ସୁଭାଷ ପଟ୍ଟନାୟକ
ଶୀତୁଆ ସକାଳର କାକରଭିଜା ପ୍ରାନ୍ତର ଆଡ଼କୁ ଚାହିଁରହି ଆମେ ଝରକା ପାଖରେ ବସିଛୁ। ସାମ୍ନା ଗଛ ଡାଳରୁ ଶୁଭୁଛି ଚଢ଼େଇମାନଙ୍କର ମିଳିତ କାକଳି। ପୂର୍ବ ଦିଗରୁ ଚହଟିଲାଣି ସୂର୍ଯ୍ୟୋଦୟର ସୁନେଲି ରଙ୍ଗ। ଜୀବନର ସମସ୍ତ ସୌନ୍ଦର୍ଯ୍ୟ ଓ ପ୍ରଶାନ୍ତି ଯେମିତି ଲୋଟିପଡ଼ିଛି ଏ ନବ ପ୍ରଭାତର କୋଣ ଅନୁକୋଣରେ। ତଥାପି ମନ ଅଶାନ୍ତ କାହିଁକି? ମନ ଆମର ଆଉ କ’ଣ ଚାହେ? କେଉଁ କ୍ଷୁଧାର ଅର୍ଦୋଳି ତାକୁ ଅସ୍ଥିର କରୁଛି? ଏ ‘ଜୀବନ’ ନାମକ ଯାତ୍ରାପଥରେ ଆମେ ସମସ୍ତେ ଜଣେ ଜଣେ ଏକଲା ପଥଚାରୀ। ନିଜର ଯାତ୍ରାକୁ ନେଇ ଆମେ କେବେହେଲେ ସନ୍ତୁଷ୍ଟ ନୁହନ୍ତି। ଯାହା ଆମ ପାଖରେ ଅଛି ତାହାଠାରୁ ଆହୁରି ଉତ୍କୃଷ୍ଟତରର ସନ୍ଧାନରେ ଆମେ ଲାଗିପଡ଼ିଛେ। ସବୁ କ୍ଷେତ୍ରରେ ଦର୍କାର ଆମର ପୂର୍ଣ୍ଣତା। ଶ୍ରେଷ୍ଠ ଶରୀର ସୌଷ୍ଟବ, ଶ୍ରେଷ୍ଠ ଜୀବିକା, ପରିପୂର୍ଣ୍ଣ ଜୀବନ, ସର୍ବଶ୍ରେଷ୍ଠ ପ୍ରତିଷ୍ଠା ଓ ସମ୍ମାନ, ଶ୍ରେଷ୍ଠ ବାସଗୃହ, ଶ୍ରେଷ୍ଠ ସଂପର୍କ, ସବୁକିଛି ଅନ୍ୟଠାରୁ ଶ୍ରେଷ୍ଠ... ଶ୍ରେଷ୍ଠ... ଶ୍ରେଷ୍ଠ। କବି ରବର୍ଟ ବ୍ରାଉନିଂ ‘ରାବାଇ ବେନ୍ ଏଜରା’ କବିତାର ପ୍ରାରମ୍ଭରେ ଲେଖିଛନ୍ତି, “ମୋ ସାଙ୍ଗରେ ଆସନ୍ତୁ ବାର୍ଦ୍ଧକ୍ୟକୁ ଆପଣେଇ ନେବା, ସର୍ବୋତ୍ତମ ହେବାପାଇଁ ଏବେବି ଜୀବନ କିଛି ବାକି ଅଛି।” କବିତାଟିର ତାତ୍ପର୍ଯ୍ୟ ହେଉଛି, ବାର୍ଦ୍ଧକ୍ୟ ଆସିଥିଲେ ମଧ୍ୟ ଜୀବନରେ ପୂର୍ଣ୍ଣତା ଏଯାଏ ଆସି ନାହିଁ। ଚାଲନ୍ତୁ ତା’ର ଅପେକ୍ଷାରେ ରହିବା।
ପରିପୂର୍ଣ୍ଣତାବାଦ ବା ଶ୍ରେଷ୍ଠତାବାଦ କ’ଣ? ଇଂରେଜୀରେ ଏହାକୁ ଆମେ କହୁ ‘ପର୍ଫେକ୍ସନିଜିମ୍’। ସବୁକ୍ଷେତ୍ରରେ ‘ପରଫେକ୍ଟ’ ବା ପରିପୂର୍ଣ୍ଣ ହେବାର ନିଶା। ଏହା ଏକ ଅନ୍ବେଷଣ, ଏକ ଅସରନ୍ତି ଯାତ୍ରା। ମନୁଷ୍ୟର ଅପହଞ୍ଚ ଲକ୍ଷ୍ୟସ୍ଥଳ। ଶ୍ରେଷ୍ଠତା ନିପୁଣତାକୁ ପରିଭାଷିତ କରେ। ନିପୁଣତା ହିଁ ପୂର୍ଣ୍ଣତାର ମାର୍ଗ। ଶ୍ରେଷ୍ଠତା ଅର୍ଜନ ଆମର ଏକମାତ୍ର ଲକ୍ଷ୍ୟ। ମା’ଟିଏ ଚାହେ ଶ୍ରେଷ୍ଠ ମା’ ହେବ, ଛାତ୍ରଟି ଚାହେ ଶ୍ରେଷ୍ଠ ଛାତ୍ର ହେବ, ସମସ୍ତେ ଆଶା କରନ୍ତି ପ୍ରତ୍ୟେକ କ୍ଷେତ୍ରରେ ଏକ ପରିପୂର୍ଣ୍ଣ ଜୀବନ ଜିଇଁବେ, ଯାହାର ଆଗକୁ କିଛି ଆଉ ଅବଶେଷ ରହିନଥିବ। ଅର୍ଥାତ୍, ପରିପୂର୍ଣ୍ଣତାବାଦ ବା ଶ୍ରେଷ୍ଠତାବାଦର ସଜ୍ଞା ହେଲା, ପ୍ରତ୍ୟେକ କ୍ଷେତ୍ରରେ ନିଜର ଆବଶ୍ୟକତା ଠାରୁ କିଛି ଅଧିକ ପାଇବାର ବା ହେବାର ଆଶା। ଏକ ସର୍ବୋତ୍ତମ ସମ୍ଭବ ଜୀବନ। କେତୋଟି ମାମୁଲି ଉଦାହରଣ ଦେଖନ୍ତୁ: ହାକିମଙ୍କ ନିକଟରେ ତୁରନ୍ତ ଆଦେଶ ଦେବାପାଇଁ ଜରୁରୀ ନଥିଟିଏ ପହଞ୍ଚିଲା। ହାକିମ ଜଣେ ଶ୍ରେଷ୍ଠତାବାଦୀ। ତାଙ୍କର ନଥି ଉପରେ ନିର୍ଭୁଲ୍ ମନ୍ତବ୍ୟ ଦରକାର। ତେଣୁ ସେ ଆଦେଶ ଦେବେ କ’ଣ, ମନ୍ତବ୍ୟ ସବୁ ପଢ଼ି ବନାନ ଅଶୁଦ୍ଧି ଓ ବ୍ୟାକରଣଗତ ତ୍ରୁଟିଗୁଡ଼ିକୁ ରେଖାଙ୍କିତ କରି ନଥି ଫେରାଇଦେଲେ। ହିରଣ୍ୟ ବାବୁଙ୍କ ଟେବୁଲରେ ନଥିପତ୍ର ପଡ଼ିରହିଲେ ତାଙ୍କୁ ଭଲ ଲାଗେନି। ପ୍ରତ୍ୟହ କାମ ସାରି, ଟେବୁଲ ସଜାଡ଼ିଦେଇ ରାତି ଦଶଟାରେ ଘରକୁ ଫେରନ୍ତି। ସଜନା ଛୁଇଁକୁ ମାପି ଚୁପି ଏକସମାନ କରି କାଟନ୍ତି, ଖଣ୍ଡିଏ ବି ଛୋଟ ବଡ଼ ନୁହେଁ। ଏମାନେ ହେଉଛନ୍ତି ଶ୍ରେଷ୍ଠତାବାଦୀ, ପର୍ଫେକ୍ସନିଷ୍ଟ୍। ଆମେ ଆମର ସନ୍ତାନକୁ ଜଣେ ଶ୍ରେଷ୍ଠ ମଣିଷ ଭାବରେ ଦେଖିବାକୁ ଚାହିଥାଉ। ସମସ୍ୟା ଆସେ ଶ୍ରେଷ୍ଠ ହେବାର ଏ ନିଶା ଯେତେବେଳେ ଆସକ୍ତିରେ ପରିଣତ ହୁଏ। ଏପରି ସାତିଶୟତା ଜୀବନର ଅନ୍ୟ କୌଣସି ଢାଞ୍ଚା ମଧ୍ୟରେ ସହଜରେ ଖାପ ଖାଇନଥାଏ। ପରୀକ୍ଷାରେ ଶହେରୁ ଶହେ ରଖିବା ହିଁ ଶ୍ରେଷ୍ଠତା ବୋଲି ଆମେ ଧରିନେଉ। ଏ ସଂଖ୍ୟାଟିର ଆରପଟେ ମଧ୍ୟ ଆହୁରି ଲମ୍ବା ପଥ ବାକି ରହିଛି ସେକଥା ଆମର ମନକୁ ଆସେ ନାହିଁ। ଏପରି କୌଣସି ବ୍ୟକ୍ତି ଏ ଧରା ପୃଷ୍ଠରେ ନାହିଁ ଯିଏ ଜୀବନରେ ପୂର୍ଣ୍ଣତାକୁ ସ୍ପର୍ଶ କରିପାରିଛି। ଗଛଟିଏ ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରି ଯେତେ ଉଚ୍ଚକୁ ଉଠିଲେ ମଧ୍ୟ ଯେମିତି ସୂର୍ଯ୍ୟକୁ ଛୁଇଁ ପାରେନି, ମନୁଷ୍ୟ ସେମିତି ସଂପୂର୍ଣ୍ଣ ଓ ଶ୍ରେଷ୍ଠ ବୋଲି ଯାହାକୁ ଭାବିନିଏ, ଆଗକୁ ତା’ର ଅନେକ କିଛି ବାକି ରହିଥାଏ।
ଅନେକ ଭାବିଥାନ୍ତି ଜୀବନରେ ଉତ୍କର୍ଷ ହିଁ ଉତ୍ପାଦକତା ବୃଦ୍ଧିର ମୂଳମନ୍ତ୍ର। ଉତ୍କର୍ଷକୁ ସେମାନେ ପୂର୍ଣ୍ଣତା ଭାବିନିଅନ୍ତି। ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଟି ଯେ ସର୍ବଶ୍ରେଷ୍ଠ ଡାକ୍ତର ବା ଇଞ୍ଜିନିଅର ହେବ, ତା’ର କିଛି ସତ୍ୟତା ନାହିଁ। ମନୁଷ୍ୟ ନିଜ ଦକ୍ଷତାର ତୁଳନା ଅନ୍ୟମାନଙ୍କ ସହିତ କରିଥାଏ। ଅଧିକ ଉତ୍କୃଷ୍ଟ କାର୍ଯ୍ୟ କରି ଶ୍ରେଷ୍ଠତ୍ବ ହାସଲ କରିବା ଚାହେ। ଏପରି ଦୁଶ୍ଚକ୍ର ମଧ୍ୟରେ ପଡ଼ି ଘୂରିବୁଲିବା ସାର ହୁଏ। ଜୀବନରେ ଉତ୍କର୍ଷ ପ୍ରତିପାଦିତ କରିବା ଭଲ କଥା, ମାତ୍ର ତାକୁ ସର୍ବଶ୍ରେଷ୍ଠ ଓ ସଂପୂର୍ଣ୍ଣ ବୋଲି ଧରିନେଲେ ପଥଭ୍ରଷ୍ଟ ହେବା ସ୍ବାଭାବିକ। କୁହାଯାଏ, “ପ୍ରାକ୍ଟିସ୍ ମେକ୍ସ ଏ ମ୍ୟାନ୍ ପର୍ଫେକ୍ଟ”। ଅଭ୍ୟାସ ମଣିଷକୁ ଅବଶ୍ୟ ଦକ୍ଷ କରିଥାଏ, ମାତ୍ର ସେଥିରେ ପୂର୍ଣ୍ଣତା ଥାଏ କି? ତା’ଠାରୁ ଅନେକ ଅଧିକ ଦକ୍ଷ ଲୋକ ମଧ୍ୟ ଅନ୍ତରାଳରେ ରହିଥାନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଶ୍ରେଷ୍ଠତା ଚାହୁଥିବା ବ୍ୟକ୍ତି ନିଜର କାର୍ଯ୍ୟକୁ ନେଇ କଦାପି ସନ୍ତୁଷ୍ଟ ରହିପାରେନି। ରାଜା ଭୂରିଶ୍ରବା ନିଜର ଶିରସ୍ତ୍ରାଣଟି ସୁନ୍ଦର କରି ବାନ୍ଧୁବାନ୍ଧୁ ମହାଭାରତ ଯୁଦ୍ଧର ଚଉଦଦିନ ଶେଷ ହୋଇଯାଏ। କୌଣସି କାର୍ଯ୍ୟର ଉତ୍କୃଷ୍ଟ ସଂପାଦନ ଭଲକଥା, ମାତ୍ର ତା’ର ପରିଣାମକୁ ନେଇ ଅହେତୁକ ମାନସିକ ଉଦ୍ଦୀପନ କ୍ଷତିକାରକ। ସବୁ କାର୍ଯ୍ୟରେ ଶ୍ରେଷ୍ଠତା ଖୋଜିଲେ କୌଣସି କାର୍ଯ୍ୟ ସମ୍ପନ୍ନ ହୋଇପାରେନି। ଯାହାର ମନରେ ଅସଫଳ ହୋଇଯିବାର ଡର ଥାଏ, ଭୁଲ୍ କରିଦେବାର ଆଶଙ୍କା ଥାଏ ଏବଂ ଅସ୍ବୀକୃତ ହୋଇଯିବାର ଭୟ ଥାଏ, ସିଏ ହିଁ ନିଜର ଅଲକ୍ଷ୍ୟରେ ସବୁ କାର୍ଯ୍ୟରେ ତା’ର ଶ୍ରେଷ୍ଠତାର ଅପେକ୍ଷା ରଖେ। ଚିତ୍ରକର ଲିଓନାର୍ଡୋ ଦା ଭିନ୍ସି କହିଥିଲେ, “କୌଣସି କାର୍ଯ୍ୟ କେବେ ସଂପୂର୍ଣ୍ଣ ହୁଏନାହିଁ, ତାକୁ କେବଳ ସେହିଠାରେ ତ୍ୟାଗ କରିଦିଆଯାଏ।” ଅର୍ଥାତ୍ କୌଣସି କ୍ଷେତ୍ରରେ ପରିପୂର୍ଣ୍ଣତା ହାସଲ କରାଯାଇ ନପାରେ। ସମୟ ଅସଂପୂର୍ଣ୍ଣ ବୋଲି ଆଗକୁ ଗତି କରୁଛି, ଜଗତ ଅସଂପୂର୍ଣ୍ଣ ବୋଲି ତା’ର କ୍ରମବିକାଶ ହୋଇ ଚାଲିଛି। କେହି ଏ ଧରାପୃଷ୍ଠରେ ସ୍ବୟଂସଂପୂର୍ଣ୍ଣ ନୁହନ୍ତି। ଯେହେତୁ ପୂର୍ଣ୍ଣତା ଏକ ଅପହଞ୍ଚ ଶେଷବିନ୍ଦୁ, ଅସଂପୂର୍ଣ୍ଣ ରହିଯିବା ତେଣୁ ବାସ୍ତବତାର ଅପରିବର୍ତ୍ତନୀୟ ହସ୍ତାକ୍ଷର ଏବଂ ପୂର୍ଣ୍ଣତାର ଭ୍ରାନ୍ତି କେବଳ ମାତ୍ର ଗୋଟିଏ ଆତ୍ମସନ୍ତୋଷ। ପୂର୍ଣ୍ଣତା ଅସମ୍ଭବ ବୋଲି ପରା ପେନସିଲର ପାଖେ ପାଖେ ଇରେଜର୍ଟିଏ ରହିଥାଏ! ନିଜକୁ ସର୍ବଶ୍ରେଷ୍ଠ ଓ ସ୍ବୟଂସମ୍ପୂର୍ଣ୍ଣ ଭାବିନେଇ ବୃଥା ଅହଂକାରରେ ମତ୍ତଥିବା ମଣିଷମାନଙ୍କ ଉଦ୍ଦେଶ୍ୟରେ ଜଣେ କବି ପରାମର୍ଶ ଦେଇ କହିଛନ୍ତି, “ଅପନି ରୋଶନି କି ବୁଲନ୍ଦିୟୋଁ ପର୍ କଭି ନ ଇତରାନା ଜନାବ୍/ଚରାଗ୍ ସବ୍ କେ ବୁଝତେ ହୈଁ, ୟେ ହଵା କିସି କି ନହିଁ।” ନିଜର ଉଜ୍ଜ୍ବଳିତ ଜୀବନର ଏ ଶ୍ରେଷ୍ଠତାକୁ ଚାହିଁରହି ଆତ୍ମଗର୍ବ କରନି ବାବୁ! ଦୀପ ସମସ୍ତଙ୍କର ଲିଭିଥାଏ। ଏ ପବନ କାହାରି ନୁହେଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୩୩୭୬୪୮୬୩୮