ହୋଇପାରେ ସେ ଆମର ସହଯାତ୍ରିକ ନିୟତି ଅଥବା ନ୍ୟାୟ ଜାଣିନଥିବା ବିଚାରପତି, ସେ ହେଉଛି ମୃତ୍ୟୁ। ଜୀବନଟା ଆମେ ତ ତାହାରି ସନ୍ଧାନରେ ବିତାଇ ଦେଉଛେ। କେବେ ତାକୁ ଜିତି ପାରିନେ। ଆମେ ଜାଣିଛନ୍ତି ବଞ୍ଚିବାକୁ ହୁଏ କେମିତି ମାତ୍ର କେହି ଜାଣନ୍ତିନି ମୃତ୍ୟୁ ଆସେ କେମିତି। ସେଦିନ କରମଣ୍ଡଳ ଏକ୍ସପ୍ରେସର ସେ ଅଭାଗା ଯାତ୍ରୀମାନେ ମଧ୍ୟ ସେକଥା ଜାଣି ନଥିଲେ କି ଜାଣିନଥିଲା ସେମାନଙ୍କ ମଧ୍ୟରେ ଥିବା ସେ ଅଜ୍ଞାତ ପ୍ରେମୀଟି। ସେ ପ୍ରେମୀ ଜଣକ ପୁଅ ନା ଝିଅ, ଏବେ ଜୀବିତ ନା ମୃତ, ଯଦି ଜୀବିତ, ତେବେ ତା’ର ଅବସ୍ଥା ଏବେ କେମିତି, ସେକଥା କାହାରିକୁ ଜଣା ନାହିଁ। କୁଢ଼ କୁଢ଼ ମୃତ ଓ ଆହତଙ୍କ ଶରୀର ଉଠାଇ ନିଆଯିବା ପରେ ରେଳ ଧାରଣା ନିକଟରେ ବିକ୍ଷିପ୍ତ ହୋଇ ପଡ଼ିରହିଥିଲା ସେଇ ଅଜଣା ପ୍ରେମୀର ହାତଲେଖା ଡାଏରି ଓ ତା’ର ଛିନ୍ନ ପୃଷ୍ଠା କେତୋଟି। ଡାଏରିର କେତୋଟି ଲିଖିତ ପଙ୍‌କ୍ତି ନିରବଧି ଚେତାଇ ଦେଇ କହୁଥିଲା ‘ଜୀବନର ବିପରୀତ ମରଣ ନୁହେଁରେ ମୂଢ଼ ମଣିଷ! ଜୀବନ୍ତ ବ୍ୟକ୍ତିଟି ତ ହେଉଛି ଖୋଦ୍ ମୃତ୍ୟୁର ଏକ ବିରଳ ପ୍ରଜାତି!’ ସେ ଡାଏରିର ଦୁଇ ଧାଡ଼ି କବିତା ଥିଲା ଏହିପରି: “ଅଳ୍ପୋ ଅଳ୍ପୋ ମେଘଥେକେ ହାଲକା ବ୍ରିଷ୍ଟି ହୟେ/ ଛୋଟୋ ଛୋଟୋ ଗଳ୍ପୋଥେକେ ଭଲୋବାସା ସ୍ରିଷ୍ଟି ହୟେ....”। “ଅଳ୍ପ ଅଳ୍ପ ମେଘରୁ ଝରେ ହାଲୁକା ହାଲୁକା ବୃଷ୍ଟି/ ଛୋଟ ଛୋଟ ଗପଠୁ ହୁଏ ଭଲ ପାଇବାର ସୃଷ୍ଟି”। ପୁଣି ସେ ଲେଖିଛି, “ଭଲପାଏ ବୋଲି ମୁଁ ତତେ ପାଖେ ଚାହେଁ ପ୍ରତିକ୍ଷଣ/ ତୁଇ ଅଛୁ ମୋ ମନରେ ତ ଏଇକ୍ଷଣ, ସବୁକ୍ଷଣ”। (ଅନୁବାଦର କୃତଜ୍ଞତା: କବି ଶ୍ରୀ ରାଜେନ୍ଦ୍ର କିଶୋର ପଂଡ଼ା) ଏବେ ଆଉ କାହିଁ ସେ ଛୋଟଛୋଟ ଗଳ୍ପ, କାହିଁ ସେ ମନ ଓ ତା’ ଭିତରର ସେ ପ୍ରେମର ପ୍ରତିମାଟି? ପ୍ରେମୀର ଉଦ୍ଦେଶ୍ୟରେ ଲିଖିତ ସେ କବିତାଟି ଶେଷରେ ମୃତ୍ୟୁ ଉଦ୍ଦେଶ୍ୟରେ ସମର୍ପିତ ହୋଇଗଲାନି ତ?
ଅନେକ ବର୍ଷ ପୂର୍ବେ ଆସିଥିଲା ଇଙ୍ଗମର୍ ବର୍ଗମାନଙ୍କ ନିର୍ଦ୍ଦେଶିତ ଗୋଟିଏ ସିନେମା, ‘ଦ ସେଭେନ୍‌ଥ ସିଲ୍’। ପ୍ଲେଗ୍ ମହାମାରୀରେ କୁଢ଼କୁଢ଼ ଲୋକ ମରି ପଡୁଥିବା ବେଳେ ଚେସ୍ ଖେଳରେ ଦକ୍ଷ ଆନ୍ତୋନି ବ୍ଲକଙ୍କ ନିକଟରେ ମୃତ୍ୟୁ ଆସି ପହଞ୍ଚି ଯାଇଛି। ମୃତ୍ୟୁକୁ କିପରି ଏଡ଼ାଇ ଯିବେ ସେକଥା ଚିନ୍ତାକରି ବ୍ଲକ୍ ମୃତ୍ୟୁ ନିକଟରେ ଏକ ସର୍ତ୍ତ ରଖିଛନ୍ତି। ସର୍ତ୍ତ ଅନୁସାରେ ମୃତ୍ୟୁ ବ୍ଲକଙ୍କ ସହିତ ଚେସ୍ ଖେଳିବ। ମୃତ୍ୟୁ ଯଦି ହାରିଯାଏ ବ୍ଲକଙ୍କୁ ଛାଡ଼ି ଚାଲିଯିବ ଓ ଯଦି ବ୍ଲକ୍ ହାରିଯାଆନ୍ତି ମୃତ୍ୟୁ ତାଙ୍କୁ ନେଇଯିବ। ଖେଳ ଆରମ୍ଭ ହୋଇଛି। ଖେଳ ମଝିରେ ବ୍ଲକ୍ ମୃତ୍ୟୁକୁ ଅନ୍ୟମନସ୍କ କରିବାକୁ ନାନା ପ୍ରଶ୍ନ ପଚାରିଛନ୍ତି। ସ୍ନେହ, ପ୍ରେମ, ପରିବାର, ବନ୍ଧୁତା, ଶତ୍ରୁତା, ସୁଖ, ଦୁଃଖ ଆଦି ପ୍ରଶ୍ନ ସବୁର ନିଷ୍କପଟ ଉତ୍ତର ଦେଇ ମୃତ୍ୟୁ କହିଛି, ସ୍ନେହ, ପ୍ରେମ, ଶତ୍ରୁତା, ବନ୍ଧୁତା ଯାହାବି ତୁମେ କୁହ, ସେସବୁ ପାଖରେ ମୁଁ ନିଶ୍ଚୟ ଅଛି। ମତେ ତୁମେ ସବୁଠି ପାଇବ। ମୃତ୍ୟୁ ଏମିତି ଖେଳୁଥାଏ ଯେ, ବ୍ଲକଙ୍କୁ ଲାଗେ ସେ ଜିତିଯିବେ। କିନ୍ତୁ ବ୍ଲକ୍ ଆସନ୍ନ ବିଜୟର ଉଲ୍ଲାସରେ ମତ୍ତ ଥିବାବେଳେ ମୃତ୍ୟୁ ଜିତିଯାଇଛି ଓ ବ୍ଲକଙ୍କୁ ନେଇ ଚାଲିଯାଇଛି। ଟ୍ରେନ୍‌ ଭିତରେ ସେଦିନ ମୃତ୍ୟୁ ସହିତ ଚେସ୍ ଖେଳରେ ମାତିଥିଲେ ସବୁ ଯାତ୍ରୀ। ହସ ଖୁସି, ସୁଖଦୁଃଖର ଖେଳ ମଧ୍ୟରେ ମଣିଷକୁ ହରାଇବାକୁ ଛକି ବସିଥିଲା ମୃତ୍ୟୁ। କିଏ ଜାଣେ ସେ ଡାଏରିର କବିତା ପଙ୍‌କ୍ତି କେତୋଟି ସେ ଟ୍ରେନ୍‌ ମଧ୍ୟରେ ପ୍ରେମୀଟି ଲେଖିନଥିବ! କିଏ କିଛି ଜାଣିବା ପୂର୍ବରୁ ଖେଳ ସରିଗଲା, ଜିତିଗଲା ମୃତ୍ୟୁ। ସେଇଠି ଅଟକିଗଲା ଇତିହାସ। ଅନ୍ଧକାର ମଧ୍ୟରେ ସ୍ତବ୍ଧତା ହଠାତ ବିଳାପ କରି ଉଠିଲା ଶହଶହ ହତଭାଗ୍ୟ ଯାତ୍ରୀଙ୍କର ଆର୍ତ୍ତନାଦରେ। କୁହାଯାଏ ଜୀବନ ଥିଲାଯାଏ ମୃତ୍ୟୁ ଆସେନି କି ମୃତ୍ୟୁ ଆସିଲେ ଜୀବନ ନଥାଏ। ସେଦିନ ଦୁର୍ଘଟଣା ସ୍ଥଳରେ କିନ୍ତୁ ମୃତ୍ୟୁ ଓ ଜୀବନ ପରସ୍ପରକୁ କୋଳେଇ ଧରିଥିଲେ। ରହିଗଲା କୁଢ଼କୁଢ଼ ମୃତଦେହ, ଶହଶହ ମୁମୂର୍ଷୁ ମଣିଷ, ଖଣ୍ଡବିଖଣ୍ଡିତ ଅଙ୍ଗପ୍ରତ୍ୟଙ୍ଗ ଓ ମେଞ୍ଚା ମେଞ୍ଚା ରକ୍ତର ଛିଟା। ଅନେକ ଲୋକଙ୍କର ଗତକାଲିଟିକୁ ଏ ଦୁର୍ଘଟଣା ପୋଛିନେଲା ଏବଂ ବର୍ତ୍ତମାନ ଓ ଆସନ୍ତାକାଲି ପାଇଁ ଛାଡ଼ି ଦେଇଗଲା ଅସରନ୍ତି ଯନ୍ତ୍ରଣା, ଯାହାର ସମାଧାନ ମଧ୍ୟ ରହିଗଲା ସେଇ ମୃତ୍ୟୁର ହାତରେ।
ମୃତ୍ୟୁ ପୂର୍ବ ନିର୍ଦ୍ଧାରିତ ନୁହେଁ, ଜୀବନର ଦୈର୍ଘ୍ୟ ହିଁ ପୂର୍ବ ନିର୍ଦ୍ଧାରିତ। ଜୀବନ ଶେଷ ହେଲେ ମୃତ୍ୟୁ କେବଳ ଆସିଥାଏ ନେଇଯିବା ପାଇଁ। ମନୁଷ୍ୟର ଭାଗ୍ୟ ଜୀବନ ସହିତ ସଂଯୁକ୍ତ ହୋଇଥିଲେ ମଧ୍ୟ ଗୋଟିଏ ପଟ ତା’ର ମୃତ୍ୟୁ ଆଡ଼କୁ ଅନାବୃତ ରହିଥାଏ। ଦୁଃଖ ଲାଗେ ଯେତେବେଳେ ମୃତ୍ୟୁ ଓ ଦୁର୍ଭାଗ୍ୟ ଏକସଙ୍ଗେ ଆସି ପହଞ୍ଚି ଯାଆନ୍ତି, କଅଁଳ ସକାଳେ ନହେଲେ ଖରାବେଳଟାରେ। କିଏ କବି ଜଣେ ଲେଖିଥିଲେ: “ଜିନ୍ଦେଗୀ ଇକ୍ ସଵାଲ ହୈ ଜିସକା ଜବାବ୍ ମୌତ ହୈ/ ମୌତ ଭି ଇକ୍ ସଵାଲ ହୈ ଜିସକା ଜବାବ୍ କୁଛ୍ ନହିଁ।” ଜୀବନ ଗୋଟିଏ ପ୍ରଶ୍ନ, ଯାହାର ଉତ୍ତର ହେଉଛି ମୃତ୍ୟୁ, ମୃତ୍ୟୁ ମଧ୍ୟ ଏକ ପ୍ରଶ୍ନ ଯାହାର ଉତ୍ତର କିଛି ନାହିଁ।
ସେ ଦୁର୍ଘଟଣାରେ ଅନେକ ଲୋକ ଚାଲିଗଲେ, କିଛି ସାରା ଜୀବନ ବିକଳାଙ୍ଗ ଓ ପଙ୍ଗୁ ହୋଇ ରହିଗଲେ, ଶରୀର ପଚିବା ଆରମ୍ଭ ହେଲା, ଶବର ଗଦା ମଧ୍ୟରେ ପତ୍ନୀ ଖୋଜିବୁଲିଲା ପତିକୁ, ପିତା ଖୋଜିବୁଲିଲା ପୁତ୍ରକୁ, ମାଆ ଖୋଜି ବୁଲିଲା କୋଳର କଅଁଳ ଶିଶୁକୁ। ହୁଏତ ସେ ଡାଏରିର ପ୍ରେମୀଟି ମଧ୍ୟ ଖୋଜିବୁଲିଥିବ ତା’ର ପ୍ରେମାସ୍ପଦକୁ। ଏ ଦୁର୍ଘଟଣା ଯେଉଁ ପ୍ରାସ ଦେଇଗଲା ତା’ର ଉପସମ କାହା ହାତରେ ନାହିଁ କି ସେ କ୍ଷୁଦ୍ର ଡାଏରିଟି ଯେଉଁ ସ୍ମୃତି ଛାଡ଼ିଗଲା ତା’ର ବିଲୟ ନାହିଁ। ଏକଥା ସ୍ବୀକାର୍ଯ୍ୟ ଯେ କେବଳ ଆଖିର ଲୁହକୁ ଛାଡ଼ି ବାକି ସବୁକିଛି ଉପରେ ସମୟ ଏବେ ଢାଙ୍କିଦେବ ଚଦରଟିଏ। ଧୀରେ ଧୀରେ ଲୋକ ସ୍ମୃତିରୁ ଅପସରିଯିବ ଏ ଭୟାବହ ଦୁର୍ଘଟଣାର ଛବି। କିନ୍ତୁ ରେଳ ଧାରଣା କଡ଼ରେ ପଡ଼ିଥିବା ସେ ଡାଏରିର ପଙ୍‌କ୍ତି କେତୋଟି ରହିଯିବ ଅଭୁଲା ହୋଇ ସବୁଦିନ ପାଇଁ।
[email protected]