ସୁଭାଷ ପଟ୍ଟନାୟକ
କହିପାରିବ, ଏ ଦୁନିଆରେ ଏତେ ପ୍ରାଚୀର କାହିଁକି ଠିଆ ହୋଇଛି? ସେତିକି ପରିମାଣରେ ସେତୁ କାହିଁକି ବନ୍ଧା ହେଉ ନାହିଁ? ମନ-ମନ ମଧ୍ୟରେ ପ୍ରାଚୀର, ଧର୍ମ-ଧର୍ମ ମଧ୍ୟରେ ପ୍ରାଚୀର, ବର୍ଣ୍ଣ-ବର୍ଣ୍ଣ ମଧ୍ୟରେ ପ୍ରାଚୀର, ଭାଷାକୁ ଆଧାର କରି ପ୍ରାଚୀର, ସଂସ୍କୃତି ଆଧାରରେ ପ୍ରାଚୀର ଓ ଦେଶ-ଦେଶ ମଧ୍ୟରେ ପ୍ରାଚୀର। ଏ ସବୁ ବାଡ଼କୁ ଅପସାରଣ କରି ସେ ସ୍ଥାନରେ ସେତୁ ଗଢ଼ିବା କଥା କିଏ ଭାବେନାହିଁ କାହିଁକି? ପ୍ରେମର ସୁରକ୍ଷା ପାଇଁ କିନ୍ତୁ ପାଚେରୀଟିଏ ଯେ ଆବଶ୍ୟକ, ସେ କଥା ସମସ୍ତେ ଭୁଲିଯାଆନ୍ତି କେମିତି? ମାଟି ଉପରେ ପାଚେରୀ ଗଢ଼ିଦେଇ ଆମେ କହୁ ମାଟିକୁ ବାଣ୍ଟିଦେଲୁ। ଜଳସ୍ରୋତ ଉପରେ ବନ୍ଧ ପକାଇଦେଇ କହୁ ପାଣି ଆମ ମାଟିରେ ଅଟକି ରହୁ। ମାଟି, ପାଣି ଓ ଆକାଶକୁ ପାଚେରୀ ପକାଇ ବାଣ୍ଟିପାରିବା କ’ଣ ସମ୍ଭବ? ସେଦିନ ଏଇଠି, ଏ ୱାଘା ବର୍ଡରର ଏ ପାଖରେ ଠିଆହୋଇ ସେ ଏ ସବୁ କଥା କହିବାକୁ ଚାହୁଁଥିଲା, କିନ୍ତୁ କହି ପାରିଲାନି।
ପରୀକାହାଣୀ କେବେ ତୁ ପଢ଼ିଛୁ ଝିଅ? ପରୀର ଜୀବନଟି ସତରେ କେଡ଼େ ଅସହାୟ, ନୁହେଁ? କାହାଣୀ ସବୁ ଲେଖାହୁଏ ତା’ରି ନାଆଁରେ କିନ୍ତୁ କାହାଣୀର ସେ ନାୟିକା ନୁହେଁ। କାହାଣୀ ସର୍ବଦା ପରୀ ବିନା ଅସମାପ୍ତ। ପରୀ ନ ଥିଲେ ଅଗନାଅଗନି ବନସ୍ତରେ ରାଜକୁମାରକୁ ରାସ୍ତା ଦେଖାଇବ କିଏ? ପରୀ କେଉଁଠି ଥାଏ, କ’ଣ ଖାଏ, ତା’ର ବାପା, ମା’ ଓ ପରିବାର କେଉଁଠି ରହନ୍ତି, ଘରସଂସାର ଅଛି କି ନାହିଁ, ସେ କଥା କେହି ଜାଣନ୍ତିନି। ପ୍ରଜାପତି ପରି ପର ଦୁଇଟି ହଲାଇ ହାତରେ ସୁନା ଛଡ଼ିଟିଏ ଧରି ଘୂରି ବୁଲୁଥାଏ କେବଳ। ମନରେ ତା’ର ଦୁଃଖ ନ ଥାଏ, ସ୍ବପ୍ନ ନ ଥାଏ କି ନ ଥାଏ କିଛି ଅଭିଳାଷ। କାମ ସରିଗଲେ ଫୁର୍ କିନା ଉଡ଼ିଯାଇ ମିଳାଇଯାଏ ପାହାଡ଼ ସେପାଖ ଆକାଶରେ। ଆମ କାହାଣୀର ପରୀଟି କିନ୍ତୁ ଥିଲା ଏ ସବୁଠାରୁ ନିଆରା। ଉଡ଼ି ଆସିଥିଲା ସୀମା ସେପଟ ସୁଦୂର ପାକିସ୍ତାନରୁ। ଫେସ୍ବୁକ୍ରେ ପ୍ରଥମେ ବନ୍ଧୁତା, ବନ୍ଧୁତାରୁ ଭଲପାଇବା ଓ ପରେ ପରେ ସଂସାରଟିଏ ଗଢ଼ିବାର ସ୍ବପ୍ନ। ଭୁଲିଯାଇଥିଲା ଏପଟ ଦେଶର ପ୍ରେମିକ ସହିତ ସଂସାର ଗଢ଼ିଲେ କେତେ ଯେ ପ୍ରାଚୀର ତାକୁ ଡେଇଁବାକୁ ହେବ। ଖାତିର ନ ଥିଲା ତା’ର। ନେପାଳ ଦେଇ ଉଡ଼ିଆସିଥିଲା ଏପଟ ଇଲାକାରେ, ତା’ ପ୍ରେମାସ୍ପଦ ପାଖକୁ। ନିଜର ଧର୍ମ ତ୍ୟାଗ କରି ପ୍ରେମିକର ଧର୍ମ ଗ୍ରହଣ କଲା। ବେଦୀରେ ବସିଲା। ଦୂବ ଅରୁଆ ଚାଉଳ ମୁଣ୍ଡରେ ପକାଇ ମଥାରେ ସିନ୍ଦୂର, ହାତରେ ଶଙ୍ଖା ଓ ବେକରେ ମଙ୍ଗଳସୂତ୍ର ପିନ୍ଧିଲା। ଚୁଲିମୁଣ୍ଡରେ ବସି ରୋଷେଇ କରି ସ୍ବାମୀଙ୍କୁ ଅପେକ୍ଷା କଲା। ପରିବାରକୁ କୁନି ଝିଅଟିଏ ଭେଟିଦେଲା ଆଉ କାହାଣୀର ମୁଖ୍ୟ ନାୟିକା ହୋଇଗଲା। ପରୀର ସ୍ଥାୟୀ ଠିକଣା କ’ଣ ଥାଏ କି? ସେ ତ କେଉଁଠି ଅଟକି ରହେନି। ଘରଟିଏ ଥାଉ କି ନ ଥାଉ, ଛାତ ଉପରେ ଗୋଲାପ ଫୁଟାଇଦେଇ କାହାଣୀ ଅଧାରୁ ଉଡ଼ିଯାଏ। କେତେବେଳେ ଯେ ସାମ୍ନାରେ ତା’ର ପାଚେରୀଟିଏ ଠିଆ ହୋଇଯାଇଛି ସେ ବା ଜାଣିବ କେମିତି! ସେଦିନର ପହଲଗାମ ନରସଂହାର ପରୀର ଜୀବନକୁ ପୁଣିଥରେ ଓଲଟାଇ ଦେଲା। ଧର୍ମଛଡ଼ା ହିଁ ଧର୍ମ ନାମରେ ରକ୍ତ ଝରାଏ। ସବୁର ମୂଳରେ ସେଇ ପାଚେରୀ। ଧର୍ମର ନାଆଁରେ ହତ୍ୟା, ଶିକାରକୁ ଭୁଲ୍ ଦର୍ଶାଇବାକୁ ଯାଇ କପୋତକୁ ଗୁଳିମାରିବା ପରି। ପହଲଗାମ ଠାରେ ସେ ମୌଳବାଦୀମାନେ ସେଦିନ ଏ ଧର୍ମର ଲୋକଙ୍କ ଉପରେ ଗୁଳି ଚଳାଇବା ବେଳେ ସେକଥା ବୁଝି ନ ଥିଲେ। ପରୀକୁ ନେଇ ଗଢ଼ା ଏ କାହାଣୀକୁ ସେ ଝିଅକୁ ତା’ର କହିବାକୁ ଚାହୁଁଥିଲା, କିନ୍ତୁ କହି ପାରିଲାନି।
ତୁ ଜାଣିଛୁ କାହାଣୀର ପରବର୍ତ୍ତୀ ଘଟଣା? ପହଲଗାମ ନରସଂହାର ପରେ ଦୁଇ ଦେଶ ମଧ୍ୟରେ ଆଉଗୋଟିଏ ପାଚେରୀ ଠିଆ ହୋଇଗଲା। ସେ ଦେଶର ନାଗରିକମାନଙ୍କୁ ସ୍ବଦେଶ ବାହୁଡ଼ି ଯିବାପାଇଁ କଡ଼ା ନିର୍ଦ୍ଦେଶ ଜାରି ହେଲା। ପ୍ରେମର ଫଲ୍ଗୁ ଓ ରକ୍ତର ଫଲ୍ଗୁ ଏକ ସଙ୍ଗରେ ବୋହି ନ ପାରେ। ପରୀ ଏବେ କରିବ କ’ଣ? କାକୁତି ମିନତି ତା’ର ଶୁଣିବ କିଏ? ପରୀକୁ ଏ ଦେଶ ଛାଡ଼ିବାକୁ ପଡ଼ିଲା। ନିଜ ହାତରେ ଗଢ଼ା ଘର, ସ୍ବାମୀ, ସନ୍ତାନ ସମସ୍ତଙ୍କର ମୋହ ତୁଟାଇବାକୁ ପଡ଼ିଲା। ସମୟର ବନ୍ଦୀଶାଳାରୁ ଯେଉଁ କିଛି ସମୟ ନିଜ ପାଇଁ ଆତ୍ମସାତ କରିଥିଲା, ତାହା ଏତେ ଶୀଘ୍ର ଯେ ଶେଷ ହୋଇଯିବ, ବିଶ୍ବାସ କରିପାରୁ ନ ଥିଲା। ସକାଳୁ ସକାଳୁ ୱାଘା ବର୍ଡର। ସାଙ୍ଗରେ ନିଜର ଲୁଗାପଟା ଓ ଝିଅର କିଛି ଫଟୋ। ଲୁହ ଝରାଇ କହୁଥିଲା, କି ବିଡ଼ମ୍ବନା, ମୋ ପୂର୍ବପୁରୁଷ ଏ ମାଟିର ଅଥଚ ଏ ମାଟି ଆଜି ମୋର ନୁହେଁ। ଗେଟ୍ ଆରପଟକୁ ଚାଲିଯିବା ପୂର୍ବରୁ ଶେଷ କଥାଟି ଅତି ଆବେଗରେ କହିଥିଲା, ନିଜର ଓ ଝିଅର ଯତ୍ନ ନେଉଥିବ, ଆଉ ଭୁଲିଯିବ ପରୀଟିଏ ଦିନେ ଉଡ଼ିଆସି ଏଠି ଘର ବସେଇଥିଲା। କାଲି ସକାଳକୁ ସେଇ ରାସ୍ତା ଥିବ, ସେଇ ଘର ଥିବ, ସେଇ ଲୋକ ଥିବେ ଓ ସେଇ କାହାଣୀ ଥିବ। ସେଇ ଏକା ରଙ୍ଗମଞ୍ଚରେ ଅଭିନୟ ଚାଲିଥିବ କିନ୍ତୁ ଯେଉଁ ସ୍ଥାନରେ ପରୀ ଆଜି ଥିଲା, କାଲି ନ ଥିବ। ପରୀ କ’ଣ ସଂସାର ଗଢ଼ିପାରେ? କାହାଣୀ କେବଳ ତା’ ନାଆଁରେ ସିନା, ସେ ନାୟିକା ହୋଇ ନ ପାରେ। ବାପାର କାନ୍ଧରେ ଥାଇ ହାତ ବଢ଼ାଇ କାନ୍ଦୁଥିଲା କୁନି ଝିଅ, କାନ୍ଦୁଥିଲା ପରୀ। ‘ଏ ଶୁଣ!’ ଗେଟ୍ ଆରପାଖକୁ ପାଦ ରଖିବା ପୂର୍ବରୁ ଅଟକିଗଲା ପରୀ। ମଥାରୁ ସିନ୍ଦୂରଟା ପୋଛି ପକାଅ। ତୁମେ ଏ ଧର୍ମ ଗ୍ରହଣ କରିଛ ସେମାନେ ଯଦି ଜାଣନ୍ତି, ତୁମକୁ ବଞ୍ଚିବାକୁ ଦେବେନି। ପହଲଗାମରେ ମଥାରୁ ଲିଭିଥିବା ସିନ୍ଦୂର ଓ ଆଜି ତୁମ ମଥାରୁ ଲିଭି ଯାଉଥିବା ସିନ୍ଦୂର ମଧ୍ୟରେ ପାର୍ଥକ୍ୟ କିଛି ନାହିଁ। ଉଦ୍ଦେଶ୍ୟ ଗୋଟିଏ କିନ୍ତୁ ଲିଭାଇବାର ପଦ୍ଧତି ଅଲଗା ଯାହା। ଛାତିରେ ସେଦିନ ଶବ୍ଦସବୁ ଫସି ରହିଗଲେ। ଗେଟ୍ ଆରପଟେ ଅଦୃଶ୍ୟ ହୋଇଯାଇଥିଲା ପରୀ। ‘ଜୀବନ ଆମକୁ ଯେଉଁଠିକୁ ନେଇଯାଉ ପଛେ, ମୋର ସମଗ୍ର ମନ ଓ ଶରୀର କେବଳ ତୁମର ହୋଇ ରହିଥିବ’- ଏ ଶେଷ କଥା ପଦକ ସେ ପରୀକୁ ତା’ର କହିବାକୁ ଚାହୁଁଥିଲା, କିନ୍ତୁ କହି ପାରିଲାନି।
ଆଜି ହେଉଛି ପରୀ ଚାଲିଯିବାର ବାର୍ଷିକୀ। ପନ୍ଦର ବର୍ଷ ଧରି ପ୍ରତ୍ୟେକ ବାର୍ଷିକୀରେ ସେ ଝିଅକୁ ଧରି ୱାଘା ବର୍ଡର ଆସେ। ଯେଉଁ ସ୍ଥାନରେ ପରୀ ତା’ ହାତରେ ଶେଷ ଚୁମ୍ବନ ଦେଇ ହାତ ଛାଡ଼ି ଦେଇଥିଲା, ସେଇଠି ନିରବରେ ଠିଆ ହୁଏ। ବୁଝିଲୁନା ଝିଅ, ଏ ଦୁନିଆରେ ପ୍ରେମ ଗୋଟିଏ କୁହୁକ ଖେଳନା ପରି। ମିଳିଗଲା ପରେ ମାଟିପରି ମୂଲ୍ୟହୀନ ମନେ ହୁଏ ସିନା, ହଜିଗଲେ ସୁନା ମୁଣ୍ଡା ଖଣ୍ଡେ ହରାଇଦେବା ପରି ଜୀବନସାରା ମଣିଷ ତାକୁ ଝୁରି ହେଉଥାଏ। ନୀଦା ଫାଜିଲ୍ କହିଥିଲେ ପରା: ‘‘ଦୁନିୟା ଜିସେ କହତେ ହୈଁ ଜାଦୁକା ଖିଲୋନା ହୈ/ମିଲ୍ ଜାୟେ ତୋ ମିଟ୍ଟି ହୈ, ଖୋ ଜାୟେ ତୋ ସୋନା ହୈ।’’
ଏକଥା ମଧ୍ୟ ସେ ସେଦିନ ଝିଅକୁ ତା’ର କହିବାକୁ ଚାହୁଁଥିଲା, କିନ୍ତୁ...?
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୩୩୭୬୪୮୬୩୮
[ବି.ଦ୍ର.- ‘ବହୁବଚନ’ ସ୍ତମ୍ଭ ସୋମବାର ପ୍ରକାଶ ପାଇବ]