେମିତି, ବୁଦ୍ଧିର ସୃଷ୍ଟି ହେଲା କେମିତି, ବିଜ୍ଞାନକୁ ବୁଝିବା ପାଇଁ କେଉଁ ଶକ୍ତି ବଳରେ ମନୁଷ୍ୟ ସକ୍ଷମ ହେଉଛି ଏବଂ କେଉଁ ଶକ୍ତି ବଳରେ ମନୁଷ୍ୟ କଳା, ସଂଗୀତ ଓ ସାହିତ୍ୟର ସର୍ଜନା କରିପାରୁଛି, ଏସବୁ ପ୍ରଶ୍ନର ଉତ୍ତର ବିଜ୍ଞାନ ଦେଇପାରିନାହିଁ। ବୈଜ୍ଞାନିକ ଜଣେ କହିପାରିବ କି ଜୀବନର ସୃଷ୍ଟି ପାଇଁ ବ୍ରହ୍ମାଣ୍ଡକୁ ଏତେ ସଠିକ୍‌ ମାର୍ଗରେ କେମିତି ଓ କିଏ ତିଆରି କରିଛି? ବିଜ୍ଞାନ ନିରବ ରହିଲେ ଈଶ୍ବରଙ୍କ ଉପରେ ବିଶ୍ବାସ ନିଶ୍ଚୟ ଜନ୍ମିବ। ‘କାହିଁକି’ର ଉତ୍ତର ନପାଇଲେ ମନୁଷ୍ୟ ଈଶ୍ବରଙ୍କ ଛଡ଼ା ଆଉ ଯିବ କାହା ପାଖକୁ? ବୈଜ୍ଞାନିକ ମଧ୍ୟ ଏଥିରୁ ପୃଥକ୍ ନୁହେଁ।
ଷଷ୍ଠ ଶ୍ରେଣୀରେ ପଢୁଥିବା କୁନି ଝିଅ ଫିଲିସ୍, ଚିଠି ଲେଖି ଆଇନଷ୍ଟାଇନଙ୍କୁ ପ୍ରଶ୍ନଟିଏ ପଚାରିଥିଲା, “ବୈଜ୍ଞାନିକମାନେ କ’ଣ ଈଶ୍ବରଙ୍କୁ ପ୍ରାର୍ଥନା କରନ୍ତିକି”? ପ୍ରଶ୍ନ ପଛର ଜିଜ୍ଞାସା ଥିଲା, ଆମେ ଉଭୟ ବିଜ୍ଞାନ ଓ ଧର୍ମବିଶ୍ବାସକୁ ଏକ ସଙ୍ଗରେ ଗ୍ରହଣ କରିବା ଉଚିତ କି? ଆଇନଷ୍ଟାଇନ୍ ତା’ର ଉତ୍ତରରେ ଲେଖିଥିଲେ, “ଜଣେ ବୈଜ୍ଞାନିକର ବିଶ୍ବାସ ଥାଏ ଯେ, ମନୁଷ୍ୟର ଚତୁଃପାର୍ଶ୍ବର ପ୍ରତ୍ୟେକ ଘଟଣା ଓ କାର୍ଯ୍ୟ କିଛି ପ୍ରାକୃତିକ ନିୟମ ଆଧାରରେ ଘଟିଥାଏ। ତେଣୁ ଭଗବତ୍ ପ୍ରାର୍ଥନା ମାଧ୍ୟମରେ ସବୁକିଛି ସମ୍ଭବ ହୋଇପାରିବ, ତାହା ଜଣେ ବୈଜ୍ଞାନିକର ବିଶ୍ବାସର ବାହାରେ। ତଥାପି ଆମକୁ ମାନିବାକୁ ହେବ ଯେ, ଐଶୀଶକ୍ତି ବିଷୟକ ଆମର ଜ୍ଞାନ ଅସଂପୂର୍ଣ୍ଣ। ତେଣୁ ଏକ ସର୍ବଶେଷ ଶକ୍ତି ଉପରେ ବିଶ୍ବାସ ରଖିବାକୁ ଆମେ ବାଧ୍ୟ। ବିଜ୍ଞାନର ସଫଳତା ସହିତ ଏ ବିଶ୍ବାସ ମଧ୍ୟ ଆମମାନଙ୍କ ମଧ୍ୟରେ ବ୍ୟାପକ ଭାବରେ ପର୍ଯ୍ୟବସିତ। ବିଜ୍ଞାନର ଅନୁସନ୍ଧାନ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଯେ, ବ୍ରହ୍ମାଣ୍ଡର ପ୍ରାକୃତିକ ନିୟମ ମଧ୍ୟରେ କିଛି ଐଶ୍ୱରୀୟ ଶକ୍ତି ନିହିତ ଅଛି ଯାହା ମନୁଷ୍ୟଠାରୁ ଶ୍ରେଷ୍ଠତର”।
ବୈଜ୍ଞାନିକ ମଧ୍ୟ ଜଣେ ମନୁଷ୍ୟ ଓ ଧର୍ମ ବିଶ୍ବାସ ତା’ର ଏକ ନିଜସ୍ବ ବ୍ୟାପାର। ତେଣୁ ଏହାକୁ ନେଇ ପ୍ରଶ୍ନ କରିବା ଓଦା କନା ଧରି ଚଟାଣ ଉପରୁ ସୂର୍ଯ୍ୟକିରଣ ପୋଛିବା ସହିତ ସମାନ। ‘ଇସ୍ରୋ’ର ପୂର୍ବତନ ବୈଜ୍ଞାନିକ କସ୍ତୁରୀରଙ୍ଗନ ଓ ମାଧବନ୍ ନାୟାର ମଧ୍ୟ ତିରୁପତି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ‘ନାସା’ ତା’ର ଆପୋଲ ଅଭିଯାନ ସହିତ ବାଇବେଲର ଏକ ଅଣୁ ସଂସ୍କରଣ ମହାକାଶକୁ ପଠାଇଥିଲା। ଅଥଚ ଆମ ଏଠାରେ ଯଦି କେବେ ଭଗବତ୍ ଗୀତାକୁ ମହାକାଶ ପଠାଯାଏ, ଆମେ କିଛି ଛଦ୍ମ ଧର୍ମ-ନିରପେକ୍ଷତାବାଦୀ ଦୁଇ ହସ୍ତରେ ସ୍ବକେଶ ଉତ୍ପାଟନ କରି ମୁଣ୍ଡିତ ହୋଇଯିବା। ଧର୍ମ ଓ ବିଜ୍ଞାନ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ, ଯାହା ସଂସାରକୁ ବୁଝିବା, ସେଥିରେ ଆମର ସ୍ଥାନ ନିରୂପଣ କରିବା ଓ ସଂସାରକୁ ଘେରି ରହିଥିବା ସମସ୍ତ ଆଶ୍ଚର୍ଯ୍ୟକୁ ଦେଖିପାରିବାରେ ଦୁଇଟି ଯବକାଚ ତୁଲ୍ୟ। କୁହାଯାଏ, “ଯବ୍ ସଫିନା ମୌଜ୍ ସେ ଟକରା ଗୟା/ ନାଖୁଦା କୋ ଭି ଖୁଦା ୟାଦ୍ ଆ ଗୟା”। ଯେତେବେଳେ ନୌକା ଜୁଆର ସହିତ ଧକ୍କା ଖାଇଯାଏ ସେତେବେଳେ ନାବିକର ଈଶ୍ବର ମନେପଡ଼ନ୍ତି। ବାସ୍, ଏହା ହିଁ ସତ୍ୟ, ବାକି ସବୁ ବୁଝିବା ଦାୟିତ୍ୱ ଆପଣଙ୍କର।
[email protected]

ସମ୍ବନ୍ଧିତ ଖବର