ସୁଭାଷ ପଟ୍ଟନାୟକ

Advertisment

“ଏଇଠି ପାଇବି ସବୁ, ଏଇଠି ଦେଖିବି ସବୁ, ହେବିନାହିଁ ବ୍ୟର୍ଥ ମନୋରଥ/ଏଇଠି ଖୋଜିବି ମୋର ଜୀବନର ଅମୃତର ପଥ”। ‘ପଥିକ’ କବିତାରେ ଲେଖିଛନ୍ତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ। ସତରେ ଆମେ କ’ଣ ଜୀବନର ଅମୃତର ପଥ ପାଇପାରିଛେ? ନା, କେବେ ନୁହେଁ। ସଳଖ ପଥର ସନ୍ଧାନ କରି କରି ଆମର ଯାତ୍ରା ଶେଷ ହୋଇଯାଇଛି। କେବଳ ପୂର୍ବରୁ ପ୍ରସ୍ତୁତ ରାସ୍ତାରେ ଚାଲିଛନ୍ତି ଆମେ। ନିଜର ତିଆରି ରାସ୍ତାଟି ଆମର କାହିଁ? ଆମର ମନ ଓ ମସ୍ତିଷ୍କକୁ ଏପରି ଗଢ଼ି ଦିଆଯାଇଛି ଯେ, ଯଦି କିଛି ଲୋକ ଗୋଟିଏ ନିର୍ଦ୍ଦିଷ୍ଟ ରାସ୍ତାରେ ଚାଲିଗଲେ, ସେ ପଥଟି ଠିକ୍ ଭାବିନେଇ ଆମେ କେବଳ ଅନୁଧାବନ କରୁଛେ। ସେଇ ରାସ୍ତାଟି ଆମ ଲକ୍ଷ୍ୟସ୍ଥଳ ଆଡ଼କୁ ଯାଇଥିବାର ବିଶ୍ବାସ କରିବସୁଛେ। ରାସ୍ତା ପଚାରି କେବେ ସଠିକ୍‌ ଉତ୍ତର ମିଳେ କି? ‘ଅମୁକ ସ୍ଥାନଟି କେଉଁଠି’ ପଚାରିଲେ କିଏ ‘ମତେ ଜଣାନାହିଁ’ ପରି ନିରୀହ ଉତ୍ତରଟିଏ ଦେଇ ଚାଲିଯାଏ  ତ କିଏ କହେ, ଏଇ ଆଗରେ ଶନି ମନ୍ଦିରର ଆଗକୁ ଯାଇ ଚା’ ଦୋକାନ ପାଖରେ ବାମକୁ ମୋଡ଼ିଲେ ବାମପଟେ ଚତୁର୍ଥ ଘରଟା। ସାମ୍ନାରେ ଆମ୍ବଗଛ। ଏ ମନ୍ଦିର, ଚା’ ଦୋକାନ ଓ ଆମ୍ବଗଛ କେବେ ଧୋକା ଦିଅନ୍ତିନି। ସଠିକ୍‌ ରାସ୍ତା ଦେଖାନ୍ତି। ଆଉ କେହି କେହି ରାସ୍ତା ଦେଖାଇବା ମଉକାରେ ନିଜର ଉଦ୍ଦେଶ୍ୟ ସାଧନ କରିନିଅନ୍ତି। ସେ ଟିଭି ବିଜ୍ଞାପନ କଥା ମନେ ପକାନ୍ତୁ। ବୃଦ୍ଧ ଜଣେ ଖରାରେ ଚାଲିଚାଲି ଆସି ସିକ୍ୟୁରିଟି ଗାର୍ଡକୁ ପଚାରୁଛନ୍ତି, ‘ପୁଅ, ଔଷଧ ଦୋକାନଟା କେଉଁଠି’? ସାମ୍ନାରେ ଥିବା ଦୋକାନକୁ ସିଧା ନ ଦେଖାଇ ଲୋକଟି ବୁଲେଇ ବଙ୍କେଇ କହୁଛି, ‘ଏଇ ସିଧାରେ ଯାଇ ସେ ବଢ଼ିଆ ସିମେଣ୍ଟରେ ତିଆରି ଘର ପାଖରୁ ‘ୟୁ’ ଟର୍ଣ୍ଣ ନେଇ ଆସନ୍ତୁ, ଏଇ ସାମ୍ନାରେ ଅଛି ଔଷଧ ଦୋକାନ’। ଦେଖିଲେ ତ? ବଢ଼ିଆ ସିମେଣ୍ଟ ଓ ସେଥିରେ ତିଆରି ଘରଟି ଦେଖାଇବାର ଉଦ୍ଦେଶ୍ୟ ଲୋକଟିର କେମିତି ପୂରଣ ହୋଇଗଲା? ଅନେକ ମଧ୍ୟ ଆମକୁ ଜାଣିଶୁଣି ଭୁଲ୍‌ ରାସ୍ତା ଦେଖାଇଦିଅନ୍ତି। ଜନ୍ମ ହେବାପରେ ବାପା, ମା, ଭାଇ, ଭଉଣୀ, ବନ୍ଧୁ, ବାନ୍ଧବ ସମସ୍ତେ ଗୋଟିଏ ଗୋଟିଏ ଅଲଗା ରାସ୍ତାର ନକ୍ସା ଧରାଇଦେଇ ସେଥିରେ ଚାଲିବାକୁ ବାଧ୍ୟ କରିଥାନ୍ତି। ସମସ୍ତେ ଦାବି କରନ୍ତି ସେମାନେ ବତାଇଥିବା ରାସ୍ତାଟି ଠିକ୍। କଥା ସେମାନଙ୍କର ନ ଶୁଣି ଉପାୟ ନଥାଏ। ବଞ୍ଚିବାର ରାସ୍ତା, ଜୀବିକା ନିର୍ବାହର ରାସ୍ତା ଓ ଅସ୍ତିତ୍ବ ବଜାୟ ରଖିବାର ରାସ୍ତା, ଏମିତି ଅନେକ ରାସ୍ତାରେ ଚାଲିବାକୁ ପଡ଼େ। କିଏ ବି କହେ ନାହିଁ, କଷ୍ଟ ହେଲେ ହେଉପଛେ ନିଜପାଇଁ ସ୍ବତନ୍ତ୍ର ରାସ୍ତାଟିଏ ତିଆରି କର। ସେଥିପାଇଁ ଚେଷ୍ଟା କଲେ ସମସ୍ତେ ଚିହିଁକିଉଠି କୁହନ୍ତି, ଅବାଟରେ ଚାଲିଗଲା। ଅନ୍ୟକୁ ରାସ୍ତା ଦେବାକୁ ଯାଇ ରାସ୍ତାରୁ ସାମାନ୍ୟ ହଟିଗଲେ ଠେଲିଦେଇ ସମସ୍ତେ ଆଗକୁ ମାଡ଼ିଚାଲନ୍ତି। ଲକ୍ଷ୍ୟସ୍ଥଳ ଅପେକ୍ଷା ଗତିବେଗ ସେମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଏ। ଥରେ ମାଇଲଖୁଣ୍ଟଟି ପଛକୁ ଚାଲିଗଲେ ତାକୁ ଦେଖି ରାସ୍ତା ଆକଳନ କରିବା ଆଉ ସମ୍ଭବ ହୁଏ ନାହିଁ। ଚାଲୁଥିବା ରାସ୍ତାଟି ଆମକୁ ନେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦେବାର କୌଣସି ପ୍ରତିବଦ୍ଧତା ନଥାଏ। ଦୋ’ଛକିରେ ପହଞ୍ଚିଗଲେ ପୁଣି ଥରେ ରାସ୍ତା ଗୋଳମାଳ ହୋଇଯାଏ। କେଉଁ ପଥଟି ସଠିକ୍‌, ଜାଣି ହୁଏନି। ‘ରୋଡ୍ ନଟ୍ ଟେକେନ୍’ କବିତାରେ ରବର୍ଟ ଫ୍ରଷ୍ଟଙ୍କର ଦ୍ବନ୍ଦ୍ବ ପରି ଆମେ ମଧ୍ୟ ସେଇ ଦ୍ବିବିଧାରେ ପଡ଼ିଯାଉ। ପସନ୍ଦ ଓ ସୁଯୋଗକୁ ଆକଳନ କରିପାରି ନଥାଉ। ଯେଉଁ ରାସ୍ତାଟିକୁ ଚାଲିବାପାଇଁ ବାଛିଲେ ମଧ୍ୟ ଅନ୍ୟ ରାସ୍ତାଟିରେ ଥିବା ଅଜ୍ଞାତ ସମ୍ଭାବନା ଆମକୁ ଜୀବନକାଳ ଧରି କେବଳ ଅନୁଶୋଚନା ଆଣିଦିଏ। ସେ ରାସ୍ତାଟିରେ ଯାଇଥିଲେ ଅଧିକ ଭଲ ହୋଇଥାନ୍ତା କି! କିଏ ବା ନିଜର ଚଲାବାଟରେ ଚାଲି ଚାଲି ସନ୍ତୁଷ୍ଟ ହୋଇପାରିଛି କୁହନ୍ତୁ ତ? 
ଜୀବନ ମନୁଷ୍ୟକୁ ରାସ୍ତା ହୁଡ଼ିବାକୁ ବାଧ୍ୟ କରେ ନା ରାସ୍ତା ହୁଡ଼ିଯିବା ଜୀବନର ଏକ ଆବଶ୍ୟକତା? ପ୍ରଶ୍ନଟି ସଂପୂର୍ଣ୍ଣ ଅନୁତ୍ତରିତ। ଜୀବନର ଅନେକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୋଟିଏ କ୍ଷିପ୍ର ପରିବର୍ତ୍ତନଶୀଳ ଦୁନିଆକୁ ସାମ୍ନା କରି କରି କ୍ଳାନ୍ତ ହୋଇଗଲେ କେବେ କେମିତି ରାସ୍ତାରୁ ସାମାନ୍ୟ ହଟିଯିବାକୁ ପଡ଼େ। ଲକ୍ଷ୍ୟସ୍ଥଳର କଥା ଭୁଲିବାକୁ ହୁଏ। ପାଦ ଦୁଇଟି ଯଦି ସହଯୋଗ ନକଲା, ରାସ୍ତା ଯେତେ ପ୍ରଶସ୍ତ ହେଲେ କ’ଣ ହେବ! 
ବନ୍ଧୁଗଣ, ଏ ଯାତ୍ରା ଆମର ଜୀବନ ଓ ମୃତ୍ୟୁ ମଧ୍ୟରେ ସୀମିତ। ରାସ୍ତା କଦାପି ଜୀବନକୁ ଆଗେଇ ନିଏନି କାରଣ ଜୀବନ ନିଜେ ହିଁ ଏକ ରାସ୍ତା। ଯେଉଁଠି ଅଟକିଯାଏ ତାହା ହିଁ ହୋଇଯାଏ ଆମର ଶେଷ ଲକ୍ଷ୍ୟସ୍ଥଳ। ଏଇ ଦେଖୁନାହାନ୍ତି, ଆଗରେ ଆମର ଶେଷ ଲକ୍ଷ୍ୟସ୍ଥଳର ଫାଟକ ଖୋଲା ପଡ଼ିଛି। ଏଇଠୁ ଚାହିଁ ଦେଖନ୍ତୁ, ଆମ ଯାତ୍ରାର ପ୍ରାରମ୍ଭ ସ୍ଥଳ କେତେ ନିକଟରେ ଦେଖାଯାଉଛି। ସିଧା ରାସ୍ତାଟିଏ। ଅଥଚ ରାସ୍ତା ପଚାରି ପଚାରି, ଗୋଲକଧନ୍ଦା ମଧ୍ୟରେ ଛନ୍ଦିହୋଇ ଏଠାରେ ପହଞ୍ଚିବାରେ କେତେ ସମୟର ଅନାବଶ୍ୟକ ଅପଚୟ ହେଲା ଓ ପଥଶ୍ରାନ୍ତ ହେବାକୁ ପଡ଼ିଲା। ଅନେକ ଲୋକ ସାଙ୍ଗରେ ଚାଲିବାକୁ ପ୍ରତିଶ୍ରୁତି ତ ଦେଇଥିଲେ, ଏବେ ଶେଷ ପର୍ଯ୍ୟନ୍ତ କେହି ସାଥିରେ ନାହାନ୍ତି। କିଛି ଲୋକ ଦୋଛକିରେ ରାସ୍ତା ବଦଳାଇ ଦେଇଛନ୍ତି ଓ ଆଉ କିଛି ପ୍ରତିଶ୍ରୁତିକୁ ବଦଳାଇ ଚାଲିଯାଇଛନ୍ତି। ଫାଟକ ଦେଇ ଭିତରକୁ ପଶିବା ପୂର୍ବରୁ ସାମ୍ନାରେ ଏ ସନ୍ଦେଶଟି ପଢ଼ନ୍ତୁ: “ମଞ୍ଜିଲ୍ ତୋ ତେରି ୟହି ଥି, ବସ୍ ଜୀନ୍ଦଗି ଗୁଜର ଗୟି ଆତେ ଆତେ/କ୍ୟା ମିଲା ତୁଝେ ଇସ୍ ଦୁନିୟା ସେ, ଅପନୋ ନେ ହି ଦଫନା ଦିୟା ତୁଝେ ଜାତେ ଜାତେ”। 
ଏଇ ହେଉଛି ଆମର ଚିର ଅବୋଧ୍ୟ “ଜୀବନର ଅମୃତର ପଥ।”
(ମତାମତ ଲେଖକଙ୍କ ନିଜସ୍ବ)
[email protected]