ପରିବର୍ତ୍ତନ ପରିଚୟକୁ ବଦଳାଇ ଦିଏ କି? ଆପଣ ଏବେ ଯେଉଁ ବ୍ୟକ୍ତି, ପ୍ରକୃତରେ ସେ କିଏ? ଆଜିର ନା କିଛି ବର୍ଷ ତଳର? ପଚାଶ ବର୍ଷ ପରେ ଆପଣ କିଏ ହୋଇଥିବେ? ଆପଣଙ୍କ ଶରୀର, ଚିନ୍ତନ, ଅନୁଭବ ଓ କ୍ରିୟାକର୍ମ ସବୁ କ’ଣ ଆପଣଙ୍କ ନିଜର? ପାଞ୍ଚ ବର୍ଷ ବୟସରେ ଆମର ପରିଚୟ ଯାହା ଥିଲା, ପଚାଶ ବର୍ଷ ପରେ ମଧ୍ୟ ସେହି ଏକା ପରିଚୟ ରହିଛି, ଅଥଚ ଜୀବକୋଷ ଠାରୁ ଆରମ୍ଭ କରି ଚିନ୍ତା, ଚେତନା, ଚେହେରା ଓ ମୂଲ୍ୟବୋଧ ସବୁକିଛି ବଦଳି ଯାଇଛି। ପରିବର୍ତ୍ତନ ହୋଇଯିବା ଅର୍ଥ ବସ୍ତୁଟି ବଦଳିବା ପୂର୍ବର ଓ ପରର, ଏପରି ଦୁଇଟି ପରିଚୟରେ ବିଭକ୍ତ ହୋଇଯାଏ, ଅଥଚ ମନୁଷ୍ୟର ଯେତେ ପରିବର୍ତ୍ତନ ହେଲେ ମଧ୍ୟ ସେ ସେଇ ସମାନ ପରିଚୟ ବହନ କରିଥାଏ। ଦାର୍ଶନିକ ପ୍ଳୁଟାର୍କଙ୍କ ଏକ ଧନ୍ଦକାର ଆଧାରରେ ଏ ଉଦାହରଣଟି ଦେଖନ୍ତୁ। ମନେକରାଯାଉ ବିଜୁବାବୁ ଚଳାଉଥିବା ଡାକୋଟା ବିମାନଟି ସଂରକ୍ଷିତ କରି ରଖାଗଲା। କିଛି ବର୍ଷ ପରେ ତା’ର ଗୋଟିଏ ଡେଣା ନଷ୍ଟ ହୋଇଯିବାରୁ ନୂଆ ଡେଣାଟିଏ ଲାଗିଲା। ଆଉ କିଛି ଦିନ ପରେ ଅନ୍ୟ ଏକ ଅଂଶ ବଦଳାଇବାକୁ ହେଲା। ଏପରି ବଦଳାଇ ବଦଳାଇ ଶେଷରେ ବିମାନର ସମସ୍ତ ମୂଳ ଅଂଶ ବଦଳିଗଲା। ଏବେ ବଦଳି ଯାଇଥିବା ବିମାନଟି ବିଜୁ ବାବୁଙ୍କର ନା ତା’ର ପରିଚୟ କିଛି ଅଲଗା? ପରିଦର୍ଶକ ମାନେ ତାକୁ ସେଇ ବିଜୁବାବୁଙ୍କ ବିମାନ ଭାବରେ ହିଁ ଗ୍ରହଣ କରିବେ। ଅଥଚ ପରିବର୍ତ୍ତିତ ବିମାନକୁ ବିଜୁବାବୁ କେବେ ବି ଚଳାଇ ନାହାନ୍ତି। ମନୁଷ୍ୟ ଠିକ୍ ଏ ବିମାନଟି ପରି। ପରିଚୟକୁ ଅସ୍ତିତ୍ତ୍ବ ଦ୍ବାରା ଚିହ୍ନିତ କଲେ ସେ ବିମାନ ହେଉ କି ମନୁଷ୍ୟ ହେଉ, ପରିବର୍ତ୍ତନ ତା’ର ପରିଚୟକୁ ବଦଳାଇ ପାରେନାହିଁ। ଘରର ଢାଞ୍ଚା, କାନ୍ଥର ରଙ୍ଗ ବଦଳିଗଲେ ମଧ୍ୟ ତାହା ଆପଣଙ୍କ ଘର ଭାବରେ ହିଁ ପରିଚିତ ହୁଏ।
ତା’ହେଲେ ଆମ ପରିଚୟ ନିର୍ଣ୍ଣୟ କରେ କିଏ? ଯଦି କୁହାଯାଏ ମନୁଷ୍ୟ ତା ଶରୀର ଓ ଚେହେରା ଦ୍ବାରା ପରିଚିତ ହୁଏ, ତେବେ ତାର ଜୀବକୋଷ ଓ ଚେହେରା ସବୁକିଛି କ୍ରମଶଃ ବଦଳି ଚାଲିଥିଲେ ମଧ୍ୟ ପରିଚୟରେ ପରିବର୍ତ୍ତନ ହୁଏନି କେମିତି? ପାଞ୍ଚ ବର୍ଷର ବାଳକ ସତୁରି ବର୍ଷ ବୟସରେ ଚିହ୍ନି ନହେଲେ ମଧ୍ୟ ତା’ର ପରିଚୟ ଅତୁଟ ରହିଥାଏ। ଦୁର୍ଘଟଣାରେ ଶରୀର ବିକୃତ ହୋଇଗଲେ ବି ପରିଚୟ ଅକ୍ଷୁଣ୍ଣ ରହେ। ଖାଲି ସେତିକି ନୁହେଁ, ମୃତ୍ୟୁ ପରେ ମଧ୍ୟ ପରିଚୟ ବଦଳେନି। ଆମେ କହୁ ‘ରହିମକୁ ଏଇଠି କବର ଦିଆଯାଇଛି’ ବା ‘ମାଗୁଣିକୁ ସେଇଠି ଦାହ କରାଯାଇଛି।’ ଅନ୍ୟ ଏକ ଯୁକ୍ତି ହୋଇପାରେ, ମନୁଷ୍ୟ କେବଳ ତା ଶରୀର ନୁହେଁ, ମାନସିକ ଅବସ୍ଥା ଦ୍ବାରା ମଧ୍ୟ ପରିଚିତ ହୁଏ। ମନର ଅବସ୍ଥା, ଚାଲିଚଳନ, ପ୍ରବହମାନ ଚେତନା, ଯଥା: ଇଚ୍ଛା ଓ ସ୍ମୃତି ଆଦି ତାକୁ ପରିଚୟଟିଏ ଦେଇଥାନ୍ତି। କିନ୍ତୁ ଏଥିରେ ମଧ୍ୟ ସନ୍ଦେହ ରହିଛି। ମନେକର, ମାଗୁଣି ନିଶାଗ୍ରସ୍ତ ହୋଇ ଅଜ୍ଞାତସାରରେ ଗୋଟିଏ ନରହତ୍ୟା କରିଦେଲା। ହତ୍ୟା କଲାବେଳେ ସେ ତା’ର ଚେତନାର ଅଧୀନରେ ନଥିଲେ ମଧ୍ୟ ମାଗୁଣି ହିଁ ସେ ଅପରାଧ ପାଇଁ ଦୋଷୀ। ପରିବର୍ତ୍ତିତ ଚେତନା ଓ ମୂଳ ଚେତନା ବ୍ୟକ୍ତିର ପରିଚୟକୁ ବଦଳାଇ ପାରେନି। ତେଣୁ ମାନସିକ ଅବସ୍ଥା ପରିଚୟକୁ ନିୟନ୍ତ୍ରଣ କରେ କହିବା ଭ୍ରମାତ୍ମକ। ଏ ଦୁଇ ଅନୁସିଦ୍ଧାନ୍ତ ସଂପର୍କରେ ଏକ କାହାଣୀର ଉଦାହରଣ ଦେଉଛି। ଜଣେ ରାଜା ଚାହିଁଲେ, ସରଳ ଓ କ୍ରୂର, ଏପରି ଦୁଇଟି ବିପରୀତ ପରିଚୟଧାରୀ ବ୍ୟକ୍ତିଙ୍କର ଛବିକୁ ଗୋଟିଏ ଚିତ୍ରପଟରେ ରଖି ଦେଖିବେ। ଗୋଟିଏ ସୁନ୍ଦର ଓ ସରଳ ବାଳକକୁ ନେଇ ଚିତ୍ରକାର ପ୍ରଥମେ ତା ଛବିଟି ଆଙ୍କିଲେ। ସେ ଛବି ପାର୍ଶ୍ବରେ ନିଷ୍ଠୁରତାର ପ୍ରତୀକ ଆଙ୍କିବା ପାଇଁ ତାଙ୍କୁ ନମୁନାଟିଏ ମିଳିଲାନି। ରାଜାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା। ଅନେକ ବର୍ଷ ପରେ ଥରେ ସେ ଅସମାପ୍ତ ଚିତ୍ରଟି ଦେଖି ଯୁବରାଜ ତାକୁ ସଂପୂର୍ଣ୍ଣ କରିବାକୁ ଚାହିଁଲେ। ବନ୍ଦୀଶାଳାର ସବୁଠାରୁ କଦାକାର ଓ ନୃଶଂସ ଅପରାଧୀକୁ ଚିତ୍ରକାରଙ୍କ ପାଖକୁ ଅଣାଗଲା। ଛବି ଆଙ୍କିବା ବେଳେ ଅପରାଧୀଟି କାନ୍ଦିପକାଇ କହିଲା, ଏ ଯେଉଁ ସରଳ ଓ ସୁନ୍ଦର ବାଳକର ଛବି ଆପଣ ଚାଳିଶ ବର୍ଷ ତଳେ ଆଙ୍କିଥିଲେ, ସେ ହେଉଛି ନିଜେ ମୁଁ। ପରିବର୍ତ୍ତିତ ଚେହେରା ଓ ଚରିତ୍ର ସହିତ ପରିଚୟର ସଂପର୍କ କିଛି ନାହିଁ। ଅନ୍ୟ ଏକ ଯୁକ୍ତି ହୋଇପାରେ, ମନୁଷ୍ୟକୁ ତା’ର ଆତ୍ମା ପରିଚୟ ଦେଇଥାଏ। ମନୁଷ୍ୟର କାର୍ଯ୍ୟ, ଚିନ୍ତନ ଓ ବ୍ୟକ୍ତିତ୍ବ ଆଦି କ’ଣ ଆତ୍ମା ଦ୍ବାରା ନିୟନ୍ତ୍ରିତ ହୁଏ କି? ଆତ୍ମା ତ ନିରପେକ୍ଷ, ପରିବର୍ତ୍ତନହୀନ। ଶରୀରର କର୍ମ ସହିତ ଆତ୍ମାର ଯଦି ସଂପୃକ୍ତି ନାହିଁ, ପରିବର୍ତ୍ତନଶୀଳ ମନୁଷ୍ୟକୁ ସେ ପରିଚୟ ଦେବ କେମିତି?
ପରିଚୟ ହେଉଛି ମନୁଷ୍ୟର ସେଇ ସବୁ ଗୁଣ, ଯାହା ଉପରେ ସେ ଆଶକ୍ତି ଓ ଅଧିକାର ସାବ୍ୟସ୍ତ କରି ରଖିଥାଏ ଏବଂ ତାହା ଦ୍ବାରା ମଧ୍ୟ ଚିହ୍ନିତ ହୋଇଥାଏ। ପରିଚୟର ସଂକଟ ଆସେ, ଯେତେବେଳେ ସେ ନିଜେ ଓ ଅନ୍ୟମାନେ ତା’ର ଏ ଗୁଣ ସବୁକୁ ନେଇ ସନ୍ଦେହରେ ପଡ଼ନ୍ତି। ଆମର ବିଶ୍ବାସ, ବ୍ୟବହାର ଓ ଚାଲିଚଳନ ଆମ ପରିଚୟ ସହିତ ସଂପର୍କିତ। କିଏ, କ’ଣ ଓ କାହିଁକି ପରି ପ୍ରଶ୍ନ ସବୁ ଆମ ପରିଚୟକୁ ଆଚ୍ଛନ୍ନ କରି ରଖିଛି। ପରିଚୟର ଆବଶ୍ୟକତା ନିଜକୁ ଖୋଜି ପାଇବା ପାଇଁ ନୁହେଁ, ନିଜକୁ ଗଢ଼ି ତୋଳିବା ପାଇଁ। ଗଢ଼ିବା ପରେ ସିନା ଖୋଜିବା! ବିଜୁବାବୁଙ୍କ ବିମାନର ମୂଳ ଅଂଶ ସବୁକୁ ନେଇ ଆଉଥରେ ଯୋଡ଼ିଦେଲେ ତାହା ଆଉ ବିଜୁବାବୁ ଚଳାଇଥିବା ମୂଳ ବିମାନର ପରିଚୟ ପାଇବନି। ଶରୀର ପଞ୍ଚଭୂତରେ ମିଶିଗଲା ପରେ ସେଥିରୁ ଯେଉଁ ନୂତନ ମନୁଷ୍ୟଟି ଆଉଥରେ ସୃଷ୍ଟି ହେବ, ତା’ର ପରିଚୟ ହେବ ସଂପୂର୍ଣ୍ଣ ପୃଥକ୍। ଆମେ କିଏ? ଆମ ପରିଚୟ କ’ଣ? ଏ ପ୍ରଶ୍ନ ରହିଥିବ ସଦା ଅମୀମାଂସିତ।
ମୋ: ୯୩୩୭୬୪୮୬୩୮